ମାନବ ଶିଶୁଟିଏ ଆସନ୍ତା କାଲିର ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ,ବର୍ତ୍ତମାନର ଉଦିତ ସୂର୍ଯ୍ୟ ସମ। ସେ ଜୀବନରେ ବାଲ୍ୟ,ପୌଗଣ୍ଡ,କୈଶୋର,ଯୁବକ,ପ୍ରୌଢ଼ ଓ ବୃଦ୍ଧ ଅବସ୍ଥା ଦେଇ କାଳାତିପାତ କରେ। ଜୀବନ ଓ ଜୀବନୀର ସମୀକରଣ ଭିତରେ ନିଜକୁ ଯେତିକି ଗଢ଼େ ସେତିକି ଲଢ଼େ, ହୁଏ ଦକ୍ଷ ନିପୁଣ... ଜ୍ଞାନ ଧନ ମାନ ଅର୍ଜନରେ...ନିଜର ଯଶ ଖ୍ୟାତି ସୁନାମରେ ପ୍ରତିଷ୍ଠିତ ହେବା ପାଇଁ।
ମାନବ ଜୀବନରେ ପର୍ଯ୍ୟାୟ କ୍ରମେ ଆସିଥାଏ ଚାରି ଆଶ୍ରମ ଯଥା:- ବ୍ରହ୍ମଚର୍ଯ୍ୟ, ଗାର୍ହ୍ୟସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଏ ଚାରି ଆଶ୍ରମର ନୀତି ନିୟମକୁ ଅନୁସରଣ ଓ ପାଳନ କରି ତାର ଜୀବନକୁ ସେ ସରସ ସୁନ୍ଦର ଓ ଋଦ୍ଧିମନ୍ତ କରିଥାଏ। ଚାରି ଆଶ୍ରମ ମଧ୍ୟରୁ ' ବ୍ରହ୍ମଚର୍ଯ୍ୟାଶ୍ରମ ' ଆଦ୍ୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହାରି ପୃଷ୍ଠଭୂମି ଉପରେ ଜୀବନର ଆଶା ସୌଧ ନିର୍ମିତ ହୋଇଥାଏ। ମନର ଯେତେ କାମନା ସେ ବୁଦ୍ଧି ବିବେକର ବିଚାରରେ ପୂରଣ କରିବା ପାଇଁ ଚେଷ୍ଟିତ ରହେ ଓ ତାର ଶ୍ରମ ସାଧନ ଦ୍ଵାରା ସଫଳ ହୁଏ। ଏ ବ୍ରତ ପାଳନରେ ଯେ ବିତସ୍ପୃହ ହୋଇ ଆଳସ୍ୟ ଠକାମି ଅବା ଦୁଷ୍ଟାମିରେ ସମୟ ଦିଏ ତାର ଜୀବନରେ ଘନେଇ ଆସେ ସବୁ ଅବାଞ୍ଛିତ ଦୁଃଖ ଯନ୍ତ୍ରଣା...ଯା'ର ସମାଧାନ ପାଇଁ ସମୟ ନ ଥାଏ କି ବାଟ ମଧ୍ୟ ଦେଖା ଯାଏ ନାହିଁ। ସମାଜ ଗଠନରେ ଯୁବଗୋଷ୍ଠୀଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଯୁଗେ ଯୁଗେ ପ୍ରଶଂସନୀୟ। ଯୌବନ ଜୀବନ ମଧ୍ୟାହ୍ନ...ପ୍ରାଣ ପ୍ରାଚୁର୍ଯ୍ୟର ପ୍ରକାଶ ବିକାଶ ନିମନ୍ତେ ଏ ସର୍ବୋତ୍କୃଷ୍ଟ ମୁହୂର୍ତ୍ତ। ଅମାପ ଶକ୍ତି ଓ ଅକ୍ଳାନ୍ତ ଉଦ୍ୟମ ବିନିଯୋଗ କରିବାର ଆହ୍ଵାନ... ଚଳାଇବାକୁ ଜୀବନର
ଯାତ୍ରା ପଥରେ ଅଭିଯାନ। ଯାହାର ନିର୍ଯ୍ୟାସ ସର୍ବଦା ଫଳପ୍ରଦ ହୋଇଥାଏ।ସମାଜକୁ ସଜାଡ଼ି ଅଗ୍ରଗତି ଆଡ଼କୁ ନେଇଥାଏ। ଉଦ୍ଦାମ ଗତିରେ ପ୍ରବାହିତ ଯୁଗ ସ୍ରୋତକୁ ନିୟନ୍ତ୍ରଣ କରିଥାଏ। ସେ ମହାସ୍ରୋତରେ ପତ୍ର ପରି ଭାସି ଯାଉଥିବା ଭବିଷ୍ୟତକୁ ଉଦ୍ଧାର କରେ।
ଆଜିର ଯୁବଗୋଷ୍ଠୀଙ୍କ ମଧ୍ୟରେ ମୁଷ୍ଟିମେୟ କେତେକଙ୍କୁ ଛାଡ଼ି ଦେଲେ ଅଧିକରୁ ଅଧିକହୁଅନ୍ତି ବିପଥଗାମୀ। ଇନ୍ଦ୍ରିୟ ଆସକ୍ତରେ କରନ୍ତି ଅନୈତିକ କାର୍ଯ୍ୟ। ଲକ୍ଷ୍ୟଭ୍ରଷ୍ଟ ହୁଏ ତାଙ୍କର ଭବିଷ୍ୟତ ଜୀବନ। ଆତ୍ମ ସଂଯମତା ନ ରଖି ହୁଅନ୍ତି ଉଚ୍ଛୃଙ୍ଖଳ...ନିଜର ଧ୍ଵଂସ ଆମନ୍ତ୍ରଣ କରିବା ସହିତ ସମାଜର ବୃହତ୍ ଓ ସମୂହ କଲ୍ୟାଣରେ କୁଠାରାଘାତ କରିଥାନ୍ତି। ଘଟେ ନାନା...ନାହିଁ ନ ଥିବା ଅଘଟଣା...ଆତଙ୍କ ଆଣିଦିଏ ଅନ୍ୟର ଜୀବନରେ। ବ୍ରହ୍ମଚର୍ଯ୍ୟ ପାଳନରେ ଆଜିର ଯୁବଗୋଷ୍ଠୀ ବିମୁଖ ହେଉଥିବାର ଏ ସବୁ କୁପରିଣାମ। ଆଣିଦିଏ ମନରେ ଅହେତୁକ ଭୟ ସୃଷ୍ଟି ହୁଏ ଶଂସୟ... ଦୁଃଖ ଯନ୍ତ୍ରଣାରେ ଉଜୁଡି ଯାଏ ଅସଂଖ୍ୟ ପରିବାର। ଗାଁ ଠାରୁ ସହର ପର୍ଯ୍ୟନ୍ତ ମିଳେ ନାହିଁ ସୁଖ କି ଶାନ୍ତି...ମାଡି ଆସେ ସୁନାମୀର ଅନିୟନ୍ତ୍ରିତ ମହାବାତ୍ୟା... ପ୍ରଚଣ୍ଡ ଝଡ଼ ତୋଫାନ...। ଯୁବକ ଅବସ୍ଥା ଶୌର୍ଯ୍ୟ ବୀର୍ଯ୍ୟ ସଂରକ୍ଷଣ କରିବାର ସମୟ ... ଜୀବନକୁ ଗଢିବାର ସୁଯୋଗ। ଏହା କେବଳ ବ୍ରହ୍ମଚର୍ଯ୍ୟ ପାଳନରୁ ହିଁ ପ୍ରାପ୍ତ ହୋଇଥାଏ। ' ବ୍ରହ୍ମ ' ଅଖଣ୍ଡ ଶକ୍ତିର ଉତ୍ସ। ଆକ୍ଷରିକ ଅର୍ଥ ଅତି ବ୍ୟାପକ,ଭାବଗତ ଚିନ୍ତନ ଅନନ୍ତ। ବ୍ରହ୍ମରୁ ବିଶ୍ଵ ବ୍ରହ୍ମାଣ୍ଡ।ବେଦର ଶ୍ଳୋକ ଜ୍ଞାନ ଦିଏ..." ସର୍ବ ଇଦଂ ଖଳୁ ବ୍ରହ୍ମ "। ଏହି ବ୍ରହ୍ମକୁ ବୁଝି ଧ୍ୟାନ ଧାରଣାରେ ଉଚ୍ଚାରଣ ଓ ଆଚରଣ କରିବା ହେଉଛି ' ବ୍ରହ୍ମଚର୍ଯ୍ୟ ' ପାଳନ। ବ୍ରହ୍ମକୁ ବୁଝିହୁଏ ଅନୁଭବର ଆତ୍ମଜ୍ଞାନରେ... ନିରପେକ୍ଷ ବିଚାରର ସୂକ୍ଷ୍ମ ଦର୍ଶନରେ। ବେଦୋକ୍ତିରେ ବ୍ରହ୍ମ ହେଉଛି ପରମ ପୁରୁଷ,ପରମେଶ୍ବର,ପରଂବ୍ରହ୍ମ,ନିରାକାର ...ଜଗତର କାରଣ ନିତ୍ୟଚେତନ ସତ୍ତା। ଏହାର ତତ୍ତ୍ଵ ସ୍ବରୂପ ସତ୍,ଚିତ୍ ଓ ଆନନ୍ଦ ଅଟେ। ଜଗତରେ ଏହା ଅତିରିକ୍ତ ଆଉ ଯେତେ ସବୁ ପ୍ରତୀତ ହୁଏ ସବୁ ଅସତ୍ୟ ଆଉ ମିଥ୍ୟା। ଶାସ୍ତ୍ରର ସିଦ୍ଧାନ୍ତ କହେ..." କେବଳ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା "ବା " ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି "। ବ୍ରହ୍ମ ସଚ୍ଚିଦାନନ୍ଦ ଅଖଣ୍ଡ ନିତ୍ୟ ନିର୍ଗୁଣ ... ଏ ଅନନ୍ତ ବ୍ରହ୍ମ ଶକ୍ତି ଦ୍ବାରା ହିଁ ସବୁ କିଛି ହୁଏ...ବିଶ୍ଵ ବ୍ରହ୍ମାଣ୍ଡର ସଚରାଚର ପ୍ରକାଶିତ। ଏଇ
ବ୍ରହ୍ମ ଆତ୍ମା ରୂପରେ ଶରୀରର ବାସ କରିଥାନ୍ତି। ଯାହାର ଆତ୍ମସତ୍ତା ସ୍ଵୟଂ ନାରାୟଣ... ଭାଗବତ କହେ " ସକଳଘଟେ ନାରାୟଣ, ବସନ୍ତି ଅନାଦି କାରଣ।
ମାନବ ଜୀବନ ପ୍ରଥମ ଅବସ୍ଥା ପିତାମାତାଙ୍କ ଲାଳନପାଳନରେ, ଦ୍ଵିତୀୟା ଅବସ୍ଥା ଗୁରୁଙ୍କଠାରୁ ସତ୍ ଜ୍ଞାନ ଆହରଣ କରିବାରେ ବିତିଥାଏ। ୨୫ ବର୍ଷ ହେବା ଯାଏଁ ସେ ବ୍ରହ୍ମଚର୍ଯ୍ୟ ପାଳନ ବ୍ରତରେ ରହେ। ଏଇ ସାଧନା ହିଁ ତାର ଜୀବନର ବିକାଶ ପ୍ରକାଶ କରିଥାଏ। ଏହା ସଫଳ ହୋଇଥାଏ ଇନ୍ଦ୍ରିୟର ସଂଯମତାରେ...ପବିତ୍ର କାୟ ମନ ବାକ୍ୟରେ ଈଶ୍ଵରଙ୍କ ଆରାଧନାରେ,ପିତାମାତା ଗୁରୁ ଗୁରୁଜନଙ୍କ ସେବା ଓ ଆଜ୍ଞା ପାଳନରେ, ସମାଜର କଲ୍ୟାଣକାରୀ କାର୍ଯ୍ୟ କରିବାରେ, ସତ୍ୟ ଓ ଅହିଂସା ପାଳିବାରେ ଓ ନିୟମିତ ଯୋଗ ବ୍ୟାୟାମ କରିବାରେ।
ଆଜିର ଯୁବଗୋଷ୍ଠୀ ' ବ୍ରହ୍ମଚର୍ଯ୍ୟ ' ପାଳନ ପ୍ରତି ବିମୁଖ ହୁଏ,ଉଦାସୀନ ରହେ... ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରେ ନାହିଁ।ସେ ହରାଇ ଦିଏ ତାର ଆତ୍ମବିଶ୍ଵାସ ଆତ୍ମ ଭରସାକୁ। ଆତ୍ମବଳ ମନୋବଳ ଇଚ୍ଛାଶକ୍ତିକୁ ସଠିକ୍ ଭାବରେ ବିନିଯୋଗ କରେ ନାହିଁ। ସମାଜରେ ଆଜି ଭୟାବହ ଦୁଃସାଧ୍ୟ କର୍କଟ ରୋଗ ପରି ବିଶୃଙ୍ଖଳା ସଂକ୍ରମିତ ହୁଏ। ମାନସିକ ଚାପରେ ରହି ବାସ୍ତବ ସୁଖ ଶାନ୍ତି ପାଏନା,ଆଖିକୁ ଆଖିଭରା ନିଦ ଆସେନା। ଦେଖାଯାଏ ସବୁ ବର୍ଗରେ ଲୋକମାନେ ହେଉଛନ୍ତି ପ୍ରାୟତଃ ନିଶାସକ୍ତ। ହିସାବ ନାହିଁ ଅସାମାଜିକ କାର୍ଯ୍ୟର, ହୁଏ ହତ୍ୟା, ଲୁଣ୍ଠନ,ନାରୀ ନିର୍ଯ୍ୟାତନା, ପାଶବିକ ଅତ୍ୟାଚାର,ଶିଶୁ ଭୃଣ ହତ୍ୟା, ଶିଶୁ ଓ ଯୁବତୀ ଅପହରଣ,ଲାଞ୍ଛ ମିଛ ବ୍ୟଭିଚାର ଆଡ୍ଡା ପାଲଟି ଯାଇଛି ଏ ଦୁନିଆଁ। ପ୍ରେମର ବାହାନାରେ ହେଉଛି ଯୌନ ବ୍ୟଭିଚାର। ମଣିଷ କେବଳ ମରି ମରି ଜୀଇଁଛି... ଦେହରେ ଯାବତୀୟ ରୋଗ ନେଇ ଓ ମନରେ ଅଶାନ୍ତିର ଅନେକ ମାନସିକ ଉତ୍ତେଜନା ନେଇ।
ସମୀକ୍ଷା କରି ଦେଖାଯାଏ ଏ ସବୁର କାରଣ ବ୍ରହ୍ମଚର୍ଯ୍ୟ ପାଳନ ନ କରିବା। ଯେଉଁ ଯୁବଗୋଷ୍ଠୀ ଆଜି ବିପଥଗାମୀ ସେମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବାର ବୟସକୁ ଅତିକ୍ରମ
କରି ଆସିଛନ୍ତି...ପୂର୍ବରୁ ଅତିକ୍ରମ କରି ଆସିଥିବା ଏ ଗୋଷ୍ଠୀର ବୟସ୍କ ମାନେ ଏ ଯୁବକ ମାନଙ୍କୁ ହାତର ସଖୀ କଣ୍ଢେଇ କରି ନଚାଉଛନ୍ତି। ପ୍ରତ୍ୟକ୍ଷ ପରୋକ୍ଷରେ ଇନ୍ଧନ ଯୋଗାଇ ଏ ସବୁ ଅବାଞ୍ଛିତ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁଛନ୍ତି।
ଏବେ ବି ଯଥେଷ୍ଟ ସମୟ ଅଛି, ବ୍ରହ୍ମଚର୍ଯ୍ୟ ପାଳନ କରିବାର ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ଏ ତ ଜୀବନ ବ୍ୟାପୀ ସାଧନାର ମହାଯଜ୍ଞ। ଯିଏ ଯେଉଁ ମୁହୂର୍ତ୍ତରୁ ବ୍ରହ୍ମଚର୍ଯ୍ୟ ପାଳନ କରିବ ସେହି ମୁହୂର୍ତ୍ତରୁ ହିଁ ତା' ଭିତରେ ଚରିତ୍ର ସୁଧାରର ଆରମ୍ଭ ହେବ। ଏହା ଜଣେ ନିଜସ୍ୱ ଭାବେ ନ ଚାହିଁଲେ କେବେ ବି ଅନ୍ୟ ଦ୍ବାରା ସମ୍ଭବ ହୁଏ ନାହିଁ। ଯିଏ ନିଜେ ପରିବର୍ତ୍ତନ ହୁଏ
ନାହିଁ ତାକୁ କେହି ବି ପରିବର୍ତ୍ତନ କରି ପାରିବ ନାହିଁ। ଅନ୍ୟ ଦ୍ବାରା କେବଳ ପ୍ରେରଣା ହିଁ ମିଳିଥାଏ। ବ୍ୟକ୍ତି ଯା' କରେ ଯା' ଭାବେ ସେହି ପ୍ରକାରେ ସେ ଫଳ ପାଏ।
ବେଦର ଶ୍ଳୋକ ଜ୍ଞାନ ଦିଏ..." ଯାଦୃଶୀ ଭାବନା ଯସ୍ୟ,ସିଦ୍ଧିଃ ଭବତି ତାଦୃଶୀ "
ସୁତରାଂ ଆସନ୍ତୁ ବ୍ରହ୍ମଚର୍ଯ୍ୟର ସାତ୍ତ୍ୱିକ ପଥକୁ ଜୀବନର ପଥ ରୂପେ ଆପଣେଇ ନେବା। ଜୀବନ ଥିବା ଯାଏଁ ....କାହିଁକି ସତ୍ କର୍ମ କରି ଜୀବନକୁ ସରସ ସୁନ୍ଦର ମଧୁମୟ ନ କରିବା ? ମହାପ୍ରଭୁ ପରଂବ୍ରହ୍ମଙ୍କର ଶରଣ ନ ନେବା ? ପ୍ରତିଟି ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ... ନିଜ ପାଇଁ,ସମାଜ ପାଇଁ ହିତକର କାର୍ଯ୍ୟ କରିବା ...ପରିଶେଷରେ ଏ ଜୀବ ପରମରେ ଲୀନ ହେବା। ମାନବ ଜୀବନରେ ଏହା ହିଁ ବ୍ରତ ପାଳନର ସାର୍ଥକତା।