3/01/2020

-ଗାମୁଛା-

ମହେନ୍ଦ୍ର ପ୍ରତାପ ଦାସ (ଦୁର୍ବାଦଳ)

କିଛି ଦୁଷ୍ଟାମିରେ
ସ୍କୁଲ୍‌ରେ ପିଲାବେଳେ ମାଡ ଖାଇଲି
ଗୁରୁଜୀ ଅମରି ଡାଙ୍ଗରେ
ବହେ କଷି ଦେଲେ
ବହୁତ କାଟିଲା
ଘରେ ପହଞ୍ଚିଲା ପରେ ବି
ଧକଉ ଥିଲି , ବୋଳି କହିଲା
କ'ଣ ହେଲା କି ?
କିଛି କହିଲି ନାହିଁ 
ବାପାଙ୍କ ଗାମୁଛାଟି ଚାପି ଧରିଲି
ମୁହଁ ଉପରେ ।

ଆମେ ବହୁତ ଗରିବ ଥିଲୁ

ମାସରେ ଥରେ ବି ସାବୁନ ମିଳେନି
ଲୁଗା ସଫା କରିବାକୁ 
ଧନୀ ଲୋକମାନେ
ବାସନା ସାବୁନ ଲଗେଇ ଗାଧାନ୍ତି
ପାଖରେ ଚାଲି ଗଲାବେଳେ
ମନ ଟିକିଏ ଛଟପଟ ହୁଏ
କିନ୍ତୁ  ଆଉ ବା ଉପାୟ କ'ଣ
ପଇସା ଥିଲେ ତ
ହେଲେ ସବୁକଷ୍ଟ ଚାଲିଯାଏ
ବାପାଙ୍କ ଗାମୁଛାକୁ ଆଘ୍ରାଣ କଲେ
ବହୁତ ଧୈର୍ଯ୍ୟ ଲାଗେ ।

ସେ ଗାମୁଛା ଛୋଟ

ଚାରିହାତ ଲମ୍ବା ଦି'ହାତ ଓସାର
ନାଲି ଧଳା ସୂତାରେ କସ୍ତା ଭଳିଆ
ଆମ୍ବ କଷିଆ କମପକା ଡାଳିଫୁଲ
ବିଲକାମ ବେଳେ ବାପାଙ୍କ ଝାଳରେ
ନିଇତି ଭିଜିଥାଏ ସେ
ବାପା ହାତରେ ଚକଟି ସ୍ନାନ ବେଳେ 
ଭଲରେ ଧୋଇ ଦିଅନ୍ତି
ତଥାପି ସେଥିରୁ ଏକ ନିରୋଳା
ନିଃସ୍ୱାର୍ଥ ବାସ୍ନା ବାରି ହେଇପଡେ
ଭାରି ଖୁସି ଲାଗେ ବାର ବାର
ଆଘ୍ରାଣ କରିବାକୁ
ଆଜି ବି ମନେ ପଡୁଛି
ବାପାଙ୍କ ଗାମୁଛାର ମୋ' ପାଇଁ 
ମହମହ ବାସ୍ନା କେତେ 
ଯେଉଁ ଠି ଥିଲା ଅଜସ୍ର ଭରସା ;
ସେଇ ଖଣ୍ଡିଏ ଗାମୁଛା ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।