3/01/2020

ନିଃସ୍ବାର୍ଥ ସେବାର ଫଳ

  ସ୍ମିତା ମହାନ୍ତି


      ସବୁଜିମା ଘେରା ପାହାଡ । ପାହାଡ ଉପରେ ସୁନ୍ଦର ଓ ବିଶାଳ ରାଜପ୍ରାସାଦ । ରାଜପ୍ରାସାଦରେ ପବିତ୍ରତାର ପ୍ରତୀକ ସ୍ଵରୂପ ସବୁବେଳେ ଜଳୁଥିଲା ମଶାଲଟିଏ । ମଶାଲର ବିଶେଷତ୍ୱ ଏହା ଥିଲା ଯେ ଶୀତ ପ୍ରକୋପରୁ ପ୍ରସାଦବାସୀଙ୍କୁ ରକ୍ଷା କରୁଥିଲା । ହଠାତ ଦିନେ କୌଣସି କାରଣରୁ ମଶାଲଟି ଲିଭିଗଲା । ସମସ୍ତେ ଏହାକୁ ଅଶୁଭ ସଂକେତ ବୋଲି ମନେ କଲେ ତ ଆଉ କେହି କେହି  ପ୍ରାସାଦବାସୀଙ୍କ ନିୟମିତ କଳହ ଯୋଗୁ ତାହା ଲିଭି ଗଲା ବୋଲି ସନ୍ଦେହ କଲେ ।
       ମଶାଲଟିକୁ ବାରମ୍ବାର ଜଳେଇବାର ଶତଚେଷ୍ଟା କରି ମଧ୍ୟ ସମସ୍ତେ ବିଫଳ ହେଲେ । ପ୍ରବଳ ଥଣ୍ଡା ଯୋଗୁଁ ସମସ୍ତେ ଥରିବାରେ ଲାଗିଲେଣି । ରାଜପ୍ରାସାଦଟି ସତେ ଯେପରି ବରଫରେ ଢାଙ୍କି ହୋଇ ପଡିଛି । ରାଜା ଆଉ କିଛି ଉପାୟ ନ ପାଇ ଦୂତକୁ ପାହାଡ ତଳେ ଥିବା ଗାଁରୁ କିଛି ଜଳନ୍ତା କୋଇଲା ଆଣିବା ପାଇଁ ଆଦେଶ ଦେଲେ । ଲୋକଟି ପାହାଡ ତଳକୁ ଓଲ୍ହାଇ ଗାଁରେ ପ୍ରବେଶ କରି ରାଜମହଲ ପାଇଁ ଜଳନ୍ତା କୋଇଲା ଆବଶ୍ୟକ ଡାକି ଡାକି ଚାଲିଲା ।କିଛି ବାଟ ଗଲା ପରେ ତାକୁ କିଏ ଜଣେ ଡାକିବାର ଶବ୍ଦ ଶୁଣିଲା । ପଛକୁ ବୁଲି ଦେଖେ ତ ଜଣେ ବ୍ୟକ୍ତି ମୋ' ଘରେ ରାଜପ୍ରାସାଦ ପାଇଁ ଜଳନ୍ତା ଅଙ୍ଗାର ଅଛି ; ନେଇ ଯାଅ  ।କିନ୍ତୁ ପ୍ରତିବଦଳରେ ରାଜାଙ୍କୁ କହିଦେବ ଏକଶହସ୍ର ସ୍ବର୍ଣ୍ଣ ମୁଦ୍ରା ମୁଁ ଚାହେଁ । ଦୂତଟି ଲଣ୍ଠନଟିଏ ଧରି ଆସିଥିଲା ।ସେଥିରେ ଦୁଇଚାରିଗୋଟି ଜଳନ୍ତା ଅଙ୍ଗାର ଧରି ଅଳ୍ପ କିଛି ବାଟ ଯାଇଛି କି ନାହିଁ ସେଗୁଡିକ ପୁରା ଥଣ୍ଡା ପଡିଗଲା ଓ ଲିଭିଗଲା ।ଦୂତଟି ପୁନର୍ବାର ଜଳନ୍ତା ଅଙ୍ଗାର ରାଜମହଲ ପାଇଁ ଦରକାର ବୋଲି ଡାକିଡାକି ଗଲା । ଜିନି ନାମରେ ଝିଅଟି ବାହାରି ଆସିଲା ଘରୁ । ଯେତେ ଚା଼ହଁ ସେତେ ଅଙ୍ଗାର ନେଇପାର । ହେଲେ ପ୍ରତିବଦଳରେ ମୋ' ବାପାଙ୍କୁ ସେନା ବିଭାଗରେ ଚ଼ାକିରୀ ଦେବାକୁ ତୁମ ରାଜାଙ୍କୁ ଅନୁରୋଧ ।


ଦୂତଟି ତା' କଥା ଶୁଣି ତା' ଘରୁ କିଛି ଜଳନ୍ତା କୋଇଲା ଧରି ଦୂତଟି ଆଗେଇ ଚାଲିଲା ହେଲେ ପୁଣି ସେଇ ଅବସ୍ଥା , ପୁଣି ସେ ଲିଭିଗଲା ।ନିରାଶ ହୋଇ ଲୋକଟି ଫେରି ଆସିଲା । ଫେରିବା ବାଟରେ ଲୋକଟି ଦେଖିଲା କୁଡ଼ିଆ ଘରଟିଏ , ଦୁଆର ଖୋଲା ଅଛି । ଛୋଟ ଝିଅଟିଏ ବସି ଜଳନ୍ତା ଆଞ୍ଚ ପାଖରେ ଖୁଦଜାଉ ତିଆରି କରୁଛି । ଦୂତର ପାଟି ଶୁଣି ଝିଅଟି କହିଲା ଭିତରକୁ ଆସ , ଯେତେ ପାର ସେତେ ଜଳନ୍ତା କୋଇଲା ନେଇପାର । କିନ୍ତୁ ଯିବା ଆଗରୁ ଏଇ ଆଞ୍ଚ ପାଖେ ବସି  ନିଜକୁ ଗରମ କରିନିଅ ଓ କିଛି ଗରମ ଖୁଦ ଜାଉ ଖାଇ ଦେଇ ଯାଅ । ଥଣ୍ଡାରୁ ଆରାମ ମିଳିବ । ଝିଅଟିର କଥା ମାନି ଲୋକଟି ଭିତରକୁ ଯାଇ ଗରମ ଆଞ୍ଚ ପାଖେ ବସି ଖୁଦଜାଉ ଖାଇଲା ଓ ଫେରିଲା ବେଳେ ତା'ଠୁ ଜଳୁଥିବା କୋଇଲା ଦୁଇଖଣ୍ଡ ନେଇ ଗଲା ।



       ଯେତେ ଆଗକୁ ଆଗକୁ ଯାଉଥାଏ କୋଇଲା ଗୁଡିକ ବେଶିରୁ ବେଶି ଜଳି ତେଜିୟାନ ଦେଖା ଯାଉଥାଏ । ସତେ ଯେପରି ରାତ୍ରିର ଘନ ଅନ୍ଧକାର କୁଆଡେ ମିଳେଇ ଗଲା ଓ ଉଦିତ ସୂର୍ଯ୍ୟର କିରଣରେ ପଥ ପରିଷ୍କାର ହୋଇଗଲା ।ଅକ୍ଳେଶରେ ଦୂତଟି ଜଳନ୍ତା କୋଇଲା ଧରି ରାଜପ୍ରାସାଦରେ ପହଞ୍ଚି ଗଲା ଓ ପୁନର୍ବାର ରାଜପ୍ରାସାଦର ମଶାଲ ପୂର୍ବ ପରି ଜଳି ଉଠିଲା । ସମସ୍ତେ ଶୀତର ପ୍ରକୋପରୁ ରକ୍ଷା ପାଇବା ସହ ଛୋଟ ଝିଅଟିକୁ ଈଶ୍ବର ପ୍ରେରିତ ଦେବଦୂତ ବୋଲି ଭାବିଲେ । ଛୋଟ ଝିଅଟିର ନିଃସ୍ୱାର୍ଥ ସେବା ଯୋଗୁ ସବୁ କିଛି ସମ୍ଭବ ହୋଇ ପାରିଲା ବୋଲି କେହି କେହି ମନ୍ତବ୍ୟ ଦେଲେ । ସ୍ୱାର୍ଥ ନିହିତ ସେବା ହିଁ ନିଷ୍ଫଳ ହୁଏ ।


                                    ରାଉରକେଲା, ସେକ୍ଟର -୮
                                   

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।