3/01/2020

କ୍ରୁର ମହାବାତ୍ୟା

         ଗୀତା ଦାସ

ଆସିଗଲେ ଆଜ ଦିନର ତାରିଖ
ଅକ୍ଟୋବର ଅଣତ୍ରିଶ
କୋଡ଼ିଏ ବରଷୁ ଭୟ ଆଶଙ୍କାରେ
ଲାଗଇ ହା' ହୁତାଶ ।


ଥରି ଉଠେ ଛାତି ଆକୁଳ ବିକଳେ

ଭୀତତ୍ରସ୍ତ ହୁଏ ପ୍ରାଣ
ମନେ ପ୍ରତିଭାତ କ୍ରୁର ପ୍ରତିଛବି
ସେଇ ମହାବାତ୍ୟା ଦିନ । 

ଆସିଲା ସତେକି ଦାନବ ପରାୟେ

ମହାଘୋର ରଡ଼ି ଦେଇ
ଘରଦ୍ୱାର - ଗଛଲତା - ଜୀବଜନ୍ତୁ 
ଧ୍ବଂସ କଲା ତଡ଼ି ନେଇ । 
                                         
ତା' ସହିତେ ମିଶି ତାଣ୍ଡବ ରଚିଲା
ସମୁଦ୍ରର ଜଳରାଶି
ଉତ୍‌ଶୃଙ୍ଖଳ ହେଲା କୂଳ ଲଙ୍ଘିଗଲା
ଗ୍ରାମ ଓ ସହରେ ପଶି ।

ଆସିଲା ନାଶିଲା ନିର୍ଜୀବ ଜଗତ

ଗଲାବେଳେ ନେଲା ଜୀବେ
ଟାଣି ନେଇଗଲା ତା' ଗର୍ଭପୁରୀକୁ
ସମନ ସମ ସ୍ବଭାବେ ।

ଧ୍ବସ୍ତ ବିଧ୍ବସ୍ତ ହୋଇଲା ସକଳ 

ପ୍ରାଣୀକୁଳ ହେଲେ ନଷ୍ଟ 
ଶରୀରର ସାଥେ ମାନସିକ କ୍ଷେତେ
ପାଇଲେ ଅତୀବ କଷ୍ଟ ।


ଘରଦ୍ୱାର ଆସବାବପତ୍ର ଗଲା
ସହିବ ସିନା ହୃଦୟ
ପ୍ରିୟ ପରିଜନ ଛଡ଼ାଇଲା ପାଶୁ
କାହାର ସହିବ ଦେହ ?

ଚତୁର୍ଦ୍ଦିଗେ ଅସହାୟ ହା'ହା'କାର

ଶବ ଗଦା କୁଢ଼କୁଢ଼
ନିର୍ମମ ଯନ୍ତ୍ରଣା ଆକୁଳ ବେଦନା
ଛାତି ହୁଏ ଧଡ଼ଧଡ଼ ।

ଆଜି ବି କାନ୍ଦଇ କା'ର ଶୂନ୍ଯ ସିନ୍ଥି

କାନ୍ଦଇ କା' ଶୂନ୍ଯ କୋଳ
କାନ୍ଦେ କା'ର ସ୍ବାମୀ ହଜିଛି ରମଣୀ
ମିଳିବ କି ଇହକାଳ ?

କ୍ରୁର ମହାବାତ୍ୟା ଗ୍ରାସି ଚ଼ାଲିଗଲା

ଅଚ଼ାନକ ସେଇ ବେଳ
ଆଉ ସେ ନ ଫେରୁ ପ୍ରକୃତି ପୃଷ୍ଠକୁ
ସାହା ହୋ'ନ୍ତୁ ଆଦିମୂଳ ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।