ଚ଼ିଣ୍ଟୁ ସେଠୀ
ଆରେ କ'ଣ ତୁମେ ସବୁବେଳେ ଏଇ ଗାଈ ମାନଙ୍କ ପାଖରେ ରହିବ...? ଯେତେବେଳେ ଦେଖ ଗାଈ ଗୋଡ଼ ତଳେ ବସିଥିବେ , ଆଉ ଘରକୁ ଯିବନି । ଏଇଠି ଗାଈ ପାଖରେ ବସି ତାଙ୍କର ସେବା କରୁଥାଅ , ଡାଉଁଶ ମାରୁଥାଅ , ଟିଙ୍କ ମାରୁଥାଅ ; ହେଲା ? ମୁଁ କହି ଦଉଛି ତୁମକୁ ଆଜି ଖାଇବାକୁ ଦେବିନି ; ଏଇଠି ଗାଈ ପାଖରେ ବସ ତୁମେ..., ଏଇ ଗାଈ ତମକୁ ଖାଇବାକୁ ଦେବ ହେଲା...? ରାଗ-ପ୍ରେମ ମିଶା ହସ ହସି ଦେଇ ବୋଉ ଘର ଭିତରକୁ ଚାଲିଗଲା । ବାପା ବି ଟିକେ ତେରେଛା ଚାହିଁ ପାକୁଆ ପାଟିକୁ ଦେଖେଇ ଟିକେ ହସି ଚୁପ୍ ରହିଗଲେ ।
ପୁରୁଣା ଦିନର ସେ କଥା ଆଜିବି ମୋ ମନେ ଅଛି । ଛୋଟ ଛୋଟ ଚାଳ ଛପର ଘର ଦୁଇ ବଖରା ; ଗୋଟେ ବଖରାରେ ମୋ' ପରିବାର ଆଉ ଗୋଟେ ବଖରାରେ ଘୁଙ୍ଗୁରି ଆଉ ତା' ଝିଅ ଲକ୍ଷ୍ମୀ , ମାନେ ଆମ ଗାଈ ଆଉ ବାଛୁରୀ । ଭଗବାନଙ୍କ ଦୟାରୁ କେବେ ଆମ ପେଟ ଉପାସ ରହିନି । ବାପା ମୋର ୬୦ ବର୍ଷ ବୟସରେ ବି ମୂଲ ଲାଗି ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷୁଥା'ନ୍ତି । ଆଉ ମୋ' ମା' ରାନ୍ଧି-ବାଢି ଖାଇବାକୁ ଦିଏ ସମସ୍ତଙ୍କୁ ; ଆଉ ଭଗବାନଙ୍କୁ ପ୍ରାର୍ଥନା କରେ ମୋ' ପୁଅ ଦି'ଟା ବଡ଼ ହେଇ ତା' ଦୁଃଖ ଦୂର କରନ୍ତୁ ।
ବାପା ସକାଳୁ ଉଠି ନିତ୍ୟକର୍ମ ସାରି ବାହାରି ପଡନ୍ତି ମୂଲ ଲାଗିବାକୁ , ଫେରନ୍ତି ସନ୍ଧ୍ୟାରେ । ଆଉ ପାଣି ମୁନ୍ଦେ ପିଇଦେଇ ବସି ପଡନ୍ତି ଗାଈ ଘୁଙ୍ଗୁରୀ ପାଖରେ ; ତା' ଗୋବର ସଫା କରନ୍ତି , ତା' ଦେହରୁ ଟିଙ୍କ ଛଡାନ୍ତି ଆଉ ସନ୍ଧ୍ୟା ବେଳେ ଡାଉଁଶ ଘଉଡାଇବା ପାଇଁ ଧୂଆଁ ଦିଅନ୍ତି । ଧୂଆଁ ସବୁଆଡେ ଖେଳେଇବା ପାଇଁ କାନ୍ଧରୁ ଗାମୁଛା କାଢି ଧୂଆଁକୁ ବିଞ୍ଚନ୍ତି । ଠିକ୍ ସେତିକି ବେଳେ ଘର ଭିତରୁ ଶୁଭେ କ'ଣ ବା ସେଇଠି ଆସି ବସିଲ ..? କାମରୁ ଫେରିଲ ଏବେ ଟିକେ ଧୋଇ ହେଇ ବସି ପଡ଼ । ତୁମକୁ ଯେତେ କହିଲେ କ'ଣ ତୁମେ ବୁଝିବ..?? ହଁ...। କହିବା ପାଇଁ କେବଳ ସେଇଟା ବାପାଙ୍କ ଗାମୁଛା ହେଲେ ସେଇ ଗାମୁଛାରୁ ଚାରି ପ୍ରାଣୀ କୁଟୁମ୍ବଙ୍କୁ ପଖାଳର ବାସ୍ନା ମିଳିଥାଏ । ସତରେ ମା'ର ପଣତ ଆଉ ବାପାଙ୍କର ସେହି ଝାଳ ଭିଜା ଗାମୁଛାର ବାସ୍ନା ଆଉ କେଉଁଠୁ ମିଳିନି ଆଜି ଯାଏଁ ।
ସନ୍ଧ୍ୟା ଘଣ୍ଟ ବାଜିବ ବାପା ଉଠିବେ ଗାଈ ପାଖରୁ , ଆଉ ଗୁହାଳକୁ ନେବେ ବାନ୍ଧିବାକୁ । ଖୁସି ଲାଗେ ଦେଖିବାକୁ ଯେତେବେଳେ ଗାଈ ବାପାଙ୍କୁ ସ୍ନେହରେ ଚାଟୁଥାଏ । କେତେ
ନିଃସ୍ୱାର୍ଥପର ସେ ଭଲ ପାଇବା...! କହିଲେ ଲୁହ ଆସି ଯାଉଛି ଆଖିରେ...। ହଁ ମୁଁ ବି କେବେ କେବେ ବାପାଙ୍କ ସହ ଗାଈ ନେଇ ଗୁହାଳେ ବାନ୍ଧିଛି ଧୂଆଁ ବି ଦେଇଛି ଥରେ ଦି'ଥର....। ଗୁହାଳର ଲାଲ କାନ୍ଥକୁ ଦେଖି ଛୋଟ ବେଳେ କେତେ ଥର ପଚାରିଛି ବି ମୁଁ.. 'ବାପା ! ଏଇ କାନ୍ଥ ଏମିତି ନାଲି କାଇଁ ହେଇଚି ?' ବାପା ହସି କି କହି ଦିଅନ୍ତି..' ବାୟାଟା ଏତିକି ଜାଣିନୁ..? ଏଇ ଆମ ହମା ମାନଙ୍କୁ ଯେଉଁ ଡାଉଁଶ କାମୁଡନ୍ତି ସେମାନଙ୍କୁ ମୁଁ ମାରିକି ଏଇ କାନ୍ଥରେ ମୋ' ରକତ ହାତ ବୋଳିଦିଏ ।'
ନିଃସ୍ୱାର୍ଥପର ସେ ଭଲ ପାଇବା...! କହିଲେ ଲୁହ ଆସି ଯାଉଛି ଆଖିରେ...। ହଁ ମୁଁ ବି କେବେ କେବେ ବାପାଙ୍କ ସହ ଗାଈ ନେଇ ଗୁହାଳେ ବାନ୍ଧିଛି ଧୂଆଁ ବି ଦେଇଛି ଥରେ ଦି'ଥର....। ଗୁହାଳର ଲାଲ କାନ୍ଥକୁ ଦେଖି ଛୋଟ ବେଳେ କେତେ ଥର ପଚାରିଛି ବି ମୁଁ.. 'ବାପା ! ଏଇ କାନ୍ଥ ଏମିତି ନାଲି କାଇଁ ହେଇଚି ?' ବାପା ହସି କି କହି ଦିଅନ୍ତି..' ବାୟାଟା ଏତିକି ଜାଣିନୁ..? ଏଇ ଆମ ହମା ମାନଙ୍କୁ ଯେଉଁ ଡାଉଁଶ କାମୁଡନ୍ତି ସେମାନଙ୍କୁ ମୁଁ ମାରିକି ଏଇ କାନ୍ଥରେ ମୋ' ରକତ ହାତ ବୋଳିଦିଏ ।'
ଏବେ ମନେ ପଡିଲେ ସେ 'ବାୟା' ଡାକ ସତରେ ଆଖିରେ ଲୁହ ଆସି ଯାଉଛି । କେତେ ଭଲ ପାଉଥିଲି ବାପାଙ୍କୁ ! ହେଲେ ଏତେ ଶୀଘ୍ର ମତେ ଛାଡି ଚାଲିଯିବେ ବୋଲି କେବେ ଆଶା କରି ନଥିଲି । ଯିଏ ମତେ ଦୁନିଆ ବୁଲେଇ ଦେଖେଇଲେ , ଲୋକଙ୍କୁ ଚିହ୍ନିବା ଜଣେଇଲେ ସେ କେବେ ଏ କଥା କହି ନଥିଲେ କି ତାଙ୍କ ବିନା ମତେ ଏ ଦୁନିଆ ଦେଖିବାକୁ ହେବ ବୋଲି.....।
ପାଖରେ ଠିଆ ହେଇଥିବା ତାଙ୍କ PA ସତ୍ୟ ହାତକୁ ରୁମାଲ ବଢ଼େଇ ଦିଅନ୍ତି ଲୁହ ପୋଛିବା ପାଇଁ । ଲୁହ ପୋଛୁ ପୋଛୁ ଧର୍ମପତ୍ନୀ ଆସି ସମ୍ଭାଳି ନିଅନ୍ତି ତାଙ୍କୁ ଘର ଭିତରକୁ । ଅତୀତର ସେଇ ଗରିବ ସତ୍ୟ ଆଜି ସତ୍ୟ ବାବୁ ଭାବେ ପରିଚିତ । ସେଇ ଛୋଟ ଛୋଟ ଦୁଇ ବଖରା ଚାଳ ଘର ଜାଗାରେ ଆଜି ଠିଆ ହେଇଛି ଦୁଇ ମହଲା କୋଠା ଘର । ନା ଅଛି ସେ ଗାଈ ଗୁହାଳ ନା ଅଛି ସେ ଗୁହାଳର ଡାଉଁଶ , ରକ୍ତ ରଞ୍ଜିତ କାନ୍ଥ ଆଉ ନା ଅଛନ୍ତି ବାୟା ଡାକି କୋଳେଇ ନେଉଥିବା ବାପା....। କେବଳ ଶେଷ ସନ୍ତକ ରୂପେ ବାପାଙ୍କ ଫୋଟୋ ଗୋଟେ ଠାକୁର ଘର କାନ୍ଥରେ ଝୁଲୁଚି ଏଗାର ଦିନ ହେଲାଣି...।।
କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।