3/01/2020

ଥୁଣ୍ଟା ଗଛ

ସତ୍ଯଜିତ ସ୍ବାଇଁ

                        ନାଁ ରାମୁ ଦାସ ; ବୟସ ସତୁରି ଖଣ୍ଡେ ହେବ । ଦେହରେ ଆଉ ଆଗ ଭଳି ବଳ ନାହିଁ | ଅଣ୍ଟା ଧୀରେ ଧୀରେ ନଇଁଲାଣି । ବୟସଟା ବି ବଡ଼ ଦଗାବାଜ୍‌ |କେତେବେଳେ ଯେ ପ୍ରଜାପତି ପରି ଫୁର୍‌କିନା ଉଡ଼ିଯାଏ, ଜଣାପଡ଼େ ନାହିଁ । ରାମୁ ଦାସ ଆରମ୍ଭରୁ ଏମିତି ନଥିଲା | ଯୁବକ ବେଳେ ସାହୁକାରର ସବୁଠୁ ବଳବାନ କର୍ମଚାରୀ ଥିଲା ସିଏ | ଶଗଡ଼ରୁ ଏକୁଟିଆ ଶହେ ବସ୍ତା ଧାନ ବୋହିକି ସାହୁକାର ଗୋଦାମ ଘରେ ଭର୍ତ୍ତି କରି ଦେଉଥିଲା ସିଏ | ଦିନେ ସାହୁକାରର ବଳଦ ରଶି ଛିଣ୍ଡେଇ ଏଣେତେଣେ ଦଉଡିବା ବେଳେ ତାର ଦୁଇଶିଙ୍ଗକୁ ଧରିଆଣି ଖୁଣ୍ଟରେ ବାନ୍ଧି ପକେଇ ଥିଲା ରାମୁ ଦାସ |ସାହୁକାର ଖୁସିରେ ବେକରୁ ଓହ୍ଲାଇ  ଚେନଟାକୁ ତା' ବେକରେ ପିନ୍ଧେଇ ଦେଇଥିଲା |



    ହେଲେ ଏବେ ଆଉ ସେ' ସମୟ ନାହିଁ | ଆଉ ସେ ବଳ ବୟସ ନାହିଁ ରାମୁ ଦାସର | ଜୀବନରେ ଦିନେ ସମୟ ସହ ବାଜି ମାରୁଥିବା ରାମୁ ଦାସ ଏବେ ନିଜେ ସମୟ ଆଗରେ ସବୁ ବାଜି ଯେମିତି ହାରି ଯାଇଛି | ପତ୍ନୀ ସର ଆର ପାରିକୁ ଚାଲିଯିବା ପରେ ତା'ର ଅଧା ବଳ ଭାଙ୍ଗି ଯାଇଛି, ପୁଅ ଦିଇଟା କାମ କରିବା ନାଆଁରେ ବାହାର ରାଇଜକୁ ଗଲେ ଯେ ଆଉ ଦିନେ ବାପକୁ ଫେରି ଚାହିଁଲେନି | ସରର କ୍ରିୟାକର୍ମ କରିବାକୁ ଆଉ ନିଜ ପେଟ ପୋଷିବାକୁ ଘର ବନ୍ଧାପକେଇ ଆଣିଥିବା ଟଙ୍କା ସୁଝି ନପାରିବାରୁ ଘର ଆଉ ତା'ର ହେଇନାହିଁ |ଏବେ ଦିନରାତି ଗାଆଁ ମୁଣ୍ଡରେ ଥିବା ଥୁଣ୍ଟା ଗଛ ତଳେ ପଡ଼ିରହେ | ଯିଏ ଦୟାରେ କିଛି ଦିଏ, ଖାଇଦିଏ | 

ସେଦିନ ରାମୁ ଦାସର ବୋଧେ ଦେହ ଭଲ ନଥିଲା , "ଆଜି କାଇଁ ସର କଥା ଭାରି ମନେ ପଡୁଛି",  ରାମୁ ଦାସ ଗଛ ତଳେ ବସି ଭାବୁଥାଏ, ଏ' ଗଛ ଯେତେବେଳେ ପତ୍ର ଆଉ ଫଳରେ ଭରପୁର ଥିଲା, ସଭିଏଁ ଆକୁ କେତେ ଆଦର କରୁଥିଲେ, ମଣିଷଠୁ ପଶୁପକ୍ଷୀ ପର୍ଯ୍ୟନ୍ତ, ପକ୍ଷୀ ଏଠି ବସା ବାନ୍ଧି ରହୁଥିଲେ | ଆଜି ଯେତେବେଳେ ସିଏ ସମୟ ଚକ୍ରରେ ବୁଢ଼ା ହୋଇ ଥୁଣ୍ଟା ହୋଇଗଲା, କେହି ଟିକେ ହେଲେ ଗଛଟିକୁ ଚାହୁଁ ନାହାନ୍ତି | ଗଛ ପରି ନିଜ କଥା ଭାବି ଭାବି ସେଇଠି ଶୋଇଗଲା ରାମୁ ଦାସ | ପରଦିନ ସକାଳେ ଦୀନବନ୍ଧୁ ଯାଇ ଗାଆଁରେ କହିଲା, "ଆରେ ଶୁଣୁଛ, ରାମୁ ବୁଢ଼ା ମରିଗଲା, "କେଉଁଠି ଅଛି ସେ', "ସେଇ ଗାଆଁ ମୁଣ୍ଡ ଥୁଣ୍ଟା ଗଛ ତଳେ  ||



(ଆମେ ସମସ୍ତେ ଜଣେ ଜଣେ ରାମୁ ଦାସ ଆଉ ଦିନେ ସାଜିଯାଉ ଥୁଣ୍ଟା ଗଛ। )



ଅଡ଼ଶପୁର - କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।