3/01/2020

💦ସମ୍ମୋହନ💦


 ସୁଚ଼ିତ୍ରା ରଥ
ଓଃ !ଏ ବେଳରେ ତୁମେ 
ଆସିବାର ନଥିଲା
ଏକାନ୍ତରେ ମୋତେ ଶୁଭୁଛି
 ନନାଙ୍କ ବେହଲାର କରୁଣ ଧ୍ବନି
ଦିଶୁଛି ବୋଉ ଆଖିତଳେ ମରୁଥିବା
ପୋଷପୋଷ ଲୁହ
ପୁଣି ଭାଙ୍ଗି ପଡୁଥିବା ଘରର 
 ନିଃଶବ୍ଦ ହା'ହା'କାର ।

ମୁଁ ସଜଉଛି ଦୁଃଖଙ୍କୁ
ଶବ୍ଦର ମହକରେ
ମୁଁ ଲାଗିଛି ଅବସାଦଙ୍କୁ 
ଡେଣା ଦେଇ ଉଡାଇବା ଚେଷ୍ଟାରେ 
ଅବଲୁପ୍ତ ପାପଙ୍କୁ କାନମୋଡି 
ଠିଆ କରାଇବାକୁ ରାସ୍ତାରେ।

ମୁଁ ତୋଳୁଛି ମଶାଣିରେ ଫୁଲ ହୋଇ
ଫୁଟିଥିବା ପ୍ରେମକୁ
ଢୋକୁଛି ତଣ୍ଟିରେ ଅଟକୁଥିବା
ହଳାହଳ ବିଷକୁ
ମୁଁ ଜଳୁଛି ଆବୋରି ନେଇ
ଅନ୍ତଃସାରଶୂନ୍ୟତାର ବିକଳପଣକୁ
ଆଉଟୁଛି ଛାତିତଳ ଦରଜକୁ
ନିଜକୁ ପଥର କରି
ତରଳ କବିତାର ପୀଡା  ସହିବାକୁ ।

ଓଃ! ଏବେଳରେ ତୁମେ
 ଆସିବାର ନଥିଲା 
ତୁମେ  ଆସିଲେ ତ 
 ମହଣେ ମୋହ
ପୁଣି ଝୁଲିପଡେ ମୋ' ବେକରେ
ଜଞ୍ଜାଳର ବିଭୋରତା ଲାଉହୁଏ ପିଠିରେ
ସାରା ଆଖିରେ ଖୁନ୍ଦି ହୁଏ ସ୍ବପ୍ନ 
ଆଲିଙ୍ଗନ କରନ୍ତି ସଞ୍ଚରିତ ସୁଖମାନ ।

ଦ୍ବନ୍ଦରେ ଦୋହଲେ ଏବେ 
କବିତାର   ଧାଡି
ମନ ହୁଏ ପଚାରି
ବିଷାଦର ଋତୁ ବିନା
କ'ଣ ଉତାରି ପାରିବୁ ତୁ
କବିତାର କିଆରି !!

         ପୁରୀ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।