ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ସ୍ଵାଗତିକାର ପରିବାର ଭୁବନେଶ୍ୱରକୁ ଆସିଲେ ରହିବା ପାଇଁ l ତା'ର ବାପା ଗୋଟିଏ ସରକାରୀ କିରାଣୀ l ଯାହା ପଇସା ମିଳେ ସୁଖେ ଦୁଃଖେ ପରିବାରର ଭରଣପୋଷଣ ହୋଇ ଯାଇଥାଏ l ସେଇ ପାଖରେ ଥିବା ଏକ ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଗତିକାର ନାମ ନବମ ଶ୍ରେଣୀରେ ଲେଖାଇ ଦେଲେ l ଝିଅଟି ବହୁତ ଭଲ ପାଠ ପଢେ l ବହୁତ ଶୀଘ୍ର ଅଚିରେ ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ଦେଇଥାଏ l ଏ ଗୁଣ ଯୋଗୁ ସେ ତା'ର ବିଦ୍ୟାଳୟରେ ବହୁତ ସାଙ୍ଗ ସାଥୀ ହୋଇଗଲେ l ତାକୁ ସମସ୍ତେ ବହୁତ ଭଲ ପାଇଥା'ନ୍ତି l ସନ୍ତୋଷ ବୋଲି ପିଲାଟିଏ ସେ ତା'ର ସହପାଠୀ ; ସେ ସ୍ଵାଗତିକାକୁ ପାଠ ପଢ଼ାରେ ବହୁତ ସାହାଯ୍ୟ କରେ l ଧୀରେ ଧୀରେ ସେ ତା'ର ଭଲ ବନ୍ଧୁଟିଏ ହୋଇଗଲା.. l ଦୁଇଜଣଙ୍କର ଘର ଗୋଟିଏ କଲୋନୀରେ l ଦୁଇ ଚାରୋଟି ଘର ଛାଡିକି, ଦୁଇଜଣ ଅତି ପ୍ରିୟ ବନ୍ଧୁ ହୋଇଗଲେ ,ଏମିତି କି ଦୁଇ ଜଣ ଟିଫିନ ସାଙ୍ଗ ହୋଇ ଖାଇଥାନ୍ତି l ସାଙ୍ଗ ହୋଇକି ସ୍ଵାଗତିକା ଘରେ ପାଠ ପଢିଥା'ନ୍ତି l ଦିନକୁ ଦିନ ସମ୍ପର୍କ ଅତି ନିବିଡ଼ ହେବାକୁ ଲାଗିଲା l ଗୋଟେ ଦିନ ବି ନ ଦେଖି କିଏ କାହାକୁ ରହି ପାରନ୍ତିନି l ସନ୍ତୋଷର ବାପା ଜଣେ ବ୍ୟବସାୟୀ , ମା' ଗୃହିଣୀ ଅଟନ୍ତି l ସ୍ଵାଗତିକା ତାଙ୍କ ଘରେ ଯେମିତି ଝିଅଟିଏ ଭଳି l ସନ୍ତୋଷ ନିଜ ହୃଦୟରେ ସ୍ଵାଗତିକାକୁ ଭବିଷ୍ୟତରେ ଜୀବନ ସାଥୀ କରିବ ବୋଲି ଭାବି ସାରିଛି l କିନ୍ତୁ ମନ କଥା କେବେ ତାକୁ କହି ପାରିନି l କାରଣ ବୟସର ଚପଳତାରେ ସ୍ଵାଗତିକା ଏକାଳେ କିଛି ବୁଝି ପାରିବ ନାହିଁ ?
ସମୟ କ୍ରମେ ଦୀର୍ଘପାଞ୍ଚ ପରେ ସନ୍ତୋଷ ଆମେରିକାରୁ ଜଣେ ଡାକ୍ତର ହୋଇ ଓଡିଶାକୁ ଫେରି ଆସିଲା l ମନରେ କେତେ ସ୍ବପ୍ନ ସ୍ଵାଗତିକାକୁ ନେଇ.. l ଏବେ ସ୍ଵାଗତିକା ତା'ର ମନର କଥା ବୁଝି ପାରିବ.. l ପୁଣି ମନରେ ବହୁତ ପ୍ରଶ୍ନ ଥିଲା କି ସ୍ଵାଗତିକା କ'ଣ ଏଯାଏଁ କୁଆଁରୀ ଥିବ ! ମୋତେ କ'ଣ ସେ ଅପେକ୍ଷା କରିଥିବ ? କାରଣ ପାଞ୍ଚ ବର୍ଷ ଭିତରେ ତା'ର ସ୍ଵାଗତିକା ସହିତ କୋୖଣସି ସମ୍ପର୍କ ନଥିଲା l ସ୍ଵାଗତିକା ବାପାଙ୍କର ଅବସର ପରେ ସେ ଗାଁକୁ ଚାଲି ଯାଇଥିଲେ.. l ସନ୍ତୋଷ ନିଜ ବାପା ମା'ଙ୍କୁ ମଧ୍ୟ ଏ ବିଷୟରେ କିଛି କହି ନଥିଲା କି ସ୍ଵାଗତିକା ବିଷୟରେ ପଚାରିବା ପାଇଁ ସାହସ କରି ନଥିଲା,କାରଣ ସେ ଭାବୁଥିଲା ସ୍ଵାଗତିକା ବିଷୟରେ ପଚାରିଲେ ବାପା ମା' କ'ଣ ମନରେ ଭାବିଦେବେ - ପୁଅ ପାଠ ପଢ଼ାରୁ ବିଚ୍ୟୁତି ହେଉଛି,ଏହିପରି ମନରେ କିଛି ଦ୍ଵନ୍ଦ ଆଣିପାରନ୍ତି l ଏହି ସବୁ ଭାବନା ଭିତରେ ସନ୍ତୋଷ ଆସି ପହଞ୍ଚି ଗଲା ନିଜ ଗୃହରେ l ସନ୍ତୋଷକୁ ମା' ପୂଜା ଥାଳି ଧରି ସ୍ୱାଗତ କଲେ, ବନ୍ଧୁ ବାନ୍ଧବ ବହୁତ ମଧ୍ୟ ସାଥିରେ ଅଛନ୍ତି l ସମସ୍ତେ ଆଜି ସହାସ୍ୟ ବଦନରେ ଉପସ୍ଥିତ ଡାକ୍ତର ସନ୍ତୋଷକୁ ସ୍ୱାଗତ କରିବା ପାଇଁ l କିନ୍ତୁ ସନ୍ତୋଷ ତା'ର ପିଲାଦିନ ବାନ୍ଧବୀକୁ ଖୋଜି ଚାଲିଛି, ହଠାତ ତା'ର ଚକ୍ଷୁ ନିକ୍ଷେପ ହେଲା ଜଣେ ଧଳା ଶାଢ଼ୀ ପରିଧାନ କରିଥିବା ବିଧବାଙ୍କ ଉପରେ.. l ସେଇ ନିରୀହ ଆଖି, ସେ ପଦ୍ମ ପାଖୁଡା ଓଠ ସହ ସୁନ୍ଦର ମୁଖ ମଣ୍ଡଳ ! ସେ କ'ଣ ମୋର ସେ ପ୍ରିୟତମା ସ୍ଵାଗତିକା ତା'ର ଏପରି ପରିଧାନ କ'ଣ ପାଇଁ ସେ କରିଛି କହି -ଜୋରରେ ଚିତ୍କାର କରି ଡାକିଲା ସ୍ଵାଗତିକା........!! ହଠାତ ସ୍ଵାଗତିକା ରହିଗଲା ଆଉ ହସ ହସ ମୁହଁରେ ତାକୁ ଅଭିନନ୍ଦନ ଜଣାଇଲେ l ସନ୍ତୋଷ କହିଲା ତୋର ଏଇ କି ବେଶ ମୋତେ ରହସ୍ୟ କରୁଛୁ .. l ଏଭଳି ରହସ୍ୟ ମୋର ପସନ୍ଦ ନୁହେଁ ହେଲା.. l ଯା' ଜଲଦି ଶାଢ଼ୀ ବଦଳାଈକି ଆସେ l ସ୍ଵାଗତିକା ସ୍ତବ୍ଧ ପ୍ରାୟ ହୋଇଯାଇ କହିଲା ରହସ୍ୟ ତୋତେ କାହିଁକି କରିବି.. l ଭାଗ୍ୟ ମୋ' ସହିତ ଖେଳ ଖେଳି ରହସ୍ୟ କରିଛି କହି ଭୋ' ଭୋ' କାନ୍ଦି ଉଠିଲା l ସନ୍ତୋଷ କିଛି ବୁଝି ପାରିଲାନି.. ତାକୁ କହିଲା ତୁ ମୋତେ ସବୁ କହ କ'ଣ ହୋଇଛି ତୋର.. ସ୍ବାଗତିକା କହି ଚାଲିଲା ଅତୀତ ଘଟଣା ସବୁ....
ସନ୍ତୋଷ ତୁମେ ମେଡିକାଲ ପଢିବାକୁ ଗଲା ପରେ , ମୋର ବିବାହ ଜଣେ ଡାକ୍ତରଙ୍କ ସହିତ ଠିକ ହୋଇଗଲା l ତୁମକୁ ଏକଥା ଜଣାଇବା ପାଇଁ ବହୁତ ଚେଷ୍ଟା କରିଛି କିନ୍ତୁ ଭାବିଲି ଏକଥା ଜାଣିଲେ ତୁମେ ସିଧା ମୋ ବିଭାଘରକୁ ଚାଲି ଆସିବ ଫଳରେ ପାଠ ପଢ଼ାରେ ଅସୁବିଧା ହେବ ସେଥିପାଇଁ ମଉସା ଆଉ ମାଉସୀଙ୍କୁ ମଧ୍ୟ ମନା କରିଥିଲି ଏକଥା ତୁମକୁ ନ ଜଣାଇବା ପାଇଁ , ତୁମେ ଆସିଲେ ମୁଁ ଅଚାନକ ଜଣାଇ ତୁମକୁ ଉପହାର ଦେବି ବୋଲି ଭାବିଥିଲି କିନ୍ତୁ ସବୁ ସରିଗଲା ସନ୍ତୋଷ... ବାହାଘର ବହୁତ ଧୂମଧାମରେ ହେଲା.. ବିବାହ ସରିଲା ପରେ କନ୍ୟା ବିଦା ପରେ ରାତ୍ରିରେ ଶାଶୁ ଘରକୁ ଆସିବା ସମୟରେ ଟ୍ରକ ଧକ୍କାରେ ମୋ' ସ୍ୱାମୀଙ୍କ ମୃତ୍ଯୁ ହେଲା l ଶାଶୁଘର ଲୋକଙ୍କ ନିନ୍ଦା ଅପମାନ ଅସହ୍ୟ ହୋଇଗଲା l ସେମାନଙ୍କ ଆଖିରେ ମୁଁ ଦୋଷୀ ହୋଇଗଲି.. l ମୋତେ ବିବାହ କରିଲା ପରେ ତାଙ୍କ ପୁତ୍ରର ମୃତ୍ଯୁ ହେଲା ବୋଲି ସବୁଦିନ ଗଞ୍ଜଣା ଶୁଣି ଶୁଣି ଅଣନିଃଶ୍ୱାସୀ ହୋଇଗଲି ମୁଁ l ଆଜି ମୁଁ ବାପା ମା'ଙ୍କ ପାଖରେ ତାଙ୍କ ମୁଣ୍ଡରେ ବୋଝ ହୋଇ ରହିଛି l ବହୁ ସ୍ଥାନରୁ ଚାକିରୀଟିଏ ପାଇଁ ଚେଷ୍ଟା କରି ମାଂସ ଲୋଭୀ ମାନଙ୍କର ଶିକାର ହୋଇ ଆଜି ନିରାଶ୍ରୟା ହୋଇ ପଡ଼ି ରହିଛି.. କହି କାନ୍ଦି ଉଠିଲା ସ୍ଵାଗତିକା... ସନ୍ତୋଷ ତାକୁ ନିଜ ଆଡକୁ ଟାଣି ଆଣି ଛାତିରେ ଚାପି ଧରିଲା.. ଆଖିରୁ ତା'ର ଲୁହ ପୋଛି ଦେଲା l ଆଉ କହିଲା ସ୍ଵାଗତିକା ତୁମକୁ ଗୋଟେ କଥା କହିବି ଖରାପ ଭାବିବନି.. l ସ୍ଵାଗତିକା କହିଲା - ହଁ କୁହ ; ତୁମେ ମୋର ବନ୍ଧୁ ଯାହା କହିବ ମାନିବି l ସନ୍ତୋଷର ଓଠ ଥରି ଉଠିଲା ଥର ଥର ଓଠରେ ସେ କହିଲା ସ୍ଵାଗତିକା ! ମୁଁ ତୁମକୁ ପିଲାବେଳୁ ନିଜର ଜୀବନସାଥୀ କରିବି ବୋଲି ଭାବି ନେଇଥିଲି.. l କିନ୍ତୁ କେବେ ତୁମ ନିକଟରେ ପ୍ରକାଶ କରିନାହିଁ l ତୁମେ ଯଦି ରାଜି ହେବ ମୋର ତୁମ ହସ୍ତ ଧରିବାରେ କିଛି ଆପତ୍ତି ନାହିଁ l ସ୍ବାଗତିକା କହିଲା..- ତୁମେ ଜଣେ ଏତେ ବଡ ଡାକ୍ତର , ତୁମକୁ ଜୁଆଇଁ କରିବା ପାଇଁ କେତେ ଧନୀ ବ୍ୟକ୍ତି ତାଙ୍କର ସୁନ୍ଦର ଝିଅ ମାନଙ୍କ ସହିତ ବିବାହ ଦେବା ପାଇଁ ଚାହିଁ ବସିଛନ୍ତି l କାହିଁକି ମିଛ ମରୀଚିକା ପଛରେ ଧାବମାନ ହେଉଛ ଯେଉଁଠି କେବେ ବି ଜଳ ଟୋପେ ମିଳିବା ଅସମ୍ଭବ ଅଟେ ? ମୋତେ ଏକାକୀ ବଞ୍ଚିବାକୁ ଦିଅ ସନ୍ତୋଷ | କିନ୍ତୁ ସନ୍ତୋଷ କହିଲା ମୋର ଦରକାର ନାଇଁ ସେ ମାୟାବୀ ଜଳ ବିନ୍ଦୁ ଭରା ତଟିନୀ l ମରୁଭୂମିରେ ମୁଁ ନିଜେ ଜଳଧାରା ଖୋଦିତ କରିବି l ବନ୍ଧୁଟିଏ ହୋଇ ଜୀବନ ସାରା ବନ୍ଧୁ ହୋଇ ରହିବାକୁ ଭିକ୍ଷା ମାଗୁଛି ତୁମକୁ.. l ଏହା ପରେ ସ୍ଵାଗତିକା ମୁଖ ମଣ୍ଡଳରେ ଆନନ୍ଦ ଆଉ ଚକ୍ଷୁରେ ଖୁସିର ଲହୁ l ଏହି ପ୍ରକୃତ ବନ୍ଧୁଙ୍କ ମିଳନରେ ପୃଥିବୀ ରାଣୀର ଆନନ୍ଦ ଅଶ୍ରୁ ଶ୍ରାବଣର ଧାରାରେ ପ୍ରବାହିତ ହେଲା.. l ଆଜି ଦୁଇଜଣ ପ୍ରକୃତ ବନ୍ଧୁଙ୍କ ମିଳନ.. l ଦୁଇ ପରିବାର ମଧ୍ୟ ବହୁତ ଖୁସି ହେଲେ l ଏସବୁ କଥା ଆଗରୁ ଜାଣି ଥିଲେ ହୁଏତ ଆଜି ସ୍ଵାଗତିକାକୁ ଏଭଳି ପରିସ୍ଥିତିର ସମ୍ନା କରିବାକୁ ପଡ଼ି ନଥା'ନ୍ତା .. l ଦୁଇଜଣଙ୍କର ବିବାହ ରୀତି ଅନୁସାରେ ସମ୍ପଣ୍ଣ ହେଲା l ସମସ୍ତଙ୍କ ଆଶୀର୍ବାଦରୁ ଦୁଇ ବନ୍ଧୁଙ୍କ ବନ୍ଧୁତା ଚିରଦିନ ଅମର ହୋଇ ରହିଗଲା ... l
ୟା'କୁ ତ କୁହନ୍ତି ପ୍ରକୃତ ବନ୍ଧୁତା... l ବିନା ସ୍ୱାର୍ଥରେ ଗଢ଼ା ହୋଇଥିବା ବନ୍ଧୁତା କେବେ ବି ଭାଙ୍ଗିଯାଇ ନଥାଏ l ଯଦି ସ୍ୱାର୍ଥ ହାତୁଡି ହୁଏ , ବନ୍ଧୁ ରୂପୀ ପାଚେରୀକୁ ଦୃଢ଼ କରିଥାଏ ସିମେଣ୍ଟ ଆଉ ନଈବାଲି ରୂପୀ ନିସ୍ଵାର୍ଥ ସମ୍ପର୍କ... l
🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବେଦପୁର, ବାଙ୍କୀ, କଟକ
🌹🌹🌹🌹🌹🌹🌹🌹🌹🌹🌹🌹
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।