3/01/2020

ଆହାରେ ରସିକ ପାରୁଡ଼ା ପୋକ


**************************
 ★★  ତାରାପ୍ରସାଦ ଜେନା  ★★
**************************

ଆହାରେ ରସିକ ପାରୁଡ଼ା ପୋକ !


ଶମନ ଡାକୁଛି ବୟସ ତେଢ଼ା

ତଥାପି ଅୟସ ଥୋବଡ଼ା ବୁଢ଼ା
ଗଜା ବୟସୀକୁ ପେରମ ଚଢ଼ା
ଆଖିର ଚଷମା ଖସୁଛି ନାକ 
ଆହାରେ ରସିକ ପାରୁଡ଼ା ପୋକ !

ଭାବରେ ନିଲଠା ଗୁମୁଟ ପଶା

ଗାଲୁଆ କାହାଣୀ ମାଲୁଆ ହସା
ଲଳନା ଖେଳନା ଅଙ୍କର ଆଶା
ଶୂନ୍ୟକୁ ହକାରି ଦେଉଛୁ ବୋକ 
ଆହାରେ ରସିକ ପାରୁଡ଼ା ପୋକ !

ନାଲିଆ ଛିଟରେ ଜାମାକୁ ଯୋଡ଼

ଗୁଲିଆ ଖଟିରେ ଫୁଙ୍କୁଚୁ ନାଡ଼
ମାଉଁସ ନାଗିଚି ପାକଳ ହାଡ଼
ଗଜବ ଦେଶର ଅଜବ ଲୋକ
ଆହାରେ ରସିକ ପାରୁଡ଼ା ପୋକ !

ମୁଖସ୍ତ କରିଛୁ ପଞ୍ଚମ ବେଦ

ଶୋଧାକୁ ଉତୁରୁ ବାଦକୁ ଛେଦ
ଅଜଣା ଜଣାକୁ ଆଲୁଅ ଭେଦ
ଜୀରାରୁ ଶିରାକୁ କାଢୁଛୁ ଠକ
ଆହାରେ ରସିକ ପାରୁଡ଼ା ପୋକ !

ତେଲିଆ ରଖିଛୁ ମାରିବେ ତାଳି

ଆମ୍ବକୁ ଆମ୍ବଡ଼ା ପାରିବେ ତୋଳି
କାଳିଆ କୁକୁର ବୋଲିବେ ଛେଳି
ମନକୁ ମନ ତ ନାଆଁକୁ ଡାକ
ଆହାରେ ରସିକ ପାରୁଡ଼ା ପୋକ !
~~~~~~~~~~~~~~~~~~~
                 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।