3/01/2020

ସାଜିବୁ ଦେଶ ଭକତ

++++++++++++
ସରିତା ମହାନ୍ତି (ଶିକ୍ଷୟିତ୍ରୀ)

ଏହି ଦେଶ ଆମ ଜନମ ଭୂଇଁ
ମାଟି ମାଆ ଆମ କରମ ଭୂଇଁ।

କେତେ ବୀର ପୁତ୍ର ଜନମି ଥିଲେ
ମାଆ ପାଇଁ ପ୍ରାଣବଳି ସେ ଦେଲେ।

ଦେଶକୁ ସ୍ଵାଧୀନ କରିବା ପାଇଁ
ନିଜ ସ୍ବାର୍ଥ କେବେ ଚାହିଁଲେ ନାହିଁ।

ନାମ ତାଙ୍କ ଆଜି ଶୁଣରେ ପିଲେ
ଦେଶ ସ୍ଵାଧୀନରେ ନାମ ରଚିଲେ।

ବିର୍ସା ମୁଣ୍ଡା ଆମ ଦେଶ ଗରବ
ଯୁଗେ ଯୁଗେ ଯଶ କୀରତି ଥିବ।

ଯାବତ ଜୀବନ କାରାବାସରେ
ସହିଦ ହେଲେ ଦେଶ ମାଟିରେ।

ଗୋରା ସରକାର ଉପରେ ଚିଡ଼ି
ତୀର ମାରି ମାରି ଦେଲେ ଘଉଡି।

ଅଧିକାର ଆମ ପାଇବା ପାଇଁ
ଶତ୍ରୁ ସଙ୍ଗେ ବିର୍ସା ଲଢ଼ିଲେ ଯାଇ।











ଜୟୀ ରାଜଗୁରୁ ନାମ ଶୁଣିଲେ
ରୋମ ପୁଲକିତ ହୋଇବ ଭଲେ।

ମନ୍ତ୍ରୀ ପଦକୁ ସେ ତୁଚ୍ଛ ମଣିଲେ
ହସି ହସି ନିଜ ଜୀବନ ଦେଲେ।

ବାଘୀ ତୋଟା ଝଙ୍କା ବରଡାଳରେ
ବାନ୍ଧି ଚିରି ଦେଲେ ଦୁଇ ଫାଳରେ।

ଦେଶ ପ୍ରୀତି ତ ହେଲା କାଳଜୟୀ
ଚିର ନମସ୍ୟ ସେ ହୋଇଲେ ରହି।

ଏକ ବୀର ଥିଲେ ଦୋରା ବିଶୋଇ
ଇଂରେଜଙ୍କୁ ଦେଲେ ସେ ଚହଲାଇ।

ବନ୍ଧୁକ ଗୁଳିକୁ ଡରିଲେ ନାହିଁ
ବାର୍ହା  ଶିକାରୀକୁ ଛାଡ଼ିଲେ ନାହିଁ।

ସିଂହ ନାଦ କରି ଗର୍ଜି ଉଠିଲେ
ଇଂରେଜ୍ ସହିତ ଲଢେଇ କଲେ।

କନ୍ଧ କୋହ୍ଲଙ୍କର ସର୍ଦ୍ଦାର ହେଲେ
ଇଂରେଜ ଶାସନ ଦମନ କଲେ।

ଆମ ଏ ଦେଶର ବୀର ସନ୍ତାନ
ମଙ୍ଗଳ ପାଣ୍ଡେ ତା ନାମଟି ଜାଣ।

ଗୋରା ଅତ୍ୟାଚାର ସହିଲେ ନାହିଁ
ସିପାହୀ ବିଦ୍ରୋହ କଲେ ଟି ସେହି।

ମାଟି ମାଆ ପାଇଁ ଜୀବନ ଦେଲେ
ମରି ସୁଦ୍ଧା ଆଜି ଅମର ହେଲେ।

ବୀର କୃତ୍ତିବାସ ସଂଗ୍ରାମୀ ଜାଣ
ମରି ଆଜି ସେ ଅମର ମହାନ।

ହସି ହସି ମଲେ ସେ କୃତ୍ତିବାସ୍
ଥିଲା ତାଙ୍କଠି ବୀରତ୍ୱ ସାହସ।

ଉଦ୍ଦାମ ସିଂ ଆଉ ବାଜି ରାଉତ
ତାଙ୍କ ପାଇଁ ଗର୍ବ ଆମ ଭାରତ।

ବାର ବରଷ ର ବାଜି ରାଉତ
ଉଦ୍ଦେଶ୍ୟ ତାହାର ଥିଲା ମହତ।

ଯୁବକ ନୁହେଁ ସେ ବାଳୁତ ଥିଲା
ଗୁଳି ଆଗେ ଛାତି ପତାଇ ଦେଲା।

ଗୋରା ସରକାର ଗୁଳି ବନ୍ଧୁକ
ଦେଖି ଡରିଲାନି ସିଏ ନିର୍ଭୀକ।

ନାଆ ଆଣିବାକୁ ଡେରି କରିଲେ
ଜୀବନେ ମାରିବେ ତାକୁ କହିଲେ।

ନିଜ କର୍ତ୍ତବ୍ୟରେ ଅଟଳ ଥିଲା
ନିଜ ଜୀବନକୁ ତୁଚ୍ଛ ମଣିଲା ।

ସ୍ୱର୍ଣାକ୍ଷରେ ନାମ ତାର ରହିଲା
ପାଠ୍ୟ ପୁସ୍ତକରେ ସ୍ଥାନ ପାଇଲା।

ସ୍ୱାଧୀନତା କଥା ମନେ ପଡିଲେ
ଖୁଡିରାମ କଥା କହନ୍ତି ଭଲେ।

ଦେଶକୁ ସ୍ଵାଧୀନ କରିବା ପାଇଁ
ଫାଶୀ କାଠ ପରେ ଚଢିଲେ ଯାଇ।

ଅଲିଭା ରହିଲା  ଯଶ ତାଙ୍କର
ସ୍ଵାଧୀନ ହୋଇଲା ଦେଶ ଆମର।

ଲୁଚିଗଲା ସିନା ଜୀବନ ଦୀପ
ଏବେ ପଢୁ ଆମେ ତାଙ୍କରି ଗପ।

ଗାନ୍ଧୀ ଗୋପବନ୍ଧୁ ସୁବାସ ବୋଷ
ବୀର ଗାଥା ଶୁଣି ଉଡ଼ିବ ହୋସ।

ଦେଶକୁ ସ୍ଵାଧୀନ କରିବା ପାଇଁ
ଦିନ ରାତି ତାଙ୍କୁ ଦିଶୁ ନ ଥାଇ।

ସହଯୋଗ ଯେବେ କରିଲେ ନାହିଁ
ଇଂରେଜ ଶାସନ ଗଲା ଦୂରେଇ।

ତାଙ୍କରି ପାଦେ କରି ପ୍ରଣିପାତ
ସାଜିବା ଆମେରେ ଦେଶ ଭକତ।

++++++++++++++++++++++++
ବାଲିଆପାଳ - ବାସୁଦେବପୁର


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।