କଣ୍ଡୁରୀ ଚ଼ରଣ ରାଉତ
(ଶିକ୍ଷକ- ସତ୍ଯବାଦୀ ଉଚ୍ଚବିଦ୍ୟାଳୟ)
--------------------------------ସୁମନା , ମୋର କ'ଣ ଇଚ୍ଛା ହେଉଛି ଜାଣୁ.....? ସବୁଦିନ ତୋର ଏଇ କୋଳର ନରମ ଶେଯରେ ମୁଣ୍ଡ ରଖି ଶୋଇରହିଥାନ୍ତି ଶେଷ ସମୟ ପର୍ଯ୍ୟନ୍ତ । ମୃତ୍ୟୁ କୋଳରେ ଆଶ୍ରୟ ନେବା ପୂର୍ବରୁ ତୁ ମୋତେ ଧରି ରଖିଥା'ନ୍ତୁ ସାବିତ୍ରୀ ପରି । ସୁମନା ଦୁଃଖ ଓ ବିରକ୍ତି ମିଶା ସ୍ବରରେ କହିଲା ... "ବନ୍ଦ କର ଏ ସବୁ ,ଏମିତି କଥା କହିବାକୁ ତମକୁ ଟିକେ ଖରାପ ଲାଗୁନି...?" ବିକାଶ ସେମିତି କହି ଚାଲିଥିଲା - ଯେତେବେଳେ ମୋର ମଲା ଦେହଟାକୁ ତୋ' ହାତରୁ ଛଡେଇ ନେଇ ଶ୍ମଶାନ ଆଡକୁ ଚାଲିବେ ତୁ ମଧ୍ୟ ଠିକ୍ ସାବିତ୍ରୀ ପରି ଯମରାଜାଙ୍କୁ ସ୍ମରଣ କରୁଥିବୁ , ଆଖି ଖୋଲିଲା ବେଳକୁ ତୋ' କୋଳ ଶୂନ୍ୟ । ପାଗେଳୀ ପରି ମଶାଣି ପାଖକୁ ଯାଇ ଦେଖିଲା ବେଳକୁ ମୋ' ମର ଶରୀର ଚିତାରେ ଜଳୁଥାନ୍ତା , ଧୂମ କୁଣ୍ଡଳୀ ଆକାଶକୁ ଉଠୁଥା'ନ୍ତା କୋଇଲା ଇଞ୍ଜିନରୁ ଧୂଆଁ ଉଠିଲା ପରି । ଠିକ୍ ସେତିକି ବେଳକୁ ବିକାଶ ଚମକିଲା ପରି ଉଠି ବସିଲା ,କାରଣ ସୁମନାର ଉଷୁମ ଲୁହ କେଇବୁନ୍ଦା ତା'ର ଗାଲରେ ପଡିଥିଲା । ତା' ଦୁଇ ଆଖିର ଲୁହ ଧାରକୁ ନିଜ ହାତରେ ପୋଛି ଦେଇ ବିକାଶ କହିଲା....
- ସୁମନା, ତୋତେ ଛାଡି ମୁଁ କ'ଣ କେବେ ଏକା ରହି ପାରେ ..? ତୋ' ଛଡା ଆଉ କାହା କଥା ମୁଁ ସ୍ବପ୍ନରେ ସୁଦ୍ଧା ଭାବିନି ।ମୋରି ନାମରେ ହିଁ ତୁ ସିନ୍ଥିରେ ପିନ୍ଧିବୁ ସିନ୍ଦୂର ଟୋପା ।ହେଲେ ସେ ଶୁଭ ଦିନକୁ ତୋତେ ଅପେକ୍ଷା କରିବାକୁ ପଡିବ ।
- ଆଉ କେତେ ଦିନ...., କେତେ ଦିନ ମୁଁ ଏମିତି ଅପେକ୍ଷା କରିବି ବିକାଶ...? ତୁମକୁ ଛାଡି ଆଉ ମୁହୂର୍ତ୍ତେ ବି ବଞ୍ଚି ପାରିବିନି ମୁଁ ।
- ଦେଖ ଧୈର୍ଯ୍ୟହରା ହୁଅନି । କାଲି ମୁଁ ଚାଲିଯିବି ମୋର କର୍ମକ୍ଷେତ୍ରକୁ ; ଚ଼ାରିମାସ ପରେ ଫେରିବି , ରଜ ବେଳକୁ ।ଆଉ ସେତେବେଳେ ଆମର ହେବ ଶୁଭ ବିବାହ ।
-ନା, ଦୀର୍ଘ ଚାରିମାସ ତମକୁ ଛାଡି ମୁଁ ରହି ପାରିବିନି , କେବେ ନୁହେଁ...ନା..ନା...
ଖୁବ୍ ଜୋର୍ ରେ ଚିତ୍କାର କରିଉଠିଲା ସୁମନା କାରଣ ସେତେବେଳେ ତା' ପାଖରେ ବିକାଶ ନ ଥିଲା । ନିଜ ଘର ଭିତରେ ଖଟ ଉପରେ ଶୋଇ ରହି ସ୍ବପ୍ନରାଜ୍ୟରେ ବିଚରଣ କରୁଥିଲା କେବଳ । ତା'ର ଲୁହ ପୋଛି ଦେବାକୁ କି ତାକୁ ଆଶ୍ବାସନା ଦେବାକୁ ପାଖରେ କେହି ନଥିଲେ । ଠିକ୍ ସେତିକି ବେଳେ ପବନରେ ଭାସି ଆସୁଥିଲା ମାଇକ୍ରୋଫୋନରୁ ସଂଗୀତର ମୂର୍ଚ୍ଛନା... "ଆସିବ ବର ତୋର...ହୋଇବ ବାହାଘର...।" ନିଜକୁ ଆଉ ସମ୍ଭାଳି ପାରିଲାନି ସୁମନା । ଚଳଚ୍ଚିତ୍ରର ଦୃଶ୍ଯ ପରି ସବୁ ଦୃଶ୍ୟ ତା' ଆଖି ଆଗରେ ନାଚି ଯାଉଥିଲା । ସୁମନା ହସିଲେ ବିକାଶ ହସୁଥିଲା । ଜଣେ ଚନ୍ଦ୍ରମା ହେଲେ ଅନ୍ୟ ଜଣେ ତା'ର ଜ୍ୟୋତ୍ସ୍ନା । ଜଣେ ସାଗର ହେଲେ ଆଉ ଜଣେ ତା'ର ବେଳାଭୂମି । ଦୁହେଁ ଦୁଇଜଣଙ୍କର ସୁଖଦୁଃଖର ସାଥୀ ଥିଲେ । କେହି କାହାରିକୁ ଦଣ୍ଡେ ନ ଦେଖିଲେ ରହି ପାରୁ ନ ଥିଲେ । ଉଭୟେ ଉଭୟଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ।ବିକାଶକୁ ନେଇ ସୁମନା ତା' ମନର କାନଭାସ୍ ରେ କେତେ ରଙ୍ଗର ପ୍ରଲେପ ଦେଇଥିଲା । ହେଲେ ସେ ରଙ୍ଗ ଏମିତି ଅକାଳରେ ରଙ୍ଗହୀନ ହେଇଯିବ ସେ ଜାଣି ନଥିଲା ।
ବିକାଶ ଯେ ତା ସହିତ ଏମିତି ବିଶ୍ବାସଘାତକତା କରିବ ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା । ତା'ର ସବୁ ସ୍ବପ୍ନ,ଆଶା ଆକାଂକ୍ଷା ଭାଙ୍ଗି ଚୁର୍ମାର୍ ହେଇଗଲା ପରେ କ'ଣ କରିବ କିଛି ଚିନ୍ତା କରି ପାରୁ ନ ଥିଲା । ବ୍ୟସ୍ତ ବିବ୍ରତ ହୋଇ ଧୀରେ ଧୀରେ ଉଠି ବାରି କବାଟ ଖୋଲି ନଦୀ କୂଳ ଆଡେ ଆଗେଇଲା ସୁମନା । ପୂର୍ଣ୍ଣମୀର ଜହ୍ନଟା ତା'କୁ ଯେମିତି ଖତେଇ ହେଉଥିଲା । ଚତୁର୍ଦ୍ଦିଗ ତାକୁ ଅନ୍ଧକାର ଦେଖା ଯାଉଥିଲା । ନଦୀକୂଳରେ ଥିବା ବିରାଟ ବରଗଛ ତଳେ ଠିଆ ହୋଇ ମହାନଦୀକୁ ଚାହିଁଲା ସେ । ନିଜର ଛଳଛଳ ମୁହଁ ସହିତ ନଦୀର ସାମଞ୍ଜସ୍ୟ ଥିଲା ପରି ଅନୁଭବ କଲା ସେ । ତା' ସହିତ ବହୁତ ଅନ୍ତରଙ୍ଗ ହେବା ପାଇଁ ଇଚ୍ଛା ହେଲା ତା'ର । ଧୀର ପଦକ୍ଷେପରେ ଆଗକୁ ପାଦ ବଢାଇଲା ସେ ।ହଠାତ୍ ପାଦ ଦୁଇଟା ତା'ର ଅଟକି ଗଲା , ଆଖି ଦୁଇଟା ବି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ନିବଦ୍ଧ ହେଇଗଲା । ନିଜ ଆଖିକି ବିଶ୍ବାସ କରି ପାରୁ ନଥିଲା ସେ । ଦୁଇ ପାପୁଲିରେ ଆଖି
ଦୁଇଟାକୁ ଭଲ ଭାବରେ ମକଚି ଦେଖିଲା ତା'ର ଚିର ପରିଚିତ ଜାଗାରେ କେହି ଜଣେ ବସି ରହିଚି । ବହୁଦିନର ଅଭ୍ୟାସ ପରି କେଉଁ ଏକ ଅଜଣା ଆକର୍ଷଣରେ ସେଇଆଡେ ଆଗେଇଲା ସେ । ଯେଉଁ ସ୍ଥାନରେ ସେ ଓ ବିକାଶ ଅନେକ ରାତିରେ ବସି କଥା ହେଇଛନ୍ତି । ଏପରିକି କେତେ ଥର ଲୋକଙ୍କ ଆଖିରେ ଧରା ପଡିଛନ୍ତି ମଧ୍ୟ । ତଥାପି ସେଇ ନୈଶ ଅଭିଯାନକୁ କୌଣସି ପ୍ରକାରେ ବନ୍ଦ କରି ନ ଥିଲେ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବହୁତ କମ୍ ସମୟ ଲାଗିଲା ତା'କୁ । ଯେଉଁ ଛାୟାମୂର୍ତ୍ତୀକି ଦେଖି ସେ ଆସିଥିଲା ବାସ୍ତବରେ ରକ୍ତମାଂସର ଏକ ମଣିଷ ଥିଲା ସେ , ବୋଧହୁଏ ଯୁବକ । ସୁମନାର ବିପରୀତ ଦିଗକୁ ମୁହଁ କରି ବସି ଆକାଶର ଜହ୍ନକୁ ଚାହିଁ ରହିଥିଲା କେବଳ । ସୁମନାର ପଦ ଶବ୍ଦରେ ଉଠି ଠିଆ ହେଇପଡିଲା । ନିଜ ଆଖିକି ବିଶ୍ବାସ କରି ପାରିଲାନି ବିକାଶ , ସୁମନା ବି । ଜହ୍ନଟା ଠିକ୍ ସେତିକି ବେଳେ ବାଦଲ ଉହାଡରେ ଲୁଚିଗଲା । ସୁମନାର ମୁହଁଟା ଯେମିତି ଜ୍ୟୋତ୍ସ୍ନାମୟ ହେଇ ଉଠିଲା ସେଇ ଅଳ୍ପ ଅନ୍ଧାର ଭିତରେ । କିନ୍ତୁ ପର ମୁହୂର୍ତ୍ତରେ ମନଟା ତା'ର ଉଦାସ ହେଇଗଲା । ଉଭୟେ ପରସ୍ପରକୁ ଚିହ୍ନିବାରେ ଭୁଲ୍ କରି ନଥିଲେ ।
କିଛି ସମୟର ନିରବତା । ନିରବତା ଭଙ୍ଗ କରି ବିକାଶ ଡାକିଲା ...
-ସୁମନା...
ସବୁଦିନିଆ ଅଭ୍ୟାସ ପରି ସୁମନାର ପାଟିରୁ ବାହାରି ପଡିଲା ..
-ଉଁ...
ପୁଣି କିଛି କ୍ଷଣର ନିରବତା । ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ କେବଳ । ବାଦଲଟା କେତେବେଳୁ ଅପସରି ଯାଇଥିଲା । ତୋଫା ଜହ୍ନ ଆଲୁଅରେ ସୁମନାର ଦୁଇ ଆଖିରୁ ବହି ଚାଲିଥିବା ଲୁହଧାରକୁ ଦେଖି ବିକାଶ ବି ନିଜକୁ ସମ୍ଭାଳି ପାରିଲାନି । ଛୋଟ ପିଲାଙ୍କ ପରି ଖୁବ୍ ଜୋର୍ରେ କାନ୍ଦିବାକୁ ଲାଗିଲା । ସୁମନାର ଦୁଇ ହାତକୁ ନିଜ ହାତରେ ଚ଼ାପି ଧରି ବାଷ୍ପାକୁଳ କଣ୍ଠରେ କହିଲା....
-ମୋତେ କ୍ଷମା କରିଦେ' ସୁମନା । ତୋର ସମସ୍ତ ସ୍ବପ୍ନକୁ ଜାଳିପୋଡି ଛାରଖାର କରି ଦେଇଛି । ସେଥିପାଇଁ ତୁ ଯାହା ଶାସ୍ତି ଦେବୁ ମୁଁ ସବୁ ମାନିବାକୁ ପ୍ରସ୍ତୁତ ଅଛି ।
ନିଜର ଉଦ୍ଗତ କୋହକୁ କୌଣସି ପ୍ରକାରେ ଚ଼ାପି ରଖି ସୁମନା ବିକାଶକୁ ବୁଝେଇବାକୁ ଲାଗିଲା ।
-ବିକାଶ,ଏଥିରେ ତୁମର କିଛି ଦୋଷ ନାହିଁ , ସବୁ ଦୋଷ ମୋର । ମୁଁ ଗୋଟିଏ ଗରିବ ଘରର ଝିଅ । ତୁମ ଆଭିଜାତ୍ୟ ଆଗରେ ଆମେ କିଛି ନୁହଁ । ବାମନ ହେଇ କେମିତି ମୁଁ ଚାନ୍ଦ ଧରିବାର ପ୍ରୟାସ କରିଥିଲି ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଚି ।
-- ବିଶ୍ବାସ କର ସୁମନା ,ଏ ବିବାହରେ ମୋର ସାମାନ୍ୟତମ ସମ୍ମତି ନାହିଁ । ବିବାହ ଠିକ୍ କରିବା ପୂର୍ବରୁ ସେ ସଂପର୍କରେ ମୋତେ କିଛି ଜଣେଇ ନାହାଁନ୍ତି କି ମୋର ମତାମତ ନେଇ ନାହାଁନ୍ତି । ମାଆଙ୍କର ଦେହ ଖରାପ ଖବର ପାଇ ମୁଁ ଘରକୁ ଆସିଲି । ଆଉ ଘରକୁ ଆଜି ଆସି ଦେଖିଲା ବେଳକୁ......ତୁ କୁହ ମୁଁ କ'ଣ କରିବି....? ବାପା ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସାରିଥିଲେ....
-ଠିକ୍ କହିଛ ,କ'ଣ ବା କରି ପାରିଥା'ନ୍ତ....! ଏ କଥା କହି ପାରୁଚ ତମେ..? ଆଗର ସମସ୍ତ ପ୍ରତିଶ୍ରୁତି କ'ଣ ଏତେ ଶିଘ୍ର ଭୁଲିଗଲ...?
- ମୋତେ ବୁଝିବାକୁ ଚେଷ୍ଟା କର ସୁମନା..
ସୁମନା କିନ୍ତୁ ସେତେବେଳେ ନିଜ ମନକୁ ଦୃଢ କରି ସାରିଥିଲା । ନିଜକୁ ବି ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସ୍ବୀକାର କରି ପାରୁ ନ ଥିଲା ସେ । ଭଲ ପାଇବାଟା ଯଦି ଦୋଷ ହୁଏ , ସେଥିପାଇଁ ଜଣେ ନୁହେଁ ; ଉଭୟ ସମାନ ଭାବେ ଦାୟୀ ।ତେଣୁ ଶେଷରେ ସେ ବିକାଶକୁ କହିଲା...
-ଯାହା ହେବାର ଥିବ ତାହା ନିଶ୍ଚୟ ହେବ । ତୁମେ କି ମୁଁ କେହି ଚାହିଁଲେ କିଛି ବଦଳେଇ ପାରିବାନି ।
ସବୁ ମାୟାମୋହକୁ ତୁଟେଇ ଘର ଛାଡି ଚାଲିଯିବାକୁ ପ୍ରସ୍ତାବ ଦେଲା ବିକାଶ । ମନ୍ଦିରରେ ବିବାହ କରି ସାରା ଜୀବନ ଏକାଠି ରହିବାକୁ ଚାହିଁଲା । କିନ୍ତୁ ବିକାଶର ଏଇ ପ୍ରସ୍ତାବରେ ସୁମନା ଏକମତ ହୋଇ ପାରିଲାନି । ଆସନ୍ତା କାଲି ବଧୂବେଶ ସାଜି ବିକାଶର ବରବେଶକୁ ଅପେକ୍ଷା କରି ରହିଥିବା ଝିଅଟି କଥା ତା'ର ମନେ ପଡୁଥିଲା । ନିଜେ ତ ଦୁଃଖ ସହିଲାଣି । ୟା' ବୋଲି ଅନ୍ୟ ଜଣଙ୍କର ସୁଖର ଆଶାରେ ନିରାଶାର ଝଡ ବୁହାଇବାକୁ ସେ ପସନ୍ଦ କଲାନି । ସେ ବି ତ ତା'ରି ପରି ଝିଅଟିଏ । ତେଣୁ ବିକାଶର ପ୍ରସ୍ତାବକୁ ସେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କଲା ଏବଂ ପ୍ରସ୍ତାବିତ ଝିଅଟି ସହିତ ସୁଖର ସଂସାର କରିବାକୁ ପରାମର୍ଶ ଦେଲା ।
କିଛି କ୍ଷଣର ନିରବତା । ଚେଷ୍ଟା କରିବି କେହି କାହାରିକୁ କିଛି କହି ପାରୁ ନ ଥିଲେ । ବାଟ ଚାଲୁ ଚାଲୁ ପାଦତଳେ କଣ୍ଟା ଫୁଟିଗଲେ ଅବା କେଉଁ ମରୁଭୂଇଁରେ ଶୋଷରେ ଛଟପଟ ହେଲେ ଦୁଇଟି ପାଖାପାଖି ଚାଲୁଥିବା ବାଟୋଇ ଯେପରି ପରସ୍ପର ମୁହଁକୁ ଚାହିଁ ଦେଇ ଆପେ ଆପେ ମନକୁ ବୁଝେଇ ନିଅନ୍ତି , ସେପରି ଥିଲା ଦୁହିଁଙ୍କ ଅବସ୍ଥା l ଲାଭକ୍ଷତି , ପ୍ରାପ୍ତି-ଅପ୍ରାପ୍ତିର ହିସାବ ଠାରୁ ବହୁ ଦୂରରେ ଥାଇ ଦୁଇଟି ସମାନ୍ତର ସରଳରେଖା ପରି ସେମାନଙ୍କ ମନ ବି ଆଗକୁ ବଢି ପାରୁ ନ ଥିଲା । ଅନେକ ସ୍ତବ୍ଧ ମୁହୂର୍ତ୍ତର ନିରବତା ପରେ ସୁମନା କରୁଣ ଦୃଷ୍ଟିରେ ଥରେ ଚାହିଁଲା ବିକାଶକୁ ।ଦୁଇ ଆଖିରୁ ଝରି ଯାଉଥିଲା ଧାରା ଶ୍ରାବଣର ବର୍ଷା ।କୋହୋଚ୍ଛ୍ବାସ କଣ୍ଠରେ ସେ କହିଲା...
-ମୋର ହୃଦୟ ସବୁଦିନ ରହିବ ତମରି ପାଖରେ । ଆଉ ସାରା ଜୀବନ କେବଳ ତମର ପ୍ରତୀକ୍ଷା କରିବି । ଏ ଜନ୍ମରେ ନ ହେଲେ ଆର ଜନ୍ମରେ ତମେ ମୋର ନିଶ୍ଚୟ ହେବ ।
ଏତିକି କହି ବହଳ ଅନ୍ଧାର ଭିତରେ ଅଦୃଶ୍ୟ ହେଇଗଲା ସୁମନା... । ସୁମନା ଫେରି ଯାଉଥିଲା ..ଏକ ପରିପୂର୍ଣ୍ଣତାର ପରିତୃପ୍ତିରେ... , ପ୍ରାପ୍ତିର ପ୍ରତୀକ୍ଷାରେ...,ନିଜ ଇପ୍ସିତ ସ୍ବପ୍ନ ସାକାର ହେଇଗଲା ପରି ଏକ ବିଜୟର ଯାତ୍ରାରେ । ଏ ଯାତ୍ରାର ଯେମିତି ଶେଷ ନାହିଁ ,ଏଇ ତ..ବିକାଶ ଓ ତା' ପ୍ରେମର ଆରମ୍ଭ ମାତ୍ର । ସେ ଭିତରେ ତୃତୀୟ ଜଣଙ୍କର ଆଗମନ ନା କେବେ ହେଇଥିଲା , ହେଇଚି ନା ଆଗକୁ ହେବ....... ।
ତା'ର ଯିବା ବାଟକୁ ଏକ ଲୟରେ ଚାହିଁ ରହିଥିଲା ବିକାଶ ..... ।
****
📚ଧଣ୍ଡାମାଳ,ଦେଓଗାଁ, ବଲାଙ୍ଗିର📚
🚪ମୋ.୮୯୧୭୩୯୭୩୪୮🚪
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।