3/01/2020

ତୁଚ୍ଛ ମୁଁ ମାଟିର ଦୀପ

🙏ମଧୁସ୍ମିତା🙏

ପାଇ କି ସତରେ ଘୋର ଅଭିଶାପ
ଜୀବନ ମୋ' ତୁଚ୍ଛ କହେ ମାଟିଦୀପ
ଜଳି ଯାଏ ମନ ନିରତ ସନ୍ତାପେ ,
ଜନମ ମୋହର କେଉଁ ମହାପାପେ ।୧

ଜୀବନ ମୋହର ସଳିତାରେ ଲେଖା

ଲୁହ ପିଏ ଖାଲି ଆଲୋକର ରେଖା ,
ଦହନ ଭିତରେ ହସିବା ମୋ' ଦୀକ୍ଷା
ଲକ୍ଷ୍ମଣରେଖାର ମଧ୍ୟେ ମୋର ଶିଖା । ୨

ଲୋଡେନା କେହି ମୋ' ଅଳପ ଆଲୋକ

କେହି ବୁଝେ ନାହିଁ, ଅସୀମ ଏ ଶୋକ ;
ଦୀପ ଲାଗି  ଦୀପାବଳିର ମହକ
ଦିନଟିଏ ମୋର ଜୀବନେ ଝଲକ ।୩

ଆଧୁନିକା ଲାଗେ ଆଜି ଦୀପାବଳୀ

ଆଲୋକରେ ଭରା  ସବୁ ଗାଁ ଗହଳି
ଦେଉନି ମୁଁ ଜ୍ୟୋତି ଦେହ ମୋର ଜାଳି
ଜଳୁଛି ବିଦ୍ୟୁତ୍‌ ଦୀପର ଦିପାଳି ।୪


ନାହିଁ ଆଉ ବଜାରରେ ମୋ' ଚାହିଦା

ମତେ କିଣି କୁହ ଭଲା କି ଫାଇଦା
ମୋତେ ନେଲେ ଖାଲି ରାଗିବ ଭାରିଯା,
କହିବ ଘରୁ ଏ କ୍ଷଣି ବାହାରି ଯା' ।୫

କ୍ଷଣ ଆଲୋକେ କି ଦିଶନ୍ତି ସୁନ୍ଦର

ସେହି ବଇଭବ ଏ ମାଟି ଦୀପର,
ଝଲସୁଛି ଆଜି ଏ ସାରା ସହର
ବିଦ୍ଯୁତ୍‌ ଆଲୋକେ ଶୋଭେ ସବୁ ଘର ।୬

 ଦୀପାବଳି ନାମ ଦିଅ ବଦଳାଇ,

ଛଳନାର ତୁମ ପ୍ରେମ ଲୋଡା ନାହିଁ,
ମତେ ଗଢି ବଢେ ଦୁଃଖ ଗରିବର
ମଉଳେ ତା' ଖୁସି ଝରେ ଲୁହଝର।୭

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।