3/01/2020

✂କଇଁଚି✂

ଭଜରାମ ସେଠୀ 


ଲୁହା ପିତଳରେ       ଗଢଣି ଶରୀର 
         କଇଁଞ୍ଚି ନାମେ ମୁଁ ଜଣା,
କେହି କେହି ମୋତେ   ଖଳନାୟକ କହେ
         ହୋଇ ନାହିଁ ବାଟବଣା  ।

ଚକ୍‌ମକ୍ କରେ      ଧାରୁଆ ଦାନ୍ତ ମୋ

       ପାଟି ଚିରି ମୁଁ ଦେଖାଏ,
ମଣିଷ ପାଇଁ ତ        ବ୍ଯବହାର୍ଯ୍ଯ ବସ୍ତୁ 
        କାଟି ହିଁ ସଜାଡୁ ଥାଏ  ।

 ସାଥେ ସାଥେ ମୋର ମୋ' ବନ୍ଧୁ ସୂତା-ଛୁଞ୍ଚି

            ଆମରି ରାଇଜ ମଜା,
ଆମରି ଲାଗି ତ            ମଣିଷ ଏଇଠି 
          ବସ୍ତ୍ର ପରିଧାନେ ରାଜା ।

ଦରଜୀ ପାଖରେ        ଆନନ୍ଦେ ମୋ' ବାସ

      ମୋତେ ନେଇ କରେ ଚାଷ,
ଅମଳ ଶସ୍ଯ ତା'       ପେଣ୍ଟ୍-ସାର୍ଟ୍‌ ଯେତେ 
           ଦାନାପାଣି ପାଇଁ  ଆଶ ।


ବିଭିନ୍ନ ମାପର         କନାକୁ କାଟଇ
          ପିଲା ଠାରୁ ବୃଦ୍ଧ ଯାଏଁ,
ରାଜା ଠାରୁ ପ୍ରଜା       ହୁଅନ୍ତି ସଜେଇ 
        ଜଗତେ ହସି ସଭିଏଁ  ।

ଡାକ୍ତର ହାତରେ     ରୋଗୀ ଚର୍ମ କାଟି

         ସଜାଡୁ ଥାଏ ମୁଁ ଦେହ,
ଅସୁସ୍ଥ ଶରୀର            ସୁସ୍ଥେ ସୁସଜ୍ଜିତ 
       ହସେ ଚକ୍ଷୁ ପୋଛି ଲୁହ ।

ଭଣ୍ଡାରୀ ହାତରେ      କେଶ କାଟି ଦେଇ 

         ତା' କୁଟୁମ୍ବ ଦୁଃଖ ଦୂରେ ,
ମୋତେ ସେ ପୂଜଇ     ଅତି ହରଷରେ
         ଫୁଲ ଧୂପ ଦେଇ ଘରେ ।

ମୋର ଆତ୍ମ କଥା      ଅଟଇ ଯେ ବ୍ଯଥା 

       ମୋ' ଦେହରୁ ମାଂସ ଝଡେ,
ତଥାପି କହିନି          ପାଟି ଖୋଲି କେବେ 
         ଜଗତେ ବନ୍ଧୁ ମୁଁ ଗଢେ ।
********************************
ନିରାଳ-ଆସି
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।