ପ୍ରେମଶୀଲା ରାଉତ
ଭଗବାନଙ୍କ ସୃଷ୍ଟିରେ ଏ ପ୍ରାଣୀ ଜଗତରେ ମନୁଷ୍ୟ ହେଉଛି ଶ୍ରେଷ୍ଠ ପ୍ରାଣୀ ।ପ୍ରତ୍ୟେକ ପ୍ରାଣୀଙ୍କ ପାଖରେ ମାନବିକତା ଗୁଣ ରହିବା ଆବଶ୍ୟକ । ଏ ମାନବିକତା ଗୁଣ ହେଉଛି ସବୁଠାରୁ ମହାନ୍ । ଯେଉଁ ବ୍ୟକ୍ତି ନିକଟରେ ମାନବିକତା ଗୁଣ ରହିଛି ସେ ମହାନ ,ସେ ଚିର ନମସ୍ୟ , ପୂଜ୍ୟ ; ସମାଜରେ ତା ସ୍ଥାନ ବହୁତ ଉଚ୍ଚରେ ।
ଏ ସମାଜରେ ମାନବିକତା ଗୋଟିଏ ଛୋଟିଆ ଶବ୍ଦ । ତେବେ ଏ ଛୋଟ ଶବ୍ଦର ମହତ୍ତ୍ଵ ଏତେ ବେଶି ଯେ ତାହାର ସଜ୍ଞା ନିରୁପଣ କରିବା କଷ୍ଟକର ।ସଭ୍ୟତା ଓ ମାନବ ଜାତିର ବିକାଶ ନିମନ୍ତେ ଏକ ମୂଳ ତତ୍ତ୍ଵ ହେଉଛି ମାନବିକତା । ଅଧିକାଂଶ ପ୍ରଗତିଶୀଳ ବ୍ୟକ୍ତି, ଦେଶ , ରାଜ୍ୟ ସମାଜ ସବୁବେଳେ ଉଚ୍ଚ ମାନବିକ ମୂଲ୍ୟବୋଧ ଗ୍ରହଣ କରିଥା'ନ୍ତି । ଆମେ ପଛକୁ ଫେରି ଚାହିଁ ଦେଖିବା ଆମ ସମାଜ ସେତେ ଜଟିଳ ନଥିଲା । ମଣିଷଙ୍କର ଭିତରେ ପାତର ଅନ୍ତର , ଭେଦଭାବ କିଛି ନଥିଲା । ଲୋକଙ୍କର ଭିତରେ ସେତେ ପରିମାଣରେ ଛନ୍ଦ କପଟ, ହିଂସା ଗର୍ବ ମିଥ୍ୟା ଭାବ ନଥିଲା । ଅଧିକାଂଶ ସରଳ ଜୀବନଯାପନ କରୁଥିଲେ । ସେମାନଙ୍କ ମଧ୍ୟରେ ସଂପର୍କର ବନ୍ଧନ ଥିଲା ଦୃଢ ଓ ମଧୁର । ସେମାନେ ପରସ୍ପରର ସୁଖ ଦୁଃଖରେ ଭାଗି ହେଉଥିଲେ । ସେ ସମୟରେ ସଂପର୍କକୁ ଲୋକମାନେ ବେଶ୍ ଗୁରୁତ୍ୱ ଦେଉଥିଲେ । ନିକଟ ସଂପର୍କୀୟ ହୁଅନ୍ତୁ ବା ଦୂର ସଂପର୍କୀୟ , ଅନ୍ୟ କେହି ହୁଅନ୍ତୁ ସମସ୍ତଙ୍କ ଅଭାବ ଅସୁବିଧା ସମୟରେ ତାଙ୍କ ପାଖରେ ଠିଆ ହୁଅନ୍ତି ଓ ସମବେଦନା ଜଣାନ୍ତି । ନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରନ୍ତି । ମନୁଷ୍ୟର ଏହି ପ୍ରକୃତିକୁ ହିଁ ମାନବିକତା କୁହାଯାଏ ।ଆଉ ଏହି ମାନବିକତା ର ମହତ୍ତ୍ଵ ସମସ୍ତେ ଅଳ୍ପ ବହୁତ ଜାଣିଥିଲେ ବୁଝିଥିଲେ । ଆବଶ୍ୟକ ସମୟରେ ମାନବିକତାର ମହତ୍ତ୍ଵ ମଧ୍ୟ ପ୍ରତିପାଦନ କରୁଥିଲେ । ସମୟ ସହିତ ଆମେ ଯେତେବେଳେ ତାଳ ଦେଇ ସରଳ ଜୀବନଯାପନ ଠାରୁ ଆଧୁନିକ ଅତ୍ୟାଧୁନିକ ଜୀବନଶୈଳୀ ଆଡକୁ ଅଗ୍ରଗତି ହେଉଛେ ଆମ ଭିତରେ ମାନବିକତା ସେତେ ସେତେ କମି କମି ଯାଉଛି । ଯିଏ ଯେତିକି ଉପରକୁ ଉଠିଛନ୍ତି ମାନବିକତା ରୂପକ ମହତ୍ତ୍ଵ ନାମକ ସେତିକି କମିକମି ଯାଉଛି ।
ମାନବିକତା ଏକ ଏପରି ମୂଲ୍ୟବୋଧ ଯାହା ଦ୍ବାରା ବ୍ୟକ୍ତି ଅନୁପ୍ରେରିତ ହେଲେ ସମାଜର ଉନ୍ନତି ଚିନ୍ତା କରିଥାଏ । ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥାଏ । ମନୁଷ୍ୟ ପାଖରେ ମାନବିକତା ଗୁଣ ନଥିଲେ କିଛି ବି ସମ୍ଭବ ହୁଏ ନାହିଁ । ଏହି ମାନବିକତା ଆଗକୁ ଯିବାକୁ ପ୍ରରଣା ଯୋଗାଇଥାଏ ଓ ଏହି ମୂଲ୍ୟବୋଧଟି ମନୁଷ୍ୟଙ୍କ ଭିତରେ ନଥିଲେ ସମାଜର ବିକାଶ ଆଣିବା ସହଜ ନୁହେଁ । ମାନବିକତାକୁ ବାଦ୍ ଦେଇ ସମାଜର ମଙ୍ଗଳ ଚିନ୍ତା କରାଯାଇ ନପାରେ । ମଣିଷ ଙ୍କ ଭିତରେ ମାନବିକତା ଗୁଣ ଥିଲେ ଭଲ କାମ କରିବାକୁ ବ୍ରତୀ ହୋଇଥାଏ । ଆମର ଛୋଟ ଛୋଟ ଭଲ କାମ ସମାଜରେ ପରିବର୍ତ୍ତନ ଆଣି ଖୁସିର ମାହଲ ସୃଷ୍ଟି କରିଥାଏ । ଅନ୍ୟର ଦୁଃଖ ସମୟରେ ସାହା ହେବା , ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରିବା , ତା'ଠାରେ ସମବେଦନା ଜଣାଇବା , କିଛି ଭେଦଭାବ ନ ରଖି ଭାଇଚାରା ବଜାୟ ରଖିବା , ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମଭାବ ସ୍ନେହ ଭାବ , କ୍ଷମାଭାବକୁ ସର୍ବଦା ସ୍ଥାନ ଦେବା । ସମସ୍ତେ ମାନବିକତାକୁ ସବୁବେଳେ ହୃଦୟରେ ଆଲିଙ୍ଗନ କଲେ ଶାନ୍ତିରେ ଜୀବନ ଅତିବାହିତ କରିପାରିବେ ।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବସବାସ କରି ସମାଜର ରୀତିନୀତି ,ଚାଲିଚଲଣିକୁ ଆଖି ଆଗରେ ରଖି ଜୀବନ ଅତିବାହିତ କରେ । ଏ ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରିଥା'ନ୍ତି । କେହି ଭଲ ତ କେହି ଖରାପ । କେହି କାହାକୁ ନିନ୍ଦା ଅପମାନ କଷ୍ଟ ଦିଏ ତ କିଏ ସ୍ନେହ ଆଦର କରି ସୁଖ ଦୁଃଖରେ , ଅଭାବ ଅସୁବିଧା ସମୟରେ ପାଖରେ ଠିଆ ହୋଇ ସମବେଦନା ଜଣାଏ , ଆଶ୍ଵାସନା ଦିଏ । ଯେଉଁ ଲୋକ ମାନଙ୍କ ପାଖରେ ମାନବିକତା ଥାଏ ସେମାନଙ୍କୁ ଯେତେ ଗାଳି ନିନ୍ଦା , ଅପମାନ , ପରିହାସ କଲେ ମଧ୍ୟ ତା'ର କିଛି ବି କ୍ଷତି ହୁଏନାହିଁ କି କିଛି ଅସୁବିଧା ହୁଏନାହିଁ କାରଣ ସେ ସର୍ବଦା ମହାନ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଥାଏ ଲୋକଙ୍କ ସେବାରେ , ଲୋକଙ୍କୁ ସାହାଯ୍ୟ କରି ଆଖିରୁ ଲୁହ ପୋଛି ଓଠରେ ହସ ଦିଏ । ସେହିଭଳି ଲୋକ ନିଜକୁ ମାନବର ପରିଚୟ ଦେଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏପରି ଲୋକମାନଙ୍କର ଭାବନା , ଚାନ୍ତାଧାରା ଓ କାମ ଏକ ହୋଇଥାଏ । ସେଥିପାଇଁ ସବୁବେଳେ ଏମାନେ ହସଖୁସିରେ ସୁଖଶାନ୍ତିରେ ରହିଥା'ନ୍ତି । ସମୁଦ୍ରରେ ଯଦି କେହି ଦୁଇ ଟୋପା ମଇଳା ପାଣି ପକାଇଦେଲେ ସମୁଦ୍ରର ପାଣି ଦୂଷିତ ହେବନାହିଁ , ସେ ପାଣି ସର୍ବଦା ପବିତ୍ର ହୋଇ ରହିଥିବ । ଠିକ୍ ସେମିତି ଜଣେ ମାନଵିକତା ଲୋକକୁ ଯେତେ ବି ନିନ୍ଦା ଅପମାନ ଗାଳି ମାଡ ଦେଲେ ବି ତା'ର ଚରିତ୍ରରେ କିଛି କଳଙ୍କ ଲାଗିବନି କି ତା'ର କିଛି ଅସୁବିଧା ହେବନାହିଁ । ସେ ଅପମାନ , ନିନ୍ଦାକୁ ପରିତ୍ୟାଗ କରି ତାକୁ ଗ୍ରହଣ ନକରି ସୁଖମୟ ଜୀବନ ଯାପନ କରିପାରିବ । ଶାନ୍ତିରେ ସବୁବେଳେ ପବିତ୍ର ମନରେ ଜୀବନଟିକୁ ସାଙ୍ଗରେ ରଙ୍ଗେଇ ସାତ ସୂରେ ଗାଇ ହସଖୁସିରେ ବିତେଇବ । ଏପରି ଲୋକ ହିଁ ମାନବିକତାର ଗୋଟିଏ ଉଜ୍ଜ୍ୱଳ ପରିଚୟ ଅଟେ । ମାନବିକତା ପ୍ରତ୍ୟେକଟି ହୃଦୟରେ ରହିବା ନିହାତି ଆବଶ୍ୟକ ।ମାନବିକତା ବିନା ଏ ସାମାଜ ମୂଲ୍ୟହୀନ ଆଉ ସ୍ଵାଦହୀନ ।
ଗ୍ରାମ- ବୃନ୍ଦାବାହାଲ
ବ୍ଲକ-ଗୋଲାମୁଣ୍ଡାଜିଲ୍ଲା- କଳାହାଣ୍ଡି
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।