3/01/2020

ମୁଁ କିଏ ?

ମଧୁସ୍ମିତା ନାୟକ 


,
ପ୍ରଚ୍ଛଦପଟ ଚ଼ରିତ୍ରଟେ ହୋଇ
ରହିଗଲି ତୁମ ପାଇଁ ,
ପରିଚୟ ମୋର ମତେ ବି ଅଜଣା
ଡର ଲାଗେ ନିଜ ଛାଇ ।୧
*****************
ସଜେଇ ନିଜକୁ ପାଷାଣୀ ଅହଲ୍ୟା
ଖୁସିରେ ପାରୁଛି ଜୀଇଁ ,
ଦୁନିଆ ଆଖିରେ ଅଭିଶପ୍ତା ହେଇ
ହସୁଛି ଲୁହକୁ ପିଇ ।୨
*****************
ଅନ୍ଧାରରେ ରହି ଖୋଜୁନି ଆଲୋକ
ଖୋଜେ ମରୀଚିକା ଭୂଇଁ ,
ଶାପମୁକ୍ତ ହେବା ନାହିଁ ମୋ' ଅଭୀପ୍ସା
ଖୋଜେ ମୁଁ ନିଜ କୋକେଇ ।୩
*****************
ତୁମ ପ୍ରତୀକ୍ଷାରେ ଦିନ ମୁଁ କାଟୁନି
ଅଛ ମୋ' ହୃଦୟେ ରହି ,
ଭାବିନି ମୁଁ କେବେ ସ୍ବାର୍ଥପରଟିଏ
ଠକି ଦେଲା କଥା ଦେଇ। ୪
*****************
ତୁମ ଖୁସି ଦେଖି ହସିବି ମୁଁ ନିତି
ତୁମେ ପାର ଭୁଲିଯାଇ ,
ଅଲୋଡା ନାରୀ ମୁଁ ସବୁରି ନଜରେ
ପରିଚୟ ଲୋଡା ନାହିଁ ।୫
*****************
ଦୁଃଖକୁ କରିଛି ସୁହାଗ ଗହଣା
ସ୍ମୃତିରେ ତୁମକୁ ପାଇ ,
ତୁମ କୋଳ ହେଉ ମୋ' ଶେଷ ବିଛଣା
ଶାନ୍ତିରେ ଯାଆନ୍ତି ଶୋଇ ।୬

🙎ଯାଜପୁର 🙎

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।