3/01/2020

ଭାଗ୍ୟ ଈଶ୍ବର - ଜୀବନ ଦାସ

ଛବି ରାଣୀ ପତି 

ଦଲକାଏ ପବନରେ...ଯେଉଁଠି ଦୋହଲି ଯାଏ ଜୀବନ, ସେଠି ଝଡ ବାତ୍ୟା , ମହାବାତ୍ୟାରେ ..! ଦରଫୁଟା ଓଠରେ ଚେନାଏ ହସ ଦେଖି ପଚାରିଲା ଝିଅ..... "ମାଆ ! ତୁ' କଣ ସତରେ ହସୁଛୁ ?" ନିଜ ଆଖିକୁ ଵିଶ୍ଵାସ କରି ପାରୁ ନ ଥିଲା ଅନିତା । ମା' କହିଲେ "ହଁରେ ମା .... ମୁଁ ବି ଗୋଟେ ହାଡ଼-ମାଂସ-ରକ୍ତରେ ଗଢ଼ା ସାଧାରଣ ମଣିଷଟିଏ ।ମୋ' ଭିତରେ ବି ସ୍ନେହ, ପ୍ରେମ , ମାୟା , ମୋହ , ରାଗ , ଅଭିମାନ ସବୁ ଭରି ରହିଛି । ପ୍ରତିକ୍ରିୟା ହେବନି କିପରି ?" ଅନିତା ଖୁସିରେ ମାଆକୁ କୁଣ୍ଢାଇ କାନ୍ଦି ପକାଇଲା । ମୋ' ମାଆ ଆଜି ହସିଛି ; "ମୋ' ମାଆ ଆଜି କଥା ହେଉଛି ..." ପାଗଳ ପରି ଚିତ୍କାର କରି ଘର ସାରା ବୁଲି ଗଲା । ଯାଇଁ , କାଳିଆ ପାଖରେ କୃତଜ୍ଞତାରେ ମୁଣ୍ଡିଆଟେ ମାରିଲା ମା' ସବିତ୍ରୀଙ୍କ ଲାଗି । ଆଉ ଭାବି ଗଲା କେତେ କ'ଣ....


     ମାମୁଁ ଘରକୁ ଆସିବା କେତେ ବର୍ଷ ହୋଇ ଗଲାଣି ୟା' ଭିତରେ । ଏତେ ବି ନ ଥିଲି ଛୋଟ । ସବୁ ମନେ ଅଛି ମୋର । ସେତେବେଳେ ଏତିକି ବୁଝି ଥିଲି ଯେ , ମୋ' ମାଆ ସେ ଘରର ଗୋଟେ ଅଲୋଡ଼ା ବସ୍ତୁଟିଏ ପାଲଟି ଯାଇଥିଲା । ଘରର ଦରଜା କଣରେ ଆଉଜା ହୋଇ ରହୁଥିବା ଗୋଟେ ଛାଞ୍ଚୁଣୀ ମାତ୍ର । ଯାହାର ଆବଶ୍ୟକ ପଡେ କେବଳ ଘରର ଅଳିଆ ଆବର୍ଜନାକୁ ଏକାଠି କରି ବାହାର କରିବା । ଆଉ କାମ ସରି ଗଲେ ପୁଣି ଘର କଣରେ ଲୁଚି ରହିବା । ତା'ର ମୂଲ୍ୟ ବୁଝିକି ବି ଅବୁଝା ଆମେ ।ସେଥିପାଇଁ ସେ ସ୍ଥିର କରିଛି ... ସେ କାହା ଘର କବାଟ କଣର ଛାଞ୍ଚୁଣୀ ମୁଠାଟେ ସଜାଇବନି ନିଜକୁ । ସ୍ୱାଭିମାନର ସହ ବଞ୍ଚିବ । ଡରିବନି ,ସମାଜର ଅନ୍ଧ କୁସଂସ୍କାରୀର ନାଲି ଆଖିକୁ । ଛଡାଇ ଆଣିବ ନିଜ ଅଧିକାର ଆଉ ଆତ୍ମା ମର୍ଯ୍ୟାଦାର ସହ ସାମ୍ନା କରିବ ସବୁ ପରିସ୍ଥିତିକୁ । ନିରବରେ ସବୁ ସହିବନି କି ଏକା ଏକା ଢାଳିବନି ଲୁହ.... ନିଜ କପାଳକୁ ନିନ୍ଦି ।

    ଅନିତାର ମାଆ  ସବିତ୍ରୀ ଦେବୀ ସବୁଥିରେ ନିପୁଣ , ନିଖୁଣ । ମାତ୍ର ଭାଗ୍ୟର ବିଡ଼ମ୍ବନାରୁ ଟିକେ ଅସୁନ୍ଦର କାଳି । ଆଜ୍ଞାକାରୀ ପୁତ୍ର ପରି ବାହା ହୋଇ ଯାଇଥିଲେ (ବାପା) ରାଜେଶ ବାବୁ । ତା' ପୂର୍ବରୁ ଥରେ ହେଲେ ଦେଖିବାକୁ ଇଚ୍ଛା କରି ନ ଥିଲେ ଯେ ସେ କାହାକୁ ବାହା ହେବାକୁ ଯାଉଛନ୍ତି । ତାଙ୍କର ଏହି ନମ୍ର , ଭଦ୍ର ସ୍ୱଭାବ ନେଇ ସେ ସେତେବେଳେ ବେଶ୍‌ ଆଦୃତ ହୋଇ ଯାଇଥିଲେ ଦୁଇ ପରିବାରରେ । ଏକବିଂଶ ଶତାଦ୍ଦୀରେ ସେ ଯେମିତି ଥିଲେ ଗୋଟେ...। ବାହାଘର ହୋଇ ଗଲା ଯଥା ରୀତିରେ । ବର୍ଷକ ପରେ ହୋଇଗଲା ଅନିତାର ଜନ୍ମ। ତା'ପରେ ଗଡ଼ିଲା .... କାଳଚକ୍ରର ବିଚିତ୍ର ଲୀଳା । ଛକ-ବଜାର , ରେଷ୍ଟୁରାଣ୍ଟ ,ସପିଙ୍ଗମଲ ସବୁଠି ଦେଖାଗଲା ରାଜେଶ ବାବୁଙ୍କର ଭିନ୍ନ ଭିନ୍ନ ରୂପ । ମେନକା, ଉର୍ବଶୀ ମାନେ ଯେମିତି ହୋଇ ଯାଇଥିଲେ , ତାଙ୍କ ଚିର ସହଚରୀ । ରାତି ଅଧରେ ଫେରୁ ଥିଲେ ଘରକୁ ମହୁଲି ନିଶାରେ ।କେହି କିଛି କହିଲେ ... କରୁଥିଲେ ଗାଳି ଗୁଳଜ, ମାରପିଟ୍‌ । ଆଉ ରାତି ପହି ଗଲେ...... ଯାହାକୁ ସେଇଆ ।ଏମିତି ଜୀବନଚର୍ଯ୍ୟା ଭିତରେ  ଦିନେ ମାଆ, ଝିଅଙ୍କୁ ନେଇ ଛାଡି ଆସନ୍ତି ଅନିତାର ମାମୁଁ ଘରେ ।ସେଇଦିନଠୁ ମାଆ, ସାବିତ୍ରୀ ଦେବୀ ପାଷାଣ ପରି ମୂକ ପାଲଟି ଯାଇଥିଲେ । ଆଜି ଏତେ ବର୍ଷ ପରେ ନିଜ ଝିଅକୁ ସ୍ୱାବଲମ୍ବୀ ଭାବେ ନିଜ ଗୋଡ଼ରେ ଠିଆ ହେବାର ଦେଖି ..... ମାଆ ସାବିତ୍ରୀ ଦେବୀ ପାଷାଣୀରୁ ଅହଲ୍ୟାରେ ରୂପାନ୍ତରିତ ହୋଇ ଯାଇଛନ୍ତି । ଆଉ ତାଙ୍କର ହୋଇଛି ଯେପରି ନବ ଜନ୍ମ ।।

     ସବୁ ଦୁଃଖର ଟୋକେଇ ମୁଣ୍ଡେଇ ଭାରାକ୍ରାନ୍ତ ହୋଇ ପଡ଼ିଛନ୍ତି  । କହି ହେଉନି କି ସହି ହେଉନି । ଦୁଃଖରେ ନାହିଁ କମା କି ଫୁଲ୍‌ଷ୍ଟପ୍‌....., ପୂର୍ଣ୍ଣଚ୍ଛେଦର ପ୍ରଶ୍ନ ଉଠୁନି । ମାନସ ମନ୍ଥନ କରେ ନିରାଟ ବାସ୍ତବତା ଭରା ଲୋକବାଣୀ - "କାହାର ଭାଗ୍ୟ ପଥର ତଳେ ତ କାହାର ଭାଗ୍ଯ ପତର ତଳେ ।" ଭାଗ୍ୟର ଅନୁକରଣକାରୀ ଜୀବନ ; ଭାଗ୍ୟ ଈଶ୍ବର ଆଉ ଜୀବନ ଦାସ ।

ମଧ୍ୟ ଶାସନ, ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।