ଭଜରାମ ସେଠୀ

ଲୁହା ପିତଳରେ ଗଢଣି ଶରୀର
କଇଁଞ୍ଚି ନାମେ ମୁଁ ଜଣା,
କେହି କେହି ମୋତେ ଖଳନାୟକ କହେ
ହୋଇ ନାହିଁ ବାଟବଣା ।
ଚକ୍ମକ୍ କରେ ଧାରୁଆ ଦାନ୍ତ ମୋ
ପାଟି ଚିରି ମୁଁ ଦେଖାଏ,
ମଣିଷ ପାଇଁ ତ ବ୍ଯବହାର୍ଯ୍ଯ ବସ୍ତୁ
କାଟି ହିଁ ସଜାଡୁ ଥାଏ ।
ସାଥେ ସାଥେ ମୋର ମୋ' ବନ୍ଧୁ ସୂତା-ଛୁଞ୍ଚି
ଆମରି ରାଇଜ ମଜା,
ଆମରି ଲାଗି ତ ମଣିଷ ଏଇଠି
ବସ୍ତ୍ର ପରିଧାନେ ରାଜା ।
ଦରଜୀ ପାଖରେ ଆନନ୍ଦେ ମୋ' ବାସ
ମୋତେ ନେଇ କରେ ଚାଷ,
ଅମଳ ଶସ୍ଯ ତା' ପେଣ୍ଟ୍-ସାର୍ଟ୍ ଯେତେ
ଦାନାପାଣି ପାଇଁ ଆଶ ।
ବିଭିନ୍ନ ମାପର କନାକୁ କାଟଇ
ପିଲା ଠାରୁ ବୃଦ୍ଧ ଯାଏଁ,
ରାଜା ଠାରୁ ପ୍ରଜା ହୁଅନ୍ତି ସଜେଇ
ଜଗତେ ହସି ସଭିଏଁ ।
ଡାକ୍ତର ହାତରେ ରୋଗୀ ଚର୍ମ କାଟି
ସଜାଡୁ ଥାଏ ମୁଁ ଦେହ,
ଅସୁସ୍ଥ ଶରୀର ସୁସ୍ଥେ ସୁସଜ୍ଜିତ
ହସେ ଚକ୍ଷୁ ପୋଛି ଲୁହ ।
ଭଣ୍ଡାରୀ ହାତରେ କେଶ କାଟି ଦେଇ
ତା' କୁଟୁମ୍ବ ଦୁଃଖ ଦୂରେ ,
ମୋତେ ସେ ପୂଜଇ ଅତି ହରଷରେ
ଫୁଲ ଧୂପ ଦେଇ ଘରେ ।
ମୋର ଆତ୍ମ କଥା ଅଟଇ ଯେ ବ୍ଯଥା
ମୋ' ଦେହରୁ ମାଂସ ଝଡେ,
ତଥାପି କହିନି ପାଟି ଖୋଲି କେବେ
ଜଗତେ ବନ୍ଧୁ ମୁଁ ଗଢେ ।
********************************
ନିରାଳ-ଆସି
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।