" ସାରସ୍ୱତ ପରମ୍ପରାର ଜଣେ ସମର୍ଥ ସାଧକ । ଗଳ୍ପ, କବିତା, ପ୍ରବନ୍ଧ, ଏକାଙ୍କିକା, ନାଟକ ଓ ଫିଚର ରଚନାରେ ତାଙ୍କର ଅଭିରୁଚି । ସ୍ୱରାଜ୍ୟ ପତ୍ରିକାର ସହ ସଂପାଦକ ଓ ଧରିତ୍ରୀର ସାମ୍ବାଦିକ ଭାବରେ ତାଙ୍କର ଦକ୍ଷତା ପ୍ରତିପାଦିତ । ଦଶମ ଶ୍ରେଣୀର ଛାତ୍ର ଥିବାବେଳେ ସେ 'ଶିଖା' ନାମକ ପତ୍ରିକା ସଂପାଦନା କରି ନିଜ ପ୍ରତିଭାର ଯଥାର୍ଥ ପରିଚୟ ଦେଇଛନ୍ତି । କଟକ ଆକାଶବାଣୀ ' ଯୁବବାଣୀ'ର କଳାକାର ରୂପେ ଡ଼କ୍ଟର ସାହୁ ତାଙ୍କର ସର୍ଜନାଶୀଳତାର ପରିଚୟ ପ୍ରତିପାଦନ କରିଛନ୍ତି । ଓଡ଼ିଶାର ବହୁ ପ୍ରତିଷ୍ଠିତ ସମ୍ବାଦପତ୍ର ତଥା ସାହିତ୍ୟ ପତ୍ରିକାରେ ତାଙ୍କର ଶତାଧିକ ଲେଖା ପ୍ରକାଶିତ ହୋଇ ପାଠକୀୟ ଆଦୃତ ଲାଭ କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ବିନିମୟ ପାଠ୍ୟକ୍ରମ ନିମିତ୍ତ ଗ୍ରନ୍ଥ ସମୀକ୍ଷା କରିବା ତାଙ୍କର ସୂକ୍ଷ୍ମ ଓ ସାରସ୍ଵତ କୃଷ୍ଟିର ପରିଚୟ ମିଳେ ।
ନୟାଗଡ଼ ଜିଲ୍ଲା ସାନକିଲୋ (ରଣପୁର) ଗ୍ରାମରେ ସ୍ୱର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ସ୍ୱର୍ଗୀୟା ତାରା ଦେଈଙ୍କ ଔରସରୁ ତା.୦୭.୦୮.୧୯୬୭ ରେ ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁଙ୍କ ଜନ୍ମ । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଓଡିଆ ସମ୍ମାନ ସହ ଉତ୍ତୀର୍ଣ୍ଣ ହେଲା ପରେ ଡ଼କ୍ଟର ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ଓଡିଆ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଓ 'ବଳରାମ ଦାସଙ୍କ ଦାଣ୍ଡି ରାମାୟଣ : ଏକ ସମାଜ ତାତ୍ତିକ ଅଧ୍ୟୟନ' ଶୀର୍ଷକ ସନ୍ଦର୍ଭ ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ. ପି.ଏଚ୍.ଡି. ଉପାଧିଲାଭ କରିଛନ୍ତି । ସେ ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତଯଶା ସାହିତ୍ୟିକ ପ୍ରାକ୍ତନ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ, ତଥା ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସାରଳା ଚେୟାରର ପ୍ରଫେସର ଡ଼କ୍ଟର ଉଦୟ ନାଥ ସାହୁଙ୍କ ଅନୁଜ । ସଂପ୍ରତି ଡ଼କ୍ଟର ଲକ୍ଷ୍ମଣ ସାହୁ ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ ଅଧ୍ୟାପନାରତ । ' ଓଡିଆ ସାହିତ୍ୟର ସ୍ରଷ୍ଟା, ସୃଷ୍ଟି ଓ ଦ୍ରଷ୍ଟା' ସମସାମୟିକ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧ ଗୁଡ଼ିକର ଏକ ମନୋଜ୍ଞ ସମାହାର । × × × "
ସାରସ୍ୱତ ସାଧନା : ଜୀବନ ବୃତ୍ତ (ଗଳ୍ପ), କାହ୍ନା ( ଦୀର୍ଘ କବିତା) , ଓଡ଼ିଆ ସାହିତ୍ୟର : ସ୍ରଷ୍ଟା ସୃଷ୍ଟି ଓ ଦ୍ରଷ୍ଟା ( ପ୍ରବନ୍ଧ), ଧର୍ମ ଦର୍ଶନ ପରମ୍ପରା ଓ ସଂସ୍କୃତି : ଜାଗୃତି (ଆଲୋଚନା), ନିଷ୍କର୍ଷ : ଶ୍ରୀଜଗନ୍ନାଥ (ପ୍ରବନ୍ଧ), ଆଧୁନିକ କବି ଓ କବିତା ( ତୁଳନାତ୍ମକ ଆଲୋଚନା), ସ୍ୱାଧୀନତା ପରବର୍ତ୍ତୀ ଓଡିଆ କବିତାରେ ପୁରାଣର ପ୍ରଭାବ (ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତି) । 'ସୂର୍ଯ୍ୟ ପ୍ରଭା' ନିୟମିତ ସ୍ତମ୍ବକାର ଓ ଅନ୍ୟାନ୍ୟ ପତ୍ରିକା ଗୁଡିକର ସାମୁହିକ ଲେଖକ ରୂପେ କାର୍ଯ୍ୟରତ ।
ସମ୍ମାନ : ଛାତ୍ରାବସ୍ଥାରେ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ଯୁବପ୍ରାବନ୍ଧିକ ଭାବେ ତତ୍କାଳିନ ରାଜ୍ୟପାଳ ବି.ଏନ୍.ପାଣ୍ତେଙ୍କ ଠାରୁ ପୁରଷ୍କୃତ । ଅଧୁନା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ସେମିନାର ଅଂଶଗ୍ରହଣ କରି ବହୁ ମାନପତ୍ର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାରସ୍ଵତ ସମ୍ମାନ, ସୁସାହିତ୍ୟିକ ସମ୍ମାନ, ବାଣୀପୀଠ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନ ଆଦିରେ ସମ୍ମାନିତ ।
ପ୍ରଫେସର ଶରତ ଚନ୍ଦ୍ର କର
ଅବସରପ୍ରାପ୍ତ ପ୍ରାଧ୍ୟାପକ, ରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟରେ ପ୍ରବନ୍ଧ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠିର ପାଠକଙ୍କୁ ଆକୃଷ୍ଟ କରିଥାଏ କାରଣ ଏହାର ଅସ୍ତିତ୍ବ ବୌଦ୍ଧିକ ପରିସୀମାକୁ ଅପେକ୍ଷା ରଖେ।
ଏହି ବୌଦ୍ଧିକ ତତ୍ୱ ଓ ବୌଦ୍ଧିକ ଆଲୋଚନାର ପାଠକୀୟ ସଫଳତା ସମ୍ପୂର୍ଣ ଭାବରେ ନିର୍ଭର କରେ ପ୍ରାବନ୍ଧିକଙ୍କର ଉପସ୍ଥାପନା ଶୈଳୀ ଓ ଶବ୍ଦ ସଂଯୋଜନା ଉପରେ।ଏ ଦୃଷ୍ଟିରୁ ବିଚାର କଲେ ଡ. ଲକ୍ଷ୍ମଣ ସାହୁଙ୍କର ପ୍ରବନ୍ଧଗୁଡିକ ପାଠକୀୟ ସ୍ୱୀକୃତି ଲାଭ କରିବାକୁ ପୁର୍ଣ ସମର୍ଥ।
ପ୍ରବନ୍ଧ ଗୁଡିକ ଯେପରି ସୁଖ ପାଠ୍ୟ,ସେମିତି ତତ୍ଵଭିତ୍ତିକ ମଧ୍ୟ।ଏଥିରେ ଆଧ୍ୟାତ୍ମିକତାର ସ୍ପର୍ଶ,ଭାରତୀୟ ସାଂସ୍କୃତିକ ଚେତନାର ଆଦର୍ଶ, ପରମ୍ପରାର ମାହାତ୍ମ୍ୟ,ବୌଦ୍ଧିକ ସାହିତ୍ୟର ମୂଲ୍ୟବୋଧ,ସାମାଜିକ ଜୀବନରେ ଏହାର ପ୍ରତିଫଳନ,ପୂଜା ପାର୍ବଣର ତାତ୍ଵିକ ବ୍ୟାଖ୍ୟା,ମାନବ ଜୀବନର ଶ୍ରେଷ୍ଟତ୍ଵ ଇତ୍ୟାଦିକୁ ପ୍ରବନ୍ଧଗୁଡିକରେ ଭାବ ବସ୍ତୁ ଭାବରେ ଗ୍ରହଣ କରାଯାଇଛି।ଫଳରେ ପାଠକର ଚେତନାକୁ ଭାରତବର୍ଷର ଗୌରବମୟ ଐତିହ୍ୟ, ପରମ୍ପରା,ସାଂସ୍କୃତିକ ଓ ସାମାଜିକ ଧାରାର ଭିତ୍ତିଭୂମି ବିକାଶ ସହିତ ସଂଶ୍ଳିଷ୍ଟ କରାଯାଇ ପାରିବ।
ପ୍ରବନ୍ଧ ଗୁଡିକର ପ୍ରକାଶଭଙ୍ଗୀ ପ୍ରାଞ୍ଜଳ,ଶବ୍ଦ ସଂଯୋଜନା ସାବଲୀଳ ଓ ଉପସ୍ଥାପନା ଶୈଳୀ ସ୍ୱତନ୍ତ୍ର।ତେଣୁ ଡ, ସାହୁଙ୍କର ପ୍ରବନ୍ଧଗୁଡିକ ଯେ ପାଠକୀୟ ଆଦୃତି ଲାଭ କରିବ,ଏଥିରେ ସନ୍ଦେହର ଅବକାଶ ନାହିଁ।
-ଉଦୟ ଭାନୁ ପରିବାର-
ବିଶ୍ବ କଲ୍ୟାଣରେ କର୍ମ ସାଧନାର ସାର୍ଥକତା

ଯୁଗେ ଯୁଗେ ପ୍ରତ୍ୟେକ ଦେଶରେ ଜ୍ଞାନୀ, କର୍ମୀ ଓ ତ୍ୟାଗୀ ପରମାନନ୍ଦମୟ ବହୁ ସାଧୁ, ସନ୍ୟାସୀ, ମୁନି, ଋଷି, ତତ୍ତ୍ୱଦର୍ଶୀ ଯୁଗଜନ୍ମା ମହାପୁରୁଷଗଣ ଲୋକ ସମାଜରେ ନିଜର ଅମୃତ ବାଣୀକୁ ଘୋଷଣା କରି ଆସିଛନ୍ତି । ସବୁ ଧର୍ମାବଲମ୍ବୀ ତତ୍ତ୍ୱଦର୍ଶୀ ଏହି ସନ୍ଥ ମହାପୁରୁଷମାନେ ଗୋଟିଏ କଥା ଦର୍ଶାଇଛନ୍ତି, ସବୁ ପ୍ରକାର ଭେଦ ରହିତ ଜ୍ଞାନହିଁ ଅଜ୍ଞାନ । ଯେପର୍ଯ୍ୟନ୍ତ ଭେଦକୁ ଅତିକ୍ରମ କରାଯାଇ ନାହିଁ, ଦୂରେଇ ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ହୃଦୟର ଏଶୂନ୍ୟ ତଟଭୂମିପରେ ଅଭେଦର ପ୍ରତିଷ୍ଠା ଲାଭ ନାହିଁ । ଏପରିକି ସେପର୍ଯ୍ୟନ୍ତ ମନୁଷ୍ୟ କେବେ ଥରେ ଆତ୍ମ ସନ୍ତୋଷ ପାଇ ପାରିବନାହିଁ । ନିଜକୁ କୃତାର୍ଥ ଅନୁଭବ କରି ପାରେନାହିଁ ।
ଅସଂଖ୍ୟ ପ୍ରକାର ଭେଦ ମଧ୍ୟରେ ବର୍ତ୍ତମାନ ଜଡିତ ରହି ମଧ୍ୟ ସ୍ୱକୀୟ ସୁଗୁଣ ଅନ୍ତଃଦୃଷ୍ଟି ବଳରେ ତାକୁ ଅଭେଦ ଦର୍ଶନ କରିବାକୁ ପଡିବ । ଅଭେଦ ଦୃଷ୍ଟିକୁ ନେଇ ସକଳ କର୍ମ ସଂପାଦନ କରିବାକୁ ହେବ । ସମଭାବାପନ୍ନ ଭାବ ନେଇ ଉଂଚ, ନୀଚ, ଅସବର୍ଣ୍ଣ, ସବର୍ଣ୍ଣ, ଅସ୍ପୁଷ୍ୟ, ଧନୀ, ନିଦ୍ଧନ, ଅବହେଳି, ଲାଞ୍ଚିତ, ଖଟିଖିଆ, ସର୍ବହରା ଆଦି ସମସ୍ତଙ୍କ ପ୍ରତି ସମଦୃଷ୍ଟି ରଖିବାକୁ ହେବ । ଏପରି ମଧ୍ୟ ଅଭେଦ ଭାବକୁ ସଂଭୋଗ କରି ତାକୁ ପ୍ରତ୍ୟେହ ଅଭେଦ ଭୂମିପରେ ବିଚରଣ କରିବାକୁ ପଡିବ । ଏହା ମାନବ ପ୍ରାଣର ସଫଳ ମାର୍ଗ । ଏହି ଅଧିକାରକୁ ନେଇ ଭେଦ ବହୁଳ ଜଗତରେ ମାନବ ପ୍ରାଣର ଆର୍ବିଭାବ ଘଟିଛି । ଅନନ୍ତ ବୈଷମ୍ୟ ରହିତ ଜଗତରେ ପରମ ସାମ୍ୟଭାବର ସ୍ଥିତି ପ୍ରାପ୍ତ କରିବାର ପୂର୍ଣ୍ଣ ଅଧିକାରହିଁ ଯଥାର୍ଥ ମାନବୀୟ ଅଧିକାର ।
ଜ୍ଞାନ ସାଧନା କ୍ଷେତ୍ରରେ ମନୁଷ୍ୟର ପ୍ରାଣ ଜଣା ଅଜଣାର ସବୁ ପ୍ରକାର ଶ୍ରେୟ ବିଷୟର ମୂଲ୍ୟକୁ ବଡ ଅଦ୍ଭୂତ ପ୍ରକାର ଅଧିକାର ନିମନ୍ତେ ବ୍ୟାକୁଳ ହୋଇ ଉଠେ । ଅହରହ ବିଭିନ୍ନ ପ୍ରକାର କାର୍ଯ୍ୟ ଭିତରେ ସେ ଏହାକୁ ଖୋଜିଚାଲେ । ଅନେକ ଜାତୀୟ ପ୍ରତ୍ୟେକ୍ଷ ଗୋଚର ସତ୍ୟକୁ ଏକ ବ୍ୟାପକତମ ମହାସତ୍ୟର ଅନ୍ୱେଷଣ କରେ । ପରିଦୃଶ୍ୟମାନ ବିଚିତ୍ର କ୍ରିୟାକୁ ନିୟାମକ ରୂପେ ସେ' ଏକ ମହାଶକ୍ତିର ସାକ୍ଷାତ୍ କାର ପ୍ରାପ୍ତ କରିବାକୁ ଚାହେଁ । ତେଣୁ ସେ ନିରନ୍ତର ଭାବେ ଅନେକ ଭିତରେ ଏକକୁ ଖୋଜେ । ଏହା କେବଳ ମାନବ ପ୍ରାଣର ସ୍ୱାଭିବିକ ଧର୍ମ । କହିବାକୁ ଗଲେ, ଏକ ଭିତରେ ବହୁତର ଉପସ୍ଥିତି । ଏକ'ରେ ଅନେକଙ୍କ ମିଳନ, ଏକର ଆଶ୍ରୟରେ ଅନେକଙ୍କ ସମ୍ବନ୍ଧ ଓ ସ୍ଥିତି । ବିନାଶ କାଳରେ ଏକ ଭିତରେ ଅନେକଙ୍କ ବିଲୀନକୁ ଅନୁଭବ ମାନବ ହୃଦୟର ଏହା ପ୍ରଥମ ସତ୍ୟ । ଏସବୁ କାରଣରୁ ବୈଜ୍ଞାନିକ ବିଶ୍ଳେଷଣାନୁଯାୟୀ ବିଭିନ୍ନ ପଦାର୍ଥ ଭିତରେ କେଉଁ ପ୍ରକାର ସାଦୃସ୍ୟ, ସହଯୋଗିତା ଦେଖାଇବାକୁ ପଡେ । ବିଭିନ୍ନ ପ୍ରକାର କ୍ରିୟା ଭିତରେ କେଉଁ ପ୍ରକାର ଯୋଗସୂତ୍ର, ସାମଂଜସ୍ୟ ରହିଛି, ବିଭିନ୍ନ ଘଟଣା ମଧ୍ୟରେ କେଉଁ ପ୍ରକାର ଏକତାର ସ୍ପର୍ଶ ଉପଲବ୍ଧ କରିହୁଏ, ତାହାହିଁ ମାନବୀୟ ବୁଦ୍ଧି । ଏସବୁକୁ କୌଣସି ଏକ ଐକ୍ୟର ଅଭେଦ ଭୂମିକୁ ଆବିଷ୍କାର କରିବାରେ ବ୍ୟସ୍ତ ରହେ । କ୍ରମଶଃ ଏହି ଉନ୍ନତ ବିଚିତ୍ର ମୟ ଜଗତ ସହ ଯେତେଯେତେ ପରିଚୟ ହୁଏ, ସେହି ପରିମାଣରେ ସେ ପ୍ରତ୍ୟେକ ପଦାର୍ଥ ଭିତରେ ଏକ ପ୍ରକୃତିଗତ ଓ କ୍ରିୟାଗତ ଐକ୍ୟ ସୂତ୍ରର ବିଦ୍ୟାମୟତାକୁ ଉପଲବ୍ଧି କରେ । ସମସ୍ତ ଜଗତ ଭିତରେ ଏକ ଅଙ୍ଗାଙ୍ଗୀ ଯୋଗର ଅନୁଭୂତି ଲାଭ କରେ ।
ସମସ୍ତ ଜଗତର ମୂଳଭିର୍ତ୍ତି, ପ୍ରତ୍ୟେକ ବୈଚିତ୍ର୍ୟର ଅଭେଦ ଭୂମି, ଅସଂଖ୍ୟ କ୍ରିୟା'ର ମୂଳ ଉତ୍ସ । ସତେ ଯେଭଳି ଏକ ମହାଶକ୍ତିମୟ ରୂପ ପ୍ରକାଶ ସତୃଷ୍ଣାର ସାକ୍ଷାତ୍ କାର ପାଇଁ ଆକାଂଙକ୍ଷା ତୀବ୍ର ହୋଇଯାଏ । ସର୍ବକାରଣ କାରଣ ସର୍ବଶକ୍ତିଚାର ପ୍ରତୀୟମାନ ହୋଇଥାନ୍ତି । ଏହି ଅଦ୍ୱିତୀୟ ସତୃଷ୍ଣ ସାକ୍ଷାତ୍ କାର ହେବା ଫଳରେ ସବୁ ଜ୍ଞାତ ହୋଇଯାଏ । ନାମ ରୂପରେ ଆଭ୍ୟନ୍ତରୀଣ ତତ୍ତ୍ୱ ସଙ୍ଗରେ ମାନବ ହୃଦୟର ପରିଚୟ ସଂସ୍ଥାପିତ ହୁଏ । କେବଳ ଏହା ନୁହେଁ ଜ୍ଞାତା ଏବଂ ଶ୍ରେୟକୁ ମଧ୍ୟ ଅତ୍ୟନ୍ତ ଅଭେଦ ଭୂମି ସହ ପରିଚୟ ହେବା ଜାଣିବାରେ ଆଗ୍ରହ ଘନିଭୂତ ହୁଏ । ଫଳତଃ ବିଶ୍ୱ ସଂସାର ସହ ହୃଦୟର ଐକ୍ୟାନୁଭୂତି ଘଟେ । ବିଶ୍ୱର ସ୍ଥାବର ଜଙ୍ଗମ ପ୍ରତ୍ୟେକ ପଦାର୍ଥକୁହିଁ ଆତ୍ମାର ଅଭିନ୍ନ ବୋଧ କରି ଆଲିଙ୍ଗନ କରେ । ସମସ୍ତ ଜାଗତିକ କ୍ରିୟା ଭିତରେ ନିଜର ଅଭିବ୍ୟକ୍ତିତ୍ୱକୁ ଦର୍ଶନ କରେ । ଯାହାକି ମାନବ ହୃଦୟ ସର୍ବବ୍ୟାପକ ହୋଇଯାଏ । ଏଭଳି ଦର୍ଶନ ହେଉଛି ସମ୍ୟକ୍ ଦର୍ଶନ । ଯେଉଁ ଦର୍ଶନରେ ମାନବ ହୃଦୟର ଜ୍ଞାନ-ସାଧନା ସାର୍ଥକ ପାଳଟେ । ହୃଦୟ ନିର୍ମଳ ପବିତ୍ର ହୋଇଯାଏ ।
କିନ୍ତୁ ମାନବ ହୃଦୟ କେବଳ ଜ୍ଞାନ ସାଧକ ନୁହେଁ । ଏହା କର୍ମ ସାଧକ ଓ ଭୋଗ ଦାୟକ । କର୍ମ ଓ ଭୋଗ ଭିତରେ ଏହାର ସତ୍ ଜ୍ଞାନ ନିଜକୁ ସ୍ଥାପିତ କରେ । ଜ୍ଞାନକୁ ଉତ୍କର୍ଷ କରିବା ସହିତ ଏହାର କର୍ମ ଓ ଭୋଗର ଉତ୍କର୍ଷ ନହେବା ପର୍ଯ୍ୟନ୍ତ ସେ କେବେ ସମ୍ୟକ୍ ତୃପ୍ତି ଅନୁଭବ କରିପାରେ ନାହିଁ । ଏହାର ଜ୍ଞାନ ଯଦି ଅଭେଦ ଭୂମିରେ ପ୍ରତିଷ୍ଠିତ ହୁଏ, ତେବେ ଏହାର କର୍ମ ଓ ଭୋଗ ମଧ୍ୟ ସେହି ଅଭେଦ ଭୂମିପରେ ପ୍ରସୂତ ହୁଏ । ଯାହାଫଳରେ ଏ ବିଚିତ୍ର କ୍ରିୟା ସମନ୍ୱିତ ବିଶ୍ୱ ଜଗତରେ ସେ କେବଳ ଏକହିଁ ଲୀଳାବିଳାସକୁ ଦର୍ଶନ କରିଥାଏ, ଏବଂ ନିଜକୁ ମଧ୍ୟ ତା'ସହ ଅଭିନ୍ନ ରୂପରେ ନିଜକୁ ଅନୁଭବ କରେ । ଏଥିପାଇଁ କୌଣସି ଅନାଗ୍ରହ ଆକାଂଙକ୍ଷା ନଥାଏ । ଏହାର ଇଚ୍ଛାକୁ ମଧ୍ୟ କୌଣସି ଆଘାତ ଲାଗେ ନାହିଁ । ଏହାର କର୍ମ ଓ ଆନନ୍ଦ ସମ୍ଭୋଗ ମଧ୍ୟ କୌଣସି କ୍ଷେତ୍ରରେ ବାଧା ପ୍ରାପ୍ତ ହୁଏ ନାହିଁ । ବିଶ୍ୱର ପ୍ରତ୍ୟେକ କାର୍ଯ୍ୟ ଭିତରେ ସେ ଯେଉଁ ପ୍ରକାର ଲୀଳା ବୈଚିତ୍ରକୁ ଦର୍ଶନ କରେ, ଅନୁଭବ କରେ, ସେହି ପ୍ରକାର ନିଜର କର୍ମକୁ ମଧ୍ୟ ଲୀଳାଭିବ୍ୟକ୍ତ ରୂପରେ ଆସ୍ୱାଦନ କରେ । ଏହାର ଦେହ, ମନ, ଇନ୍ଦ୍ରିୟ, ବୁଦ୍ଧି ଦ୍ୱାରା ସକଳ କର୍ମ ସମ୍ପାଦିତ ହୁଏ । ଏସବୁ ଏହି ବିଶ୍ୱମୂଳଭୂତ ଏକ କର୍ମ ସୂରୂପ ଅଟେ । ତା'ର ଅନ୍ତର ମଧ୍ୟରେ ଯାହାବି ସଂକଳ୍ପ ଉଦିତ ଘଟେ, ସେସବୁ କେବଳ ଗୋଟିଏ ସଂକଳ୍ପ ପାଲଟେ । ଏହାର କର୍ମରେ ଯେଉଁ ଫଳ ପ୍ରସୂତ ହୁଏ, ଏହା ଏକହିଁ । ଏହି ଫଳର ସଂଭୋକ୍ତା ଅଟେ ।
ଏସବୁର ସକଳ କର୍ମ ଓ ଫଳର ସେ'ହିଁ କେବଳ ଭୋକ୍ତା ପାଲଟେ । ସେହି ସର୍ବ କର୍ତ୍ତା, ସର୍ବ ଭୋକ୍ତା, ସର୍ବ ଶକ୍ତିଧର, ଶକ୍ତିବାନ୍, ସର୍ବ ନିୟନ୍ତା, ପରମ ପୁରୁଷ ପାଲଟି ଯାଏ । ସ୍ୱକୀୟ ମହିମାରେ ଏହି ପରମତତ୍ତ୍ୱ ସହ ଏହାର ଐକ୍ୟାନୁଭୂତି ଘଟେ । ମାନବ ପ୍ରାଣର ସ୍ୱରାଜ୍ୟ ସିଦ୍ଧଭୂତ ପ୍ରକୃତିଗତ ବିଶ୍ୱରାଜତ୍ୱର ପ୍ରତିଷ୍ଠା ଘଟେ । ଏହି ପରମ ପୁରୁଷଙ୍କ ସୂରୂପହିଁ, ଏହାର ସୂରୂପ ପାଲଟେ । ପରମ ତତ୍ତ୍ୱର ବିଭୂତିହିଁ ତା'ର ବିଭୂତି ହୋଇଯାଏ । ଏପରିକି ପରମ ତତ୍ତ୍ୱ ବିଶ୍ୱରାଜ୍ୟହିଁ ଏହାର ସାମ୍ରାଜ୍ୟ ପାଲଟି ଯାଏ ।
``ସର୍ବେଷୁ ଲୋକେଷୁ କାମାଚାର" ହେବାର ସେଭଳି କୌଣସି ବାଧା ବିଘ୍ନ ଘଟେନାହିଁ । କିନ୍ତୁ ନିଜ ପାଇଁ କୌଣସି ପ୍ରକାରର ସୁଖ-ସଂମ୍ଭୋଗର ପ୍ରଭାବ, ପ୍ରତି ଗତିର କାମନା ତା' ହୃଦୟରେ କେବେ ଜନ୍ମେ ନାହିଁ । ଏକ ଐଶ୍ୱରୀକ ଭାବ ଜଗତରେ ବିଚରଣ କରେ । ସକଳ କର୍ମ ସାଧନ ମାନବ ସେବାରେ ପରିଣତ ହୋଇଯାଏ ।
ଏପ୍ରକାର ଅମୂଲ୍ୟ ଜ୍ଞାନ ସାଧନ କରି ମଣିଷ ଯେତେବେଳେ ପ୍ରଭୃଙ୍କ ପ୍ରେରଣାରେ କର୍ମ କ୍ଷେତ୍ରରେ ଅବତୀର୍ଣ୍ଣ ହୁଏ, ସେତେବେଳେ ତା'ର କୌଣସି ବ୍ୟକ୍ତି ଗତ ପ୍ରାପ୍ତ୍ୟ ବା ଭୋକ୍ତା ହେବା ତା'ର କର୍ମଧାରାର ନିୟାମକ ଘଟେ ନାହିଁ । ବିଶ୍ୱ କଲ୍ୟାଣରେହିଁ ତା'ର ସକଳ କର୍ମର ନିୟାମକ ହୁଏ । ସାଧାରଣ ତା'ର ଦେହେନ୍ଦ୍ରିୟ ମନ, ଯେଉଁ ପ୍ରକାର ସାମାଜିକ, ରାଷ୍ଟ୍ରିୟ ନୈତିକ ଓ ଆଧ୍ୟାତ୍ମିକ ଆବେଷ୍ଠନୀ ମଧ୍ୟରେ ଅବସ୍ଥାପିତ ହୋଇଥାଏ, ସେହି ଅନୁସାରେ ତାର ସ୍ୱକର୍ମ ନିଦ୍ଧାରିତ ହୁଏ । ତଦାନୁସାରେ ତା'ର କର୍ମକୁ ବାହ୍ୟ ଆକୃତିରେ ନିରୂପିତ ହୋଇଯାଏ । କିନ୍ତୁ ତାର ସକଳ କର୍ମର ଉଦ୍ଗମସ୍ଥଳ ପାଲଟେ ଏକ ଅନାବିଳ ବିଶ୍ୱ ପ୍ରେମରେ । ଏହାର ପ୍ରାଣ ବିଶ୍ୱ ପ୍ରାଣ ସହିତ ନିତ୍ୟଯୁକ୍ତ ହୋଇଯାଏ । ତା'ର ଦେହେନ୍ଦ୍ରିୟ ବିଶ୍ୱ ପ୍ରାଣର ସେବାରେ ଉତ୍ସର୍ଗିକୃତ ରହେ । ବିଶ୍ୱ ପ୍ରାଣହିଁ ତା'ର ଦେହେନ୍ଦ୍ରିୟ ମନ ଓ କର୍ମ ଭିତରେ ସ୍ୱୟଂ ଲୀଳାବିଳାସ କରେ ।
ଅଭେଦ ସମଭାବନା ଦୃଷ୍ଟି ନେଇ କର୍ମ ସାଧନାରେ ବ୍ରତୀ ହେବା ଜାଣି ଗୋଟିଏ କର୍ମସିଦ୍ଧ ସହିତ ଅନ୍ୟ କର୍ମସିଦ୍ଧକୁ ବିରୋଧ କରେ ନାହିଁ । ଗୋଟିଏ ପଟରେ ପ୍ରଭୃତ୍ୱ ପ୍ରତିଷ୍ଠା, ଅନ୍ୟ ପଟରେ ଦାସତ୍ୱ ନହେବାର ପ୍ରଟେଷ୍ଟା । ଗୋଟିଏ କର୍ମଶକ୍ତି ଅନ୍ୟ ଗୋଟିଏ କର୍ମଶକ୍ତିକୁ ବ୍ୟାହତ ହେବାକୁ କେବେ ଦିଏ ନାହିଁ । ସକଳ କର୍ମ ଗୋଟିଏ ସେବାରେ ନିବେଦିତ ହୁଏ, ଏକ ବିଶ୍ୱ ପ୍ରାଣହିଁ ସମସ୍ତ କର୍ମର ଫଳଭୋକ୍ତା ପାଲଟେ, ସେଠାରେ ବିରୋଧର ଅବକାଶ ନ'ଥାଏ । ହୃଦୟ ଭିତରେ ହିଂସା, ଦ୍ୱେଷ, ଘୃଣା, ଆଦିର କୌଣସି ଆବିଳତା ନ'ଥାଏ । ହୃଦୟରେ ସକଳ କର୍ମ(ବୃତ୍ତି)କୁ ଏକ ପ୍ରେମ ବୃତ୍ତିରେ ପରିଣତ କରେ । ପ୍ରେମହିଁ ହୃଦୟର ସୂରୂପଗତ ଏକମାତ୍ର ବୃତ୍ତି ବୋଲି ଅନୂଭୂତ ହୁଏ । ଏଭଳି କି ସକଳ ପ୍ରେମର ଅଭିବ୍ୟକ୍ତ ପାଲଟି ଅନାବିଳ ପ୍ରେମ ଧାରାରେ ଯେତେବେଳେ ପ୍ରବାହିତ ହୁଏ, ସେତେବେଳେ ବିଶ୍ୱାନ୍ତର୍ଯ୍ୟାମିଙ୍କୁ ଏକ ପରମତତ୍ତ୍ୱ ପ୍ରେମାନନ୍ଦ ସୂରୂପ ଉପଲବ୍ଧି କରିହୁଏ । ବିଶ୍ୱର ପ୍ରତ୍ୟେକ ଘଟଣାରେ ତାଙ୍କ ପ୍ରେମ ବିଳାସର ପରିଚୟ ମିଳିଥାଏ । ସମଗ୍ର ବିଶ୍ୱ ଅଫୁରୁନ୍ତ ପ୍ରେମ ଆନନ୍ଦର ଖେଳ ପାଲଟିଯାଏ । ସେହିଁ ଖେଳ ନାୟକ, ମାନବ ହୃଦୟ ପ୍ରେମମୟ ପାଲଟି ଯାଏ । ସକଳ ଜଗତ ତାଙ୍କ ଅନୁଭୂତିରେ, ପ୍ରେମଭାବ ଗଠିତ ହୋଇ ଶେଷରେ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ମଣ୍ତିତ ତଥା ଅକ୍ଷୟ ଆନନ୍ଦର ଭଣ୍ତାର ପାଲଟେ ।
ଯେତେବେଳେ ସମଭାବାପନ୍ନ ଅଭେଦ ଦୃଷ୍ଟି ଜନିତ ପ୍ରେମରେ ହୃଦୟ ପରିପୂର୍ଣ୍ଣ ହୋଇଯାଏ, ସେତେବେଳେ ପ୍ରତ୍ୟେକ ମାନବ ହୃଦୟର ଭୋଗାକାଂଙକ୍ଷା ସମ୍ୟକ୍ ପରିତୃପ୍ତି ଲାଭ କରେ । ଅନ୍ତରରେ ପ୍ରେମାନନ୍ଦ ମହାନନ୍ଦ ସୂରୂପ ଅବିଚ୍ଛନ୍ନ ଅନୁଭୂତି ଜାଗରିତ ହୋଇଥାଏ । ଫଳତଃ ଏହି ପ୍ରେମାନନ୍ଦ ସୂରୂପହିଁ ବୈଚିତ୍ର ବିଳାସର ସମ୍ଭୋଗ ପାଲଟେ । କେବଳ ଭିତର ଓ ବାହାରେ ଆନନ୍ଦ ଭାବହିଁ ରହେ । ବିଶ୍ୱ ବ୍ରହ୍ମାଣ୍ତରେ କୌଣସି ଆନନ୍ଦର ବିରୋଧ ସତ୍ତା ଦେଖା ଦିଏ ନାହିଁ । ଏହି ଦୃଷ୍ଟିରୁ ମାନବ ହୃଦୟରେ ସକଳ ଅଭାବ, ଅଭିଯୋଗ, ଶୋକ, ତାପ, ଭୟ, ଆଶଙ୍କା, ଭାବନା କିଛିବି ସ୍ପର୍ଶ କରି ପାରେ ନାହିଁ । ଆନନ୍ଦ ଉଲ୍ଲାସ ବିଳାସ ରାଜ୍ୟରେ ନିରାନନ୍ଦର କୌଣସି ସ୍ଥାନ ନ'ଥାଏ । ଏଭଳି ଅମୃତାସ୍ୱାଦନ ଭିତରେ ମୃତ୍ୟୁର କୌଣସି ଭାବନା କେବେ ଉଦିତ ହୁଏ ନାହିଁ ।
ତେଣୁ ଏଭଳି ଏକ ଦୁର୍ଲଭ ନିତ୍ୟ ସତ୍ୟ ପ୍ରେମାନନ୍ଦ ପରମ ତତ୍ତ୍ୱ ସଙ୍ଗରେ ମିଳନହିଁ ମାନବ ହୃଦୟର ଚିର ଆକାଂଙକ୍ଷା । ଏହି ମହାମିଳନର ଆକାଂଙକ୍ଷାହିଁ ସଂସାରରେ ତା'ର ଚିର ଅସନ୍ତୋଷର କାରଣ ଅଟେ । ଏହି ଆକାଂଙକ୍ଷା ତା'ର ସ୍ୱଭାବରେ ଚିରକାଳ ନିହିତ । ଏହାର କାରଣ, ଏହାର ଇନ୍ଦ୍ରିୟ, ମନ, ବୁଦ୍ଧି, ହୃଦୟ, ନେତି ନେତି, ଆହୁରି ଚାହେଁ, ଆହୁରି ଚାହେଁ, ଅସୀମ ଅତୃପ୍ତ ଭାବେ କହି ଦୌଡୁଥାଏ । କୁହାଯାଇଛି, ''କାମନାର ବିନାଶରେ ଦୁଃଖର ବିନାଶ ", ତେବେ କଣ କାମନାର ବିନାଶ ଅଛି ? କାମନାର ବିନାଶତ ଏକ କାମନା ଏକ ଅକଳ୍ପିତ ଆକାଂଙକ୍ଷା । ତେଣୁ ସାଂସାରିକ ଅପରିଚ୍ଛନ୍ନ ଜୀବନ ଭିତରେ ଅନେକ ପ୍ରକାରର ଜ୍ଞାନ, ବହୁ କର୍ମ ଓ ଭୋଗ ମଧ୍ୟରେ ସେ ଶାନ୍ତି ଟିକେ ପାଏ ନାହିଁ । ଯେତେବେଳେ ସେ ପରିଚ୍ଛନ୍ନ ଏକ ଅଦ୍ୱିତୀୟ ତତ୍ତ୍ୱ ସଙ୍ଗରେ ମିଳିତ ହୋଇ ନିତ୍ୟ ସମଭାବପନ୍ନ ଅଭେଦ ଭୂମିରେ ପ୍ରତିଷ୍ଠା ଲାଭ କରେ, ସେତେବେଳେ ମାନବ ହୃଦୟରେ ଆତ୍ମ ସନ୍ତୋଷର ତୃପ୍ତି ଘଟେ । ଇଷତ୍ ରକ୍ତିମା ଓଠରେ ଅମୃତ ବୋଳା ଚିର ହାସ୍ୟର ରେଖାଟିଏ ଟାଣି ହୋଇଯାଏ । ତାହାହିଁ ତା'ର ଜ୍ଞାନର ସାର୍ଥକତା, କର୍ମର ସାର୍ଥକତା ଓ ଭୋଗର ସାର୍ଥକତା !!!
ଋଗ୍ ବେଦ ବିତର୍କିତ ଦେବଦେବୀ
ଯୁଗେ ଯୁଗେ ବୈଦିକ ଗ୍ରନ୍ଥଗୁଡିକ ଭାରତୀୟମାନଙ୍କ ଧର୍ମୀୟ ବିଶ୍ୱାସକୁ ବଳିଷ୍ଠ କରିଆସିଛି । ବୈଦିକ ଯୁଗରୁ ଆର୍ଯ୍ୟ ଉପଜାତିଗୁଡିକର ଧର୍ମବିଶ୍ୱାସ ରୂପ ପରିଗ୍ରହ ଓ ସ୍ଥାୟିତ୍ୱ ଲାଭ କରି ଆସିଥିବା ବୈଦିକ ସାହିତ୍ୟରେ ପ୍ରତିଫଳିତ ଘଟିଛି । ବୈଦିକ ଧର୍ମକୁ କିଛି ସର୍ତ୍ତ ସହିତ ଏକ ସୁନିଦ୍ଦିଷ୍ଟ ଧର୍ମ ବ୍ୟବସ୍ଥା, ସଂଶ୍ଳିଷ୍ଟ ସୁମଞ୍ଜସ ପ୍ରଥା, ଆଚାର, ପୂଜା, ପର୍ବ ସହ ଧର୍ମୀୟ ଓ ଦାର୍ଶନିକ ବିଶ୍ୱାସ, ବହୁ ପୁରୁଣାକାଳିଆ ଧ୍ୟାନ ଧାରଣା ଭାରତୀୟ ସଂସ୍କୃତିର ନିଦର୍ଶନ ପାଲଟିଛି । ବୈଦିକ ଆର୍ଯ୍ୟ ସମାଜର ବିକାଶରେ ଏହି ଧର୍ମୀୟ ଭାବନା ମହାମନ୍ତ୍ର ଭାବେ କାର୍ଯ୍ୟ କରିଆସିଛି । ବେଦବାଦ ଭାରତରେ ଜାତ ଧର୍ମବିଶ୍ୱାସ ସମୂହ ମଧ୍ୟରେ ସବୁଠାରୁ ପ୍ରାଚୀନ ଏକ ସମନ୍ୱିତ ବ୍ୟବସ୍ଥା ।
ବୈଦିକ ଧର୍ମର ଏକ ଅପରିହାର୍ଯ୍ୟ ଅଙ୍ଗ ହେଉଛି ବହୁ ଈଶ୍ୱରବାଦ , ଅର୍ଥାତ୍ ନରତ୍ୱ ଆରୋପିତ ବହୁ ସଂଖ୍ୟକ ଦେବଦେବୀ ଓ ଅବତାରର ଉପାସନା । ତେଣୁ ବୈଦିକ ଯୁଗରୁହିଁ ଭାରତୀୟମାନେ ନାନା ପ୍ରାକୃତିକ ପ୍ରପଞ୍ଚ ଓ ଦେବଦେବୀଙ୍କ ଉପରେ ମାନବିକ ଗୁଣାବଳୀ ଆରୋପିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଦୋଷତ୍ରୁଟି ଓ ଉତ୍ତମ ଗୁଣ ଦ୍ୱାରା ବିଭୂଷିତ କରୁଥିଲେ । 'ଋଗ୍ ବେଦ'ରେ ଦେବତାମାନଙ୍କ ବର୍ଣ୍ଣନା ରହିଛି, ଆଉ ସେହି ଦେବତାମାନଙ୍କ ଉପରେ ଆରୋପଣ କରାଯାଇଛି ପାର୍ଥିବ ପ୍ରାଣୀମାନଙ୍କ ଆକାର ପ୍ରକାର । ସେହି ଦେବତା ମାନେ ମାନବେତର ପ୍ରାଣୀରୂପେ ଦେଖା ଦେଇଛନ୍ତି । ଏପରିକି ବିଭିନ୍ନ ପ୍ରବଞ୍ଚ ସହିତ ଏକ ଏକ ମୌଳିକ ସଂପର୍କ ସହ ଯୁକ୍ତ ହୋଇଛନ୍ତି, ଅର୍ଥାତ୍ ଇନ୍ଦ୍ର ଦେବତା ଅନେକ ସମୟରେ ଷଣ୍ଢ ରୂପରେ, ଅଗ୍ନି ଦେବତା ଅଶ୍ୱ ରୂପରେ ଉପସ୍ଥିତ ହୋଇଛନ୍ତି । ବୈଦିକ ଆର୍ଯ୍ୟମାନେ ସେହି ଦେବତାମାନଙ୍କୁ ସମ୍ବୋଧନ କରି ସ୍ରୋତ୍ର ନିବେଦନ କରିଛନ୍ତି । ସେହି ଦେବତାମାନଙ୍କ ଉଦ୍ଦେଶ୍ୟରେ ପୂଜା ଉପଚାର ଓ ଏପରିକି ବଳି କରିଛନ୍ତି । ଏସବୁ ସୋତ୍ରଗୁଡିକରେ ବୈଦିକ ଯୁଗର ଲୋକେ ଦେବତାମାନଙ୍କୁ ନିବେଦନ କରିଛନ୍ତି । ବହୁ ସଂଖ୍ୟକ ପଶୁ, ଯୁଦ୍ଧରେ ବିଜୟ, ଉତ୍ତମ ଫସଲ ହେଉ ଅବା ଅତି ସାଙ୍ଘାତିକ ବିପର୍ଯ୍ୟୟ ଓ ବିପତ୍ତିରୁ ପରିତ୍ରାଣ ପାଇଁ ଆକୁଳ ନିବେଦନ କରିଛନ୍ତି ।
ଏପରିକି 'ଋଗ୍ ବେଦ'ରେ ଥିବା ଆରାଧ୍ୟ ଦେବତାମାନଙ୍କୁ ଶ୍ରେଣୀବିନ୍ୟାସ କରିବାର ପ୍ରୟାସ କରାଯାଇଥିବା ଜଣାଯାଏ । ଏକଥା ସ୍ପଷ୍ଟଯେ, ବୈଦିକ ଭାରତୀୟମାନେ ବିଶ୍ୱ ବ୍ରହାଣ୍ତକୁ ସ୍ୱର୍ଗ, ମର୍ତ୍ତ୍ୟ, ଅନ୍ତରୀକ୍ଷ ଏପରି ତିନୋନି ଅଂଶରେ ଭାଗ କରିବାର ଯେଉଁ ତତ୍ତ୍ୱ ସେମାନଙ୍କ ଦୃଷ୍ଟିରେ ଥିଲା ତାହା କରିଛନ୍ତି । ଆହୁରି ମଧ୍ୟ ସେମାନେ ସେମାନଙ୍କ ଉପାସ୍ୟ ଦେବତାମାନଙ୍କୁ ସେଭଳି ତିନୋଟି ଗୋଷ୍ଠୀରେ ଭାଗ କରିଯାଇଛନ୍ତି । ବିଶ୍ୱ ବ୍ରହ୍ମାଣ୍ତର ଏହି ତିନୋଟି ଅଂଶ ମଧ୍ୟରୁ ପ୍ରତ୍ୟେକଟିରେ ନିଜସ୍ୱ ଅଧିବାସୀ ଦେବଦେବୀ ଥିଲେ । ଯେଭଳି ସ୍ୱର୍ଗର ଦେବତାମାନଙ୍କ ଭିତରେ ଥିଲେ ସୂର୍ଯ୍ୟ ଦେବତା, ଉଷା ଦେବୀ ଉଷସ ଓ "ନୈତିକ ନିୟମରାଶିର ନିଦ୍ଧାରକ" ଦେବତା ବରୁଣ । ସେଭଳି ମର୍ତ୍ତର ଦେବତାମାନଙ୍କ ମଧ୍ୟରେ ସର୍ବୋଚ୍ଚ ଶ୍ରେଷ୍ଠ ସମ୍ମାନରେ ପ୍ରତିଷ୍ଠିତ ଥିଲେ ଅଗ୍ନି ଓ ପବିତ୍ର ମାଦକରସର ଦେବତା ସୋମ । ଏହା ବ୍ୟତିତ ଅନ୍ତରୀକ୍ଷ ଦେବତାମାନଙ୍କ ଭିତରେ ଥିଲେ ଝଡର ଦେବତା ରୁଦ୍ର, ପବନ ଦେବତା ବାୟୁ ଓ ମହାଶକ୍ତି ଇନ୍ଦ୍ର ।
ଏକଥା ସତଯେ, ବୈଦିକ ଆର୍ଯ୍ୟ ଉପଜାତି ମାନଙ୍କର ଏହି ସମସ୍ତ ଧ୍ୟାନ ଧାରଣା ସହିତ ପୌରାଣିକ ତତ୍ତ୍ୱ କଥାର ବିଶ୍ୱ ବ୍ରହ୍ମାଣ୍ତ ତ୍ରିବିଧ ଭାଗବଣ୍ଟା ଘନିଷ୍ଠ ଭାବରେ ସଂପୃକ୍ତ ଥିଲା । ତେଣୁ ଏଭଳି ଏକ ଭାରତୀୟ ବୈଦାନ୍ତିକ ପୌରାଣିକ ଦେବଦେବୀ ସଂପର୍କୀତ ଅବଧାରଣା ସହ ଅତି ପ୍ରାଚୀନ ଦେବଦେବୀଙ୍କ ସାଦୃଶ୍ୟ ମଧ୍ୟ ଭାରତୀୟ-ଇରୋପୀୟ ଓ ଇରାନୀୟ ସହ ରହିଛି । କେତେକ ବୈଦିକ ଦେବଦେବୀ ସ୍ପଷ୍ଟତଃ ଗ୍ରୀକ୍ ଦେବଦେବୀ ଭଳି ମନେ ହୁଅନ୍ତି । ତେଣୁ ଗ୍ରୀକ୍ ଦେବଦେବୀଙ୍କ ସହିତ ବୈଦିକ ଦେବଦେବୀଙ୍କ ମଧ୍ୟରେ ଭାରତୀୟ ଦେବଦେବୀ ମଧ୍ୟ ଅଛନ୍ତି । ବୈଦିକ ଆର୍ଯ୍ୟମାନେ ସମଗ୍ର ଭାରତରେ ବିଛେଇ ହୋଇଯିବା ଫଳରେ ଦେବଦେବୀଙ୍କ ଉପାସନା ଆରମ୍ଭ ହୋଇଥିଲା । ସବୁଠୁ ଦେବତାଙ୍କ ମଧ୍ୟରେ ଅନ୍ୟତମ ଦେବତା ହେଉଛନ୍ତି ଇନ୍ଦ୍ର, ଯାହାକି ତାଙ୍କ ନାମରେ ବହୁ ପ୍ରାକୃତିକ ପ୍ରପଞ୍ଚ ବା ଘଟଣା ରହିଛି । ଇନ୍ଦ୍ର ଦେବତାଙ୍କ ପ୍ରତି 'ଋଗ୍ ବେଦରେ' ଦୁଇଶହ ପଟାଶରୁ ଉର୍ଦ୍ଧ ସୂକ୍ତ ରହିଛି, ଯାହା ଇନ୍ଦ୍ରଙ୍କ ପ୍ରତି ନିବେଦିତ । ଇନ୍ଦ୍ରଙ୍କ ବର୍ଣ୍ଣନାରେ ସେ ବିରାଟକାୟ, ଅସୀମ ଶକ୍ତିଶାଳୀ ଏକ ପୁରୁଷ । ସେ ହେଉଛନ୍ତି ବ୍ରଜ ଧାରଣକାରୀ, ସହସ୍ର ସହସ୍ର ଶତ୍ରୁ ସେ ଆଖି ପଲକମାତ୍ରେ ବିଦ୍ୟୁତଗର୍ଭ ବ୍ରଜଶେଳହାଣି ନିଧନ କରିପାରନ୍ତି । ଏହି ପରାକ୍ରାନ୍ତ ଯୋଦ୍ଧା ଦେବତା ପୃଥିବୀର ଜଳ ଶୋଷଣକାରୀ ନାଗରାଜ ପୁତ୍ରକୁ ବଧ କରିଥିଲେ । ବୈଦିକ ଉପଖ୍ୟାନରେ ତାଙ୍କର ବିଭିନ୍ନ କ୍ରିୟାକଳାପକୁ ନେଇ ତାଙ୍କୂ ମାନବୋଚିତ ବୈଶିଷ୍ଟ୍ୟ ଆରୋପିତ କରାଯାଇଛି ।
ସେଭଳି ବରୁଣ ଦେବତା ସମଗ୍ର ଆକାଶ ଉପରେ ଆଧିପତ୍ୟ କରନ୍ତି, ରଥରେ ବସି ଆକାଶ ପରିକ୍ରମା କରନ୍ତି । ଜଗତର ଶୃଙ୍ଖଳା ରକ୍ଷା ସହ ମଣିଷର ଭାଗ୍ୟ କ୍ରିୟାକଳାପ ସହ ଗ୍ରହନକ୍ଷତ୍ରର ଚଳାଚଳକୁ ନିୟନ୍ତ୍ରଣ କରନ୍ତି । ସେ ମଧ୍ୟ ପୃଥିବୀ, ମହାଶୂନ୍ୟ ଓ ବାୟୁମଣ୍ତଳର ରକ୍ଷକ ଓ ଋତୁ ଫଳାଫଳର ନିୟନ୍ତା । ପାପୀକୁ କଠିନ ଶାସ୍ତି ବିଧାନ କରୁଥିବା ବରୁଣ ନିରାପରାଧ ଓ ଅନୁତପ୍ତଙ୍କ ପ୍ରତି କରୁଣାମୟ ହୁଅନ୍ତି । ସକଳ ଦେବତାଙ୍କ ଭିତରେ କୌତୁହଳୋଦ୍ଦୀପକ ଓ ଅସାଧାରଣ ଚରିତ୍ର ହେଉଛନ୍ତି ଝଡର ଦେବତା ରୁଦ୍ର । ସେ କେବଳ ନାସ୍ତିବାଚକ ଗୁଣର ଅଧିକାରୀ । ଋଗ୍ ବେଦରେ' ତାଙ୍କର ସ୍ଥାନକୁ ଗୌଣ କରାଯାଇଛି । ଯେଉଁ ସବୁ ପୂଜା ଓ ବଳି ଅନ୍ୟ ଦେବତାମାନେ ଗ୍ରହଣ କରନ୍ତି ନାହିଁ, ସେ ସବୁ ରୁଦ୍ରଦେବତା କେବଳ ଗ୍ରହଣ କରନ୍ତି । ଏହି ରୁଦ୍ରଦେବତାଙ୍କୁ ଆର୍ଯ୍ୟମାନେ ଅନାର୍ଯ୍ୟ ଉପଜାତିଙ୍କ ଠାରୁ ଗ୍ରହଣ କରିଥିବା ଜଣାଯାଏ ।
ବୈଦିକ ଉପଜାତିମାନେ ବିଷ୍ଣୁଦେବତାଙ୍କ ସହ ପରିଚିତ ଥିଲେ । ଋଗବେଦରେ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଛଅଟି ସୂକ୍ତ ନିବେଦିତ ଅଛି । ମାତ୍ର ତିନୋଟି ପଦକ୍ଷେପରେ ବିଷ୍ଣୁ ବିଶ୍ୱବ୍ରହ୍ମାଣ୍ତ ପରିକ୍ରମା କରିଥାନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଉପଖ୍ୟାନଟି ଯୋଗୁ ପରେ ବିଷ୍ଣୁ ହିନ୍ଦୁଧର୍ମରେ ପ୍ରଧାନ ଦେବତା ରୂପେ ପରିଣତ ହୋଇଛନ୍ତି । ବୈଦିକ ଦେବଦେବୀ ମଧ୍ୟରେ ଅଗ୍ନି ଓ ସୋମ ଦେବତାଙ୍କ ସ୍ଥାନ ସ୍ୱତନ୍ତ୍ର । ଧର୍ମୀୟ ଅନୁଷ୍ଠାନରେ ଅଗ୍ନି ଦେବତା ଏକ ମୌଳିକ ଗୁରୁତ୍ୱର ଅଧିକାରୀ । ବୈଦିକ ସୂକ୍ତରେ କୁହାଯାଇଛି, ଯଜ୍ଞାଗ୍ନିରୁ ଅଗ୍ନିଙ୍କ ଆନୁକୁଲ୍ୟରେ ଦେବତାମାନେ ଅମରତ୍ୱ ଲାଭ କରିଛନ୍ତି । ଏହିଦୃଷ୍ଟିରୁ ଦେବକୁଳ ଓ ମାନବକୁଳ ମଧ୍ୟରେ ଅଗ୍ନି ଯୋଗସୂତ୍ରର କାର୍ଯ୍ୟ କରନ୍ତି । ଅଗ୍ନି ହେଉଛନ୍ତି ପରିବାରର ମଙ୍ଗଳଦାୟକ । "ଋଗ୍ ବେଦରେ" ଅଗ୍ନିଙ୍କୁ ଗୃହର ରକ୍ଷାକର୍ତ୍ତା ଭାବେ ଦର୍ଶାଯାଇଛି । ସେହିପରି ପବିତ୍ର ମାଦକ ପାନୀୟର ଦେବତା ସୋମଙ୍କ ଉଦ୍ଦେଶ୍ୟରେ 'ଋଗବେଦରେ' ଶହେ କୋଡିଏଟି ଋକମନ୍ତ୍ର ଉତ୍ସର୍ଗିତ ଅଛି । ସୋମ ଦେବ ଅଗ୍ନିଙ୍କ ଭଳି ଦେବତାମାନଙ୍କ ଅମରତ୍ୱ ଅର୍ଜନର କାରକ । ଦେବତାମାନେ ଏହି ଅମରତ୍ୱ ବିଧାୟକ ପାନୀୟ ପାଇଁ ଅତିମାତ୍ରାରେ ବ୍ୟାକୁଳ ଥିଲେ । ମଣିଷ ମଧ୍ୟ ଏହି ପାନୀୟ ପାଇଁ ବ୍ୟାକୁଳ, କାରଣ ସେବି ଚାହେଁ ଦେବତାମାନଙ୍କ ସହ ଅନ୍ତଭୃକ୍ତ ହେବାକୁ ।
ପରବର୍ତ୍ତୀ ବୈଦିକ ଯୁଗରେ "ବିମୂର୍ତ୍ତ" ଦେବଦେବୀଙ୍କ ଆବିର୍ଭାବ ଘଟିଥିଲା । ଏମାନଙ୍କର କ୍ରିୟାକଳାପ ଅସ୍ପଷ୍ଟ, ଏମାନଙ୍କ ମଧ୍ୟରେ ଶ୍ରେଷ୍ଠଥିଲେ ବାକ୍ୟଦେବୀ ବାଚ୍ ଓ ବିଶ୍ୱାସର ଦେବ ଶ୍ରଦ୍ଧା । ଏସବୁ ନୂତନ ଦେବମଣ୍ତଳୀର ଆବିର୍ଭାବ ଘଟିଥିଲା ସର୍ବେଶ୍ୱରବାଦୀ ଧର୍ମଧାରଣାରୁ, ଏହାର ସୂଚନା `ଋଗ୍ ବେଦରୁ' ମିଳେ । ବୈଦିକ ସୂକ୍ତ ସମୂହରେ ପ୍ରାକୃତିକ ଶକ୍ତିସମୂହ ଉପରେ ଦେବତ୍ୱ ଓ ମାନବିକ ଗୁଣାବଳୀକୁ ଆରୋପିତ କରେ । ଫଳତଃ ବିଭିନ୍ନ ଦେବତାଙ୍କ ବର୍ଣ୍ଣନାରେ ଥିବା ସାଦୃଶ୍ୟକୁ ଅନୁଭବ କରିହୁଏ । ଦେବତାମାନଙ୍କ ଭିତରେ କୌଣସି ଦୃଢ ବିନ୍ୟସ୍ତ ପଦ ପରଂପରା ଗଢି ଉଠିନି, ବରଂ ଗୋଟିଏ ଗୋଟିଏ ମୁହୂର୍ତ୍ତରେ, ଅବଶ୍ୟ ଗୋଟିଏ ଗୋଟିଏ ଦେବତାଙ୍କ ସ୍ତୁତିଗାନ କରିବାକୁ ଯାଇ ତାଙ୍କୁ ଅସାଧାରଣ ଏକମାତ୍ର ଦେବତା ବୋଲି ଦର୍ଶାଯାଇଛି । `ଏକ ବା ଅଦ୍ୱିତୀୟ ପରେମଶ୍ୱର'ଙ୍କ ପୂଜା ପରିବର୍ତ୍ତେ ଗୋଟିଏ ଗୋଟିଏ ସମୟରେ ଗୋଟିଏ ଗୋଟିଏ ଦେବତା ପ୍ରତି ଶ୍ରଦ୍ଧା ନିବେଦନ"ଏକ ଜାତୀୟ ଦେବତାର ବିଶ୍ୱାସ" ଆଣିଥିଲା । ଯାହାର ପ୍ରତିଫଳିତ ରୂପ ଏକେଶ୍ୱରବାଦ ପ୍ରତି ଆଣିଥିଲା ପ୍ରବଣତା । ପରବର୍ତ୍ତୀ ଉପନିଷଦରେ ଏହାର ବିଶଦ ବର୍ଣ୍ଣନା ଅଛି । ତାସତ୍ତ୍ୱେ ଭାରତୀୟ ଆର୍ଯ୍ୟ ଉପଳାତିମାନେ ଭାରତର ବିଭିନ୍ନ ଅଞ୍ଚଳରେ ରହି ସ୍ଥାନୀୟ ଅନାର୍ଯ୍ୟ ଉପଜାତିଙ୍କ ଅବଧାରଣା ଓ ଆଚାର ଅନୁଷ୍ଠାନକୁ ବେଦବାଦ ଆତ୍ମସ୍ଥ କରିନେଲା । ଯାହାର ପ୍ରମାଣ ଅର୍ଥବବେଦରେ ଥିବା ଐନ୍ଦ୍ରଜାଲିକ ବିଦ୍ୟା, ଜାଦୁମନ୍ତ୍ର ଉଚ୍ଚାରଣ ଆଦିରୁ ସ୍ପଷ୍ଟହୁଏ ।
ପରବର୍ତ୍ତୀ ବୈଦିକ ସାହିତ୍ୟରେ 'ଏକୀଭୂତ ତ୍ରିମୂର୍ତ୍ତି' କ୍ରମଶଃ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ଦେବତା ଭାବେ ଆବିର୍ଭୂତ ହେଲେ । ଏହି ବୈଦିକ ଯୁଗରେ ମଧ୍ୟ ଭାରତୀୟମାନେ ଅଶରୀରୀ ଶକ୍ତିକୁ ପୂଜା କରୁଥିଲେ । ଏପରିକି ନଦନଦୀ, ବନ ପାହାଡ, ବୃକ୍ଷ ଆଦିକୁ ଦେବତା ବୋଲି ମାନୁଥିଲେ । ଦେବ ଆରାଧନା ଲାଗି ପୂଜା, ମନ୍ତ୍ରପାଠ, ଯାଗ ଯଜ୍ଞ, ପ୍ରାର୍ଥନା କରାଯାଉଥିଲା । ବିଶେଷକରି ଏହି ପୂଢା ପର୍ବ, ଯାଗଯଜ୍ଞ, ମନ୍ତ୍ର ଉଂଚାରଣ, ପ୍ରାର୍ଥନା ସୁଖ ଶାନ୍ତି ପ୍ରାପ୍ତି ଲାଗି ପର୍ଯ୍ୟବେଶିତ ଥିଲା । ଏଥିଲାଗି ବ୍ୟକ୍ତିକୁ ମଧ୍ୟ ପ୍ରାତ୍ୟାହିକ ଜୀବନରେ ଅନେକ ସଂସ୍କାରକୁ ମାନି ନେବାକୁ ପଡିଛି । ସନ୍ତାନର ଜନ୍ମ, ବିବାହ ଓ ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଶୋକ, ପିତୃ-ପିତାମହଙ୍କ ସ୍ମୃତିତର୍ପଣ ଲାଗି ପୂଜାନୁଷ୍ଠାନ ବ୍ୟକ୍ତି ଜୀବନର ଏକ ଗୌରବ କଥା ସମୟ କ୍ରମେ ପାଲଟିଛି ।
ବୈଦିକ ପରଂପରାକୁ ଗ୍ରହଣ କରି ଏସବୁ ପୂଜା ବିଦ୍ଧି, ଯଜ୍ଞାନୁଷ୍ଠାନ, ଧର୍ମାନୁଷ୍ଠାନ ମଣିଷର ମୁଖ୍ୟ ଗୁଣ ତଥା ଧାର୍ମିକତାର ରୂପ ନେଇଛି । ଯଜ୍ଞାନୁଷ୍ଠାନ ଓ ଉପଯୁକ୍ତ ମନ୍ତ୍ରୋଚାରଣ ଦ୍ୱାରା କେବଳ ଦେବତା ନୁହଁନ୍ତି, ଏମଣିଷ ମଧ୍ୟ ଅମରତ୍ୱ ଲାଭ କରି ପାରେ...!! ମନ୍ତ୍ରୋଚାରଣରେ ଦେବତା ମାନେ ସନ୍ତୁଷ୍ଟ ହୋଇ ମଣିଷର ବଂଶଧାରାକୁ ବଜାଏ ରଖନ୍ତି, ସନ୍ତାନ ସନ୍ତତି ଓ ସୁଖ ସ୍ୱାଚ୍ଛନ୍ଦ୍ୟ ନିରାମୟ ଶାନ୍ତି ପ୍ରଦାନ କରନ୍ତି । ବିଶେଷ କରି ବ୍ରାହ୍ମଣ ପୁରୋହିତମାନେ ଏହି ଧାରଣାକୁ ଲୋକଙ୍କ ମନରେ ବଦ୍ଧମୂଳ କରି ନେଇଥିଲେ । ସେମାନେ ସାଧାରଣଙ୍କ ମନରେ ଏଭଳି ବିଶ୍ୱାସ ଜନ୍ମାଇଥିଲେ ଯେ ଜନସାଧାରଣ ମନେ କରୁଥିଲେ ଏହି ବ୍ରାହ୍ମଣ ପୁରୋହିତମାନେ ଦେବତାମାନଙ୍କ ସହିତ ଏକ ବିଶେଷ ମୁହୂର୍ତ୍ତରେ ସଂପୂର୍ଣ୍ଣ ଏକାତ୍ମ ହୋଇଯାନ୍ତି । ତେଣୁ ସେହିମାନେ କେବଳ ଦେବତାମାନଙ୍କ ପୂଜା ବିଧି ମନ୍ତ୍ର ଉଚ୍ଚାରଣ କରିପାରିବେ । ସେମାନଙ୍କ ଦ୍ୱାରା ପୂଜାର ଉତ୍ସର୍ଗିତ ଯଜ୍ଞାହୁତିକୁ ଦେବତାମାନଙ୍କ ମଧ୍ୟରେ ନ୍ୟାୟିକ ବଣ୍ଟନ କରିବାରେ ଓ ସନ୍ତୁଷ୍ଟ କରିବାରେ ସମର୍ଥ ହେବେ ।
ଫଳତଃ ଋଗ୍ ବେଦାନୁଯାୟୀ ଯାଗ ଯଜ୍ଞରେ ବ୍ରାହ୍ମଣ ମନ୍ତ୍ରପୂତ କୂଶ ପକାଇ ଦେବତାମାନଙ୍କ ଲାଗି ଆସ୍ଥାନ ପ୍ରସ୍ତୁତ କରି ଆବାହନ କରନ୍ତି । ଯଜ୍ଞଗ୍ନି ଉଦ୍ଦୀପିତ କରି କିଛି ସୋମରସ ବା ଗୋରସରେ ଆହୂତି ଦିଅନ୍ତି, ପରେ ପରେ ଶସ୍ୟଦାନ ନିକ୍ଷେପ କରାଯାଇ ଯଜ୍ଞ ଉଦ୍ ଯାପନ କରାଯାଏ ବା ଯଜ୍ଞପଶୁ ବଳି ଦେଇ ଯଜ୍ଞ ସମାପନ କରୁଥିଲେ । ବୈଦିକ ଆର୍ଯ୍ୟ ଉପଜାତିମାନଙ୍କ ଦେବପୂଜା ପ୍ରଥମେ କୌଣସି ସ୍ୱତନ୍ତ୍ର ଗୃହ ବା ମନ୍ଦିର ନଥିଲା । କିନ୍ତୁ ପରେ ଧର୍ମୀୟ ଅନୁଷ୍ଠାନର ପ୍ରଭାବ ଦ୍ୱାରା ଦେବ ପୂଜାର୍ଚ୍ଛନା ପାଇଁ ମନ୍ଦିର ନିର୍ମିତ ହୋଇଛି । ଦେବତାମାନଙ୍କ ଦେବତ୍ୱ, ଶକ୍ତି, ମାନବିକ ଗୁଣାବଳୀ ଆରୋପାନୁଯାୟୀ ହେଉ ଅବା ଶ୍ରେଣୀ ବିନ୍ୟାସ କରି ବିଭିନ୍ନ ଦେବଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ମନ୍ଦିର କରାଯାଇ ପୂଜାର୍ଚ୍ଛନା କରାଯାଉଛି ।
ଧର୍ମ, ସନ୍ଧି, ସର୍ତ୍ତ ଓ ବୁଝାମଣା
ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବଟିଏ । ସବୁ ପ୍ରାଣୀଙ୍କଠାରୁ ସେ ନିଆରା । ସେ ଅଧିକ ବୁଦ୍ଧିମାନ ଓ ଚାଲାକ । ତା ମନର କ୍ଷୁଧା, କାମନାର କେବେ ଶେଷ ନଥାଏ । ଅର୍ଥ, କ୍ଷମତା, ସାମ୍ରାଜ୍ୟ ପ୍ରତିଷ୍ଠା ଓ ନାରୀ ପ୍ରତି ତା'ମନରେ ଅହେତୁକ ଦୃର୍ବଳତା ଭରି ରହିଛି । ସେଇ ଲାଗି ବେଳେ ବେଳେ ଦୁଇ ବ୍ୟକ୍ତି ବା ଦୁଇ ସଂପ୍ରଦାୟରେ ବା ଦୁଇ ଜାତି ବା ସମୁଦାୟ ବା ଦୁଇଟି ଦେଶ ଭିତରେ ବିବାଦ ଉପୁଜେ, ଏହାକୁ ବନ୍ଦ କରିବାର ଏକମାତ୍ର ଉପାୟ ବୁଝାମଣା । ବିନା ବୁଝାମଣା ଦ୍ୱାରା ତାର ଅନ୍ତ ଘଟିବ ନାହିଁ । ବୁଝାମଣା ବା ବୁଝାଇବା ଅର୍ଥ ଯାହା ସବୁ ପୁରୁଣା ଲଢେଇ/ଝଗଡାକୁ ଦୂରେଇ ଶାନ୍ତି ପୂର୍ବକ ସହାବସ୍ଥାନ କରିବା । ଏଥିରେ ଦୁଇ ପକ୍ଷକୁ ବୁଝାଇ ରଖିବା ବା ଅନ୍ୟ ମାର୍ଗରେ ଜଣେ ଅନ୍ୟ ଜଣଙ୍କ ସହ ଆଲିଙ୍ଗନ କରିବା ଦ୍ୱାରା ବିବାଦର ଅନ୍ତ ଘଟେ । ଏପ୍ରକାର ବିବାଦର ବୁଝମଣା ହୁଏତ ଅଲିଖିତ ବା ମୌଖିକ ବା ଲିଖିତ ହୋଇପାରେ । ଉଭୟ ପକ୍ଷର କଥାକୁ ଯୋଡି ଓ ଆଗାମୀର ଲକ୍ଷ୍ୟକୁ ଭିତ୍ତି କରି ସମାନ୍ଧନର ବାଟ ନିର୍ଣ୍ଣୟ କରାଯାଏ । ହୁଏତ ତାହା ଲିଖିତ ସର୍ତ୍ତ ଆକାରରେ ରହେ, ଯାହାକୁ ଉଭୟ ପକ୍ଷରୁ ସନ୍ଧି ବୋଲି ମାନି ନିଆଯାଏ । ଉଭୟ ସନ୍ଧି ସ୍ୱାକ୍ଷର ପରେ କେହି କାହାକୁ ଦୋଷାରୋପ ବା ଆକ୍ରମଣ କରନ୍ତି ନାହିଁ, ବିବାଦର ଅନ୍ତଘଟେ ।
ଲିଖିତ ବୁଝାମଣା ପ୍ରକ୍ରିୟାକୁ ବୈଦିକ କ୍ଷେତ୍ରରେ ସଂବିଦା କୁହାଯାଏ । ବୁଝାମଣା ଦ୍ୱାରା ଅନେକ ଲାଭ/ ସଫଳତା ମିଳେ । ହୁଏତ ଗୋଟିଏ ପକ୍ଷ ଅଧିକ ଲାଭ ବା ସଫଳତା ପାଇଥିବା ବେଳେ ଅନ୍ୟ ପକ୍ଷଟି କମ୍ ଲାଭ ବା ସଫଳତା ପାଇଥାଏ । ଆପାତଃ ଉଭୟ ପକ୍ଷ କ୍ଷୟ, କ୍ଷତିରୁ ଧନ, ଜନ ହାନିରୁ ବଞ୍ଚିଯାନ୍ତି । ଯେଉଁଠି ବୁଝାମଣା ଅଧାପାନ୍ତରା ହୋଇ ରହେ, ବା ବୁଝାଯାଏ ନାହିଁ, ବୁଝି ନବୁଝେ, ପରବର୍ତ୍ତୀ ସମୟରେ ଅନେକ କ୍ଷୟ କ୍ଷତି ମଧ୍ୟ ଘଟିଥାଏ । ଏହା କେବଳ ବ୍ୟକ୍ତି ବିଶେଷର ନୁହେଁ, ସମଗ୍ର ଦେଶ, ସମାଜ, ସକଳ ଜୀବ-ଜନ୍ତୁ, ପ୍ରାଣୀଙ୍କୁ ଭୋଗିବାକୁ ପଡିଥାଏ । ଧନ ଜୀବନ ସହ ଭବିଷ୍ୟତର ବାତାବରଣ ସମୂଳେ ବିନଷ୍ଟ ହୋଇଯାଏ ।
ଏ ସଂପର୍କରେ ଦୁଇ ମହାକାବ୍ୟ ପ୍ରଣିଧ୍ୟାନ ଯୋଗ୍ୟ । ପ୍ରାଚୀନ ଭାରତର ମହାକାବ୍ୟ ଗୁଡିକ ମଧ୍ୟରେ 'ମହାଭାରତ' ଓ 'ରାମାୟଣ' ହେଉଛି ସର୍ବାପେକ୍ଷା ଉଲ୍ଲେଖନୀୟ ରଚନା । ଗ୍ରନ୍ଥ ଆକାରରେ ଏହି ଦୁଇ କାବ୍ୟ ଲିପିବଦ୍ଧ ହୋଇଥିଲା ସମ୍ଭବତଃ ଖ୍ରୀଷ୍ଟ ପୂର୍ବ ଚତୁର୍ଥ ଶତାଦ୍ଦୀରୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାଦ୍ଦୀ ମଧ୍ୟରେ । ତେଣୁ କାବ୍ୟ ଦୁଇଟିର ମୂଳ କାହାଣୀ ଓ ଉଭୟ ମଧ୍ୟରେ ଅନ୍ତର୍ଭୃକ୍ତ ବହୁ ଉପାଖ୍ୟାନ ନିଃସଂଦେହରେ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାଦ୍ଦର ପ୍ରଥମାର୍ଦ୍ଧ ସମୟର ।
'ମହାଭାରତର' ମୂଳ ବିଷୟ ବସ୍ତୁ ହେଉଛି କୌରବ ଓ ପାଣ୍ତବମାନଙ୍କ ମଧ୍ୟରେ ଘଟିଥିବା ଏକ ସଂଘର୍ଷର କାହାଣୀ । ଏହାର ପରିଣତିର ଅନ୍ତ ଘଟିଥିଲା ଦୀର୍ଘ ଅଠର ଦିନବ୍ୟାପୀ କୁରୁକ୍ଷେତ୍ର ମହାଯୁଦ୍ଧରେ । ଅନ୍ୟ ପକ୍ଷରେ, 'ରାମାୟଣ' ବର୍ଣ୍ଣିତ ହୋଇଛି ଦୃଷ୍ଟ ରାକ୍ଷାସ ରାବଣ କର୍ତ୍ତୃକ ଅପହୃତା ପ୍ରିୟତମା ସୀତାଙ୍କ ଉଦ୍ଧାର ପାଇଁ ଅଯୋଧ୍ୟାର ରାଜା ରାମଙ୍କ ଲଙ୍କା ଅଭିଯାନରେ । ଅନେକ ପଣ୍ତିତ 'ମହାଭାରତର' କାହାଣୀକୁ ସତ୍ୟ ଘଟଣାର ପ୍ରତି ଚିତ୍ରଣ ବୋଲି ଦୃତ ବିଶ୍ୱାସର ସହ ଗ୍ରହଣ କରିଥାନ୍ତି । ସେମାନେ ମନେ କରନ୍ତି, ଘଟଣା ଗୁଡିକ, ହୁଏତ ଘଟିଛି ଖ୍ରୀଷ୍ଟ ପୂର୍ବ ଦ୍ୱିତୀୟ ସହସ୍ରାଦ୍ଦର ଶେଷ ଓ ସହସ୍ରାଦ୍ଦର ପ୍ରାରମ୍ଭରେ । ଅପର ପକ୍ଷରେ, 'ରାମାୟଣର' କାହାଣୀକୁ ଐତିହାସିକ ଦୃଷ୍ଟିରୁ ଆର୍ଯ୍ୟ ଉପଜାତିଗୁଡିକ ଓ ଦକ୍ଷିଣ ଭାରତର ଉପଜାତିମାନଙ୍କ ମଧ୍ୟରେ ସଂଗ୍ରାମର ସ୍ମାରକ ଭାବରେ ବ୍ୟାଖ୍ୟା କରାଯାଇଥାଏ । ତେବେ ବିଚାର ପ୍ରଣିଧ୍ୟାନଯେ, ଏହି ଦୁଇଟି ମହାକାବ୍ୟର ବର୍ଣ୍ଣିତ ସକଳ ଘଟଣାବଳୀ ଐତିହାସିକ ବିଚାର ଦ୍ୱାରା ସୁନିଦ୍ଦିଷ୍ଟ ସତ୍ୟ ହେଉ ବା ନହେଉ ଏହି ଦୁଇ ମହାକାବ୍ୟ ଭାବରେ ସ୍ୱୀକୃତି ପାଇଛି, ବହୁ ଶତାଦ୍ଦୀ ଶତାଦ୍ଦୀ ଧରି ଜନମାନସରେ ଓ ଐତିହ୍ୟ ଭିତରେ ଆଦରଣୀୟ ଓ ପୂଜିତ ହୋଇ ଆସୁଛି ।
ଏହି ଦୁଇ ମହାକାବ୍ୟ ବିରାଟ କଳେବର ବିଶିଷ୍ଟ ଦୁଇଟି ସଂପୂର୍ଣ୍ଣ ସଂକଳନ । 'ମହାଭାରତରେ' ଅଛି ପ୍ରାୟ ଏକ ଲକ୍ଷ ଦ୍ୱିପଂକ୍ତି ବିଶିଷ୍ଟ ପଦ ବା ଶ୍ଳୋକ ଥିବା ବେଳେ 'ରାମାୟଣ'ରେ ଚବିଶ ହଜାର ଶ୍ଳୋକ ଭରି ରହିଛି । ଏହି ଦୁଇ ମହାକାବ୍ୟ ମୂଳ କାହାଣୀ ଛଡା ଅସଂଖ୍ୟ ପାର୍ଶ୍ୱ ଅଥବା ବିକ୍ଷିପ୍ତ ଉପଖ୍ୟାନ ଗୁଡିଏ ଦେଖିବାକୁ ମିଳିଥାଏ । ଏହି ଦୁଇ ମହାକାବ୍ୟ 'ମହାଭାରତ' ଓ 'ରାମାୟଣ'କୁ ଚମତ୍କାର ସୁସଂହତ ରଚନା ବୋଲି ଗ୍ରହଣ କରାଯାଇଛି । କାବ୍ୟ ଦୁଇଟି କେବଳ ବିଭିନ୍ନ କାହାଣୀ ଓ ରଚନା ରୀତିର ଆଦୌ ଏକ ତାଳିପକା ଶିଳ୍ପକର୍ମ ନୁହେଁ, ଏହା ହେଉଛି ଐକ୍ୟବଦ୍ଧ ରଚନା ଓ ପ୍ରତ୍ୟେକଟି ହେଉଛି ରଚନା ଏକ ଓ ଅଖଣ୍ତ । ଏହାର ମୂଳ ଐତିହ୍ୟଗତ ଭାବରେ ବ୍ୟାସଦେବଙ୍କୁ "ମହାଭାରତର' ଓ କବି ବାଲ୍ମୀକିଙ୍କୁ "ରାମାୟଣର' ରଚୟିତା ବୋଲି କୁହାଯାଏ । ପ୍ରକୃତରେ ଦେଖିବାକୁ ଗଲେ ଏହି ମହାନ୍ ଦୁଇ କବି ବା ଋଷିଙ୍କ ସଂପର୍କରେ ତଥ୍ୟଗତ ନିର୍ଦିଷ୍ଟ ପ୍ରମାଣ ବା ଜଣାନାହିଁ । ଏହି ଦୃଷ୍ଟିରୁ ମନେହୁଏ, ବ୍ୟାସଦେବ ଓ ବାଲ୍ମୀକି ଉଭୟ ବୋଧହୁଏ ଲୋକକବି , ସେମାନେ ଦୁହେଁ ଏତେ ପ୍ରସିଦ୍ଧ ଥିଲେଯେ, ସେମାନଙ୍କ ନାମ ବଂଶ ପରମ୍ପରା କ୍ରମେ ପ୍ରଚଳିତ ହୋଇଆସୁଛି । ଏପରିକି ଶତାଦ୍ଦୀ ଶତାଦ୍ଦୀ ଧରି ଜନମାନସରେ ଆଦୃତ ଲାଭକରି ଆସିଥିବାରୁ ଏ ଦୁଇଟିର ରୀତି ଓ ଭାଷା ଉପରେ ତା'ର ପ୍ରଭାବ ପଡିଛି । ଆଗାମୀ ନବାଗତ ବଂଶଧରଙ୍କ ନିକଟରେ ଏହି ଦୁଇ ମହାକାବ୍ୟ ପ୍ରାଚୀନ ଭାରତ ସଂପର୍କରେ ଯର୍ଥାତ୍ ବିଶ୍ୱକୋଷ ହୋଇ ରହିଥିବ ତଥା ଭାରତୀୟ ମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ, ରାଜନୈତିକ ସଂଗଠନ ତଥା ଦୈନଦିନ ଜୀବନ ଯାତ୍ରାର ବହୁ ବିଟିତ୍ର ରୂପକୁ ଦର୍ଶାଇ ଆସୁଥିବ ।
ଏକଥା ଅତ୍ୟନ୍ତ ସତ୍ୟଯେ ଭାରତରେ ଏହି ଦୁଇ ମହାକାବ୍ୟ ଜନପ୍ରିୟତା କ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ମହାକାବ୍ୟ, ଯାହାର ପ୍ରତିଟି ମୂହୂର୍ତ୍ତରେ ଦୃଷ୍ଟାନ୍ତ ଭାବେ ନିଆଯାଇଥାଏ । କୁରୁକ୍ଷେତ୍ରର ରକ୍ତକ୍ଷୟୀ ଯୁଦ୍ଧ କେବେ ସତରେ ଘଟିଥିଲା କି ନାହିଁ, ବା ହୁଏତ ଏହା କାଳ୍ପନିକ କିମ୍ୱଦନ୍ତୀ ହୋଇପାରେ । ତେବେ କୁରୁ ପ୍ରାନ୍ତର ବା କୁରୁକ୍ଷେତ୍ରରେ କୌରବ ଓ ପାଣ୍ତବ ମାନଙ୍କ ମଧ୍ୟରେ ସଂଗ୍ରାମ 'ଝିମିଟି ଖେଳରୁ', ପରସ୍ପରଙ୍କ ବୁଝମଣାର ଅଭାବରୁ ଘଟିଛି, ରାମଙ୍କ ସହ ରାବଣର ଅବୁଝା ପଣରୁ ଘଟିଛି । ମହାଜ୍ଞାନୀ ମହାପଣ୍ତିତ ରାବଣ ଯଦି ଭ୍ରାତା ବିଭୀଷଣର କଥାକୁ ଥରେ ବୁଝି ପାରିଥାନ୍ତା, ସ୍ୱର୍ଣ୍ଣଲଙ୍କା ଧ୍ୱଂସ ହୋଇନଥାନ୍ତା !!! ଯାହାର ଅନ୍ୟ ଏକ ଦୃଷ୍ଟାନ୍ତ ମହାକାବ୍ୟ ମହାଭାରତରେ "ଝିମିଟି ଖେଳରୁ ମହାଭାରତ" ଦେଖିବାକୁ ମିଳିଥାଏ ।
ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରୁ ଶାନ୍ତିର ଦୂତ ହୋଇ ଦୁର୍ଯ୍ୟୋଧନଙ୍କ ସଭାସ୍ଥଳିକୁ ଗଲେ । ଶ୍ରୀକୃଷ୍ଣ ଦୁର୍ଯୋଧନଙ୍କୁ ବହୁତ ପ୍ରକାର ବୁଝାଇବା ପରେ ବି ଯୁଦ୍ଧକୁ ଟାଳିବା ତାଙ୍କ ପାଇଁ ସମ୍ଭବ ହୋଇପାରି ନଥିଲା, ବରଂ ତାଙ୍କର ସମସ୍ତ ପ୍ରୟାସ, ଚେଷ୍ଟା ବିଫଳ ହୋଇଛି । ନିଜକୁ ମାନଗୋବିନ୍ଦ ବୋଲାଉଥିବା ଦୁର୍ଯ୍ୟୋଧନ ନିଜ ଅହଂକାରରେ ଅନ୍ଧ ହୋଇ ଯାଇଥିଲେ ଓ ବୀର ଦର୍ପରେ କହିଥିଲେ"ବିନା ଯୁଦ୍ଧେ ନଦେବି ସୂଚ୍ୟଗ୍ର ମେଦିନୀ" । ଶ୍ରୀକୃଷ୍ଣ ବାରଂବାର ବୁଝାଇ କହିଥିଲେ "ତମେ ଥରେ ବୁଝିବାକୁ ଚେଷ୍ଟାକର, ବୁଝିବାକୁ ମନାକର ନାହିଁ, ଯଦି ଏହି କାରଣରୁ ଯୁଦ୍ଧ ଘଟେ, ତେବେ ଏହାର ଅନ୍ତ ଭୟାନକ ହେବ ।" ତଥାପି ଦୁର୍ଯ୍ୟୋଧନ ନିଜ ଅହଂକାରରେ ନବୁଝି ନିଜ ପଣରେ ଅଟଳ ରହିଲେ । ଫଳତଃ ଯୁଦ୍ଧ ଘଟି ବହୁ ଧନ, ଜନଙ୍କର କ୍ଷୟ ଘଟିଲା । ରକ୍ତର ନଦୀ ବୋହିଗଲା, କୌରବ ବଂଶ ସମୂଳେ ଧ୍ୱଂସ ପାଇଲା ।
ବୁଝାଇବା, ବୁଝିବା ବା ସନ୍ଧି ସବୁଠାରୁ ଉତ୍ତମ କଥା । ଏଥିରେ ଊଭୟଙ୍କର ଲାଭ ହୁଏ । ଏକଥା ମଧ୍ୟ ସତଯେ ଏହି ସନ୍ଧି ବା ବୁଝାଇବାର ସର୍ତ୍ତ, ଉଭୟ ପକ୍ଷ ପାଇଁ ସୁବିଚାର ରଖିବା ଓ ଉଭୟ ପକ୍ଷ ଏହି ସର୍ତ୍ତ ବା ସନ୍ଧି ପତ୍ରକୁ ମାନି ନେବାକୁ ପ୍ରସ୍ତୁତ ହେବା । ଯଦି କୌଣସି ଗୋଟିଏ ପକ୍ଷ ନିଜ ଅହଂକାର ଓ ଅଭିମାନକୁ ବୁଝିବାକୁ ସହମତି ଦିଏନା କି ବୁଝେ ନାହିଁ କିମ୍ବା ବୁଝିବାର ଶକ୍ତି ନାହିଁ, ତେବେ ଉଭୟ ପକ୍ଷର କ୍ଷତି, ମହାଭାରତ ଯୁଦ୍ଧ ଭଳି ଘଟିବ । ଯଦି ବୁଝାଇବା ଦ୍ୱାରା ଆମ ଚରିତ୍ର ଓ ସ୍ୱାଭିମାନରେ ଲେଶ ମାତ୍ର କ୍ଷୂର୍ଣ୍ଣ ହୁଏ, ତେବେ ବୁଝାଇବା, ସନ୍ଧିର ଆବଶ୍ୟକ ନାହିଁ । ନିଜ ଅନ୍ତରାତ୍ମାକୁ କଷ୍ଟ ଦେବା ଭଳି ବା ସ୍ୱାଭିମାନକୁ ବଳି ଦେଇ ବୁଝାଇବାକୁ ଅପଚେଷ୍ଟା କରିବା ଉଚିତ୍ ନୁହେଁ । ଇତିହାସରେ ଏହି ବୁଝାମଣା, ସନ୍ଧି, ସର୍ତ୍ତ ବଳରେ ବହୁ ବଡବଡ ଯୁଦ୍ଧକୁ ଟାଳି ଦିଆଯାଇଛି । ଶତ୍ରୃ ମିତ୍ରରେ ରୂପାନ୍ତରିତ ହୋଇଛି ।
ବୁଝାଇବାର ବୁଝାମଣା, ସନ୍ଧି ଓ ସର୍ତ୍ତ ଯେଉଁଠି ବ୍ୟକ୍ତି, ସମାଜ, ଜାତି ଓ ଦେଶର କଲ୍ୟାଣ ହୋଇପାରେ ନାହିଁ, ସେଠାରେ ବୁଝାମଣା କଦାପି କରିବା ଠିକ୍ ନୁହେଁ । ଯେଉଁଠି ସମାଜର, ଜାତିର, ଦେଶର ସର୍ବ କଲ୍ୟାଣ ଘଟିବ, ସେଠାରେ ବୁଝାମଣା ଯଥେଷ୍ଟ ଦରକାର ଅଛି । ଏହା ସତ୍ୟ ଯେ, ବୁଝାମଣାରେ ମଙ୍ଗଳ ଘଟେ । "ଦଣ୍ଡିବା ଶକ୍ତି ଯାର ଥାଇ : ସେ ପୁଣି କ୍ଷମା ଆଚରଇ" । କିନ୍ତୁ ନିନ୍ଦିତ, ଘୃଣିତ ବୁଝାମଣା କେବେ କରାନଯାଉ । ଯାହା ଦ୍ୱାରା ସମାଜ ଓ ଦେଶର ଅହେତୁକ କ୍ଷତି ଘଟିବ । ଏବେ ବ୍ୟକ୍ତି, ସମାଜ, ଦେଶ, ଦେଶ ଦେଶ ମଧ୍ୟରେ, ଧର୍ମ, ରାଜନୀତି ପ୍ରତ୍ୟେକ କ୍ଷେତ୍ରରେ ଦେଖା ଦେଉଥିବା ବିବାଦ ଓ ମତ ଭେଦର ଆଶୁ ସମାନ୍ଧନ ପାଇଁ ଏହା ଉତ୍ତମ ପଥ ଦେଖାଉ । ଅମୃତର ଫଳ ଦେଉ ।
ପୌରୁଷଂ ନୃଷୁ
ଶ୍ରୀ ଭଗବାନ ଗୀତାରେ ଆତ୍ମପରିଚୟ ଦେବା ପ୍ରସଙ୍ଗରେ କହିଛନ୍ତି "ପୌରୁଷଂ ନୃଷୁ" । ଅର୍ଥାତ୍ ପ୍ରତ୍ୟେକ ମନୁଷ୍ୟ ଭିତରେ ଅନେକ ପୌରୁଷ ବିରାଜମାନ କରିଛି । ମନୁଷ୍ୟର ପୁରୁଷକାରର ସୂରୂପରେ 'ମୁଁ' ହିଁ ( ଭଗବାନ ) ତା' ( ମନୁଷ୍ୟ ) ଭିତରେ ନିଜର ସର୍ତ୍ତା, ଶକ୍ତି, ଓ ଐଶ୍ୱର୍ଯ୍ୟକୁ ବିଶେଷ ରୂପେ ପ୍ରକଟ କରେ । ଭଗବାନଙ୍କ ସୃଷ୍ଟି ଅତି ବୈଚିତ୍ର । ଯେଉଁଠି ଏଭିଳି ଏକ ବୈଚିତ୍ରମୟ ସୃଷ୍ଟିରେ ଅସଂଖ୍ୟ ପ୍ରକାର ଜୀବ ଓ ଅସଂଖ୍ୟ ପ୍ରକାର ଜଡ ପଦାର୍ଥର ଆଶ୍ଚାର୍ଯ୍ୟମୟ ସମାବେଶ ଘଟିଛି । ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ କେବଳ ତାଙ୍କ ସକଳ ସୃଷ୍ଟି ମଧ୍ୟରେ ନାହିଁ, ବରଂ ପ୍ରତ୍ୟେକ ବସ୍ତୁ ସହିତ ଜଡିତ ଅଛି । ପ୍ରତ୍ୟେକ ବସ୍ତୁର ବିଚିତ୍ର ସଂବୋଧ ମଧ୍ୟରେ ତାଙ୍କର ବିର୍ଯ୍ୟ ଓ ଐଶ୍ୱର୍ଯ୍ୟର ପରିଚୟ । ତାଙ୍କର ସୌନ୍ଦର୍ଯ୍ୟ ଓ ମାଧୂର୍ଯ୍ୟର ପରିଚୟ ଓ ତାଙ୍କର ଅନନ୍ତ ଜ୍ଞାନ ଓ ଅନୁଶୀଳନ ରସବୋଧର ଅମୃତମୟ ପରିଚୟ ମିଳେ ।
ଦେଶକାଳ ବ୍ୟାପୀ ବ୍ୟଷ୍ଠିରୁ ସମଷ୍ଟି ଭିତରେ, କ୍ଷୁଦ୍ରରୁ କ୍ଷୁଦ୍ରତର ଭିତରେ ଭଗବତ୍ ନିତ୍ୟ ନିରନ୍ଦର ଆତ୍ମ ପ୍ରକାଶ କରି ରହିଛି । ପ୍ରତ୍ୟେକ ରସାଳ ପଦାର୍ଥ ଭିତରେ ରସରୂପ ଲୁଚି ରହିଥାଏ । ପ୍ରତ୍ୟେକ ତେଜମୟ ପଦାର୍ଥ ଭିତରେ ବିଚିତ୍ର ତେଜ ରୂପର ପ୍ରକାଶ ଘଟିଥାଏ । ସେଭଳି ପ୍ରତ୍ୟେକ ସୁନ୍ଦର ପଦାର୍ଥ ମଧ୍ୟରେ ସୌନ୍ଦର୍ଯ୍ୟ ଓ ମଧୁର ପଦାର୍ଥର ଭିତରେ ଏହାର ଆତ୍ମସ୍ୱାଦନ ଭରି ରହିଛି । ଏପରିକି ପ୍ରତ୍ୟେକ ଚେତନ ପଦାର୍ଥରେ ଚେତନା , ଶକ୍ତିମାନ ରେ ଶକ୍ତି, ବୁଦ୍ଧିମାନରେ ବୁଦ୍ଧି, ଜ୍ଞାନମାନରେ ଜ୍ଞାନ ଓ ପ୍ରେମୀ ଭିତରେ ପ୍ରେମଭାବ ପରିପୂର୍ଣ୍ଣ ଥାଏ , ସେଭଳି ମଧ୍ୟ ଚକ୍ଷୁ ମଧ୍ୟରେ ଦୃଷ୍ଟି ଶକ୍ତି, କର୍ଣ୍ଣ ଭିତରେ ଶ୍ରବଣ ଶକ୍ତି, ହସ୍ତରେ କର୍ମ ଶକ୍ତି, ପଦରେ ଚଳନ ଶକ୍ତି ଥାଏ । ବିଶ୍ୱ ବ୍ରହ୍ମାଣ୍ତରେ ଏଭଳି କିଛି ନାହିଁ, ଯାହା ଭିତରେ ଏହାର ପ୍ରକାଶ ନାହିଁ, ଯା'ହା ଭିତରେ ସର୍ତ୍ତା ଓ ଶକ୍ତି ଲୀଳାୟିତ ଓ ଯାହା ଭିତରେ ତାଙ୍କର ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟ ଭାବ ପ୍ରକଟ ନହୋଇଛି ।
ଅନନ୍ତ ଭାବବିଳାସୀ ଭଗବାନ ନିଜସ୍ୱ ବିଚିତ୍ର ବିଭୂତିମୟୀ ସର୍ତ୍ତାର ପରିଚୟ ପ୍ରଦାନ ପ୍ରସଙ୍ଗରେ ବିଶେଷ ରୂପରେ ଉଲ୍ଲେଖ କରିଛନ୍ତି, "ମୁଁ' ହିଁ ପୌରୁଷଂ ନୃଷୁ ।" ମଣିଷର ବୈଶିଷ୍ଟ୍ୟ ତା'ର ପୌରୁଷ ଭିତରେ ଆତ୍ମଗୋପନ କରି ରହିଥାଏ । ପୌରୁଷର ଅଧିକାରୀହିଁ ମଣିଷକୁ ଅସଂଖ୍ୟ ପ୍ରକାର ଜୀବଙ୍କ ଠାରୁ ସ୍ୱତନ୍ତ୍ର ସ୍ଥାନ ଓ ଗୌରବର ଅଧିକାରୀ । ଏହି ପୌରୁଷ କ୍ଷେତ୍ରରେ ଦେବତା ଅପେକ୍ଷା ମାନବର ଗୌରବ ଅଧିକ । ପୌରୁଷ ବିଶିଷ୍ଟ ଜୀବ ମାନଙ୍କ ମଧ୍ୟରେ ଏକମାତ୍ର ମଣିଷକୁ ବୁଝାଇଥାଏ । ତେଣୁ ମନୁଷ୍ୟ ମଧ୍ୟରେ ଭଗବାନଙ୍କ ବିଶେଷ ପ୍ରକାଶ ପୌରୁଷ ଭିତରେ ରୂପାୟିତ, ଯାହା କେବଳ ଭଗବାନହିଁ ମନୁଷ୍ୟ'ର ପୌରୁଷକୁ ବିକଶିତ କରନ୍ତି । ପୌରୁଷ ଭିତରେ ଉଜ୍ଜଳ, ମଧୁର ଓ କଲ୍ୟାଣ ମଣ୍ତିତ କରି ନିଜକୁ ବିଶେଷ ରୂପରେ ମନୁଷ୍ୟ ଭିତରେ ଲୀଳାୟିତ କରି ଆସ୍ୱାଦନ କରନ୍ତି । ତେଣୁ ମନୁଷ୍ୟର ପୌରୁଷ ସ୍ୱରୂପକୁ ଅନୁସନ୍ଧାନ କରାଯିବା ଉଚିତ ।
ପୌରୁଷର ପ୍ରଥମ ଓ ପ୍ରଧାନ ଲକ୍ଷଣ ହେଉଛି- ପ୍ରକୃତିର ଦାସତ୍ୱକୁ ଅସ୍ୱୀକାର କରିନେବା ଓ ନିଜକୁ ସ୍ୱାଧିନ ଘୋଷଣା କରିବା । ଛୋଟ/ବଡ ପ୍ରତ୍ୟେକ ଜୀବ, ସେ ବଳବାନ୍ ହେଉ ବା ଦୃର୍ବଳ ହେଉ, ସେ ମାଂସାସୀ ହେଉ ବା ତୃଣ ଉଦ୍ଭିଦ ଭୋଜୀ ପ୍ରାଣୀ ହେଉ, ପ୍ରକୃତି କୋଳରେ ସକଳେ ଶିଶୁ ହୋଇଯାନ୍ତି, ପ୍ରକୃତିର ଦାସ ହୋଇପଡନ୍ତି । ପ୍ରକୃତିର ଶକ୍ତିରେ ନିୟନ୍ତ୍ରିତ ହୁଅନ୍ତି । କୀଟ, ପତଙ୍ଗ, ସରୀସୃପ ଠାରୁ ସିଂହ ଭଳି ବହୁ ବଳଶାଳୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଜୀବ ପ୍ରକୃତିର ଅଧିନରେ, ଶୃଙ୍ଖଳରେ ଆବଦ୍ଧ ।
କିନ୍ତୁ ପ୍ରତ୍ୟେକ ଜୀବଠାରୁ, ମନୁଷ୍ୟ ଏକ ନିଆରା । ସେହିଁ କେବଳ ପ୍ରକୃତି ରାଜ୍ୟର ବିପ୍ଳବୀ ସାଜେ, କାରଣ ମନୁଷ୍ୟର ସ୍ୱତନ୍ତ୍ର ବିଚାରଶକ୍ତି, ଇଚ୍ଛାଶକ୍ତି ଓ କର୍ମଶକ୍ତି ଅଛି, ଏହାର ପ୍ରୟୋଗ ଦ୍ୱାରା ନିଜର ଜୀବନକୁ ସ୍ୱୟଂ ଗଠନ କରିବାର ଅଧିକାର ରହିଅଛି । ଯଦିଅ ପ୍ରକୃତି ଠାରୁ ତା'ର ଜ୍ଞାନ ଓ କର୍ମ କରିବାର ସକଳ ଉପକରଣ ସଂଗ୍ରହ କରିଥାଏ । ପ୍ରକୃତିହିଁ ତା'ପାଇଁ ସମଗ୍ର ଜ୍ଞାନକ୍ଷେତ୍ର ଓ କର୍ମକ୍ଷେତ୍ର ଉପସ୍ଥିତ କରାଇ ଦିଏ । ନାନା ପ୍ରକାରେଣ ତାକୁ ଜ୍ଞାନ ଓ କର୍ମ'ର ପ୍ରେରଣା ଯୋଗାଇ ଦିଏ, ଏସବୁକୁ ସେ ଗ୍ରହଣ କରେ, ସର୍ବଦା କୌଣସି ସୁଯୋଗକୁ ହାତଛଡା କରେନାହିଁ । କିନ୍ତୁ ପ୍ରକୃତିକୁ ନିଜର ଜ୍ଞାନ ଓ କର୍ମର ନିୟମିତ କରିବାରେ ବ୍ୟବସ୍ଥା ନାହିଁ , ବିକଳ୍ପ ନାହିଁ । ପ୍ରକୃତି ଯେଭଳି ତା'ଉପରେ ପ୍ରଭୃତ୍ୱ ବିସ୍ତାର କରିବାକୁ ଆଗେଇ ଆସିଥାଏ, ଠିକ୍ ସେଭଳି ସେ ପ୍ରକୃତି ଉପରେ ସ୍ୱୟଂ ପ୍ରଭୃତ୍ୱ କରିବାକୁ ଚାହେଁ ।
କହିବାକୁ ଗଲେ ପ୍ରକୃତିର ଉପକରଣକୁ ନେଇ ସେ' ନିଜକୁ ଏକ ନୂଆ ରୂପରେ ଗଠନ କରିବାକୁ ଚାହେଁ , ଏହା ହେଉଛି ମଣିଷର ଅନନ୍ୟ ଅସାଧାରଣ ଅଧିକାର । କେବଳ ଭିତରେ ନୁହେଁ, ବାହ୍ୟ ପ୍ରକୃତି ଉପରେ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ନିଜର ଆଧିପତ୍ୟ ବିସ୍ତାର କରିବା ଅଧିକାର ନେଇ ମନୁଷ୍ୟ ଜନ୍ମ ଗ୍ରହଣ କରିଛି, ଏହା ମନୁଷ୍ୟ ପୌରୁଷର ଅଧିକାର । ପ୍ରକୃତି ଅଧିନସ୍ଥ ସକଳ ପ୍ରାଣୀଙ୍କ ଉପରେ ରାଜତ୍ୱ କରିବା ଓ ପ୍ରକୃତିର ସମସ୍ତ ଶକ୍ତିକୁ ନିଜର ଆଜ୍ଞାକାରେଣୀ କରିବାକୁ ସେ ପ୍ରୟାସ ଜାରି ରଖେ । ମନୁଷ୍ୟ ବିଶ୍ୱବିଧାତାଙ୍କ ସୃଷ୍ଟି ମଧ୍ୟରେ ନିଜକ ମଧ୍ୟ ଏକ ନବୀନ ରୂପରେ ସୃଜନ କରେ । ସମଗ୍ର ଜଗତକୁ ମଧ୍ୟ ନିଜ ପ୍ରୟୋଜନ ଅନୁସାରେ ଯଥା ସମ୍ଭବ ନୂତନ ଆକାର ପ୍ରଦାନ କରେ, ତଥା ଅନ୍ୟାନ୍ୟ ପ୍ରାଣୀ ବର୍ଗକୁ ମଧ୍ୟ ନିଜ ଇଚ୍ଛାନୁଯାୟୀ ପରିଚାଳିତ କରେ । ଏସବୁ ଅଧିକାର ନେଇ ମନୁଷ୍ୟର ଆବିର୍ଭାବ । ଏ ସୁନ୍ଦରତର ଭଗବାନଙ୍କ ସୃଷ୍ଟିରେ ବିପ୍ଳବ କରିବା କେବଳ ମନୁଷ୍ୟର ଅଧିକାର, ଏହି ବିପ୍ଳବକାରୀ ଅଧିକାର ଭିତରେହିଁ ଏହା ମନୁଷ୍ୟର ମନୁଷ୍ୟତ୍ୱ ଅଟେ ଓ ଏହା ଭିତରେହିଁ ଭଗବାନଙ୍କ ଭଗବତ୍ ସର୍ତ୍ତାର ଅନନ୍ୟ ସାଧାରଣର ପ୍ରକାଶ ଘଟେ ।
ପ୍ରକୃତିର ଦାସତ୍ୱକୁ ବିନା ପ୍ରତିରୋଧରେ ମାନିନେବା ପୁରୁଷତ୍ୱ ହୀନତା ବା କ୍ଳୀବତ୍ୱ ବୋଲି କୁହାଯାଇପାରେ । ଗୀତାରେ ମନୁଷ୍ୟ ପ୍ରତି ଭଗବାନଙ୍କ ସର୍ବ ପ୍ରଥମ ଉପଦେଶ- "କ୍ଳୈବ୍ୟଂ ମାସ୍ମ ଗମଃ ପାର୍ଥ ନୈତତ୍ତ୍ୱୟ୍ୟୁପପଦ୍ୟତେ । କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ।" (2/3) ଏହି ଉପଦେଶହିଁ ଗୀତାର ବୀଜ ସ୍ଥାନୀୟ ଅଟେ । ଏହା ଏହା ମାନବ ସାଧନାର ଭିତ୍ତି । କେବେ କ୍ଳୀବତାର ବଶବର୍ତ୍ତୀ ହୁଅ ନାହିଁ । ଏହା କେବେ ମଧ୍ୟ ଶୋଭାପାଏ ନାହିଁ , ବରଂ ପ୍ରତ୍ୟେକ କ୍ଷେତ୍ରରେ କ୍ଷୁଦ୍ର ହୃଦୟ ଦୃର୍ବଳତାକୁ ତ୍ୟାଗ କରି ବିପ୍ଳବ ପାଇଁ ଦଣ୍ତାୟମାନ ହୁଅ । କ୍ଳୀବତା ପରିହାରହିଁ ମନୁଷ୍ୟର ସାଧନ, ଜୀବନର ଏହା ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ । ପ୍ରକୃତିର ଦାସତ୍ୱକୁ ବିରୋଧ କରି ମନୁଷ୍ୟ ଆଗକୁ ଆଗକୁ ଆଗେଇ ଯିବାର ପ୍ରେରଣା ଆସିବା ଅପରିହାର୍ଯ୍ୟ । ଅବଶ୍ୟ ପ୍ରକୃତିକୁ କେବେ ଅସ୍ୱୀକାର କରାଯାଇ ନପାରେ । ପ୍ରକୃତିକୁ ଅସ୍ୱୀକାର କରିବା ମଧ୍ୟ ସବୁଠୁ ବାଚାଳାମୀ ମାତ୍ର, କିନ୍ତୁ ପ୍ରକୃତିର ପ୍ରଭୃତ୍ୱ ବା ଆଧିପତ୍ୟକୁ ଅସ୍ୱୀକାର କରିବାକୁ ହେବ । ପ୍ରକୃତିର ପ୍ରଭାବ ଅନ୍ୟମାନଙ୍କ ଉପରେ ଯେଉଁ ପ୍ରକାର ଆଧିପତ୍ୟ ବିସ୍ତାର କରିଆସିଛି ବା କରେ, ମନୁଷ୍ୟ ଉପରେ ମଧ୍ୟ ସେଭଳି କ୍ରୀୟାଶୀଳ ଅଟେ । କିନ୍ତୁ ପୌରୁଷ ସଂପନ୍ନ ମନୁଷ୍ୟ ଏହାକୁ ଅସ୍ୱୀକାର କରିନେଇ ନିଜର ସ୍ୱାଧୀନତା ଘୋଷଣା କରିବାକୁ ପଡିବ । ପ୍ରକୃତିର ଶକ୍ତିକୁ ନିଜର ଆଦର୍ଶ ସେବାରେ ନିଯୁକ୍ତ କରି ନିଜ ଜୀବନକୁ ଗୌରବ ମଣ୍ତିତ କରିବାକୁ ହେବ । ଏହାହିଁ ମନୁଷ୍ୟର ବିଶେଷ ଅଧିକାର । ନିଜ ଅଧିକାର ଉପରେ ସଜାଗ ବା ସଚେତନ ନରହି ପ୍ରକୃତି ଆଗରେ ଆତ୍ମ ସମର୍ପଣ କରିଦେବାହିଁ କ୍ଳୀବତା ।
ମଣିଷ ବିଚାର ଶକ୍ତି ସଂପନ୍ନ ଓ ସ୍ୱତନ୍ତ୍ରତା ସଂପନ୍ନ ଜୀବଟିଏ । ତାର ଜୀବନ ଆଦର୍ଶନିଷ୍ଠ ହୋଇ ମଧ୍ୟ ପ୍ରକୃତି ରାଜ୍ୟରେ ସେ ବିଦ୍ରୋହୀ ଓ ବିପ୍ଳବୀ ପାଲଟେ । ପ୍ରକୃତି ସହ ସଂଗ୍ରାମ କରି ବିଜୟ ପ୍ରତିଷ୍ଠା କରେ । ପ୍ରକୃତିକୁ ଆଦର୍ଶ ସେବାରେ ନିୟୋଜିତ କରାଏ, ପ୍ରକୃତିକୁ ଆଧ୍ୟାତ୍ମାକ, ଆଧିଜୈବିକ ଶକ୍ତିରେ ଯଥୋଚିତ୍ ବ୍ୟବହାର କରିବା ଦ୍ୱାରା ସେହି ଆଦର୍ଶହିଁ ଜଗତରେ ସମଜ୍ଜୋଳ ମହିମାରେ ସୁପ୍ରତିଷ୍ଠ କରେ । ଏହା ତା'ର ପୁରୁଷକାର, ପୌରୁଷର ପରିଚୟ । ସକଳ ପ୍ରାଣୀ ଜଗତରେ ଏହା ତାର ଅସାଧାରଣ ବ୍ୟକ୍ତିତ୍ୱ, ଗୁଣାବଳୀ । ଏହି ବ୍ରତର ସାଧନାରେ ଯେ ପରାଂଙମୁଖୀ ହୋଇଥାଏ, ଏହି ବିପ୍ଳବରେ ପ୍ରବୃତ୍ତ ହେବା ପାଇଁ ଯାହାର ସାହସ ଓ ବୀର୍ଯ୍ୟର ଅଭାବ ଘଟେ । ପ୍ରତିକୂଳ ପ୍ରାକୃତିକ ଶକ୍ତି ସଙ୍ଗରେ ସଂଗ୍ରାମ କରି ଆଦର୍ଶର ଅନୁସରଣ କରିବା ଯେ ଉଦାସିନ, ଅବସାଦ, ହତାଶ, ନୈରାଶ ଘେରରେ ଆବଦ୍ଧ, ଏହା ମନୁଷ୍ୟତ୍ୱ ପ୍ରତି ଚରଣ ଅପମାନ, ଅସହ୍ୟ ଅସମ୍ମାନ, ମାନବ ଦେହ ଧାରଣର ବ୍ୟର୍ଥତା ଅଟେ । ମନୁଷ୍ୟମାନଙ୍କ ପ୍ରତି ସୃଷ୍ଟି କର୍ତ୍ତାଙ୍କ ଚିରନ୍ତନ ଆଦର୍ଶ ଯୁଗେ ଯୁଗେ ନିହିତ ରହିଛି ।
ନିଜର ସାଧନାରେ, ବିଚାରଶକ୍ତି ଓ ଇଛାଶକ୍ତିର ସ୍ପଷ୍ଟ ପ୍ରୟୋଗରେ ଆତ୍ମାକୁ ପ୍ରକୃତିର ଅଧିନତା ପାଖରେ ଉଦାରତା କରିବା, ନିଜକୁ କଦାପି ଅବସାଦଗ୍ରସ୍ତ ନକରିବା, କୌଣସି ଆଦର୍ଶ ସେବାରେ ପରାଂମୁଖ, ଉଦାସୀନ, କ୍ଳାନ୍ତ ବା ନିରାଶା ହୋଇ ପ୍ରକୃତିର ପାଦତଳେ କେବେ ଆତ୍ମସମର୍ପଣ ନକରିବା ହେଉଛି ମାନବର ପୁରୁଷକାର । ନିଜକୁ ପ୍ରକୃତି ହାତରେ ଟେକି ଦେବାହିଁ ଆତ୍ମହତ୍ୟା ସହ ସମାନ । ପ୍ରକୃତିକୁ ବିରୋଧ କରିବା ପରେ, ଆଦର୍ଶକୁ ଅନୁସରଣ କରିବାକୁ ଆତ୍ମାର ଉଦାର ସାଧନା, ଆତ୍ମଲାଭ କରିବା ବୁଝାଏ, ଅର୍ଥାତ୍ ଆତ୍ମବାନ୍ ହେବା ।
ମନୁଷ୍ୟର ଜୀବନ ଆଦର୍ଶ ଓ ପ୍ରକୃତିର ଏକ ମସ୍ତବଡ ସଂଗ୍ରାମ କ୍ଷେତ୍ର । ପ୍ରକୃତି ଓ ଆଦର୍ଶ ଭିତରେ ଚିରଦିନ ନିରନ୍ତର ବିରୋଧ ଭାବ ରହିଆସିଛି । ପ୍ରକୃତି ମନୁଷ୍ୟକୁ ଜଣାଇ ଦିଏ-" ତମେ ମାନେ ମୋର ସନ୍ତାନ, ମୋ କୋଳରେ ତମେ ସବୁ ଲାଳିତ, ପାଳିତ ହୋଇ ବଢିଛ । ତେଣୁ ତମେ ସର୍ବଦା ମୋରି କୋଳରେ ଶିଶୁଟିଏ ହୋଇ ରୁହ, ମୁଁ ତମମାନଙ୍କୁ ଯେଭଳି ଚଳାଇବି, ସେଭଳି ଚଳ, ମୋ ନିୟମର ଅଧିନସ୍ଥ ହୋଇ ଜୀବନ ଯାପନ କର ।
ଆଦର୍ଶବାଦ ଏସଂପର୍କରେ କହେ, ତମେ ପ୍ରକୃତି କୋଳରେ ଜନ୍ମ ହୋଇଛ, ଏକଥା ଯେଭଳି ସତ୍ୟ, ଠିକ୍ ସେଭଳି ପ୍ରକୃତିଦତ୍ତ ବିବିଧ ଉପକରଣ ଦ୍ୱାରା ଲାଳିତ, ପାଳିତ ହୋଇ ବଢିଛ, ସେଥିରେ ସେଭଳି କୌଣସି ସନ୍ଦେହ ନାହିଁ । କିନ୍ତୁ ପ୍ରକୃତି ତୁମ ସମ୍ମୁଖରେ ଯେଉଁ ରୂପ ଧାରଣ କରେ ତାହା କେବେ ସ୍ପୃହନୀୟ ନୁହେଁ, ତାର ସ୍ୱରୂପ ଭିନ୍ନ ବ୍ୟତିତ ଅନ୍ୟ କିଛି ନୁହେଁ । ଯାହା ସ୍ୱାଭାବିକ ଢଙ୍ଗରେ ପ୍ରଦାନ କରୁଛି । ବିଶ୍ୱଜଗତରେ ଏଭଳି ପରିଚୟ ମଧ୍ୟ ତାର ଯଥେଷ୍ଟ ନୁହେଁ । ପ୍ରକୃତି ଚାହେଁ ତା' କୋଳରେ ସମସ୍ତଙ୍କୁ ଅବୋଧ ଶିଶୁ ଭଳି ବନାଇ ରଖିବାକୁ, ଅନ୍ୟ ପ୍ରାଣୀମାନଙ୍କ ପରି ପ୍ରକୃତିରର ଦାସ ହୋଇ ଜୀବନ ବିତାଇ, ଶେଷରେ ମରଣରେ ପ୍ରକୃତି କୋଳରେ ଲୀନ ହେବାକୁ । କିନ୍ତୁ ମାନବର ଜନ୍ମ ପ୍ରକୃତି କୋଳରେ ଏଭଳି ମୂକ, ବଧିର, ଅନ୍ଧ ପରି ଲୀନ ହେବାକୁ ନୁହେଁ, ବରଂ ନିଜ ପୁରୁଷକାରର ପରିଚୟ ଦେଇ ଜନ୍ମକୁ ସାର୍ଥକ କରିବା । ସମଗ୍ର ବିଶ୍ୱ ଜଗତରେ ପରିଚୟ ଦେବାକୁ ତାର ଜନ୍ମ । ନିଜର ବର୍ତ୍ତମାନ ସ୍ୱାନୁଭୂତି ସହିତ ଜଗତର ଅନ୍ତରାତ୍ମା ସହ ନିତ୍ୟ ତାତ୍ତ୍ୱିକ ସଂବୋଧ ରହିଛି । ଏଥିପ୍ରତି ସଜାଗ ଓ ସାବଧାନ ହେବାକୁ ପଡିବ, ନିଜ ସାଧନା ଦ୍ୱାରା ନିଜକୁ ନିତ୍ୟ ସତ୍ୟରେ ପରିପୂର୍ଣ୍ଣ ହେବାକୁ ହେବ, ଯାହା କେବଳ ପ୍ରତିଷ୍ଠା ପ୍ରାପ୍ତ କରିବାକୁ ସହାୟକ ହେବ । ଏସବୁର ପ୍ରାପ୍ତି କେବଳ ପୁରୁଷକାର ଦ୍ୱାରା ସମ୍ଭବ, ଯାହା ଖୁବ୍ ଶାନ୍ତି ଓ ଆରାମ ପ୍ରଦାୟକ ହୁଏ ।
ମାନବ ଜୀବନର ଗୌରବମୟତା
ମାନବ ଜୀବନର ଶ୍ରେଷ୍ଠ ଗୌରବ ଏହା ଯେ, ଯାହା ତାକୁ ଏତେବଡ ସଂସାର ଭିତରେ କୌଣସି ବସ୍ତୁ ତୃପ୍ତି ବା ଆତ୍ମସଂତୋଷ ଦେଇପାରେ ନାହିଁ , ଅସୀମ ତାର କ୍ଷୁଧା, ଅସୀମ ତାର କାମନା, ବାସନା, ଯାହାର କେବେ ଅନ୍ତନାହିଁ । ଏହାର ଞ୍ଗାନ ପିପାସା, କର୍ମ ପ୍ରବଣତା, ଭୋଗାକାଂଙକ୍ଷା, ପ୍ରେମାବେଗ ଆଦିର ଦମନ କରିବା ସହଜସାଧ୍ୟ ହୋଇପାରେ ନାହିଁ , ଏସବୁ କେବଳ ମନୁଷ୍ୟ ସ୍ୱଭାବରେ ଅଙ୍ଗୀଭୂତ । ଏହି ବିଶାଳ ସଂସାରରେ କେବଳ ତାର ସ୍ୱଭାବ ଦୁର୍ଲଭ ଞ୍ଗାନ ବୃର୍ତ୍ତିହିଁ, ଜାଗତିକ ବିଚିତ୍ର ବିଷୟର ପରିଚୟ ପ୍ରାପ୍ତ କରି ଆତ୍ମ ତୃପ୍ତିର ମାର୍ଗ ଖୋଜେ । କିନ୍ତୁ ସେ ଯେତେଯେତେ ଞ୍ଗାନ ଲାଭ କରିଚାଲିଥାଏ, ସେତେସେତେ ତା'ର ଞ୍ଗାନର ପିପାସା ବଢିବଢି ଚାଲେ । ଏପରିକି ସେ ଅନୁଭବ କରେ, ଞ୍ଗାନର କେବେ ଶେଷ ନଥାଏ । ବହୁତ କିଛି ଜାଣିବାର, ସଂଗ୍ରହ କରିବାର ଜିଞ୍ଗାସା ତା' ମନରେ ପ୍ରତ୍ୟେକଟି ମୁହୂର୍ତ୍ତରେ ଉଙ୍କି ମାରୁଥାଏ । ବାହ୍ୟ ପ୍ରକୃତି ଓ ମନୋରାଜ୍ୟରେ ଅସଂଖ୍ୟ ବିଷୟରେ ପରିଚୟ ପାଇ ମଧ୍ୟ ତା'ର ଞ୍ଗାନ ପିପାସାର ଅନ୍ତ ଘଟେ ନାହିଁ । ଧାରଣା ଆସେ ଯେ, ଯାହା କିଛି ଞ୍ଗାତ, ସେସବୁ ଞ୍ଗାତ ହେବା ପରେ ବି ଅନେକ ଅଞ୍ଗାତ (ଅଜଣା) ହୋଇ ରହିଯାଇଛି ।
ଞ୍ଗାନବୃର୍ତ୍ତିର ଅଭାବ ଯେତେଯେତେ ଅନୁଭବ କରେ, ବୁଦ୍ଧିର ପରିପୂର୍ଣ୍ଣତା ସେତେ ସେତେ ବଢିଚାଲେ । କାରଣ ଞ୍ଗାନର ଜିଞ୍ଗାସା ସେତେ ଅଧିକ ଜାଗିଉଠେ, ଯାହା ଶାନ୍ତ, ନଶ୍ୱର, ବିକାଶଶୀଳ, ଏସବୁ ଜାଣି ମଧ୍ୟ ନିଜକୁ ନିଜର ପରିଚୟ ପାଏନାହିଁ । ଅର୍ଥାତ୍ ନିଜର ପରିଚୟ ନିଜ ପାଖରେ ଅଜଣା ଥାଏ । ଏକଥା ସତ୍ୟ ଯେ ଅନନ୍ତ, ଅବିନଶ୍ୱର, ଅଦୃଶ୍ୟ, ଯାହା ସଙ୍ଗରେ ତା' ଞ୍ଗାନ ବୃର୍ତ୍ତିର ମିଳନ ଘଟେ । ଞ୍ଗାନବୃର୍ତ୍ତିରେ, ଭାବରେ, ଭାବନାରେ ଅନୁଭବ କରିହୁଏ ଓ ଞ୍ଗାନ ସାଧନାରେ ସିଦ୍ଧି ହୋଇଯାଏ । ଏହି ଅନନ୍ତ ଅଖଣ୍ତ ଅବିନାଶୀ ଅବିକାରୀ ଭୂମାର ଆକର୍ଷଣହିଁ ମାନବ ପ୍ରାଣକୁ ଞ୍ଗାନ-ତପସ୍ୟାରେ ନିୟୋଜିତ କରିଥାଏ । ସେ ଏହି ଭୂମାସହ ଯେ ପର୍ଯ୍ୟନ୍ତ ମିଳିତ ହୋଇନଥାଏ, ସେ ପର୍ଯ୍ୟନ୍ତ ତା' ହୃଦୟରେ ଅସନ୍ତୋଷର କ୍ଷୁଧା, ଜ୍ଜାଳା ଏତେ ପ୍ରବଳ ହୁଏ, ତାହାହିଁ ତାର ଗୌରବ ପାଲଟେ, ତା'କୁ ଗୌରବାନିତ୍ୱ କରେ, ଯାହା ତା'କୁ ଉନ୍ନତ କରିବାର ନିଦର୍ଶନ ପାଲଟେ ।
ମନୁଷ୍ୟର ଜନ୍ମ ଏକ କ୍ଷୁଦ୍ର ଦୃର୍ବଳ, ପର ନିର୍ଭରଶୀଳ ଶରୀର (ଦେହ) ଓ ସୀମିତ ଇନ୍ଦ୍ରିୟ ଶକ୍ତିକୁ ନେଇ । କିନ୍ତୁ ତା'ଭିତରେ ଥିବା କର୍ମଶକ୍ତିର ଅନୁପ୍ରେରଣା ଏଭଳି ଲୁଚି ରହିଥାଏ ଯେ, ଯାହା ସଂସାର ଭିତରେ କୌଣସି ବିରାଟ କାର୍ଯ୍ୟ ତା'ପାଇଁ ଅସମ୍ଭବ ନୁହେଁ । ନିଜ କର୍ମଶକ୍ତିର ଉତ୍କର୍ଷ ସାଧନ ଦ୍ୱାରା ଅତି ସହଜରେ କାର୍ଯ୍ୟଟିର ସୁସଂପାଦନ କରି ସଂପୂର୍ଣ୍ଣ ପ୍ରକୃତି ରାଜ୍ୟରେ ଅବ୍ୟାହତ ପ୍ରଭୃତ୍ୱ ସ୍ଥାପନ କରିବାକୁ ସେ ପ୍ରୟାସ ଜାରି ରଖେ । କର୍ମ ପ୍ରବଣତା ତା'ହୃଦୟରେ ଦେଖାଦିଏ, ଫଳତଃ ପ୍ରତ୍ୟେକଟି କର୍ମରେ ସେ ଆଗୁସାର ହୁଏ । ଏହି ମର୍ମରେ ପୃଥିବୀ, ଜଳ, ବାୟୂ, ଅଗ୍ନି ତା'ର ଆଦେଶ ବାହକ ସେବକ ପାଲଟି ଯାଆନ୍ତି, ଦେବତା ମାନେ ଏହାର ଶ୍ରେଷ୍ଠତ୍ୱ ସ୍ୱୀକାର କରନ୍ତି । ମାନବ ନିଜର ପ୍ରୟୋଜନ ଅନୁସାରେ ପ୍ରାକୃତିକ ପଦାର୍ଥ ଓ ଶକ୍ତିକୁ ନିୟୋଜିତ କରି ପ୍ରାକୃତିକ ଜଗତ ଭିତରେ ଏକ ନୂତନ ଜଗତ ସୃଷ୍ଟି କରିବାରେ ସଫଳ ହୁଏ । ସକଳ ବାଧା ବିଘ୍ନକୁ ପଦଦଳିତ କରି ନିଜ ଅନ୍ତରର ଆଦର୍ଶକୁ ସ୍ଥାପିତ କରେ । ଏହି ପ୍ରେରିତ କର୍ମ ପ୍ରବଣତା ଦ୍ୱାରା ଏଭଳି ଘଟେ ଯେ, ସେ ନିଜର ଶକ୍ତିକୁ ବିକଶିତ କରି କର୍ମ କ୍ଷୁଧାରୁ କେବେ ବି ନିବୃତ୍ତ ହୁଏ ନାହିଁ । କାର୍ଯ୍ୟହିଁ ପାଲଟି ଯାଏ ତା'ପରାକାଷ୍ଠାର ଉପଯୁକ୍ତ ପରୀକ୍ଷାସ୍ଥଳ ।
ସଂସାରର ସମସ୍ତ ପ୍ରକାର ଉପକରଣର ବ୍ୟବହାର, ଜାଗତିକ ପ୍ରାକୃତିକ ଅବସ୍ଥା ଉପରେ ନିର୍ଭର କରିବା, ନାନାଦି ପ୍ରକାର ପୂଜାର ଆବିଷ୍କାର କରି ମଣିଷ ନିଜର କର୍ମ ଶକ୍ତିକୁ କିଭଳି ବିକଶିତ କରିପାରିବ ସେଲାଗି ଅହରହ ଚେଷ୍ଟା କରେ । ନୂଆ ନୂଆ ବୈଞ୍ଗାନିକ ସୃଷ୍ଟି ଦ୍ୱାରା ଜଗତକୁ ଯେତେ ଚମକୃତ କରି ସମୃଦ୍ଧ କରିବ ସମ ପରିମାଣରେ ସୁଖ୍ୟାତି ସେତେ ବଢିବ । କେବେ ବି ତା'ର ସୃଷ୍ଟି ବାସନା, ଅଭାବବୋଧ ଓ ଅକ୍ଷମତା'ର ଅନୁଭୂତି ତିରୋହିତ ହୁଏ ନାହିଁ । ନିଜର କର୍ମଶକ୍ତି ସାଧନାର ପରିପୂର୍ଣ୍ଣ ସିଦ୍ଧିକୁ ଅନୁଭବ କରିବାରେ ସର୍ମଥ ହୁଏ । ଅନ୍ୟପକ୍ଷରେ ପ୍ରତ୍ୟେକ କର୍ମବୀର ମଣିଷହିଁ ସଂସାରରେ ଉପକରଣ (ପଦାର୍ଥ)କୁ ଆୟତ୍ତ କରିବାକୁ ପ୍ରବଳ ଆଗ୍ରହ ରଖେ, ଅହରହ ସଂଗ୍ରାମ କରେ ।
ଅନ୍ୟପକ୍ଷରେ ପ୍ରତ୍ୟେକ କର୍ମବୀର ମଣିଷହିଁ ସଂସାର ରାଜ୍ୟରେ ନିଜ ନିଜର ପ୍ରଭୃତ୍ୱ ସ୍ଥାପନ କରିବାରେ, ଅନ୍ୟ ଉପରେ ନିଜର ପ୍ରଭାବ ପକାଇବାରେ, ପ୍ରଭାବ ବିସ୍ତାର କରିବାରେ ଆଗଭର ହୁଅନ୍ତି । ଫଳତଃ ଏସବୁ ମାନବ ସମାଜରେ ପ୍ରଚଣ୍ତ ପ୍ରତିଦ୍ୱନ୍ଦ୍ୱିତା ଓ ପରସ୍ପର ଭିତରେ ଶତୃତା ସୃଷ୍ଟି କରେ । ଯାହା ଫଳରେ ପରସ୍ସରଙ୍କ କର୍ମ ସାଧନାରେ ବହୁ ବ୍ୟାଘାତ ଘଟିଥାଏ । କର୍ମ ସିଦ୍ଧିର ମାର୍ଗରେ ଏହା ଅନେକ ଅନ୍ତରାଳ ସୃଷ୍ଟି କରେ, ବାଧା ବିଘ୍ନ ଦେଖା ଦେଇ କର୍ମପଥର ପ୍ରତିବନ୍ଧକ ପାଲଟେ । ଯେପର୍ଯ୍ୟନ୍ତ ଏମଣିଷ ପରସ୍ପର ମଧ୍ୟରେ ଲାଗିଥିବା ସଂର୍ଘଷରୁ ନିବୃତ୍ତ ହୋଇ ପାରିନାହିଁ, କର୍ମ ସାଧନରେ ପ୍ରତିକୂଳ ଅବସ୍ଥା ଦେଖା ଦେଇଛି, ସେପର୍ଯ୍ୟନ୍ତ କର୍ମଶକ୍ତିର ବିକାଶ ଘଟିନାହିଁ । ନିଜ ଅନ୍ତର ଭିତରେ `ସ୍ୱରାଜ୍ୟ' ଓ `ବିଶ୍ୱରାଜ୍ୟ'ର ଭାବନା ଅନୁଭବ କଲେ ପ୍ରକୃତିର ଜୟ ଘଟିବ, ସଚରାଚର ବିଶ୍ୱମାନବ କର୍ମପ୍ରବଣ ମୁଖର ହେବେ । ଏତେ ବଡ ବିଶ୍ୱର ବିଶାଳ କର୍ମକ୍ଷେତ୍ର ମନୁଷ୍ୟ ସାମନାରେ ବିଦ୍ୟମାନ ରହି ମଧ୍ୟ ଯେ ଏହି କର୍ମଶକ୍ତି ବୁଝି ପ୍ରତିଷ୍ଠା ଲାଭ କରେ, ତାହାହିଁ ମାନବୀୟ ଜୀବନର ଗୌରବର ନିଦର୍ଶନ ।
ଭୋଗାକାଂକ୍ଷା ମଧ୍ୟ ପ୍ରତ୍ୟେକ ଜୀବମାନଙ୍କ ପାଇଁ ସ୍ୱଭାବ ସିଦ୍ଧ ଅଟେ । କିନ୍ତୁ ପ୍ରାଣୀମାନଙ୍କ ପରି ଇନ୍ଦ୍ରିୟ ସେବାର ପ୍ରୟୋଜନ ସାଧନ ଓ ଅନିତ୍ୟ ସୁଖ ସାଧନରେ ମଣିଷର ଭୋଗାକାଂକ୍ଷା ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ପରିତୃପ୍ତି ହୁଏ ନାହିଁ । ଏହାର ଭୋଗ ଲାଳସା ଯେତେଯେତେ ବଢିବଢି ଚାଲେ, ଭୋଗ ବାସନା ମଧ୍ୟ ସେତେ ସେତେ କ୍ରମବୃଦ୍ଧି ଘଟେ ଓ ତା'ର ମନୋରାଜ୍ୟରେ ନୂଆ ନୂଆ ଭୋଗ ବାସନା ଉତ୍ପନ୍ନ ହୁଏ, ଭେଳିକି ଭେଳିକି ଅଭାବ ଓ ବେଦନାର ଅନୁଭୂତି ଦେଖାଦିଏ, ନୂତନ ଜାଗରଣ ଆକାଂକ୍ଷାର ସୃଷ୍ଟି ଘଟେ । ସଂସାରର ସବୁ ଭୋଗ ବାସନା ଯଦି ଗୋଟିଏ ମନୁଷ୍ୟର ସେବାରେ ଲଗାଇ ଦିଆଯାଏ, ତଥାପି ତାର ଭୋଗ ପିପାସା ତୃପ୍ତିର ଶେଷ ନାହିଁ । ଯଦିଅ ଦେହେନ୍ଦ୍ରିୟର ଭୋଗଶକ୍ତି ସୀମିତ, ତଥାପି ଏହାର ଅନ୍ତଃକରଣର ଭୋଗାକାଂକ୍ଷାର କୌଣସି ସୀମା ନାହିଁ । ଏହା ଅତୃପ୍ତ । ଶାସ୍ତ୍ର ସମ୍ମତ, ଏହାର ମରଣ ପରେ ଅନନ୍ତ ସ୍ୱର୍ଗର ଭରସା ଦେଇଛି । ଏହାହିଁ ଭୋଗର ଶକ୍ତି, ଭୋଗର ସାମଗ୍ରୀ, ଭୋଗର କାଳ ସବୁ ଅପରିମିତ ଅଟେ । କିନ୍ତ ବାସ୍ତବ ପକ୍ଷେ ଆମେ ସ୍ୱର୍ଗ ସୁଖର କଳ୍ପନା ଚାହୁଁଛେ । ଯଦିଓ କେହି କେବେ ସ୍ୱର୍ଗପୁର ଦର୍ଶନ କରିନାହିଁ , ତାହା କେବଳ ଉଦ୍ଭଟ କଳ୍ପନା ହୋଇ ରହିଯାଇଛି । ତଥାପି ଯେତେ ବିଶାଳ ରୂପ ହେଲେବି, ମଣିଷର ପ୍ରାଣ ଯେଉଁ ଆନନ୍ଦର ଅଧିକାରୀ ଅଟେ, ଏହାର କୌଣସି ଅଂଶକୁ ସ୍ୱର୍ଗ ମଧ୍ୟ ପୂରଣ କରି ପାରିବ ନାହିଁ । ମାନବ ପ୍ରାଣର ବୁଦ୍ଧି ସମ୍ମୁଖରେ ଏହି ସମସ୍ୟାକୁ ଉପସ୍ଥାପନ କରି, କୌଣସି ଏଭଳି ବସ୍ତୁ, ଯାହାକୁ ସେ ପାଇବା ପରେ, ସମଗ୍ର ଜୀବନ ତାର ଆସ୍ୱାଦନମୟ ହୋଇ ଯାଏ । ତଥାପି ସର୍ବଦା ତାର ଏ ସମସ୍ତ ପ୍ରକାର ଅଭାବବୋଧ ଅଭାବର ଶୀର୍ଷରେ ବିରାଜମାନ କରି ରହେ ।
ସାଧାରଣ ମନୁଷ୍ୟର ସୁପ୍ତ ଚେତନା କ୍ଷେତ୍ରରେ ମାନବ ପ୍ରାଣର ଏହି ଅର୍ନ୍ତଃନିହିତ ସୁମହାନ ଅଧିକାର ସମୋଜ୍ଜଳ ରୂପରେ ପ୍ରତିହତ ହୁଏ ନାହିଁ । ଏହାର ଚରମ ସମସ୍ୟା କେବେ ରୂପାୟିତ ହେବାର ଦୃଷ୍ଟି ଗୋଚର ହୁଏ ନାହିଁ । ଅଧିକାଂଶ ବ୍ୟକ୍ତି ସାଧାରଣ ପ୍ରାଣୀମାନଙ୍କ ଜୀବନ ଯାପନ କରିଥାନ୍ତି । ଏପରିକି ବହୁ ଦୁଃଖ, କଷ୍ଟରେ ଜୀବନ ବିତାଇବା ସହ ଅକଥନୀୟ ବେଦନା ପାଇଥାନ୍ତି । ସେମାନଙ୍କ ଅତୃପ୍ତ ଆଶା, ଆକାଂଙକ୍ଷା ସବୁ ଯନ୍ତ୍ରଣା ଜର୍ଜରିତ ହୋଇ ଉଠେ, ଛାତି ଭିତରେ ଶୋକ, ତାପର ଜ୍ଜାଳା ଦଗ୍ଧ ହୁଏ ।
ହୃଦୟ ତଳର ଅକୁହା କୋହ ଦେଖାଇ ହୁଏନି କି କାହାକୁ କହିହୁଏ ନାହିଁ । ଅନିଶ୍ଚିତ ଭୟଦାୟକ ମୃତ୍ୟୁ ବିବଶ ରୂପେ ଅଗ୍ରସର ହୋଇଥାଏ । ଦେହେନ୍ଦ୍ରିୟ ମନର, ଦୈନଦିନ ପ୍ରୟୋଜନର ତାଡନାରେ ହେଊ ଅବା ପାରିବାରିକ, ସାମାଜିକ ଓ ରାଷ୍ଟ୍ରିୟ ଆବଷ୍ଠନୀର କୋଳାହଳରେ କିବା ଛୋଟ ଛୋଟ ବିଷୟାସକ୍ତ ଲୋଲୁପ ବର୍ହିମୂଖୀ ପ୍ରବୃର୍ତ୍ତିର ଉନ୍ମାଦନାରେ ପଡି ମନୁଷ୍ୟର ବୁଦ୍ଧି ନିଜ ହୃଦୟର ଗଭୀରତମ ପ୍ରଦେଶରେ ଆଶା, ଆକାଂଙକ୍ଷା ସମ୍ବନ୍ଧରେ ସଜାଗ ରହେ ନାହିଁ । ଏହାର ପରିସ୍ଫୁଟ ଚେତନା ଭିତରେ ଏହା କେବେ ପ୍ରକଟ ହୋଇପାରେ ନାହିଁ ଯେ, ବସ୍ତୁତଃ ସେ କଣ ଚାହେଁ ? କେଉଁ ଉପାୟରେ ସେ ଞ୍ଗାନ, କର୍ମ ଓ ଭୋଗର ସମ୍ୟକ୍ ରୂପେ କୃତାର୍ଥ ହୋଇପାରିବ ??
ଏସବୁ ପ୍ରାପ୍ତ କରିବାରେ ଥିବା ସମସ୍ୟାର ସଠିକ୍ ମାର୍ଗ ଯଥୋଚିତ ରୂପେ ତା' ହୃଦୟରେ ଉଦୟ ହୋଇପାରେ ନାହିଁ । ଏହାର ଅର୍ଥ ଏହାହିଁଯେ, ଏହାର ମନୁଷ୍ୟତା ପଶୁତାର ଆବରଣ ମଧ୍ୟରୁ ମୁକ୍ତ ନୁହେଁ । ଫଳସୂରୂପ ତା'ର ହୃଦୟ, ମନ ଓ ବୁଦ୍ଧି ସମୋଜ୍ଜଳ ରୂପେ ପ୍ରକାଶିତ ହୋଇପାରି ନାହିଁ । ଏ ବିଚିତ୍ର ଞ୍ଗାନ, କର୍ମ ଓ ଭୋଗ ମଧ୍ୟରେ ସ୍ୱଅଭିଞ୍ଗତାକୁ ସଂଚୟ କରି ମନୁଷ୍ୟ ଯେବେ ଅତୃପ୍ତିର ବେଦନା ତ୍ରୀବ ରୂପେ ଅନୁଭବ କରିପାରେ, ଏବଂ ତା'ର ହୃଦୟ, ମନ ଓ ବୁଦ୍ଧିରେ ଯଥେଷ୍ଟ ପରିମାର୍ଜିତ ହୋଇ ପାରିବ, ତେବେ ସେ ଅତୃପ୍ତିର ମୂଳ କାରଣର ଅନୁସନ୍ଧାନରେ ତା'ର ଅଧିକ ଆଗ୍ରହ ଓ ପ୍ରବୃର୍ତ୍ତି ଆସି ପାରିବ । ଏପରିକି ତା'ର ମନରେ ଚରମ ଶ୍ରେୟ, ଚରମ କାର୍ଯ୍ୟ ଓ ଚରମ ଭୋଗର ସମ୍ବନ୍ଧରେ ପ୍ରଶ୍ନ ଉଦିତ ହୋଇପାରିବ । ଫଳ ସୂରୂପ ପରମ ସତ୍ୟକୁ ଜାଣିବା ପାଇଁ , ଆନନ୍ଦର ସଂଭୋଗ କରିବା ପାଇଁ, ନିରଙ୍କୁଶ ସ୍ୱରାଜ୍ୟ ତଥା ବିଶ୍ୱ ରାଜ୍ୟରେ ପ୍ରତିଷ୍ଠା ପାଇଁ ଏକ ଐକାନ୍ତିକ ପ୍ରଚଣ୍ତ ଆଗ୍ରହ ତା'ର ମନ, ବୁଦ୍ଧି ଓ ହୃଦୟକୁ ନିୟନ୍ତ୍ରିତ କରିଥାଏ ।
ଅମୃତାଲୋକରେ ଅମୃତ ସଂଧାନ
ମନୁଷ୍ୟ ଅମୃତର ସନ୍ତାନ । ଅମୃତହିଁ ଏହାର ସୂରୂପ,
ଅମୃତରୁହିଁ ଏହାର ଜନ୍ମ । ଅମୃତକୁ ଆଶ୍ରୟ ଏହାର ସ୍ଥିତି, ଗତି, ଓ
ଶ୍ରୀବୃଦ୍ଧି । ଅମୃତର ଲକ୍ଷ୍ୟରେ ଏହାର ସାଧନା ଓ ଏହାର ପ୍ରାପ୍ତିରେ ତା'
ଜନ୍ମର ସାର୍ଥକତା । ନିଜକୁ ଅମୃତ ସୂରୂପରେ ପ୍ରତିଷ୍ଠା କରିବା ତାର
ଜନ୍ମସିଦ୍ଧ ଅଧିକାର । ଭାରତୀୟ ଋଷିଗଣ ବିଶ୍ୱର ସମସ୍ତ ମନୁଷ୍ୟକୁ ଏହି
ଜନ୍ମସିଦ୍ଧ ଅଧିକାର ଲାଭ କରିବାଲାଗି ଘୋଷଣା କରି ଆସିଛନ୍ତି, ଏହି ଅଧିକାର
କେବଳ କୌଣସି ଜାତି ବା ବର୍ଣ୍ଣର ନୁହେଁ, କୌଣସି ସମାଜ ବା ସଂପ୍ରଦାୟର
ନୁହେଁ, ବିଶେଷ କାଳ ବା ଶ୍ରେଣୀ ବିଶେଷର ନୁହେଁ । ଅମୃତାଲୋକର ପ୍ରବେଶ
ଦ୍ୱାରର ଚାବି କୌଣସି ବ୍ୟକ୍ତି ବିଶେଷ ହାତରେ ନାହିଁ, ବା କୌଣସି ବ୍ୟକ୍ତି
ଏହାର ମାଲିକ ନୁହଁ, ବା ମାଲିକର ପୁତ୍ର ପୂର୍ଣ୍ଣତମ ଅବତାର ବା ସଂଦେଶ ବାହକ
ସ୍ୱୀକାର କରିବା ସହିତ ବି ଏହାର ଅଧିକାରରେ କୌଣସି ସଂପର୍କ ନାହିଁ,
ଏପରିକି କୌଣସି ଅନୁଷ୍ଠାନ ବା ଧର୍ମାନୁଷ୍ଠାନର ଅଧିକାର ଏହା ଉପରେ ନଥାଏ ।
ଏହି ଅମୃତାଲୋକର ପ୍ରବେଶ ପଥ ସର୍ବଦା ଉନ୍ମୁକ୍ତ ରହିଛି, ପ୍ରତ୍ୟେକ ମାନବ
ଶିଶୁ ଜନ୍ମ ସହ ଏ ଅଧିକାର ନେଇ ଆସିଛି ଓ ତାର ଅମୃତପ୍ରାପ୍ତିର ପୂର୍ଣ୍ଣ
ଅଧିକାର ରହିଛି ।
ଭାରତୀୟ ଶାସ୍ତ୍ତ ମନୁଷ୍ୟ ଭିତରେ
ଏହି ଗୌରବମୟ ଚେତନା ଜାଗ୍ରତ କରି ଆସିଛି 'ମୁଁ ଅମୃତର ସନ୍ତାନ' ହୋଇ
ମର୍ତ୍ତ ଲୋକରେ ଅବତୀର୍ଣ୍ଣ ହୋଇଛି । ଅମୃତରେ ମୋର ସର୍ତ୍ତା ନିର୍ମିତ,
ମୋର ଏ ଶରୀରର ପ୍ରତ୍ୟେକ ଅଂଶ ମୃତ୍ୟୁର ଅଧିନ ହୋଇବି ମୁଁ ସୂରୂପତଃ ଅଜର,
ଅମର । ମୁଁ ଯାହା କିଛି ନେଇ ଏ ଜଗତରେ ବିଚରଣ କରୁଛି, ଏ ସବୁର ମୃତ୍ୟୁ
ଅଛି, କିନ୍ତୁ ମୋତେ ସ୍ପର୍ଶ
କରିବାର କ୍ଷମତା
ମୃତ୍ୟୁର ନାହିଁ , ମୁଁ ମୃତ୍ୟୁର ରାଜ୍ୟରେ ମୃତ୍ୟୁଞ୍ନୟୀ ରୂପେ ନିଜକୁ
ପ୍ରତାଷ୍ଠିତ କରି ଅମୃତର ବିଜୟ ପତାକା ଉଡାଇବା ନିମନ୍ତେ ପ୍ରକଟ ହୋଇଛି ।
ତମେ
ବ୍ରାହ୍ମଣ ବା ଚାଣ୍ତାଳ ହୁଅ, ଆର୍ଯ୍ୟ ବା ଅନାର୍ଯ୍ୟ, ପୁରୁଷ ବା ନାରୀ,
ଧନୀ ବା କାଙ୍ଗାଳ ହୁଅ, ଅସଂଖ୍ୟ ଲୋକଂକ ଦଣ୍ତଧାରୀ ବିଚାରପତି ହୁଅ,
ସମ୍ମାନସ୍ପଦ ଅଧିକାରୀ, ଶକ୍ତିଶାଳୀ ପୁରୁଷ ବିଶେଷ ହୁଅ, ଯାହାକିଛି ହୁଅ,
କିନ୍ତୁ ତମକୁ ମନେରଖିବାକୁ ହେବ ଯେ ତମେ ମନୁଷ୍ୟ । ମନୁଷ୍ୟ ହୋଇ ଅନ୍ୟ
ସମସ୍ତ ମନୁଷ୍ୟ ସହିତ ତମେ ସମାନ `ଅମୃତର ସଂତାନ' । ଏହି ମୃତ୍ୟୁମୟ ଜଗତରେ
ମୃତ୍ୟୁଞ୍ନୟୀ ହେବାକୁ ସମସ୍ତଙ୍କ ନିର୍ବିବାଦ ଅଧିକାର ରହିଛି । ତମର ଯାହା
କିଛି ବିଶେଷତ୍ୱ, ଏସବୁ ଦେଶ, କାଳ, ଆଚାର ଓ ପାରିପାଶ୍ୱିକ ପରିସ୍ଥିତିକୁ
ନେଇ ମନ ଓ ବୃଦ୍ଧିର ବିକାଶର ତାରତମ୍ୟ ଆଦି ଅବାନ୍ତର ବିଷୟ ଉପରେ
ଅବଲମ୍ବିତ, ତେଣୁ ଶ୍ରେଷ୍ଠ ଅଧିକାର ଦୃଷ୍ଟିରେ ସକଳ ମଣିଷର ସମାନ ଅଧିକାର
ରହିଛି, ଆଉ ଯାହାର ସବୁ ଧନ, ଜନ, ବିଦ୍ୟା ଶକ୍ତି ସଂପନ୍ନ ରହିଛି ସେ ସବୁ
ବ୍ରାହ୍ମଣର ଫୁଲ ଚନ୍ଦନ ଭଳି । ମନେରଖ, ତମେ ଯେଉଁ ପ୍ରକାର ଅମୃତର
ସନ୍ତାନ ହୋଇଛ ଓ ମୃତ୍ୟୁମୟ ଜଗତରେ ଅମୃତମୟ ସୂରୃପ ପ୍ରତିଷ୍ଠିତ ହେବାର
ଅଧିକାର ନେଇ ସଂସାରକୁ ଆସିଛ, ସେଭଳି ଏ ସବୁ ପ୍ରକାର ସଂପତ୍ତିରହିତ,
ଦୀନ-ହୀନ, ଅଞ୍ଗାନୀ, ଅସଦାଚାରୀ, ମ୍ଳେଚ୍ଛ, ମଧ୍ୟ ଏହି ଅମୃତର ସଂତାନ ହୋଇ
ଏ ସଂସାରକୁ ତାର ସ୍ୱଅଧିକାର ନେଇ ଆସିଛି, ଏଠି ନିପିଡିତ-ପ୍ରପିଡିତ,
ବଳବୀର୍ଯ୍ୟ, ଞ୍ଗାନ-ଶୌର୍ଯ୍ୟ ଆଦିରୁ ବଂଚିତ, ନିଜର ସ୍ୱରୂପକୁ ଭୁଲିଯାଇ
ନିଜର ଶ୍ୱାସରେ ଅନୁଭବ କରିବା ଉଚିତ ଯେ `ମୁଁ ଅମୃତର ସଂତାନ' , ମୁଁ
କେବେ ତୁଚ୍ଛ୍ୟ ଘୃଣାର ନୁହେଁ, ଚିରକାଳ ବଂଚିତଥିବା ବା ଦୁଃଖ-ସୁଖରେ ଜୀବନ
ଧାରଣ ପାଇଁ ମାନବ ଦେହ ଧାରଣ କରିବାକୁ ପଡିଛି ବୋଲି ନୁହେଁ, ବରଂ ମୁଁ
ସମସ୍ତ ପ୍ରକାର ବାଧା-ବିଘ୍ନକୁ ଅତିକ୍ରମ କରି ଅମୃତ ସ୍ୱରୂପ ପ୍ରତିଷ୍ଠା
ପାଇବାର ଅଧିକାର ନେଇ ଏ ସଂସାରକୁ ଆସିଛି ।
ମନୁଷ୍ୟର ଏହି ଅମୃତ ପ୍ରାପ୍ତିର ଅଧିକାର ଏକ ଗୌରବପୂର୍ଣ୍ଣ । ମନୁଷ୍ୟକୁ
ନିଜର ସାଧନା ଦ୍ୱାରା, ପୁରୁଷାର୍ଥର ପ୍ରଭାବରେ ଏହି ଅମୃତ ପଦକୁ ଲାଭ
କରିବାକୁ ପଡେ । ଅମୃତ ପ୍ରାପ୍ତ ପାଇଁ ତାକୁ ବାରଂବାର ଜନ୍ମଗ୍ରହଣ କରିବାକୁ
ହୁଏ, ଯଦି ଅଧିକାର ଉପରେ ନିଜର ପୁରୁଷାର୍ଥକୁ ପ୍ରୟୋଗ କରିବାର ଆବଶ୍ୟକତା
ନପଡେ, ଏହାର ଗୌରଡ କମିଯାଏ । ଏହି କାରଣରୁ ଭାରତୀୟ ଶାସ୍ତ୍ସରେ
ଦେବତାମାନଂକ ଅପେକ୍ଷା ମନୁଷ୍ୟକୁ ଅଧିକ ଗୌରବଶାଳୀ କୁହାଯାଏ । ମନୁଷ୍ୟର
ମନୁଷ୍ୟତ୍ୱ ଏହାହିଁ ଯେ ଅମୃତାଲୋକରେ ଅମୃତ ପଦ ଉପରେ ପୁନଃ ପ୍ରତିଷ୍ଠିତ
ହେବାକୁ ଅଧିକାର ପତ୍ର ନେଇ ଏହି ମର୍ତ୍ତଲୋକକୁ ସେ ଓହ୍ଶାଇ ଆସିଛି ଓ
ନିଜର ପୁରୁଷାର୍ଥ ଦ୍ୱାରା ମୃତ୍ୟୁ ଶକ୍ତିକୁ ହରାଇ ଅମୃତର ରାଜ୍ୟ ପ୍ରତିଷ୍ଠା
କରିବ ...!!
ପୁଣ୍ୟ ଶ୍ଳୋକ ବେଦଭୂମି ଭାରତବର୍ଷରେ କେବଳ ନୁହେଁ, ସମଗ୍ର
ବିଶ୍ୱର ଆଧ୍ୟାତ୍ମିକ ଇତିହାସରେ ଯେଉଁ ଦେବପ୍ରତିମ ଯୁଗପୁରୁଷ, ଗୁରୁଶ୍ରେଷ୍ଠ,
କାଳଜୟୀ ମହାପୁରୁଷ ମାନଙ୍କ ନାମ, କୃତି ଓ କୀର୍ତ୍ତୀ ସ୍ୱର୍ଣ୍ଣକ୍ଷେରରେ
ଲିପିବଦ୍ଧ ତନ୍ଣଧ୍ୟରେ ଯୁଗଜନ୍ମା ଧର୍ମପ୍ରବର୍ତ୍ତକ ଶ୍ରୀଅରବିନ୍ଦ ହେଉଛନ୍ତି
ଅନନ୍ୟ ଓ ଅନ୍ୟତମ । ସେ ଜଣେ ଅସାଧାରଣ ମହାଯୋଗୀ, ଶ୍ରେଷ୍ଠ ସାଧକ,
ଯୁଗପୁରୁଷ, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଅପ୍ରତିଦ୍ୱନ୍ଦ୍ୱୀ ବ୍ୟକ୍ତିତ୍ୱର
ଅଧିକାରୀ, ଆଧ୍ୟାତ୍ମିକବାଦୀ, ଆନନ୍ଦବାଦୀ ଓ ବିଶିଷ୍ଟ ଖ୍ୟାତାନାମା
ଶିକ୍ଷାବିତ୍ । ସମଗ୍ର ବିଶ୍ୱବାସୀଙ୍କୁ ତାଙ୍କର ଦର୍ଶନ, ଚିନ୍ତାଧାରା,
ତ୍ୟାଗ, ଶିକ୍ଷାଗତ ଧାରଣା, କାବ୍ୟିକ ସୃଷ୍ଟି, ଧାର୍ମିକ ଭାବନା
ବିସ୍ଣୟାଭିଭୂତ କରେ ।
ପ୍ରଚଣ୍ତ ପ୍ରତିଭା ସ୍ୱାଧିକାରୀ ଶ୍ରୀଅରବିନ୍ଦ 1872 ମସିହା ଅଗଷ୍ଟ
15ତାରିଖ ଦିନ କଲିକତାର ହୁଗୁଳି ଜିଲ୍ଲାର କୋକାନଗର ସହରରେ ଏକ ପଞ୍ଜାବୀ
ପରିବାରେ ଜନ୍ମଲାଭ କରିଥିଲେ । ତାଙ୍କ ପିତା କୃଷ୍ଣଧନ ଘୋଷ ଥିଲେ ଜଣେ
ଖ୍ୟାତାନାମା ବିଶିଷ୍ଠ ଔଷଧଶାସ୍ତ୍ରଜ୍ଞ । କୃଷ୍ଣଧନ ଘୋଷ ସଂସ୍କାରବାଦୀ
ଚେତନାର ଅନୁଗାମୀ ଥିବାରୁ ଓ ନିଜେ ଆବରଜିନ୍ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ
କରିଥିବାରୁ ଭାରତୀୟ ରକ୍ଷଣଶୀଳ ଶିକ୍ଷା ସଂସ୍କୃତିଠାରୁ ଦୂରେଇ ପାଶ୍ଚାତ୍ୟ
ଢାଞ୍ଚାରେ ନିଜ ସନ୍ତାନ ମାନଙ୍କୁ ଦେବାକୁ ଯାଇ ଶ୍ରୀଅରବିନ୍ଦଙ୍କୁ ବନ୍ଧୁ
ରେଭରେଣ୍ତ୍ ଉଇଲିୟମ୍ ଡୁଏଟଙ୍କ ପରିବାରରେ ରଖିଥିଲେ । ଫଳତଃ ଲାଟିନ୍,
ଇଂରାଜୀ ଓ ଫ୍ରାନସ ଭାଷାରେ ଅସାମାନ୍ୟ ଖ୍ୟାତିଲାଭ କରିଥିବା ପଣ୍ତିତ
ଉଇଲିୟମ ଡୁଏଟଙ୍କ ଗଭୀର ପ୍ରଭାବରେ ପ୍ରଭାବିତ ହୋଇ ଶ୍ରୀଅରବିନ୍ଦ ନିଜ ଉନ୍ନତ
ଧୀଶକ୍ତୀର ପରିପ୍ରକାଶ କରିବାରେ ସଫଳ ଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା
ଭଳି ଶ୍ରୀଅରବିନ୍ଦ ସାହିତ୍ୟ, ଇତିହାସ, ଗ୍ରୀକ୍ ଓ ଲାଟିନ୍ ଭାଷାରେ ସ୍ୱକୀୟ
ପାରିଦର୍ଶିତା ଓ ଜ୍ଞାନର ପରାକାଷ୍ଠା ଦର୍ଶାଇ ବହୁପୁରସ୍କାର ଲାଭକରିଥିଲେ ।
ମାତୃଭୂମିର ଆକର୍ଷିତ ଭାବପ୍ରବଣ ଶ୍ରୀଅରବିନ୍ଦ କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳରୁ
ଶିକ୍ଷାସମାପ୍ତ ପରେ ଭାରତର ସର୍ବଶ୍ରେଷ୍ଠ ଆଇ.ସି.ଏସ୍ ପରୀକ୍ଷାରେ
କୃତକାର୍ଯ୍ୟ ହୋଇ ମଧ୍ୟ ଚାକିରୀ ବିମୁଖ ହୋଇ ଜନ୍ମଭୂମିର ସେବାରେ ନିଜକୁ
ଉତ୍ସଗ କରିଦେଇଥିଲେ । ପ୍ରଥମେ କିଛିଦିନ ବରୋଦା ମହାରାଜାଙ୍କ ସଂପାଦକ ଓ
ଗୁପ୍ତମନ୍ତ୍ରଣା-ନିର୍ଦ୍ଦେଶକ ରୂପେ କାର୍ଯ୍ୟକରି ସେଠୁ ସଂସ୍କୃତ, ବଙ୍ଗଳା,
ଗୁଜୁରାଟୀ, ମରାଠୀ ଆଦି ଅନ୍ୟାନ୍ୟ ଭାଷାକୁ ଆୟତ୍ତାଧୀନ କରିବାରେ ସଫଳ ଥିଲେ
। ସେ'ଥିଲେ ଅଗାଧ ଜ୍ଞାନର ଭଣ୍ତାର । ଭାରତୀୟ ଧର୍ମଧାରଣା, ଐତିହ୍ୟ,
ସଂସ୍କୃତି, ଦର୍ଶନ ନିମନ୍ତେ ସେ ବେଦ, ଉପନିଷଦ, ଗୀତା ଆଦି ଧର୍ମ ପୁସ୍ତକ
ଅଧ୍ୟୟନର ଗଭୀର ମନୋନିବେଶ କରି ପ୍ରଜ୍ଞାପୁରୁଷ ପାଲଟିଯାଇଥିଲେ ।
ଚାକିରୁ ଜୀବନକୁ ଆହୂତି ଦେଇଥିବା ଶ୍ରୀଅରବିନ୍ଦ ପରାଧୀନ ଭାରତର
ଦୁଃଖ ଦୁର୍ଦ୍ଦଶାକୁ ଦେଖି ସାଧୀନତା ସଂଗ୍ରାମରେ ସକ୍ରୀୟ ଅଂଶ ଗ୍ରହଣ କରି,
ଭାରତୀୟ ମାନଙ୍କ ମନରେ ଜାତୀୟତାଭାବ ମାଧ୍ୟମରେ ବିଦ୍ରୋହର ମନୋଭାବ ଜାଗ୍ରତ
ନିମନ୍ତେ ସୂଦୃଢ ଲେଖନୀ ଚାଳନାରେ ବ୍ରତୀ ଥିଲେ । ବହୁ ପତ୍ର-ପତ୍ରିକାରେ
ଉଂଚ୍ଚକୋଟୀର ଲେଖା ପ୍ରକାଶ କରି ସଂଗ୍ରାମୀ ମାନଙ୍କ ହୃଦୟରେ ନବଇନ୍ମାଦନା
ସୃଷ୍ଟିକରୁ ଥିଲେ । 'ବନ୍ଦେ ମାତରାମ୍' ପତ୍ରିକା ସଂପାଦନା ସହ ରାଜନୀତି ଓ
ସ୍ୱାଧୀନତା ସଂଗ୍ରାମୀ ପାଲଟି ନାନା ବିଦ୍ରୋହାତ୍ମକ କାର୍ଯ୍ୟକ୍ରମରେ ଜଡିତ
ହେବାରୁ, ଫଳତଃ ଇଂରେଜମାନଙ୍କ ଦ୍ୱାରା କାରାବରଣକୁ ପୁଣ୍ୟତୀର୍ଥ ଭାବରେ ଗ୍ରହଣ
କରିନେଇଥିଲେ ।
ଆଲିପୁର ଜେଲରେ କାରାରୁଦ୍ଧ ଥିବାବେଳେ ପ୍ରେମମୟ ପରମେଶ୍ୱରଙ୍କ ଆଧ୍ୟାତ୍ମିକ
ସତ୍ତାକୁ ଉପଲବ୍ଧ କରି ଈଶ୍ୱରୀୟ ସତ୍ତା ଦ୍ୱାରା ଅଲୌକିକ ଜ୍ୟୋତିସମ୍ମନ
ହୋଇଥିଲେ । ଯାହାର ପ୍ରତିଫଳନ ତାଙ୍କ ଜୀବନ ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ
ଚେତନାରେ ପରିପୂର୍ଣ୍ଣ ହୋଇ ବିଶ୍ୱପ୍ରସିଦ୍ଧ ଲାଭ କରିଥିଲା । ତାଙ୍କ ଜୀବନ
ଦର୍ଶନରେ ବେଦ, ଉପନିଷଦ ଓ ସାହିତ୍ୟର ଅପୂର୍ବ ସମନ୍ୱୟ ଘଟିଛି ।
ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ତାଙ୍କ ଜୀବନ ଦର୍ଶନର ସକଳ ଅଭିଜ୍ଞତା ଓ
ଚେତନାର ପ୍ରତିଫଳନ ବୋଲି ସେ ଯୁକ୍ତିଛଳରେ ସ୍ୱୀକାର କରିଛନ୍ତି । ସେ
ଶଙ୍କରଙ୍କର `ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା' ଭଳି ପ୍ରତିଷ୍ଠିତ ମତକୁ
ଅସ୍ୱୀକାର କରିଥିଲେ । ନିଜର ଅକାଟ୍ୟ ଯୁକ୍ତି ଦ୍ୱାରା "ବ୍ରହ୍ମ ସତ୍ୟ,
ଜଗତ୍ ମଧ୍ୟ ସତ୍ୟ" ବୋଲି ଦର୍ଶାଇଛନ୍ତି । ତାଙ୍କ ଦୃଷ୍ଟିରେ ଭଗବତ୍ ସତ୍ତା
ଉପଲବ୍ଧ ଲାଗି କୌଣସି ଦୂର ଦେବାଳୟ ବା ତୀର୍ଥ ଯାତ୍ରାକରିବାର କୌଣସି
ଆବଶ୍ୟକତା ନାହିଁ, ଏପରିକି ଭଗବତ୍ ଦର୍ଶନ ନିମନ୍ତେ ସେଭଳି ସୁଉଚ୍ଚ ହିମାଳୟ
ଯାଇ କଠୋର ତପସ୍ୟାରେ ନିମଗ୍ନ ରହିବାର ମଧ୍ୟ ସେଭଳି କୌଣସି ଯଥାର୍ଥତା
ନାହିଁ କହୁଥିଲେ । ସେ' କେବଳ କହିଛନ୍ତି, `ମନୁଷ୍ୟ ଘର ସଂସାର କରିବା
ମଧ୍ୟରେ ନିଜର ଆତ୍ମସମର୍ପଣ ମାଧ୍ୟମରେ ମଧ୍ୟ ପରମେଶ୍ୱରଙ୍କର ସାନିଧ୍ୟ ଲାଭ
କରିପାରିବ ।" ପ୍ରତ୍ୟେକ ମାନବ ଆତ୍ମା ଓ ପରଂବ୍ରହ୍ମ ପରମେଶ୍ୱର ମହାତ୍ମା
ଅଟନ୍ତି । ନଦୀ ଯେଭଳି ମହାସାଗରରେ ମିଶିବା ଲାଗି ସବୁବେଳେ ପ୍ରୟାସ
ଜାରିରଖିଥାଏ, ଠିକ୍ ସେଭଳି ଏହି ପରମ ମିଳନ ଓ ପରମତତ୍ତ୍ୱ ସହ ମିଳିତ
ହେବାକୁ ମାନବର ଚେଷ୍ଟା ଓ ସାଧନା ରହିବା ଆବଶ୍ୟକ ।
ମାନବ ହେଉଛି ଦେବତାର ସନ୍ତାନ, ଅମୃତର ସନ୍ତାନ ।
ଶ୍ରୀଅରବିନ୍ଦ ଏହି ମରଣଶୀଳ ଦୁନିଆଁରେ ଅମୃତର ସନ୍ଧାନ ଦେବା ସହିତ ମାନବକୁ
ଅତି ମାନବ ତଥା ଆଧ୍ୟାତ୍ମିକ ମାନବ ରୂପରେ ରୂପାନ୍ତରିତ କରିବାର ସ୍ୱପ୍ନ
ଦେଖିଥିଲେ, ଯାହା କେବଳ ତାଙ୍କ ଦର୍ଶନ ଓ ଚିନ୍ତାଧାରାର ପ୍ରାଣକେନ୍ଦ୍ର
ଭାବେ ଜଡିତ ହୋଇଛି । ଫଳସୂରୂପ ସେ ଏହି ଧୂଳି ଧୂସରିତ, ମାୟା, ମୋହ,
ବନ୍ଧନ ରହିତ ସଂସାରରେ ଈଶ୍ୱରଙ୍କୁ ପାଇବାର ସତ୍ୟ ପଥ ଉନ୍ମୋଚନ କରିଥିଲେ ।
ଏପରିକି ନିଜ ଜୀବନକୁ ଆଧ୍ୟାତ୍ମିକତାର ଅମୃତ ମହୋଦଧିରେ ବୁଡିରହିବା ସହିତ
ସଂସାରର ମିଛ, ମାୟାର ନାଗଫାଶ୍ ବନ୍ଧନ, ଲୋଭ, ମୋହ, କାମନା ଆଦିକୁ ପଛରେ
ପକାଇଦେଇ ମାନବ ଆଧ୍ୟାତ୍ମିକ ମହାସତ୍ତା ଆଡକୁ ଅଗ୍ରସର ହେବା ବିଧେୟ ।
ଦିବ୍ୟ ମାନବ କେବଳ ଦିବ୍ୟ ସମାଜ ଗଠନରେ ସଫଳ ହୋଇପାରିବ ବୋଲି ସେ ମତ
ଉପସ୍ଥାପନ କରିଛନ୍ତି । କେବେ ହେଲେ ସେ କୌଣସି ବାହ୍ୟ ବ୍ୟକ୍ତିଗତ ତପସ୍ୟା,
ଆକାଂକ୍ଷା ତଥା ଜଟାଜୁଟ ରଖିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି । ବରଂ
ମାନବକୁ ଭଗବତ୍ ସତ୍ତାର ପ୍ରାପ୍ତି ତଥା ଦର୍ଶନ ପାଇଁ ତିନୋଟି ସ୍ତର ଦେଇ
ଗତିକରିବାକୁ ପଡିବ ବୋଲି ଦର୍ଶାଇଛନ୍ତି । ସେହି ତ୍ରିବିଧ ସ୍ତର ହେଉଛି -
ଅସ୍ପୃହା, ପ୍ରତ୍ୟାଖାନ ଓ ସମର୍ପଣକୁ ସେ ନିର୍ଣ୍ଣୟ କରିଛନ୍ତି । ତାଙ୍କମତରେ
ପ୍ରଥମେ ଭଗବତ୍ ସତ୍ତା ନିମନ୍ତେ ମଣିଷ ହୃଦୟରେ ଅସ୍ପୃହା ତଥା ଆନ୍ତରିକ
ଭାବ ଜାଗ୍ରତ ହେବା ଉଚିତ୍ । ଦ୍ୱିତୀୟରେ ମଣିଷ ଏମରଣଶୀଳ ସଂସାରର ସକଳ
ଭୋଗବିଳାସ ଓ ଐଶ୍ୱର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପରିହାର କରିନେବା ଉଚିତ,
ତୃତୀୟରେ ମଣିଷ ସର୍ବଶେଷରେ ପରମେଶ୍ୱରଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ
ଭାବରେ ଆତ୍ମସମର୍ପଣ କରିନେବା ଉଚିତ୍ । ମଣିଷର ଏହି ତ୍ରିବିଧ କାର୍ଯ୍ୟକଳାପ
ତଥା ଉତ୍ତମ ଭାବନା ତାକୁ ପରମେଶ୍ୱରଙ୍କ ସାନିଧ୍ୟ ଲାଭ କରିବାରେ, ତାଙ୍କୁ
ପ୍ରାପ୍ତି ହେବାରେ ଓ ତାଙ୍କ ନିକଟରେ ପହଞ୍ଚାଇ ଦେବାରେ ନିଶ୍ଚିତ ସହାୟକ
ହୋଇପାରିବ ବୋଲି ଶ୍ରୀଅରବିନ୍ଦ ଦର୍ଶାଇଯାଇଛନ୍ତି । ଥରୁଟିଏ ମଣିଷର ଭଗବତ୍
ସତ୍ତା ପ୍ରାପ୍ତ ନିମନ୍ତେ ତାକୁ ଆରୋହଣ ଓ ଅବରୋହଣର ସମ୍ମିଳିତ ପଥରେ ଗତି
କରିବାକୁ ହୁଏ । ଜୀବନରେ ଥରୁଟିଏ ମଣିଷ ଆତ୍ମସମର୍ପଣ ସ୍ତରରେ ପହଞ୍ଚିଗଲା
ପରେ ସେ ସେଠାରେ ଅତିମାନବତ୍ୱକୁ ପ୍ରାପ୍ତ ହେବା ସହିତ ପରମେଶ୍ୱରଙ୍କ
ସତ୍ତାସହ ବିଲୀନ ହୋଇଥାଏ । ଦାର୍ଶନିକ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଦିବ୍ୟ
ଦର୍ଶନରେ , ଦୃଷ୍ଟିକୋଣରେ, ଅମୃତମୟ ଚିନ୍ତାଧାରରେ ତାଙ୍କ ଅତିମାନସ ଜ୍ୟୋତି
ଓ ଚେତନା ଶକ୍ତି ବିବର୍ତ୍ତନ ଧାରାରେ ପୃଥିବୀର ସକଳ ଭୌତିକ, ପ୍ରାମାଣିକ,
ମାନସିକ ଓ ଭୌତିକ ରୂପାନ୍ତର କରିବ ବୋଲି ଦର୍ଶାଇଛନ୍ତି ।
ମହାଯୋଗୀ ପୁରୁଷ ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନଯେ ତାଙ୍କ ଜୀବନର
ସକଳ ଅଭିଜ୍ଞତା ଓ ଚେତନା ଉପରେ ପ୍ରତିଷ୍ଠିତ ଏହା ଅସ୍ୱୀକାର କରିହେବ
ନାହିଁ । ସେ ଅଭିଜ୍ଞତା ଆରୋହଣର ତିନୋଟି ସ୍ତର ରହିଥିବା ଦର୍ଶାଇଛନ୍ତି ।
ସେହି ତିନୋଟି ସ୍ତର ହେଉଛି ଅବଚେତନ ମାନସ, ଚେତନା ବା ଇନ୍ଦ୍ରିୟଗ୍ରାହ୍ୟ
ଅଭିଜ୍ଞତା ଓ ଅତିଚେତନ ମାନସ ବା ଅତିଅଭିଜ୍ଞତା ମାନସ । ଏହି ତିନୋଟି
ସ୍ତରର ଅଭିଜ୍ଞତା ଦ୍ୱାରା ମଣିଷର ପୂର୍ଣ୍ଣତା ପ୍ରାପ୍ତି ସମ୍ଭବ ହୋଇଥାଏ ।
ଶ୍ରୀଅରବିନ୍ଦ ଥିଲେ ମହାଯୋଗୀ । ଯୋଗହିଁ ମଣିଷକୁ ଚିତ୍ତ ସଂଯମ କରେ,
ସଂଯମହିଁ ସକଳ ଶକ୍ତିର ଆଧାର । ଯୋଗ ଦ୍ୱାରା ପୂର୍ଣ୍ଣଜ୍ଞାନ ଲାଭ
କରାଯାଇଥାଏ ବୋଲି ସେ ମତ ଉପସ୍ଥାପନ କରିଛନ୍ତି । ଏପରିକି ଶ୍ରୀଅରବିନ୍ଦ
ତାଙ୍କ "ଦିବ୍ୟଜ୍ଞାନ" ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ମାତ୍ର ଚାରୋଟି
ସୋପାନରେ ପୂର୍ଣ୍ଣ ଜ୍ଞାନ ଲାଭ କରାଯାଇପାରେ । ସେହି ଚାରୋଟି ସୋପାନ
ଗୁଡିକ ହେଉଛି , ପ୍ରଥମଟି ଅନ୍ତଃପ୍ରଜ୍ଞା, ଦ୍ୱତୀୟଟି ପ୍ରତ୍ୟକ୍ଷ ସଂସ୍ପର୍ଶ,
ତୃତୀୟଟି ମାନସିକ ଚେତନା ଘନିଷ୍ଠତା ନଥାଇ ପ୍ରତ୍ୟକ୍ଷ ଜ୍ଞାନ ଓ ଚତୁର୍ଥଟି
ଇନ୍ଦ୍ରିୟ ଦ୍ୱାରା ଲବ୍ଧଜ୍ଞାନ ଯାହାକୁ କେବଳ ନିମ୍ମସ୍ତରର ଜ୍ଞାନବୋଲି
ବିବେଚିତ କରାଯାଏ ।
ବାସ୍ତବପକ୍ଷରେ, ମହାଯୋଗୀ
ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ଯୋଗ ମାଧ୍ୟମରେ
ପୂର୍ଣ୍ଣଜ୍ଞାନ ପ୍ରାପ୍ତି ଲାଭ କରିବା । ସେ ପରମବ୍ରହ୍ମଙ୍କର ସତ୍ତା
ଧରାପୃଷ୍ଠରେ ବିଭିନ୍ନ ଢଙ୍ଗରେ ଉପଲବ୍ଧି କରିଛନ୍ତି । ମଣିଷ ଅଖଣ୍ତ
ପୂର୍ଣ୍ଣଜ୍ଞାନ ସ୍ତରରୁ ନିଜସ୍ୱ ଚେତନ ଜ୍ଞାନ ଅର୍ଜନ କରିପାରେ, ଯାହା କେବଳ
ଯୋଗଦ୍ୱାରା ସମ୍ଭବ ବୋଲି ଦର୍ଶାଇଛନ୍ତି । ପ୍ରକୃତପକ୍ଷରେ ମାନବର
ବ୍ୟକ୍ତିତ୍ୱର ମୂଳକେନ୍ଦ୍ର ହେଉଛି, ଏକଚେତନାର ସତ୍ତା, ବ୍ୟକ୍ତିତ୍ୱର ସଂଗଠନ
ଓ ସମନ୍ୱୟ, ଏହି ଚେତନା ଦ୍ୱାରା ସାଧିତ ହୁଏ ବୋଲି ଶ୍ରୀଅରବିନ୍ଦ
ଦର୍ଶାଇଛନ୍ତି । ସେ ନିଜସ୍ୱ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ବୁଝିଥିଲେ, ଜଗତର
ପରମଦିବ୍ୟ ଅତିମାନସ ଶକ୍ତିର ଅବତରଣ ଦ୍ୱାରା ରୂପାନ୍ତର ସମ୍ଭବ ହୋଇଥାଏ ।
ବିଶେଷ କରି ସେ ମାନବର ବ୍ୟକ୍ତିତ୍ୱ ଓ ତା'ର ପରିବର୍ତ୍ତନର ପନ୍ଥା
ଆବିଷ୍କାର କରିବା ସହିତ ଯୋଗ ଦର୍ଶନର ମୂଳତତ୍ତ୍ୱ ଉପରେ ଅଧିକ ଗୁରୁତ୍ୱ
ଦେଇଛନ୍ତି । ତାଙ୍କ ଦୃଷ୍ଟିରେ ପ୍ରାକୃତିକ ବିବର୍ତ୍ତନ ପ୍ରକିୟାରେ ଅନେକ
ସାଧନା ପରେ ହିଁ ମାନବ ଅତିମାନବ ସ୍ତରରେ ପରିଣତ ହୋଇଯାଏ । ଯୋଗ ସାଧନର
ଶୀର୍ଷ ସୀମାରେ ଉପନୀତ ଉପଯୁକ୍ତ ଅତିମାନବ ହେବ ଦିବ୍ୟମାନବର , ଯାହାହିଁ
କେବଳ ଏକ ରୂପାନ୍ତରିତ ଆଧ୍ୟାତ୍ମ ଭଗବତ୍ ପୁରୁଷ ବା ପରମେଶ୍ୱର । ଏଥିଲାଗି
ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକ ଅନୁଭବ କରି ପଣ୍ତିଚେରୀଠାରେ ଏକ ଯୋଗ,
ଆଧ୍ୟାତ୍ମିକ ଆଶ୍ରମ ପ୍ରତିଷ୍ଠା କରି ଜୀବନ ନାଟକର ଶେଷରେ 1950 ମସିହା
ଡିସେମ୍ବର 5ତାରିଖରେ ଯୁଗପୁରୁଷ, ବିଶ୍ୱପୁରୁଷ, ବ୍ରହ୍ମଜ୍ଞାନୀ, ଯୋଗ
ଗୁରୁଶ୍ରେଷ୍ଠ ଶ୍ରୀଅରବିନ୍ଦ ସ୍ୱର୍ଗାଲୋକରେ ଦେବତ୍ୱରେ ବିଲୀନ ହୋଇଗଲେ ।
ଶ୍ରୀଅରବିନ୍ଦ ଏହି ଅତିମାନସ ରାଜ୍ୟର ଶ୍ରେଷ୍ଠ ଅଧିକାରୀ ଥିଲେ,
କେବଳ ତାହାନୁହେଁ ସେ ଥିଲେ ବିଶ୍ୱର ଆଧ୍ୟାତ୍ମିକ ଅବତାର । ଶ୍ରୀଅରବିନ୍ଦଙ୍କ
ଧର୍ମଜଗତକୁ ଦାନ ସଂପର୍କରେ ବିଶିଷ୍ଟ ପଣ୍ତିତ ଡଃ ଫେଡେରିକ୍ ସ୍ପାଇ
ଗେଲବର୍ଗ କହିଛନ୍ତି-"ଶ୍ରୀଅରବିନ୍ଦ ହେଉଛନ୍ତି ଏହି ପୃଥିବୀର ପଥ ପ୍ରଦର୍ଶକ
ତାରକା ଓ ଆମ ଯୁଗର ଧର୍ମ ପ୍ରବର୍ତ୍ତକ ।" ଶ୍ରୀଅରବିନ୍ଦଙ୍କ ସକଳ ଭାବନା,
ଅତୁଳନୀୟ ଅବଦାନ ଓ ଦର୍ଶନ ନିମନ୍ତେ ଜ୍ଞାନୀ ରୋମାନ୍ ରୋଲାଣ୍ତ ମତ
ଦେଇକହିଛନ୍ତି-"ଶ୍ରୀଅରବିନ୍ଦ ଭାରତୀୟ ଦାର୍ଶନିକ ମଧ୍ୟରେ ଥିଲେ ରାଜା ।"
ତେଣୁ ଏସବୁ ଦୃଷ୍ଟିରୁ ବିଚାର କଲେ ସେ କେବଳ ଅତି ଅଲୌକିକ ପ୍ରଚଣ୍ତ
ପ୍ରତିଭାସମ୍ପନ୍ନ ବ୍ୟକ୍ତି ବା ଆନନ୍ଦଯୋଗୀ, ଜ୍ଞାନୀ, ନିଷ୍ଠାପର ଧାର୍ମିକ
ବ୍ୟକ୍ତି, ଶିକ୍ଷା ଦାର୍ଶନିକ ନଥିଲେ ବରଂ ଥିଲେ ଅତୀତର ଚାରଣ ଦ୍ରଷ୍ଟା,
ବର୍ତ୍ତମାନର ଅଖଣ୍ତ ଅପ୍ରତିଦ୍ୱନ୍ଦ୍ୱୀ ମର୍ତ୍ତ୍ୟ ବୈକୁଣ୍ଠର ବିଶ୍ୱକର୍ମା,
ଭବିଷ୍ୟତର ବାର୍ତ୍ତାବହ । ଭାରତୀୟ ଐତିହ୍ୟ, ପରମ୍ଫରା ଓ ସଂସ୍କୃତି ସହିତ
ଦେଶ ବିଦେଶର ସଂସ୍କୃତିକୁ ସଂଶ୍ଳିଷ୍ଟ କରି ନୂଆ ଦର୍ଶନରେ ବିଶ୍ୱବାସୀଙ୍କୁ
ବିଶ୍ୱମୈତ୍ରୀ, ବିଶ୍ୱପ୍ରୀତି, ବିଶ୍ୱଶାନ୍ତି ଓ ବିଶ୍ୱଐକ୍ୟ ପ୍ରତିଷ୍ଠା
କରିଥିବା ଶ୍ରୀଅରବିନ୍ଦ ବିଶ୍ୱବାସୀଙ୍କ ନିକଟରେ ଅଭିନନ୍ଦନୀୟ, ଅଭିବନ୍ଦନୀୟ,
ଅଜେୟ, ଅମର ଓ ଅବିସ୍ମରଣୀୟ ହୋଇ ରହିଛନ୍ତି ଓ ରହିଥିବେ ଏହାହିଁ
ତାଙ୍କପ୍ରତି ଆଜିର ପବିତ୍ର ସ୍ୱାଧିନତା ଦିବସରେ ଓ ତାଙ୍କର ପୁଣ୍ୟଜନ୍ମ
ଦିବସରେ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ଘ୍ୟ ଓ ମୁଣ୍ତନୁଆଁ କୋଟି ପ୍ରଣାମ ।
ଜୈନ ଧର୍ମରେ ମାନବବାଦ
କୁହାଯାଇପାରେ, ଦୃଢ ବିଶ୍ୱାସହିଁ ଏକ ମସ୍ତବଡ ସଂକଟକୁ
ଅତିକ୍ରମ କରିନେବାର ପ୍ରଚେଷ୍ଟା ସ୍ୱରୂପ ଧର୍ମଭାବନାର ଉଦ୍ରେକ । ସାମଗ୍ରିକ
ଭାବରେ ବିଚାର କଲେ, ପରମ୍ପରାର ନିଷ୍ଠାପର ବାହକମାନେ ବା ଧର୍ମୀୟ ପ୍ରବଣତାର
ସଂଗଠକମାନେ ଯେଉଁ ସବୁ ସଂସ୍କାରମ୍ୱଳକ ନୀତିସମୂହକୁ ସମାଜର ଆଦର୍ଶ ବୋଲି
ଧରିନିଅନ୍ତି, ବୋଧହୁଏ ତାହାହିଁ ଧର୍ମ ବୋଲି ଆଖ୍ୟାୟିତ ହୋଇଥାଏ । ସମୟର
ସ୍ରୋତରେ ମୁକ୍ତ ନୂତନ ଧର୍ମୀୟ ଓ ଦାର୍ଶନିକ ମତବାଦଗୁଡିକର ଉଦ୍ଭବର ଗଭୀର
ଅନୁଶୀଳନ ଦ୍ୱାରା ଆଧ୍ୟାତ୍ମିକ ଚେତନାର ଯେଉଁ ପ୍ରତିଫଳନ ଘଟେ ତାହା ଧର୍ମ ।
ପ୍ରାରମ୍ଭିକ ବେଦ, ଉପନିଷଦ ଓ ବ୍ରାହ୍ମଣବାଦର ଅଧିନତାରୁ ମୁକ୍ତି ପାଇଁ
ହେଉଅବା ବେଦର ଜଟିଳ ପୁରୁଣାକାଳିଆ କର୍ମକାଣ୍ତ, ପୁରୋହିତମାନଙ୍କ ଏକଚାଟିଆ
ସ୍ଥୂଳ ବୈଷୟିକ ଦାବୀ ପ୍ରତି ସାଧାରଣ ଜନତାଙ୍କ ମୋହ ଭଗ୍ନ ନବଉଦ୍ଭୂତ ଧର୍ମର
କାରଣ ହୋଇପାରେ । ତେଣୁ ପ୍ରାଚୀନ ଭାରତୀୟ ଅସନାତନୀ ଧର୍ମ ଗୁଡିକ ମଧ୍ୟରୁ
ଜୈନ ଧର୍ମ ହେଉଛି ଅନ୍ୟତମ । ଏହି ଧର୍ମର ଉତ୍ପତ୍ତି ଓ ପ୍ରତିଷ୍ଠାତା
ସମ୍ପର୍କରେ କେବଳ ଲୋକ ଶ୍ରୁତିରୁ ଜଣାପଡେ । ଏହାର ପ୍ରତିଷ୍ଠାତା ଥିଲେ
ବିଦେହ (ବର୍ତ୍ତମାନ ବିହାର) ନିବାସୀ ବର୍ଦ୍ଧମାନ ନାମରେ କ୍ଷତ୍ରିୟ
ବର୍ଣ୍ଣଜାତ ଜଣେ ମହାନ ଯୁଗପୁରୁଷ । କୁହାଯାଏ ତାଙ୍କୁ ତିରିଶ ବର୍ଷ ବେଳେ
ସେ ଗୃହତ୍ୟାଗ କରି ବନଗାମୀ ହୋଇ ସନ୍ନ୍ୟାସୀ ଜୀବନ ଯାପନକରି ଧ୍ୟାନସ୍ଥ
ଥିଲେ । ସନ୍ନ୍ୟାସୀମାନଙ୍କ ଧାରଣାଯେ, କୃଚ୍ଛ୍ର ସାଧନା ଦ୍ୱାରା ଦୈହିକ
କାମନା ବାସନାର ଦମନ ଘଟେ । ଏପରିକି ସାଧାରଣ ମାନବିକ ସ୍ପୃହା ଓ
ଦୃର୍ବଳତାର ଦୂରୀକରଣ ଘଟିଥାଏ । ମଣିଷ ମନରେ ମଣିଷ ପ୍ରତି ଶ୍ରଦ୍ଧା,
ପ୍ରେମ ଭାବର ଭାବନା ଜାଗରିତ ହୁଏ । ବର୍ଦ୍ଧମାନ ଦୀର୍ଘ ବାର ବର୍ଷ କାଳ
ସନ୍ନ୍ୟାସ ଜୀବନଯାପନ ଓ ତପମଗ୍ନ ରହିବା ପରେ କ୍ରମଶଃ ତାଙ୍କ ଠାରେ
ଦିବ୍ୟଜ୍ଞାନର ଆଲୋକ ପ୍ରଜ୍ଜଳିତ ହୋଇଆସିଥିଲା । ତାଙ୍କ ମନରେ ନୂତନ ଏକ
ଧର୍ମର ମାନବିକ ନୀତିସମୂହ ରୂପ ପରିଗ୍ରହ କରିଥିଲା । ତେଣୁ ଦିବ୍ୟଜ୍ଞାନ
ଲାଭ ପରେ ଦିବ୍ୟଦ୍ରଷ୍ଟା ବର୍ଦ୍ଧମାନ ଭାରତର ବିଭିନ୍ନ ଅଞ୍ଚଳ ପରିଭ୍ରମଣ
କରି ସ୍ୱକୀୟ ଧର୍ମକୁ ପ୍ରଚାର କରି ଏକ ବୃହତ୍ତ ଶିଷ୍ୟମଣ୍ତଳୀ ଗଢିବାରେ
ସଫଳ ହୋଇପାରି ଥିଲେ । ତାଙ୍କ ଧର୍ମର ପ୍ରଚାରରେ ବହୁ ପ୍ରଭାବଶାଳୀ
ପୃଷ୍ଠପୋଷକ ଥିଲେ, ଫଳତଃ ଏହା ସମଗ୍ର ଭାରତରେ ଧିରେ ଧିରେ ପ୍ରସାର ଲାଭ
କରିପାରିଥିଲା । ପରେ ଏହି ନୂତନ ଧର୍ମର ପ୍ରତିଷ୍ଠାତା ମହାବୀର ବା ଜୀନ
ନାମରେ ପରିଚିତ ହୋଇଥିଲେ । ଏହି ଜୀନକୁ ବିଜୟ/ବିଜୟୀ/ବିଜେତା ସମ୍ମାନ ସୂଚକ
ଅର୍ଥରେ ବ୍ୟବହୃତ ହୁଏ । ହୁଏତ ସମ୍ମାନ ସୂଚକ ଅର୍ଥରେ ସମ୍ମାନୀୟ
ଗୁରୁମାନଙ୍କୁ ଜୀନ କୁହାଯାଉଥିଲା ଓ ଜୀନଙ୍କ ଦ୍ୱାରା ପ୍ରଚଳିତ ଧର୍ମକୁ ଜୈନ
ଧର୍ମ କୁହାଯାଉ ଥିଲା ।
ଜୈନମାନଙ୍କ ବିଶ୍ୱାସଯେ, ସେମାନଙ୍କ ଧର୍ମମତ ବହୁ କାଳରୁ ପ୍ରଚଳିତ
ହୋଇଆସିଛି, ସେମାନଙ୍କ ଚବିଶଜଣ ଧର୍ମଗୁରୁ ବା ତୀର୍ଥଙ୍କରଙ୍କ ମଧ୍ୟରେ
ବର୍ଦ୍ଧମାନ ଥିଲେ ସର୍ବଶ୍ରେଷ୍ଠ ସର୍ବଶେଷ ସର୍ବୋଚ୍ଚ ତୀର୍ଥଙ୍କର । ବିଶେଷତଃ
ତୀର୍ଥଙ୍କରମାନଙ୍କ ସଂପର୍କରେ ଅନେକ କାହାଣୀ, ପୌରାଣିକ କଥା, ଲୋକଗାଥା ଆଦି
ରହିଛି, ଯାହା ପରବର୍ତ୍ତୀ ଯୁଗରେ ଧର୍ମ ସଂସ୍କାର ସ୍ମୃତିର ପ୍ରତୀକ ପାଲଟିଛି
। ଏହି ଧର୍ମରେ ଅନେକ ସାଂସରୀକ ଜୀବନ ପ୍ରତି ବିମୁଖତା ପ୍ରକାଶ କରି
ଧର୍ମରେ ଯୋଗଦେଇଥିବା ବେଳେ ଆଉକେତେକ ଏହି ଧର୍ମଅନୁଗାମୀମାନଙ୍କ ସହ ଗୃହୀ
ହୋଇମଧ୍ୟ ଧର୍ମପ୍ରତି ଆକୃଷ୍ଟ ଥାଇ ଯୋଗଦେଉଥିଲେ । ସଂସାରରେ ଥାଇ
ସନ୍ନ୍ୟାସୀ, ଅର୍ଥାତ୍ ସେହି ଶିଷ୍ୟମାନେ ବିଷୟ ଧନ ଐଶ୍ୱର୍ଯ୍ୟ ସଂପତ୍ତି
ପରିବାର ଦୂରେଇଲେ ନାହିଁ ସତ୍ୟ, କିନ୍ତୁ ଜୈନ ଧର୍ମର ନିର୍ଦ୍ଧାରିତ ସକଳ
ଧର୍ମ ରୀତି ନୀତିକୁ ମାନି ଚଳିଲେ । ଯାହା କେବଳ ସାମାଜିକ ଓ ସାଂସ୍କୃତିକ
ଜୀବନର ଅଦ୍ଭୂତ ଧାରା ପାଲଟି ଯାଇଥିଲା ।
ଜୀନ ଧର୍ମଗୁରୁମାନଙ୍କ ଦ୍ୱାରା ପ୍ରଚାରିତ ଧର୍ମ ଶିକ୍ଷାର
ନିର୍ଯ୍ୟାସର ବିଶ୍ଳେଷଣ ଜୈନ ଗ୍ରନ୍ଥଗୁଡିକରେ ଦେଖିବାକୁ ମିଳିଥାଏ । ସେସବୁ
ଗ୍ରନ୍ଥଗୁଡିକରେ ମଣିଷର ବିଶ୍ୱବ୍ରହ୍ମାଣ୍ତ ସମ୍ପର୍କରେ ଧାରଣା ଦିଆଯାଇଛି ।
ଏପରିକି ଜଗତ ସମ୍ବନ୍ଧରେ ପଞ୍ଚେନ୍ଦ୍ରିୟ ଦ୍ୱାରା ଲବ୍ଧ ପ୍ରତ୍ୟକ୍ଷ ଜ୍ଞାନକୁ
ଦର୍ଶାଯାଇଛି । ଜୈନ ଧର୍ମର ପୂର୍ଣ୍ଣାଙ୍ଗ ଶିକ୍ଷାନୁଯାୟୀ ଏହି ବସ୍ତୁବାଦୀ
ଜଗତ ଓ ଆତ୍ମିକ ଜଗତ ମଧ୍ୟରେ ସେଭଳି କୌଣସି ପାରସ୍ପରିକ ବିରୋଧଭାବ ନାହିଁ
। ବରଂ ଅତି ସରଳ ଭାବରେ ବୁଝାଇ ଦିଆଯାଇଛି, ମଣିଷର ପ୍ରଚୁର ଅନୁଭବ ଓ
ଗଭୀର ଚିନ୍ତନ କ୍ଷମତା ଜୀବନର ଏକ ସ୍ୱାଭାବିକ ଲକ୍ଷଣ ଅଟେ । ଏପରିକି ସେହି
ଲକ୍ଷଣ ଅହରହ ମଣିଷର ଚତୁର୍ପାର୍ଶ୍ୱସ୍ଥ ପ୍ରାକୃତିକ ଜଗତରେ ପ୍ରକାଶ ପାଉଛି ।
ବିଚାରଧାରା ଦୃଷ୍ଟିରୁ ଏହା କେବଳ ଆତ୍ମିକ ଜଗତକୁ ବସ୍ତୁଭୂତ କରିଛି, ତାହା
ନୁହେଁ, ବରଂ ବସ୍ତୁ ଜଗତକୁ ଏହା ଅତି ଆତ୍ମିକ କରି ପାରିଛି । ଏଥିରେ
ଆତ୍ମା ସମ୍ବନ୍ଧରେ ସ୍ପଷ୍ଟ କରି ଦିଆଯାଇଛି । କୁହାଯାଇଛି, ଆତ୍ମା
ସର୍ବଭୂତରେ ବିଦ୍ୟମାନ, ଅର୍ଥାତ୍ ସକଳ ଘଟେ ଆତ୍ମାର ଉପଲବ୍ଧ, ଏପରି ଉଦ୍ଭିଦ୍
ଠାରୁ ନିର୍ଜୀବ ପଥର କୁହାଯାଉଥିବା ପଥର ମଧ୍ୟରେ ଆତ୍ମା ରହିଛି । ଆତ୍ମା
କେବେ ଦେବତା ମାନଙ୍କ ଦ୍ୱାରା କେବେ ସୃଷ୍ଟ ନୁହେଁ । ଜୈନ ଧର୍ମ
ପ୍ରତ୍ୟକ୍ଷ ଅନୁଭବରୁ ପ୍ରାପ୍ତ ତଥ୍ୟ ସମୂହକୁ ବାରମ୍ବାର ଅନୁଶୀଳନ କରେ ।
ଶେଷରେ ସେସବୁକୁ ଭିତ୍ତି କରି ଶେଷ ସିଦ୍ଧାନ୍ତରେ ଉପନୀତ ହୋଇଥାଏ । ଯେଭଳି
ଶୁଦ୍ଧପୂତ ଜୀବନଯାପନ ନିମନ୍ତେ ତିନୋଟି ପବିତ୍ର ନୀତି ବିଶ୍ୱାସ, ଜ୍ଞାନ ଓ
ଚରିତ୍ର ଉପରେ ଗୁରୁତ୍ୱ ଦେଉଥିଲେ । ସାଂସାରିକ ମାୟା, ମୋହ ତଥା ଭ୍ରମଜାଲରୁ
ମୁକ୍ତି ପାଇଁ ମଣିଷର ଚିତ୍ତ ଶୁଦ୍ଧି କରିବାକୁ ପଡିବ । ଯାହାଫଳରେ ମଣିଷର
ଆତ୍ମା ସଦ୍ ଗତି ଲାଭକରେ, ଅର୍ଥାତ୍ ଜନ୍ମମୁତ୍ୟୁର ବନ୍ଧନରୁ ମୁକ୍ତ ହୋଇ
ନିର୍ବାଣ ପ୍ରାପ୍ତ ହୁଏ । ଜୀବନକୁ ସରସ ସୁନ୍ଦର ନୀତିମୟ କରିବାକୁ ଅହିଂସା,
ସତ୍ୟ, ଅସ୍ତେୟ ଅର୍ଥାତ ପରଦ୍ରବ୍ୟପ୍ରତି ଲୋଭ/ଚୋରି ନକରିବା, ଅପରିଗ୍ରହ
ଅର୍ଥାତ୍ ପାର୍ଥିବ ବସ୍ଥୁ ପ୍ରତି ଅନାସକ୍ତ ହେବା, ବ୍ରହ୍ମଚର୍ଯ୍ୟ ପାଳନ
ଅନ୍ୟ ଅର୍ଥରେ ଆତ୍ମ ସଂଯମ ଆଚରଣ ଆଦି ନିଷ୍ଠାର ସହ ପାଳନ କଲେ ମଣିଷ ସୁଖି
ଓ ଆତ୍ମ ସନ୍ତୋଷ ଲାଭ କରିପାରିବ ।
ଜୈନ ଧର୍ମରେ ସମଗ୍ର ବିଶ୍ୱ ଦୁଇଟି ସ୍ୱଂୟ ଶାସିତ ଉପାଦାନ ଦ୍ୱାରା
ଗଠିତ ବୋଲି ଦର୍ଶାଯାଇଛି, ତାହା ଜୀବ ଓ ଅଜୀବ । ଅର୍ଥାତ୍
ଜୀବତତ୍ତ୍ୱାନୁଯାୟୀ ମଣିଷର ମୁତ୍ୟୁପରେ ସ୍ଥୂଳଶରୀରକୁ ବାଦଦେଇ ଯାହା ଛାୟା
ଆକାରରେ ରହିଯାଏ ତାହାହିଁ ଜୀବ । ଏହି ଜୀବଗୁଡିକ ଶୁଦ୍ଧ, ଗୁଣରହିତ,
ମୁତ୍ୟୁହୀନ, ଅସଂଖ୍ୟ ଓ ଶାଶ୍ୱତ । ବିଶ୍ୱର ଉପରଭାଗରେ ସେମାନଙ୍କ ସ୍ଥିତି ଓ
ନିଜର ଆତ୍ମ-ବିକୃତି ଯୋଗୁ ସେମାନେ ଧରାବତରଣ କରି ବିଭିନ୍ନ ଭୌତିକି ଶରୀର
ଧାରଣ କରିଥାନ୍ତି । ସେଭଳି ଅଜୀବତତ୍ତ୍ୱ ପାଞ୍ଚଟି ଉପାଦାନ ନେଇ ଗଠିତ,
ଯାହା ଧର୍ମ, ଅଧର୍ମ, କାଳ, ଆକାଶ ଓ ପୁଦ୍ଗଳ । ଧର୍ମ ନୀତି ନିୟମର
ପରିଗଣିତ ହେବା ବେଳେ ଅଧର୍ମ ସ୍ଥାନୁତ୍ୱକୁ ପରିଚାଳିତ କରେ, କାଳ ସମୟର
ନିୟନ୍ତ୍ରକ ଥିବା ବେଳେ, ଆକାଶ ଶୂନ୍ୟତାର ପରିଚାୟକ ଅଟେ ଓ ପୁଦ୍ଗଳ ବସ୍ତୁର
ନିୟମ ନିର୍ଦ୍ଧାରଣ କରିଥାଏ । ଏପରିକି ଏହି ସ୍ଥୂଳଶରୀରଗୁଡିକର ସମାହାରରେ
ବିଶ୍ୱ ଗଠିତ, ଯାହା କେବଳ ଜନ୍ମ ମୃତ୍ୟୁର ଏହି ସୀମାହୀନ ଚକ୍ରରୁହିଁ ବିଶ୍ୱ
ସୃଷ୍ଟିର ମୂଳ ଉପାଦାନ ବୋଲି ଦର୍ଶାଯାଇଛି ।
ଏଭଳି ପ୍ରକୃତି ଜଗତରେ ସମଗ୍ର ବସ୍ତୁର ପ୍ରାଣ ସତ୍ତା ଅଛି, ଏଭଳି
ସିଦ୍ଧାନ୍ତକୁ ଜୈନମାନେ ମାନି ନେଉଥିଲେ । ଜୀବ ଓ ଅଜୀବତତ୍ତ୍ୱରୁ ଆତ୍ମାକୁ
ବୁଝିଥିଲେ । ଆତ୍ମାର ମୂଳଲକ୍ଷ କର୍ମ ବନ୍ଧନରୁ ମଣିଷକୁ ମୁକ୍ତ କରିବା ।
ତେଣୁ ଜ୍ଞାନ ଓ। ଧ୍ୟାନ ବଳରେ ମଣିଷ ମୁକ୍ତି ପାଇପାରିବ ବୋଲି କୁହାଯାଇଛି ।
ମଣିଷର କର୍ମହିଁ ତାର ଭାଗ୍ୟବିଧାତା । କର୍ମ ଗୁଣେ ଫଳ । କର୍ମ ଆତ୍ମାକୁ
ଘେରି ରହିଥିବାରୁ, କର୍ମ ବନ୍ଧନରୁ ଆତ୍ମା ମୁକ୍ତି ଚାହେଁ । ଜୈନଧର୍ମରେ
ଏହାକୁ ମୋକ୍ଷ କୁହାଯାଏ । ଆତ୍ମା ଯେତେବେଳେ ଅବିନାଶୀ, ପୁନର୍ଜନ୍ମ ଲାଭ
କରେ, ତଥା ପୁନର୍ଜନ୍ମ କର୍ମଫଳ ଅନୁଯାୟୀ ନୂତନ ଜନ୍ମ ନେଇଥାଏ । ସେମାନଙ୍କ
ମତରେ ମଣିଷ ପରଜନ୍ମରେ ପଥରରେ ମଧ୍ୟ ଜନ୍ମ ହୋଇପାରେ ବା ପଥର ମଧ୍ୟ
ଜନ୍ମାନ୍ତରେ ମଣିଷରେ ରୂପାନ୍ତରିତ ହୋଇପାରେ । ଆତ୍ମାର ଆଧାର ଯେ କଣ
ହୋଇପାରେ ତାହା ଅବସମ୍ଭାବି । ଯଦି କର୍ମଫଳରେ ନିର୍ଭର କରୁଥାଏ, ତେବେ
ଜନ୍ମାନ୍ତରରେ ଆତ୍ମା ହୁଏତ ଇତର ପ୍ରାଣୀ, ମନୁଷ୍ୟ, ଦେବତା କିମ୍ବା ଦାନବ
ଦେହ ଧାରଣ କରି ଧରାପୃଷ୍ଠକୁ ଓହ୍ଲାଇ ଆସିପାରେ !
ଅନ୍ୟାନ୍ୟ ଧର୍ମମତ ଭଳି ଜୈନ ଧର୍ମ କେବଳ ପରମ ଜ୍ଞାନ ଅର୍ଜନ ଦିଗରେ
ମଣିଷକୁ ସହାୟତା ପ୍ରଦାନ କରିବାର ମୂଳ ଲକ୍ଷ୍ୟ ନଥିଲା, ବରଂ ସକଳ ବିଧି
ବ୍ୟବସ୍ଥା ନିରୂପଣ କରି ଦେଇଥିଲା, ଯାହା ଦ୍ୱାରା ମନୁଷ୍ୟକୁ ତା'ର ବାସ୍ତବ
ଜୀବନରେ ଧର୍ମୀୟ ଆଦର୍ଶ ଆଡକୁ ମୁହାଁଇ ପାରିବ । ଉପନିଷଦ ଭଳି ଜୈନ
ଧର୍ମର ମୂଳ ଆଦର୍ଶ ହେଉଛି 'ପରମ ମୁକ୍ତି', ଅର୍ଥାତ୍ ସମସ୍ତ ବାସନା କାମନା
ଓ ପାର୍ଥିବ ବନ୍ଧନରୁ ମୁକ୍ତ ହୋଇ ଏଭଳି ଏକ ଅବସ୍ଥାକୁ ଉର୍ତ୍ତୀର୍ଣ୍ଣ
ହେବାକୁ ପଡିବ, ଯେଉଁଠି ଆତ୍ମା ବିଲୀନ ହୋଇଯିବ ନୈର୍ବ୍ୟକ୍ତିକ ପରମାତ୍ମାଙ୍କ
ମଧ୍ୟରେ । ମଣିଷ ଏଭଳି ଅବସ୍ଥା ଲାଭପରେ ଅସ୍ତିତ୍ୱର ସମସ୍ତ ଭୌତିକ ନୀତି
ନିୟମରୁ ମୁକ୍ତ ହୋଇଯାଏ, ଫଳତଃ ତା'ର ଆଉ ପୁର୍ନଜନ୍ମ ଘଟେନାହିଁ ।
ଏହିଦୃଷ୍ଟିରୁ 'ସର୍ବ ବନ୍ଧନମୁକ୍ତ' ଆତ୍ମା ହେଉଛି ଜଗତର ସବୁକିଛିର ବହୁ
ଉର୍ଦ୍ଧ୍ୱରେ, ଏପରିକି ଦେବତାମାନଙ୍କ ଠାରୁ ଉର୍ଦ୍ଧ୍ୱରେ, କାରଣ ଦେବତାମାନେ
ବି କର୍ମ ଫଳର ଅଧିନ । ତେଣୁ ମନୁଷ୍ୟ ବିଶେଷ କରି ଅର୍ହନ୍ତ୍ ମାନେ
ଅର୍ଥାତ୍ ଯେଉଁମାନେ ପୂର୍ଣ୍ଣ ନିର୍ବାଣ ପ୍ରାପ୍ତ ହୋଇପାରିଛନ୍ତି, ସେମାନେ
ଦେବତାମାନଙ୍କ ଠାରୁ ଶ୍ରେଷ୍ଠ । କାରଣ ଦେବତାମାନେ 'ଅର୍ହନ୍ତତ୍ୱ' ଲାଭ
କରିବାରେ ଅସମର୍ଥ । ସେମାନଙ୍କୁ ପୂର୍ଣ୍ଣମୁକ୍ତି ଲାଭ କରିବାକୁ ହେଲେ
ମନୁଷ୍ୟମାନଙ୍କ ଭଳି ମନୁଷ୍ୟମାନଙ୍କ ଭିତରେ ମନୁଷ୍ୟ ଜଗତରେ ପୁନର୍ଜନ୍ମ
ନେବାକୁ ହୋଇଥାଏ । ଏହି 'ମୋକ୍ଷ ପଥ' ଅସାମାନ୍ୟ କଠିନ ତପଶ୍ଚର୍ଯ୍ୟା,
ଯାହା ସର୍ବତ୍ୟାଗ ଓ ଆତ୍ମପୀଡନ ମଧ୍ୟ ଦେଇ ପ୍ରସାରିତ ଅଟେ ।
ଜୈନ ଧର୍ମାନୁସାରେ ଗୃହୀବ୍ୟକ୍ତିର ଆତ୍ମା କେବେ 'ମୋକ୍ଷ' ପାଏ
ନାହିଁ, କେବଳ ସନ୍ନ୍ୟାସୀର ଆତ୍ମା 'ମୋକ୍ଷ' ଲଭି ପାରେ । ତେଣୁ ଜୈନମାନେ
ସନ୍ନ୍ୟାସ ଗ୍ରହଣ ପୂର୍ବକ ତପଶ୍ଚର୍ଯ୍ୟାରେ ମନୋନିବେଶ କରୁଥିଲେ । ଏପରିକି
ମହାବୀର ବା ଜୀନ ବା 'ବିଜୟୀ' ଉପାଧି ମଧ୍ୟ ମଧ୍ୟ ବହୁ ଜନ୍ମାନ୍ତରର
ପାର୍ଥିବ କାମନା ବାସନାକୁ ଜୟ କରିବା ସହ ସଂଯୁକ୍ତ ସନ୍ନ୍ୟାସ ଓ
ତପଶ୍ଚର୍ଯ୍ୟା ବ୍ୟଞ୍ଜକ ଅଟେ । ଜୈନ ଧର୍ମର ମୂଳନୀତି ହେଉଛି 'ଅହିଂସା' ।
ଜୀବନ୍ତ ପ୍ରାଣୀ ପ୍ରତି ଅହିଂସାଚରଣ । ଜୈନ ସନ୍ନ୍ୟାସୀମାନେ କେବଳ
ଜୀବହତ୍ୟାରେ ବିରତ ନଥିଲେ, ବରଂ କ୍ଷୁଦ୍ରାଦି କୀଟପତଙ୍ଗ ଯେଭଳି ପାଦରେ ଦଳି
ନଯାଆନ୍ତି, ସେଥିପ୍ରତି ଅଧିକ ସତର୍କ ଥିଲେ । ମାନବୀୟ ଆଚରଣ ବିଧିରେ
ସତ୍ୟବାଦିତା, ସଂଯମ, ବୈରାଗ୍ୟ, ଚୌର୍ଯ୍ୟ ବୃତ୍ତିର କଠୋର ନିଷିଦ୍ଧତା, ଦୟା,
କ୍ଷମା, ଦାନ, ଧର୍ମ, ପରୋପକାର ଆଦି ଆଚରଣ ବିଧି ସଲ୍ଲଗ୍ନ ଥିଲା । ଯାହା
କେବଳ ମାନବ ଜୀବନକୁ ଶୁଦ୍ଧପୂତ ପବିତ୍ର ଓ ମହାନ୍ କରି ଗଢି ତୋଳୁଥିଲା ।
ଜୈନ ଧର୍ମର ଅସ୍ତିତ୍ୱ ଶତାଦ୍ଦୀ ଶତାଦ୍ଦୀ ଧରି ଭାରତରେ ତିଷ୍ଠି
ରହିଛି ଓ ଭାରତୀୟ ସଂସ୍କୃତି ଉପରେ ତାର ପ୍ରଭାବ ପକାଇ ଆସିଛି,
ତା'ସତ୍ତ୍ୱେ ବି ମାନବ ସମାଜ ସୁଧୁରି ନାହିଁ । ହିଂସା, ହତ୍ୟା, ଲୁଟ୍
ତରାଜ୍ ଆଦି ସମାଜରେ ବ୍ୟାପକ ଭାବରେ ଲାଗି ରହିଛି । ସତରେ ମୋହ, ମାୟା
ଆଚ୍ଛନ୍ନ ଏ କ୍ଷମତାଲିପୁସ୍, ଅହଂଙ୍କାରୀ, ଗର୍ବୀ ମଣିଷର ପରିବର୍ତ୍ତନ୍ନ
କେବେ (?), ତାହାହିଁ ଏକ ପ୍ରଶ୍ନବାଚୀ ହୋଇରହିଛି ।
ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଉପନିଷଦ
ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱମାନବର ଆଦର୍ଶ ଓ ପଥପ୍ରଦର୍ଶକ
। ଭାରତରେହିଁ ବେଦ ବେଦାନ୍ତ ଓ ଉପନିଷଦର ସର୍ଜନା ଏଥିରେ କେହି ଥରେ
ଦ୍ୱିମତ ହେବେ ନାହିଁ । ଭାରତୀୟ ପରମ୍ପରା ଅନୁସାରେ ଉପନିଷଦଗୁଡିକୁ ବୈଦିକ
ସାହିତ୍ୟର ଅନ୍ତିମ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏସବୁ ଉପନିଷଦରେ ବୈଦିକ
ଊପଖ୍ୟାନ ଓ ଆଚାର ଅନୁଷ୍ଠାନର ନାନାପ୍ରକାର ଧର୍ମୀୟ ଓ ଦାର୍ଶନିକ ବ୍ୟାଖ୍ୟା
ସନ୍ନିବିଷ୍ଟ ଅଛି । ବେଦ ବା ବେଦାନ୍ତର ଅନ୍ତିମ ଅଂଶ ନାମରେ ଉପନିଷଦକୁ
ଗ୍ରହଣ କରାଯାଏ । ପରେ ମଧ୍ୟ ଏହି ନାମଟି ଷଢଦର୍ଶନ ମଧ୍ୟରୁ ଅନ୍ୟତମ
ଦାର୍ଶନିକ ଭାବଧାରାର ନାମ ଭାବେ ଗୃହୀତ ଥିଲା । ଏହି ଦାର୍ଶନିକ ମତର
ପ୍ରବକ୍ତାମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ କଠୋର ଭାବେ ପ୍ରାଚୀନ ଧର୍ମ ଓ
ଦର୍ଶନର ଅନୁସରଣକାରୀ ବୋଲି ଦାବୀ କରି ଆସିଥିଲେ ।
ଉପନିଷଦଗୁଡିକ ମୂଖ୍ୟତଃ ଭାରତୀୟ ସଂସ୍କୃତିର ବୈଦିକ ଯୁଗବିକାଶର
ସର୍ବଶ୍ରେଷ୍ଠ ପର୍ଯ୍ୟାୟ । ଏସବୁ ରଚିତ ହେବା ପୂର୍ବରୁ ଯେଉଁସବୁ
ଧ୍ୟାନଧାରଣାର ଉଦ୍ଭବ ଆଉ ବିକାଶର ସମଗ୍ର ଏକ ଯୁଗରୂପେ ଧରି ଆସିଥିଲା,
ସେସବୁର ମୌଳିକ ପୁନର୍ବିଟାର ଉପନିଷଦଗୁଡିକରେ କରାଯାଇଛି । ଏସବୁ ଗ୍ରନ୍ଥର
ରଚୟିତାମାନେ ପାରମ୍ପାରିକ ଏକଦୃଷ୍ଟିରୁ ବିଚାର ଆରମ୍ଭ କରି ବୈଦିକ
ବିଷୟବସ୍ତୁର ପରଧିକୁ ବହୁଦୂର ଯାଏ ସ୍ପର୍ଶକରି ସମସ୍ୟା ସମାଧାନରେ ଉପନୀତ
ହୋଇଛନ୍ତି । ଯାହାର ପ୍ରତି ଫଳନ ପରବର୍ତ୍ତୀ ପୁରୁଷ ପରମ୍ପରା ନିକଟରେ ଏସବୁ
ଗ୍ରନ୍ଥ ଅତି ଶ୍ରଦ୍ଧାପୂର୍ଣ୍ଣ ପବିତ୍ର ସଂସ୍କୃତିର ଆକାର ହୋଇ ରହିଛି କେବଳ
ନୁହେଁ, ବେଦ ଠାରୁ ବହୁ ଦୂର ଅପସୃତ ଏକ ନୂତନ ଧାରାର ଧର୍ମୀୟ ଦାର୍ଶନିକ
ଧ୍ୟାନଧାରଣାର ଅପରିହାର୍ଯ୍ୟ ଅଙ୍ଗରୂପେ ପରିଣତ ହୋଇଥିଲା । ଏପରିକି
ଏହିଗ୍ରନ୍ଥ ସମୂହ ଭାରତ ଇତିହାସର ଦୁଇଟି ଯୁଗ ମଧ୍ୟରେ ଜୀବନ୍ତ ଯୋଗସୂତ୍ରର
ପରିଚାୟକ ଓ ଭାରତର ସାଂସ୍କୃତିକ ଐତିହ୍ୟର ଧାରାବାହିକତାର ପ୍ରତୀକ ଭାବେ
ଦଣ୍ତାୟମାନ ହୋଇରହିଛି ।
"ଉପନିଷଦ" ଶବ୍ଦର ମୂଳ ବ୍ୟୃତ୍ପତ୍ତିର ମୀମାଂସା ଏପର୍ଯ୍ୟନ୍ତ
ସଂପୂର୍ଣ୍ଣ ରୂପେ ହୋଇପାରି ନାହିଁ । ଖୁବ୍ ସମ୍ଭବତଃ ଶବ୍ଦଟି ଶାସ୍ତ୍ରୀୟ
ପାଠର ପଦ୍ଧତିକୁ ସଙ୍କେତ ଦେଉଛି, ଅର୍ଥାତ୍ ଗୁରୁ ତାଙ୍କ ଉପବିଷ୍ଟ
ଶିଷ୍ୟବର୍ଗଙ୍କ ଆଗରେ ଶାସ୍ତ୍ର ବ୍ୟାଖ୍ୟା କରୁଛନ୍ତି (ଉପ+ନି+ସଦ୍- "ନିକଟରେ
ଉପବେଶନ")- ଏହି କଥା ଇଙ୍ଗିତ କରୁଛି । ଯଦିଶ୍ଟ ପରେ "ଉପନିଷଦ"ର ଶବ୍ଦର
ଅର୍ଥ- "ଯେଉଁଥିରୁ ଗୃଢ ଜ୍ଞାନ ଲାଭ କରାଯାଏ", ତାହା ହେଉଛି "ଉପନିଷଦ" ।
ଉପନିଷଦସମୂହର ସାଧାରଣ ରୂପେ ସ୍ୱୀକୃତ ମୋଟ ସଂଖ୍ୟା 108 ଅଟେ । କିନ୍ତୁ
ଏସବୁ ମଧ୍ୟରୁ କେବଳ 13ଟି ଉପନିଷଦକୁ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ରୂପରେ
ଗ୍ରହଣ କରି ନିଆଯାଇଛି । ଐତିହାସିକ ବିବରଣୀ ଅନୁଯାୟୀ ଏହି 13 ଖଣ୍ତ
ହେଉଛି ମୂଳ ଉପନିଷଦ ଓ ଏହା ଖ୍ରୀ . ପୂ . ସପ୍ତମ ଶତାଦ୍ଦୀରୁ ଚତୁର୍ଥ
ଶତାଦ୍ଦୀ ମଧ୍ୟରେ ରଚିତ ବୋଲି ଗ୍ରହଣ କରାଯାଇଛି । ଏସବୁ ମଧ୍ୟରୁ ସବୁଠୁ
ଗୁରୁତ୍ୱପୂର୍ଣ୍ଣ ଦୁଇଟି ଗ୍ରନ୍ଥ ପ୍ରଥମଟି "ବୃହଦାରଣ୍ୟକ" ଓ ଦ୍ୱିତୀୟଟି
"ଛାନ୍ଦୋଗ୍ୟ" ହେଉଛି ସବୁଠାରୁ ପ୍ରାଚୀନ ଓ ଯାହାକୂ ପ୍ରକୃତ ଉପନିଷଦ
କୁହାଯାଏ । ଏସବୁ ଉପନିଷଦ ଭାଷ୍ୟକାର ସମ୍ଭବତଃ କେହି ଋଷି ବା ଗୁରୁ
ହୋଇପାରନ୍ତି । ଏହି ଗ୍ରନ୍ଥଗୁଡିକରେ ଲିପିବଦ୍ଧ ଉପଦେଶାତ୍ମକ ମୁଖ୍ୟ ବକ୍ତବ୍ୟ
ହେଉଛି ବେଦସମୂହର ସଠିକ ପାଠୋଦ୍ଧାର କରିବା । ବେଦସମୂହର ଅର୍ଥ "ଗୃଢ"
ଅର୍ଥରେ ପରୋକ୍ଷ ଉଲ୍ଲେଖ ବୋଲି ଗଣ୍ୟ କରାଯାଇ ଉପନିଷଦର ସମସ୍ତ ଗ୍ରନ୍ଥର
ବୈଦିକ ପାଠର ବ୍ୟାଖ୍ୟା ଓ ଭାଷ୍ୟ ପ୍ରଦାନ ହୋଇଛି ।
ଉପନିଷଦ ହେଉଛି ଏକ ଦାର୍ଶନିକ ପ୍ରକୀୟା ମଧ୍ୟରେ ବିଶ୍ୱବ୍ରହ୍ମାଣ୍ତର
ରହସ୍ୟକୁ ଉନ୍ମୋଚନ କରିବାର ପ୍ରଥମ ପ୍ରୟାସ । ଉପନିଷଦରେ ନିର୍ଦ୍ଦିଷ୍ଟ ଏକ
ସ୍ପଷ୍ଟ ଧାରଣାକୁ ଲକ୍ଷ୍ୟ କଲେ ପ୍ରତ୍ୟେକ ଉପନିଷଦର ରଚୟିତା ଅତି
ସଂକ୍ଷିପ୍ତ ଭାଷାରେ ମୂଳ ଧାରଣାକୁ ସୂତ୍ରାୟିତ କରିଛନ୍ତି, ଯାହା
ଅପରିବର୍ତ୍ତିତ ଓ ସଂକ୍ଷିପ୍ତ, ମାତ୍ର ଛଅଟି ଶବ୍ଦରେ ତାହା ରୂପାୟିତ :
"ଆତ୍ମା ହିଁ ବ୍ରହ୍ମ, ବ୍ରହ୍ମ ହିଁ ଆତ୍ମା" । କେବଳ ଏହି ଉକ୍ତିଟି ଅନେକ
ଉପନିଷଦରେ ବ୍ୟାଖ୍ୟା କରାଯାଇଛି । ଜଗତ ମୂଳତଃ ଅବ୍ୟାହତ ପରିବର୍ତ୍ତନ୍ନର
ଧାରା ଉପରେ ଅବସ୍ଥିତ, ଯାହା କେବଳ ସମପରିମାଣରେ ପ୍ରକାଶ ପାଏ, "ଆତ୍ମିକ
ଜଗତ" ଉପରେ ତା'ର ପ୍ରଭାବ ବିସ୍ତାର କରେ । ଉପନିଷଦ ସର୍ବପ୍ରାଣବାଦର
ଧ୍ୟାନଧାରଣା ଠାରୁ କର୍ମବାଦର ସୂତ୍ର ନିର୍ଣ୍ଣୟ କରିଛି । ଏପରିକି ସନାତନୀ
ଧର୍ମମତ ସହ ଜୈନ୍ୟ ଓ ବୌଦ୍ଧମତ ଉପରେ ମଧ୍ୟ ପ୍ରଭାବ ପକାଇଛି ।
କର୍ମବାଦାନୁଯାୟୀ ପ୍ରତ୍ୟେକ ବସ୍ତୁ ନୈତିକ ନିୟମ ଦ୍ୱାରା ସ୍ଥିରୀକୃତ ଓ
ପ୍ରତ୍ୟେକ ବସ୍ତୁରେ ଆତ୍ମା ରହିଛି । ତେଣୁ ମଣିଷ ଇହଜନ୍ମରେ ଯେଭଳି କର୍ମ
କରେ, ସେଇ ଭାବରେ ତା'ଆତ୍ମାର ପୁନର୍ଜନ୍ମ ଘଟିଥାଏ । ଯେ ନୀତିହୀନ କର୍ମକରି
ନିଜକୁ ହେୟ ଓ ଶ୍ରଦ୍ଧାହୀନ ପାଲଟେ, ପରଜନ୍ମରେ ସେ ମାନବେତର ପ୍ରାଣୀ ଗଛ,
ଲତା, ତୃଣ ବା କୀଟ, ସରୀସୃପ, ଶ୍ୱାନ, ଶୃଗାଳ ଆଦି ରୂପନେଇ ଆସେ ।
ଇନ୍ଦ୍ରିୟଗାହ୍ୟ ଜଗତଛଡା ଏ ମତବାଦ ବେଦବାଦରୁ ଜାତ ଦେବତା ଓ ଦାନବମାନଙ୍କର
ଏତେ ବଡ ଜଗତକୁ ଆତ୍ମସାତ୍ କରିଦେଇଛି । ମାନବକୁ ସୂଚେଇ ଦିଆଯାଇଛି ସେ
ନିଜର ସୁକର୍ମ ଦ୍ୱାରା, ଅର୍ଥାତ୍ ଆତ୍ମା ନିଜକୁ ମଧ୍ୟ ଦେବତାର ସ୍ଥାନରେ
ନିଜକୁ ପହଞ୍ଚାଇ ପାରେ, ଦେବତା ଭଳି ସ୍ୱର୍ଗ ସୁଖଭୋଗର ଅଧିକାରୀ ହୋଇପାରେ,
ସେପରି ମଧ୍ୟ କୁକର୍ମ କରି ନର୍କକୁ ଗତି କରି ପାରେ । ଏସବୁ କେବଳ ତାର
କର୍ମ ଉପରେ ନିର୍ଭର କରିଥାଏ । ଏକଥା ମଧ୍ୟ କୁହାଯାଇଛି ମାନବ, ଅର୍ଥାତ୍
ମାନବ ଆତ୍ମା ଏସବୁ ଅବସ୍ଥାରାଜିକୁ ପରିବର୍ତ୍ତିତ କରି ଦେଇପାରେ । ଏପରିକି
ଦେବତାଙ୍କ ଉଦ୍ଦେଶ୍ୟରେ ଯାହା ସବୁ ଯଜ୍ଞର ଉପଚାର ଉତ୍ସର୍ଗୀକୃତ ସମର୍ପିତ
ହୁଏ, ସେମାନେ ମଧ୍ୟ କୌଣସି ବିଶେଷ ଆତ୍ମାର ବିଶେଷ ଗୁଣାବସ୍ଥା ବା ଅବସ୍ଥାର
ନାମ ବିନା ଅନ୍ୟ କିଛି ନୁହଁନ୍ତି । ତେଣୁ ପ୍ରତ୍ୟେକ୍ଷ କ୍ଷେତ୍ରରେ
କର୍ମ ହେଇଛି ଏକମାତ୍ର କାରକ ଶକ୍ତି, ଯେ କେବଦ ମଣିଷର ଇନ୍ଦ୍ରିୟ ଗୋଚର
ଅଶ୍ୱର ଲଗାମ ସାଜି ସକଳ ବୈଚିତ୍ରକୁ ସୁନିର୍ଦ୍ଦିଷ୍ଟ, ସୁଶୃଙ୍ଖଳିତ,
ସୁନିୟନ୍ତ୍ରିତ କରି ଏକ ଐକ୍ୟବିଧାୟକ ନୀତିରେ ବାନ୍ଧି ଦେଇଥାଏ ।
ପ୍ରକୃତରେ ବିଚାର କଲେ ଉପନିଷଦଗୁଡିକ ମଧ୍ୟରୁ କର୍ମବାଦ ସଙ୍ଗତିକୁ
ଖୋଜି ପାଇଛି, ଯାହା କେବଳ ଚିରନ୍ତନ ପ୍ରବାହମାନ ଜୀବନ ବା ମର ସଂସାର
ତତ୍ତ୍ୱ ସହିତ ଜଡିତ ହୋଇରହିଛି । ଏହି ଦୁଇ ତତ୍ତ୍ୱ ଭାରତର ବହୁ ଧର୍ମ ଓ
ଦାର୍ଶନିକ ମତ ସହ ଅଙ୍ଗୀଭୂତ ହୋଇଯାଇଛି । ଉପନିଷଦର କେନ୍ଦ୍ରିୟ ତତ୍ତ୍ୱ
ହେଉଛି ଆତ୍ମା ବା ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁର ଆଭ୍ୟନ୍ତରୀଣ ସତ୍ତା
ସହିତ ବହ୍ମ । ଅନ୍ୟାର୍ଥରେ ଏହା ବିଶ୍ୱବ୍ରହ୍ମାଣ୍ତର ନୈର୍ବ୍ୟକ୍ତିକ,
ସର୍ବ୍ୟବ୍ୟାପୀ ଦୈବୀ ସାରସତ୍ତାର ଅଭିନ୍ନତା ସାଧନ । ଏହି ମତ ବିଶ୍ୱସୃଷ୍ଟିର
ନାନା ବୈଚିତ୍ରମୟ ଆଦି କାରଣ ସମ୍ଭୂତ ନିଛକ ପ୍ରୟାସ କେବଳ ନୁହେଁ, ବରଂ
ଆଚାର ଆବରଣର ସୂକ୍ଷ୍ମବିଚାର ଧାରା, ନିୟମାବଳୀର ଫର୍ଦ୍ଦ । ଯାହା କେବଳ
ପ୍ରକୃତି ଓ ଉଦ୍ଦେଶ୍ୟ ଭିତରେ ଧର୍ମୀୟ ଭାବନାକୁ ପ୍ରକାଶ କରେ ।
ଅବଶ୍ୟ, କେତେକ ଉପନିଷଦରେ ବୈଦିକ ଧ୍ୟାନଧାରଣା ଠାରୁ ଭିନ୍ନ ମତ
ଦେଖିବାକୁ ମିଳେ । ବୋଧହୁଏ ଏହାର ରଚୟିତାମାନେ ବେଦର ଧ୍ୟାନଧାରଣାଗତ ଧର୍ମୀୟ
ବିଚାର ବୋଧକୁ ଗଭୀର ଭାବେ ଅନୁଶୀଳନ କରି ନଥିଲେ । ବୈଦିକ ପରମ୍ପରାର
ଧାରଣାକୁ ସେମାନେ ନୂତନ ଦୃଷ୍ଟିଭଙ୍ଗୀରେ ଉପନିଷଦରେ ବାଖ୍ୟା କରିଛନ୍ତି ।
ବୈଦିକ ଭାରତୀୟ ମାନେ ଅଧିକ ଯଜ୍ଞ ପୂଜା ପ୍ରତି ଧ୍ୟାନ ଦେଉଥିଲେ । ଯଜ୍ଞର
ପୂଜା ଉପଚାର ନିବେଦନର ବିନିମୟରେ ସ୍ୱକୀୟ ସୌଭାଗ୍ୟ ପ୍ରାପ୍ତି ପାଇଁ
ଦେବତାମାନଙ୍କୁ ଆବାହନ କରି ନିଜକୁ ପୂର୍ଣ୍ଣ ସମର୍ପଣ ସହ ଶ୍ରଦ୍ଧା ଓ ଭକ୍ତି
ଜଣାଇଛନ୍ତି । ପାର୍ଥିବ ଗୁଣଦୋଷରୁ ମୁକ୍ତ ହେବାପାଇଁ ପ୍ରୟାସ କରିଛନ୍ତି ।
କିନ୍ତୁ ଉପନିଷଦରେ ବିପରୀତ ମତ ଦେଇ ସେମାନେ କହିଛନ୍ତି, କୌଣସି ବିଶିଷ୍ଟ
ବା ନିର୍ଦ୍ଦିଷ୍ଟ ଦେବତା ନାହିଁ, ଠିକ୍ ଯେଭଳି ସ୍ଥାନ ବା କାଳର ସୀମା
ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନାହିଁ । ମଣିଷ ସକଳ ଜୀବମାନଙ୍କ ଭଳି,
ବିଶ୍ୱସୃଷ୍ଟିର ନିରବଚ୍ଛିନ୍ନ ଓ ଶେଷହୀନ ଚକ୍ରର ଅଂଶବିଶେଷ । ପ୍ରତ୍ୟେକ
ଅଣୁପରମାଣୁରେ ତା'ର ଅବିନାଶ ଅଖଣ୍ତତା ବିଦ୍ୟମାନ । ଜୀବନର ଋତୁଚକ୍ର ଭଳି
ଚିରନ୍ତନ ପ୍ରବାହ ମଧ୍ୟରେ ବିଶ୍ୱବ୍ରହ୍ମାଣ୍ତର ସକଳ ସଜୀବ ବସ୍ତୁ ହେଉଛି ତାର
ଅଂଶବିଶେଷ । କେବଳ ମଣିଷହିଁ ଅଣୁପରମାଣୁ ମଧ୍ୟରେ ଜୀବନ ପ୍ରବାହର
ସାରସତ୍ତାକୁ ଉପଲବ୍ଧି କରିବାରେ ସକ୍ଷମ ହୁଏ । ସେହିଁ କେବଳ ମାତ୍ର ଜୀବନର
ସମସ୍ତ ବନ୍ଧନରୁ ଆତ୍ମିକ ମୁକ୍ତି, ମୋକ୍ଷ ପାଇବାକୁ ସମର୍ଥ ।
ପୁନର୍ଜନ୍ମରେ ତାକୁ ପୁଣି ଫେରିବାକୁ ପଡେ, ପାର୍ଥିବ ଅସ୍ତିତ୍ୱ ମଧ୍ୟକୁ ଓ
ଅନ୍ତହୀନ ଜନ୍ମଚକ୍ର ମଧ୍ୟରେ ଆଉ ଏକ ସ୍ଥାନ ପୂରଣ କରିବାକୁ ।
ଇପନିଷଦରେ କୁହାଯାଇଛି, ଆର୍ଦଶ ମଣିଷ ହେଉଛି ସେଇ ସନ୍ୟାସୀ, ଯେ
କେବେ କୌଣସି ସାଂସାରିକ କ୍ଷେତ୍ରରେ ହସ୍ତକ୍ଷେପ କରେନାହିଁ, ସମସ୍ତ ଉତ୍ଥାନ
ପତନ ଓ ଆବେଗ ଅନୁଭୂତି, ଇନ୍ଦ୍ରିୟ କାମନା ଠାରୁ ଏପରିକି ଧର୍ମ ବିଷୟରେ
ଅନାସକ୍ତ ଓ ଉଦାସନ ରହେ । ନିଜକୁ ସୃଷ୍ଟିର ଧୂଳିକଣାର ଅଂଶବିଶେଷ ମନେକରି
ବିଶ୍ୱଜଗତ ସହ ଏକତ୍ମା ଥରେ ହୋଇଗଲା ପରେ ଆଉ ଅଧିକ କଣ ବା କାମନା କରିବାର
ଅଛି ? ଯେ ପଞ୍ଚମହାଭୂତ ଓ ଦେବତାମାନଙ୍କ ଠାରୁ ଉର୍ଦ୍ଧ୍ୱକୁ ଉଠିଯାନ୍ତି,
ସେହିଁ କେବଳ ଏଭଳି ଏକ ଅସ୍ତିତ୍ୱ ଲାଭ କରିବାରେ ସମର୍ଥ ହୁଅନ୍ତି । ଯାହା
ବିଶ୍ୱବ୍ରହ୍ମାଣ୍ତ ପରି, ଉପନିଷଦ ଯାହାକୁ ବିଶ୍ୱବ୍ରହ୍ମାଣ୍ତର ଚିରନ୍ତନ
ପ୍ରତୀକ ଭାବେ ଗ୍ରହଣ କରିଛି, ସେ ବ୍ରହ୍ମ ଭଳି ଶାଶ୍ୱତ ଓ ଅବିନାଶୀ, ସର୍ବ
ମଙ୍ଗଳମୟ ।
ଉପନିଷଦଗୁଡିକ ଭାବବାଦୀ ଦୃଷ୍ଟିଭଙ୍ଗୀ ଉପରେ ଯେତିକି ପ୍ରଧାନ୍ୟ ଦେଇଛି
ସମପରିମାଣରେ ବସ୍ତୁବାଦୀ ଧାରଣାକୁ ମଧ୍ୟ ସେତିକି ପ୍ରାଧାନ୍ୟ ଦେଇଛି ।
ଉପନିଷଦଗୁଡିକରେ ବିଶେଷରୂପେ ସାଣ୍ତିଲ୍ୟ, ଯାଜ୍ଞବଳ୍କ ଓ ଉଦ୍ଦାଳକ- ଏହି ତିନି
ମହାନ୍ ମହର୍ଷିଙ୍କୁ ଅଧିକ ସମ୍ମାନ ଦିଆଯାଇଛି । ଏହି ତିନିଜଣଙ୍କ ମଧ୍ୟରୁ
ସାଣ୍ତିଲ୍ୟ ଓ ଯାଜ୍ଞବଳ୍କ ହେଉଛନ୍ତି ଭାବବାଦୀ ଦର୍ଶନର ପ୍ରବକ୍ତା ।
ଦୁହେଁ ଆତ୍ମା ଓ ବ୍ରହ୍ମର ସାଯୁଜ୍ୟ ତତ୍ତ୍ୱର ସମର୍ଥକ । ଉଭୟଙ୍କ
ମତାଦର୍ଶକୁ ରକ୍ଷଣଶୀଳ ପରମ୍ପରା ଗ୍ରହଣ କରିଛି । କିନ୍ତୁ ମହର୍ଷି ଉଦ୍ଦାରକ
ସକଳ ବାସ୍ତବବାଦୀ ତତ୍ତ୍ୱକୁ ନିର୍ଭୀକତାର ସହିତ ସ୍ୱକୀୟ ଢଙ୍ଗରେ ପ୍ରଚାର
କରିଛନ୍ତି । ସେ ବେଦଗୁଡିକର ବିଶ୍ୱଉତ୍ପତ୍ତି ସମ୍ବନ୍ଧ ସୂକ୍ତଗୁଡିକୁ
ବ୍ୟାଖ୍ୟାକରି ବିଶ୍ୱବ୍ରହ୍ମାଣ୍ତ ସୃଷ୍ଟିରେ ଦେବତାମାନଙ୍କ ଭୂମିକାକୁ
ଅସ୍ୱୀକାର କରିଛନ୍ତି । ମହର୍ଷି ଉଦାଳକ ପ୍ରକୃତିକୁ ସୃଜନୀ ଶକ୍ତିର ମୂଳ
ଉତ୍ସ ବୋଲି ଦର୍ଶାଇଛନ୍ତି । ତାଙ୍କ ଦୃଷ୍ଟିରେ ବିଶ୍ୱବ୍ରହ୍ମାଣ୍ତରେ ଯାହା
ବିଦ୍ୟମାନ, ସେସବୁ କେବଳ ଭୌତିକ ଉପାଦାନରୁ ସୃଷ୍ଟି । ଏପରିକି ଆତ୍ମାର
ଧାରଣାଟି ଭିନ୍ନ ଦୃଷ୍ଟିରେ ବିଚାର କରି କହିଛନ୍ତି- ଆତ୍ମା ହେଉଛି ଅନ୍ୟ
ଭୌତିକ ମାନବିକ ଭିତ୍ତି, ଯାର କେବେ ଅନ୍ତ ନାହିଁ ।
ତେଣୁ ଉପନିଷଦଗୁଡିକର ଗୃଢତତ୍ତ୍ୱ, କର୍ମବାଦ, ଧର୍ମବାଦ, ଭାବବାଦ,
ବସ୍ତୁବାଦ ଯାହାହେଉନା କାହିଁ, ସୁନିର୍ଦ୍ଦିଷ୍ଟ ସାମାଜିକ ତାତ୍ପର୍ଯ୍ୟରୁ କେବେ
କମ୍ ନଥିଲା । କାରଣ ମଣିଷର ସକଳ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅସହାୟତା,
ଦୁର୍ଦ୍ଦଶା ଆଦି ପଛରେ ଥିବା କାରଣ କ'ଣ (?) ଏସବୁ ଗୁରୁତ୍ୱପୂର୍ଣ୍ଣ
ପ୍ରଶ୍ନର ଯର୍ଥାଥ ଉତ୍ତର ପ୍ରଦାନ କରିଛି । ଦର୍ଶାଇ ଦିଆଯାଇଛିଯେ,
ଦେବତାମାନେ ମଣିଷର କାର୍ଯ୍ୟ କର୍ମକୁ କେବେ ବିଚାର କରନ୍ତି ନାହିଁ, ବରଂ
ମଣିଷ ନିଜେ ତାହା କରିଥାଏ ଓ କାର୍ଯ୍ୟ, କର୍ମାନୁସାରେ ଫଳପ୍ରାପ୍ତ ହୋଇଥାଏ,
ତେବେ ମଣିଷର ଦୁଃଖକଷ୍ଟ ଚିରନ୍ତନ ନୁହେଁ ।
ଶାକ୍ତ ଉପାସନାର ଭାବ ବିଭବ
ମାତୃଶକ୍ତି ବିଶ୍ୱର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ
ଉତ୍ସ ବୋଲି ଗ୍ରହଣ କରାଯାଇଛି । ଏହି ଶକ୍ତିର ଉପାସକମାନଙ୍କୁ ଶାକ୍ତ ରୂପରେ
ବିଦିତ କରାଯାଇଛି ଓ ସେମାନଙ୍କ ଦ୍ୱାରା ଅନୁସୃତ ଊପାସନାର ରୀତି ଶାକ୍ତଧର୍ମ
ନାମରେ ଅଭିହିତ ହୋଇଛି । ଶୈବଧର୍ମରୁ ଶାକ୍ତଧର୍ମର ସୃଷ୍ଟି ଘଟିଥିବା
ଆଲୋଚକମାନେ ମତବ୍ୟକ୍ତ କରିଥିବା ବେଳେ ଏହା ପରବର୍ତ୍ତୀ କାଳରେ ଶକ୍ତିଙ୍କ
ପ୍ରାଧାନ୍ୟ ଯୋଗୁ ଶାକ୍ତଧର୍ମରେ ପରିଣତ ହୋଇଛି । ସାଂଖ୍ୟ ଦର୍ଶନରେ
କୁହାଯାଇଛି ପୁରୁଷ(ଶିବ) ଶକ୍ତିହୀନ ଓ ପ୍ରକୃତି ଶକ୍ତିର ଉତ୍ପାଦନକାରିଣୀ ।
ଏହି ଦୃଷ୍ଟିରୁ ଶିବଙ୍କ ଠାରୁ ଶକ୍ତିସ୍ୱରୂପିଣୀ ମା' ନିଶ୍ଚିତ ଭାବରେ
ଶ୍ରେଷ୍ଟ । ଶାକ୍ତ ଶାସ୍ତ୍ରାନୁସାରେ ଶିବ ଶବ ସଙ୍ଗେ ସମାନ ଓ ଶବରେ
ଶକ୍ତିଯୁକ୍ତ ହେବା ପରେ ଶବ ଶିବରେ ପରିଣତ ହୁଅନ୍ତି । ତେଣୁ ସାଂଖ୍ୟ
ଦର୍ଶନାନୁଯାୟୀ ଶୈବଧର୍ମ ଓ ଶାକ୍ତଧର୍ମ ମଧ୍ୟରେ ଶାକ୍ତଧର୍ମ ଶ୍ରେଷ୍ଠ ବୋଲି
ଧରାଯାଏ । ଶାକ୍ତମାନେ ଶକ୍ତିକୁ ବ୍ରହ୍ମ ବୋଲି ବା ବ୍ରହ୍ମର
କାର୍ଯ୍ୟକାରିଣୀ ଶକ୍ତି ଭାବରେ ଗ୍ରହଣ କରିଛନ୍ତି । ଜୀବ ବ୍ରହ୍ମମୁଖୀ
ହେବାଲାଗି ଶକ୍ତିର ସାହାଯ୍ୟ ନେଇଥାଏ, କାରଣ ଶକ୍ତିବିନା ବ୍ରହ୍ମର ଜାଗ୍ରତ
ହୁଏନାହିଁ, ତେଣୁ ବ୍ରହ୍ମ ଠାରୁ ଶକ୍ତି ଶ୍ରେଷ୍ଠ କୁହାଯାଇପାରେ ।
ଶାକ୍ତ ଉପାସନା ଅତି ପ୍ରାଚୀନ । କୁହାଯାଏ ଶାକ୍ତଧର୍ମର
ଉତ୍ପତ୍ତି ଆର୍ଯ୍ୟ ଓ ଆର୍ଯ୍ୟେତରର ବିଶ୍ୱାସ ଓ ସମନ୍ୱୟରୁ ଘଟିଛି ।
ପ୍ରାକ୍-ବୈଦିକ କାଳରୁ ପୃଥିବୀମାତା ବା ମାତୃକା ପୂଜାହିଁ ଶାକ୍ତ ସଂସ୍କୃତିର
ମୂଳଭିତ୍ତି । ମହେଞ୍ଜୋଦାରୋ ଓ ହରପ୍ପାରୁ ମିଳିଥିବା ଏକ ଉଲ୍ଲଗ୍ନ
ନାରୀମୂର୍ତ୍ତିକୁ ସାର୍ ଜନ୍ ମାର୍ଶାଲ ପୃଥିବୀମାତାର ମୂର୍ତ୍ତି ବୋଲି
ଦର୍ଶାଇଛନ୍ତି । ତେଣୁ ଭାରତରେ ପ୍ରତୀକାତ୍ମକ ଶକ୍ତି ଉପାସନାର ଏହା
ପ୍ରାଚୀନତା ପ୍ରମାଣ । ଭାରତ ବ୍ୟତୀତ ଇରାନ, ମେସୋପଟାମିଆ, ଇଜିପ୍ଟ ଆଦି
ସ୍ଥାନମାନଙ୍କରେ ଶକ୍ତିପୂଜା ପ୍ରଚଳନର ସଂକେତ ମିଳିଥାଏ ।
ବୈଦିକ କର୍ମକାଣ୍ତରେ ଦେବତାମାନଙ୍କ ସହ ଦେବୀମାନଙ୍କ
ନାମୋଲ୍ଲେଖ ରହିଛି । ସେମାନଙ୍କ ମଧ୍ୟରେ ଅଦିତି, ଦିତି, ଉଷା, ସରସ୍ୱତୀ,
ପୃଥ୍ୱା, ବାକ୍, ରାତ୍ରୀ, ରେବତୀ, ଇନ୍ଦ୍ରାଣୀ, ବରୁଣାଣୀ, ରୁଦ୍ରାଣୀ,
ଆଗ୍ନେୟୀ ଆଦି ପ୍ରଧାନ । ଏହି ଦେବୀଗଣ ପରେ ପୃଥ୍ୱା ପୃଥିବୀ ରୂପେ, ଉଷା
କୌଶିକୀ, କାଳିକା ଓ ପାର୍ବତୀ ରୂପେ ପରିଚିତା ହୋଇଥିବା ବେଳେ ଅଦିତି ଦେବଗଣ
ଓ ବିଶ୍ୱବ୍ରହ୍ମାଣ୍ତର ଜନନୀ ରୂପେ, ସରସ୍ୱତୀ ନଦୀର ଅଧିଷ୍ଠାତ୍ରୀ ଦେବୀ ତତ୍
ସଙ୍ଗେସଙ୍ଗେ ଜ୍ଞାନ ଓ ବିଦ୍ୟାର ଦେବୀରୂପେ ସ୍ୱତନ୍ତ୍ର ଅଧିକାରିଣୀ ଅଟନ୍ତି
। ସେଭଳି ପୁରନ୍ଧ୍ରି ପ୍ରାଚୁର୍ଯ୍ୟ ଦେବୀରୂପେ, ଇଡା ପୁଷ୍ଟିର ଦେବୀରୂପେ
ବୈଦିକ ଋଷିଗଣ ଅଭିହିତ କରିଛନ୍ତି । ବେଦ ପରବର୍ତ୍ତୀ ସାହିତ୍ୟରେ ଏସବୁ
ଦେବୀମାନଙ୍କ ନାମ ଭିନ୍ନଭିନ୍ନ ରୂପେ ଓ ନାମରେ ଗ୍ରହଣ କରି ଶକ୍ତି
ଉପାସନା କରାଯାଇଛି । ବାଗ୍ଦେବୀସୂକ୍ତ ନାମରେ ଖ୍ୟାତ ଥିବା ଆଠଟି ମନ୍ତ୍ରରେ
ସ୍ୱୟଂ ବାଗ୍ଦେବୀ ପ୍ରକାଶ କରନ୍ତିଯେ , ସେ ରୁଦ୍ର ଓ ବସୁଗଣଙ୍କ ସଙ୍ଗରେ
ବିଚରଣ କରନ୍ତି, ଆଦିତ୍ୟ ଓ ଦେବଗଣଙ୍କ ସହ ବାସକରନ୍ତି , ଏପରିକି ବରୁଣ,
ଇନ୍ଦ୍ର, ଅଗ୍ନି, ଅଶ୍ୱିନୀ କୁମାରଙ୍କୁ ଧାରଣ କରନ୍ତି । ତେଣୁ ବୈଦିକ
ଋଷିଗଣ ଦେବତାମାନଙ୍କ ସହ ଦେବୀମାନଙ୍କୁ ଉପଲବ୍ଧି କରିଥିଲେ, ଯାହାର ଫଳସ୍ୱରୂପ
ବାଗ୍ଦେବୀ ସୂକ୍ତଟି ଦେବୀସୂକ୍ତ ନାମରେ ନାମିତ ହୋଇ ଶାକ୍ତ ଭାବନାର
ମୂଳଭିତ୍ତିକୁ ସୁଦୃଢ କରିଥିଲା ।
ସେଭଳି ବେଦୋତ୍ତର ସାହିତ୍ୟରେ ଶକ୍ତିଙ୍କ ଜୟଗାନ କରାଯାଇଛି ।
ଶାକ୍ତଧର୍ମର ଶ୍ରେଷ୍ଠ ଦେବୀ ଅମ୍ବିକା, ଉମା, ଦୁର୍ଗା, କାଳୀ ଆଦିଙ୍କ
ପ୍ରସଙ୍ଗ ତୈତ୍ତିରୀୟ ବ୍ରାହ୍ମଣ, ଆରଣ୍ୟକ, ବାଜସନେୟୀ ସଂହିତା, କନୋପନିଷଦ,
ଶ୍ୱେତାଶ୍ୱତରୋପନିଷଦ ଆଦିରେ ଉଲ୍ଲେଖ ରହିଛି । 'ବାଜସନେୟୀ' ସଂହିତାରେ
ପ୍ରଥମେ ଦୃର୍ଗାଙ୍କ ନାମ ଥିବାବେଳେ, ତୈତ୍ତିରୀୟ ବ୍ରାହ୍ମଣରେ ଅମ୍ବିକାଙ୍କୁ
ରୁଦ୍ରଙ୍କ ଭଗ୍ନୀ ଭାବେ ପରିକଳ୍ପନା କରାଯାଇଛି । କିନ୍ତୁ 'ତୈତ୍ତିରୀୟ
ଆରଣ୍ୟକ'ରେ ରୁଦ୍ର ଅମ୍ବିକାଙ୍କ ପତି(ଅମ୍ବିକାପତୟେ) ଭାବରେ ସମ୍ବୋଧିତ
କରାଯାଇଛି । ତେଣୁ ସେ ରୁଦ୍ରଙ୍କ ପତ୍ନୀ ଭାବରେ ପ୍ରସିଦ୍ଧ ଲାଭ କରିଥିବା
ବେଳେ, ଉମାଙ୍କ ପରିଚୟ ସର୍ବପ୍ରଥମେ 'କେନୋପନିଷଦ' ମିଳିଥିଲା । ସେଥିରେ
ତାଙ୍କୁ ଅଗ୍ନି, ବାୟୁ, ଇନ୍ଦ୍ର ପ୍ରମୁଖ ବୈଦିକ ଦେବତାଙ୍କ ଠାରୁ ଅଧିକ
ପ୍ରଧାନ୍ୟ ଦିଆଯାଇଥିଲା । ଯଦିଓ ପରବର୍ତ୍ତୀ ସମୟରେ ଉମା, ଅମ୍ବିକାଙ୍କ ସହିତ
ଏକ ହୋଇଥିବା ବହୁ ଆଖ୍ୟାୟିକାରୁ ଜଣାଯାଇଛି ।
ସେଭଳି
'ତୈତିରୀୟ ଆରଣ୍ୟକ'ରେ ଦୁର୍ଗା ନାମଟିର ପ୍ରଚଳନ ଦେଖାଯାଏ । ଏହାର ଦଶମ
ଖଣ୍ତରେ ବର୍ଣ୍ଣତ ଦୁର୍ଗାଗାୟତ୍ରୀରେ ଦେବୀଙ୍କ କନ୍ୟାକୁମାରୀ, କାତ୍ୟାୟିନୀ
ଦୁର୍ଗି ନାମ ପରିହିତା ସଙ୍କେତ ମିଳିଥାଏ । 'ତୈତିରୀୟରେ ଆରଣ୍ୟକ'ରେ ଉଲ୍ଲେଖ
ଅଛି -
"କାତ୍ୟାୟନୀୟ ବିଦ୍ମହେ କନ୍ୟାକୁମାରୀ, କାତ୍ୟାୟିନୀ, ଦୁର୍ଗି ପ୍ରଚୋଦୟାତ୍ ।"
ଏହି ଦୁର୍ଗିହିଁ ଦୁର୍ଗାର ସମାନାର୍ଥକ ଶବ୍ଦ । ଦୁର୍ଗର
ରକ୍ଷାକର୍ତ୍ତୀ ହିଁ ଦୁର୍ଗା । ଭାରତୀୟ ଧର୍ମ ଧାରଣାରେ ମା'ଦୁର୍ଗା ଏକ
ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅଧିକାରିଣୀ । ଏହି ଦୁର୍ଗା ଶବ୍ଦଟିର
ବ୍ୟାକରଣ ଅର୍ଥ ଦୁର୍ଗେୟ ଓ ଏହାର ଆଭିଧାନିକ ଅର୍ଥ ମା' ବା ମାତୃ
ସ୍ୱରୂପାକୁ ବୁଝାଇଥାଏ । ବେଦ, ଉପନିଷଦ, ପୁରାଣ ଆଦିରେ ଶକ୍ତିର ଅର୍ଥାତ୍
ଶକ୍ତିର ମହିମା ପ୍ରକଟିତ ହୋଇଛି । ଫଳତଃ ଦେଶର ପ୍ରତି ପ୍ରାନ୍ତରରେ
ଗୁଞ୍ଜରିତ ହୋଇଉଠେ ମାତୃଶକ୍ତିର ସ୍ମୃତି-
"ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।"
ସମଗ୍ର ବିଶ୍ୱରେ ପ୍ରତ୍ୟେକ ବସ୍ତୁରେ ଦେବୀ ଶକ୍ତି ରୂପେ ଅବସ୍ଥାନ
କରୁଛନ୍ତି । ତାଙ୍କଠାରୁ ପ୍ରତ୍ୟେକ ବସ୍ତୁର ସୃଷ୍ଟି, ତାଙ୍କରି କୋଳରେ
ସବୁରିର ଅବସ୍ଥିତି, ପୁଣି ତାଙ୍କରି ଠାରେ ସମସ୍ତଙ୍କର ଶେଷ ପରିଣତି ।
ତାଙ୍କ ସହାୟତା ବିନା ଶିବ ମଧ୍ୟ ଶବ ପରି ଶକ୍ତିହୀନ ହୋଇପଡନ୍ତି ।
ଶଙ୍କରାଚାର୍ଯ୍ୟ 'ଆନନ୍ଦ ଲହରୀ'ରେ ଉଲ୍ଲେଖ କରିଛନ୍ତି :
'ଶିବଃ ଶକ୍ତ୍ୟାଯୁକ୍ତୋ ଯଦି ଭବତି ଶକ୍ତ ପ୍ରଭବିତୁଂ
ନଚେ ଦେବ ଦେବଃ ଖଳୁ କୁଶଳ ସ୍ପନ୍ଦିତୁମପି ।"
ଅର୍ଥାତ୍ ଶକ୍ତି ଯୁକ୍ତ ହେଲେ ଶିବ ବିଶ୍ୱ ପ୍ରକାଶ କରି
ପାରନ୍ତି । ନଚେତ୍, ଶକ୍ତିହୀନ ହୋଇ ହଲିବାକୁ ମଧ୍ୟ ସମର୍ଥ ହୋଇପାରନ୍ତି
ନାହିଁ । ଦୁର୍ଗାଙ୍କ ମହିମା ସଂପର୍କରେ 'ତୈତିରୀୟ ଆରଣ୍ୟକ'ର ପରବର୍ତ୍ତୀ
ଅନୁବାକ୍ ରେ ଅଧିକ ସ୍ପଷ୍ଟ କରାଯାଇଛି । ସେଥିରେ ତାଙ୍କୁ ଅଗ୍ନିବର୍ଣ୍ଣା
ତପ୍ତପ୍ରଦୀପ୍ତା ସୂର୍ଯ୍ୟ ବା ଅଗ୍ନିଙ୍କ କନ୍ୟା ରୂପେ ସମ୍ବୋଧିତା କରାଯାଇଛି
। 'ମୁଣ୍ତକୋପନିଷଦ'ରେ ଅଗ୍ନିଙ୍କ ସପ୍ତଜିହ୍ୱା ମଧ୍ୟରୁ ଦୁଇଟି ଜିହ୍ୱାକୁ
କାଳୀ, କରାଳୀ, କରାଳୀ ନାମରେ ନାମିତ ହୋଇଛି । ପରବର୍ତ୍ତୀ ସମୟରେ
ଅଗ୍ନିଙ୍କ ଏହି ସପ୍ତଜିହ୍ୱାକୁ ସପ୍ତମାତୃକା ଭାବରେ ସ୍ୱୀକୃତା କରାଯାଇଥିବା
ମନେହୁଏ । ଦେବୀଙ୍କର ମହିମା ଗାନରେ ବିଶେଷ କରି ବହୃଚୋପନିଷଦ, ଦେବୀ
ଉପନିଷଦ, ତ୍ରିପୁରାତାପିନୀ ଉପନିଷଦ, ସରସ୍ୱତୀ ରହସ୍ୟୋପନିଷଦ, ସୀତୋପନିଷଦ,
ତ୍ରିପୁରା ଉପନିଷଦ, ଭାବନୋପନିଷଦ ପ୍ରମୁଖରେ ଶାକ୍ତ ଉପନିଷଦମାନ ବହୁ
ପରିମାଣରେ ପ୍ରଣିତ ହୋଇଛି । 'ଋଗ୍ ବେଦ'ର ପରିଶିଷ୍ଟରେ ଦୃର୍ଗାଙ୍କୁ ଅନ୍ୟ
ଏକ ନାମରେ ଅର୍ଥାତ୍ ଐଶ୍ୱର୍ଯ୍ୟ ଶାଳିନୀ ଲକ୍ଷ୍ମୀ ଭାବରେ ଦର୍ଶାଇ ଦିଆଯାଇଛି
।
ପୁନଶ୍ଚ ଦୁର୍ଗର ଆକ୍ଷରିକ ଅର୍ଥ ଏକ ସୁରକ୍ଷିତ
ସ୍ଥଳ ବା ରାଜ୍ୟ ମଧ୍ୟ କୁହାଯାଇ ପାରେ, ତେଣୁ ରାଜ୍ୟ ହେଉ ବା ରାଷ୍ଟ୍ର
ହେଉ, ତାର ସୁରକ୍ଷାତ୍ମକ ଶକ୍ତିର ସ୍ୱରୂପହିଁ ଦୁର୍ଗ । କୋଟି କୋଟି ଜନତାର
ସମ୍ମିଳିତ ସାମୁହିକ ରାଷ୍ଟୀୟ ଶକ୍ତିହିଁ ଯଥାର୍ଥରେ ଦୁର୍ଗା ।
ଦୁର୍ଗାଙ୍କର ଲୌକିକ ରୂପରେ ସାକାର ବର୍ଣ୍ଣନା 'ମାର୍କେଣ୍ତୟ
ପୁରାଣ'ରେ ଅତି ପ୍ରାଞ୍ଜଳ ଭାବରେ ଉଲ୍ଲେଖ ରହିଛି । ଦୁର୍ଗ ତିଳ ଗୁଣ, ତିଳ
ଚରିତ୍ର ତଥା ତିଳ ରୂପର ପ୍ରତୀକ । ଦୁର୍ଗା ଏକ ସମ୍ମିଳିତ (ରାଷ୍ଟ୍ରୀୟ)
ଶକ୍ତି । ଏହି ସମ୍ମିଳିତ ଶକ୍ତି ଅଜେୟ, ଅକ୍ଷୟ ଓ ଅପରାଜେୟ । ଏହି
ଶକ୍ତିର ଆଦ୍ୟରୂପ ସଦ୍ ବୁଦ୍ଧି ଓ ସତ୍ ପ୍ରେରଣାରୁ ଶକ୍ତିର ଉଦୟ ଘଟିଥାଏ ।
ଦୁର୍ଗାଙ୍କର ପ୍ରଥମ ବିଭାବ ଏହାର ପ୍ରତୀକ । ତାଙ୍କର ରୂପ ଓ ଶକ୍ତି
ସମ୍ବୋଧରେ ଦେବତାମାନେ ପ୍ରଶ୍ନ କରିବାରୁ, ସ୍ୱଂୟ ଦେବୀ ପ୍ରତିତ୍ତୋରରେ
କହିଥିଲେ, ମୁଁ ବ୍ରହ୍ମ, ମୋ' ଠାରୁ ପ୍ରକୃତି ପୁରୁଷାତ୍ମକ ଜଗତର ପୃଷ୍ଟି ।
ସକଳ ଜୀବକୋଷର ପୁଞ୍ଜିଭୂତ କୋଷ । ପରମ ମନୀଷା ଓ ସମସ୍ତ ପୂଜନୀୟ ବିଶ୍ୱର
ଶିଖର ଦେଶରୁ ପରମ ପିତାଙ୍କର ଅବତରଣ କେବଳ ମୋ ଦ୍ୱାରା ସମ୍ଭବ । ମୋ
ନିବାସ ଘନ ଜଳ ମଧ୍ୟରେ, ମହାସାଗରର ସେଇଠି ବିଦ୍ୟମାନ ହୋଇ ମୁଁ ସମଗ୍ର
ବିଶ୍ୱରେ ପ୍ରାଣୀ ସୃଷ୍ଟିର ବିସ୍ତାର ଘଟାଏ, ନିଜ ଲଲାଟ ଦେଶରେ ଚିରନ୍ତନ
ସ୍ୱର୍ଗ ସ୍ପର୍ଶ କରିଥାଏ, ପ୍ରଭଂଜନ ମୋ ନିଶ୍ୱାସ ପ୍ରଶ୍ୱାସରେ ଉଦ୍ଦାମତା ଓ
ସମ୍ପୂର୍ଣ୍ଣ ସୃଷ୍ଟି ସର୍ତ୍ତା ସ୍ୱହସ୍ତରେ ନିୟନ୍ତ୍ରିତ, ବିରାଟ ବିଶ୍ୱ ତଥା
ସ୍ୱର୍ଗ ଲୋକରେ ନିଜ ମହିମା ବଳରେ ମୁଁ ପ୍ରଚଣ୍ତ ପ୍ରବଳ ଶକ୍ତି ଶାଳିନୀ ।
ପୁରାଣ ଯୁଗର ଆଦ୍ୟ ରଚନା ରାମାୟଣ ଓ ମହାଭାରତରେ ଶକ୍ତି ଉପାସନାର
କ୍ରମବିକାଶ ଘଟିଆସିଛି । ରାମାୟଣରେ ଉମା, ଗିରିଜା, ରୁଦ୍ରାଣୀ, ପାର୍ବତୀ,
କାମରୂପିଣୀ, ନାଗମାତା, ସୁରସା, ସିଂହିକା, କାଳରାତ୍ରି ଆଦି ନାମଯୁକ୍ତ
ଦେବୀମାନଙ୍କର ଉଲ୍ଲେଖଅଛି । ମହାଭାରତରେ 'ବିରାଟ ପର୍ବ'ରେ ଯୁଧିଷ୍ଠିରଙ୍କ
ଦୁର୍ଗାସ୍ତବ, 'ଭୀଷ୍ମ ପର୍ବ'ରେ ଅର୍ଜ୍ଜୁନଙ୍କ ଦୁର୍ଗା ସ୍ତୋତ୍ର ଏପରିକି
'ହରିବଂଶ ପର୍ବ'ରେ ଆର୍ଯ୍ୟାସ୍ତବ ତତ୍କାଳୀନ ଭାରତର ଶାକ୍ତ ଧର୍ମର ଦୃଢ
ସ୍ଥିତିର ପ୍ରମାଣ ଦିଏ । ମହାଭାରତର ରୂପ ଗୁପ୍ତଯୁଗରେ ବିକାଶ ଲାଭ
କରିଥିବାରୁ ଅର୍ଥାତ୍ ଭାରତରେ ଶାକ୍ତ ସାଧନାର ପୂର୍ଣ୍ଣ ବିକାଶ ଖ୍ରୀଷ୍ଟୀୟ
ପ୍ରଥମ ଶତାଦ୍ଦୀବେଳକୁ ସାଧିତ ହୋଇଥିବା ମନେହୁଏ । ପୁରାଣମାନଙ୍କରେ 'ଦେବୀ
ଭାଗବତ', 'ମାର୍କଣ୍ତେୟ ପୁରାଣ', 'ଦେବୀପୁରାଣ', କାଳୀକା ପୁରାଣ', 'ବରାହ
ପୁରାଣ' ଆଦିରେ ଶାକ୍ତ ସାଧନା ଓ ଶକ୍ତିଙ୍କର ମହିମା ଗାନରେ ଶତମୁଖରିତ
ହୋଇଛି ।
ଏପରିକି ନିରୀଶ୍ୱରବାଦୀ ଜୈନଧର୍ମ ଓ ବୌଦ୍ଧଧର୍ମରେ ମଧ୍ୟ ଶକ୍ତି ଉପାସନାର
ପ୍ରମାଣ ଦେଖିବାକୁ ମିଳେ । ଜୈନ ଗ୍ରନ୍ଥଗୁଡିକରେ ଯୋଗିନୀମାନଙ୍କ ବର୍ଣ୍ଣନା,
ଯେଉଁମାନେ କି ନାମ ଓ କାର୍ଯ୍ୟ ଦୃଷ୍ଟିରୁ ହିନ୍ଦୁ ଚତୁଷଷ୍ଠୀ
ଯୋଗିନୀମାନଙ୍କ ସହ ସମତା ରକ୍ଷା କରିଥାନ୍ତି । ଜୈନଧର୍ମରେ ସ୍ଥାନପାଇଥିବା
ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ କଙ୍କାଳି, କାଳିମହାକାଳୀ, ଭଦ୍ରାକାଳୀ,
ଦୁର୍ଗା, ଲଳିତା, ଗୌରୀ, ସୁମଙ୍ଗଳା ପ୍ରଭୃତି ନାମ ପ୍ରଧାନ । ସେଭଳି
ବୌଦ୍ଧଧର୍ମରେ ପଞ୍ଚ-ଧ୍ୟାନୀବୁଦ୍ଧଙ୍କ ସହ ପାଞ୍ଚଟି ଶକ୍ତି ସହ ସଂଯୁକ୍ତ
କରାଯାଇଛି, ସେମାନେ ହେଲେ ଧ୍ୟାନୀବୁଦ୍ଧ ଅକ୍ଷୋଭ୍ୟାଙ୍କ ସହ ଲୋଚନା,
ବୈରୋଟନଙ୍କ ସହ ବଜ୍ରଧାତ୍ୱୀଶ୍ୱରୀ, ଅମିତାଭଙ୍କ ସହ ପାଣ୍ତରା, ରତ୍ନସମ୍ଭବଙ୍କ
ସହ ମାମାକୀ ଓ ଅମୋଘସିଦ୍ଧିଙ୍କ ସହ ଆର୍ଯ୍ୟତାରା ଦେବୀଙ୍କ ନାମୋଲ୍ଲେଖ
କରାଯାଇଛି । ବିଭିନ୍ନ ବୌଦ୍ଧ ଦେବୀଙ୍କ ମଧ୍ୟରେ ତାରା, ଅପରାଜିତା,
ମାରୀଚୀ, ପ୍ରଜ୍ଞାପାରମିତା ଆଦି ପ୍ରଧାନ । ଏପରି ମଧ୍ୟ ବୌଦ୍ଧଭିକ୍ଷୁଗଣ
ନିର୍ବାଣ ଲାଭ ନିମନ୍ତେ ଶକ୍ତିଉପାସନା ଓ ତନ୍ତ୍ର ସାଧନାର ଆଶ୍ରୟ ନେଇଥିଲେ ।
ଶାକ୍ତ ଉପାସନା ଓ ଶକ୍ତିପୀଠକୁ ପୌରାଣିକ ଦୃଷ୍ଟିରୁ ବିଚାର
କଲେ, ଦକ୍ଷଯଜ୍ଞରେ ନିନ୍ଦା ସହି ନପାରି ଶିବପତ୍ନି ସତୀ ଯଜ୍ଞକୁଣ୍ତରେ
ଆତ୍ମଆହୂତି ଦେବାରୁ ଶୋକବିହୂଳ ଶିବ ସତୀଙ୍କୁ ସ୍କନ୍ଦରେ ବହନ କରି ପୃଥିବୀ
ଭ୍ରମଣ କରୁଥିବା ବେଳେ ଦେବତାମାନଙ୍କ ପ୍ରାର୍ଥନାରେ ବିଷ୍ଣୁ ସୂଦର୍ଶନ ଚକ୍ରରେ
ସତୀଙ୍କ ମୃତ ଦେହକୁ ଖଣ୍ତଖଣ୍ତ କରିଦେଲେ । ଫଳତଃ ସତୀଙ୍କ ଦେହାବଶେଷର
ବିଭିନ୍ନ ଅଂଶ ଯେଉଁ ଯେଉଁ ସ୍ଥାନରେ ପଡିଲା ସେହି ସ୍ଥାନମାନଙ୍କରେ ଶକ୍ତିପୀଠ
ଗଢି ଉଠିଛି । ସମଗ୍ର ଭାରତରେ ଏକାବନଟି ପ୍ରଧାନ ଶକ୍ତିପୀଠ ଓ ଛବିଶଟି
ଉପପୀଠର ନାମୋଲ୍ଲେଖ ପୁରାଣମାନଙ୍କରୁ ମିଳିଥାଏ । ପ୍ରକୃତରେ ଦେଖିଲେ ଏହି
ଶାକ୍ତ ଉପାସନା ବା ଶକ୍ତି ପୂଜା ଭାରତର ପ୍ରାଚୀନ ପରମ୍ପରା । ବୈଦିକ
ଋଷିଗଣ ପ୍ରାର୍ଥନା କରନ୍ତି -
"ଓଁ ଅସତୋ ମ ସଦ୍ ଗମୟ, ତମସୋ ମା ଜ୍ୟୋତିର୍ମୟ, ମୃତ୍ୟୋର୍ମାମୃତଂ ଗମୟ ।"
ହେ ଭଗବାନ ! ମୋତେ ଅସତ୍ୟରୁ ସତ୍ୟ, ଅନ୍ଧକାରରୁ ଆଲୋକ ଓ
ମୃତ୍ୟୁରୁ ଅମୃତତ୍ୱ ଆଡକୁ ଘେନି ଯାଅ । ଅସତ୍ୟର ଅର୍ଥ ଦୃର୍ବଳତା, ଅନ୍ଧକାର
ଅର୍ଥ ଅଜ୍ଞାନ ଓ ମୃତ୍ୟୁର ଅର୍ଥ ଦୁଃଖ । ମୁନି ଋଷିଗଣ ଦୃର୍ବଳତା,
ଅଜ୍ଞାନତ୍ୱ ଓ ଦୁଃଖ ପରିହାର ପୂର୍ବକ ଶକ୍ତି, ଜ୍ଞାନ ତଥା ସୁଖ ପ୍ରାପ୍ତି
ଆଶାରେ ଆଶାୟୀ, ସେଭଳି ଆଜିର ମଣିଷ ସେହି ମହାଶକ୍ତିର ପୂଜା, ଉପାସନା
ଅର୍ଥାତ୍ ମା'ଦୁର୍ଗାଙ୍କ ଆରାଧନା କରି ଜ୍ଞାନ, ଶକ୍ତି, ସୁଖ, ଶାନ୍ତି
ପ୍ରାପ୍ତି ଲଭୁ ...!!!
ଦୁର୍ଗା ପୂଜାର ଇତି ଐତିହ୍ୟ ଗାଥା
'ଦୁର୍ଗା' ଶବ୍ଦଟିର ବ୍ୟାକରଣ ଅର୍ଥ ଦୁର୍ଗେୟ ଓ ଏହାର
ଆଭିଧାନିକ ଅର୍ଥ ମା' । ଦୁର୍ଗା' ଶବ୍ଦର ଅର୍ଥଗତ ଭାବ ଯାହା ହେଉନା କାହିଁ,
ତାଙ୍କ ମହିମାର ଅନ୍ତ କେବେ ନାହିଁ । କେଉଁ ଅନନ୍ତ କାଳରୁ ସେ ବିଦ୍ୟମାନ
ହୋଇ ଆସିଛନ୍ତି, ଯାହାର ତୁଳନା ନାହିଁ । ମା'ଦୁର୍ଗାଙ୍କୁ ନେଇ କେତେ କେତେ
ମହାପୁରାଣ, କାବ୍ୟ ସୃଷ୍ଟି ହୋଇଛି, ନାନା ମୁନିଙ୍କ ନାନାମତ ପ୍ରକାଶିତ ହୋଇ
ଆସିଛି । କିଏ କହେ ଦୁର୍ଗତି ନାଶିନୀ, ଦୁଃଖହାରିଣୀ, ମା' ସେ । ଦୁର୍ଗା
ନିଜକୁ ରକ୍ଷା କରିବା ସହିତ ନିଜର ସେନାମାନଙ୍କୁ ରକ୍ଷାକରି
ବହିଃଶତ୍ରୁମାନଙ୍କୁ ବିନାଶ କରନ୍ତି । ଯେତେ ବାଧାବିଘ୍ନ, ବିପତ୍ତି ଆସୁନା
କାହିଁ, ଦୁଷ୍ଟର ଦଳନ ଓ ଶିଷ୍ଟର ପାଳନରେ ବ୍ରତୀ ମା'ଦୁର୍ଗା ହୋଇଥାନ୍ତି ।
ମା'ଦୁର୍ଗାହିଁ ଶୁଭ, ମଙ୍ଗଳ ଓ ନ୍ୟାୟ ଶକ୍ତିର ପ୍ରତୀକ
ଥିବାବେଳେ, ସେ ଅଶୁଭଶକ୍ତି ବିନାଶିନୀ ଓ ଶୁଭଶକ୍ତି ରୂପିଣୀ । ବିପଦ/ଆପଦରେ
ଭକ୍ତଗଣ ଭକ୍ତିଭରେ ସ୍ମରଣ କରନ୍ତି ମା'ଦୁର୍ଗାଙ୍କ ନାମ । ଅନେକ
ସକାଳ/ସନ୍ଧ୍ୟାରେ ମା'ଦୁର୍ଗାଙ୍କ ନାମ ଧରନ୍ତି । ଏବେବି ଯେ କୌଣସି ଶୁଭ
କାର୍ଯ୍ୟ ଆରମ୍ଭରେ, ଚିଠିରେ ବା ଶୁଭ ମାଙ୍ଗଳିକ କାର୍ଯ୍ୟର ଲେଖା ଆରମ୍ଭରେ
ଅନେକ ଦୁର୍ଗା ମାତା କି ଜୟ, ଓଁ ଦୁର୍ଗା, ମା'ଦୁର୍ଗା ସହାୟ, ଶ୍ରୀ ଶ୍ରୀ
ଦୁର୍ଗା ଆଦି ଲେଖି ଦୁର୍ଗାଙ୍କ ପ୍ରତିଥିବା ଅକଳନ ଶ୍ରଦ୍ଧା, ଭକ୍ତିକୁ, ଦୃଢ
ବିଶ୍ୱାସ ସହକାରେ ଜଣାନ୍ତି । ଜ୍ୟେଷ୍ଠ କନିଷ୍ଠକୁ ଆଶୀର୍ବାଦ ଦେବା ସମୟରେ
ମା'ଦୁର୍ଗାଙ୍କ ନାମ ସ୍ମରଣ କରିଥାନ୍ତି । ଶୁଭକାର୍ଯ୍ୟ ବେଳେ ମା'ଙ୍କ ନାମ
ଧରାଯାଏ, ଦୁଇବନ୍ଧୁ ପରଷ୍ପର ସାକ୍ଷାତ୍ ଆଲିଙ୍ଗନ ବେଳେ ମା'ଦୁର୍ଗାୟ ନମଃ
ଭଳି ନାମୋଚ୍ଚାରଣ କରିବାର ଦେଖାଯାଏ ।
ମା'ଦୁର୍ଗାଙ୍କ ଆବିର୍ଭାବ ଅତି ରହସ୍ୟମୟ । ଶରତକାଳରେ
ଦୁର୍ଗାପୂଜାର ପ୍ରକୃତ କାରଣକୁ ଦେଖିଲେ, ମା'ଦୁର୍ଗା ମହିଷାସୁର ମର୍ଦ୍ଧନୀ
ନାମରେ କଥିତ । ତାଙ୍କର ଏହା ରଣସେନୀ ବେଶଧାରଣ, ମହିଷାସୁର ବିନାଶିନୀ
ରୂପ, କିଏ ଏହି ମହିଷାସୁର ଓ କାହିଁକି, ତାର ବିନାଶ ସାଧନର ଆୟୋଜନ ଆବଶ୍ୟକ
? ମହିଷାସୁରର ଜନ୍ମ ବୃତ୍ତାନ୍ତ ସମ୍ପର୍କରେ ନାନାମତ ରହିଛି । ବିଭିନ୍ନ
ପୁରାଣରେ ଭିନ୍ନଭିନ୍ନ ଭାବରେ ତାର ଜନ୍ମ ରହସ୍ୟ ଉଲ୍ଲେଖ ଅଛି । କାଳିକା
ପୁରାଣରେ ତାର ଜନ୍ମ ସମ୍ପର୍କରେ କୁହାଯାଇଛି ସେ ରମ୍ଭାସୁରର ପୁତ୍ର ।
କେଉଁଠି ସେ ଶିବଙ୍କ ବରପୁତ୍ର, ଶିବଙ୍କ ବରରେ ସେ ଲାଭକରିଛି ଅମରତ୍ୱ ।
ବରାହ ପୁରାଣରେ ଦାନବ ବିପ୍ରଚିତ୍ତିର ମହିଷ୍ଣାଇ ଗର୍ଭଯାତ ମହିଷାସୁର, ଯାହାର
ତପସ୍ୟାରେ ତୁଷ୍ଟ ହୋଇ ପ୍ରଜାପତି ବ୍ରହ୍ମା ତାକୁ ଅମରତ୍ୱ ବର ପ୍ରଦାନ
କରିଥିଲେ । ଯାହାର ଅର୍ଥ ମହିଷାସୁରର ବିନାଶ ସାଧନ ସ୍ୱଂୟ ଭଗବାନଙ୍କୁ
ଅସାଧ୍ୟ ଥିଲା । ସେତେବେଳେ ଦେବରାଜ ଇନ୍ଦ୍ର ଥିଲେ ଦେବାତାମାନଙ୍କ ଅଧିଶ୍ୱର
ଓ ମହିଷାସୁର ଥିଲା ଅସୁରମାନଙ୍କ କୁଳପତି । ମହିଷାସୁରର ଅତ୍ୟାଚାରରେ
ଦେବତାମାନେ ଅତିଷ୍ଟ ହୋଇପଡୁଥିଲେ । ବାରମ୍ବାର ଉଭୟଙ୍କ ଭିତରେ ଯୁଦ୍ଧ
ଘଟୁଥିଲା । କିନ୍ତୁ ଶେଷରେହିଁ ଦେବତାମାନଙ୍କ ପରାଜୟ ହେଉଥିଲେ । ଶେଷରେ
ଦେବତାମାନେ ସ୍ୱର୍ଗପୁର ଛାଡି ମର୍ତ୍ତରେ ଆସି ଆଶ୍ରମ କରି ରହୁଥିଲେ ଓ
ଦିନେ ମହର୍ଷି ବ୍ରହ୍ମାଙ୍କୁ ଧରି ସମସ୍ତ ଦେବତା ମାନେ ହିମାଳୟରେ ଅବସ୍ଥିତ
କାତାୟନ ଋଷିଙ୍କ ପାଖରେ ପହଞ୍ଚିଥିଲେ ।
ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଶିବ ଓ ବିଷ୍ଣୁ । ତେଣୁ,
ବ୍ରହ୍ମା ସେଠାରେ ବିଷ୍ଣୁଙ୍କୁ ଦେବତାମାନଙ୍କ ଉପରେ ଅସୁରମାନଙ୍କ ଅକଥନୀୟ
ଅତ୍ୟାଚାର, ଉତ୍ପୀଡନ ଓ ଦୁର୍ନିମାର ଦୌରାତ୍ମ୍ୟର କାହାଣୀ ଶୁଣାଇବା ଫଳରେ
ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ କ୍ରୋଧିତ ଚକ୍ଷୁରୁ ନିର୍ଗତ ମହାତେଜ ଓ
ଦେବତାମାନଙ୍କ ଅପରିମେୟ ତେଜରାଶି ସମ୍ମିଳିତ ହୋଇ ସୃଷ୍ଟି କଲା, ଦିଗନ୍ତ
ବିସ୍ତୁତ ପର୍ବତ ପ୍ରମାଣ ଏକ ଅନିର୍ବାର୍ଣ୍ଣ ଜ୍ୱଳନ୍ତ ଅଗ୍ନି ତେଜ ପୁଞ୍ଜକ
ଲେଲିହାନ ଶିଖା । ସେଇ ପୁଞ୍ଜିଭୂତ ତେଜରାଶିରୁ ଆବିର୍ଭୂତ ହୋଇଥିଲେ
ବିଶାଳକାୟ ଜ୍ୟୋତି ସ୍ୱରୂପା ଏକ ବିଚିତ୍ର ନାରୀମୂର୍ତ୍ତି । ବିଭିନ୍ନ
ଦେବତାଙ୍କ ତେଜରାଶିରୁ ଉତ୍ପନ୍ନ ହୋଇଥାଏ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ, ଯେଭଳି
ଶିବଙ୍କ ତେଜରୁ ମୁଖମଣ୍ତଳ, ବିଷ୍ଣୁଙ୍କ ତେଜରୁ ଦଶବାହୁ, ବ୍ରହ୍ମାଙ୍କ ତେଜରୁ
ପଦଯୁଗଳ, ଯମଙ୍କ ତେଜରୁ କେଶପାଶ, ଇନ୍ଦ୍ରଙ୍କ ତେଜରୁ ଶରୀରର ମଧ୍ୟଭାଗ,
ବରୁଣଙ୍କ ତେଜରୁ ଜଙ୍ଘ ଓ କଟୀ(ଉଋଦ୍ୱୟ), ଧରିତ୍ରୀଙ୍କ ତେଜରୁ ନିତମ୍ବ,
ଚନ୍ଦ୍ରଙ୍କ ତେଜରୁ ସ୍ତନଦ୍ୱୟ, କୁବେରଙ୍କ ତେଜରୁ ନାସିକା, ସୂର୍ଯ୍ୟଙ୍କ
ତେଜରୁ ଅଙ୍ଗୁଳି, ଦକ୍ଷଙ୍କ ତେଜରୁ ଦନ୍ତ, ପବନଙ୍କ ତେଜରୁ କର୍ଣ୍ଣଦ୍ୱୟ,
ଅଗ୍ନିଙ୍କ ତେଜରୁ ତ୍ରିନୟନ ଆଦିର ସୃଷ୍ଟି ସହ ଦେବତାମାନଙ୍କ ଦ୍ୱାରା ଦେବୀ
ଦଶହସ୍ତରେ ବିଭିନ୍ନ ମାରଣାସ୍ତ୍ର ଧାରଣ କରି ନାନା ରତ୍ନ ଅଳଙ୍କାରରେ
ପରିହିତା ହେଲେ । ଏଭଳି ମନମୁଗ୍ଧକର ସଜ୍ଜିତା ସିଂହବାହିନୀ ମହାଶକ୍ତି
ଦଶଭୂଜାଦେବୀ ମହିଷାସୁରର ନିଧନ ପାଇଁ ଭୟଙ୍କର ରୂପରେ ବାହାରିଥିଲେ । ତାଙ୍କର
ଦୁଇପାର୍ଶ୍ୱରେ କାର୍ତ୍ତିକ, ଗଣେଶ, ଲକ୍ଷ୍ମୀ ଓ ସରସ୍ୱତୀ ଦଣ୍ତାୟମାନ ଥିଲେ ।
ମହାମାୟା ଦେବୀଙ୍କ ସେଇ ବିରାଟ ହାସ୍ୟ ଓ ବିକଟ ଗର୍ଜନରେ ଚକିତ
ମହିଷାସୁର ଓ ତାର ସୈନ୍ୟଗଣ ଲଢାଇ ପାଇଁ ଆସି ଦେଖନ୍ତି, ଏକ ଅଦ୍ଭୂତ ଦୃଶ୍ୟ ?
? ଏକାକିନୀ ନାରୀ ମୂର୍ତ୍ତି, ଯାହାଙ୍କ ଅଙ୍ଗରୁ ନିସ୍କୃତି ଜ୍ୟୋତି ଧାରାରେ
ତ୍ରିଭୂବନ ଜ୍ୟୋତିମୟ, ପାଦତଳେ ଯାହାଙ୍କ ଅବନତ ମହାବିଶ୍ୱ, ଦଶଦିଗେ ବିସ୍ତୁତ
ଯାହାଙ୍କ ଶଶସ୍ତ୍ର ଦଶଶସ୍ତ୍ର, ଯାହାଙ୍କ ଲଲାଟ ନେତ୍ରରେ ଅଗ୍ନିର ବିଚ୍ଛୁରଣ
ଓ ମସ୍ତକେ ଶୋଭିତ ଯାର ରତ୍ନଖଚିତ ଆକାଶଚୁମ୍ବି ସ୍ୱର୍ଣ୍ଣମୁକୁଟ, ନାଁ'ତାର
ବିହୂଳତା/କାଳକ୍ଷେପ । ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ ମହାଭାରତ ଯୁଦ୍ଧ,
ମହାଶକ୍ତି ଧାରିଣୀ ଦଶଭୂଜାଙ୍କ ଅସ୍ତ୍ରାଘାତେ ମୃତ୍ୟୁ ଘଟିଥିଲା ମହିଷାସୁର
ସମେତ ଅସୁର କୁଳ । ମା'ଦଶଭୂଜା ମହିଷାସୁରର ଅଜେୟ ଦୁର୍ଗ ଜୟ କରିବାରୁ ସେ
ଦୁର୍ଗା ଓ ମହିଷାମର୍ଦ୍ଧନୀ ନାମରେ ପୂଜିତା ହେଲେ ।
ଏହି ମାତୃଶକ୍ତିର ପରିପ୍ରକାଶ ଘଟେ ସମୟ, କାଳ ଓ ଋତୁ ଭେଦରେ
ବର୍ଷରେ ଦୁଇଥର । ବସନ୍ତକାଳରେ ସୂର୍ଯ୍ୟ ଯେତେବେଳେ ମୀନରାଶିରେ ଚଳତ୍ମାନ
ହୁଅନ୍ତି, ସେତେବେଳେ ମା'ଦୁର୍ଗାଙ୍କ ଆରାଧନାକୁ 'କାଳବୋଧନ' କୁହାଯାଏ,
ଅର୍ଥାତ୍ ଏହା ବାସନ୍ତୀପୂଜା ନାମରେ ଅଭିହିତ । ପୁନଶ୍ଚ ସୂର୍ଯ୍ୟ ଯେତେବେଳେ
କନ୍ୟାରାଶିରେ ଚଳନ କରନ୍ତି ଅର୍ଥାତ୍ ଶରତଋତୁରେ ମା'ଦୁର୍ଗାଙ୍କୁ ଆରାଧନା
କରାଯାଏ, ତାକୁ 'ଅକାଳବୋଧନ' କୁହାଯାଏ, ଅର୍ଥାତ୍ ନିଦ୍ରିତ ଦେବତାଙ୍କୁ ଅକାଳ
ନିଦ୍ରାଭରଣରୁ ଜାଗ୍ରତ କରିବା, ମା'ଦୁର୍ଗାଙ୍କ ଏହା ଏକ ଶାରଦୀୟ ପୂଜା ବା
ଶାରଦୋତ୍ସବ ବା ଦୁର୍ଗୋତ୍ସବ କୁହାଯାଏ ।
ସୃଷ୍ଟିର ଉଷାକାଳେ ପ୍ରଜାପତି ବ୍ରହ୍ମା ଅତ୍ୟାଚାରୀ ମଧୁ-କୈଟ୍ୟଭ
ଦୈତ୍ୟକୁ ବଧ କରିବାକୁ ପ୍ରଥମେ ଦୁର୍ଗାସ୍ତବ କରିଥିଲେ । ବ୍ରହ୍ମାଙ୍କ
ସ୍ତବରେ ସନ୍ତୋଷ୍ଟ ହୋଇ ଆଦ୍ୟାଶକ୍ତି ମହାମାୟା ଭଗବାନ ବିଷ୍ଣୁଙ୍କୁ ପ୍ରଭାବିତ
କରି ମଧୁ-କୈଟ୍ୟଭ ଦୈତ୍ୟକୁ ବଧ କରିଥିଲେ । ତମୋଗୁଣର ବିନାଶ ଘଟାଇଥିବାରୁ
ଏହି ପୂଜାର ଆରମ୍ଭ ବୋଲି ଧରାଯାଏ ।
ପରବର୍ତ୍ତୀକାଳରେ, ସ୍ୱର୍ଗର ଦେବଗଣ ଓ ଦେବରାଜ ଇନ୍ଦ୍ର ବୃତ୍ତାସୁର
ଦ୍ୱାରା ପରାଜିତ ହୋଇ ସ୍ୱର୍ଗରୁ ବିତାଡିତଥିଲେ । ଦେବରାଜ ଇନ୍ଦ୍ର ଶତ୍ରୁକୁ
ପରାଜିତ କରିବାର ସଂକଳ୍ପ କରିଥିଲେ । ସଂକଳ୍ପହିଁ ସଫଳତା ଅର୍ଜନ କରିବାର
ଶକ୍ତିମାନର ଲକ୍ଷଣ, ପରାଜିତକାରୀର ଦାସତ୍ୱ ଗ୍ରହଣ ଦୃର୍ବଳତାର ପରିପ୍ରକାଶ
ଅଟେ । ତେଣୁ ଦେବରାଜ ଇନ୍ଦ୍ର ସକଳ ଦେବତାଙ୍କୁ ସମ୍ମିଳିତ କରି ଯଜ୍ଞଶକ୍ତି
ଉତ୍ପନ୍ନ ନିମନ୍ତେ ପ୍ରାର୍ଥନା କରିଥିଲେ । ଫଳରେ ସମବେତ ଦେବଗଣ ମାତୃ
ଆରାଧନା ସ୍ତବ କରିବାରୁ ମା'ଦୁର୍ଗା ପ୍ରସନ୍ନ ହୋଇ ସେମାନଙ୍କ ଆଶା,
ଆକାଂକ୍ଷା ପୂର୍ଣ୍ଣ କରିଥିଲେ, ଅସୁରର ଅତ୍ୟାଚାରରୁ ସ୍ୱର୍ଗପୁରକୁ ମୁକ୍ତ
କରିଥିଲେ । ସତ୍ୟଯୁଗରେ ରାଜା ସୁରଥ ରାଜ୍ୟହରାଇ ବନଗାମିଥିବା ବେଳେ ମହର୍ଷି
ମେଘନ ମୁନିଙ୍କଠାରୁ ମହାମାୟାର ମାହାତ୍ମ୍ୟ କଥା ଶୁଣି ନଦୀତୀରରେ ନିଜ ଦେହର
ରକ୍ତ ପ୍ରଦାନ କରି ମୁକ୍ତିଦାତ୍ରୀ ମହାମାୟୀ ଶ୍ରୀଶ୍ରୀ ଦୁର୍ଗାଙ୍କୁ
ମହାପୂଜାରେ ଅଭିଷ୍ଠ କରିଥିଲେ । ଧରାଧାମରେ ଏହା ପ୍ରଥମ କାଳବୋଧନ ପୂଜା,
ଅର୍ଥାତ୍ ବସନ୍ତ ଋତୁରେ ବାସନ୍ତୀ ପୂଜାନାମେ ନାମିତ ହୋଇଛି ।
ସେହି ଭଳି ତ୍ରେତୟାରେ ଅଯୋଧ୍ୟାଧିପତି ଦଶରଥଙ୍କ ପୁତ୍ର ଶ୍ରୀରାମ
ପିତୃସତ୍ୟ ପାଳନ ନିମନ୍ତେ ଚଉଦବର୍ଷ ବନବାସ ଥିବାବେଳେ ଅସୁରରକୁଳର କୁଳପତି
ରାବଣ ସାଧୁବେଶ ଧାରଣକରି ଛଦ୍ମବେଶରେ ମା'ସୀତାଙ୍କୁ ଅପହରଣ କରିଥିଲା ।
ସୀତାଙ୍କ ଉଦ୍ଧାର କଳ୍ପେ ଦୂରାଚାରୀ ରାବଣର ବିନାଶ ପାଇଁ ଆଶ୍ୱିନ ମାସରେ
ପ୍ରଭୃ ଶ୍ରୀରାମ ସମୁଦ୍ରତୀରେ ମୃଣ୍ମୟ ମୂର୍ତ୍ତି ଗଢି ଶ୍ରୀଦୁର୍ଗାଙ୍କୁ
ପ୍ରଥମେ ' ଅକାଳବୋଧନ' କରିଥିଲେ, ଅକାଳବୋଧନ ଅର୍ଥାତ୍ ଦେବଗଣଙ୍କୁ ଜାଗ୍ରତ
କରିବା । ଭଗବାନ ଶ୍ରୀରାମ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଅନ୍ତରର ଗଭୀର
ବ୍ୟାକୁଳତା ଓ ପୂର୍ଣ୍ଣ ଭକ୍ତି ଶ୍ରଦ୍ଧାର ସହକାରେ ମା'ଙ୍କ ସ୍ତୁତି କରିବା
ସହ ପରିତୃଷ୍ଠି କରିବାକୁ ଦୁର୍ଲ୍ଲଭ ଏକଶତ ଆଠଟି ନୀଳପଦ୍ମ ମା'ଙ୍କ
ପାଦପଦ୍ମରେ ଅର୍ପଣ କରି ସନ୍ତୁଷ୍ଟ କରିଥିଲେ । ଶେଷରେ ମା'ଙ୍କ କରୁଣା ଲାଭ
କରି ସୀତାଙ୍କୁ ଉଦ୍ଧାର କରିଥିଲେ । ଅଶୁଭଶକ୍ତିର ପରାଜୟ ଘଟି ଶୁଭଶକ୍ତିର
ବିଜୟ ଘଟିଥିଲା ।
ଦ୍ୱାପର ଯୁଗରେ ପାଣ୍ତବମାନଙ୍କ ବାରବର୍ଷ ବନବାସ ପରେ ଗୋଟିଏ ବର୍ଷ ଅଜ୍ଞାତ
ବନବାସକୁ ନିବିଘ୍ନରେ କାଟିବା ଲାଗି ଧର୍ମରାଜ ଯୁଧିଷ୍ଠିର ମହାଦେବୀ
ଶ୍ରୀଦୁର୍ଗାଙ୍କୁ ବିଘ୍ନବିନାଶିନୀ ରୂପେ ପୂଜାକରି ଯୁଦ୍ଧ ବିଜୟୀ ହେବାକୁ
ପ୍ରାର୍ଥନା କରିଥିଲେ । ପୁନଶ୍ଚ କୁରୁରଣକ୍ଷେତ୍ରରେ କୌରବ-ପାଣ୍ତବ ମହାଭାରତ
ଯୁଦ୍ଧରେ ପାର୍ଥ ସାରଥୀ ଶ୍ରୀକୃଷ୍ଣ ସଖା ଅର୍ଜ୍ଜୁନଙ୍କୁ ମା'ଦୁର୍ଗାଙ୍କୁ
ଆରାଧନା କରିବାର ଉପଦେଶ ଦେଇଥିବାରୁ, ଅର୍ଜ୍ଜୁନ ରଣଭୂମିରେ ନତଜାନୁ ହୋଇ
କୃତାଞ୍ଜଳୀ ପୂର୍ବକ ପ୍ରତ୍ୟହ ଶତ୍ରୁ ସଂହାରିଣୀ ଦୁର୍ଗାସ୍ତବ ପାଠ କରୁଥିଲେ ।
ଦୁର୍ଗା' ଦୁର୍ଗତିନାଶିନୀ ମା'ଙ୍କ ଆଗମନରେ ସକଳ ଦୁର୍ଗତିର
ବିନାଶ ଘଟେ । ତାଙ୍କ ଆର୍ବିଭାବରେ ଜଗତରେ ସମସ୍ତ ଆସୁରିକ ଶକ୍ତିର ବିନାଶ
ହୁଏ । ସେ 'ଦୁର୍ଗତି ବିନାଶିନୀ, ବିପଦ ନାଶିନୀ, ଅର୍ଥାତ୍ ମାନବ ଉପରକୁ
ବା ଭୂପୃଷ୍ଠକୁ ଯେଉଁ ବିପଦ ଆସୁଥାଏ ତାକୁ ତାରଣ କରନ୍ତି । କୁହାଯାଏ
ଦୁର୍ଗ' ବା ଦୁର୍ଗମ ନାମକ ଏକ ଅସୁରକୁ ନିଧନ କରିଥିବାରୁ ଦେବୀଙ୍କ ନାମ
ଦୁର୍ଗା ହୋଇଛି । ଶାସ୍ତ୍ରାନୁସାରେ 'ଦ'ଅକ୍ଷରର ଅର୍ଥ ଦୈତ୍ୟ ନାଶକ,
'ଉ'ଅକ୍ଷରର ଅର୍ଥ ବିଘ୍ନନାଶକ, 'ର'ଅକ୍ଷରର ଅର୍ଥ ରୋଗନାଶକ, 'ଗ'ଅକ୍ଷରର ଅର୍ଥ
ପାପନାଶକ, 'ଆ'ଅକ୍ଷରର ଅର୍ଥ ଶତ୍ରୁନାଶକ । ଦେବୀ ଦୁର୍ଗାଙ୍କ ଆଗମନ ବିଷୟରେ
ନାନା ଇତିହାସର ନିଗୃଢ ଗୋପନ ରହସ୍ୟ ଏଭଳି ରହିଛି । ବ୍ରହ୍ମାଙ୍କ ବରରେ
ବଳିୟାନ ଅମରତ୍ୱ ଲାଭକରିଥିବା ମହିଷାସୁର ସ୍ୱର୍ଗଜୟ ଓ ଅପମାନିତ ଦେବଗଣ
ବିଷ୍ଣୁଙ୍କ ଶରଣ ନେବାରୁ, ତାଙ୍କର ମାୟାବଳରେ ଦେବୀ ଦୁର୍ଗାଙ୍କ ସୃଷ୍ଟି
ଘଟିଥିଲା । ଶ୍ରୀଶ୍ରୀଚଣ୍ତୀଙ୍କ ବର୍ଣ୍ଣାନୁସାରେ ଦେବୀ ରୁଦ୍ରମୂର୍ତ୍ତି ଧାରଣ
କରି ଆର୍ବିଭାବ ହେବାରୁ ଶିବ ତ୍ରୀଶୂଳ, ବିଷ୍ଣୁ ସୁଦର୍ଶନଚକ୍ର, ବରୁଣ ଶଙ୍ଖ
ଓ ପାଶା, ଅଗ୍ନିଦେବ ଶକ୍ତି, ପବନ ଦେବ ଧନୁକ, ଇନ୍ଦ୍ର ବ୍ରଜ, ଯମ
କାଳଦଣ୍ତ, ଗିରିରାଜ ହିମାଳୟ ସିଂହ, କୁବେର ସୁରାପୂର୍ଣ୍ଣ ପାନପାତ୍ର,
କ୍ଷୀରସମୁଦ୍ର ନାନା ଅଳଙ୍କାର ଓ ପଦ୍ମ, ବାସୁକୀ ମହାମଣି ଶୋଭିତ
ସ୍ୱର୍ଣ୍ଣହାର ଆଦି ନାନା ଅଳଙ୍କାର ଓ ଅସ୍ତ୍ରାଦି ଦେଇ ମା'ଦୁର୍ଗାଙ୍କୁ
ଶକ୍ତିଯୁକ୍ତ କରାଇଥିଲେ । ଫଳତଃ ମା 'ଦୁର୍ଗା ମହିଷାସୁରକୁ ବଧକରି
ମହିଷାମର୍ଦ୍ଧନୀ ଦେବୀ ନାମରେ ଅଭିହିତ ହେଲେ । ତାଙ୍କର ଅସୁରଙ୍କ ନିଧନରେ
ନଅଟି ରୂପ ଧାରଣକୁ ତାଙ୍କୁ ନବଦୁର୍ଗା କୁହାଯାଏ, ସେହିଁ ଶୈଳପୁତ୍ରୀ,
ବ୍ରହ୍ମଚାରିଣୀ, ସ୍କନ୍ଦମାତା, କାତ୍ୟାୟାଣୀ, କାଳରାତ୍ରୀ, ମହାଗୌରୀ,
ସିଦ୍ଧିଦାତ୍ରୀ ଆଦି ନାମରେ ବିରାଜିତା ହୁଅନ୍ତି ।
ସେହି ମା'ଦୁର୍ଗାଙ୍କ ଆଗମନ ମର୍ତ୍ତ୍ୟଧାମକୁ । ଚାରିଦିଗେ ସଜ୍ଜିତ
ସ୍ୱାଗତଂ ମା'ଙ୍କ ଆଗମନକୁ ଶ୍ରଦ୍ଧା ଭକ୍ତି ନୈବଦ୍ୟ । ମା'ଙ୍କ ଆଗମନରେ
ପ୍ରକୃତିରାଣୀ ଆଗମନୀର ବାର୍ତ୍ତା ଘୋଷଣା କରିଛି । ନିର୍ମଳ ଆକାଶ, କାଶତଣ୍ତୀ
ଫୁଲରେ ନାଚିଉଠୁଛି । ସକଳ ଅଶୁଭଶକ୍ତିକୁ ଦମନ କରି ଶୁଭଶକ୍ତିର ଜାଗରଣ
ଘଟିଛି । ମା'ସର୍ବବ୍ୟାପିଣୀ ମହାମାୟା, ଯୋଗମାୟା, ସର୍ବରୂପିଣୀ,
ବିଶ୍ୱମାତୃକା, ଜଗତ ଜନନୀ ତାରେଣୀ, ମହାଶକ୍ତି, ଆଦ୍ୟାଶକ୍ତି ତିନିଲୋକର
ସର୍ବଭୂତେ ବିରାଜମାନ, ଚର୍ତୁଃଦିଗେ ମା'ଦୁର୍ଗାଙ୍କ ଲୀଳାଖେଳାର ପରିପ୍ରକାଶ
ଘଟିଛି ।
ଏହି
ପବିତ୍ର ଶୁଭ ମୁହୂର୍ତ୍ତରେ ମାନବ ହୃଦୟରେ ଭରି ରହିଥିବା ଇର୍ଷା, ଅହଂକାର,
ଗର୍ବ, ଦମ୍ଭ, ଯାବତୀୟ କଳୁଷିତ ଭାବନା, ଆସୁରିକ ପ୍ରବୃତ୍ତି, ତାମସିକ କାମନା
ରୂପକ ଅହଂଭାବନାକୁ ସେହିଁ ଦମନ କରନ୍ତୁ । କାରଣ କଳିଯୁଗେ 'ଦୁର୍ଗା'
ବିନାୟକୌ" ଅର୍ଥାତ୍ ମାନବ ମୋକ୍ଷକୁ ପରମ ରୂପେ ଗ୍ରହଣ କରେ, ତ୍ରିବର୍ଗସାର
ଧର୍ମ, ଏହି ମୋକ୍ଷର ପରମ ସହାୟକ । ନ୍ୟାୟୋଚିତ ସଞ୍ଚିତ ଅର୍ଥ ଓ
ଧର୍ମସମ୍ମତ କାମ କରି ଏହି ଧର୍ମ,ଅର୍ଥ,କାମ,ମୋକ୍ଷ ଚତୁର୍ବଗ ଅର୍ଥାତ୍ ମାନବ
ମୋକ୍ଷ ଶାଶ୍ୱତ ଶାନ୍ତି ଲଭୁ । ତାଙ୍କର ଆରାଧନାରେ ମାନବ ହୃଦୟରେ ନବ
ଜାଗରଣ ଘଟୁ, ଏହାହିଁ ସମସ୍ତଙ୍କ କାମନା ହେଉ...!!!
ସ୍ୱାଧିକାରହିଁ ମାନବର ପୌରୁଷ ପଣ
ମନୁଷ୍ୟ ପ୍ରକୃତିର କ୍ରୀଡାନକ, ଦାସ, ଖେଳକଣ୍ଢେଇ'- ଏକଥା
ଅସ୍ୱୀକାର କରିହେବ ନାହିଁ । ପ୍ରକୃତିର ଶକ୍ତିରେ ସେ ନିୟନ୍ତ୍ରିତ, କେବଳ
ସେ ନୁହେଁ ବରଂ ଏ ଜୀବଜଗତରେ ସକଳେ ପ୍ରକୃତିର ଅଧୀନରେ ଆବଦ୍ଧ । କିଂତୁ
ବୁଦ୍ଧିମାନ ମନୁଷ୍ୟ ବୁଦ୍ଧି ବଳରେ ପ୍ରକୃତିର ଶୃଙ୍ଖଳ ମଧ୍ୟରୁ ବାହାରି
ଆସିବାକୁ ନିରନ୍ତର ପ୍ରୟ୍ୟାସ ଚଳାଇ ଆସିଛି । ଆଦର୍ଶବାଦ ଏ ସଂପର୍କରେ
ମନୁଷ୍ୟକୁ ସଚେତନ କରାଇ କହେ- ତମେ ଯାହା ହେବାକୁ ଚାହୁଁଛ, ତାହା ହେବାକୁ
ପ୍ରଯତ୍ନଶୀଳ ହୁଅ । କାରଣ ଏହା ତମର ଯଥାର୍ଥ ସୂରୂପ ଅଟେ । ଏଥିପାଇଁ
ସଂଗ୍ରାମ କର, ତପସ୍ୟା କର, ଏହାହିଁ ତମର ମନୁଷ୍ୟୋଚିତ୍ତ ଜୀବନର ପରିଚୟ ।
ଏହା ତମର ଗୌରବ, ଏହାହିଁ ତମ ଜୀବନର ସାର୍ଥକତା । ପ୍ରକୃତି ପ୍ରଦତ୍ତ
ଶାନ୍ତି ଓ ଆରାମ ଭୋଗ କରିବା ଜୀବନ ହୀନତାର ପରିଚୟ, ଯାହା ଜୀବନ
କ୍ଷେତ୍ରରେ ମୃତ୍ୟୁକୁ ଆଲିଙ୍ଗନ କରିବା ଭଳି ।
ଆଦର୍ଶବାଦର ଅନୁପ୍ରେରଣା ମନୁଷ୍ୟକୁ ପ୍ରକୃତି ବିରୁଦ୍ଧରେ
ବିଦ୍ରୋହୀ ହୋଇ ମାନବ ଜୀବନକୁ ସାର୍ଥକ କରିବାର ନିର୍ଦ୍ଦେଶ ଦିଏ ସତ,
କିନ୍ତୁ ପ୍ରକୃତିର ଋଣକୁ ଅସ୍ୱୀକାର କରିବାକୁ କେବେ ପ୍ରବର୍ତ୍ତାଇ ନାହିଁ ,
ବରଂ କହିଛି- ପ୍ରକୃତି ଜନନୀ ସ୍ୱରୂପା, ତା' ପ୍ରତି କୃତଜ୍ଞ ରୁହ । ତା'ର
ସକଳ ଦାନ ପଦାର୍ଥକୁ ସତ୍ ବ୍ୟବହାର କର । ତା'ନିକଟରେ ନିଜର ସାଧନ ଜୀବନର
ଅନୁକୂଳ ପାଇଁ ପ୍ରାର୍ଥନା କର । କିନ୍ତୁ ତାର ମୌହିନୀ ମାୟାରେ ଭୂଲି ନଯାଅ
ଯେଭଳି, ତା'ର ଅଧିନତାକୁ ସ୍ୱୀକାର କର, ତା'ର ନିୟନ୍ତ୍ରଣକୁ ରକ୍ଷାକର ।
ପ୍ରକୃତି ଗର୍ଭରୁ ଜନ୍ମ ହୋଇ, ପ୍ରକୃତି ଅନୁକୂଳରେ ଲାଳିତ ପାଳିତ ଓ ବିକାଶ
ପ୍ରାପ୍ତ ହୋଇ ପ୍ରକୃତି ଜଗତରେ ନିଜର ସ୍ୱତନ୍ତ୍ରତା, ଜ୍ଞାନଶକ୍ତି,
କର୍ମଶକ୍ତି ଓ ପ୍ରେମଶକ୍ତିର ସାଧନ ଦ୍ୱାରା ତମକୁ ଆଦର୍ଶ ସଙ୍ଗରେ ମିଳିତ
ହେବାକୁ ପଡିବ, ଏହି ଉପଦେଶରେ ତୁମକୁ ଏଦୁର୍ଲ୍ଲଭ ମାନବ ଜୀବନ ମିଳିଛି ।
ଜୀବ
ଜଗତରେ ମନୁଷ୍ୟ ଲାଗି ଏପରାଧିନତା ଦୁଃଖଦାୟକ ଓ ଆତ୍ମ ସମର୍ପଣ ମୂଳକ । ସେ
କେବେ ଚାହେଁ ନାହିଁ ବିଜାତୀୟ ରାଷ୍ଟ୍ର ଶକ୍ତିର ଅଧିନତା ଭଳି ପ୍ରକୃତିର
ଅଧିନତା ବା ଅନ୍ତଃପ୍ରକୃତିର ଅଧିନତାକୁ ସ୍ୱୀକାର କରିବାକୁ । ପ୍ରକୃତି
ମନୁଷ୍ୟ ଅନ୍ତରରେ ରାଗ, ଦ୍ୱେଷ, ହିଂସା, ଘୃଣା, ଭୟ, କ୍ଷୁଧା, ତୃଷ୍ଣା,
କାମ, କ୍ରୋଧ, ଆଳସ୍ୟ, ସୁଖ, ପିପାସା ଓ ଆରାମ-ପ୍ରିୟତା ଆଦି ନାନା ବିଚିତ୍ର
ତରଙ୍ଗ ସୃଷ୍ଟି କରେ ଓ ସଂସାର ସଙ୍ଗରେ ବିଚିତ୍ର ଭାବରେ ସଂଯୋଚିତ କରି
ଚିରକାଳ ପାଇଁ ମନ ଏହାର ଅଧିନତାକୁ ବାନ୍ଧି ରଖିବାକୁ ଚାହେଁ । ମାନବର
ଦୁର୍ବଳପଣକୁ ପ୍ରକୃତି ବୁଝି ନେଇ ତାକୁ ଅଧିକରୁ ଅଧିକ ଦୁର୍ବଳ କରିବାକୁ
ଚେଷ୍ଟା କରେ । ଏପରିକି ମନୁଷ୍ୟକୁ ପ୍ରକୃତି ନାନା ପ୍ରକାର ଶକ୍ତି,
ଐଶ୍ୱର୍ଯ୍ୟର ପ୍ରଭାବ ପକାଇ ନିଜ ଆଡକୂ ଆର୍କଷିତ କରେ, ବିଭିନ୍ନ
ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ଦ୍ୱାରା ପ୍ରଲୋଭିତ କରେ । ବେଳେ ବେଳେ ସୁଯୋଗ
ନେଇ ନାନା ପ୍ରକାର ଜଟିଳ ଓ କୁଟିଳ ଅବସ୍ଥାରେ ପକାଇ ନିଜର ଅଧୀନସ୍ଥ
କରିବାକୁ ଚାହେଁ । ମନୁଷ୍ୟ ଜାତି ଜାତି ମଧ୍ୟରେ, ଦଳ ଦଳ ଭିତରେ ନାନା
କନ୍ଦଳ, ସମସ୍ୟା ସୃଷ୍ଟି କରେ, ପରଷ୍ପରର ପୌରୁଷ ପ୍ରତିଷ୍ଠା ନିମନ୍ତେ ।
ଉଭୟଙ୍କ କନ୍ଦଳ ମଧ୍ୟରେ ତୃତୀୟର ଲାଭ ଭଳି ପ୍ରକୃତି ନିଜର ଫାଇଦା ଉଠାଏ,
ଠିକ୍ ଦୁଇ ବିରାଡିର ପିଠା କଳିରୁ ମାଙ୍କଡର ଲାଭ ଯେଭଳି । ସେଇଭଳି ଉଭୟ
ମାନବର ପ୍ରତିଷ୍ଠା ଭିତରେହିଁ ଅନ୍ୟକୁ ନିଜ ଅଧିନରେ ରଖିବା ମନୋବୃର୍ତ୍ତିହିଁ
ଅନ୍ତଃପ୍ରକୃତିର ଦାସତ୍ୱର ପରିଚୟ ଅଟେ ।
ଯେଉଁ ବ୍ୟକ୍ତି ସ୍ୱଂୟଂ ପ୍ରକୃତିର ଦାସ ପାଲଟି ଯାଏ, ସେ ଅନ୍ୟ
ଉପରେ ପ୍ରଭୃତ୍ୱ ପଣ ଦେଖାଇ ଥାଏ । ଅନ୍ୟର ସ୍ୱାଧୀନତା ବିଲୁପ୍ତ କରି,
ଅନ୍ୟର ସଂପତ୍ତିକୁ ଅର୍ଥ, ପ୍ରତିପତ୍ତି, ସୁଖ, ଐଶ୍ୱର୍ଯ୍ୟ, ନିରାମୟ
ଶାନ୍ତିକୁ ଅନ୍ୟାୟୋପାୟ ମାଧ୍ୟମରେ ଅପହରଣ କରିନିଏ । ପ୍ରକୃତି ଜାତ ଦମ୍ଭ,
ଦର୍ପ, କାମ, କ୍ରୋଧ, ଲୋଭ, ହିଂସା, ଘୃଣା ଆଦିକୁ ସେବାରେ ନିୟୋଜିତ କରେ ଓ
ଦାସତ୍ୱ ରୂପକହିଁ ପୌରୁଷର ଚରିତାର୍ଥତା ଭାବ ମାନି ଆତ୍ମ ପ୍ରତାରଣା କରେ,
ଅର୍ଥାତ୍ ଚତୁର ଶଠତା ଉପାୟରେ ଧୋକା ଦିଏ । ଅନୁଶୀଳନ ଦୃଷ୍ଟିରେ ଦେଖିଲେ,
ରାଷ୍ଟ୍ରିୟ ଭାବରେ ଯେଉଁ ବ୍ୟକ୍ତି ଦାସତ୍ୱ କରେ ଓ ଯେଉଁ ବ୍ୟକ୍ତି
ପ୍ରଭୃତ୍ୱ ବୋଲାଏ, ଏପରିକି ଯିଏ ଅନ୍ୟର ଅଧିନତା ବାଧ୍ୟ ବାଧ୍ୟକତାରେ ଅଧିନତା
ସ୍ୱୀକାର କରେ, ତଥା ଯେଉଁ ଧୂର୍ତ୍ତ ଅଥଚ ଚତୁର ବୋଲାଉଥିବା ବ୍ୟକ୍ତି ଅନ୍ୟର
ସ୍ୱାଧିନତା ଚ୍ଛିନ୍ନ କରେ ଏସବୁ ବିଘଟନ କେବଳ ପ୍ରକୃତିର ଦାସତ୍ୱରୁ ଘଟେ ।
ସୂଚାଇ ଦିଆଯାଇ ପାରେ, ପ୍ରତ୍ୟେକ ବ୍ୟକ୍ତି ଭଗବତ୍ ପ୍ରଦତ୍ତ ପୌରୁଷକୁ
ଅପବ୍ୟବହାର କରେ ଓ ଯେ ଏସବୁ ଠାରୁ ଦୂରେଇ ନଯାଏ, ସେ ନିଜ ଭିତରେ ଓ
ଅନ୍ୟ ଭିତରେ ପୌରୁଷ ରୂପୀ ଭଗବାନଙ୍କୁ ଅସ୍ୱୀକାର କରିଥାଏ, ଫଳରେ ତାର
ମନୁଷ୍ୟତ୍ୱ ଭ୍ରଷ୍ଟ ହୋଇଯାଏ ।
ମଣିଷର ଏହାହିଁ ସ୍ୱତନ୍ତ୍ରତା ଯେ, ସେ ସବୁ ପ୍ରକାର
ପରାଧୀନତାଥରୁ ମୁକ୍ତ ରହିବାକୁ ଚାହେଁ । ସଂସାରରେ ସେ ମୁକ୍ତ ବିହଙ୍ଗ ପରି
ମୁକ୍ତାକାଶରେ ବିଚରଣ କରିବାକୁ ଭଲପାଏ । କୌଣସି ପ୍ରକାର ଅଧିନତାରେ ତୁପ୍ତ
ହୋଇ ପାରେନାହିଁ, ସବୁ ପ୍ରକାର ଅଧିନତା ଅହରହ ତା' ଅନ୍ତରରେ ଜ୍ୱାଳା କରେ,
ଏହାହିଁ ତାର ଗୌରବ, ତାର ଯନ୍ତ୍ରଣାବୋଧ ଓ ତା' ପୌରୁଷର ପରିଚାୟକ । ଏହା
ହେଉଛି ମନୁଷ୍ୟ ପ୍ରତି ଭଗବାନଙ୍କ ବିଶେଷ ଆଶୀର୍ବାଦ ।
ପ୍ରତ୍ୟେକ ପ୍ରକାର ଅଧିନତାର ନାଗଫାଶରୁ ମୁକ୍ତି, ଅର୍ଥାତ୍
ପରିପୂର୍ଣ୍ଣ ସ୍ୱରାଜ୍ୟ ପ୍ରାପ୍ତି ମାନବ ଜୀବନର ଚରମ ଆଦର୍ଶ । ଏହି
ଆଦର୍ଶରେ ଅଗ୍ରସର ହେବା ଲାଗି ପ୍ରକୃତିର ଅଧିନତା-ଶୃଙ୍ଖଳା ମଧ୍ୟରୁ ମୁକ୍ତି
ସାଧନ ପାଇଁ ପ୍ରଥମେ ଶକ୍ତି ସାଧନ ଦରକାର, ଏହା ପ୍ରଥମ ମହାମନ୍ତ୍ର ହେବା
ଆବଶ୍ୟକ । 'ଉତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନି ବୌଧତଃ ।" ତେଣୁ ନିଜର ଆତ୍ମା
ବିଶ୍ୱାସ ଜାଗ୍ରତ କରିବାକୁ ହେବ, ଭଗବତ୍ ପ୍ରଦତ୍ତ ଆତ୍ମଶକ୍ତି ଦ୍ୱାରା
ବିଶ୍ୱାସ ସ୍ଥାପନ କରିବାକୁ ପଡିବ । ଯେଉଁ ପ୍ରକାରେଣ ଜ୍ଞାନ ଶକ୍ତିର ବିକାଶ
ସାଧନ କରିବାକୁ ହୁଏ, ସେହି ପ୍ରକାର କର୍ମଶକ୍ତିର ବିକାଶ ସାଧନ ଆବଶ୍ୟକ,
ଏପରିକି ସେଭଳି ପ୍ରେମବୃତ୍ତିର ବିକାଶ ଘଟିବା ମଧ୍ୟ ଉଚିତ । ଜ୍ଞାନ,
କର୍ମ ଓ ପ୍ରେମର ଉପଯୁକ୍ତ ବିକାଶ ସାଧନ ଦ୍ୱାରାହିଁ ମନୁଷ୍ୟର ପ୍ରକୃତିଗତ
ଦାସତ୍ୱର। ଶୃଙ୍ଖଳାରୁ ଆତ୍ମାର ମୁକ୍ତି ଘଟିବ । ଭଗବତ୍ ଦତ୍ତ ପୌରୁଷର
ଚରିତାର୍ଥ କରିବାକୁ ହେବ । ନିଜ ପୌରୁଷ ରୂପେ ବିରାଜମାନ କରୁଥିବା
ଭଗବାନଙ୍କୁ ବା ସେହି ପରମ ଅଦୃଶ୍ୟ ଶକ୍ତିକୁ ଆରାଧନା କରିବାକୁ ହେବ,
ଯେଉଁଥିରେ ମନୁଷ୍ୟ ହୃଦୟରେ ଜ୍ଞାନଶକ୍ତି, କର୍ମଶକ୍ତିର ବିକାଶ ଘଟିବ ।
ପ୍ରେମ ଶୁଦ୍ଧ, ପବିତ୍ର, ନିର୍ମଳ, ଗଭୀର ଓ ପ୍ରସାରିତ ହେବ । ଏଥିପାଇଁ
ମନୁଷ୍ୟକୁ ସ୍ୱାଧିନ, ମୁକ୍ତ ହେବାକୁ ପଡିବ । ଆତ୍ମା ସୂରୂପ ଏସବୁ
ପ୍ରତିଷ୍ଠା ହୋଇପାରିଲେ ମନୁଷ୍ୟ ଜୀବନର ସାର୍ଥକତା ଆସେ ।
ସାଧନ କ୍ଷେତ୍ରରେ ସ୍ମରଣ ରଖିବାକୁ ହେବ ଯେ ଶକ୍ତିରେହିଁ ଶକ୍ତିର
ସ୍ୱାର୍ଥକତା ନୁହେଁ, ମନୁଷ୍ୟର ଶକ୍ତି ଏକ ଓ ଯାହା ପ୍ରକୃତିର ପରିଚାରିକା
ହୋଇ ଓ ପ୍ରକୃତିର ପ୍ରବୃତ୍ତ ହୋଇ କାମ, କ୍ରୋଧ, ଲୋଭ, ଦମ୍ଭୋକ୍ତି ଆଦି
ସେବାରେ ସର୍ବଦା ନିଯୁକ୍ତ ରହେ, ଅନ୍ୟ ନିକଟରେ ନିଜର ପରାକ୍ରମ ବଢାଇ ମଧ୍ୟ
କୃତାର୍ଥ ଲଭେ ନାହିଁ । ଶକ୍ତି ଚିର ସେବକ ଓ ଚିର ଆରାଧନାମୟୀ ଅଟେ ।
ସେବା କରିବା, ଆରାଧନା କରିବା ଏହାହିଁ ଶକ୍ତିର ଧର୍ମ ଓ ସୂରୂପ । ଶକ୍ତି
ସ୍ୱପ୍ରତିଷ୍ଠ ନୁହେଁ, ସେବା ଓ ଆରାଧନାରେ ଏହାର ପ୍ରତିଷ୍ଠା ଓ ସ୍ୱାର୍ଥକତା
ଘଟେ । ସେବ୍ୟ ଓ ଆରାଧ୍ୟର ଗୌରବରେ ତାର ଗୌରବ । ସେବାରେ ଉଜ୍ଜଳତା
ବୃଦ୍ଧି କରିବା ଓ ସେବାକୁ ପୂର୍ଣ୍ଣ ସୂରୂପ ପ୍ରକାଶିତ କରିବାହିଁ ତାର
କୃତାର୍ଥତା ।
ସତ୍ୟ ସେବାରେ ଜ୍ଞାନ ଶକ୍ତିର ସାର୍ଥକତା , କଲ୍ୟାଣ ସେବାରେ କର୍ମଶକ୍ତିର
କୃତାର୍ଥତା ଓ ସୁନ୍ଦରର ସେବାରେ ପ୍ରେମ ଶକ୍ତିର ଚରିର୍ଥତା । ନିତ୍ୟ ସତ୍ୟ
ଶିବ ସୁନ୍ଦର ଭଗବାନ ମାନବୀୟ ଶକ୍ତିର ଚିର ଆରାଧ୍ୟ । ଏହି ପରମାରାଧ୍ୟଙ୍କ
ସେବାହିଁ ମାନବୀୟ ଜ୍ଞାନ ଶକ୍ତି, କର୍ମ ଶକ୍ତି ଓ ପ୍ରେମ ଶକ୍ତିର
ପରିପୂର୍ଣ୍ଣ ବିକାଶ ଘଟାଏ । ତାଙ୍କ ସହିତ ଅବିଚ୍ଛେଦ ମିଳନରେହିଁ ଶକ୍ତି
ଆନନ୍ଦ ସୂରୂପରେ ସାଫଲ୍ୟ ମଣ୍ତିତ ପାଲଟେ ।
ଭଗବାନହିଁ ସତ୍ୟସ୍ୟ ସତ୍ୟଂ, ମଙ୍ଗଳମୟ, ନିର୍ମଳ ରସାମୃତ
ସିନ୍ଧୁ । ସେହିଁ ଏ ବିଶ୍ୱଜଗତରେ ବିଚିତ୍ର ଆପେକ୍ଷିକ ସତ୍ୟ ରୂପରେ ନିଜକୁ
ପ୍ରକାଶିତ କରି ବହୁବିଧ ମଙ୍ଗଳରୂପ ଧାରଣ କରି ଅନେକ ପ୍ରକାର ରସ-ତରଙ୍ଗ
ସୃଷ୍ଟି କରୁଛନ୍ତି । ଅନାଦି ଅନନ୍ତ କାଳରୁ ନିଜକୁ ପ୍ରକଟ କରି ଆସିଛନ୍ତି ।
ମାନବୀୟ ପୌରୁଷମୟୀ ଆତ୍ମଶକ୍ତିକୁ ସେହିଁ ଗୌରବଜ୍ଜଳ ଅଧିକାରୀ, ପ୍ରତ୍ୟେକ
କ୍ଷେତ୍ରରେ, ଜ୍ଞାନ ଶକ୍ତିକୁ ସତ୍ୟରେ ଅନୁସାଧନରେ ଓ ଆରାଧନାରେ ନିଯୁକ୍ତ
କରିଥାନ୍ତି । ଏପରିକି ସେ ସର୍ବତ୍ର ଏକହିଁ ଚରମ ସତ୍ୟର ବିଚିତ୍ର ବିଳାସୀର
ଅନୁଭବ କରି ନିଅନ୍ତି । ଫଳତଃ ବ୍ୟଷ୍ଟି ଓ ସମଷ୍ଟି ଜୀବନର ପ୍ରତ୍ୟେକ
ବିଭାଗର କର୍ମଶକ୍ତିକୁ କଲ୍ୟାଣର ସେବାରେ ନିରଳସ ଓ ନିର୍ଭିକ ଭାବରେ ନିୟୋଜିତ
କରିଥାନ୍ତି । ଯାହାଦ୍ୱାରା ସମଗ୍ର ଜୀବନକୁ ଶିବମୟ କରିବା ସଙ୍ଗେ ସଙ୍ଗେ,
ବିଶ୍ୱର ସକଳ ନର-ନାରୀ, ଜୀବ-ଜନ୍ତୁ ଓ ସ୍ଥାବର-ଜଙ୍ଗମ ସକଳ ପଦାର୍ଥ ସଙ୍ଗରେ
ନିଃସ୍ୱାର୍ଥ ଓ ଅକପଟ ପ୍ରେମ, ସରସ ଆତ୍ମୀୟତାକୁ ଅନୁଭବ କରିଥାନ୍ତି ।
ସମସ୍ତଙ୍କ ଭିତରେ ସେହିଁ ଅଦ୍ୱିତୀୟ ପରମ ସୁନ୍ଦରର, ରସ ସୌନ୍ଦର୍ଯ୍ୟ
ବିଳାସର, ତାଙ୍କ ଅନ୍ତରର ସାମୁଦ୍ରିକ ସିନ୍ଧୁର ବିଚିତ୍ର ଅମୃତ ରସ ତରଙ୍ଗକୁ
ଆସ୍ୱାଦନ କରିଥାନ୍ତି । ସବୁରି ଭିତରେ ସେ, ସକଳ ଘଟେ ନାରାୟଣ ଭାବରେ
ବିରାଜମାନ, ଏସବୁର ସୂକ୍ଷ୍ମଦୃଷ୍ଟି, ଗଭୀର ଅନୁଭବର ଅସ୍ୱାଭାବିକତା ରହିବ ବା
କାହିଁ । କରି କରାଉ ଥାଏ ମୁହିଁ ' ଯେ ସର୍ବ ନିୟନ୍ତା ଇଚ୍ଛାମୟ ମଙ୍ଗଳମୟ
ସୃଷ୍ଟିର ଆଦି ଅନାଦି ସବୁକିଛି ସେଠି ଗର୍ଭସ୍ଥ ଓ ପୁନଃ ପ୍ରକାଶ ଏକଥା
ଅନଥା ନୁହେଁ ।
ତେଣୁ ସ୍ୱାଧିକାରର ସାର୍ଥକତା ସଂପାଦନ କରିବାହିଁ ମନୁଷ୍ୟର ଯଥାର୍ଥ
ପରିଚୟ । ଜୀବନର କୌଣସି କ୍ଷେତ୍ରରେ ମନୁଷ୍ୟ କ୍ଷୁଦ୍ର ହୋଇ କାହିଁକି ବା
ରହିବ । କୁତ୍ସିତ କଣ ପାଇଁ ହେବ, ଅସତ୍ୟ ଓ ଅଶିବର ସେବାରେ କାହିଁକି
ନିଜକୁ ନିୟୋଜିତ କରିବ, ମଣିଷହିଁ ସକଳ କ୍ଷୁଦ୍ରତା ଓ ପରିଚ୍ଛନ୍ନତାକୁ
ଅତିକ୍ରମ କରି, ସର୍ବ କଦର୍ଥ, ପରାଧୀନତା, ଭୟ ଭାବନା, ଦୁଃଖ ତାପରୁ ମୁକ୍ତି
ପ୍ରାପ୍ତ ହୋଇ, ସକଳ ଅସତ୍ୟ ଓ ଅଶିବକୁ ଧ୍ୱଂସ କରୁ । ନିଜକୁ ଅନନ୍ତ
ଅସୀମ ସଚ୍ଚିତାନନ୍ଦନ ପ୍ରେମସୁନ୍ଦର ଭଗବାନଙ୍କ ନିତ୍ୟଯୁକ୍ତ ନିମନ୍ତେ
ଦୁର୍ଲଭ ପୌରୁଷ ପଣ ପ୍ରାପ୍ତଲଭୁ ।
ପୌରୁଷର ଅନୁଶୀଳନ ଦ୍ୱାରା ପ୍ରକୃତିର ଅଧିନତାରୁ ମନୁଷ୍ୟର
ମୁକ୍ତି, ପ୍ରକୃତି ସହିତ ତାର ପ୍ରେମ ସମ୍ବନ୍ଧ ସ୍ୱତଃ ସ୍ଥାପିତ ହୋଇଯାଏ ।
ପ୍ରକୃତି ସହ ଆତ୍ମିୟତାର ଅନୁଭବ ଘଟେ, ପ୍ରକୃତିର ଅର୍ନ୍ତଃନିହିତ
ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟକୁ ଆସ୍ୱାଦନର ଅଧିକାର ପ୍ରାପ୍ତ ହୁଏ । ଏହି
ଅଦ୍ୱିତୀୟ ସତ୍ୟ ଶିବ ସୁନ୍ଦର, ବିଶ୍ୱ ପ୍ରକୃତିକୁ ଉପଲବ୍ଧ କରିବାକୁ ହେବ ।
ପ୍ରକୃତିର ଦାସତ୍ୱ ବିରୁଦ୍ଧରେ ପୌରୁଷର ବିଦ୍ରୋହ ଘୋଷଣା କରି ପ୍ରକୃତି
ବକ୍ଷରେ ପୌରୁଷର ବିଜୟ ପତାକା ଉଡାଇବାକୁ ହେବ ।
ବାସ୍ତବରେ ମନୁଷ୍ୟ ନିଜକୁ ପୂର୍ଣ୍ଣତା ପ୍ରାପ୍ତ କରୁ,
ଭଗବାନଙ୍କୁ ନିଜ ଭିତରେ ଦେଖୁ । ଏହି ଅନୁଭବ ଭିତରେହିଁ ପ୍ରକୃତିକୁ ଓ
ପ୍ରକୃତି ଭିତରେ ଭଗବାନଙ୍କ ସ୍ୱରୂପ ସତ୍ୟ ପ୍ରକାଶ, ପ୍ରେମର ବିଳାସ, ରସର
ଖେଳ ଓ ମଙ୍ଗଳର ବିଚିତ୍ର ଭାବର ଆସ୍ୱାଦନ କରୁ । ଯେଉଁ ପ୍ରକୃତି ଅସଂଖ୍ୟ
ଭେଦ ବୈଷମ୍ୟ ଦ୍ୱାରା, ଦେଶ, କାଳର ବିଶାଳତା, ବହୁବିଧ ଜଡଶକ୍ତିକୁ ଜୟ
ଘୋଷଣା କରିଛି, ଜୀବ ଓ ଭଗବାନଙ୍କ ମଧ୍ୟରେ ଦ୍ୱରତ୍ୱ ବ୍ୟବଧାନ ସୃଷ୍ଟିକରି
ନିଜକୁ ବିଦ୍ୟମାନ ସୃଷ୍ଟି କରିଛି, ମନୁଷ୍ୟ ନିଜର ଅସୀମ ପୌରୁଷ ବଳରେ ଏସବୁ
ବ୍ୟବଧାନର ଅବସାନ ଘଟାଇଛି । ପ୍ରକୃତିର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗରେ
ଭଗବାନଙ୍କ ସର୍ତ୍ତା ଓ ତାଙ୍କ ଅନନ୍ତ ଜ୍ଞାନ, ପ୍ରେମ, ବୀର୍ଯ୍ୟ,
ଐଶ୍ୱର୍ଯ୍ୟର ଲୀଳାପ୍ରକାଶକୁ ଉପଲବ୍ଧ କରେ । ଏଠି ଦାସ ନିକଟରେ ପ୍ରକୃତିର
ସ୍ୱରୂପ ପ୍ରକାଶ ପାଏ ନାହିଁ । ପୌରୁଷବାନ ମୁକ୍ତ ପୌରୁଷ ନିକଟରେ ପ୍ରକୃତିର
ଯଥାର୍ଥ ସ୍ୱରୂପ ପ୍ରକାଶ ପାଏ ଓ ଅନୁଭବ ହୁଏଯେ, ପ୍ରକୃତି ସତ୍ୟ, ଶିବ,
ସୁନ୍ଦର'ହିଁ ପ୍ରକୃତି । ତାର ଲୀଳା କ୍ଷେତ୍ର, ଆତ୍ମବିନୋଦନ କ୍ଷେତ୍ର,
ବୈଚିତ୍ର ରୂପର ଆସ୍ୱାଦନ କ୍ଷେତ୍ର ଆଦି ପୌରୁଷର ପୂର୍ଣ୍ଣତାରେ ପ୍ରକୃତିର
ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟେକ ରୂପ, ରସ, ଗନ୍ଧ, ସ୍ପର୍ଶାଦି ଭିତରେ ଭଗବାନଙ୍କ
ସହିତ ମନୁଷ୍ୟର ମହାମିଳନ ଘଟେ । ତାହାହିଁ ହେଉଛି ମନୁଷ୍ୟର ପୂର୍ଣ୍ଣ
ସ୍ୱରାଜ୍ୟ ଓ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମର ପୂର୍ଣ୍ଣ ସ୍ୱାର୍ଥକତା ଓ ପୁରୁଷତ୍ୱ ।
ବୈଦିକ ଗ୍ରନ୍ଥଗୁଡିକ ଭାରତୀୟମାନଙ୍କ ଧର୍ମୀୟ ଓ ସାମାଜିକ
ଜୀବନସହ ଯେତିକି ଜଡ଼ିତ ସେହି ପରିମାଣରେ ସେମାନଙ୍କ ପୁରା କଥା ସହ ପରିଚିତ
ହେବାକୁ ସେତିକି ସହାୟକ ହୋଇଥାଏ । ଯଦିଓ ବୈଦିକ ଆର୍ଯ୍ୟ ଉପଜାତିଗୁଡିକର
ଧର୍ମ ବିଶ୍ୱାସ ରୂପ ପରିଗ୍ରହ ଓ ସ୍ଥାୟିତ୍ୱ ଲାଭ କରିବାକୁ ବହୁ ବର୍ଷ
ବିତିଯାଇଥିଲା । ସେସବୁ ପ୍ରକ୍ରିୟାର ବିଭିନ୍ନ ସ୍ତର ବୈଦିକ ସାହିତ୍ୟରେ
ପ୍ରତିଫଳିତ ହୋଇଆସିଛି, ଯାହାକେବଳ ଭାରତୀୟ ଧର୍ମ ବିଶ୍ୱାସ, ସଂସ୍କୃତି,
ସାମାଜିକ ଜୀବନ ସମୂହର ସାମଗ୍ରିକ ସମାହାର ଭାବେ ଗ୍ରହଣ କରାଯାଇପାରେ ।
ବୈଦିକ ଗ୍ରନ୍ଥଗୁଡିକ ଭାରତର ସବୁଠାରୁ ପ୍ରାଚୀନ ଲିଖିତ ସାହିତ୍ୟ ।
ସେସବୁର ବିଷୟ ବସ୍ତୁ ଯେତିକି ବିଚିତ୍ର ମନେହୁଏ, ସେହିଭଳି ଏକାଧିକ
ଐତିହାସିକ କାଳ ପର୍ବରେ ଲିଖିତ ପାଠ ମଧ୍ୟ ସେସବୁରେ ଅର୍ନ୍ତଗତ ହୋଇଛି ।
ଚାରୋଟି ବେଦ, ଯାହା କେବଳ ଭାରତରେ ଜାତ ଧର୍ମ ବିଶ୍ବାସ ସମୂହର ସବୁଠାରୁ
ପ୍ରାଚୀନ ଏକ ସମନ୍ୱିତ ବ୍ୟବସ୍ଥା , ସୁସମଞ୍ଜସ ପ୍ରଥା, ଆଚାର, ପୂଜା ପର୍ବ
ସହ ଦାର୍ଶନିକ ଭାବ କ୍ରିୟାର ଏକ ସମାହାର । ପ୍ରାଚୀନ ଐତିହ୍ୟ ସହିତ ସଂଗତି
ରଖି ବେଦ ଗ୍ରନ୍ଥଗୁଡ଼ିକୁ କେତେକ ଅଂଶରେ ଭାଗକରି ଦର୍ଶାଯାଇଛି । ସେସବୁ
ମଧ୍ୟରେ ପ୍ରଥମ ଅଂଶରେ ଅନ୍ତର୍ଭୁକ୍ତ ହୋଇଛି ସ୍ତୋତ୍ର ବା ସୂକ୍ତ , ଏପରିକି
ସଂହିତା ସମୂହକୁ ନେଇ । "ଋଗ ବେଦ" (ସୂକ୍ତ ଗୁଚ୍ଛ), "ସାମ ବେଦ" (ସ୍ତବ
ଗୁଚ୍ଛ), "ଯଜୁର୍ବେଦ" (ପ୍ରାର୍ଥନା ଓ ଯଜ୍ଞର ସୂତ୍ରବଦ୍ଧ ସମଷ୍ଟି) ଓ
"ଅଥର୍ବେଦ" (ଐନ୍ଦ୍ରଜାଲିକ ମନ୍ତ୍ରୋଚାରଣ ତଥା ଯାଦୁବିଦ୍ୟା ଆଦି ନିୟମାବଳୀର
ସମାହାରରେ ଗଚ୍ଛିତ ) ମିଳିତ ଭାବରେ ଏହାକୁ ସଂହିତା ରୂପରେ ନାମିତ କରାଯାଇଛି
। ସେଭଳି ଏହାର ଦ୍ୱିତୀୟ ଅଂଶଟି ହେଉଛି ବ୍ରାହ୍ମଣ ସଂହିତା ।
କୁହାଯାଇପାରେ ଯେ ସଂହିତା ସମୂହର ଆଚାର ବିଶେଷକରି ଅନୁଷ୍ଠାନ ସଂପର୍କିତ
ସ୍ତୋତ୍ର ଓ ମନ୍ତ୍ରାଦିର ବ୍ୟାଖ୍ୟା ସମୂହକୁ ନେଇ ଗଠିତ ହୋଇଛି । ସେପରି
ତୃତୀୟ ଅଂଶ ହେଉଛି ଆରଣ୍ୟକ ସମୂହ । ଏହା କେବଳ ବନବାସୀ ତପସ୍ୱୀମାନଙ୍କ
ପାଇଁ ରଚିତ ହୋଇଥିଲା । ଶେଷ ଚତୁର୍ଥ ଅଂଶ ହେଉଛି ଉପନିଷଦ ମାନଙ୍କୁୁ ନେଇ ,
ଯାହା କେବଳ ଏକତ୍ର ଗ୍ରଥିତ ହୋଇଥିବା ଧର୍ମ ଓ ଦର୍ଶନ ଶାସ୍ତ୍ର ଆଧାରିତ
ଆଲୋଚନା ଗ୍ରନ୍ଥ ଭାବେ ପରିଚିତ ହୋଇଛି ।
ଆଲୋଚନା ଦୃଷ୍ଟିରୁ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଭାବରେ "ଋଗ୍
ବେଦ"କୁ ଧରାଯାଏ । ଐତିହାସିକ ତଥ୍ୟାନୁସାରେ ଏହା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ
ସହସ୍ରାଦ୍ଦର ଶେଷାଂଶରେ ଓ ପ୍ରଥମ ସହସ୍ରାଦ୍ଦର ପ୍ରାରମ୍ଭରେ ସଂକଳିତ ହୋଇଥିବା
ଅନୁମେୟ । ଏହି ଗ୍ରନ୍ଥରେ ସୃଷ୍ଟି ତତ୍ତ୍ୱ ଓ ବିବାହ ସଂପର୍କିତ
ସ୍ତୋତ୍ର ସମେତ ବହୁ ବିଚିତ୍ର ବିଷୟବସ୍ତୁକୁ ନେଇ ରଚିତ, ଯେଉଁଠିରେ ଏକ
ହଜାର ଅଠାଅଶିଟି ସୂକ୍ତକୁ ନେଇ ସଂକଳିତ । ଏହାର ପରବର୍ତ୍ତୀ କାଳରେ
"ଅଥର୍ବବେଦ" ରଚିତ ହୋଇଥିଲା । କୁହାଯାଏ ପୂର୍ବ ଭାରତର ବୈଦିକ ଆର୍ଯ୍ୟ
ଉପଜାତିମାନେ ଏହାର ସୂକ୍ତି ସମୂହକୁ ରଚନା କରିଥିଲେ । କେତେକ ଅତି
ପ୍ରାଚୀନ ପ୍ରାଚୀନ ସୂକ୍ତି ଏଠିରେ ଅନ୍ତର୍ଭୂକ୍ତ ହୋଇଛି । "ଅଥର୍ବ ବେଦ"ର
ଅନେକ ସୂକ୍ତିରେ ଅନାର୍ଯ୍ୟ ଉପଜାତିମାନଙ୍କ ଭିତରେ ରହିଥିବା ଧର୍ମ ବିଶ୍ୱାସର
ପ୍ରତିଫଳନକୁ ଅନୁଭବ କରିହୁଏ ।
ସଂହିତାଗୁଡିକରେ ସଂକଳିତ ପାଠ୍ୟ ମଧ୍ୟରୁ କେତେକ ଅସମ ମାନ
ବିଶିଷ୍ଟ ମନେହୁଏ । ତଥାପି ଏସବୁ ପ୍ରାଚୀନ ରଚନା ସଂକଳନ ଗୁଡିକ ଲୋକ
ମୁଖରେ ପ୍ରଚଳିତ ହୋଇ ଆସିଥିଲା, ଯାହାର ପ୍ରତିଫଳନ ଘଟିଛି ଲୋକ ସାହିତ୍ୟର
ଦୀର୍ଘ କାଳର ଏକ ଐତିହ୍ୟର ସାହିତ୍ୟକୃତି ଭାବରେ ଗଣ୍ୟ ହୋଇ ପାରିଥିବାରୁ ।
ଏକଥା ମଧ୍ୟ ସତ୍ୟ, ଏହି ସଂହିତା ଗୁଡ଼ିକର ରଚୟିତାମାନଙ୍କୁ ଋଷି ବୋଲି
ଧରାଯାଏ । ପ୍ରାଚୀନ କାଳର ଚାରଣମାନେ ଋଷିଗଣଙ୍କ ରଚିତ ଶ୍ଳୋକ ଗୁଡିକୁ
ବାରମ୍ବାର ମୁଖସ୍ଥ କରିବା ପରେ ଗାନ କରୁଥିଲେ । "ଋକ ବେଦ"ର ସବୁଠାରୁ
ପ୍ରାଚୀନ ସୂକ୍ତି ଗୁଡିକ ମଧ୍ୟ ଛନ୍ଦର ସୁନିର୍ଦ୍ଦିଷ୍ଟ ନିୟମାନୁସାରେ
ହୋଇଛି । ପରେ ପରେ ଏସବୁ କାବ୍ୟକବିତା ରଚନାରେ ମଧ୍ୟ ଏହି ସବୁ ଛନ୍ଦର
ସୁନିର୍ଦ୍ଦିଷ୍ଟ ପ୍ରୟୋଗ କରାଯାଇଛି । ତନ୍ମଧ୍ୟରୁ ଏକ ଛନ୍ଦୋବଦ୍ଧ ପଦ
ରଚନାରେ ଅନୁସ୍କୃତ, ଯାହା କେତେକ ପରବର୍ତ୍ତୀ ଯୁଗରେ ଶ୍ଳୋକରେ ପରିଣତ
ହୋଇଥିଲା । ତେଣୁ ବିଚାର ଯୋଗ୍ୟଯେ ପ୍ରାଚୀନ ଭାରତୀୟ କାବ୍ୟ ସାହିତ୍ୟରେ ଏକ
ବିଶେଷ ପଦ ରଚନାର ନିୟମାନୁ ପଦ୍ଧତି କବିତା ର ମୁଖ୍ୟ ବାହଳ/ବାହନ
ହୋଇପାରିଥିଲା ।
ଋଷିଗଣଙ୍କ ଅନେକ ଆବେଗିକ ଅନୁଭୂତିର ଗାଥା ହେଉଛି ଏସବୁ ସୂକ୍ତି ।
ବେଦ ସମୂହର ବହୁ ସୂକ୍ତରେ ପ୍ରକୃତିର ଅପରୂପ ଚିତ୍ରକୁ ଚିତ୍ରିତ କରାଯାଇଛି,
ମାନବିକ ଆବେଗ ଅନୁଭୂତିର ଏପରି କାବ୍ୟମୟ ବର୍ଣ୍ଣନା ଭରି ରହିଛି, ତତ୍
ସଂଗେ ସଂଗେ ସମୃଦ୍ଧ ଉପମା ଓ ଚାପକଳ୍ପ ଦ୍ଵାର ପୂର୍ଣ୍ଣ ହୋଇଛି ଯେ ,
ସେହି ଦୃଷ୍ଟିରୁ ତାକୁ ଆଦର୍ଶ କବିତା ବୋଲି ଗ୍ରହଣ କରାଯାଇ ପାରେ ।
ଉଦାହରଣ ସ୍ଵରୂପ ଉଷା ଦେବୀ ଉଷସଙ୍କ ଉଦ୍ଦେଶ୍ୟରେ ରଚିତ ହୋଇଥିବା ସ୍ତବ
ବିଶେଷ ଭାବେ ଅନୁପ୍ରାଣିତରେ ପରିପୂର୍ଣ୍ଣ ହେବାର ଅନୁଭବ କରି ହୁଏ ।
ସାମଗ୍ରୀକ ଭାବରେ ବିଚାରକୁ ନିଆଗଲେ ଏସବୁ ସ୍ତୋତ୍ର ଗୁଡିକ ମୁଖ୍ୟତଃ ଧର୍ମ
ଶାସ୍ତ୍ରର ଅଙ୍ଗ ସ୍ୱରୂପ । କିନ୍ତୁ ବାସ୍ତବ ଜୀବନ କ୍ଷେତ୍ରରେ ଓ ଲୋକ
ଐତିହ୍ୟରେ ଏସବୁର ମୂଳ ନିହିତ ଥିବାରୁ ସେସବୁ ପ୍ରାୟ ସାଧାରଣ ଭାବରେ ଧର୍ମ
ନିରପେକ୍ଷ କାବ୍ୟ ଭାବେ ଗ୍ରହଣ କରାଯାଇ ପାରେ । ଏଭଳି ଅନେକ ବୈଦିକ
ରଚନାରେ ଏହି ସାଧାରଣ ଭାବ ଭେଦ ବାଦର ସୁନିର୍ଦ୍ଦିଷ୍ଟ ପ୍ରକୃତି ଓ ବହୁ
ବୈଦିକ ଧ୍ୟାନ ଧାରଣାରେ ମାନବତ୍ୱ-ଆରୋପଣ ଗୁଣର ପ୍ରତିଫଳନ ଘଟିଛି । ଦେବ
ସମୂହରେ ଦେବତାମାନଙ୍କୁ ମଣିଷର ଘନିଷ୍ଠ ସାଦୃଶ୍ୟ ରୂପରେ ତୁଳନା କରାଯାଇଛି
ଓ ସେମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ସ୍ତୋତ୍ର ଗୁଡିକରେ ଏହି ଚାରଣ ଋଷିଗଣ
ନିଜ ନିଜର ଜାଗତିକ ଅଭିଜ୍ଞତା ତଥା ଆବେଗ ଅନୁଭୂତିର ନିରପେକ୍ଷ ବର୍ଣ୍ଣନା
ଅର୍ଘ୍ୟ ସ୍ୱରୂପ ପ୍ରଦାନ କରିଛନ୍ତି, ତାହା କେବଳ ସେମାନଙ୍କ ଆନନ୍ଦ
ବେଦନାର ଅଭିବ୍ୟକ୍ତିର ସ୍ମୃତି ।
ବୈଦିକ ସାହିତ୍ୟ ଅର୍ଥାତ 'ଋଗ୍ ବେଦ' ମଧ୍ୟ , ନାଟକୀୟ ଢ଼ଙ୍ଗରେ
ଉପସ୍ଥାପନ କରାଯାଇଥିବା ତାର ବିଭିନ୍ନ ଲକ୍ଷଣରୁ ପରିଲକ୍ଷିତ ହୁଏ । ଫଳତଃ
ପରଵର୍ତ୍ତୀ ସାହିତ୍ୟରେ ଏସବୁ ଲକ୍ଷଣ ଗୁଡିକ ପୂର୍ଣ୍ଣ ମାତ୍ରାରେ ନାଟକ
ଆକାରରେ ବିକାଶ ଲାଭ କରିଛି । ଏ'ସଂପର୍କରେ "ଋଗ୍ ବେଦର" ତଥାକଥିତ
ସ୍ତୋତ୍ରର କଥୋପକଥନ ଗୁଡିକ ଦୃଷ୍ଟିକୁ ନିଆଯାଇପାରେ । ମନେହୁଏ, ଏସବୁ କେବଳ
ମାତ୍ର ଧର୍ମୀୟ ମନ୍ତ୍ର କଦାପି ନଥିଲା, ବରଂ ନାଟକୀୟ ଭଙ୍ଗୀରେ ଉପସ୍ଥାପନ
କରିବା ପାଇଁ ହୁଏତ ରଚିତ ହୋଇ ଥାଇପାରେ । "ଋଗ୍ ବେଦ"ର କେତେକ ଉପଖ୍ୟାନକୁ
ନେଇ ପରବର୍ତ୍ତୀ ସମୟରେ ଅନେକ କବି ବା ନାଟ୍ୟକାର ମାନଙ୍କ ନାଟକ ରଚନା
କରିବା ପାଇଁ ବିଷୟବସ୍ତୁ ଯୋଗାଇଛି, ଅଧିକରୁ ଅଧିକ ଆଗ୍ରହନିତ୍ୱ ଓ ପ୍ରେରଣା
ଯୋଗାଇ ଆସିଛି । ଯେଭଳି ମହାକବି କାଳିଦାସ "ବିକ୍ରମୋର୍ବଶୀ' ଅର୍ଥାତ ବୀରତ୍ବ
ବଳରେ ବିଜିତା ଉର୍ବଶୀ" ନାଟକକୁ ଦୃଷ୍ଟିକୁ ନିଆଯାଇପାରେ । ମହାକବି
କାଳିଦାସ ସ୍ୱର୍ଗର ଅପସରା ଉର୍ବଶୀଙ୍କ ପ୍ରତି ରାଜା ପୁରୁରବାଙ୍କ ଶାଶ୍ୱତ
ପ୍ରେମ ଉପଖ୍ୟାନଟିକୁ ଗ୍ରହଣ କରିଥିଲେ । ନାଟକୀୟ ପୁଟ ଦେଇ ସେ
ଉପଖ୍ୟାନଟିକୁ ଅଧିକ ସରସ ସୁନ୍ଦର କରିଛନ୍ତି ।
ସାମାଜିକ ଅବା ମାନବିକ ଦୃଷ୍ଟିରୁ ବୈଦିକ ସାହିତ୍ୟର ଅନେକେ
ସୂକ୍ତରେ ସୂକ୍ତରେ ଶୁଭ ଓ ଅଶୁଭ ମଧ୍ୟରେ, ଦେବତା ଓ ଦାନବ ଭିତରେ,
ବିଭିନ୍ନ ଜାତି ଉପଜାତି ମଧ୍ୟରେ ନାନା ଦ୍ୱନ୍ଦ୍ୱ ଓ ଯୁଦ୍ଧ କାହାଣୀ ଉଲ୍ଲେଖ
କରାଯାଇଛି । ଦୃଷ୍ଟାନ୍ତ ସ୍ୱରୂପ ଦଶ ନରପତିଙ୍କ ମଧ୍ୟରେ ଘଟିଥିବା ସଂଗ୍ରାମ
ଉପାଖ୍ୟାନ ମୂଳକ କାହାଣୀ ଅଧିକ ଚିତ୍ତରଞ୍ଜନ ହୋଇପାରିଛି । ଏଥିରେ
ବର୍ଣ୍ଣନା ଅଛି, ପରାକ୍ରାନ୍ତ ରାଜା ସୁଦାସ କିଭଳି ଇନ୍ଦ୍ରଙ୍କ ସହାୟତା ପାଇ
ଉତ୍ତାଳ ଢେଉକୁ ଅତିକ୍ରମ କରି ପରୁଷନୀ ନଦୀକୁ ପାର ହୋଇ ସନ୍ନିକଟ ପରାଜୟରୁ
ରକ୍ଷା ପାଇଥିଲେ । ଇନ୍ଦ୍ରଙ୍କ ବିନା ସହାୟତାରେ ତାହା ତାଙ୍କ ଲାଗି ସମ୍ଭବ
ହୋଇ ନଥାନ୍ତା କି ସେ କେବେ ନିଜର ବୀରତ୍ବର ପରାକାଷ୍ଠା ଦର୍ଶାଇବାରେ ସଫଳ
ହୋଇ ପାରିନଥାନ୍ତେ । ପ୍ରକୃତରେ "ଋଗ୍ ବେଦ"କୁ ପଣ୍ଡିତମାନେ ସଠିକ ଭାବରେ
ମହାକାବ୍ୟଗୁଡିକର ପ୍ରଧାନ ବୈଶିଷ୍ଟ୍ୟ ସୂଚକ ଏହା ବୀରଗାଥା ତଥା ସେସବୁର
ମୂଳ ଉତ୍ସ ଭାବେ ଦର୍ଶାଇଛନ୍ତି । ବିଶେଷ କରି ସାହିତ୍ୟ ଓ ଇତିହାସ
ବିଷାରଦଗଣଙ୍କ ଦୃଷ୍ଟି କୋଣରୁ ବିଚାରକୁ ନେଲେ ସ୍ପଷ୍ଟ ହୁଏ, ସଂହିତା ସମୂହ
ଠାରୁ ବ୍ରାହ୍ମଣ ଗୁଡିକ କମ୍ ଆଗ୍ରହୋଦ୍ଦୀପକ ବୋଲି ମନେ ହୁଏ । ପୁଣି
ବ୍ରାହ୍ମଣ ଗୁଡିକରେ ଧର୍ମୀୟ ଯଜ୍ଞ ଆଦିର ଆଚରିତ ଅନୁଷ୍ଠାନର ଗଦ୍ୟମୟ
ବ୍ୟାଖ୍ୟା ସହ ମହାପ୍ରଳୟର କାହାଣୀ ସଂପର୍କରେ ଅତି ଚମତ୍କାର ଆଲେଖ୍ୟ ରହିଛି ।
ସେଭଳି ବେଦାଙ୍ଗଗୁଡିକ ବୈଦିକ ସାହିତ୍ୟର ଅନ୍ତର୍ଗତ ହୁଏ ।
ଏହାକୁ ବୈଜ୍ଞାନିକ ଜ୍ଞାନ ଦର୍ଶନର ଗନ୍ତାଘର ଭାବରେ ଧରାଯାଏ । ଏହି
ବେଦାଙ୍ଗଗୁଡିକୁ ଛଅଟି ଶାଖାରେ ବିଭକ୍ତ କରାଯାଇଛି, ଶିକ୍ଷା (ଶଦ୍ଦତତ୍ତ୍ୱ),
ବ୍ୟାକରଣ, ନିରୁକ୍ତ (ଶଦ୍ଦର ପ୍ରକୃତି ପ୍ରତ୍ୟୟ ଓ ମୂଳ ବ୍ୟୁତ୍ପତ୍ତି
ସଂକ୍ରାନ୍ତୀୟ ତତ୍ତ୍ୱ), କଳ୍ପ (ଧର୍ମୀୟ ଭଜନ ପୂଜନ ପଦ୍ଧତି ସଂକ୍ରାନ୍ତ
ଶାସ୍ତ୍ର), ଛାନ୍ଦସ (ଛନ୍ଦବିଦ୍ୟା) ଓ ଜ୍ୟୋତିଷ (ଜ୍ୟୋର୍ତିବିଦ୍ୟା) ବୁଝାଏ ।
ଏସବୁ ପରବର୍ତ୍ତୀ ଯୁଗରେ ଲିଖିତ ଶାସ୍ତ୍ର ସମୂହର ପରିଚୟ ସୂଚକ ସ୍ମୃତି
ପରିବର୍ତ୍ତେ ଶ୍ରୂତି ନାମରେ ପରିଚିତ ହୋଇଛି ।
ବୈଦିକ ସାହିତ୍ୟରୁ ଯେଉଁ ସବୁ ତଥ୍ୟ ମିଳେ, ତାହା କେବଳ
ପ୍ରାଚୀନ ଯୁଗ ସାହିତ୍ୟର ବିକାଶ ଉପରେ ଧାରଣା ଦିଏନାହିଁ ବରଂ ଏକ
ନିର୍ଦ୍ଦିଷ୍ଟ ଯୁଗର ଅର୍ଜିତ ଜ୍ଞାନ ବିଜ୍ଞାନ ସମ୍ବନ୍ଧରେ ଆଭାସ ଦିଏ ।
ବୈଦିକ ଯୁଗୀୟ ମଣିଷର ଧର୍ମୀୟ ପୂଜା ପାଠ ସହ ଜ୍ୟୋର୍ତିବିଦ୍ୟା ସଂକ୍ରାନ୍ତରେ
ଜ୍ଞାନ, ଭାରତୀୟ ମାନେ ସୂର୍ଯ୍ୟ ଚନ୍ଦ୍ର ସହ ପରିଚିତ, ଗ୍ରହମାନଙ୍କ
ଅସ୍ତିତ୍ବ କଥା ଜାଣିଥିଲେ, ଗୋଟିଏ ଗୋଟିଏ ନକ୍ଷତ୍ର ପୁଞ୍ଜ ସହିତ ସେମାନଙ୍କ
ପରିଚୟ ଥିଲା, ବର୍ଷ ପଞ୍ଜିକରଣରେ ବାର ମାସ ଓ ତିରିଶ ଦିନ ଧାର୍ଯ୍ୟ
କରୁଥିଲେ ଏସବୁ ବୈଦିକ ସାହିତ୍ୟରେ ପ୍ରତିଫଳିତ ହୋଇଛି । ଏପରିକି ପ୍ରାଚୀନ
କାଳର ଗଣିତରେ ଅର୍ଜିତ ଜ୍ଞାନ କୌତୁହଳୋଦ୍ଦୀପକ ଶୁକ୍ଳସୂତ୍ର ଅର୍ଥାତ ସୂତାରେ
ମାପିବାର ନିୟମ ସମୂହର ସୂଚନା ଦିଏ, ଶୁକ୍ଳ ଅର୍ଥ ପ୍ରଥମେ 'ସୂତ୍ର'
ବୁଝାଉଥିଲା । ଜ୍ୟାମିତିକ ଆକୃତି, ଅବୟବର ନିର୍ମାଣ, ହିସାବ ପଦ୍ଧତିର ସୂଚନା
ଦିଏ । କେବଳ ତାହା ନୁହେଁ ବୈଦିକ ତତ୍କାଳୀନ ଭାରତୀୟମାନେ ଚିକିତ୍ସା
ବିଜ୍ଞାନ କ୍ଷେତ୍ରରେ ବିରାଟ ଜ୍ଞାନର ଅଧିକାରୀ ହୋଇ ପାରିଥିଲେ । ମଣିଷର
ନାନା ରୋଗ ବ୍ୟାଧିର ଉପଶମ ପାଇଁ ଚେରମୂଳ, ବିଶେଷ ମଲମ, ଜଳ ଚିକିତ୍ସା ଆଦି
ପଦ୍ଧତି ସେମାନଙ୍କୁ ଜଣାଥିଲା । "ଅଥର୍ବ ବେଦ"ରେ ଔଷଧ ପତ୍ର ସମ୍ପର୍କରେ
ବିଶଦ ଧାରଣା ଦିଆଯାଇଛି । ଏପରିକି ରୋଗ ନିରାକରଣ ନିମନ୍ତେ ବିଭିନ୍ନ
ତନ୍ତ୍ର ମନ୍ତ୍ର ସେଥିରେ ଲିପିବଦ୍ଧ ହୋଇଛି । ପୌରାଣିକ ସଂସ୍କାରାଚ୍ଛନ୍ନ
ଧ୍ୟାନ ଧାରଣା, ଯୁକ୍ତି ସମ୍ମତ ମନ୍ତବ୍ୟ, ସିଦ୍ଧାନ୍ତାଦି ଲିପିବଦ୍ଧ ହୋଇଥିବା
ଦେଖିବାକୁ ମିଳିଥାଏ ।
ବିଶେଷ ଭାବରେ ବୈଦିକ ଯୁଗର ଭାରତୀୟ ମଣିଷର ଭୋଗ-ବୈରାଗ୍ୟ ଭାବ
ପ୍ରକ୍ରିୟାକୁ ଦେବ-ଦେବୀଙ୍କ କ୍ରୋଧ ଓ ଆରୋଗ୍ୟ ଲାଭକୁ ସେମାନେ ଦେବ/ଦେବୀଙ୍କ
ପ୍ରସନ୍ନ ହେବାର ଲକ୍ଷଣ ବୋଲି ବିଚାର କରୁଥିଲେ । ବେଦରେ ସ୍ୱର୍ଗର
ଚିକିତ୍ସକ ଅଶ୍ୱିନୀ କୁମାର ଓ "ଭିଷଜ୍-ରାଜଦ୍ୱୟ" ଭାବେ ପରିଗଣିତ ବରୁଣ ତଥା
ସୋମ ଦେବତାଙ୍କ ପ୍ରତି ନିବେଦିତ କେତେକ ସ୍ତୋତ୍ରରୁ ବୁଝାପଡେ । ରୋଗର ଉପଶମ
ପାଇଁ ଚିକିତ୍ସା କ୍ଷେତ୍ରରେ ବେଳେ ବେଳେ ଜାଦୁବିଦ୍ୟାର ଗୁରୁତ୍ୱ ପୂର୍ଣ୍ଣ
ଭୂମିକା ନିର୍ଵାହ କରୁଥିଲେ । ସଂହିତାଗୁଡିକରୁ ଜଣାପଡେ ତତ୍କାଳୀନ
ଚିକିତ୍ସକମାନେ ଚକ୍ଷୁ, ହୃଦୟ, ପାକସ୍ଥଳୀ, ଫୁସଫୁସ ଓ ଚର୍ମ ଆଦିର ଉତ୍ତମ
ଚିକିତ୍ସା କରି ପାରୁଥିଲେ । ବୈଦିକ ସାହିତ୍ୟରେ ମାନବ ଦେହର ପ୍ରାୟ ତିନିଶହ
ବିଭିନ୍ନ ଅଙ୍ଗ ଓ ଅଂଶର ନାମୋଲ୍ଲେଖ ଥିବା ଜଣାପଡେ । ତେଣୁ ଆଧୁନିକ
ଚିକିତ୍ସା କ୍ଷେତ୍ରରେ ବୈଦିକ ସାହିତ୍ୟର ଅବଦାନ ଅତୁଳନୀୟ ।
ବାସ୍ତବରେ ବୈଦିକ ସାହିତ୍ୟହିଁ ଭାରତୀୟମାନଙ୍କ ପ୍ରାତ୍ୟହିକ ଜୀବନ
ଯାତ୍ରାର ଶୁଭ ସଙ୍କେତ ଥିଲା, ଅଛି ଓ ରହିଥିବ ଏହା କଦାଶ୍ଚିତ ଅସ୍ୱୀକାର
କରିହେବ ନାହିଁ....!!!
ପରମ୍ପରାର ମାହାତ୍ମ୍ୟ ଆକାଶଦୀପ ବନାମ ଦୀପଦାନ
ସଂସ୍କୃତି ଏକ ଚେତନା, ସାମଗ୍ରିକ ଜୀବନବୋଧର ଚିରନ୍ତନ
ପ୍ରତୀକ । ମାନବିକ ପ୍ରକୃତିକୁ ନିୟନ୍ତ୍ରଣକରି ତାର ଉତ୍କର୍ଷ ସାଧନ କରିବା
ଓ ଆତ୍ମିକ ଗୁଣାବଳୀର ଉନ୍ନତି ସାଧନ କରିବାର ପ୍ରଣାଳୀ ହେଉଛି ସଂସ୍କୃତି ।
ଯାହା କେବଳ ଗୋଟିଏ ଜାତିର ସାହିତ୍ୟ, ଧର୍ମ, ଦର୍ଶନ, ପରଂପରାକୁ ପରିପୃଷ୍ଠ
କରିଥାଏ, ବିଶ୍ୱଦରବାରରେ ପରିଚିତ ଓ ସମ୍ମାନିତ କରାଏ । ସଂସ୍କୃତି ହେଉଛି
ପ୍ରବାହମାନ ଧାରା । ସତ୍ୟ, ଶିବ, ସୁନ୍ଦର ଏହାର ଆଧାର, ପରମ୍ପରା ଏହାର
ବିଭବ । ଏହି ବିଭବହିଁ ମାନବକୁ ଦେବତ୍ୱର ଆସନରେ ଅଳଙ୍କୃତ କରାଏ ।
ସଂସ୍କୃତିର ଆଧାରରେ ସୃଷ୍ଟ ସାହିତ୍ୟ, କଳାର ସ୍ଥାପତ୍ୟ, ଧର୍ମର ଦୃଢ
ବିଶ୍ୱାସ, ପରମ୍ପରା କାଳଜୟୀ ପାଲଟେ । ସଂସ୍କୃତିକୁ ବାଦ ଦେଇ ମଣିଷ ଜୀବନ
ନିରର୍ଥକ ହୁଏ । କାରଣ ସଂସ୍କୃତିରେ ବାରମାସରେ ତେର ପର୍ବର ମହୋତ୍ସବ ପାଳନ
ବିଧି ବିଧାନ ନିହିତ ଥିବାରୁ ମଣିଷର କର୍ମମୟ ଜୀବନ ନୀରସରୁ ଆନନ୍ଦ ମୁଖର
ହୋଇ ଉଠିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଭାବ, ମାନସିକ ଶାନ୍ତି, ଶୁଦ୍ଧ ପୂତ
ଜୀବନ ସହ ନୂତନ କର୍ମ ପ୍ରେରଣା ଜାଗ୍ରତ କରେ ।
ଦୀପାବଳି ଏକ ସର୍ବଭାରତୀୟ ଉତ୍ସବ, କେହିକେହି ଏହାକୁ ଆଲୋକ ବା
ଦୀପଦାନର ଉତ୍ସବ ବୋଲି ଦର୍ଶାଇଥାନ୍ତି । ଏହି ଉତ୍ସବ ସମ୍ବନ୍ଧରେ କାଳିକା
ପୁରାଣ, ସ୍କନ୍ଦ ପୁରାଣ ଓ ଲିଙ୍ଗ ପୁରାଣରେ ଉଲ୍ଲେଖ ରହିଛି । ଦୀପାବଳୀରେ
ଘରଦ୍ୱାରକୁ ପ୍ରଦୀପମାଳାରେ ସଜ୍ଜିତ କରାଯାଏ । କାଉଁରିଆ କାଠିରେ ଅଗ୍ନି
ସଂଯୋଗ କରାଯାଇ ବଡବଡୁଆଙ୍କୁ ଡକାଯାଏ । ଆଲୋକ ପ୍ରଜ୍ଜଳିତ ହେବା ଓ ବାଣମରା
ଦ୍ୱାରା ନାନା ଜୀବାଣୁ ନଷ୍ଟ ହୁଅନ୍ତି, ଏପରିକ ଶସ୍ୟ କ୍ଷେତ୍ରରେ ଫସଲରେ
ଲାଗିଥିବା ଦୀଆଲୀ ପୋକ ମଧ୍ୟ ନଷ୍ଟ ହୁଅନ୍ତି, ବୈଜ୍ଞାନିକ ଦୃଷ୍ଟିରୁ ଏହି
ଉତ୍ସବର ପ୍ରୟୋଜନୟତା ହୃଦବୋଧ କରିହୁଏ । ଏହି ଉତ୍ସବରେ ବ୍ୟବସାୟମାନେ
ସେମାନଙ୍କ ପ୍ରତିଷ୍ଠାନର ନୂତନ ଖାତା କରନ୍ତି । ଅନେକ ଲକ୍ଷ୍ମୀପୂଜା କରନ୍ତି
। ଅନେକ ମଧ୍ୟ ବଶ୍ୟ 'ଶ୍ରୀଯନ୍ତ୍ର' କାନ୍ଥରେ ଓ ତିଜୋରି ଉପରେ ଲେଖି
ପୂଜା କରନ୍ତି । ଆଉକେତେକ ଉର୍ଜପତ୍ରରେ ଗୋରଚନାରେ ଶ୍ରୀଯନ୍ତ୍ର ହସ୍ତରେ
ବ୍ରତ ଧାରଣକରି ରାତି ଉଜାଗର ରହି ବ୍ରତ ପାଳନ କରନ୍ତି ।
କୁହାଯାଏ ତାନ୍ତ୍ରିକମାନେ ଦୀପାବଳି ଅମାବାସ୍ୟାରେ ପେଚା ଓ
ଖଞ୍ଜନ ପକ୍ଷୀମାନଙ୍କୁ ବଶକରି ଅସାଧ୍ୟ ସାଧନ କରନ୍ତି, କେତେକ ସାଧକ
ଶଶ୍ମାନରେ ଯଜ୍ଞ କରି ମା'କାଳୀଙ୍କୁ ପୂଜା କରି ସିଦ୍ଧି ଲାଭ କରନ୍ତି ।
ଓଡିଶାରେ ସେଦିନ ପୟାଶ୍ରାଦ୍ଧ ଦିଅନ୍ତି, ଅର୍ଥାତ୍ ପରଗତ ଆତ୍ମୀୟଙ୍କ
ଉଦେଶ୍ୟରେ ପିଣ୍ତଦାନ କରନ୍ତି । ଦିପାବଳି ସହ ଆଉ ଚାରୋଟି ପର୍ବ ସଂପୃକ୍ତ
ରହିଛି । ଧନାଦାତ୍ରିୟୋଦଶୀ, ନରକଚର୍ତୁଦଶୀ, ଦୀପାବଳି ଅମାବାସ୍ୟା ଓ
ଅନ୍ନକୂଟ ବା ଗୋବର୍ଦ୍ଧନ ଉତ୍ସବ । ଉତ୍ତର ଭାରତରେ କଂସାବାସନ
ବ୍ୟବସାୟୀମାନଙ୍କର ଧନାଦାତ୍ରିୟୋଦଶୀ ହେଉଛି ବଡ ପର୍ବ । ଏହି ପର୍ବଦିନ
ସେମାନେ ଦୋକାନକୁ ସଜାଇ ବ୍ୟବସାୟ ଆରମ୍ଭ କରିଥାନ୍ତି । ସେଭଳି ନରକାସୁରକୁ
ବଧ କରିବାକୁ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତା ନେଇଥିଲେ, ଫଳତଃ
ସେହିଦିନ ଠାରୁ କାଳୀ ପୂଜା ହୋଇଆସୁଛି । ତ୍ରେତୟାରେ ପ୍ରଭୃ ଶ୍ରୀରାମ ଚଉଦ
ବର୍ଷ ବନବାସ ପରେ ଏହି ଦିନରେ ଅଯୌଧ୍ୟା ଫେରିଥିଲେ । ଶ୍ରୀରାମଚନ୍ଦ୍ରଙ୍କୁ
ସ୍ୱାଗତ କରିବା ପାଇଁ ଅଯୋଧ୍ୟାବାସୀ ଉତ୍ସବ ମହାଡମ୍ବରେ ପାଳନ କରିଥିଲେ,
ଯାହାର ସ୍ମୃତି ସୂରୂପ ସେହିଦିନ ଠାରୁ ଦିପାବଳି ଉତ୍ସବ ପାଳିତ ହୋଇଆସୁଛି,
ଏପରିକି ଅନେକ ସ୍ଥାନରେ ମଧ୍ୟ ରାମାଭିଷେକ ପାଳନ କରାଯାଉଛି । ଦ୍ୱାପରରେ
ଗୋକୁଳ ରକ୍ଷକ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ କୋପରୁ ଏହିଦିନ ଗୋପ ପୁରକୁ ରକ୍ଷା
କରିବାକୁ ଯାଇ ଇନ୍ଦ୍ରଙ୍କ ଦର୍ପ ଚୂର୍ଣ୍ଣ କରି ଥିବାରୁ ଦୀପାବଳି ଉତ୍ସବ
ପାଳିତ ହୋଇ ଆସୁଛି । ଅପରପକ୍ଷରେ ମଧ୍ୟ ଏହି ଦିନଟିକୁ ମୃତ୍ୟୁ ଅଧିପତି
ଯମଙ୍କ ପୂଜା ଆଗ୍ରହ ସହକାରେ କରିବା ଶାସ୍ତ୍ର ସମ୍ମତ, ମୃତ୍ୟୁଲୋକରେ ହେଉ
ଅବା ଆଦର୍ଶ ଶଶକ ରୂପେ ହେଉ କେତକ ଆଗ୍ରହ ସହକାରେ ପାଳନ କରନ୍ତି ।
ବିଶେଷତଃ ଭାଇମାନଙ୍କ ଫାଇଁ ଅତି ନିଷ୍ଟାର ସହ ଭଉଣୀ ଏହି ପର୍ବ ପାଳନ କରି
ସେମାନଙ୍କୁ ମିଷ୍ଟାନ ଦେଇ ସନ୍ତୁଷ୍ଟ କରନ୍ତି ।
ଆଲୋକର ସ୍ମାରକୀ ଦୀପାବଳି ବନାମ କାଳିପୂଜା । ପବିତ୍ର ଦିପାବଳି
ଅବସରରେ ଓଡିଆ ସାଧବ ପୁଅ ବୋଇତ ନେଇ ଦରିଆ ପାରିରେ ବାଣିଜ୍ୟ କରି ଫେରେ
। ଏଭଲି ପରୀପ୍ରେକ୍ଷୀରେ ସେମାନଙ୍କ ଆଗମନରେ ଦୀପ ଜଳାଇ ସ୍ୱାଗତ କରାଯାଏ ।
କଥିତ ଅଛି ସ୍ୱାମୀ ଶଙ୍କରାଚାର୍ଯ୍ୟଙ୍କ ନିର୍ଜୀବ ଶରୀର ଏହି ଦିବସରେ
ପୁନରପି ଜୀବନ୍ୟାସ ପାଇଥିଲା । ଜୈନ ଧର୍ମାଲମ୍ବୀମାନେ ଏହି ଦିବସକୁ ଚବିଶତମ
ତୀର୍ଥଙ୍କର ମହାବୀରଙ୍କ ନିର୍ବାଣ ଦିବସ ଭାବରେ ଉତ୍ସବ ପାଳନ କରିଆସୁଛନ୍ତି
। ଆର୍ଯ୍ୟ ସମାଜର ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ତିରୋଧାନ ଏଭଳି ଏକ ପବିତ୍ର
ଦିବସରେ ଘଟିଥିବା ବେଳେ ଐତିହାସିକମାନଙ୍କ ମତରେ ଏହି ଦିନରେହିଁ
ବିକ୍ରମାଦିତ୍ୟ ସିଂହାସନ ଆରୋହଣ କରିଥିଲେ ।
ଦୂରଦ୍ରଷ୍ଟା ଆର୍ଯ୍ୟ ଋଷିଗଣ ଶ୍ରାଦ୍ଧ, ତର୍ପଣ ଓ ଦୀପ ଦାନ
ପାଇଁ ଆଶ୍ୱିନ ଓ କାର୍ତ୍ତିକ ଏହି ଦୁଇମାସକୁ ମହତ୍ୱପୂର୍ଣ୍ଣ ଉପାସନାର
କାଳରୂପେ ନିର୍ଣ୍ଣୟ କରିଛନ୍ତି । ଯେଉଁମାନେ ବୈଦିକାଚର ଓ ମନ୍ତ୍ରୋଚାରଣ
କରିପାରନ୍ତି ନାହିଁ ସେମାନେ କାଉଁରିଆ କାଠି ଜାଳି ପରଗତ ବଡ ବଡୁଆଙ୍କୁ
ଏହି ଦିନରେ ସ୍ମରଣ କରିଥାନ୍ତି । ସୁସ୍ଥ ଓ କଲ୍ୟାଣମୟ ଜୀବନ ନିମିତ୍ତ
କାର୍ତ୍ତିକ ମାସକୁ ଗ୍ରହଣ କରାଯାଏ । ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣ
ନାରାୟଣଙ୍କ ଅତିପ୍ରିୟ ଓ ବର୍ଷ ମଧ୍ୟରେ ସବୁଠାରୁ ଶ୍ରେଷ୍ଟ ପବିତ୍ରତମ
କାର୍ତ୍ତିକ ମାସକୁ ଧରାଯାଏ । ଏହି ମାସ ଆଧ୍ୟାତ୍ମିକ ଉଦବେଳନର ମାହେନ୍ଦ୍ର
ବେଳା, ପ୍ରାତଃସ୍ନାନ, ସାତ୍ତ୍ୱିକ ଆହାର ବା ହବିଷ୍ୟାନ୍ନ, ଭଗବତ୍ ଚିନ୍ତନ/ଭଜନ
ଓ ଦୀପଦାନର ବିଶେଷ ମହତ୍ତ୍ୱ ରହିଛି । ଏହି ମାସଟି ଶ୍ରୀହରିଙ୍କ ଅତି
ପ୍ରିୟମାସ ହୋଇଥିବାରୁ ପଦ୍ମପୁରାଣରେ ଉଲ୍ଲେଖ ଅଛି "ଦ୍ୱାଦଶ ସ୍କନ୍ଦ ମାସେସୁ
କାର୍ତ୍ତିକ କୃଷ୍ଣ ବଲ୍ଲବୀ ।" ସେହିଭଳି ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି :
"ନ କାର୍ତ୍ତିକ ସମୋମାସୋନ କୃର୍ତ୍ତେନ ସମଂ ଯୁଗମ୍
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗୋୟୋ ସମଂ ।
କାର୍ତ୍ତିକଂ ଖଳୁ ବୈ ମାସଂ ସର୍ଥମାସେ ସୁଚରସମ୍
ପୁଣ୍ୟନାଂ ପରମ ପୁଣ୍ୟଂ ପାବନାନାଞ୍ଚ ପାକନମ୍ ।"
ଅର୍ଥାତ୍ କାର୍ତ୍ତିକ ମାସ ସମ ମାସ ନାହିଁ କି ସତ୍ୟଯୁଗ
ପରି ଯୁଗନାହିଁ , ବେଦ ସମାନ ଶାସ୍ତ୍ର ନାହିଁ କି ଗଙ୍ଗା ସଦୃଶ ତୀର୍ଥ
ନାହିଁ । ତେଣୁ ମାସ ଶ୍ରେଷ୍ଠ କାର୍ତ୍ତିକ ଭଗବତ୍ ଆରାଧନା ଓ ଉପାସନା
ନିମିତ୍ତ ସର୍ବ ଗରିଷ୍ଠା ମାସ ଭାବରେ ଗ୍ରହଣ କରାଯାଇ ଥାଏ । ଏହା ଆଶ୍ୱିନ
ଶୁକ୍ଳ ଦଶମୀ ପର ଏକାଦଶୀ ଦିବସରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଏକାଦଶୀ
ତିଥି ପର୍ଯ୍ୟନ୍ତ ପାଳିତ ହୁଏ ଓ ଏକାଦଶୀ ଠାରୁ ବକ ପଞ୍ଚକ ଆରମ୍ଭ ହୋଇ
ପୂର୍ଣ୍ଣିମାରେ ଉଜ୍ଜାପିତ ହୁଏ । ବହୁ ନର/ନାରୀ ଏହି ବ୍ରତ ପାଳନ କରି
ପୂଜାସ୍ଥଳୀରେ କାର୍ତ୍ତିକ ମଣ୍ତ ମୁରୁଜ ପ୍ରଭୃ ଜଗନ୍ନାଥଙ୍କର ବିଭିନ୍ନ ବେଶର
ଅଙ୍କନ କରନ୍ତି । ଏହି ମାସରେ ହବିଷ୍ୟାନ୍ନ ବ୍ରତଧାରି ପିତୃପୁରୁଷଙ୍କ
ମୋକ୍ଷ ନିମିତ୍ତ ଆକାଶ ଦୀପଦାନ କରି ମନ୍ତ୍ର ଉଚ୍ଚାରଣ କରେ :
"ନମଃ, ପିତୃଭ୍ୟଃ ପ୍ରେତେଭ୍ୟୋ
ନମୋ ଧର୍ମୀୟ ବିଷ୍ଣବେ
ନମୋ ଯମାୟ ରୁଦ୍ରାୟ
କାନ୍ତାର ପତୟେ ନମଃ ।"
କାର୍ତ୍ତିକ ମାସରେ ମତ୍ସ୍ୟ ଅବତାର ହୋଇ ନାରାୟଣ ଶଙ୍ଖାସୁରକୁ ବଧ
କରିଥିବାରୁ, କୁହାଯାଏ ମତ୍ସ୍ୟକୁ ଈଶ୍ୱର ଜ୍ଞାନ କରି ମନୁଷ୍ୟ ମାନେ
ଶାକାହାରି ହୁଅନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ବକ ମଧ୍ୟ ଏହି ପଞ୍ଚକ/ପାଞ୍ଚ
ଦିନ ମତ୍ସ୍ୟ ତ୍ୟାଗ କରିଥିବାରୁ ଏହାକୁ ବକପଞ୍ଚକ କୁହାଯାଏ । ଭଗବାନ
ବିଷ୍ଣୁଙ୍କ ଊଦ୍ଦେଶ୍ୟରେ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରନ୍ତି, ସ୍ନାନ, ବ୍ରତ,
ଦାନ ଧର୍ମ ନିଷ୍ଠାର ସହ ପାଳନ କରନ୍ତି, ସେମାନେ ଅକ୍ଷୟଫଳ ପ୍ରାପ୍ତି
ହୁଅନ୍ତି । ସ୍କନ୍ଦପୁରାଣ ଉଲ୍ଲେଖ ଅଛି ଶିବ ଶ୍ରୀଜଗନ୍ନାଙ୍କ ଉଦ୍ଦେଶ୍ୟରେ
କାର୍ତ୍ତିକ ବ୍ରତ ପାଳନ କରିଥିଲେ । ଶିବଙ୍କ ନିର୍ଦ୍ଦେଶରେ ସ୍ୱାୟମ୍ଢୁବ ମନୁ
ଓ ଅଗସ୍ତି ମୁନି ଏହି ବ୍ରତ ପାଳନରେ ପୁଣ୍ୟ ଅର୍ଜନ କରିଥିଲେ । ସାରଳା
ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସଂପର୍କରେ ଦର୍ଶାଇ
ଦିଆଯାଇଛି ଯେ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ପରି ଯେ ଗଙ୍ଗା
ସ୍ନାନ କରେ ଓ ନାରାୟଣଙ୍କ ନାମ ଧରେ ତାହାର ସକଳ ପାପ ରୂପକ ଦୃର୍ଗତି ଦୂର
ହୁଏ ଓ ବୈକୁଣ୍ଠ ଲଭେ । ଏପରିକି କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ
ରାସପଞ୍ଚକ କୁହାଯାଏ ଓ କାର୍ତ୍ତିକେୟଙ୍କର ପୂଜା ଆରାଧନା ଉତ୍ସାହ ସହକାରେ
ପାଳନ କରାଯାଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ନାମାନୁସାରେ
ଏହି ମାସର ନାମ ଉତ୍ସର୍ଗୀକୃତ ହୋଇଛି ।
ଦୀପାବଳି ଉତ୍ସବରେ ମା'କାଳୀଙ୍କ ପୂଜା କରାଯାଏ । ଖ୍ରୀଷ୍ଟୀୟ ଷଷ୍ଠ
ଶତାଦ୍ଦୀରୁ ତ୍ରୟୋଦଶ ଶତାଦ୍ଦୀ ପର୍ଯ୍ୟନ୍ତ ଓଡିଶାରେ କାଳୀପୂଜାର ବହୁଳ
ପ୍ରସାର ଘଟିଛି । ଭାରତରେ ମାତୃଶକ୍ତିର ଉପାସନା କ୍ଷେତ୍ରରେ ଓଡିଶା ସର୍ବ
ପ୍ରଥମ । ମହାକାଳ ସଂହିତା ଅନୁସାରେ ଦେବୀ ଅଚିନ୍ତନୀୟା, ଅମିତାକାର ଶକ୍ତି
ସ୍ୱରୂପା । ପ୍ରତ୍ୟେକଙ୍କ ପାଇଁ ସେ ମା'କାଳୀ । ହୁଏତ କାଳୀ ଶବ୍ଦରେ
ମାନବ ମନରେ ଭୟଭୀତ ହୋଇପାରେ ବା ତା'ହୃଦୟରେ ଶଙ୍କା ଜାତ ହୋଇପାରେ ।
କିନ୍ତୁ କାଳୀ ଶବ୍ଦ ଅକ୍ଷର ମଧ୍ୟରୁ ଦେବୀଙ୍କ ଅଭିବ୍ୟକ୍ତିର ଭାବାର୍ଥ (
ତନ୍ତ୍ରାଭିଧାନ) ପ୍ରତି ଦୃଷ୍ଟି ଦେଲେ ସକଳ ଭୟ ଶଙ୍କା ଦୂର ହୋଇଯାଏ :
କା+ଆ+ଳ+ଈ = କାଳୀ । ଅର୍ଥାତ୍ କୃ=ବ୍ରହ୍ମ, ଆ=ଅନନ୍ତ=ମଧୁଂବୃତ୍ତଂ ଗୁରୁ ।
ଶେଷୋ ଦୀର୍ଘୋ- ନନ୍ତୋ ମହତ୍ ତଥା । ଳ=ବିଶାତ୍ମା=ବିଶ୍ୱାତ୍ମାମନ୍ଦୋ ବଳବାନ୍
ମେରୁଗିରି/କଳା ରୂପଃ (ତନ୍ତ୍ରାଭିଧାନ) । ତେଣୁ ବିଚାର କଲେ କାଳୀ=ବ୍ରହ୍ମ,
ଅନନ୍ତ, ବିଶ୍ୱାତ୍ମା ଓ ସୃକ୍ଷ୍ମା ସ୍ୱରୂପା । କାଳୀଙ୍କ ବୀଜମନ୍ତ୍ର କ୍ରୀଂ
=କ+ର+ଈ, ବ୍ୟାଖ୍ୟାକଲେ କ୍-କାଳୀ, ର'-ବହ୍ମ, ଈ'-ମହାମାୟା , ନାଦ-ବିଶ୍ୱାତ୍ମା
ଓ ବିନ୍ଦୁ-ଦୁଃଖ ହରଣ ଓ ଶା
ନ୍ତି/ସୁଖର ଆଗମନକୁ ବୁଝାଇଥାଏ । ତନ୍ତ୍ରାଭିଧାନର କୁହାଯାଇଛି ମା'କାଳୀଙ୍କ ବୀଜମନ୍ତ୍ର ଜପରେ ସୁଖ/ସଂପଦ ମିଳେ ଓ ଶତ୍ରୃକ୍ଷୟ ଘଟେ ।
"କା କାଳୀ ବ୍ରହ୍ମର ପ୍ରୋକ୍ତଂ ମହାମାୟାର୍ଥକଶ୍ଚଈ
ବିଶ୍ୱ ମାତ୍ରର୍ଥକୋ ନାଦୋ ବିନ୍ଦୁ ଦୁଃଖ ହରାର୍ଥକଃ ।"
ପୁରାଣରେ ଉଲ୍ଲେଖ ଅଛି ମହାମାୟା ଦୁର୍ଗା ମହିଷାସୁରକୁ ଓ
ଅସୁରମାନଙ୍କ ସହ ଯୁଦ୍ଧ କରି ସେମାନଙ୍କ ରକ୍ତରେ ମା' ବସୁନ୍ଧରାଙ୍କୁ ରକ୍ତ
ପ୍ଳାବିତ କଲେ ତାଙ୍କ ମନରେ କ୍ରୋଧ ଜାତ ହେବାରୁ ସେ ବିଶ୍ୱ ସୃଷ୍ଟିର
ଧ୍ୱଂସାର୍ଥେ ଉଗ୍ରରୂପ ଧାରଣ କରି ଅଗ୍ରସର ହେଲେ । ଫଳସ୍ୱରୃପ ଦେବତାମାନଙ୍କ
ଭାଳେଣି ପଡିବାରୁ ମା'ଙ୍କ ଶାନ୍ତି କରାଇବା ପାଇଁ ଶିବୁଙ୍କୁ ଅନୁରୋଧ
କରିବାରୁ ଶିବ ଅଗ୍ରସର ହୋଇ ମା'ଙ୍କ ଅଜଣାତରେ ଶୋଇରହିଲେ । ମା' ପ୍ରଚଣ୍ତ
କ୍ରୋଧରେ କ୍ଷୁବ୍ଧ ହୋଇ ଶିବଙ୍କ ଉପରେ ମାଡି ଚାଲିବାକୁ ପାଦ ଉଠାଇଛନ୍ତି
ହଠାତ୍ ଶିବଙ୍କ ତପୋମୟ ପବିତ୍ର ଶରୀରର ସ୍ପର୍ଶ ପାଇ ଦେଖନ୍ତି ତାଙ୍କ
ପ୍ରିୟତମ ଶିବ । ସେ ଚମକି ପଡି ନିଜର ଭୁଲ୍ ବୁଝି ଅର୍ଦ୍ଧଜିହ୍ୱା ପ୍ରସାରଣ
କରି ତଟସ୍ଥ ହୋଇପଡିଲେ ଓ ନିମିଷକେ ତାଙ୍କର କ୍ରୋଧ ଶାନ୍ତ ହୋଇପଡିଲେ ।
ମାର୍କଣ୍ତେୟ ପୁରାଣରେ ମା'କାଳୀଙ୍କ ଉପାସନା ସହ ଚାମୁଣ୍ତା ଉପାସନା ରହିଛି ।
ପୁରାଣ ବର୍ଣ୍ଣିତ ଅମ୍ବିକା କୋପ କରିବାରୁ ତାଙ୍କ ଲଲାଟରୁ ତତ୍ କ୍ଷଣାତ୍
ଖଡଧାରୀ ପାଶ ହସ୍ତା, ଭୀଷଣ ବଦନା କାଳୀ ଆବିର୍ଭୂତା ହେଲେ, ସେହିଁ କାଳୀ
ଚାମୁଣ୍ତା ଓ ନରକଙ୍କାଳ ଧାରିଣୀ, ନରମୁଣ୍ତମାଳିନୀ, ବ୍ୟାଘ୍ର ଚମ ପରହିତା,
ଅସ୍ଥିଚର୍ମ ଦେହା, ଭୟଙ୍କରୀ, ବିଶାଳ ବଦନା, ରକ୍ତଜିହ୍ୱା, ରକ୍ତ ନୟନା ଓ
ଭୟପ୍ରଦା ସପ୍ତଶତୀ ଚଣ୍ତୀ ।
ତନ୍ତ୍ରଶାସ୍ତ୍ରରେ କାଳୀଙ୍କୁ ଆଦ୍ୟାଶକ୍ତି ମହାମାୟା ରୂପେ
ଦର୍ଶାଯାଇ ଆଠପ୍ରକାର ମୂର୍ତ୍ତିର ଉପାସନା କରାଯାଇଛି । କିନ୍ତୁ କେବଳ
ଦକ୍ଷିଣା,ଭଦ୍ର ଓ ଶ୍ମଶାନକାଳୀ ଆଦି ପ୍ରସିଦ୍ଧ । ଶାକ୍ତ ଓ ବୈଷ୍ଣବ
ସଂସ୍କୃତିର ମହାମିଳନରେ ଶ୍ରୀଜଗନ୍ନାଥ ଦକ୍ଷିଣା କାଳୀକା ନାମରେ ନାମିତ ।
ଗୁପ୍ତ ଯୁଗରେ କାଳୀ ଉପାସନା ଉନ୍ମୋଚିତ ଥିଲା, ବିକ୍ରମାଦିତ୍ୟ ଥିଲେ
ଭଦ୍ରାକାଳୀ ସାଧକ । ଭାରତରେ ଅନେକ ରାଜା/ମହାରାଜାମାନଙ୍କ ଇଷ୍ଟଦେବତା ଥିଲେ
ମହାକାଳୀ । ଗୁପ୍ତ, ପ୍ରାଟୀନ ଓ ମଧ୍ୟଯୁଗରେ ଭାରତରେ ଥିବା କାଳୀପୀଠ
ମଧ୍ୟରେ ଦ୍ୱିଲ୍ଲୀର କାଳୀ ମନ୍ଦିର, ମସୌରୀର ଚାମୁଣ୍ତା ମନ୍ଦିର, କଲିକତାର
କାଳୀ ମନ୍ଦିର ଆଦି ସେହି ସମୟର କୀର୍ତ୍ତି । ସେହି ସମୟର ଭକ୍ତ ଚଣ୍ତୀଦାସ,
ସାଧକ ରାମ ପ୍ରସାଦ, ସାଧକ କମଳାକାନ୍ତ ମା'କାଳୀଙ୍କର ଥିଲେ ଦିବ୍ୟସାଧକ ।
ବିଶେଷକରି ସାଧକ ରାମକୃଷ୍ଣ ପରମ ହଂସ କାଳୀ ଉପସନାକୁ ଭବ୍ୟରୂପ ପ୍ରଦାନ
କରିଥିଲେ ।
ଶତାଦ୍ଦୀ ଶତାଦ୍ଦୀ ଧରି କାଳୀ ଉପାସନା/ଦୀପାବଳିର ଦୀପଦାନ/କାର୍ତ୍ତିକ ବ୍ରତ ପାଳନର ଐତିହ୍ୟ ଓ ମହାତ୍ମ୍ୟ କେବଳ ଯେ' ମାନବ ହୃଦୟରେ ପବିତ୍ର ଆଧ୍ୟାତ୍ମିକ ଐକ୍ୟ, ସାଂସ୍କୃତିକ ପରମ୍ପରାର ଗୌରବ ଓ ସାର୍ବଜନୀନ ଆନନ୍ଦ
ବୋଧକୁ ସଂଚାରିତ କରି ଆସି ନାହିଁ , ବରଂ ଜ୍ଞାନାଲୋକ ପ୍ରଜ୍ଜଳିତ କରି
ପ୍ରତ୍ୟେକଙ୍କ ପାଇଁ ସୌଭାଗ୍ୟ ଲକ୍ଷ୍ମୀ ପ୍ରାପ୍ତିର ପଥ ଦର୍ଶାଇ ଆସିଛି ।
ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସର୍ବଜନାରାଧ୍ୟା କରାଇ
ପାରିଛି ।
ବିତର୍କିତ ରାମସେତୁ ବନାମ ଶ୍ରୀରାମ
କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ରାମସେତୁ ଓ ରାମଙ୍କୁ ନେଇ ବିତର୍କ ଘଟିଥିଲା । ଯୁକ୍ତିଥିଲା ପୁରାଣ ବର୍ଣ୍ଣିତ ରାମସେତୁ ବନ୍ଧ କେତେ ଦୂର ସତ୍ୟ, ଶ୍ରୀରାମ ସ୍ୱୟଂ ଅବତାରୀ ପୁରୁଷ ନା ସାଧାରଣ ମଣିଷ, ଯାହାଙ୍କୁ ନେଇ ଇତିହାସ କାଳକ୍ରମେ ପୁରାଣ ପାଲଟି ଯାଇଛି । ବାଲ୍ମିକୀ କଣ ସତରେ ରାମ ଜନ୍ମଠାରୁ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ପାଖେ ପାଖେ ରହି ସବୁ ଟିକିନିଖି ବିବରଣୀ ଲେଖୁଥିଲେ, ଏସବୁ କହିବାର ମୂଳ ଉଦ୍ଦେଶ୍ୟ ଯାହା ହେଉନା କାହିଁ ତର୍କ କରି କାହାର ଆଧ୍ୟାତ୍ମିକ ବିଶ୍ୱାସକୁ ଆଘାତ ଦେବା ଉଚିତ୍ ନୁହେଁ, ସହସ୍ର ବର୍ଷତଳେ ରାମ ସେତୁବନ୍ଧ ନିର୍ମାଣ ବେଳେ ପଥର ଭାସିବା ମିଥ୍ୟା ହେଉ ଅବା ଅଲୌକିକ ସତ୍ୟ ହେଉ, ବିଜ୍ଞାନର ତଥ୍ୟକୁ ନେଇ ଏହା ଅମୂଳକ ବୋଲି କୁହାଯାଇ ନପାରେ, ବା କୁହାଗଲେ ବୈଞ୍ଗାନିକ ତଥ୍ୟର ପ୍ରମାଣକୁ ଗ୍ରହଣ କରାଯାଇପାରେ । ଗୋଟିଏ ଲୋକଭିର୍ତ୍ତିକ ପ୍ରବଚନ ଅଛି, `ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁଦୂରେ ।
ରାମାୟଣ ଏକ କାଳ୍ପନିକ ମହାକାବ୍ୟ ନୁହେଁ, ଏହା ଭାରତୀୟ ଜୀବନ ଓ ସଂସ୍କୃତିର ଇତିହାସ । ରାମ କେବଳ ଏହାର ମୁଖ୍ୟ ନାୟକ ନୁହଁନ୍ତି, ବରଂ ସେ ଜଣେ ଆଦର୍ଶ ମର୍ଯ୍ୟାଦାବନ୍ତ ପୁରୁଷ ଭାବରେ ଭାରତୀୟ ମାନଙ୍କ ହୃଦୟରେ ଯୁଗ ଯୁଗ ଧରି ଜୀବନ୍ତ ଥାଇ ଭାରତୀୟ ମାନଙ୍କ ଆଧ୍ୟାତ୍ମିକ ଜୀବନକୁ ନିୟନ୍ତ୍ରଣ କରି ଆସୁଛନ୍ତି । ସେତୁବନ୍ଧ `ରାମରାଜ୍ୟ' ସ୍ଥାପତ୍ୟର ଏକ ଜ୍ୱଳନ୍ତ ସଙ୍କେତ । ଲଙ୍କାଗଡରୁ ରାବଣର କବଳରୁ ମା'ସୀତାଙ୍କୁ ଉଦ୍ଧାର ନିମନ୍ତେ ରାମଙ୍କ ପରିକଳ୍ପିତ ଏ ସେତୁବନ୍ଧର ନିର୍ମାଣ । ବାଲ୍ମିକୀ ରାମାୟଣରେ ଉଲ୍ଲେଖ ଅଛି ହନୁମାନ ରାମନାମ ତୁଣ୍ତରେ ଜପକରି ଲୋମେ ଲୋମେ ପାହାଡ ଟେକି ଆଣି ସମୁଦ୍ରରେ ପକାଇଲା, କିନ୍ତୁ ପର୍ବତ ନ ଭାସିବାରୁ ଏଥିରେ ରାମଚନ୍ଦ୍ର କ୍ରୋଧାନିତ୍ୱ ହୋଇ ଶର ମାରି ସମୁଦ୍ରକୁ ଶୁଖାଇ ଦେଲେ, ବରୁଣ ରାମଙ୍କ ଶରଣଗତ ହୋଇ ପଥର ଭସାଇବାର ପ୍ରତିଶୃତି ଦେବାଫଳରେ, ମନୁଷ୍ୟଛଡା ସତ୍ୟ, ନ୍ୟାୟ, ଧର୍ମର ପକ୍ଷପାତୀ କରୁନଥିବା ଜୀବ ଜନ୍ତୁ ଭଲ୍ଲୁକ, ବାନର ଆଦି ସେତୁ ନିର୍ମାଣ ଲାଗିଥିଲେ, ଏପରିକି ଗୋଟିଏ ଗୁଣ୍ତୁଚି ମୂଷା ସେତୁବନ୍ଧ ପକାଇରେ ସାହାଯ୍ୟ କରିଥିଲା । ଲଙ୍କାର ରାବଣ ରାମଙ୍କ ସେତୁକୁ ବାରମ୍ବାର ଭାଙ୍ଗିଦବାରୁ ଶେଷରେ ଶ୍ରୀରାମ ରାବଣର ଇଷ୍ଟଦେବତା ଶିବଲିଙ୍ଗ ସ୍ଥାପନା କରି ସେତୁବନ୍ଧ ନିର୍ମାଣ କରିଥିଲେ ।
ସେତୁ ଯାହାକୁ ସାଧାରଣ ଅର୍ଥରେ ପୋଲ କୁହାଯାଏ । ଅନ୍ୟ ଅର୍ଥରେ ଏକରେ ଏକ ମିଳନକୁ ସେତୁ ବୁଝାଇଥାଏ । ରାମଚରିତ ମାନସରେ ସ୍ୱୟଂ ରାମଙ୍କ ନାମକୁ ସେତୁ ବୋଲି ବୁଝା ଯାଇଛି । କାରଣ, ଯେତେବେଳେ ଶ୍ରୀରାମଚନ୍ଦ୍ର ତାଙ୍କର ମନ୍ତ୍ରୀମାନଙ୍କୁ ଡାକି କହିଲେ, ବିଳମ୍ବ ନକରି ସେତୁ ନିର୍ମାଣ କର, ସେନାମାନେ ପାର ହେବେ, ସେତେବେଳେ ଜାମ୍ବବାନ ହାତ ଯୋଡି କହିଲେ, ହେ ଭାନୁକେତୁ ପ୍ରଭୃ ଶ୍ରୀରାମ ଶୁଣନ୍ତୁ, ହେ ନାଥ, ସବୁଠାରୁ ବଡ ସେତୁତ ଆପଣଙ୍କ ନାମ, ଯାହାଙ୍କ ନାମ ଆଶ୍ରୟରେ ମାନବ ସଂସାର ରୂପକ ସମୁଦ୍ରପାରହୋଇ ଯାଆନ୍ତି : ରାମଚରିତ ମାନସରେ-
'ସୁନହୁ ଭାନୁକୁଲ କେତୁ ଜାମବନ୍ତ କର ଜୋରି କହ
ନାଥ ନାମ ତବ ସେତୁ ନର ଚଢି ଭବସାଗର ତରହିଁ ।"
ଶେଷରେ ଜାମ୍ବବାନ ନଳ ଓ ନୀଳ ଦୁଇଭାଇଙ୍କୁ ଡକାଇ ମନରେ ପ୍ରଭୃ ଶ୍ରୀରାମଙ୍କ ମହିମା କଥା ସ୍ମରଣ କରି ସେତୁ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ପୁର୍ନବାର କହିଥିଲେ, ପ୍ରଭୃ ଶ୍ରୀରାମଙ୍କ ପ୍ରତାପ ଯୋଗୁ ତୁମ୍ଭଙ୍କୁ ଟିକିଏ ବି ପରିଶ୍ରମ ପଡିବ ନାହିଁ । ଏପରିକି ବାନରମାନଙ୍କୁ ଡକାଇ କହିଲେ ହୃଦୟରେ ଶ୍ରୀରାମ ଚରଣ କମଳ ଧ୍ୟାନ କରି ପର୍ବତମାନ ଉପାଡି ଆଣି ସେତୁ ନିର୍ମାଣରେ ନଳ ନୀଳଙ୍କୁ ଦିଅ , ଜାମ୍ବବାନଙ୍କ ନିର୍ଦ୍ଦେଶ ପାଇ ବାନର ଓ ଭଲ୍ଲୁକମାନେ ଉଚ୍ଚ ଉଚ୍ଚ ପର୍ବତ ଓ ବୃକ୍ଷମାନ ଉପାଡି ନଳ ନୀଳଙ୍କୁ ଦେବାରୁ, ସେ ଦୁହେଁ ଉତ୍ତମ ଭାବରେ ସେତୁ ନିର୍ମାଣ କରିଥିଲେ । ରାମଚରିତ ମାନସରେ :
``ଅତି ଉତଙ୍ଗ ଗିରି ପାଦପ ଲୀଲହିଁ ଲେହି ଉଠାଇ
ଆନି ଦେହି ନଲ ନୀଲହି ରଚହିଁ ତେ ସେତୁ ବନାଇ ।"
ରାମସେତୁ ସମ୍ଫର୍କରେ ବାଲ୍ମିକୀ ରାମାୟଣରେ ଉଲ୍ଲେଖ ଅଛି ରାମଚନ୍ଦ୍ର ତିନିଦିନ ପର୍ଯ୍ୟନ୍ତ ଧାରଣା ଦେବା ପରେ କ୍ରୋଧାନିତ୍ୱ ହୋଇ ସମୁଦ୍ର ଶୁଖାଇବା ପାଇଁ ବୈଷ୍ଣବାସୁର ସନ୍ଧାନ କରିଥିଲେ । କିନ୍ତୁ ସଂସ୍କୃତ ମହାଭାରତର ରାମଉପଖ୍ୟାନରେ ବର୍ଣ୍ଣନା ଅଛି ରାମଚନ୍ଦ୍ର ବିଶ୍ୱକର୍ମାସୁତ ନଳର ଚମତ୍କାର ଶକ୍ତି ବଳରେ ପଥର ଜଳରେ ଭାସିବା ପାଇଁ ସ୍ୱପ୍ନ ଦେଖିଥିଲେ । ଯାହା ଫଳରେ ନଳଙ୍କୁ ଡାକି ସେତୁବନ୍ଧ ନିର୍ମାଣର ଦାୟିତ୍ୱ ଅର୍ପଣ କରିଥିଲେ ଓ ଶ୍ରୀରାମଙ୍କ ଆଜ୍ଞାରେ ନଳ ପ୍ରତ୍ୟେକଟି ପଥରେ ପ୍ରଭୃଙ୍କ ନାମଲେଖି ପଥର ସମୁଦ୍ରରେ ପକାଇବାରୁ ତାହା ଭାସମାନ ଥିଲା । ଯଦିଓ ଏହା କାବ୍ୟିକ ଅତିରଞ୍ଜନ ହୋଇପାରେ, ତାସତ୍ତ୍ୱେ ବି ଏଥିରେ ଐତିହାସିକ ସତ୍ୟତା ନିହିତ ଅଛି ।
ଏପରିକି ଲଙ୍କାସାଗର ଓ ସେତୁର ଦୃଶ୍ୟକୁ କାଳିଦାସଙ୍କ ତାଙ୍କ ରଘୁବଂଶ କାବ୍ୟରେ ବିସ୍ତୁତ ଭାବରେ ବର୍ଣ୍ଣନା କରିଛନ୍ତି । ରାମଚନ୍ଦ୍ର ପୁଷ୍ପକଯାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ସମୁଦ୍ର ଭିତରେ ସ୍ୱନିର୍ମିତ ସେତୁର ମନୋହର ଦୃଶ୍ୟରାଶିକୁ ଦର୍ଶାଇ ସୀତାଙ୍କୁ କହିଥିଲେ-
`ବୈଦହୀ, ପଶ୍ୟାମଳୟାତ୍ ବିଭକ୍ତମ୍
ମତ୍ ସେତୁନା ଫେନିଳମମ୍ବରାଶିମ୍
ଛାୟାପଥେନେବ ଶରତ୍ ପ୍ରସନ୍ନମ୍
ଆକାଶମାବିଷ୍କୃତ ଚାରୁତାରମ୍ ।"
ଏହାକୁ ଅନୁବାଦ କରି ଭକ୍ତ କବି ମଧୁସୂଦନ ଉଲ୍ଲେଖ କରିଛନ୍ତି ।`ବିଦେହନନ୍ଦିନି; ଦେଖ ମଳୟ ପର୍ଯ୍ୟନ୍ତ
ବିଭକ୍ତ ସେତୁରେ ମୋର ସିନ୍ଧୁ ଫେନବନ୍ତ ।
ଯେସନେ ଶରଦେ ଚାରୁ ତାରା ବିମଣ୍ତିତ
ଗଗନେ ଦିଶଇ ଛାୟାପଥେ ଦ୍ୱିଖଣ୍ତିତ ।"
ପ୍ରଭୃ ଶ୍ରୀରାମଙ୍କ ମହିମାରେ ସମୁଦ୍ରରେ ଲହରୀର ଉଦବେଳନ ନାହିଁ, ସ୍ଥିର ନିଥର ଶାନ୍ତ ଲବଣାମ୍ବୁରାଶି । ସମୁଦ୍ରରେ ଖଣ୍ତ ବିଖଣ୍ତିତ ଏକ ଅସ୍ପଷ୍ଟ ରେଖା ଦିଗ୍ବଳୟକୁ ଭେଦ କରିଥିବା ସ୍ପଷ୍ଟ ଦୃଷ୍ଟିକୁ ଆସେ । କହିବାକୁ ଗଲେ, ସେତୁର ପୂର୍ବ ଗୌରବ ଏବେ କ୍ଷୁଣ୍ଣ, ମନୋରମ ସୌନ୍ଦର୍ଯ୍ୟ ମଳିନ ପଡିଛି । ଏହା ବର୍ତ୍ତମାନ ବହୁ କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପରେ ବିଭକ୍ତ ହୋଇଯାଇଛି, କେବଳ ମଧ୍ୟେ ମଧ୍ୟେ ଗଭୀର ଲବଣାକ୍ତ ଜଳରାଶି ବିସ୍ତାର ଲାଭକରିଛି । ରାମେଶ୍ୱର ଠାରୁ ମାନ୍ନାର ପର୍ଯ୍ୟନ୍ତ ଏହି ସେତୁଟିର ଦୈର୍ଘ ୬୦ ମାଇଲ୍ ପର୍ଯ୍ୟନ୍ତ ବିସ୍ତୃତ । ଏପରିକି ମାଣ୍ତାପମ୍ ଠାରୁ ପାମ୍ବାନ ପର୍ଯ୍ୟନ୍ତ 2 ମାଇଲ୍ ବିସ୍ତୃତ ଥିବା ଏକ ଜଳମଗ୍ନ ପାହାଡ ରହିଛି ଓ ଏହି ପର୍ବତଟି ଗନ୍ଧମାଦନର ଅଂଶ ବୋଲି ଜନଶ୍ରୃତିରେ ରହିଛି । ସମୁଦ୍ର ଭଟ୍ଟା ସମୟରେ ଏହା ଉପରେ ଲୋକମାନେ ଯାତାୟାତ କରୁଥିଲେ । ପାମ୍ବାନରୁ ୨ ମାଇଲ୍ ଦୂରରେ ୧୧ ମାଇଲ ଦୀର୍ଘ ଓ 6 ମାଇଲା ପ୍ରସ୍ଦ ବିସ୍ତୃତ ରାମେଶ୍ୱର ଦ୍ୱୀପ ରହିଛି, ଏଠାରେ ୧୬ ମାଇଲ ଭଗ୍ନ ସେତୁଟିର ଭଟ୍ଟା ସମୟରେ ବାଲି ଓ ପଥର ଗୁଡିକୁ ଦେଖିବାକୁ ମିଳେ । ପୁନଶ୍ଚ ୧୯ ମାଇଲ୍ ଦୀର୍ଘ ଓ ୨୪ ମାଇଲ ବିସ୍ତୃତ ମାନ୍ନାର ଦ୍ୱୀପ ରହିଛି, ଯାହା ଏବେ ଜନବସତିରେ ପୂର୍ଣ୍ଣ । ଏହି ଦ୍ୱୀପପୁଞ୍ଜରୁ ଲଙ୍କା ଆରମ୍ଭ ହୋଇଛି । କୁହାଯାଏ ପୂର୍ବେ ଏହି ସେତୁ ଉପର ଦେଇ ଭାରତରୁ ଲଙ୍କା ପର୍ଯ୍ୟନ୍ତ ଲୋକମାନଙ୍କ ଯିବା ଆସିବା ଥିଲା, ଏପରିକି ଏହି ପଥଦେଇ ଲଙ୍କାବାସୀ ଭାରତ ଆକ୍ରମଣ କରିଥିବା ଜଣାଯାଏ । ୧୪୮୪ ଖ୍ରୀଷ୍ଟାଦ୍ଦରେ ଭୀଷଣ ଝଞ୍ଜାଜନିତ ପ୍ରଳୟ ତରଙ୍ଗାଘାତରେ ସେତୁଟି ଭଗ୍ନରୂପରେ ପରିଣତ ହୋଇଛି ଓ ସେହି ଦିନରୁ ଲଙ୍କାଠାରୁ ଭାରତର ଗମନାଗମନ ସୁବିଧା ବିଚ୍ଛିନ୍ନ ହୋଇପଡିଛି ।
ଜନଶ୍ରୃତି ଓ ଲୋକବିଶ୍ୱାସ ଅଛି ଯେ, ଲଙ୍କା ଯୁଦ୍ଧର ଅବସାନ ପରେ ପରେ ଏହି ସେତୁ ଉପରେ ଶ୍ୱାନାଦି ଜୀବ ଗମନାଗମନ କରିବା ଫଳରେ ରାମଙ୍କ ପ୍ରତିଷ୍ଠିତ ପବିତ୍ର ସେତୁ ଓ ମହାତୀର୍ଥ ସମୁଦ୍ର ଜଳ ଅପବିତ୍ର ହେବାରୁ ବରୁଣ ପ୍ରଭୃ ଶ୍ରୀରାମଙ୍କ ନିକଟରେ ଗୁହାରି କରିଥିଲେ । ଯାହାଫଳରେ ପ୍ରଭୃ ଶ୍ରୀରାମ ଏହାର ପ୍ରତିକାର ସ୍ୱରୂପ ସେତୁଟିକୁ ଶରାଘାତ ଦ୍ୱାରା ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଭାତ୍ରୃ ଭକ୍ତ ଲକ୍ଷ୍ମଣ ତାହା ତତକ୍ଷଣାତ୍ ପାଳନ କରିଥିବାର କିମ୍ବଦନ୍ତୀ ରହିଛି ।
ଇଂରେଜମାନେ ଏହି ସେତୁର ନାମ Adam 's bridge ନାମରେ ନାମିତ କରିଥିଲେ । ପୁରାଣ ବର୍ଣ୍ଢିତ ଓ ଆଧ୍ୟାତ୍ମକ ବିଶ୍ୱାସାନୁଯାୟୀ ଭାରତରୁ ଲଙ୍କା ପର୍ଯ୍ୟନ୍ତ ଏହି ସେତୁ ମଧ୍ୟରେ 24ଟି ପବିତ୍ର ତୀର୍ଥ ରହିଛି । ଏହି ତୀର୍ଥ ଗୁଡିକ ମଧ୍ୟରେ ଚକ୍ର ତୀର୍ଥ, ପାପ ବିନାଶକ ତୀର୍ଥ, ସୀତାସର ତୀର୍ଥ, ହନୁମତ୍ ତୀର୍ଥ, ଅଗସ୍ତ୍ୟ ତୀର୍ଥ, ଶ୍ରୀରାମ ତୀର୍ଥ, ଶ୍ରୀଲକ୍ଷ୍ମଣ ତୀର୍ଥ, ଜଟା ତୀର୍ଥ, ଚକ୍ର ତୀର୍ଥ, ଗଙ୍ଗା ତୀର୍ଥ, ଯମୁନା ତୀର୍ଥ, କୋଟି ତୀର୍ଥ ଓ ଧନୁଷ୍କୋଟୀ ତୀର୍ଥ ଆଦି ବହୁ ପବିତ୍ର ତୀର୍ଥ ଭାରତୀୟ ମାନଙ୍କ ଅବା ହିନ୍ଦୁମାନଙ୍କ ଆଧ୍ୟାତ୍ମକ ବିଶ୍ୱାସକୁ ଜାବୋଡି ଧରିଛି । ରାମାୟଣ ଆଧାରିତ ଏସବୁ ତୀର୍ଥଗୁଡିକର ଉତ୍ପତ୍ତି ସମ୍ଫର୍କରେ ଗୋଟିଏ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ମୂଳକ କାହାଣୀ ପ୍ରଚଳିତ ଅଛି । ଏସବୁ ତୀର୍ଥ ବ୍ୟତିତ ଏହି ରାମସେତୁରେ 17ଟି ଉପତୀର୍ଥ ମଧ୍ୟ ରହିଛି । ନିଃସ୍ୱାର୍ଥପର ଭାବରେ ଶ୍ରୀରାମଙ୍କୁ ସେତୁବନ୍ଧ ନିର୍ମାଣରେ ସାହାଯ୍ୟ କରିଆସିଥିବା ତଥା ତାଙ୍କର ପରମ ଭକ୍ତ ପାଲଟି ଥିବା ରାମଙ୍କ ବିଭିନ୍ନ ସେନାପତି ଓ ସୈନ୍ୟମାନଙ୍କ ନାମରେ ଅନେକ ଉପତୀର୍ଥ ରହିଛି, ଯାହାକୁ ଦର୍ଶନ କଲେ ସର୍ବପାପ କ୍ଷୟ ହୁଏ ଓ ମାନବ ଜନ୍ମରୁ ମୁକ୍ତି ମିଳେ । ଅଦ୍ୟାପି ସେହି ପବିତ୍ର ସେତୁର ତୀର୍ଥ ଦେବାଦେବୀଙ୍କର ରକ୍ଷଣାବେକ୍ଷଣ ଓ ସମସ୍ତ ପୂଜାର ବ୍ୟବସ୍ଥା ସେଠାକାର ରାଜାମାନେ ବଂଶାନୁକ୍ରମେ କରି ଆସୁଥିବା ଜଣାଯାଏ । ତାସତ୍ତ୍ୱେ ଏହି ତୀର୍ଥମାନଙ୍କ ଭିତରେ ଧନୁଷ୍କୋଟୀ ତୀର୍ଥ ପ୍ରଧାନ । କାରଣ ରାବଣର ବଧ ପରେ ରାକ୍ଷାସମାନେ ଯେପରି ଭାରତକୁ ଆସି ନପାରନ୍ତି, ସେଥିପାଇଁ ଶ୍ରୀରାମ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ସେହି ସ୍ଥାନକୁ ଧନୁର କୋଟୀରେ କର୍ତ୍ତନ କରିବାକୁ । ଫଳରେ ଭାଇଙ୍କ ଆଦେଶରେ ଲକ୍ଷ୍ମଣ ସେତୁବନ୍ଧର ସେହି ସ୍ଥାନକୁ ଧନୁର କୋଟୀରେ କର୍ତ୍ତନ କରିଥିବାରୁ ତାହାକୁ ଧନୁଷ୍କୋଟୀ ତୀର୍ଥ କୁହାଯାଇଥିବା ଜନଶ୍ରୃତି ରହିଆସିଛି ।
ରାମାୟଶ ପ୍ରସିଦ୍ଧ ଏହି ଲଙ୍କା କେବଳ ଭାରତବାସୀଙ୍କ ପାଇଁ ପରିଚିତ ନୁହେଁ ତାହା ବିଶ୍ୱ ପରିଚିତ । ସିଂହହନ୍ତା ସିଂହ ବାବୁଙ୍କ ପୁତ୍ର ବିଜୟ ସିଂହଙ୍କ ନାମାନୁଯାୟୀ ଏହାର ନାମ ସିଂହଳ ରଖାଯାଇଛି । କିନ୍ତୁ ପାଶ୍ଚାତ୍ୟ ଦେଶବାସୀଙ୍କ ନିକଟରେ ଲଙ୍କା ବା ସିଂହଳ ସିଲୋନ୍ ନାମରେ ପରିଚିତ ହୋଇଆସିଛି । ସେଦିନର ଦଶାନନ ରାବଣର ଥିବା ସ୍ୱର୍ଣ୍ଣମୟ ଲଙ୍କା ଆଜି ଆଉ ନାହିଁ । ଏହାର ୧୧/୧୨ ଅଂଶ ପ୍ରଳୟ ସମୁଦ୍ର ଗର୍ଭରେ ଡୁବିଯାଇଛି । ଏପରିକି 1500 ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ପ୍ରଭୃ ଶ୍ରୀରାମ ନିର୍ମିତ ସେତୁବନ୍ଧ ଉପରେ ଜନସାଧାରଣଙ୍କ ଯାତାୟାତ ଥିଲା । କୁହାଯାଏ ଅତ୍ୟାଧିକ ଝଞ୍ଜା ଓ ତରଙ୍ଗାଘାତରେ ଏହି ରାମସେତୁ ଭଗ୍ନ ଓ ଜଳମଗ୍ନ ପାଲଟିଗଲା । ଯାହାଫଳରେ ସେହି ଦିନଠାରୁ ଲଙ୍କା ଭାରତ ଭୂମିରୁ ପ୍ରାକୃତିକ ଭାବରେ ବିଚ୍ଛିନ୍ନ ହୋଇ ପଡିଛି ।
ରାମାୟଣର ରାମସେତୁ ସତ କି ମିଛ, ରାମଙ୍କ ଅଲୌକିକ ପ୍ରତାପରେ ଜଳରେ ପଥର ଭାସିବା ସତ୍ୟ କି ମିଛ, ରାମଙ୍କୁ ବିତର୍କ ମଧ୍ୟକୁ ଠେଲିଦେବା ଭାରତ ଭଳି ଏକ ଧର୍ମ ନିରପେକ୍ଷ ରାଷ୍ଟରେ ପ୍ରଶ୍ନ ଉଠାଇବା ଶୋଭା ପାଏନାହିଁ । କାହାପାଇଁ କୋରାନ୍ ଯେତିକି ସତ୍ୟ ଆଉ ପବିତ୍ର, କାହାଲାଗି ବାଇବେଲ୍ ଯେତିକି ସତ୍ୟ ଓ ପବିତ୍ର ହୁଏ, ଠିକ୍ ସେଭଳି କାହା ପାଇଁ ଏ ରାମାୟଣ ସତ୍ୟ ଓ ପବିତ୍ର ପାଲଟି ଯାଏ । ଏହାକୁ କେବେ କବିର ଅତିରଞ୍ଜନ କଳ୍ପନା କହିବା ଯଥାର୍ଥ ନୁହେଁ । ହୁଏତ ରାମସେତୁ ବିଞ୍ଗାନ ସମ୍ମତ ହୋଇପାରେ ବା ହୋଇନପାରେ, ତଥାପି ଅଲୌକିକ ଶକ୍ତିର ପ୍ରତାପକୁ କେବେ ଅସ୍ୱୀକାର କରିପାରେନାହିଁ । ଯେଉଁମାନେ ରାମସେତୁ ପଥର ଭାସିବା ଉପରେ ପ୍ରଶ୍ନବାଚୀ କରନ୍ତି, ତାହା ବିଜ୍ଞାନ ସମ୍ମତ ହୋଇଥାଇ ପାରେ, ସେମାନେ ଟୋପାଏ ଜଳ ସୃଷ୍ଟି କରିପାରନ୍ତି, କିନ୍ତୁ ଗୋଟିଏ ସମୁଦ୍ର ଜଳ ସୃଷ୍ଟି କରିପାରନ୍ତି ନାହିଁ , ପ୍ରକୃତିର ଶକ୍ତି ପାଖରେ ସମସ୍ତେ ହାରମାନିବେ ।
ତଥାପି ଏ ରାମସେତୁ ଐତିହାସିକ ସତ୍ୟ ହେଉ ଅବା ପୌରାଣିକ କଳ୍ପିତ ଇତିକଥା ହେଉ, ଏହି ରାମସେତୁ ନିର୍ମାଣ ପାଇଁ ଶ୍ରୀରାମଙ୍କ ପ୍ରତି ହନୁମାନ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ନଳ, ବିଭୀଷଣ, କପି ସୈନ୍ୟ ଓ ଭଲ୍ଲୁକ ସୈନ୍ୟ ଆଦି ବିନା ସ୍ୱାର୍ଥରେ କରିଥିବା ଉପକାରର ତୁଳନା ନାହିଁ । ଗୁଣ୍ତିଚି ମୂଷା ସେତୁବନ୍ଧ ବେଳେ ନିଜ ଶରୀରରେ। ଧୂଳି ବୋଳି ହୋଇ ବନ୍ଧ ଉପରେ ଝାଡି ସମତୁଲ କରିବା ଅପୂର୍ବ ଦୃଶ୍ୟ ଓ ପ୍ରଭୃ ଶ୍ରୀରାମ ଗୁଣ୍ତିଚି ମୂଷାର ଉପକାରର ପ୍ରତିଦାନରେ ତା'ର ପୃଷ୍ଟଦେଶରେ ସ୍ନେହରେ ଆଙ୍କି ଦେଇଥିବା ତିନୋଟି ରେଖା ଜନଶ୍ରୃତିରେ ତାହା ସ୍ମରଣୀୟ ହୋଇ ରହିଛି । ଏହାର ସତ୍ୟତା ଅଧିକ ଗବେଷଣା ସାପେକ୍ଷକୁ ଅପେକ୍ଷା ରଖେ ।


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।