3/01/2020

କଂସେଇ

ଭାରତୀ ରଥ (ଶିକ୍ଷୟିତ୍ରୀ )
***************
ଅପଲକ ନୟନରେ ଚାହିଁ ରହିଥିଲି 
ତା'ର ଶାଣିତ ଅସ୍ତ୍ରକୁ 
ମୋ ନିରବ ପ୍ରଶ୍ନକୁ ପଢି ନେଲା କି କ'ଣ 
ମୋତେ ପାଲଟା ପ୍ରଶ୍ନ କଲା ----
କଣ ଭାବୁଛ ? 
ଏସବୁ କେମିତି ଏତେ ଅନାୟସରେ କରିପାରୁଛି ? 
କେବଳ ଈଶ୍ୱରଙ୍କ ନିର୍ଦ୍ଦେଶରେ 
ତୁମ ମାନଙ୍କ ଖୁସି ପାଇଁ 
ପରିବେଶର ସନ୍ତୁଳନ ରକ୍ଷା କରୁଛି ପରୋକ୍ଷରେ.....
ଏବେ ବି ମୋ' ଭିତରେ ବଞ୍ଚିଛି କୋମଳ ହୃଦୟଟିଏ...
ମୋତେ କଂସେଇ ସଜେଇଛି କିଏ ? 
ତୁମ ମାନଙ୍କ ମନର କ୍ଷୁଧା ମେଣ୍ଟାଇବାକୁ 
ମୁଁ ବାଛି ନେଇଛି ବୃତ୍ତି ସ୍ୱରୂପ...















କିନ୍ତୁ ସେମାନେ ? 
ନିଜ ଶରୀରର କ୍ଷୁଧାକୁ ମେଣ୍ଟେଇବାକୁ 
ପ୍ରତି ମୁହୂର୍ତ୍ତରେ ଯେଉଁମାନେ ଝୁଣି ପକାନ୍ତି 
ଅବଳା ନାରୀର କୋମଳ ଶରୀରକୁ 
ଆଭିଜତ୍ୟର ଦ୍ୱାହି ଦେଇ ପିଇ ଯାଆନ୍ତି 
ଶୋଷିତ ଜନତାର ଲହୁକୁ......
କେବେ ପଚାରିଛ ସେ କଂସେଇ ମାନଙ୍କୁ ଏ ପ୍ରଶ୍ନ ? 
ତେବେ ମୋତେ କାହିଁକି ? 
ନିରବରେ ଉଠିଥିଵା ପ୍ରଶ୍ନର ଝଡ଼ 
ଥମିଗଲା ମୋ' ମନ ଭିତରେ 
ନିର୍ବାକ ହୋଇ ଖୋଜୁଥିଲି 
ଆଜି ବି ଖୋଜୁଛି ତା' ପ୍ରଶ୍ନର ଉତ୍ତର...... 

ରଗଡ଼ି-ବାଙ୍କୀ -କଟକ 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।