3/01/2020

ଆତ୍ମସର୍ବସ୍ବ ଉଚ୍ଚାକାଂକ୍ଷାର ପରିଣତି

ଓମ୍‌ ପ୍ରକାଶ ବିଶ୍ବାଳ
                  ଖ୍ରୀଷ୍ଟପୂର୍ବ ୨୫୦ ପାଖଆଖର କଥା । ଜଣେ ଥିଲେ ରାଜା । ରାଜାଙ୍କ ମୁଣ୍ଡରେ ଖିଆଲ ଢୁକିଲା ଚକ୍ରବର୍ତ୍ତୀ ବୋଲାଇବେ , ଅଧିକାରୀ ହେବେ ଏକ ବିଶାଳ ଅଖଣ୍ଡ ଭୂଖଣ୍ଡର । ଖିଆଲଟିର ଦୃଢତା ଧିରେ ଧିରେ ବଢ଼ି ଚାଲିଲା ଓ ତା' ସହ ତାଳ ଦେଇ ବଢି଼ ଚାଲିଲା ରାଜାଙ୍କର ଉଚ୍ଚାଭିଳାଷ । କ୍ରମେ ସେ ଅଭିଳାଷ କ୍ରିୟାନ୍ବିତ ହେବାରେ ଲାଗିଲା । ଅନେକାନେକ ଯୁଦ୍ଧ ହେଲା , ରକ୍ତର ସୁଅ ଛୁଟିଲା , ଅନେକ ଦେଶ ଯୁଦ୍ଧରେ ସାଙ୍ଘାତିକ ପରାଜୟ ଲଭିଲେ ତ ଅନେକେ ରାଜାଙ୍କ ପରାକ୍ରମ ଆଗରେ ତିଷ୍ଠି ନପାରି ଛତ୍ରଭଙ୍ଗ ଦେଲେ ।  ଆଉ କିଛି ଦେଶ ପରାକ୍ରମୀ ରାଜାଙ୍କ ଛତ୍ରଛାୟାରେ ରହିବାକୁ ଉଚିତ ବିଚାରି ସନ୍ଧି କଲେ । ଏମିତି ଦେଶ ପରେ ଦେଶ ଅକ୍ତିଆର କରି ରାଜା ବିଜୟ ଧ୍ୱଜ ଉଡାଇଲେ । ଶେଷରେ ସେ ଉଚ୍ଚାଭିଳାଷ ବାସ୍ତବତାରେ ପରିଣତ ହେଲା । ପରାକ୍ରମୀ ରାଜା, ଚ଼କ୍ରବର୍ତ୍ତୀ ସମ୍ରାଟ ବୋଲାଇଲେ । ଗଠନ ହେଲା ବିଶାଳ ଏକଛତ୍ର  ଦେଶ , ଆଜିକାଲି ଯାହାକୁ ଆମେ ଚୀନ ଦେଶ ବୋଲି ଜାଣୁ ଆଉ ସେ ରାଜା ଥିଲେ ସମ୍ରାଟ 'ଚେନ' ।



       ସମଗ୍ର ଭୂଖଣ୍ଡ ଉପରେ ଏକାଧିକାର ପାଇଯିବା ପରେ ରାଜା ଆଶ୍ୱସ୍ତ ହେଲେ । ଏବେ ତାଙ୍କର ଶାନ୍ତିର , ଆନନ୍ଦର , ଉପଭୋଗର ସମୟ....ହେଲେ କିଏ ଜାଣିଥିଲା ଯେ ଚେନ୍‌ଙ୍କର ଉଚ୍ଚାଭିଳାଷରୁ ସୃଷ୍ଟି ହେଇଥିବା ଯୁଦ୍ଧ ଓ ହିଂସା ଯେ ଦିନେ ବୁମେରାଂ ସାଜିବ। ଦିଗବିଜୟର ନିଶାରେ ମତ୍ତ ହୋଇ ଶାନ୍ତିର ସ୍ବପ୍ନ ଦେଖୁଥିବା ରାଜାଙ୍କ ଆଖିରୁ ନିଦ ହଜେଇ ଦେଇଥିଲେ ବାହ୍ୟ ଶତ୍ରୁ ଓ ଏସିଆ ଭୂଖଣ୍ଡର ମୁସଲମାନ କବାୟଲୀ ଡକାୟତ ମାନେ। ଲଗାତାର ଆକ୍ରମଣ ବିଶାଳ ଚେନ ସାମ୍ରାଜ୍ୟକୁ ଇତସ୍ତତଃ କରି ପକେଇଲା ଓ ଶେଷରେ ରାଜା ନିଷ୍ପତ୍ତି ନେଲେ କି ସାମ୍ରାଜ୍ୟର ବାୟୁ ଦିଗର ସୀମାରେ ନିର୍ମାଣ କରାଯିବ ବିରାଟ ପ୍ରଲମ୍ବିତ ପ୍ରାଚୀର ଯାହା ବାହ୍ୟ ଅନୁପ୍ରବେଶକାରୀଙ୍କୁ ରୋକି ପାରିବ । ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା , ପ୍ରାଚୀର ତିଆରି ପାଇଁ ଲୋଡ଼ା ହେଲା ଅପର୍ଯ୍ୟାପ୍ତ ବାଲି , ପଥର , ଇଟା। ଅଭାବ ହେବାରୁ ମଣିଷ, ଗଛପତ୍ର ଯାହା ମିଳିଲା ପାଚେରୀ କାନ୍ଥରେ ଭରି ଦିଆଗଲା । ଖାଦ୍ୟପେୟ ଓ ସ୍ୟାସ୍ଥ୍ୟ ସେବାର ଅବ୍ୟବସ୍ଥା ହେତୁ ମୃତ୍ୟୁ ବରଣ କରିଥିବା ନିର୍ମାଣ ଶ୍ରମିକ ଓ ଶିଳ୍ପୀ ମାନଙ୍କୁ ମଧ୍ୟ ସେହି ପାଚେରୀ କାନ୍ଥରେ କବର ନେବାକୁ ହେଲା । ଏମିତି ଲକ୍ଷାଧିକ ଲୋକଙ୍କ ସମାଧି ଉପରେ ମୁଣ୍ଡ ଟେକି ଛିଡ଼ା ହେଲା ଚେନ ସାମ୍ରାଜ୍ୟର ବିଶାଳ ସାମ୍ରାଜ୍ୟ । ରାଜା ନିଶ୍ଚିନ୍ତ ହେଲେ । ମନେକଲେ ନିଜକୁ ଅପରାଜେୟ । ଚିତ୍କାର କରି ସଭାକୁ ଶୁଣେଇଲେ "ମୁଁ ଅଜୟ , ଅମର , ଅପରାଜେୟ ।ତାଙ୍କର ସେ ଭାବନା ଆଜିର ସାକ୍ରେଡ଼ ଗେମ ସିରିଜ୍‌ର ଡାଇଲଗ 'କଭି କଭି ଲଗତା ହେ କି ଆପୁନ ହି ଭଗବାନ ହେ' ପରି ଶୁଭିଥିବ ହୁଏତ ।

      ହେଲେ ପାଚେରୀ ତିଆରି କରି ନିଜକୁ ସୁରକ୍ଷିତ ମନେ କରୁଥିବା ଚକ୍ରବର୍ତ୍ତୀଙ୍କ ଅଜାଣତରେ ଏହି ପାଚେରୀ ହିଁ ସାଜିଲା ଚେନ୍‌ ସାମ୍ରାଜ୍ୟର କାଳ । ଆକ୍ରମଣକାରୀ ମାନେ ପାଚେରୀର ଜଗୁଆଳଙ୍କ ସାହାଯ୍ୟରେ ପାଚେରୀରେ ସିନ୍ଧି କରି ସାମ୍ରାଜ୍ୟରେ ପଶି ଆକ୍ରମଣ କଲେ । ପାଚେରୀକୁ ତାଙ୍କର ଆଡ୍ଡା ବନେଇ ଦେଲେ । ନିଶ୍ଚିନ୍ତରେ ଅଖଣ୍ଡ ସାମ୍ରାଜ୍ୟର ସୁଖରେ ମସଗୁଲ ଥିବା ରାଜା ଆକ୍ରମଣ ପ୍ରତିହତ କରିବାରେ ବିଫଳ ହେଲେ । ପ୍ରାଚୀର ଭାଙ୍ଗିବାକୁ ଲାଗିଲା । ସାମନ୍ତ ମାନେ ବିଦ୍ରୋହ କଲେ । ଶେଷରେ ଅଖଣ୍ଡ ଏକଛତ୍ର ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା । ଦୁନିଆ ଦେଖିଲା ହୋଇଗଲା ଏକ ମହନୀୟ ଇତିହାସର ଇତିକଥା । ଉଚ୍ଚାକାଂକ୍ଷା ରହିବା ଭଲ ମାତ୍ର ନିଜକୁ ହିଁ ସର୍ବେସର୍ବା ଭାବି ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଲୋକ ପାଇଁ ତା'ର ଉଚ୍ଚାକାଂକ୍ଷା ହିଁ ବୁମେରାଂ ସାଜି ତାର ବିନାଶ ସୃଜିପାରେ ଏହା ଅନସ୍ବୀକାର୍ଯ୍ୟ । ରାଜା ଚେନ୍‌ ଯଦି ସାମନ୍ତ ମାନଙ୍କୁ ଶାସନରେ ଉପଯୁକ୍ତ ଭାଗିଦାରୀ ଓ ମର୍ଯ୍ୟାଦା ଦେଇଥା'ନ୍ତେ ତାଙ୍କୁ ବିଦ୍ରୋହର ସାମ୍ନା କରିବାକୁ ପଡି ନଥା'ନ୍ତା ।

        ଉଚ୍ଚାକାଂକ୍ଷାକୁ ସାକାର କରିବାର ଏକ ମାତ୍ର ମାଧ୍ୟମ ହେଉଛି ଆତ୍ମସର୍ବସ୍ୱ ନଭାବି  ସାଧାରଣ ସ୍ତରନିର୍ବାହର ନିର୍ବାହ କରିବା ଓ ବିଚାର ଓ ବ୍ୟକ୍ତିତ୍ୱରେ ନୀଚ୍ଚ ନହୋଇ ଉଚ୍ଚସ୍ତରୀୟ ଆଦର୍ଶର ପ୍ରତିଫଳନ କରିବା ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।