ଗୀତା ଦାସ

ଆସିଗଲେ ଆଜ ଦିନର ତାରିଖ
ଅକ୍ଟୋବର ଅଣତ୍ରିଶ
କୋଡ଼ିଏ ବରଷୁ ଭୟ ଆଶଙ୍କାରେ
ଲାଗଇ ହା' ହୁତାଶ ।
ଥରି ଉଠେ ଛାତି ଆକୁଳ ବିକଳେ
ଭୀତତ୍ରସ୍ତ ହୁଏ ପ୍ରାଣ
ମନେ ପ୍ରତିଭାତ କ୍ରୁର ପ୍ରତିଛବି
ସେଇ ମହାବାତ୍ୟା ଦିନ ।
ଆସିଲା ସତେକି ଦାନବ ପରାୟେ
ମହାଘୋର ରଡ଼ି ଦେଇ
ଘରଦ୍ୱାର - ଗଛଲତା - ଜୀବଜନ୍ତୁ
ଧ୍ବଂସ କଲା ତଡ଼ି ନେଇ ।
ସମୁଦ୍ରର ଜଳରାଶି
ଉତ୍ଶୃଙ୍ଖଳ ହେଲା କୂଳ ଲଙ୍ଘିଗଲା
ଗ୍ରାମ ଓ ସହରେ ପଶି ।
ଆସିଲା ନାଶିଲା ନିର୍ଜୀବ ଜଗତ
ଗଲାବେଳେ ନେଲା ଜୀବେ
ଟାଣି ନେଇଗଲା ତା' ଗର୍ଭପୁରୀକୁ
ସମନ ସମ ସ୍ବଭାବେ ।
ଧ୍ବସ୍ତ ବିଧ୍ବସ୍ତ ହୋଇଲା ସକଳ
ପ୍ରାଣୀକୁଳ ହେଲେ ନଷ୍ଟ
ଶରୀରର ସାଥେ ମାନସିକ କ୍ଷେତେ
ପାଇଲେ ଅତୀବ କଷ୍ଟ ।
ଘରଦ୍ୱାର ଆସବାବପତ୍ର ଗଲା
ସହିବ ସିନା ହୃଦୟ
ପ୍ରିୟ ପରିଜନ ଛଡ଼ାଇଲା ପାଶୁ
କାହାର ସହିବ ଦେହ ?
ଚତୁର୍ଦ୍ଦିଗେ ଅସହାୟ ହା'ହା'କାର
ଶବ ଗଦା କୁଢ଼କୁଢ଼
ନିର୍ମମ ଯନ୍ତ୍ରଣା ଆକୁଳ ବେଦନା
ଛାତି ହୁଏ ଧଡ଼ଧଡ଼ ।
ଆଜି ବି କାନ୍ଦଇ କା'ର ଶୂନ୍ଯ ସିନ୍ଥି
କାନ୍ଦଇ କା' ଶୂନ୍ଯ କୋଳ
କାନ୍ଦେ କା'ର ସ୍ବାମୀ ହଜିଛି ରମଣୀ
ମିଳିବ କି ଇହକାଳ ?
କ୍ରୁର ମହାବାତ୍ୟା ଗ୍ରାସି ଚ଼ାଲିଗଲା
ଅଚ଼ାନକ ସେଇ ବେଳ
ଆଉ ସେ ନ ଫେରୁ ପ୍ରକୃତି ପୃଷ୍ଠକୁ
ସାହା ହୋ'ନ୍ତୁ ଆଦିମୂଳ ।
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।