ଭାସ୍କର ରାଉତ
🌷🙏🌷🙏🌷🙏🌷🙏🌷
ଛୋଟିଆ ଜୀବଟି ଏଇ ସଂସାରରେ
କୁଶଳୀ ବିନ୍ଧାଣୀ ସେ ତ,
ତା' ସଂସାର ଲାଗି ଘର କରେ ଜଗି
ଜାଣିଲେ ହେବୁ ଚକିତ ।।
ମରତରେ ନାହିଁ ପାତାଳରେ ନାହିଁ
ନାହିଁ ପୁଣି ସରଗରେ ,
ଏମିତି ସ୍ଥାନରେ ତା'ର ଘର କରେ
ଦୋହଲୁଥାଏ ସଂସାରେ ।।
ଖରା ବରଷାକୁ ନଥାଏ ତା' ଡର
ପ୍ରକୃତିକୁ ଚିହ୍ନି ଥାଇ ,
ବରଷାର ଦିଗ ବାରିଣ ସେ ଆଗ
ଘରକୁ ତା'ର କରଇ ।।
ବିପରୀତ ଦିଗେ ଦ୍ବାରକୁ ସେ ରଖେ
ତୃଣରେ ଘର ନିର୍ମାଣି ,
ବନ୍ୟା ବାତ୍ୟା ବେଳେ ପିଲାଛୁଆ ଧରି
ସୁଖରେ ଥାଏ ସେ ପୁଣି ।।
ବଡ଼ ବଡ଼ କୋଠା ଆଟ୍ଟାଳିକା ମାନ
ପଡୁଥାଏ ଯେବେ ଟଳି ,
ସେ ବାତାଘାତରେ ନ ହୋଇଣ କ୍ଷତି
ଖେଳୁଥାଏ ସେହି ଦୋଳି ।।
ସୁଖରେ ବିଭୋର ଦୁଃଖରେ କାତର
କେବେ ନହୁଅଇ ସେହି ,
ଜୀବନ ଯୁଦ୍ଧର ପରମ ସାକ୍ଷୀ ସେ
ତା'ର ପରି ନାହିଁ କେହି ।।
ତା'ର ପିଲାଛୁଆ ତା' ସ୍ବାମୀ ସାଥିରେ
ସୁଖରେ କରୁଛି ଘର ,
ରାଜା ଠାରୁ ବଡ଼ ପ୍ରଜା ଠାରୁ ସାନ
କାହାକୁ ନଥାଇ ଡର ।।
ଆଜି ତା'ର କୁଳ ବିପଦ ଶଙ୍କୁଳ
ବିଜ୍ଞାନୀ ମଣିଷ ପାଇଁ ,
ଏ ଧରାପୃଷ୍ଠରୁ ହଜି ଗଲେଣି ତ
ଦିଶୁଛନ୍ତି କାଇଁମାଇଁ ।।
ରଜର ସଜରେ ସଜ ହୋଇଯାଏ
ତା'ର ଘରେ ସିଏ ରହି ,
କୁଆଁରୀଙ୍କ ପରି ଦୋଳିର ସେ ମଜା
ଘରଟା ତା'ର ଝୁଲଇ ।।
ଶ୍ରାବଣ ମାସର ଝୁଲଣ ଦୋଳିରେ
ଝୁଲଇ ନନ୍ଦ ନନ୍ଦନ ,
ସେତିକି ବେଳରେ ତା' ଘର ଦୋଳିରେ
ଝୁଲଇ ତା'ର ନନ୍ଦନ ।।
କାଳିଆକୁ କହି ଯାଇଥିଲି ମୁହିଁ
ତାଳବଣ ପଟେ ବୁଲି ,
ସେଠି ଯା' ଦେଖିଲି କହିବି ବୋଲିକି
ଆସିଅଛି ମୁହିଁ ଚାଲି ।।
ବେଳ ସରିଲାଣି ସଞ୍ଜ ଆସିଲାଣି
ଫେରିଯା' ତୁହି ଚଞ୍ଚଳ ,
ଜାଳି ସଞ୍ଜବତୀ କରିବୁ ଆଳତୀ
ଲଭିବୁ ଅଲଭ୍ୟ ଫଳ ।।
କାଳିଆକୁ କହି ତା' ସୁରକ୍ଷା ପାଇଁ
କରିବୁ କିଛି ବ୍ୟବସ୍ଥା ,
ସମୟ ଆସୁଛି ତା' ବଂଶ ବୁଡିଲେ
ଭୋଗିବ ବହୁ ଅବସ୍ଥା ।।
ଦେବମାୟା ଭବନ , ଶେରଗଡ଼ ,ଗଞ୍ଜାମ
📱୯୭୭୬୪୮୬୬୨
🕉️🕉️🕉️🕉️🕉️🕉️🕉️🕉️🕉️
🌷🙏🌷🙏🌷🙏🌷🙏🌷
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।