ମହାସ୍ମୀତା ଓଝା
❤🌹❤ ଜଗତସିଂହପୁର ❤🌹❤
ଜୟ ସାହିତ୍ୟ, ଜୟ ସମାଜ
ଟିପ୍ ଟିପ୍ ବର୍ଷାର ମିଠା ମିଠା କୋରସ। ଶ୍ରାବଣର ମିଠା ମିଠା ସ୍ପର୍ଶରେ ଭିଜୁଛି ମାଟିର ଶୁଷ୍କ ଦେହ। କେମିତି ଗୋଟେ ଭିଜା ଭିଜା ବାସ୍ନାରେ ଏ ପୃଥିବୀ ବାସ୍ନାମୟ ହୋଇ ଯାଉଛି।ସତେକି ସେ ବାସ୍ନାରେ ମୁଁ ପାଗଳ ହୋଇଯିବି । ସକାଳ ପ୍ରହରୁ ଝରୁଛି ବର୍ଷା, ନାଁ ଗତି ବଢୁଛି, ନାଁ ଥମିବାର କିଛି ସୂଚନା ମିଳୁଛି। ସୂର୍ଯ୍ୟାଲୋକରେ ବର୍ଷାର ଝରା ଝରା ସ୍ପର୍ଶ।ମାଟି ଭଳି ମୁଁ ବି ଭିଜୁଥିଲି ପବନ ଓ ବର୍ଷାର ମିଠା ମହକରେ । ଗଛ ଓ ପତ୍ରଙ୍କୁ ଛୁଇଁ ଛୁଇଁ ଝରୁଥିଲା ବର୍ଷା l ମନେ ପଡୁଥିଲ, ତମେ ଏବଂ ମନେ ପଡୁଥିଲା କଲେଜ୍ ବେଳର ବର୍ଷା। କେତେ ଭିଜୁଥିଲେ ଆମେ।ସତରେ କେତେ ଭଲ ଲାଗୁଥିଲା ବର୍ଷାର ନୀଳ ଶାଢୀ ର ମୁକ୍ତ ଅଞ୍ଚଳ।କେବଳ ଆମେ ନୁହେଁ, ଭିଜୁଥିଲା, ମାଟି,ଗଛ,ପତ୍ର ଓ କଦମ୍ବର ପ୍ରତ୍ୟେକଟି ପାଖୁଡ଼ା।ଅଳକାର ସୁପ୍ତ ବାଲି ବି ବାଦ୍ ଯାଉ ନଥିଲା । ସତରେ ଗୋଟେ ମୁଗ୍ଧ ସଙ୍ଗୀତ ଗାଉଥିଲା ବର୍ଷା । ଆଉ ପାଗଳ କରୁଥିଲା ଆମ ଭଳି ଅନେକଙ୍କୁ । ଉଡି ବୁଲୁଥିଲେ କଙ୍କି,ପ୍ରଜାପତି ସବୁ, ବର୍ଷାର ନୀଳ ବିନ୍ଦୁ କିନ୍ତୁ ଭିଜଉ ଥିଲା ସେମାନଙ୍କ ଡେଣାକୁ। ମେଘ ମଲ୍ଲାରର ଗୀତକୁ ମୁଁ ଗୁଣୁ ଗୁଣୁ ଉଚ୍ଚାରଣ କରୁଥିଲି । ତମେ କିନ୍ତୁ ବର୍ଷାର ନିବିଡ ଆଶ୍ବାସରେ ଭିଜୁଥିଲ ମନଭରି । ସତେ ଯେମିତି ବର୍ଷା ମୋ ସାଙ୍ଗରେ ପ୍ରତିଯୋଗିତା କରୁଥିଲା, ତମକୁ ମୋ ଠାରୁ ବେଶୀ ଛୁଇଁ ବାକୁ।ବର୍ଷାର କାଉଁରୀ ପରଶରେ ତମେ ଆନମନା ହୋଇ ଯାଉଥିଲ, ତା' ନୀଳ ଆଖିର ପଲକ ରେ ତମେ ହଜି ଯାଉଥିଲ ବେଶୀ ବେଶୀ।ବର୍ଷା ଓ ତମ ଭିଜାପଣକୁ ମୁଁ କିନ୍ତୁ ସହି ପାରୁ ନଥିଲି । କେମିତି ବର୍ଷାକୁ ମନେ ମନେ ଇର୍ଷା କରିବା ଆରମ୍ଭ କରି ଦେଇଥିଲି। ବେଳେ ବେଳେ ଭାବୁଥିଲି ବର୍ଷା ତା ଭିଜା ଭିଜା ପଣରେ କାଳେ ତମ ଠାରୁ ମତେ ଅଲଗା କରି ଦେବନି ତ। ସତରେ ଏଇ ଶ୍ରାବଣର ବର୍ଷା ତମ ଠାରୁ ମତେ ଦୂରେଇ ଦେଇଥିଲା । ସତରେ ତମ ଆକାଶରେ କ'ଣ ଏମିତି ବର୍ଷା ଝରେ। ତମେ ଗଲା ପର ଠାରୁ ମୁଁ ଘୃଣା କରିଛି ବର୍ଷାକୁ, ବର୍ଷା ଚାହିଁଲେ ବି ଭିଜେଇ ପାରିନି ମତେ ।
ମୁଁ ସତରେ ଯୋଗିନୀ ପାଲଟି ଯାଇଛି।ଗୋଟେ ଅଜବ୍ ଜିଦିରେ କେବେବି ଭିଜିନି ବର୍ଷାରେ । ତମେ କହୁନ ଯେ ନୀଳ ଆଖିର କାଉଁରୀ ମାୟାରେ ଭୁଲାଇ ପାରେ ମୋ' ପ୍ରେମ ଓ ପ୍ରେମିକକୁ ତାକୁ ମୁୁଁ କେମିତି ସହିବି । ତଥାପି ଏ ବୟସର ମଧ୍ୟାହ୍ନରେ ଏ ଶ୍ରାବଣର ବର୍ଷା ବହୁତ ଆପଣାର ଲାଗୁଛି, ଇଛ୍ଛୂ ହେଉଛି ଭିଜି ଯା'ନ୍ତି କି ମୋ' ଦେହର ଭିଜା ବାସ୍ନା ସଞ୍ଚରି ଯା'ନ୍ତା କି ତମ ଦେହ ଯାଏଁ । ଏବେ ବି ବାହାରେ ଶ୍ରାବଣର ଘମାଘୋଟ ବର୍ଷା, ବର୍ଷାରେ ଭିଜୁଛି ସାରା ସହର । ବଦଳି ଯାଉଛି ସହରର ନକ୍ସା । ହେଲେ ମୁଁ କାହିଁକି ସ୍ଥିର ହୋଇ ଶୋଇ ପାରୁନି ଆଦିତ୍ୟ । ଏମିତି ଆଦିତ୍ୟଙ୍କ ଅନାମିକା ଭଳି ଅନେକ୍ ନିଶ୍ଚିନ୍ତରେ ନିଦ୍ରା ଦେବୀ କୋଳରେ ଶୋଇ ଗଲେଣି, ହେଲେ ମୁଁ କାହିଁ ପାରୁନି ମୁଁ କ'ଣ ଏ ସୃଷ୍ଟିର ଏକ ବ୍ୟତିକ୍ରମ । ବର୍ଷାର ଲୋଭନୀୟ ,କମନୀୟ ଅନୁରାଗ ପରଶରେ ସମସ୍ତେ ବିଭୋର୍। ମଧୁ ମଧୁ ବର୍ଷାରେ ସାରା ରାତି ,ସାରା ଋତୁ ଭିଜୁଛି ହେଲେ ମୋର ଏ ଯୋଗିନୀ ବେଶ କାହା ପାଇଁ ଆଦିତ୍ୟ।ତମ ପାଇଁ ଏ ପୃଥିବୀରେ ଧସେଇ ପଶି ଆସେ ଫଗୁଣ, ଶ୍ରାବଣର ପ୍ରୀତି ରଙ୍ଗ । ହେଲେ ଯେଉଁ ଠାରେ ତମେ ନାହଁ ସେ ପୃଥିବୀରେ କେଉଁ ଋତୁ ଓ କେଉଁ ମାସ ହୋଇଥିବ ଥରେ ଅନୁଭବ କରି ପାରୁଛ। କାହିଁକି ଆଜି ଋତୁମାନେ ରଙ୍ଗହୀନ ଲାଗନ୍ତି। କାହିଁକି ମାସ ଓ ବର୍ଷ ସବୁ ଖାପ୍ ଛଡା ଲାଗନ୍ତି। ଏ ଶ୍ରାବଣର ବର୍ଷାରେ, ଗଛ, ପତ୍ର, ଫୁଲ, ରାସ୍ତାଘାଟ ଭିଜୁଥିବା ବେଳେ ମୁଁ କାହିଁକି ଭିଜି ପାରୁନି ତା' ମିଠା ସ୍ପର୍ଶରେ ନାଁ ଆପଣାର କରି ପାରୁନି ଆଗଭଳି ତାକୁ। ନିଦାଘ ବୈଶାଖ ଭଳି ଜଳୁଛି ଜୀବନ ଯାକ, ଥମୁନି ବୈଶାଖର ତାତି। ଜାଣେନା କେତେ
ଦିନ ଯାଏଁ ଏମିତି ଜଳିବି ବୈଶାଖର ଉତ୍ତପ୍ତ ନିଆଁରେ। ହଜି ଯାଉଛି ଜୀବନର ବଞ୍ଚିବାର ରାସ୍ତା, ମରି ଯାଉଛି ମନର ସବୁତକ ଆଶା। ତଥାପି ଏ ମରୁଭୂମିର ଜୀବନକୁ ସହିବାକୁ ପଡିବ ଓଟର କୁଜ ଭଳି।
ଜାଣେନା ତମ ସହିତ ଆଉ ଏ ଜୀବନରେ ଦେଖା ହେବ କି ନା । ଶ୍ରାବଣର ବର୍ଷା ଆମକୁ ଆଉ ଥରେ ଏକାଠି କରି ପାରିବ କି ନାଁ ଜାଣେନା , ତଥାପି କାହିଁକି ତମ ସହିତ ବର୍ଷା ରେ ଭିଜିବାର ଗୋଟେ ଅଲଗା ମିଠା ଅନୁଭବ ଥାଏ । ଏବେ ବି କଲେଜର, ବିବେକାନନ୍ଦ ଷ୍ଟ୍ୟାଚୁ, ଦେବଦାରୁ ଗଛ, ଚମ୍ପାଗଛ, କାଗଜ ଫୁଲ ମାନେ ସବୁ ବର୍ଷାରେ ଭିଜନ୍ତି, ହେଲେ କେବଳ ମୁଁ ଭିଜି ପାରେନା ବର୍ଷାର ମିଠା ସ୍ପର୍ଶରେ।ଆଉ ଥରେ ଫେରି ଆସନ୍ତନି ମୋ' ସହରକୁ ଆଗଭଳି ହାତ ଧରା ଧରି ହୋଇ ମନଭରି ଭିଜନ୍ତେ ଏ ବର୍ଷାରେ ।।
❤🌹❤ ଜଗତସିଂହପୁର ❤🌹❤
ଜୟ ସାହିତ୍ୟ, ଜୟ ସମାଜ


ଦୁଇଟି ହୃଦୟର ଅକୁହା କଥାକୁ ଅତି ନିଖୁଣ ଭାବରେ ଉପସ୍ଥାପନ ଚମତ୍କାର ଲେଖା
ReplyDeleteଚମତ୍କାର!
ReplyDelete