3/01/2020

ସାହିତ୍ଯ ନାମରେ ଚଞ୍ଚକତା


                              ଡ଼କ୍ଟର ଲକ୍ଷ୍ମଣ ସାହୁ    

             ନିକଟରେ  ଏ' ଅଧମ  ବିଭିନ୍ନ  ସାହିତ୍ୟାନୁରାଗି  ବନ୍ଧୁମାନଙ୍କୁ  ବିଭିନ୍ନ  ସମ୍ବର୍ଦ୍ଧନା  ଉତ୍ସବରେ  ଭେଟିଛି  ,  ସେମାନଙ୍କ  ସାହିତ୍ୟ  ସମ୍ବନ୍ଧରେ  ଶାଣିତ  ଭାଷଣ  ଶୁଣି  ବିସ୍ମୟ  ବିମୁଗ୍ଧ  ହୋଇଛି  ।  ସମ୍ବର୍ଦ୍ଧନା  ଉତ୍ସବରେ  ବହୁ  ବହୁ  ଗୁଣରେ  ଗୁଣବାନ  ଖ୍ୟାତି (ଅ)  ସଂପନ୍ନ ମହାମହିମ  ମାନଙ୍କୁ  ସମ୍ବର୍ଦ୍ଧନା  ଦିଆଯାଉଥିବା  ବେଳେ  କରତାଳି ଉଛୁଳି  ପଡୁଥିବା  ଓ  ନିଜକୁ  ପରମ  ସୌଭାଗ୍ୟଶାଳୀ  ମନେକରୁଥିବା  (ଅ)ମହାମହିମମାନଙ୍କ  ବୀରଦର୍ପ  ସୁଠାମ  ସ୍ମିତହାସ୍ୟ  ଅବଲୋକନ  କରିଛି  ।  ଇନ୍ଦ୍ର  ସଂପଦ  ଲାଭ  କରିବା  ଭଳି  ଆତ୍ମସନ୍ତୋଷ  ଏ' ମାନପତ୍ର  ଖଣ୍ତିକରେ  ଯେ  ଲୁଚି  ରହିଛି  ତା'  ମୋତେ  ଅଜଣା  ଅଛି  କେମିତି  ଜାଣେନା  ।  ମାନପତ୍ର  ସମ୍ବର୍ଦ୍ଧନା  କୌଣସି  ସରକାରୀ  ପକ୍ଷରୁ  ନୁହେଁ  କି  ସରକାରୀ  ସ୍ୱୀକୃତିପ୍ରାପ୍ତ  ଅନୁଷ୍ଠାନରୁ  ନୁହେଁ  ।  ଯଦିଓ  କେତେକ  ପଞ୍ଜିକରଣ  କରାଯାଇଥିବା  ଅନୁଷ୍ଠାନ ,  ସବୁ  ଅନୁଷ୍ଠାନ  ନୁହେଁ,  କେତେକ  ଅନୁଷ୍ଠାନ  ଗୋଟିଏ  ମୁହୂର୍ତ୍ତରେ  ଶତାଧିକ  ମହାମହିମ  ସାହିତ୍ୟିକ  ବୋଲାଉଥିବା  (ଅ)ସାହିତ୍ୟିକଙ୍କୁ  ସମ୍ବର୍ଦ୍ଧନା  କରୁଥିବା  ହାସ୍ୟାସ୍ପଦ  ମନେହୁଏ  ।  କବି  ରାଧାନାଥ ରାୟଙ୍କ  ଭାଷାରେ  " ଉପାଧି  ଜଡ଼ିତ  ଉପାଧି  ଜଡ଼ିତ ,  ଉପାଧିରେ  ଆଜ  କରିବେ  ଭୂଷିତ  ! "

          ସ୍ୱତନ୍ତ୍ର  ତଥ୍ୟାନୁସାରେ  ସ୍ପଷ୍ଟ  ହୁଏ  ଆଜିର  ଏ  ସୋସିଆଲ  ମିଡିଆ  ମାନେ  ଫେସବୁକ ,  ଓ୍ୱ।ଟସ ,  ମେସେଜ ,  କାଭାଁ  ଖବର  କାଗଜରେ  ଲେଖା  ଯାହା  କିଛି  ଗୋଟାଏ  ଦୁଇଟି  ବାହାରି  ଗଲେ  ସାହିତ୍ୟିକ/ସାହିତ୍ୟିକା  ବନିଯିବାରେ  ଅସମ୍ଭବ  ନୁହେଁ  ।  ଛାଡ଼ନ୍ତୁ ,  ରାଧାନାଥ  ଦିନେ  ସିନା  ଉତ୍କଳରେ  ବାଗ୍ ଦେବୀ  ସରସ୍ବତୀଙ୍କ  ବିମୁଖ ( ଦେବୀ  ବୀଣାପାଣି   କେଉଁ  ପାପ  ଫଳେ ,  କରୁଣା  ତୋହର  ଉଣା  ଏ  ଉତ୍କଳେ )  ପାଇଁ  ଦୁଃଖ  ପ୍ରକାଶ  କରୁଥିଲେ  ।  ଏବେ  କିନ୍ତୁ  କେତେ  କେତେ  କବିପ୍ରାଣ ,  କବି ସୌରଭ ,  ପ୍ରଜ୍ଞା ଶିରୋମଣି ,  କବିଗୌରବ  ଆଦି ,  ଏତତ୍ ବ୍ୟତୀତ  ପ୍ରାତଃସ୍ମରଣୀୟ  କବି  ସୂର୍ଯ୍ୟ ,  କବି  ସମ୍ରାଟ , ବ୍ୟାସକବି ,  ପ୍ରଣୟ  କବି ,  କବି  ଗଡନାୟକ ,  ସଚ୍ଚିଦାନନ୍ଦ  , ବୈଷ୍ଣବ  ପାଣି ,  ଗୋପାଳ  ଛୋଟରାୟ  ,  ଶୁଦ୍ର ମୁନି ,  ଜଗନ୍ନାଥ  ଦାସ ,  ଭକ୍ତ କବି ,  ମହତାବ   ଇତ୍ୟାଦି  ଇତ୍ୟାଦି  ନାମରେ  ସମ୍ବର୍ଦ୍ଧନା  ଦିଆଯାଉଛି  ଓ  ନିଆଯାଉଛି  ତାହାର  ଇୟତ୍ତା  ନାହିଁ   ।   ଦେଉଥିବା  ଅନୁଷ୍ଠାନ  ଓ  ଗ୍ରହଣ  କରୁଥିବା  (ଅ) ମହାମହିମ  ଏହି  ପ୍ରାତଃସ୍ମରଣୀୟ  ଓଡିଆ  ଭାଷା  ସାହିତ୍ୟରେ  ଅବିସ୍ମରଣୀୟ  ସ୍ରଷ୍ଟାମାନଙ୍କୁ  ଜାଣନ୍ତି  କି  ଅଜଣା    ?   ସେମାନଙ୍କ  ସଂପର୍କରେ  କେତେ  ଦକ୍ଷତା ,  ପାରିଦର୍ଶିତା ,  ଗବେଷଣା  ରହିଛି  ନା  ମହାମହିମ  ସେହି  ପ୍ରାତଃସ୍ମରଣୀୟ  ମାନଙ୍କ  ସହ  ସମତୁଳନୀୟ   ??   ତାହା  କେବଳ  ନେବା  ଓ  ଦେବା  ସୁସାହିତ୍ୟିକ  ବୋଲାଉଥିବା  ଏହି  ଜ୍ଞାନୀଗୁଣି  ମାନଙ୍କୁ  ଆମର  ବିନମ୍ର  ପ୍ରଣାମ  ,  ସତରେ  ସେମାନଙ୍କ  ସାହିତ୍ୟ  ( କାଳଜୟୀ/ କାଳଶ୍ରୟୀ)  କୃତି  ସମୂହକୁ  ଆକଳନ , ତର୍ଜମା , ଅନୁଶୀଳନ  କରି  ସମ୍ମାନିତ  କରାଯାଉଛି  ନା  ନେପଥ୍ୟ  କିଛି  କିଛି  ଅସଲ  ଉଦ୍ଦେଶ୍ୟ  ଲୁଚି  ରହୁଛି  ???  ଓଡିଆ  ସାହିତ୍ୟ  ଭଣ୍ଡାରକୁ  ରୁଦ୍ଧିମନ୍ତ  କରିଥିବା  ସେହି  ଅବିସ୍ମରଣୀୟ  ଅମ୍ଳାନ  ପ୍ରତିଭାଧର  ମାନଙ୍କ  ନାମାନୁସାରେ  ସମ୍ବର୍ଦ୍ଧନା  ଦେଇ  ପୂର୍ବସୂରୀ  ମାନଙ୍କୁ  ଅସମ୍ମାନ  କରାନଯାଉ  ।  ନିଜସ୍ୱ  ଅନୁଷ୍ଠାନ  ନାମରେ  କାହାକୁ  ସମ୍ବର୍ଦ୍ଧନା  ଦିଆଗଲେ  କାହାର  ଆପତ୍ତି  ଅଭିଯୋଗ  ଆସିବ  ନାହିଁ  ।  ସରକାର  କର୍ତ୍ତୃପକ୍ଷ  ଏଥିପ୍ରତି  ଦୃଷ୍ଟିଦେବାର  ଆବଶ୍ୟକ  ରହିଛି  ।  କିଛି ସାରସ୍ବତ ସଂଗଠନ 'ର  ପୁରୋଧାମାନେ  ବୋଧହୁଏ  ନିଜକୁ  ପ୍ରଚଣ୍ଡ  ଜ୍ଞାନର  ବାରଧି  ମନେକରୁଛନ୍ତି ।  ତେଣୁ  ସେମାନେ  ଅପାତ୍ରରେ  ପ୍ରଦାନ  କରୁଛନ୍ତି  କବିରତ୍ନ,  କବି ସମ୍ରାଟ ,  କବି ସୂର୍ଯ୍ୟ ,  ବ୍ୟାସକବି ଓ  ପଣ୍ଡିତ  ଆଦି  ଉପାଧି...!!

           ବିଭିନ୍ନ   ସାରସ୍ୱତ  ଉତ୍ସବରେ   ସଭାମଣ୍ତନ  କରୁଥିବା  ଏହି  ମହାମହିମ  (ଅ)ସାହିତ୍ୟକମାନେ  ସାହିତ୍ୟ  ସଂପର୍କରେ  ଯେଭଳି  ଗୁଜବ  ସୃଷ୍ଟି  କରନ୍ତି,  ନାନା  ବିବାଦ  ମାନ  ମନ୍ତବ୍ୟ  ଦେଇ  ଆତ୍ମତୃପ୍ତି  ଲାଭକରନ୍ତି  , ମନେହୁଏ  ଶତାଧିକ  ବର୍ଷର  ଇତିହାସ  ସେମାନଙ୍କ  ଗବେଷଣାଗାରରେ  ଗଚ୍ଛିତ  ରହିଛି  ।  ସାହିତ୍ୟର  ସଂଜ୍ଞା  ନିର୍ଣ୍ଣୟ  ଅତି  ବ୍ୟାପକ  ଓ  କଷ୍ଟକର  ।   ସେଣ୍ଟ୍  ଅଗଷ୍ଟାଇନ୍  ଏକଦା  କହିଥିଲେ  " ମୋତେ  ଯଦି  ନପଚାର ,  ତାହେଲେ  ମୁଁ  ଜାଣିଛି  ବୋଲି  କହିବି ,  କିନ୍ତୁ  ଯଦି  ମୋତେ  ପଚାରିବ,  ତାହେଲେ  ମୁଁ  କହିବି  ଜାଣିନି  ।''  ସାହିତ୍ୟକୁ  ଅଳ୍ପରେ  ବିଶ୍ଳେଷଣ  କରିବା  ସହଜ  ସାପେକ୍ଷ  ନୁହେଁ  ।   କେବଳ  ଯାହା  ବ୍ୟବହାର  ବିଧିରେ  ଥାଏ  ସାହିତ୍ୟ  ବା  ଲିଟେରେଚର୍  ଏହା  ମଧ୍ୟ   କହିବା  ଠିକ୍  ନୁହେଁ  ।   କାରଣ  ସଂବାଦ,  ଇତିହାସ , ଭୂଗୋଳ  ,  ସରକାରୀ  କାଗଜପତ୍ର  ,  ବିଜ୍ଞାପନ,  ସବୁ  କବିତା , ଗଳ୍ପ ,  ନାଟକ ,  ଉପନ୍ୟାସ  ସାହିତ୍ୟ  ପଦବାଚ୍ୟ  ଭାବିବା  ଭୁଲ୍  ।  ସାହିତ୍ୟର  ଆଙ୍ଗିକ,  ଆବଶ୍ୟକୀୟ   ଉପାଦାନ   ଆଦିର   ବିଶ୍ଳେଷଣ  ରହିଛି  ।   ପ୍ରକୃତ  ସାହିତ୍ୟ  ଯାହା  କେବଳ  ଆବେଗ  ,  ଭାବନା  ଓ  କଳ୍ପନା  ପ୍ରସୂତ  ଜଗତ  ଓ  ଜୀବନ  ସମ୍ବନ୍ଧୀୟ  ସ୍ଥାୟିତ୍ୱ  ଗୁଣ  ସମ୍ପନ୍ନ  ଏକ  କଳାତ୍ମକ  ସୃଷ୍ଟି ,  ଯାହାର  ସ୍ଥାୟିତ୍ୱ  ଗୁଣ  ରହିଛି  ।  ଜଗତ  ଓ  ଜୀବନ  ସମ୍ପର୍କରେ  ସ୍ରଷ୍ଟାର  ଭାବ-ଭାବନା  ଓ  ଆବେଗ-ଅନୁଭୂତି  ସାହିତ୍ୟରେ  ପ୍ରକାଶପାଏ  ।  ସ୍ରଷ୍ଟାର  ଭାବନାଭୂତି  ପାଠକ  ନିଜ  ଅନ୍ତରରେ  ଅନୁଭବ  କରେ  ।  ସ୍ରଷ୍ଟାର  ଭାବ-ଭାବନା,  ଚିନ୍ତା-  କଳ୍ପନା ,  ଜଗତ  ଓ  ଜୀବନ  ସମ୍ପର୍କିତ  ହୋଇଥିବାରୁ  ସାହିତ୍ୟ  ଗଭୀର  ଓ  ଦୀର୍ଘସ୍ଥାୟୀ  ମାନବଧର୍ମୀ  ପାଲଟେ ।  ତାହା  ପାଠକର  ନିକଟତର  ,  ଅନ୍ତରଙ୍ଗ  ଓ  ଆଦରଣୀୟ  ହୁଏ  ।  ତେଣୁ   ସାହିତ୍ୟ  ସଂପର୍କରେ   ହଡସନ୍  କୁହନ୍ତି - "  ସାହିତ୍ୟ  ହେଉଛି  ଜୀବନାଭୂତିର  ବାଙ୍ମୟ  ପରିପ୍ରକାଶ  ।  ମାଥ୍ୟୁଆର୍ ନୋଲଡ୍ ଙ୍କ  ଦୃଷ୍ଟିରେ " ସାହିତ୍ୟ  ହେଉଛି  ଜୀବନର  ପର୍ଯ୍ୟାଲୋଚନା  ।"  କରିରିଜ୍ ଙ୍କ  ଭାଷାରେ- "  ଜୀବନ  ଓ  ଜଗତ  ସଂପର୍କରେ  କେତେକ  ଚିରସ୍ଥାୟୀ  ଚିନ୍ତା ,  ଭାବ   ଓ  ଅନୁଭୂତିର  ପରିପ୍ରକାଶ  ହେଉଛି  ସାହିତ୍ୟ  ।"

               ସାହିତ୍ୟ  ଶବ୍ଦଟି  ' ସହିତ '  ଶବ୍ଦରୁ  ଉତ୍ପନ୍ନ  ।  ' ହିତେନ  ସହ  ମହିତଂ  ତସ୍ୟଭାବଃ  ସାହିତ୍ୟମ୍ '  ।   ଅର୍ଥ  ସାହିତ୍ୟ  ମାନବ  ସମାଜର  ହିତ  ସାଧନ  କରିଥାଏ  ।  ତେଣୁ  କୁହାଯାଇଛି- " ରାମାଦିବତ୍  ପ୍ରବର୍ତ୍ତିତବ୍ୟମ୍  ନ  ରିବଣାଦିବତ୍ ।"  ସାହିତ୍ୟ  ରାମଙ୍କ  ଭଳି  ଜଗତର  ମଙ୍ଗଳ  ସାଧନ  କରିବା  ଉଚିତ ,  କିନ୍ତୁ  ରାବଣ  ପରି  ଜଗତର  ଅମଙ୍ଗଳ  କରିବା  ସାହିତ୍ୟର  ଧର୍ମ  ନୁହେଁ  ।  ସାହିତ୍ୟର  ଏହା  ନୈତିକ  ଗୁଣ  ।   ସୂଚେଇ  ଦେବାକୁ  ବାଧ୍ୟ  ହେଉଛି  ଏହି  ନୈତିକ  ଗୁଣ  ସାହିତ୍ୟିକ  ବନ୍ଧୁମାନେ  ଭୁଲି  ଯାଉଛନ୍ତି  ବା  କିପରି  ?  ଅର୍ଥ  ଦେଇ  ବା  ନେଇ  ସାହିତ୍ୟ  ସାଧନା  କରାଯାଏ  ନାହିଁ ,  କି  କେହି  ଲବ୍ଧ  ସାହିତ୍ୟିକ  ହୋଇ  ପାରେ  ନାହିଁ  ।  ଦେଖାଦେଇଛି   ଅର୍ଥ  ଦେଇ  ବିଭିନ୍ନ   ପତ୍ର-ପତ୍ରିକାରେ  ନିଜ  ସୃଷ୍ଟିକୁ  ଛାପିବା  ଅପେକ୍ଷା  ଧୀରେ  ଧୀରେ  ସଂଚୟ  କରି  ନିଜର  ବହିଟିଏ  ଛାପିଲେ  ତାର  ଅମୃତ  ସ୍ୱାଦ  ବାରି  ହେବ  ।  କେତେକ  ଅର୍ଥ  ଶୋଷଣକାରୀ  ପିପାସୁ  ଲେଖାଟିଏ  ଛାପିବାର  ଓ  ସମ୍ବର୍ଦ୍ଧନା  ଦେବାର    ମୋହ  ଦେଖାଇ  ପଦ  ପଦବୀ  ନାମରେ  ଅର୍ଥ  ସଂଗ୍ରହ  କରି  ସେଇ  ଅର୍ଥରେ  କିଛି  ସଂପାଦକ  ବାହାବା  ନେଉଛନ୍ତି, ସେଭଳି  ସଂପାଦକ  ମାନଙ୍କ  ଠାରୁ  ଦୂରେଇ  ରହନ୍ତୁ ।  ନୋହିଲେ  ସବୁଦିନେ  ଭକୁଆ  ହୋଇ  ରହିଥିବେ   ?  ଏଥିରେ  ସାହିତ୍ୟର  କି  ଜାତିର  ଉନ୍ନତି  ଘଟିବ  ନାହିଁ ,  ବରଂ  ସାହିତ୍ୟକୁ  ପରୋକ୍ଷରେ  ହତ୍ୟା  କରିଯାଉଛି  ।   ସାହିତ୍ୟ  ନବୁଝି  ସାହିତ୍ୟକୁ  କଦର୍ଥ  କରୁଥିବା  ଏହି  ମୁଷ୍ଟିମେୟ  ରାବଣ  ସଂପ୍ରଦାୟଙ୍କୁ  ଚିହ୍ନଟ  କରିବାର  ଆବଶ୍ୟକ  ରହିଛି  ।  ମନଇଚ୍ଛା  ମଞ୍ଚରେ  ସାହିତ୍ୟ  ସଂପର୍କରେ  ଏଣୁ  ତେଣୁ  ଗୁଡାଏ  କହିଦେଲେ  ,  ବିଭିନ୍ନ  ଟିପ୍ପଣୀ  ଦେଲେ  ସାହିତ୍ୟ  ହୁଏନି,  ସେଥିପାଇଁ  ଗଭୀର  ଅଧ୍ୟୟନ ,  ଅଧ୍ୟାବସାୟ  ,  ସାଧନା  ରହିଛି  । 

            ' ସହିତ '  ଶବ୍ଦର  ଭିନ୍ନ  ଏକ  ଅର୍ଥ  ହେଉଛି  ' ମିଳନ ' ।  ଅର୍ଥାତ  ଶବ୍ଦ  ଓ  ଅର୍ଥର  ଉପଯୁକ୍ତ  ମିଳନକୁ  ସାହିତ୍ୟ  କୁହାଯାଏ  ।  " ବାଗାର୍ଥବିବ  ସଂପୃକ୍ତୌ  ବାଗାର୍ଥପ୍ରତି ପତ୍ତୟେ ,  ଜଗତପିତରୌ  ବନ୍ଦେ  ପାର୍ବତୀ  ପରମେଶ୍ବରୌ -" କାଳିଦାସ  'ରଘୁବଂଶ 'ରେ  ଶବ୍ଦ  ଓ  ଅର୍ଥର  ଏହି  ମିଳନକୁ  ଶିବ  ପାର୍ବତୀଙ୍କ  ସହ  ଯୋଡିଛନ୍ତି  ।  କୁନ୍ତକ  " ସମସର୍ବ  ଗୁଣୌ  ସନ୍ତୌ  ସୁ  ହୃଦାବିବ  ସଂଗତୌ ,  ପରସ୍ପରସ୍ୟ  ଶୋଭାୟୈ  ଶଦ୍ଦାର୍ଥୌ  ଭବତୋ  ଯଥା -" ,  ଅର୍ଥାତ  ଶବ୍ଦ  ଓ  ଅର୍ଥର  ପରସ୍ପର  ସହଭାବକୁ  ସେ  ଦୁଇ  ମିତ୍ରଙ୍କର  ଘନିଷ୍ଠ  ବନ୍ଧୁତ୍ୱକୁ  ତୁଳନା  କରିଛନ୍ତି  ।  ପ୍ରକୃତରେ  ଶବ୍ଦ  ଓ  ଅର୍ଥର  ମିଳନ  କେବଳ  ନୁହେଁ  ବରଂ  ଶବ୍ଦ ,  ଅର୍ଥ ,  ଭାବ  ଓ  କଳ୍ପନା  ନେଇ  ସାହିତ୍ୟ  ସର୍ଜନା ,  ସେସବୁର  ସଠିକ୍  ସହାବସ୍ଥାନ  ମିଳନରେ  ସାହିତ୍ୟର  ସୌନ୍ଦର୍ଯ୍ୟ  ଗଢିଉଠେ  ।  ରବୀନ୍ଦ୍ର  ନାଥ  ଠାଗୋରଙ୍କ  ମତରେ   " ସହିତ  ଶବ୍ଦରୁ  ସାହିତ୍ୟର  ଉତ୍ପତ୍ତି  ।"   ତାହା  କେବଳ  ଭାବରେ  ଭାବର ,  ଗ୍ରନ୍ଥରେ  ଗ୍ରନ୍ଥର  ମିଳନ  ନୁହେଁ  ,  ମନୁଷ୍ୟ  ସହିତ  ମନୁଷ୍ୟର  ,  ଅତୀତ  ସହ  ବର୍ତ୍ତମାନର ,  ବର୍ତ୍ତମାନ  ସହିତ  ଭବିଷ୍ୟର   ଅନ୍ତରଙ୍ଗ  ଯୋଗ  ସାଧନହିଁ   ସାହିତ୍ୟ  । ଘଟଣା  ,  କଳ୍ପନା  ,  ଅନୁଭବ  ,  ଭାଷା  ,  ଶୈଳୀ  ,  ଶିଳ୍ପୀତ୍ୱ  ଓ  ବ୍ୟକ୍ତିତ୍ୱ  ଏସବୁର  ଅମୃତ  ମିଳନରେ  ସୃଷ୍ଟି  ହୁଏ    କାଳଜୟୀ  ସାହିତ୍ୟ  ।  ସତ୍  ସାହିତ୍ୟରେ  ସ୍ରଷ୍ଟାକୁ  ନଦେଖି  ବାରି  ହୋଇଯାଏ ,  ଆପେଆପେ  ସଂପର୍କ   ଯୋଡି  ହୋଇ  ଯାଏ ,  ଦେଶକୁ  ନ  ଦେଖି  ସ୍ୱତଃ  ଦର୍ଶନ  କରି  ହୋଇଯାଏ ,  ଅତୀତ ,  ଭବିଷ୍ୟ  ନଦେଖି  ଅନୁଭବ  କରି  ହୋଇଯାଏ ,  ତାହା  ହେଉଛି  ଅସଲ  ସାହିତ୍ୟ  ।

      ସାହିତ୍ୟ  ସୃଷ୍ଟି  ପ୍ରେରଣା  ହୋଇପାରେ  ।  ମନୁଷ୍ୟର  ଏହା  ଏକ  ସହଜାତ  ପ୍ରବୃତ୍ତି  ମଧ୍ୟ  ।  ଆରିଷ୍ଟୋଟଲଙ୍କ  ଦୃଷ୍ଟିରେ - " ସାହିତ୍ୟ  ହେଉଛି  କର୍ମମୟ  ଜୀବନର  ମିମେସିସ୍  ବା  ଅନୁକରଣ । "  ମନୁଷ୍ୟ  ସୃଷ୍ଟିର  ଶ୍ରେଷ୍ଠ  ଜୀବ  ,  କିନ୍ତୁ  ସେ  ପ୍ରତ୍ୟେକ  ଜୀବ  ଭଳି  ଅନୁକରଣ  ପ୍ରିୟ  ।  ଅନୁକରଣ  ପ୍ରବୃତ୍ତି  ଫଳରେ  ତା'  ରୁଚିରେ  ଭିନ୍ନତା  ପରିଲକ୍ଷିତ  ହୁଏ  ।  ହଡ୍ ସନ୍  ସାହିତ୍ୟର  ପ୍ରେରଣା  ସଂପର୍କରେ  ଚାରୋଟି  କାରଣ  ଦର୍ଶାଇଛନ୍ତି  , ଯଥା  ଆତ୍ମପ୍ରକାଶର  କାରଣ ,  ବ୍ୟକ୍ତି  ଓ  ସମାଜର  କ୍ରିୟା  କଳାପ  ପ୍ରତି  ଆଗ୍ରହ  ଓ  ତାର  ପରି  ପ୍ରକାଶ ,  ବାସ୍ତବ  ଜଗତ  ଓ  କଳ୍ପନା  ଜଗତ  ପ୍ରତି  ଅହେତୁକ  ମୋହର  ରୂପପ୍ରିୟତା  ।  ନିଜ  କଥା  ଅନ୍ୟକୁ  ଶୁଣାଉଥିବା  ଭାବ  କଳ୍ପନା ,  ଅନୁଭୂତି  ସ୍ରଷ୍ଟାର  ସୃଷ୍ଟିରେ  ତା  ଅଜଣାରେ  ଆତ୍ମା  ପ୍ରକାଶ  କରୁଥିବା  ବେଳେ,  ପୁଣି  କେବେ  କେବେ  ସମାଜକୁ  ଗଢିଥିବା ,  ବୁଦ୍ଧ  ,  ଯୀଶୁ ,  ମାର୍କସ ,  ଗାନ୍ଧୀ , ମଦରଟେରେସା  ,  ସେକ୍ସପିୟର ,  ଶେଲି,  ବାଇରନ୍  ,  କୀଟସ୍ ,   ବଙ୍କିମ ,  ବିବେକାନନ୍ଦ ,  ଅରବିନ୍ଦ ,   ଠାଗୋର ,  ଶୁଦ୍ରମୁନି , ଭାଗବତକାର ,  ଭଂଜ ,  ରାଧାନାଥ ,  ଗଙ୍ଗାଧର ,  ଫକୀରମୋହନ ,  ଗୋପବନ୍ଧୁ   ପ୍ରମୁଖ  ସ୍ରଷ୍ଟାର  ଦୃଷ୍ଟି  ପଟ୍ଟରେ  ମିଳିତ  ହୁଅନ୍ତି  । 

           ସମାଜ  ଓ  ବ୍ୟକ୍ତି  ଜୀବନକୁ  ସାହିତ୍ୟରେ  ଉପସ୍ଥାପନ  କରିବା   ଦରଦୀ  ସ୍ରଷ୍ଟାର  ମହନୀୟତା  ।  ସମାଜର  ବ୍ୟଥା-ବେଦନା ,  ଆନନ୍ଦ-ଉଲ୍ଲାସ ,  ସୁଖ-ଦୁଃଖ ,  ରୂପ,  ସୌନ୍ଦର୍ଯ୍ୟ ,  ସମ୍ଭୋଗ,  ପ୍ରାଚୁର୍ଯ୍ୟ  ଆଦି  ସ୍ରଷ୍ଟାର   ପ୍ରାଣ-ସ୍ପନ୍ଦନରେ  ଆଲୋଡନ  ସୃଷ୍ଟି  କରେ  ।  କଳ୍ପନା  ଜଗତରୁ  ବାସ୍ତବ  ଜଗତର  ଦୃଶ୍ୟ  ସ୍ରଷ୍ଟାର  ତୃତୀୟ  ନୟନେ  ଦୃଶ୍ୟମାନ  ଲଭେ ।  ଅତୃପ୍ତ  ବାସନା  ନେଇ  ଜୈବିକ,  ମାନସିକ ,  ଆଧ୍ୟାତ୍ମିକ  ଓ  ଆନ୍ତରିକ  ପରିତୃପ୍ତି  କାମ୍ୟ  ହୁଏ  ।  ଈଶ୍ୱରାନୁଗତ  ହୋଇ  ପଡେ  ।  ବେଦ ,  ଉପନିଷଦ ,  ଶ୍ରୁତି ,  ପୁରାଣ  , ଗୀତା ,  ବାଇବେଲ୍ ,  କୋରାନ୍  ଆଦିରୁ  ସେହି  ଅନାଦି,  ଅନନ୍ତ ,  ଅରୂପ  ପରଂବ୍ରହ୍ମଙ୍କୁ  ଖୋଜେ,  ବନ୍ଦନା  କରେ  ।  ତାରି  ଭିତରେ  ସେ  ରାମ,  କୃଷ୍ଣ ,  ଜଗନ୍ନାଥ ,  ଯୀଶୁ  ,  ଆଲ୍ଲାଙ୍କୁ  ଦେଖେ  ।  ସତ୍ୟ  ଶିବ  ସୁନ୍ଦର  ପାଲଟେ  ତାର  ସୃଷ୍ଟିର  ସାହିତ୍ୟ  ।   ବିନ୍ଦୁ  ମଧ୍ୟରେ  ସିନ୍ଧୁ  ଦର୍ଶନ  ଘଟେ ।  ଆଦି  ଭିତରେ  ଅନାଦି ,  ରୂପ  ମଧ୍ୟରେ  ଅରୂପ  , ସୀମା  ଭିତରେ  ଅସୀମ  ,  ସାକର  ମଧ୍ୟରେ  ନିରାକାରକୁ  ଅନୁଭବ  କରିହୁଏ , ତାହାହିଁ  ସାହିତ୍ୟ  ପଦବାଚ୍ୟ  ।  ମଣିଷ  ଜୀବନର  ବୈଚିତ୍ର୍ୟର  ସୀମା  ହୀନତା  ଓ  ସଂସାରର  ଅପରିସୀମ  ଲୀଳା-ଖେଳାକୁ  ସ୍ରଷ୍ଟା  ତା'ର  କାବ୍ୟ , କବିତା , ଗଳ୍ପ , ଉପନ୍ୟାସ ,  ନାଟକ  ଆଦି  ସାହିତ୍ୟର  ସୁଠାମ  ରୂପ  ଭିତରେ  କ୍ଷଣକାଳ  ସତ୍ୟକୁ  ଚିରନ୍ତନ  ସତ୍ୟରେ  ରୂପାୟନ  କରେ  ।

            ସାହିତ୍ୟକୁ  ନେଇ  ଚଞ୍ଚକତା  କରାଯାଏ  ନାହିଁ  ।  ଏବେ  ଯେଭଳି  ସାହିତ୍ୟ  ନାମରେ  ଭଣ୍ତାମୀ  ଚାଲିଛି ,  ଅପାତ୍ରରେ  ସମ୍ବର୍ଦ୍ଧନା  ଦିଆଯାଉଛି ,  ଦିନ  ଆସିବ  ପ୍ରତିବେଶୀ  ସାହିତ୍ୟିକ  ମାନଙ୍କ  ନିକଟରେ   ଉପହାସିତ  ହେବାକୁ  ପଡିବ  ।  ଏହା  ଦ୍ବାରା  ନିଜ  ଭାଷା  ଓ  ସାହିତ୍ୟର    ମର୍ଯ୍ୟାଦା  ନଷ୍ଟ  ହେଉଛି , ଥରେ  ଚିନ୍ତା  କରାଯାଉ  ।  ପ୍ରତିବେଶୀ  ସାହିତ୍ୟିକଗଣ   ବା  ଆମ  ଆଗାମୀ  ପିଢ଼ି  ଯେତେବେଳେ  ଶୁଦ୍ରମୁନି ,  କବି  ସମ୍ରାଟ,  କବିସୂର୍ଯ୍ୟ , କବିବର , ବ୍ୟାସକବି  ଆଦିଙ୍କୁ   ଖୋଜିବେ  ସେଠି  ବୋଧେ  ସାରଳା ,  ଉପେନ୍ଦ୍ର,   ବଳଦେବ , ରାଧାନାଥ ,  ଫକୀରମୋହନ  ଆଉ  ନଥିବେ ,  ଥିବେ  ତାଙ୍କ  ନାମରେ  ପରିଧାନ  କରିଥିବା  ଏହି  ନୀଳବର୍ଣ୍ଣ  ଶୃଗାଳଗଣ ,  ଯେଉଁ  ମାନଙ୍କର  କିଛି  କୃତି  ଓ  କୃତିତ୍ବ  ନାହିଁ  ।  ସାହିତ୍ୟ  କାଳଜୟୀ ,  କାଳାଶ୍ରୟୀ  ନୁହେଁ  ।   ହେ  ସାହିତ୍ୟିକ  ସ୍ରଷ୍ଟାମାନେ  ,  ସାହିତ୍ୟ  ହେଉଛି  ଏକ  ମନ୍ମୟ  ଆଲେଖ୍ୟ,  ବିବର୍ତ୍ତିତ  ଜନ  ଚେତନାର  ଦଲିଲ୍ ,  ଶୈଳ୍ପିକ  ଭାବ  ବ୍ୟଞ୍ଜନାର  ଆଦ୍ୟ  ଝଙ୍କାର ,   କିଛି  ସ୍ମୃତି ,  କିଛି  ପ୍ରତିଶ୍ରୁତି,  କିଛି  ମୀମାଂସାର  ଇସ୍ତାହାର  ।  ଜୀବନ  ସାଗର  ମନ୍ଥନର  ଅମୃତସାର  ।   ତେଣୁ  ସବୁ  କାଳର  ସତ  ସାହିତ୍ୟର  ଲକ୍ଷ୍ୟ  ହେଉଛି  ସତ୍ୟ  ପ୍ରକାଶ  ।  ସତ୍ୟ  ପ୍ରକାଶର  ସଂକଳ୍ପ  ପ୍ରତ୍ୟେକ  ସ୍ରଷ୍ଟାର/ସାହିତ୍ୟିକର  ପ୍ରେରଣା  ହେଉ ..ଏତିକି  ଆମର  କାମ୍ୟ ..!!!

              ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
              ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ , କଟକ -୪
                ଦୂରଭାଷ :  ୯୦୪୦  ୧୫୧୪୭୫
                  Email :  Laxmansahoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।