3/01/2020

ଅକିଞ୍ଚନ ମନ ମୋର

                                           ଅନୁପ କୁମାର ଦଳବେହେରା        
ପ୍ରାନ୍ତେ ପ୍ରାନ୍ତେ ଯା'ର ଶୁଭିଛି ଗାରିମା                           
ବଢିଛି ପ୍ରୀତିର ନିଶା
ଭାଷା ଧ୍ଵଜା ଯା'ର ଉଡେ ଫରଫର
ସେହି ମୋ ଓଡିଆ ଭାଷା।


ଗଙ୍ଗା ଠାରୁ ଦେଖ ଗୋଦାବରୀ ଯାଏ
ବିସ୍ତାର ରାଇଜ ତା'ର
ମୋହଭଙ୍ଗ କାହିଁ ହୁଏ ଏ ମନରୁ
ଅଟେ ସେ ଏତେ ମଧୁର।
ଲାଗେ କିମ୍ପା ଆଜି କବଳିତ କରି
ରଖିଛି ପାଶ୍ଚାତ୍ୟ ମୋହ
ବୋଉକୁ ଛାଡି ମୁଁ ମମି ପଛେ ଧାଏଁ
କେ'କହିବ ରହ ରହ।
ପେଟ ଭୋକ ଲାଗି ମୁହଁ ତେଢାମେଢା
ହଜିଲା ସୋନ୍ଦର୍ଯ୍ୟ ବର୍ଣ୍ଣ
ଅବହେଳା ଆଜି ମାତୃଭାଷା ପ୍ରେମ
ଥିଲା ଦିନେ ପରିପୂର୍ଣ୍ଣ।
ନାହିଁ ବୁଢି ମାଆ ଶୁଣିକି ଶିଖିବ
ଗପରେ ଭାଷାକୁ ଛୁଆ
ସୁଉଚ୍ଚ ଶିକ୍ଷିତ ଯେବେଠାରୁ ମାମା
ସେବେଠୁ ଇଂରାଜୀ ଥୁଆ।
ନାମ ଫଳକରେ, କାଗଜ ପତ୍ରରେ
ଭାଷାର ଦିବସ ପାଳ
ଦୁଃଖେ ଜର୍ଜରିତ ଆଉ ମର୍ମାହତ
ନାହିଁ କେହି ଜଗୁଆଳ।
ଉଠି ଦେଖ ଥରେ ସ୍ୱନେତ୍ରେ ତୋହର
ମୋ ଭାଷା ଗାରିମା କେତେ
ମିଛ ସପନରେ ନିଜକୁ ହଜାଇ
ଖୋଜି କି ପାଇବୁ ତୋତେ?
ମାତୃଭାଷା ଜ୍ଞାନ କାହିଁ ଅବା ମୋର
ବଖାଣି ପାରିବି କିଛି
ମୁଁ ଛାର ବାଳୁତ ଭାଷା ଦରବାରେ
ଅକିଞ୍ଚନେ ବସିଅଛି।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।