3/01/2020

🇮🇳🌷ଗାନ୍ଧୀ ତୁମେ ମହାନ🌷🇮🇳

  ତୃପ୍ତିମୟୀ ପାତ୍ର 
ପୂଜ୍ୟ ଗାନ୍ଧୀ ତୁମେ ଅହିଂସା ପୂଜାରୀ
        ଦେଶ ମା'ର ଯାଦୁକରୀ
ବିଦେଶୀ କବଳୁ କରିଥିଲ ରକ୍ଷା
      କେତେ ଆନ୍ଦୋଳନ କରି     ll

ତୁମ ଆଦର୍ଶରେ ଥିଲା ମାଦକତା
        ଅହିଂସା ସଂଘର୍ଷ ଭରି
ସମାଜ ସଂସ୍କାର ପ୍ରତି ପଦକ୍ଷେପ
     ପ୍ରଭାବ ଥିଲା ବିସ୍ତାରି         ll

ଜାତିପ୍ରଥା ଅସମତା ଅସ୍ପୃଶ୍ୟତା
     ଦେଲ ହେ ମନୁ ଦୁରେଇ
ନାରୀ ନିର୍ଯ୍ୟାତନା କୁସଂସ୍କାର ଯେତେ
     ନିବାରିଲ ଦେଶ ପାଇଁ      ll

ହେ ଯୁଗ ପୁରୁଷ ହୋଇ ଅଭିହିତ
     ଗାନ୍ଧୀ ଯୁଗ କଲ ନାମିତ
ନୁହେଁ ସୁରକ୍ଷିତ ଭାରତ ରେ ନାରୀ
      ଥିଲେ ହୋଇ ଥାନ୍ତ ଦୁଃଖିତ   ll

ଅଷ୍ଟଥର ଥିଲା ତୁମ ଆଗମନ
     ଓଡ଼ିଶା ପ୍ରଦେଶ ପାଇଁ
ଶ୍ରଦ୍ଧା ଅନୁକମ୍ପା ସ୍ୱାଧୀନତା ଅର୍ଥେ
        ତୁମ ପାଦ ପଥ ଚାହିଁ   ll

ଅଷ୍ଟଥର ପରେ ଅଶି ଥର ଯଦି
      ଆସିଥା'ନ୍ତ ଏହି ଭୂଇଁ
କେଜାଣି ମଣିଷ ସୁଧୁରି ଥା'ନ୍ତା
     ଟଙ୍କାଟେ ଚାଉଳ ପାଇଁ    ll

ଖଦି ଓ ଚରଖା ସ୍ବଦେଶୀ ବସ୍ତ୍ରରେ
       ମହତ ହୋଇଲ ଯଦି
କୋଟ୍ ସୁଟ୍ ଟାଏ ନେତା ମନ୍ତ୍ରୀ ପିନ୍ଧି
      ବୋଲାନ୍ତି ମୁଁ ଗାନ୍ଧିବାଦୀ    ll










ଲେଖି ଗଲ ନିଜ ଗସ୍ତ ଅନୁଭୂତି
      ଓଡ଼ିଶାର ସ୍ନେହ ପ୍ରୀତି
ଅଲଣା ଖାଇଲ ଖଦଡ଼ ପିନ୍ଧିଲ
     ଧନ୍ୟ ତୁମ ମତି ନୀତି    ll


ସମଗ୍ର ଭାରତେ ଶ୍ରଦ୍ଧା ଭୂମି ତୁମ
      କ୍ଷୁଦ୍ର ଏ କଳିଙ୍ଗ ଆମ
ଗୋପବନ୍ଧୁ ହରିହର ସାଥେ ମିଶି
      ଗଢିଲ ସେବାର ଧାମ    ll

ସତ୍ୟ ଥିଲା ତୁମ ଶେଷ ଶ୍ରେଷ୍ଠ ଧନ
      ମହାତ୍ମା ତୁମେ ସତତ
ନାହିଁ ତୁମ ଭଳି ବିରଳ ବ୍ୟକ୍ତିତ୍ୱ
         ମନ୍ଦରେ ସରବେ ଲିପ୍ତ   ll

ଅନ୍ତରରେ ଥିଲା ନିଷ୍ଠା ପରାକାଷ୍ଠା
        ପ୍ରତି କ୍ଷଣରେ ସ୍ୱଚ୍ଛତା
ତୁମ ସପନରେ ଆଖି ଗୁନ୍ଥି ଆଜି
   ଦେଶ ମୋ' କେତେ ଗର୍ବିତା   ll

ଜାତିର ଜନକ ଭଳି ଉପାଧିକୁ
     ପାଇଛି କି କେହି ଜନ
ସୁବାସ କାନ୍ଧରେ କାନ୍ଧ ମିଶେଇଲ
      ସ୍ୱାର୍ଥ ଥିଲା ତବ ନ୍ଯୁନ    ll

ବିଦେଶରୁ ଫେରି କରିଲ ସୁକର୍ମ
     ବିଚାର ଟି ଶ୍ରେଷ୍ଠ ତୁମ
ବିଶ୍ୱକବି ଦେଲେ ମହାତ୍ମା ଭୂଷଣ
      ଧନ୍ୟ ହେଲା ତୁମ ନାମ     ll

 କି ସୁଖ ମିଳିଲା ନାଥୁରାମକୁ ଯେ
       କରିଲା ଗୁଳି ବର୍ଷଣ
ଶେଷ ଧ୍ୱନି ତୁମ ହେ ରାମ କହି
      ଛାଡ଼ିଗଲ ଇହ ଧାମ    ll

ମହାନ ତୁମର ଚିନ୍ତା ଓ ଚେତନା
      ମହାନ ତୁମର କଥା
ହେ ମହା ମାନବ ମହା ମାନ୍ୟ ତବ
      କେତେ ନୀତି ନୈତିକତା    ll
 🔸🔹🔸🔹🔸🔹🔸🔹
             ଶିକ୍ଷୟିତ୍ରୀ 
             ବାଲେଶ୍ବର 
🔹🔸🔹🔸🔹🔸🔹🔸
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।