4/14/2023

ମାଆ

ସ୍ମିତା ମହାନ୍ତି 
      ତୁ  ମମତାମୟୀ , ଦୟାମୟୀ,ଦୁଃଖ ନିବାରିଣୀ , ସଂକଟହାରିଣୀ,କୋମଳମତିଧର୍ଯ୍ୟ ପ୍ରଦାୟିନୀ ବୋଲି ବୋଉ ଚାଲିଗଲା ବେଳେ ମୋତେ କହିଦେଇ ଯାଇଥିଲା। ମା ଛେଉଣ୍ଡ ବୋଲି ଯିଏ ମୋତେ ଆହା ବୋଲି କୁହେ ,  ତାକୁ ମୁଁ  କୁହେ   ମା ଛେଉଣ୍ଡ କାଇଁ ହେବି , ମୋ ବୋଉ ଗଲାବେଳେ ମୋତେ ଆଉ ଗୋଟିଏ ବୋଉ ଦେଇ ଯାଇଛି ଦେଇ ଯାଇଛି।ପ୍ରଥମେ ପ୍ରଥମେ  ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଘରକୁ ଦେଖିବା ଲାଗି  ଆସୁଥିଲେ ,  ଭାବୁଥିଲେ କଣ   ପରିଆ (ବାପା) ଲୁଚେଇକି ଆଉ ଗୋଟେ ସ୍ତ୍ରୀ ଆଣି ରଖିଲାଣି କି?ହେଲେ ମୁଁ ତାଙ୍କୁ ଦିଅଁଙ୍କ ଘରକୁ ନେଇଯାଉଥିଲି ମା ମଙ୍ଗଳା ର ଫଟୋ କୁ ଦେଖେଇ ଦଉଥିଲି ।ବୋଉ କୁଆଡେ଼ ତା ହେତୁ ପାଇଲା  ବେଳୁ ଏଇ ମା ଙ୍କୁ ପୂଜା କରି ଆସିଥିଲା ।ବାହା ହେଇ ଆସିବା ସମୟରେ ସେ ଫଟୋଟି କୁଆଡେ ତା ବୋଉ (ଆଇ)  ତାକୁ ଦେଇ ଏଇ ଅଭାବୀ ସଂସାର କୁ ପଠେଇଥିଲା ଓ କହିଥିଲା ତୋର ଯାହା ଅସୁବିଧା ହେଲେ ଏଇ ମା କୁ ଡାକିବୁ।ବୋଉ ସବୁଦିନ ସେଇ ମା କୁ ପୂଜା କରେ। ସେ ଯେତେବେଳେ ଛୋଟ ଥିଲା ତା ବାପା ଦାଦନ ଖଟିବାକୁ ରେଙ୍ଗୁନ ଯାଇଥିଲା 

                                            ଯେ  ଆଉ ସେ ଫେରିନଥିଲା ।ବୋଉର  ବୋଉ (ଆଈ)ତିନି ତିନିଟି ଛୁଆ ଙ୍କୁ ଧରି ବଡ କଷ୍ଟରେ ଜୀବନ କାଟୁଥିଲା।ସେଥିପାଇଁ ବୋଉର ଦାଦା ଜଣେ ବୁଢ଼ା ବର(ବାପା,ଯାହାର ସ୍ଵର୍ଗ ବାସୀ ସ୍ତ୍ରୀ ଠୁ ଚାରୋଟି ଝିଅ ଓ ଗୋଟିଏ ପୁଅ ଥିଲେ ,  ଙ୍କ ସାଙ୍ଗେ ବୁଝାବୁଝି କରି ବାହା କରିଦେଇଥିଲେ ।ବୁଢ଼ା ବୟସରେ ବାପାର ଦେଖାଶୁଣା କରିବ ବୋଲି ।ବାପା ମୋ ବୋଉକୁ ବାହାହେବା ପରେ ଆଗ ବୋଉର ଛୁଆମାନେ ରାଗିକି ବାପା ସହ ସମ୍ପର୍କ କାଟିଦେଲେ , ଯୋଉମାନଙ୍କୁ ବାହା କରିବା ଲାଗି ବାପା ସବୁ ଜମିଜୁମା ବିକ୍ରି କରିଦେଇଥିଲା।ସେତେବେଳେ ମୋ ବୋଉକୁ ହେଇଥିଲା ମାତ୍ର ପନ୍ଦର ବର୍ଷ । 

                             ତେଣୁ ମୂଲ ଲାଗି ବାପା ଯାହା କିଛି ଆଣୁଥିଲା , ସେଥିରେ ପରିବାର ପ୍ରତିପୋଷଣ କରିବା ବାପାଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଥିଲା । ଅସହାୟ ହୋଇ ମୋର କେମିତି ଲାଳନ ପାଳନ କରିବ ବୋଲି ବୋଉ ତାର ଆରାଧ୍ୟା , ଘରେ ଥିବା ମା ମଙ୍ଗଳାଙ୍କ ଫଟୋ ପାଖରେ ଦିନରାତି ଗୁହାରୀ କରେ ।ଦିନେ ରାତିରେ ଶୋଇଥିଲା ବେଳେ ବୋଉ ସ୍ବପ୍ନ ଦେଖିଲା ଘର ବାରିରେ ଅନେକ ରକମର ଫୁଲ ଫୁଟି ରଙ୍ଗୀନ ଦିଶୁଛି , ବାରି ଚାରିପାଖ ଖାଲି କଦଳୀ ଗଛ। ଜଣେ ଲାଲ ରଙ୍ଗର ଶାଢ଼ୀ ପିନ୍ଧା ସ୍ତ୍ରୀ ଲୋକ , ମୁକୁଳା କେଶ , ମୁଣ୍ଡରେ ବଡ ସିନ୍ଦୁର ଟୋପା ଲଗେଇ ତାକୁ  ସ୍ୱପ୍ନରେ କହୁଛନ୍ତି ତୋ ବଗିଚାରେ ଏତେ ମନ୍ଦାର ଫୁଲ ହେଇଚି, ମୋତେ  ଦିଅନ୍ତୁନି।
                          ମଙ୍ଗଳବାର କରିଛି , ମଙ୍ଗଳା ଓଷା , ମାଳଟିଏ କରି ପିନ୍ଧାନ୍ତି ମା କୁ।ଏ କଦଳୀ ଗୁଡାକହଳଦୀ ଗୁରୁଗୁରୁ ହୋଇଛି।ସେଥିରୁ ଦୁଇଚାରିଟା ଦେଲେ , ମା କୁ ପଣା ଦିଅନ୍ତି।
ବୋଉ ର ନିଦ ଭାଙ୍ଗିଗଲା ।ବୋଉ ମନେମନେ ଜାଣିପାରିଲା ତା ସ୍ବପ୍ନ ରେ ଆଉ କେହି ନୁହେଁ ସେଇ ମା ମଙ୍ଗଳା ଆସି ତାକୁ ଇଙ୍ଗିତ ଦେଉଛନ୍ତି ତାଙ୍କ ସେବା କରିବାକୁ।ବୋଉ ତା ପରଦିନଠୁ ଲାଗିପଡ଼ିଲା।ଖାଲି ପଡ଼ିଥିବା ବାରି ଚାରିପଟେ କଦଳୀ ଗଛ ମାନ ପୋତିଲା।ମନ୍ଦାର , ଟଗର , ଚମ୍ପା ଡାଳ ମାନ ପୋତି ସବୁଦିନ ପାଣି ଦେଲା ।କିଛି ଦିନପରେ ଗଛରେ ଫୁଲ ହେବାରୁ ମାଳ କରିନେଇ ମଙ୍ଗଳା ମନ୍ଦିରରେ ନନା ଙ୍କୁ ଦେଇଆସେ ଚଢ଼େଇବା ପାଇଁ ।କଦଳୀ କାନ୍ଦି ପରେ କାନ୍ଦି ପଡ଼ିଲା ।ସବୁଦିନ ବୋଉ ଦୁଇ  ଚାରୋଟି ନେଇ ମନ୍ଦିରରେ ଭୋଗ ଲଗେଇବା ପାଇଁ ଦେଇ ଆସେ।
                                  ଦିନେ ମନ୍ଦିର ନନା ମା କୁ ଡକେଇ ପଠେଇଲେ।ମା ମନ୍ଦିରରେ ଯାଇ ନନା ଙ୍କୁ ଦେଖା କରିବାରୁ ନନା କହିଲେ କାଲି ସହରର ଜଣେ ବଡ଼ ଲୋକ ଆସିବେ ।ଏଠି ତାଙ୍କର କଣ ମାନସିକ ପୂରଣ ହେଇଛି ବୋଲି ପୂଜା ହେବ। ବଡ଼ ପୂଜା ହେବ ଆଉ ଭୋଜି ବି ହେବ।ତୁ ବଡ଼ ସୁନ୍ଦରିଆ ମାଳ ଟିଏ କରି ଆଣିବୁ ।ବାଡ଼ି ରେ ଯଦି କଦଳୀ କାନ୍ଦି ଥିବ ଗୋଟିଏ ଦେବୁ ।ସେମାନେ ପଇସା ଦେବେ ।ବୋଉ ବଡ ଖୁସିରେ ରାତିରୁ ଉଠି ଫୁଲ ତୋଳି ବଡ଼ ମାଳ ଟିଏ ତିଆରି କଲା।ସାଥିରେ ବାରି କଦଳୀ କାନ୍ଦିଟିଏ ଦେବାରୁ ନନା କହିଲେ ସେମାନେ ଆସିଲେ ତୋ ପଇସା ନେବୁ।ବୋଉ ସଫା ସଫା ମନା କରିଦେଲା।ମୋ ମା ର ସେବା କରି ପଇସା ନେବି , କେବେ ନୁହେଁ।
                                     ଖରାବେଳକୁ ନନା ପୁଣି ଡକେଇ ପଠେଇଲେ ବୋଉ କୁ।ବଡ
ଭୋଜିରେ ଆୟୋଜନ ଚାଲିଥାଏ ।ବଡ଼ବଡ଼ କାର ମାନ ସବୁ ଥୁଆହେଇଥାଏ।ବୋଉ କୁ ମାଡ଼ି ମାଡ଼ି ପଡୁଥାଏ।ମୁଣ୍ଡରେ ଓଢଣା ଦେଇ କରେଇ କରେଇ ହେଇ ମୋତେ ନେଇ ନନା ଙ୍କ ପାଖେ ମା ପହଞ୍ଚିଲାଆମକୁ ଦେଖିବା କ୍ଷଣି ଯାହାର ପୂଜା ଚାଲିଥିଲା ,ସେ ବାବୁ ଓ ତାଙ୍କ ସ୍ତ୍ରୀ ଙ୍କୁ ଡାକି ନନା କହିଲେ ,ଆଜ୍ଞା ଦେଖନ୍ତୁ , ଏଇ ମାଳ ତିଆରି କରିଥିଲେ ଆଉ କଦଳୀ କାନ୍ଦି ଯୋଉ ଆପଣଙ୍କ ଭୋଗ ରେ ଲାଗିଲା ସେ ବି ଆଙ୍କରି ।ଭଉ ତାଙ୍କୁ ଜୁହାର ହେବାରୁ ସେମାନେ କହିଲେ ବେଶ ବଡ଼ ଓ ସୁନ୍ଦର ମାଳଟିଏ କରିଛ , କଦଳୀ କାନ୍ଦି ଟି ବଢ଼ିଆ ହେଇଥିଲା କହି ହାତକୁ  ହସ ହସ ମୁଁହରେ  ୫୦୦ ଟଙ୍କିଆ ନୋଟ ବଢ଼େଇଲେ।ବୋଉ ହାତ ଯୋଡ଼ି ମନା କରିଦେଲା।ମୋତେ ପରା ମା ନିଜେ ସ୍ୱପ୍ନରେ ଆସି କହିଛି , ତୋ ବାଡ଼ିର ଫୁଲରେ ମୋ ପାଇଁ ମାଳ କରିବୁ , ଆଉ ବାଡ଼ି କଦଳୀ ଖୁଆଇବୁ ବୋଲି ।ମୁଁ କେମିତି ପଇସା ନେବି ଯେ ବାବୁ ।ମା ରାଗିଯିବନି ?ଜମା ନେବିନି।ସେମାନେ ସେଇଠୁ ସେ ୫୦୦ ଟଙ୍କିଆ ନୋଟ ଟି ମୋ ହାତକୁ ବଢ଼େଇ ଦେଇ କହିଲେ ,ତୁମ ଝିଅର ବିସ୍କୁଟ ଖାଇବାକୁ ଦେଲୁ ।ଭୋଜି ଖାଇବା ପାଇଁ ବାଧ୍ୟ କରେଇଲେ।ଆମେ ଭୋଜି ଖାଇସାରି ଫେରିଲା ବେଳକୁ ସେ ବାବୁ ପୁଣି ଡାକି ପଚାରିଲେ , ଆଉ ଏମିତି କଦଳୀ କାନ୍ଦି ବାଡ଼ିରେ ଅଛିକି?ଘରକୁ ନେଇଥାନ୍ତୁ।ବୋଉ କହିଲା ହଁ ଅଛି ।ଏଇ ପାଖରେ ତ ଆମ ଘର ।ଆସୁନାହାନ୍ତି , ନିଜ ମନ ପସନ୍ଦର କାନ୍ଦି ଦେଖି ନେଇଯିବେ ।ସେମାନେ ମନ୍ଦିରରୁ ଫେରିଲା ବେଳକୁ ଆମ ଘରକୁ ଆସିଲେ , କଦଳୀ କାନ୍ଦି ନେବାକୁ ।ବୋଉ ତାଙ୍କ ମନ ପସନ୍ଦର କାନ୍ଦି ଟି କାଟି ଗାଡ଼ିରେ ଥୋଇଲା ।ସେମାନେ ପୁଣି ପଇସା ବଢ଼େଇଲା ବେଳକୁ ବିଉ କହିଲା , ନାଇଁ ଥାଉ ।ଦେଇଥିଲେ ପରା ।ସେତିକି ଯଥେଷ୍ଟ ।ହେଲେ ସେ ବାବୁଙ୍କ ସ୍ତ୍ରୀ   ଜବରଦସ୍ତି ବୋଉ କାନିରେ ପଇସା ବାନ୍ଧିଦେଲେ।ବାପା କଣ କରନ୍ତି ବୋଲି  ପଚାରିବାରୁ ବୋଉ ଘରର ସମସ୍ତ ପରିସ୍ଥିତି କହିଲା।ସେମାନେ ଗାଡ଼ିରେ ବସି ଚାଲିଗଲେ।
                     ସେଦିନ ରବିବାର ହୋଇଥାଏ।ବାପା ଘରେ ଥାଏ।ଗାଡିଟିଏ ଆସି ଦୁଆରେ ଲାଗିଲା।ବୋଉ ଦଉଡ଼ି ଯାଇ ଦେଖିଲା ବେଳକୁ ସେଇ ବାବୁ ମା।କହିଲେ କିଛି ଯଦି ମନେ ନକରିବ , ଚାଲ ଆମ ଘରେ ରହି ଦେଖାଶୁଣା କରିବ ।ରହିବାକୁ ଘର  , ଚଳିବାକୁ ଯାହା ଦର୍କାର ଦିଆଯିବ। ତୁମ ଝିଅ ପାଠ ପଢିବ ।ବାପା ହଠାତ କିଛି ଚିନ୍ତା କରିପାରିଲେ ନାହିଁ ।ନିଜ ଭିଟାମାଟି, ସାହି ପଡ଼ିଶା , ମା ଙ୍କ ମନ୍ଦିର  ଛାଡ଼ି କେମିତି ଚାଲିଯିବୁ , ତା ପୁଣି ଏତେ ଜଲଦି ।
ସମ୍ଭବ ନୁହେଁ।ବୋଉ ବାପା ଦୁହେଁ କହିଲେ ଭାବିବାକୁ ସମୟ ଦିଅନ୍ତୁ ବାବୁ, ଆମେ ଆପଣଙ୍କୁ ଜଣେଇବୁ।ତା ପରଦିନ ବୋଉ ଫୁଲ ମାଳ ଓ କଦଳୀ ଧରି ମନ୍ଦିର କୁ ଗଲା ପରେ ନନା ଦେଖି ପଚାରିଲେ , କଣ କାଲି ବାବୁ ଆସିଥିଲେ ପରା , ତାଙ୍କ କଥାରେ ରାଜି ତ?ବୋଉ ନାହିଁ କହି ମୁଣ୍ଡ ହଲେଇ ଦେଲା ।ନିଜ ଜନ୍ମମାଟି ଛାଡ଼ି କିଏ ଯିବ ଯେ !ନିଜ ଘରେ ଶାଗ ପଖାଳ ଖାଇ ରହିଲେ ବି ଶାନ୍ତି ଅଛି।ସେଠିକୁ ଗଲେ ମା ଙ୍କୁ ଆଉ ସବୁଦିନ ଏମିତି ମାଳ ଦେଇପାରିବି?ମା ର ଆଦେଶ ଭାଙ୍ଗି କେମିତି ଚାଲିଯିବି ଯେ ! ନନା କହିଲେ ଆରେ ମା ତୋ ପାଇଁ ଏଇ ସୁଯୋଗ ପଠେଇ ଛନ୍ତି ।ମା ଙ୍କ ସେବା ଯୋଉଠି ରହି ବି କରିପାରିବୁ ।
                           ବୋଉ ଘରକୁ ଚାଲି ଆସିଲା ।କଣ କରିବ , କଣ ନକରିବ, କିଛି ଚିନ୍ତା କରିପାରୁନଥାଏ।ରାତିରେ ବାପା ଆସିଲା ପରେ ଦୁହେଁ ମିଶି କଥା ହେଲା ପରେ ନିଷ୍ପତ୍ତି ନିଆଗଲା  , ବାପା ଆଗ ଯାଇ ସେଠି ରହି କାମ କରି ଦେଖିବ ।ପସନ୍ଦ ଆସିଲେ ଯାଇ ବୋଉ ଆଉ ମୁଁ ଯିବା ଠିକଣା କରାଯିବ।
                           ମନ୍ଦିରକୁ ବୋଉ ଯାଇ ନନାଙ୍କୁ କହିବା ପରେ ନନା ସେମାନଙ୍କୁ  ଖବର ଦେଲେ ।ସେମାନେ ଆସି ବାପାଙ୍କୁ ନେଇଗଲେ।ବାପା ଗଲାପରେ ବୋଉ ଆଉ ମୁଁ ଏକୁଟିଆ।ବାପା ମଝିରେ ମଝିରେ ଆସି ଟଙ୍କା ପଇସା ଦେଇଯାଏ।ବାବୁଙ୍କ ଘର କଥା ପଚାରିଲେ କୁହେ ,ସେମାନେ ଦେବତା ସମାନ ଲୋକ , ବହୁତ ଭଲରେ ରଖିଛନ୍ତି ।ଆସନ୍ତା ବର୍ଷକୁ ସେଇଠିକି ସମସ୍ତେ ପଳେଇବା ।ଶଙ୍ଖ ମଲମଲ ଘର , ଖାଇବା ପିଇବା କୋଉଥିରେ ଅଭାବ ନାହିଁ।ଏଠି କାଇଁ ମା ଝିଅ ଏକୁଟିଆ ଟା ପଡ଼ିରହିବ ।
                                   ଏଥର ବାପା ଯିବାର ଦିନ କେଇଟା ହେଇଚି , ବୋଉ ର ଖାଲି ମୁଣ୍ଡ ବୁଲେଇଲା , ଦେହ ଦୁର୍ବଳ ଦୁର୍ବଳ ଲାଗିଲା ।କିଛି କାମ କରିପାରିଲାନି।ଘରେ ପଡି ରହିଲା ।ଫୁଲ ଗୁନ୍ଥି ମନ୍ଦିର ନେଇପାରିଲାନି।ଚାଲୁ ଚାଲୁ ପଡିଗଲା ।ବାପାକୁ ଖବର ଦିଆ ହେବାରୁ , ବାପା ଆସି ଅବସ୍ଥା ଦେଖି ଆମକୁ ନେଇ ସହରକୁ ଗଲା।ବାବୁ ଘର ବୋଉ କୁ ଡାକ୍ତର ଖାନାରେ ଦେଖେଇବା ପାଇଁ ସବୁ ବ୍ୟବସ୍ଥା କରିଦେଲେ।ସବୁ ପରୀକ୍ଷା ନିରୀକ୍ଷା ହେବାରୁ ଜଣା ପଡିଲା ସେ ଆଉ ବେଶିଦିନ ବଞ୍ଚିବନି।ସେ  କର୍କଟ ରୋଗରେ ଆକ୍ରାନ୍ତ ହେଇଛି ।ବାପା ଖାଲି ମୋତେ ଧରି ଦିନ ରାତି କାନ୍ଦିବାରେ ଲାଗିଲା।ବାବୁ ଘର ସବୁ ଖବର ଆମର ବୁଝୁଥାନ୍ତି।ବାପା ତାଙ୍କ ଘରର ସମସ୍ତ ବୋଲହାକ ମନ ଦେଇ କରେ ।କିଛିର ଅଭାବ ଆମର ନଥାଏ ।ତଥାପି ବୋଉ ପାଇଁ ବାପାର  ମନରେ ସୁଖ ନଥାଏ ।ବେଳାଏ ଘଡ଼ିଏ ବହୁତ କାନ୍ଦେ।ବୋଉ ସବୁବେଳେ ବୁଝାଏ ସେଇ ମଙ୍ଗଳା ଅଛି , ସବୁ ବୁଝୁଛି ।ମୋ ଝୁଅକୁ ସିଏ ଦେଖିବ ।ଏଇ ଦେଖୁନ କେମିତି ବାବୁଘରେ ଆଣିକି ଆମକୁ ରଖିଛି ।ତମେ ବ୍ୟସ୍ତ ହୁଅନି ।ତମର , ମୋ ଝୁଅର କିଛି ଅସୁବିଧା ହବନି ।ମୋତେ ମା ଙ୍କ ଫଟୋ ଦେଖେଇ  କହେ ଏଇ ମା ଠି ସବୁବେଳେ ନିଘା ରଖିଥିବୁ ।ସେଇ ତୋ ଦାୟିତ୍ୱ ନେବ ।ମୁଁ କିଛିଦିନ ପରେ ସେଇ ମା ସେବା କରିବାକୁ ସବୁଦିନ ପାଇଁ ତା ଘରକୁ ଚାଲିଯିବି।ବାପାକୁ ହଇରାଣ କରିବୁନି ।ତୋ ସୁଖ ଦୁଃଖ ସବୁ ଏଇ ମା କୁ ଜଣେଇବୁ।ସେ ସବୁ ବୁଝିବ ।ମୁଁ କିଛି ବୁଝିନପାରି ହଁ ମାରେ।
ଦିନେ ସକାଳୁ ଉଠିଲା ବେଳକୁ ବୋଉ ଶୋଇଛି , ବାପା ଭେଁ ଭେଁ କାନ୍ଦୁଛି।ବାବୁ ଘର ଆସି ବୁଝାଉଛନ୍ତି ।ଗାଡି ଆସିଲା ।ବୋଉ କୁ ଗାଡ଼ିରେ ସୁଆଇଦେଲେ , ବାପା ମୁଁ ଗାଡ଼ିରେ ବସି ଗାଁ କୁ ଗଲୁ।ସେଠି ଗାଁ ଲୋକ ଜମା ହୋଇଗଲେ ।କାନ୍ଦ ବୋବାଳି ରେ ଫାଟୁଥାଏ ଗାଁ ଦାଣ୍ଡ ।ମୋତେ ଧରି କିଏ କିଏ କାନ୍ଦୁଥାନ୍ତି।ଶେଷରେ ବୋଉ କୁ ମଶାଣି ନେଇଗଲେ।ମୁଁ ଭାବୁଥାଏ ମୋ ବୋଉ ବୋଧେ ଆଜି ସେଇ ମା ମଙ୍ଗଳା ଘରକୁ ଚାଲିଗଲା ତାଙ୍କ ସେବା ପାଇଁ ।କୁଣିଆ ମୈତ୍ର ସବୁ ଯିବାପରେ  ପରେ ଆମେ ପୁଣି ଫେରିଗଲୁ ସହରକୁ ବାବୁ ଘରକୁ ଗାଁ ଘରୁ ସବୁ ଜିନିଷ ନେଇ।ଗାଁ ରେ ବୋଉ ପୂଜା କରୁଥିବା ମଙ୍ଗଳା ଫଟୋ ମଧ୍ୟ ସାଙ୍ଗରେ ନେଇଗଲି । ସମୟ ଗଡ଼ିବା ସହ ବାବୁ ଘରେ ରହି ଅଳ୍ପ ପାଠ ପଢ଼ିଲି, ଘର କାମ ଶିଖିଲି , ମା ଙ୍କୁ କାମରେ ସାହାଯ୍ୟ ବି କଲି ।ବାପା ଏବେ ପୁରା ବୁଢା ହେଇସାରିଥିଲା।ମୁଁ ବି ବୋଉ ପରି ସବୁଦିନ ସେଇ ମଙ୍ଗଳା ପୁଜୁଥିଲି ।ମୋ ପୂଜା ଦେଖି ମା ସବୁବେଳେ କହୁଥିଲେ, ମୋର ଆଉ ଶକ୍ତି ପାଉନି, ତୁ ସବୁଦିନ ଆମ ଠାକୁର ପୂଜା କରେ।ନିଜ  ପୁଅ ଝିଅ ବାହା ସରିବା ପରେ ବାବୁ ଓ ମା ମୋ ବାହାଘର କଥା ଚିନ୍ତା କରି ପୁଅ ଯୋଗାଡ଼ କରିବାରେ ଲାଗିଲେ ।ବାବୁ କହନ୍ତି ତାଙ୍କ ପୁଅ ଝିଅ ତ ବାହାରେ ରହିଲେ , ତୁ କିନ୍ତୁ ଏଇଠି ରହିବୁ ।
ବାବୁ ସବୁବେଳେ ଯୋଉ ଦୋକାନରୁ   ଫଳ କିଣନ୍ତି ସେ ଦୋକାନୀକୁ  କୁଆଡେ ବାବୁ ପଇସା ସାହାଯ୍ୟ କରି ଫଳ ଦୋକାନ ଟିଏ କରିଦେଇଥିଲେ ।ସେ ନିଜର ପରିଶ୍ରମ ଦ୍ୱାରା ଆଜି ବଡ଼ ଦୋକାନ ଟିଏ କରିପାରିଛି।ଭାରି ପରିଶ୍ରମୀ ଓ ସଚ୍ଚୋଟ ପିଲାଟିଏ ।ବାବୁ ତା ସହିତ ମୋ ବାହାଘର ପ୍ରସ୍ତାବ ପକେଇ ବାହାଘର କଲେ ।ନିଜ ଘରକୁ ଲଗେଇ ଛୋଟ ଘରଟିଏ ତୋଳିଦେଲେ ଆମ ରହିବା ପାଇଁ ।ତା ପରେ ତାଙ୍କର ଗୋଟିଏ ଯାଗା ପଡ଼ିଥିଲା ସହରଠୁ ଟିକେ ଦୂରରେ ।ମୋତେ କହିଲେ ଏଇଟା ତୋର ମୋ ତରଫରୁ ଉପହାର ।ହେଲେ ତୁ ସବୁବେଳେ ଏଇଠି ରହିଥିବୁ ।
                                       ମୋ ସଂସାର ଖୁସିରେ ଖୁସିରେ ବସିଲା ,କେବେ ଫୁରୁସତ ହେଲେ  ମୋ ବୋଉ ଦେଇଯାଇଥିବା ମଙ୍ଗଳା ଙ୍କ ଫଟୋ ଆଗରେ ବସି ବୋଉକୁ ଖୁବ ମନେପକେଇ କାନ୍ଦେ ଆଉ କୁହେ , ବୋଉ ତୁ ଯାହା କହିଥିଲୁ ସତ , ସବୁ ସେଇ ମା ବୁଝିବ ।ସତକୁ ସତ ମା  ସବୁ ଠିକ କରିଦେଲେ , ହେଲେ କେବଳ ଦୁଃଖ ଏତିକି ରହିଗଲା  ତୋତେ ମୋ ପାଖରୁ ଛଡ଼େଇ ନେଲେ।ବାପାର ଭଲ ଭାବରେ ଯତ୍ନ ନେଉଛି , ତୁ ବ୍ୟସ୍ତ ହେବୁନି। ତୁ ଯୋଉଠି ବି ଅଛୁ ଖୁସିରେ ରହି   ମନ ଦେଇ  ମାଆ ର ସେବା କରେ।ତୋ ମାର୍ଗ ଦର୍ଶନ ରେ ଚାଲି ବାପା ଆଉ ମୁଁ ଏତେ ସୁଖ ଦେଖିଲୁ , ତୁ କିନ୍ତୁ କିଛି ସୁଖ ଭୋଗ କରିପାରିଲୁନି , ଜନ୍ମ ଦୁଃଖୀ ହୋଇ ଚାଲିଗଲୁ ।ମଙ୍ଗଳା ମା ତୋତେ ତାଙ୍କ ପାଖରେ ରଖିଛନ୍ତି ପରା ,ତୁ ସେଠି ଭଲରେ ଥାଆ ।
ରାଉଲକେଲା
ଜୟ ସାହିତ୍ୟ, ଜୟ ସମାଜ

ମାଆ, ଜାଣେ ସିନା ସନ୍ତାନ ମମତା .

ଗୀତିକାର  ଶ୍ରୀ କିଶୋର ଚନ୍ଦ୍ର ଜେନା
ମାଆ ଜାଣେ ସିନା ସନ୍ତାନ ମମତା                             
ମାଉସୀ କି ଯାଣେ 
 ତାହା
ମାଆ ପୋଛି ଦିଏ ନୟନରୁ  ଲୁହ
ମାଆ ପଣତ ରେ ଅଛି ମାୟା -o-
ମୋ  ମାଆ କୋଳ ମୋ ପାଇଁ ସୁନ୍ଦର
ସରଗ ଠୁଁ ସୁଖ ମିଳେ
ନିଜେ ନ ଖାଇ ଖୁଆଇ ଦିଏ ଯେ ମୋ  ମୁଣ୍ଡ ତା ପାଦ ତଳେ  ,
ମାଆ କୁ ହରାଇ ଆକୁଳେ ଡାକଇ  
ଆଲୋ ମାଆ ତୁ ଆ....୧
ମାଆ ପୋଛି ଦିଏ  ନୟନ ରୁ ଲୁହ 
ତାପଣତ ରେ ଅଛି ମାୟା
ଧୁଳି ପୋଛି ଦେଇ ଆଉଁସି  ଦିଏ ଯେ 
ଅମୃତ ମୟୀ ମୋ ମାଆ ,
ରୋଗ ରେ ପଡି କଲବଲହେଲେ 
ସେହି ସିନା ମୋର ସାହା 
ଯେଉଁଠି ରହିଛୁ ଆ  ତୁ ମାଆ  ଲୋ
ମୋ ଚଲା ପଥେ  ହୁଅ ସାହା  ୨
ମାଆ ପୋଛି ଦିଏ ନୟନ ରୁ ଲୁହ ,
ତା ପଣତ ରେ ଅଛି ମାୟା  .

୯୪୩୯୨୮୩୨୮୪
ଜୟ ସାହିତ୍ୟ, ଜୟ ସମାଜ

ଆଦର୍ଶ ମାତା କୁନ୍ତୀ

 
 ପ୍ରଦୀପ କୁମାର ପଣ୍ଡା
                        ମହାଭାରତର ମହନୀୟ ଚରିତ୍ର ହେଉଛନ୍ତି ମାଆ କୁନ୍ତୀ । ହସ୍ତନାପୁରର ରାଜା ପାଣ୍ଡୁଙ୍କର ସେ ଜ୍ୟେଷ୍ଠା ରାଣୀ । ମଦ୍ର ଦେଶର ରାଜକନ୍ୟା ମାଦ୍ରୀ ଥିଲେ ରାଜା ପାଣ୍ଡୁଙ୍କର ସେ କନିଷ୍ଠା ରାଣୀ । କୁନ୍ତୀ ଯୁଧିଷ୍ଠିର , ଭୀମ ଓ ଅର୍ଜୁନ ଙ୍କ ମାତା ଥିଲେ। ନକୁଳ ଓ ସହଦେବ ଙ୍କର ମାତା ହେଉଛନ୍ତି ମାଦ୍ରୀ। ଯୁଧିଷ୍ଠିର , ଭୀମ , ଅର୍ଜୁନ , ନକୁଳ ଓ ସହଦେବ ଙ୍କୁ ପଞ୍ଚୁପାଣ୍ଡବ କୁହାଯାଏ । ଧୈର୍ଯ୍ୟ , ସହିଷ୍ଣୁତା , ଧର୍ମ ପାଳନ ତଥା ଆଦର୍ଶ ମାତା ରୂପେ କୁନ୍ତୀ ବିଶ୍ଵ ବନ୍ଦନୀୟା ମହିୟସୀ ମହିଳା ଅଟନ୍ତି।
                 ମହାଭାରତ ବାଣୀ ଅନୁସାରେ କୁନ୍ତୀ ହେଉଛନ୍ତି ଯାଦବ ବଂଶୀୟ ରାଜା ଶୂରସେନ ଙ୍କ କନ୍ୟା ତଥା କୁନ୍ତଭୋଜଙ୍କ ପାଳିତ କନ୍ୟା । ରକ୍ତ ସମ୍ପର୍କରେ ବସୁଦେବ ଙ୍କ ଭଗ୍ନୀ ଓ ଶ୍ରୀ କୃଷ୍ଣ ଙ୍କ ପିଉସୀ । 
                 ଅବିବାହିତା ଅବସ୍ଥାରେ କୁନ୍ତୀ କୁନ୍ତଭୋଜଙ୍କ ରାଜପ୍ରାସାଦ ରେ ଥିବା ବେଳେ ଋଷି ଦୁର୍ବାସା ସେଠାରେ କିଛି ଦିନ ଆତିଥ୍ୟ ଗ୍ରହଣ କରିଥିଲେ। ସେହି ସମୟରେ କୁନ୍ତୀ ଙ୍କ ସେବାରେ ପ୍ରସନ୍ନ ହୋଇ ଋଷି ଦୁର୍ବାସା ତାଙ୍କୁ ମହାନ ମନ୍ତ୍ର ପ୍ରଦାନ କରିଥିଲେ । ସେହି ମନ୍ତ୍ର ପଢି ଯେଉଁ ଦେବତାଙ୍କୁ କୁନ୍ତୀ ଆବାହନ କରିବେ ସେ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେବେ । କୌତୁହଳ ବସତଃ ଦିନେ କୁନ୍ତୀ ସୂର୍ଯ୍ୟ ଦେବତାଙ୍କୁ ଆବାହନ କଲେ। ସୂର୍ଯ୍ୟ ଦେବତାଙ୍କ ଦୟାରୁ ସେ ଏକ ତେଜସ୍ଵୀ ପୁତ୍ର ପ୍ରାପ୍ତ ହେଲେ । ଶିଶୁଟିର ସୁରକ୍ଷା ପାଇଁ ସୂର୍ଯ୍ୟ ଦେବ ଶିଶୁଟିକୁ କବଚ କୁଣ୍ଡଳ ପ୍ରଦାନ କରିଥିଲେ । କୁନ୍ତୀ ଲୋକଲଜ୍ଜା ଭୟରେ ଶିଶୁପୁତ୍ରଟିକୁ ଏକ ମଞୁ୍ଷାରେ ରଖି ନଦୀରେ ଭସାଇ ଦେଇଥିଲେ । ଶିଶୁଟି ସାରଥି ଅଧିରଥ ଓ ତାଙ୍କ ପତ୍ନୀ ରାଧାଙ୍କ ଦ୍ବାରା ଉଦ୍ଧାର ହୋଇ ଲାଳିତପାଳିତ ହେଲା । ସେ ଶିଶୁଟି ପରବର୍ତ୍ତୀ ଜୀବନରେ , " ମହାରଥୀ କର୍ଣ୍ଣ " ରୂପେ ପରିଚିତ ହୋଇଥିଲେ । 
        କୁନ୍ତୀଙ୍କ ବିବାହ ହସ୍ତିନାର ରାଜା ପାଣ୍ଡୁଙ୍କର ସହିତ ହୋଇଥିଲା । ପାରିଧି ସମୟରେ ପାଣ୍ଡୁ ଏକ ମୃଗକୁ ଶର ନିକ୍ଷେପ କରି ମାରିବା ଅପରାଧରେ ଜନୈକ ୠଷି ଦ୍ବାରା ଭୀଷଣ ଶାପଗ୍ରସ୍ତ ହୋଇଥିଲେ । କାରଣ ସେହି ମୃଗ ଓ ମୃଗୀ ଥିଲେ ଛଦ୍ମବେଶୀ ଋଷି ଓ ଋଷିପତ୍ନୀ । ଅଭିଶାପ କାରଣରୁ ପାଣ୍ଡୁ କୁନ୍ତୀଙ୍କ ସହିତ ଦାମ୍ପତ୍ୟ ସମ୍ପର୍କ ରଖି ପାରି ନ ଥିଲେ। ସ୍ଵାମୀଙ୍କ ଅନୁମତିରେ ଋଷି ଦୁର୍ବାସାଙ୍କ ଠାରୁ ପ୍ରାପ୍ତ ମନ୍ତ୍ର ଦ୍ଵାରା କୁନ୍ତୀ ଧର୍ମରାଜଙ୍କ ପ୍ରସାଦ ରୂପେ ଯୁଧିଷ୍ଠିର , ପବନ ଦେବତାଙ୍କ ଆଶୀର୍ବାଦରୁ ଭୀମ ଓ ଇନ୍ଦ୍ରଦେବଙ୍କ ଦୟାରୁ ଅର୍ଜୁନ ନାମକ ତିନି ପୁତ୍ର ପାଇଥିଲେ। 
            ସାନରାଣୀ ମାଦ୍ରୀଙ୍କୁ ମଧ୍ୟ ସେ ସେହି ମନ୍ତ୍ର ଶିକ୍ଷା ଦେଇଥିଲେ। ଯଦ୍ବାରା ମାଦ୍ରୀ ମଧ୍ୟ ଅଶ୍ଵିନୀକୁମାର ଙ୍କ ପ୍ରସାଦ ରୂପେ ନକୁଳ ଓ ସହଦେବ ନାମକ ଦୁଇ ପୁତ୍ରର ମାତା ହୋଇଥିଲେ । 
                ହଠାତ୍ ପାଣ୍ଡୁଙ୍କ ସ୍ଵର୍ଗବାସ ହେଲା । ସାନରାଣୀ ମାଦ୍ରୀ ସ୍ଵାମୀଙ୍କ ଚିତାରେ ଝାସ ଦେଇ ତାଙ୍କର ସହଗାମିନୀ ହେଲେ । ଫଳରେ ପାଞ୍ଚଟି ପୁତ୍ର ଙ୍କୁ ନେଇ କୁନ୍ତୀ ଏକାକୀ ହସ୍ତିନା ରେ ରହିଲେ । ପାଣ୍ଡୁ ଙ୍କ ପରେ ଧୃତରାଷ୍ଟ୍ର ହସ୍ତିନା ସିଂହାସନରେ ବସିଥିଲେ । ସେ ଆଜନ୍ମ ଅନ୍ଧ ଥିଲେ । ତାଙ୍କର ଶହେ ପୁତ୍ର ଥିଲେ । ପୁତ୍ର ମାନେ ଅତ୍ୟନ୍ତ ଅଧର୍ମୀ , କପଟୀ ଓ ନିଷ୍ଠୁର ଥିଲେ। ଧୃତରାଷ୍ଟ୍ର , ଅଧର୍ମୀ ପୁତ୍ରମାନଙ୍କ ପ୍ରତି ମୋହ ତଥା ନିଜ ଶାଳକ ଗାନ୍ଧାରରାଜ ଶକୁନିର ମନ୍ତ୍ରଣାରେ ପରିଚାଳିତ ହୋଇ ପାଣ୍ଡବ ଓ କୁନ୍ତୀଙ୍କ ଉପରେ ଘୋର ଅବିଚାର କରିଥିଲେ । ଭୀମଙ୍କୁ ବିଷଲଡୁ ପ୍ରଦାନ, ବାରୁଣାବନ୍ତର ଲାକ୍ଷାଗୃହରେ କୁନ୍ତୀଙ୍କ ସହିତ ପଞ୍ଚୁପାଣ୍ଡବଙ୍କ ଦାହର ଯୋଜନା , ରାଷ୍ଟ୍ର ବିଭାଜନ ବେଳେ ପାଣ୍ଡବ ମାନଙ୍କୁ ଅନୁର୍ବର ଖଆଣ୍ଡବପ୍ରସ୍ଥ ଅଂଶରୂପେ ଦେଇ ଦୁର୍ଯ୍ୟୋଧନଙ୍କୁ ସମୃଦ୍ଧିଶାଳୀ ହସ୍ତିନା ପ୍ରଦାନ, କୁନ୍ତୀଙ୍କୁ ପୁତ୍ରମାନଙ୍କ ଠାରୁ ବିଚ୍ଛିନ୍ନ କରି ହସ୍ତିନାରେ ରଖିବା ଭଳି ଅମାନବୀୟ କାର୍ଯ୍ୟ କରିଥିଲେ। ଏହି ସଂକଟ ସମୟରେ ବିଦୁର ତାଙ୍କ ପ୍ରତି ସହାନୁଭୂତି ଦେଖାଇଥିଲେ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦୟା ଉପରେ ନିର୍ଭର କରି କୁନ୍ତୀ କାଳ ଯାପନ କରୁଥିଲେ । ବନବାସ ସମୟରେ ମଧ୍ୟ ଅନେକ କଷ୍ଟରେ ସେ ଜୀବନ ବଞ୍ଚାଉ ଥିଲେ । ଶେଷରେ ମାମୁଁ ଶକୁନିର ମନ୍ତ୍ରଣାରେ ଦୁର୍ଯ୍ୟୋଧନ ପାଣ୍ଡବ ମାନଙ୍କୁ ପଶାଖେଳ ପାଇଁ ଆହ୍ଵାନ କରି ଖେଳରେ ପରାଜିତ କରି ରାଜ୍ୟଚ୍ୟୁତ କଲା। ଦ୍ରୌପଦୀଙ୍କୁ ରାଜସଭାକୁ ଆଣି ଦୁଃଶାସନ ଦ୍ବାରା ତାଙ୍କ ବସ୍ତ୍ରହରଣର ହୀନ ପ୍ରଚେଷ୍ଟା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଦୟାରୁ ତା'ର ଏହି ପୈଶାଚିକ କାର୍ଯ୍ୟ ସଫଳ ହୋଇ ନଥିଲା । ଦୁର୍ଯ୍ୟୋଧନର ଏହି ଅନ୍ୟାୟ ଆଚରଣରେ ମଧ୍ୟ ଧୃତରାଷ୍ଟ୍ର କୌଣସି ପ୍ରତିବାଦ କରି ନ ଥିଲେ। ଏହାରଫଳ ହୋଇଥିଲା "ମହାଭାରତ ଯୁଦ୍ଧ"। କୁନ୍ତୀ ସର୍ବଦା ତାଙ୍କ ପୁତ୍ର ମାନଙ୍କୁ ଧର୍ମ ମାର୍ଗରେ ଯିବା ପାଇଁ ଶିକ୍ଷା ଦେଉଥିଲେ। ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥରେ ସାରଥି ହୋଇ ଅର୍ଜୁନକୁ ଅନେକ ଜ୍ଞାନ ପ୍ରଦାନ କରିଥିଲେ । ଶେଷରେ ପାଣ୍ଡବ ମାନେ ଏହି ଧର୍ମ ଯୁଦ୍ଧରେ ବିଜୟୀ ହୋଇଥିଲେ । କୌରବ କୁଳ ସମ୍ପୂର୍ଣ୍ଣ ଧ୍ଵଂସ ହୋଇଗଲା। 
                 ଯୁଦ୍ଧ ଶେଷରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ବାନପ୍ରସ୍ଥ ପାଳନ ପାଇଁ ବନକୁ ଯାଇଥିଲେ । କୁନ୍ତୀ ଓ ବିଦୁର ମଧ୍ୟ ତାଙ୍କ ସଙ୍ଗରେ ଯାଇଥିଲେ । ଦିନେ ଜଙ୍ଗଲରେ ନିଆଁ ଲାଗିବାରୁ ସମସ୍ତେ ବନାଗ୍ନୀରେ ଦାହ ହୋଇଯାଇଥିଲେ । ମାତ୍ର କୁନ୍ତୀ ନିଜ ଗୁଣରେ ପୁରାଣ ପୃଷ୍ଠାରେ ଆଦର୍ଶ ମାତା ତଥା ଧର୍ମ ପାଳନ ପାଇଁ ନମସ୍ୟା ହୋଇ ରହିଲେ । 
                 
ଆନନ୍ଦ ନଗର , କୁଳୁଥକାନି
ସମ୍ବଲପୁର -୭୬୮୦୦୫
ଜୟ ସାହିତ୍ୟ, ଜୟ ସମାଜ

ଗପ ହେଲେ ବି ସତ:ମା

ଅମରନାଥ ବାରିକ୍
 ଆମେମାନେ ସମସ୍ତେ ଜାଣିଛନ୍ତି ସୁଖ ଓ ଦୁଃଖକୁ ନେଇ ଜୀବନର ନାଟକ ଆରମ୍ଭ ହୋଇଥାଏ । କିଛି ଯନ୍ତ୍ରଣାକୁ ଭୁଲି ଯାଆନ୍ତି ତ କିଛି ଯନ୍ତ୍ରଣାକୁ ଛାତି ତଳେ ଚାପି ରଖନ୍ତି । ଆଉ କିଛି ସୃତି ଓ ଅନୁଭୂତି ହୋଇଯାଏ କିନ୍ତୁ ମୁଁ ଜଣେ ଏମିତି ମହିୟସୀ ମହିଳାଙ୍କ ବିଷୟରେ କହୁଛି ଯାହା କେଉଁ ଗ୍ରନ୍ଥ ଉପନ୍ୟାସରେ ନଥିବ ଏବଂ ତାଙ୍କ ପାଖରେ ସଂସାରର ସବୁ ଦୁଃଖ ହାର୍ ମାନିଛି । ସାତ ବର୍ଷ ଓ ପାଞ୍ଚ ବର୍ଷ ବୟସର ଦୁଇଟି ଅବୋଧ ଶିଶୁଙ୍କୁ ସମ୍ଭାଳିବା, ତାଙ୍କର ପିନ୍ଧିବା ନାଇବା ଖାଇବା ଏମିତି ଅଳି ଅର୍ଦ୍ଦଳି ସାମନା କରିବା ଓ ତା' ସହିତ ଘରଟା ଯାକର କାମଧନ୍ଦା ସବୁ ନିଜେ କରୁଥାଏ ଅରୁନ୍ଧତୀ ।

        ଦୁଃଖ ସହି ନପାରି କେତେବେଳେ କେମିତି ପଡ଼ୋଶୀ ମାନେ ଆସି ସାହାଯ୍ୟ କରିଦିଅନ୍ତି । ନହେଲେ ଅରୁନ୍ଧତୀକୁ ସବୁ କରିବାକୁ ପଡେ଼ । ସୂର୍ଯ୍ୟଙ୍କ ଉଦୟ ହେବା ପୂର୍ବରୁ ଶେଯ ତ୍ୟାଗ କରି ଯାବତୀୟ କାମ ସାରିଥାଏ । ବେଳେବେଳେ ନିଜେ ଭୋକ ଓପାସରେ ରହି ଆଖିର ଲୁହକୁ ପିଇ ରାତି ବିତାଇ ଦିଏ ସିନା, ସେ ପିଲା ଦୁଇଟିଙ୍କୁ କିଛି ଦୁଃଖ ଜାଣିବାକୁ ଦିଏନି। ସେମାନେ ବା କ'ଣ ଜାଣନ୍ତି ଅଭାବ ଅନାଟନର ଅର୍ଥ ! ତାଙ୍କୁ ଯେମିତି ଯାହା ହେଉ ବାରିଘରରୁ ଶାଗ ମାରିଚ ଆଣି ଏଣୁ ତେଣୁ କରି ଖୁଆଇ ଦିଏ । ଗାଁକୁ କେହି ଜଣେ ଫେରିବାଲା ଆସିଲେ, ଗାଁ ପିଲାମାନେ ତାଙ୍କ ଘରୁ ପଇସା ଆଣି ଚୁଟୁରୁ ମୁଟୁରୁ ଖାଇଥାନ୍ତି । ସେତେବେଳେ ଏ ଦୁଇଟି ବାଳକ ଅଝଟ କରିଥାନ୍ତି ଅରୁନ୍ଧତୀ ପାଖରେ । ହେଲେ ଟଙ୍କେ ଆଠଣା ସବୁ ପୁରୁଣା ବାକ୍ସ ଆଟାଚି ଟିଣା ପର୍ଯ୍ୟନ୍ତ ଅଣ୍ଡାଳି ଥାଏ ଅରୁନ୍ଧତୀ । କାଳେ ବାପା ବୋଉ କିଛି ରଖି ଯାଇଥିବେ । ହେଲେ କିଛି ମିଳେନାହିଁ । ସେ ପିଲା ଦୁଇଙ୍କର ବିକଳ ମୁହଁକୁ ଚାହିଁ ଆଖିରୁ ଦୁଇ ଟୋପା ଲୁହ ଝରାଇ ଦିଏ ଅରୁନ୍ଧତୀ ।

       ବାପାଙ୍କ ଯିବାର ଛଅ ମାସ ଭିତରେ ମା' ବି ଛାଡ଼ି ଚାଲି ଯାଇଥିଲେ ଆରପାରିକୁ । ମାତ୍ର ଏଗାର ବର୍ଷ ବୟସର କୁନି ଝିଅ ଅରୁନ୍ଧତୀ ଦୁଃଖର ବୋଝକୁ ମୁଣ୍ଡେଇ ଚାଲିଥିଲା । ତା'ର ଛୋଟ ଛୋଟ ଦୁଇ ଭାଇଙ୍କୁ ମଣିଷ କରିବା ପାଇଁ ଆପଣେଇ ନେଲା ଦୁଃଖକୁ । ସପ୍ତମ ଶ୍ରେଣୀରେ ପଢିବା ସମୟରେ ପୂର୍ଣ୍ଣଛେଦ ପଡ଼ିଥିଲା ତା'ର ପାଠ ପଢ଼ାରେ । ଦୁଇ ଭାଇଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ କରିଥିଲା ଛୋଟ ଏକ ବ୍ୟବସାୟ । ଗାଁ ଠାରୁ ଅଳ୍ପ କିଛି ଦୂରରେ ଥିଲା ଏକ ବଜାର । ସେଠାରୁ କିଛି ସଉଦା ବାକିରେ ଆଣି ବିକ୍ରିକରେ ଗାଁରେ । ସେଥିରୁ କିଛି ଲାଭ ରଖି ବାକି ପଇସା ସୁଝି ଦିଏ । ଏମିତି କରି ସେ ପରିବାର ସମ୍ଭାଳି ଥିଲା । ତା' ସଙ୍ଗେ ସଙ୍ଗେ ପିଲାମାନଙ୍କୁ ପାଠ ପଢ଼ାଇ ଉଚିତ୍ ମାର୍ଗ ଦେଖାଇ ଥିଲା । ତା'ର ଏମିତିକା ସ୍ଵଭାବ ଦେଖି ଗ୍ରାମବାସୀ ମାନେ ବଡ଼ ଆଦର କରୁଥିଲେ । ବଡ଼ ହେବା ପରେ ପରବର୍ତ୍ତୀ ସମୟରେ, ସେହି ଗାଁର ନିକଟବର୍ତ୍ତୀ ବସ୍ତିରୁ ଆସିଥିଲେ ଜଣେ ଧନି ଲୋକ ଅରୁନ୍ଧତୀକୁ ବୋହୂ କରି ନେବା ପାଇଁ । କାରଣ ତାଙ୍କୁ ଜଣା ଥିଲା ଯେ ଅରୁନ୍ଧତୀ ଜଣେ ଝିଅ ନୁହେଁ ସେ ହୀରାଟିଏ । କାହିଁକି ନା ଯାହା ସେ କରି ଦେଖାଇଛି ହୁଏ ତ କେଉଁ ମା' ଏମିତି କରି ପାରିବ ନାହିଁ । ମାଛି କୁ ମ ବୋଲି କେବେ କୁହେ ନାହିଁ । ଚିରା ଫଟା ଅଛି ନାହିଁରେ ଦିନ ବିତାଇ, ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରିଛି । ଜୀବନର ପ୍ରକୃତ ଅର୍ଥ କ'ଣ ତାହା ଅରୁନ୍ଧତୀ ଜାଣିଛି । ଦୁଃଖ ଯନ୍ତ୍ରଣା କୋହକୁ ସାମନା କରିପାରିଛି । ଶେଷରେ ଶାଶୂଘରକୁ ଯାଇ ଏହା ପ୍ରମାଣିତ କରି ପାରିଛି କି "ଦୁହିତା ଦୁଇ କୁଳକୁ ହିତା" ।

       ସତରେ ଅରୁନ୍ଧତୀର ଏହି ଜୀବନ କାହାଣୀଟି କେଉଁ କାହାଣୀ କି ଗଳ୍ପ ନଥିଲା, ଥିଲା ଏକ ସତ୍ୟ ଘଟଣା, ଯାହାକୁ ଲୋକଲୋଚନକୁ ଆଣିବା କର୍ତ୍ତବ୍ଯ ଭାବିଲି ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧
ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
ଜୟ ସାହିତ୍ୟ, ଜୟ ସମାଜ

ମୋ ମା .....

   ସୁରେନ୍ଦ୍ର ମିଶ୍ର 
 ମା ଏକ ନିବିଡ଼ତା ର ଆବେଗ                                                                      ମା ପୁଣି ସ୍ନେହ,ଆଦର ଆଉ ସୁରକ୍ଷାର ବଳୟ,
ମା ତୋରି ମମତା ତୋରି ସ୍ନେହ ସ୍ୱର୍ଗ ସମାନ
କୋଟି ପ୍ରଣାମ କରି ଦେଉଛି ମୋ ଅଜସ୍ର ସମ୍ମାନ ।
ତୋ ଆଦର୍ଶ ର ଶିକ୍ଷା ରେ 
ସଂସ୍କାର ପାଇଛି ତୋ ଠାରୁ ଶିଖିଛି ,
ପ୍ରଥମ ଶବ୍ଦ ସେ ହେଉଛି ମା ମୋ ମା ।
ତୋ ବିନା ଅନ୍ଧାର ଏ ବିଶାଳ ଜଗତ 
ତୋ ବିନା ନାହିଁ ମୋ ଅସ୍ତିତ୍ୱ,
ତୁ ମୋ ସବୁରି ଭାଷା ର ଏକା ସାହା ଭରଷା ।
ଯେଉଁ ଶବ୍ଦ ର ଆକାର ଆଉ ବିକାର ନାହିଁ  
ସମସ୍ତ ଶବ୍ଦ ଆଉ ସମ୍ପର୍କ ରୁ
ଶୀର୍ଷ ରେ ସେ ହେଉଛି 'ମା ,
ମା ବୋଲି ଡାକିଦେଲେ
ପ୍ରତିଧ୍ୱନି  ଖେଳିଯାଏ ମାଟିରୁ ଆକାଶ ଯାଏ,
ମାତ୍ର ସେ ଥାଏ ମୋ ଚେତନା ରେ
ସେ ଥାଏ ମୋ ବେଦନା ରେ,
ପୁଣି ସେ ଥାଏ ମୋ ପ୍ରାର୍ଥନା ରେ 
ମୋ ସମଗ୍ର ସତ୍ତା କୁ ଆଲୋକିତ କରି ,
ପୃଷ୍ଠ ଭାଗରେ ଠିଆ ହୋଇଥିବା ଦେବୀ ଟିଏ 
ତୋ କୋଳ ଛାଡିବା ପରେ ହିଁ 
ଦେଖିଛି ଏହି ସତ ଆଉ ମିଛ ଦୁନିଆ କୁ ,
ତୋ ହାତ ଛାଡିବା ପରେ ହିଁ ଜାଣିଛି
ହସ ଲୁହ ର ଏ ବିଶାଳ ସଂସାର କୁ ,
ତୋ କାନି ଧରିବା ପରେ ହିଁ ଜାଣିଛି 
କେତେ ମହତ୍ୱ ଯେ ସେ ପଣତ ର,
ତୋ ପାଦ ଛୁଇଁବା ପରେ ହିଁ 
ଲାଗିଛି ଚଳନ୍ତି ଠାକୁର ମୋର💐💐💐
  ସୁକୁନାଭଟା , ବଲାଙ୍ଗିର, ଓଡିଶା
ଜୟ ସାହିତ୍ୟ, ଜୟ ସମାଜ

ବୋଉ ପ୍ରତି ...

ଶାନ୍ତିଲତା ପଲାଇ 
ବୋଉଲୋ !!!                                                            
ଆଜି ପବିତ୍ର ଅଁଳା ନବମୀ 
ଚତୁର୍ଦିଗ ଉଠୁଛି ପଡୁଛି 
ସବୁଆଡେ ଭଜନ କୀର୍ତ୍ତନ 
ଘଣ୍ଟ  ଘଣ୍ଟା ମୃଦଙ୍ଗର ତାନ 
ପରିବେଶ ରେ  ମଧୁର କମ୍ପନ !

ଆଜି ବହୁତ ମନେ ପଡୁଛି ତୋ କଥା... 
କହିଥିଲୁ ତୁ, ଆସିବୁ  ଛୁଟିହେଲେ ପିଲାମାନଙ୍କର 
ପୁରୀ ଯିବୁ ଅଁଳା ନବମୀରେ !
କିନ୍ତୁ ସତରେ ଲୋବୋଉ !
ତୁ କେମିତି ଏତେ ଦୂରଦ୍ରଷ୍ଟା  ଥିଲୁ? 
ଏତେ ଦୃଢ  ଆତ୍ମବିଶ୍ୱାସ  ଥିଲା ତୋ ମନରେ? 
କି ସୁନ୍ଦର ସଜବାଜ ହୋଇ ପୁରୀ ଗଲୁ ତୁ, 
ଫୁଲର ସବାରୀରେ 
ଅଁଳା ନବମୀରେ !
ଯାଇଛୁ ଯେ ଯାଇଛୁ 
ଆଉ ଚାହିଁନୁ ଫେରି ପଛକୁ!

ଛାତିକୁ ପଥର କରି 
ଦୁଃଖ  ଜଂଜାଳ ସହି 
ଆଶା ଭରସା ବିଶ୍ୱାସ ଜନ୍ମାଇ 
ସୁଖର ସ୍ବପ୍ନ ଦେଖାଇ 
ଚନ୍ଦ୍ରମା କୁ ହାତ ପାହାନ୍ତାରେ 
ତୋଳି ଧରିବାକୁ ପ୍ରେରଣା ଦେଇଥିଲୁତୁ, 
ଖରାବର୍ଷା ସହି ଛତା ବଢ଼ାଇଥିଲୁ ତୁ !
ଝୁଣ୍ଟିପଡିଲେ କିଭାଙ୍ଗିପଡିଲେ 
ଲୁହ ଢାଳୁଥିଲୁ ତୁ !

ତୋର ସତ୍ୟ ଶାନ୍ତି, ମୈତ୍ରୀ ପ୍ରୀତି ଭରା ହୃଦୟରେ 
ସ୍ନେହ ମମତା ପ୍ରେମର ପସରା ମେଲାଇ 
ସମ୍ପର୍କ ସଂସ୍କାରର 
ସବୁ ପରମ୍ପରାକୁ ଜାବୁଡି ଧରିଥିଲୁ ତୁ !
ଆଉ ସେ ପଥ ଅନୁସରଣ କରିବାରପନ୍ଥା 
ବତେଇଥିଲୁ ତୁ !
କିନ୍ତୁ ସବୁ ଆଜି ଶୂନା  ଶୂନା 
ଅଧାଁବାଟେ  ହାତଛାଡି ଠକି ଦେଲୁ ତୁ !

ବୋଉଲୋ !!ସବୁ ଅଛି ଆଜି 
ତୋ ଘର, ତୋ ବାଡ଼ିବଗିଚା, ତୋ ଠାକୁର ଘର 
ତୋ ହାତର ପରଶ  ଛାପିଛି ସବୁଠି, 
ହେଲେ ତୁ ନାହୁଁ 
ଲୁଚକାଳି ଖେଳୁଛୁ ତୁ 
ମିଛର ଇସାରା ଦେଇ
ଆକାଶରେ ତାରାଟିଏ ହୋଇ !

ସବୁତ ସରିଯାଇଛି ଲୋ ବୋଉ 
ଖସିଯାଇଛି ତୋ ପଣତକାନି 
ପୋଛିବାକୁ ଆଖିଲୁହ 
ପୋଷ  ପୋଷ  ଝାଳ, 
ନାହିଁ ତୋ କୋମଳ ପରଶ  ଆଜି 
ଶୁଖିଲା ମୁହଁ ଦେଖି, ଆହା  ପଦେ କରିବାକୁ, 
ହଜାରେ ପ୍ରଶ୍ନବାଚୀ ରେ ପୋତିଦେବାକୁ, 
କୋଳରେ ଶୋଇଦେଇ 
ମୁଣ୍ଡ ଆଉଁସି ଦେଇ
ମନରେ ଶାନ୍ତି ଆଉ ତୃପ୍ତି ବିଞ୍ଚି  ଦେବାକୁ !

ବୋଉ ଲୋ
ସକାଳ ପରି ଶୀତଳ ତୁ 
ସଞ୍ଜ ପରି ପୂଣ୍ୟ 
ତୋ ପାଦ ତଳେ ମୋର କୋଟୀ କୋଟୀ ପ୍ରଣାମ !
ବିନା ପ୍ରତିବାଦରେ 
ବିନା ପ୍ରତିଦାନରେ 
ତୁ ତ୍ୟାଗର ମୂର୍ତ୍ତିମନ୍ତ  ବିଗ୍ରହଟିଏ !
ତୁ ମୋର ଅନୁଭୂତି 
ତୁ ମୋର ଅନୁଭବ 
ଏନ୍ତୁଡ଼ିଶାଳ ଠୁ  ମଶାଣି ଯାଏ !
ସବୁ ହଜିଯାଇଛି ସିନା ତୋ ଜୁଇ ରେ 
ସ୍ମୃତି ପାଲଟିଛି  ଆଜି, 
କେବଳ ରହିଯାଇଛି ତୋ ରଙ୍ଗୀନ ଛବିଟି 
ଶୋଭା ପାଉଛି ଖାଲି ଘର କାନ୍ଥରେ....... 
ବାଙ୍ଗାଲୋର 9853511503
ଜୟ ସାହିତ୍ୟ, ଜୟ ସମାଜ

ବୋଉ ପାଇଁ

ପ୍ରିୟଙ୍କା ମହାନ୍ତି
ମୁଁ ଜାଣେ ମୋ ଭିତରେ                                                    
ଭଲ ମଣିଷଟେ ଦୂରେ ଥାଉ
ଭଲ ଏକ ଉପାଦାନ
ନଥିବା ସମୟରେ
ତୁମେ ନିରନ୍ତର ଗଢ଼ି ଚାଲିଥିଲ ମତେ ନିରୋଳାରେ ।
ସେମାନେ କରୁଥିଲେ କଟୁ ସ୍ଵର୍ଗକ୍ତୋତି
ଭବିଷ୍ୟତ ପାଇଁ
ତଥାପି ନିରୁତା ତୁମ ସ୍ନେହଁ ପାଇଁ
ମୁଁ ହୁଏତ ଛିଡ଼ା ଏବେ
ସୁଦୃଢ଼ରେ ଭିତ୍ତିହୀନ ସ୍ଥିତି ପରେ
ତେବେ ପାଦତଳ ମାଟି ଉପରେ ବିଶାଳ ଆକାଶ ନୁହେଁ
ମୁଁ ଭେଟେ ବୋଉର କୋମଳ ପାପୁଲିଭର୍ତ୍ତି ମମତା 
ମୋ ଚତୁଃପାର୍ଶ୍ଵରେ
ପ୍ଳାବିତ ହେଉଥିବା ବେଳେ
ଚାହିଁରହେ ବିସ୍ମିତ ନୟନରେ
ତା ଓଠଧାରେ ଦୋଳି ଖେଳୁଥିବା
ଚେନାଏ ରସାଳ ସ୍ମିତହାସ୍ୟ
ସେଇଠି ନିର୍ବାଣ ସ୍ପର୍ଶ କରେ ମତେ
ସନ୍ନ୍ୟାସିନୀ ନୁହେଁ
ସଂସାରୀ ବେଶରେ ॥

ବୋଉ ପାଖେ ସାରା ପୃଥିବୀଟା ଛୋଟ ଲାଗେ
ପକ୍ଷୀର କାଳକୀ ସ୍ଵରରୁ ତା ଶୁଭୁଥାଏ
ଶୀତଳ ଝରଣା ତା ସ୍ନେହଁ
ଦେଇ ଝରୁଥାଏ
ନିଃର୍ବାକ୍‌ ହୁଏ
ଏ କଣ
ପ୍ରତିଥର ପଇଁଚାଳିଶ କିଲୋର ଶରୀର ତା
ନିକିତିର ପଲାକୁ ମାଟିକୁ ଛୁଆଁଏ ॥
ବୋଉକୁ ନେଇ କ'ଣ ଦେଖିହୁଏ ସ୍ଵପ୍ନ ନା
ଲେଖଁହୁଏ କବିତା
ନା ଆଙ୍କିହୁଏ ମାନଚିତ୍ର
ଯିଏ କହୁଥୁଲା
ତାକୁ ମୋର ପ୍ରଶ୍ନ
ଯାହାସବୁ ଦୃଶ୍ୟମାନ ଏଇ ଜଗତରେ
ଯେଉଁ ସାଫଲ୍ୟ ସ୍ପର୍ଶକରେ
ଆମ ଏ ହାତରେ
ସେ ହାତକୁ ରକ୍ତମାଂସ ଦେଇ
ଆତ୍ମା ମନ ଦେଇ ଗଢ଼ିଥିବା ହାତ
ଏତେ ଅଦରକାରୀ
ପ୍ରାପ୍ତ ବୟସରେ ॥

ଯା ପାଇଁ ଯାହା ହେଉ
ଗଙ୍ଗା ସେ
ମୋ ପାଇଁ ତୀର୍ଥ ଫଳ
ଜୀବନ୍ତ ଦେବୀ ସେ
ବୋଉ ପାଇଁ ଏ କବିତା ନୁହେଁ
ସ୍ଵୟଂ ନିଜେ ମହାକାବ୍ୟ ସେ ॥
9556245321
ଜୟ ସାହିତ୍ୟ, ଜୟ ସମାଜ

ପଣା ସଂକ୍ରାନ୍ତି

ଅପର୍ତ୍ତି ସେଠୀ
(ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ)                                                

ବସନ୍ତ ଯାଉଛି ଗ୍ରୀଷ୍ମ ପ୍ରବେଶିଛି
      ପଣା ସଂକ୍ରାନ୍ତି ଆସିଛି,
ଓଡ଼ିଆଣୀ ଦାଣ୍ଡେ ନଡ଼ିଆ ଭାଙ୍ଗୁଛି
      ବେଲ ପଣା ଚକଟୁଛି‌।
ଯ‌ଅ ଛତୁଆକୁ ଦହି ଗୁଡ଼ ସହ
       କଞ୍ଚା ଆମ୍ବ କାଟୁଅଛି,
ବସନ୍ତରା ଠେକି‌ ଆଣ ପାଣି ସିଞ୍ଚି‌
       ସିନ୍ଦୂର ଟୋପା ମାଖୁଛି।
ଗବ ଡାଳିଆରେ କଦଳୀ ପାଟୁଆ
       ସିକା‌ ବାନ୍ଧି ସାରିଲାଣି,
ମନେମନେ ପୁଣି ଶ୍ରୀହନୁମାନଙ୍କୁ 
        ସୁମରଣା‌ କରିଲାଣି।
ବୈଶାଖ ଆରମ୍ଭେ‌ ଗ୍ରୀଷ୍ମ ଆଗମନେ‌
        ଅସହ୍ୟ ତାତି ପ୍ରଭାବେ‌,
ସଂସାରର ସର୍ବ ପ୍ରାଣୀ ସୁଖେ ଥାନ୍ତୁ
        ପଣା ନୈବେଦ୍ୟର ଭାବେ।
ମହା ବିଷୁବ ଏ ପଣା ସଂକ୍ରାନ୍ତିରେ
        ଓଡିଆଣୀ‌ ଶୁଭ ଚିନ୍ତେ,
ଅସହ୍ୟ ଯନ୍ତ୍ରଣା କଷ୍ଟ ଦାଉ ଯେତେ
        ବାନ୍ଧି ଥାଏ ତା ' ପଣତେ।
ଓଡ଼ିଆଣୀ ମାଆ ପଣା ସମର୍ପୁଛି
        ପେଟ ଆମ ଥଣ୍ଡା ପାଇଁ,
ମନ ଥଣ୍ଡା ପାଇଁ ମାଆ ମୋର ଏଠି
        ଅନେକ କଥା କହଇ।
ମାଆ ବୃନ୍ଦାବତୀ ଶରଣରେ‌ ପଶି
        ଯୋଉ ପଣା ବାଣ୍ଟିଦିଏ‌,
ସଂସାରରୁ ଦୁଃଖ ଦୂର ହେବାପାଇଁ
        ଅମୃତ ସେ ସମାନ ସିଏ।
ହିଂସା, ଦ୍ଵୈଷ, ରାଗ, କାମନା ଗରବ‌
        ବିବେକ ପାତ୍ରରେ ଭରି,
ଜ୍ଞାନ ବୁଦ୍ଧି ବଳେ ଯତନେ ଚକଟି
        ପଣାକୁ ପ୍ରସ୍ତୁତ କରି।
ସ୍ନେହ ଆଦରର ପଣତ ଘୋଡାଇ
        ଓଡ଼ିଆଣୀ କହୁଥାଏ,
ଏହି ପଣା ମୋର ପିଇଲେ ସୁଜନେ
        ମନ ଶୋଷ ମରିଯାଏ।
ପେଟ ଥଣ୍ଡା ଠାରୁ ମନ ଥଣ୍ଡା ଭଲ
        ଜଗତ ମଙ୍ଗଳ ପାଇଁ,
ଯେଉଁଥି ପାଇଁ କି ବୀର ହନୁମାନ
        ଆଜି ଥିଲେ ଜନ୍ମହୋଇ।
ଆଜି ଏ ପବିତ୍ର ଦିନ ଓଡ଼ିଆର
       ନବ ବର୍ଷ ପଡ଼ିଥାଏ,
କିଏ ଠେକି ବସା ସଂକ୍ରାନ୍ତି କେ ପୁଣି
       ମେଷ ସଂକ୍ରାନ୍ତି ବି କୁହେ। 
ଆଜି ବି ଏ ପୁଣ୍ୟ ତିଥି ଅବସରେ‌
      ପଡ଼ିଥାଏ ଝାମୁଯାତ୍ରା ,
ଦେବାଦେବୀ ପୀଠ ଭକ୍ତ ସମାଗମ
       ଓଡ଼ିଆ ସଂସ୍କୃତି କଥା।
କେଉଁଠି କାଳିସୀ ହୁକୁମୁ ଦେଉଛି
       କେଉଁଠି ନିଆଁର ଖେଳ,
କେଉଁଠି ମାରୁତି ଯଜ୍ଞ କମ୍ପୁଅଛି
       ମହକୁଅଛି ସଂସାର।
ଓଡ଼ିଆ ଘରର ବଢ଼ିଆ ସଂସ୍କୃତି
       ବହୁ ବାର୍ତ୍ତା ଦେଉଅଛି,
କେବଳ ଆମକୁ ସେ ସବୁକୁ ବୁଝି
       ବଦଳି ଯିବାର ଅଛି।
ପ୍ରେମ ନଦୀ ଯଦି ବହିବ ଏଠାରେ
       ପାପ ସବୁ ଧୋଇ ନେବ,
ଦୁଃଖ ଦୂର କରି ସୁଖ ସମର୍ପିବ‌
 ‌       ସଂସାର ହସି ଉଠିବ।
ଏ ପଣା  ସଂକ୍ରାନ୍ତି ଏ ଧର୍ମ ବହୁଛି
        ଷଡ‌ ରିପୁ ପଣା କରି,
ଅନାହତ ବ୍ରହ୍ମ ଅଗ୍ନିରେ ଆହୁତି
        କର ହେ ଦିବା‌ ସର୍ବରୀ।
ତେଣୁ ଯାଇ ଆମ ଓଡ଼ିଆଣୀ ମାଆ
         କଲ୍ଯାଣ ଅଜାଡ଼ି ଦେବ,
 ତା' ପିନ୍ଧା ବେଢ଼ାଣ ଶୀତଳ ଛାଇରେ
          ଆମକୁ ଢାଙ୍କି ରଖିବ।
ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା,
   ମୋ - ୭୮୯୪୩୯୮୫୦୦
ଜୟ ସାହିତ୍ୟ, ଜୟ ସମାଜ

ମାଆ କହେ “ମୁଁ ଆଜି ଅଶାନ୍ତି ଅଛି”

                     ମାଧବାନନ୍ଦ ଭୋଇ
ଶୁଭ ପ୍ରଣାମ !  ବିଗତ କିଛି ଦିନ ପୂର୍ବେ ମୋ ଭାଉଜ ମୋତେ ଫୋନ୍ କହିଲେ “ମାଆ ତୁମ
ଘରେ ଅଶାନ୍ତିରେ ଅଛି”  । ମୁଁ ବି ଜାଣି ପାରିଲିନି, ସେ କଣ ପାଇଁ କହିଲେ । ତେବେ ସେ  କ୍ୱଚିତ୍ ଆମ ଘରକୁ ଆସନ୍ତି । କିନ୍ତୁ ଘରେ  ପ୍ରାୟ ସମୟରେ ଅନେକ ଘଟଣା ଘଟେ ।  ଅର୍ଦ୍ଧ ରାତ୍ରିରେ ଘରେ କିମ୍ବା ନିକଟରେ ନୁପୁରର ନିକ୍ୱଣ,  ଅଚାନକ ଚୁଆ, ଚନ୍ଦନ ଓ କର୍ପୁରର ବାସ୍ନା ଛୁଟିଆସେ ।   ଏହା କୌଣସି ହାଲୋସିଏସନ୍ କିମ୍ବା ଅର୍ଦ୍ଧ ନିଦ୍ରିତାବସ୍ଥାରେ ନୁହେଁ । ବରଂ  ଚେତନାବସ୍ଥାରେ ଘଟେ,ଦିନରେ ବି ଘଟେ  ।  ଅନେକ କିଛି ବି ଘଟେ । ସବୁ କହି ପାରୁନି । ବିଶ୍ୱରେ ଅପରା ଶକ୍ତିକୁ ଅସ୍ବୀକାର କରି ହେବନି  । ଆପଣ ଯଦି ଅବିଶ୍ୱାସ କରୁଛନ୍ତି, କରନ୍ତୁ । ତେବେ ଆଜି ଏହି ପ୍ରରିପ୍ରେକ୍ଷୀରେ ଏ କବିତା ମାଆ କହେ  “ମୁଁ  ଆଜି ଅଶାନ୍ତି ଅଛି” ମୋ ପ୍ରିୟ  ବୁଢୀ ପାଇଁ ? ଆପଣଙ୍କ ପାଇଁ   । ପାଠ କରିବା ସହିତ ମତାମତ ଦେବା ପାଇଁ ସବିନୟ ଅନୁରୋଧ  । 

ମାଆ କହେ  “ମୁଁ  ଆଜି ଅଶାନ୍ତି ଅଛି”
 ଷଡୋପଚାରେ ପୂଜା କରିଛି
 କସ୍ତୁରୀ ଚନ୍ଦନ  ତୋ ପାଦେ ଲେପିଛି
  ଗୋଗୁଳ କର୍ପୂର ଧୁପ ଦେଇଛି.
  ମାଆ, କାହିଁକି ତୋ ମୁହଁ ଶୁଖି ଯାଇଛି
ମାଆ କହେ  “ମୁଁ  ଆଜି ଅଶାନ୍ତି ଅଛି” । ।
  ରେଶମୀ ଜରିର ଚିକ୍ ମିକ୍ ଶାଢୀ,
 ଗଳାରେ ଦୟଣା ମାଳ ଲମ୍ବିଛି.
ଶିରେ ଶୋଭାପାଏ  ରୂପାର କିରିଟୀ
 ଚୁମିକି ଚାନ୍ଦୁଆ ବେଢି ରହିଛି,
ମାଆ, କାହିଁକି ତୋ ମୁହଁ  ଅସୁନ୍ଦର ଲାଗୁଛି ।
ମାଆ କହେ, “ମୁଁ  ଆଜି ଅଶାନ୍ତି ଅଛି” । ।
ଆରିଶା , ଦୁଗ୍ଧର ଲଡୁ ବାଢିଛି, 
ଅଷ୍ଟୋତର ଶତ ମନ୍ଦାର ମାଳ ଲମ୍ବାଇ;
ମାଆ! କାହିକି ତୋ  ବେଶ ଅଧୁରା ଲାଗୁଛି?
ମାଆ କହେ, “ମୁଁ  ଆଜି ଅଶାନ୍ତି ଅଛି” । ।
ହୃଦ ସିଂହାସନେ ନିତି ବସାଇ,
ଆଖିର ଲୁହରେ ଦୀପ ଲଗାଇ
ଧ୍ୟାୟୀଥିବୁ ସଦା, ଜଗତ ହିତେ
ଋହିଥିବି ଧନ, ତୋହରି ପାଶେ,
ମାଆ ମୁହିଁ;ତୁ ମୋ ଗଳାର ହାର.
ମୁଁ ସଦା ତୋର ପାଶେ ରହିଛି
ମାଆ କହେ, “ମୁଁ  ଆଜି ଖୁସିିରେ ଅଛି” । ।
ମାତୃମୟ ବିଶ୍ୱ ସଦା ଭାବିବୁ,
ଦୁଃଖିନୀ ମାଆର ସେବା କରିବୁ,
ଦେବୀ, ନାରୀ କେହି ନୁହଁନ୍ତି ଭିନ୍ନ,
ଆଜି ଏ ଦୁନିଆଁ ଭୁଲି ଯାଇଛି ।
ଧନ! “ମନେ ରଖିଥା” ମୁଁ କଥା ଦେଉଛି । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଜୟ ସାହିତ୍ୟ, ଜୟ ସମାଜ

ବୁଢ଼ୀ ମା

ପବିତ୍ର ସାହୁ, ଅଧ୍ୟାପକ, 
ତୁ ଥିଲୁ ଡାକୁଥିଲୁ                                                        
ଧନରେ...
ବାୟାରେ....
ସୁନାରେ....
ଏବେ ସବୁ ମଳିନ ପଡ଼ିଲାଣି
ସେଇ ସତସତିକା
ଅତି ଆପଣାର ମିଠା ଡାକ |
ପୁଣି କହୁଥିଲୁ
"ମୋ ନାତି, ଗୁଆକାତି
ସରଗେ ଜଳିବ ବତୀ "
କୁଆଡେ ହଜିଲା
ସେଇ ଗୀତ,
କୁଆଡେ ଗଲା 
ରାତିରେ ଶୋଇବାବେଳ
କୋଳରେ ଜାକିଧରି
ଶୁଣାଉଥିବା 
ରାଶିରାଶି କାହାଣୀ ଓ ଗୀତି |
ଓଃ! ଏବେବି ଇଚ୍ଛାହୁଏ 
ତୋ ସାଥିରେ ଖାଇବାର ଲାଳସା 
ସବୁତକ ମାଛ ଭାତ, ଦୁଧ ଭାତ
ଖୁଆଇ ଦେଇ କହୁ
"ହେ ଟୋକା 
ଜଲଦି ଜଲଦି ଖାଇଦେ ଏଇ ଗୁଣ୍ଡା 
ବଡ ହେବୁ
ଜେଜ, ବାପା ସହ ମିଶି ଲଢ଼ିବୁ 
ନୂଆଘର ଗଢ଼ିବୁ " |
ପିଲାଦିନେ ବୁଝି ପାରୁନଥିବା
ଅବୁଝା କଥା
ଏବେ କିନ୍ତୁ ଠିକ ବୁଝି ପାରୁଛି |
ଆହୁରି ମନେପଡେ
ଇସ୍କୁଲ ବେଳର କଥା
ବସ୍ତାନି ଧରି ପଢିବାକୁ ଗଲାବେଳେ
କିମ୍ବା ମେଳା ଯାତ୍ରାକୁ ଗଲାବେଳେ 
ତୋ ପାଖେ ଗୋଡ ଭାଙ୍ଗି ଠିଆହେବାଟା 
ତୁ ଠିକ ବୁଝିପାରୁ
କାନିରେ ବନ୍ଧା ହୋଇଥିବା
ଅଠଣା କିମ୍ବା ଚାରେଣା
ଫିଟେଇକି ଦେଇ କହୁ 
ନିଅ ସଭିଏଁ 
ବାଣ୍ଟିକି ଖର୍ଚ୍ଚ କରିବ 
ବାସ ଏତିକିରେ ତ ପରିତୃପ୍ତି |
ଏବେ ତାହା କେବେ ହୋଇ ଗଲାଣି
ତୁ ଆଉ ନାଁହୁ
କି ଆଉ ଶୁଭୁ ନାହିଁ
ଧନରେ....
ବାୟାରେ...
ମୋ ସମ୍ପତ୍ତିରେ...
ମୋ ପାନ ବଟୁଆ ଟିକେଆଣିଲୁ |
କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ

ବାସନ୍ତୀ ଦୁର୍ଗାପୂଜା


  ବାବାଜୀ ଚରଣ ଦାସ 
                           ସମସ୍ତ ଦେବତା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଏକତ୍ରିତ
ଭାବେ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା, ଶ୍ରୀ ବିଷ୍ଣୁ ଓ ମହେଶ୍ୱରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମର ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ। ଦେବୀ ଦୁର୍ଗା ପ୍ରକଟିତ ହୋଇ ସମସ୍ତ ଦେବତା ମାନଙ୍କ ଠାରୁ ଆୟୁଧ ଗ୍ରହଣ କଲେ। ଦେବୀ ଦୁର୍ଗା ସିଂହ ବାହିନୀ ହୋଇ ମହିଷାସୁରକୁ ଶୂଳ ଓ ଖଡ୍ଗ ଦ୍ଵାରା ବଧ କରିଥିଲେ। କେତେକଙ୍କ ମତରେ ଏହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ର ସନ୍ଦିକ୍ଷଣ। ଏହି ସମୟରେ ଦେବୀ ଦୁର୍ଗାଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ। ଏହାକୁ ବାସନ୍ତୀ ଦୁର୍ଗାପୂଜା ମଧ୍ୟ କୁହାଯାଏ। ଏହି ପର୍ବର ମହତ୍ତ୍ଵ ବିଷୟରେ ଦେବୀ ପୁରାଣରେ ବର୍ଣ୍ଣିତ ହୋଇଅଛି। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ମା’ ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ରାଜ୍ୟହୀନ ରାଜା ସୁରଥ ନିଜ ରାଜ୍ୟ ଫେରି ପାଇବା ବିଷୟରେ ବର୍ଣ୍ଣନା କରାଯାଇଛି।
                           କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପାଣ୍ଡବ ମାନେ ବନଦୁର୍ଗାଙ୍କର ଆରାଧନା କରିଥିଲେ। ଛତ୍ରପତି ଶିବାଜି ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ପୂର୍ବରୁ ଦୁର୍ଗାଙ୍କର ଆରାଧନା କରୁଥିଲେ। ଦେବୀ ଦୁର୍ଗା ହେଉଛନ୍ତି ମହାବିଦ୍ୟା, ମହାମାୟା, ମହାଯୋଗେଶ୍ଵରୀ। ତାଙ୍କର ଶେଷ ବା କ୍ଷର ନଥିବାରୁ ସେ ଅକ୍ଷରା। ବାସନ୍ତୀ ଦୁର୍ଗା ପୂଜା ଓ ଶରତକାଳୀନ ଦୁର୍ଗାପୂଜା ରେ ଘଟ ସ୍ଥାପନ ଓ ଅନ୍ୟାନ୍ୟ ପୂଜା ବିଧି ପ୍ରାୟତଃ ସମାନ। ଆମର ସଂସ୍କୃତି ଅନୁଯାୟୀ ଆମେ ବିଭିନ୍ନ ପୂଜା କଲେ ମଧ୍ୟ ସବୁ ପୂଜା ପ୍ରାୟତଃ ପଞ୍ଚଭୂତ ଉପରେ ଆଧାରିତ। ଏମାନଙ୍କ ଧର୍ମଗତ ସ୍ଵଭାବ ଶବ୍ଦ, ସ୍ପର୍ଶ, ରୂପ,ରସ ଓ ଗନ୍ଧ ଆମର ପଞ୍ଚ ଇନ୍ଦ୍ରିୟ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ଵାରା ଗୃହୀତ ହୋଇଥାନ୍ତି। ଚୈତ୍ର ଶୁକ୍ଳ ପ୍ରତିପଦ ତିଥି ହେଉଛି ବାସନ୍ତୀ ଦୁର୍ଗାପୂଜାର ପ୍ରଥମ ଦିନ। ବିଭିନ୍ନ ମତ ଅନୁସାରେ ଏହା ସୃଷ୍ଟି ଆରମ୍ଭ ଦିବସ, ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଦିବସ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଦିବସ, ସନାତନ ନବବର୍ଷ ଆକାରରେ ପାଳିତ ହୁଏ। ଏହି ତିଥି ତେଲୁଗୁ ନବବର୍ଷ ଉଗାଦି ଓ ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ଦିବସ ଭାବେ ମଧ୍ୟ ପାଳିତ ହୁଏ। ଆଶ୍ୱିନ ମାସରେ ଷୋଳପୂଜା ହେଉଥିବା ବେଳେ ଚୈତ୍ର ମାସରେ ବାସନ୍ତୀ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ହୁଏ।
                                    ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ, କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ଅଷ୍ଟମୀ ତିଥିରେ ଭୁବନେଶ୍ଵର ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା
ରଥଯାତ୍ରା ଅନୁଷ୍ଠିତ ହୁଏ। ନବମୀ ତିଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀ। ବାସନ୍ତୀ ଦୁର୍ଗାପୂଜାରେ ପ୍ରଥମେ ବିଘ୍ନ ବିନାଶକ ଗଣପତିଙ୍କୁ ଆରାଧନା କରାଯାଏ। ବରୁଣ, ଇନ୍ଦ୍ରଙ୍କ ସହ ଦଶଦିଗପାଳ, ଆଦିତ୍ୟାଦି ନବଗ୍ରହ, ଗ୍ରାମଦେବତୀ ଓ ଗ୍ରାମଦେବତାଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଏ। ଉଭୟ ଶାରଦୀୟ ପୂଜା ଓ ବାସନ୍ତୀ ଦୁର୍ଗାପୂଜାରେ ଘଟରେ ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ, ନର୍ମଦା, ସିନ୍ଧୁ ଓ କାବେରୀ ଜଳର ସମନ୍ୱିତ ପବିତ୍ର ଭାବଧାରାକୁ ଗ୍ରହଣ କରାଯାଏ। ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃକା, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ। ଦକ୍ଷିଣ ଓଡ଼ିଶାରେ ଘଟ ସ୍ଥାପନ ଓ ଘଟପୂଜା ସହିତ ମୁଣ୍ଡରେ ଘଟ ଧରି ପରିକ୍ରମା କରାଯିବାର ବିଧି ରହିଛି।
କୋକିଳା ଗ୍ରୀନ ଆପାର୍ଟମେଣ୍ଟ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।
ଜୟ ସାହିତ୍ୟ, ଜୟ ସମାଜ

ମମତାମୟୀ ମାଆ

  କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 
     ସମ୍ପାଦକ - ଉଦୟ ଭାନୁ 

ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ                     
ମାଆ ଲୋ ତୁ ସ୍ନେହମୟୀ , ମାଆ ଲୋ ତୁ କୃପାମୟୀ । 
ଦେଇଛୁ ତୁ କେତେ ସ୍ନେହ , କେବେ ମୁଁ ଭୁଲିବି ନାହିଁ 
ତୁ ପରା ଦେବୀ ମୋ' ପାଇଁ , ପୂଜିବି ତୋତେଲୋ ମୁହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୧

ସହିଛୁ କେତେ ଯାତନା , ଶୁଣିଛୁ କେତେ ଗଞ୍ଜଣା
ପାଇଛୁ କେତେ ତାଡ଼ନା , ସ୍ନେହରେ କରିନୁ ଉଣା ।
ଅଶ୍ରୁ ନିର୍ଝର ଝରାଇ , ପାଳିଛୁ ମୋତେ ଲୋ ତୁହି 
ଦୁଃଖେ ମୋ' ଢ଼ାଳିଛୁ ଲୁହ , ମୋ' ସୁଖେ ହସିଛୁ ତୁହି । 
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୨

ଗର୍ଭେ ଧରି ଦଶମାସ , ଦଶଦିନ ପରିଯନ୍ତ
ଜନମ ଦେଇଛୁ ମାଆ , ସହି କେତେ ଦୁଃଖ କଷ୍ଟ ।
ଛୋଟରୁ କରିଛୁ ବଡ଼ , ଲହୁକୁ ଲୁହ ସଜେଇ 
ସେବା ତୁ କରିଛୁ ମୋର , କେତେ ରାତି ଚେଇଁ ଚେଇଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୩

ନିଜେ ରହି ଉପବାସ , ମୋତେ ତୁ ଦେଲୁ ଆହାର 
ଥନୁ ତୋର ସୁଧା ଦେଇ , ଧରଣୀଠୁ ହେଲୁ ବଡ଼ ।
ସୁଝି ମୁଁ ପାରିବି ନାହିଁ , ଋଣ ତୋର କେବେ ମୁହିଁ 
କଥା ମୁଁ ଦଉଛି ତୋତେ , ଲୁହ ତୋ' ଝରିବ ନାହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ ।୪

ମତେ ତୁ ନିଏ କୋଳେଇ , ରଖ ପଣତ ଘୋଡ଼ାଇ 
କେବେ ନଦେବୁ ଦୂରେଇ , ଯେତେ ଝଡ଼ ଯାଉ ବହି ।
ମାଆ ତୋର ସ୍ନେହ ପାଇ , ଜଗତ ଜିତିବି ମୁହିଁ 
ପ୍ରତିଜ୍ଞା କରୁଛି ମାଆ , ତୋ' ଶ୍ରୀପାଦ ଛୁଇଁ ମୁହିଁ ।
ମାଆ ତୁ ମମତାମୟୀ , ମାଆ ତୁ କରୁଣାମୟୀ 
ମାଆ ଲୋ ତୁ ସ୍ନେହମୟୀ , ମାଆ ଲୋ ତୁ କୃପାମୟୀ ।୫

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬
ଜୟ ସାହିତ୍ୟ, ଜୟ ସମାଜ

ମାଆ

ସଂଯୁକ୍ତା ସାହୁ(ଉପସଭାପତି)
ମାଆର ସେନେହ ସ୍ୱର୍ଗଠାରୁ ବଳି                            
        ଅଟେ ଜଗତର ସାର ,
 ମାଆର ମମତା ଯୁଗ ଯୁଗ ଧରି
         ବିରାଜଇ ହୃଦେ ମୋର ।
  ମାଆ ସମ ନାହିଁ ଏ ଜଗତେ କେହି
           ଦେବାକୁ ସ୍ନେହଁ ମମତା,
   ମାଆ ପାଦ ତଳେ ଆଶ୍ରୟ ନିଅନ୍ତି
            ସ୍ୱର୍ଗର ସବୁ ଦେବତା  ।
   ମାଆ ନାହିଁ ଯା'ର ସାହା ନାହିଁ କେହି
             ଦୁନିଆରେ ତାହା ପାଇଁ,
   ମାଆର ଆସନ ବୈକୁଣ୍ଠ ସମାନ
              ମାତୃହୀନ ଜାଣେ ନାହିଁ ।
   ମାଆ ସିନା ଜାଣେ ସନ୍ତାନ ବେଦନା
                ନୀରବେ କାନ୍ଦଇ ବସି
    ମାଆ ପରା ଅଟେ ସନ୍ତାନ ପାଇଁକି
                 ସ୍ଵର୍ଗାଦପି ଗରିୟସୀ    ।
    ମଆଠାରୁ ବଳି ଅଧିକ ନିଜର
                  ନାହିଁ କେହି ମହୀତଳେ
    ଅନ୍ତରୁ ତାହାର ମମତାର ଝର
                  ଅବିରତ ଆହା ଝରେ ।
    ମାଆ ଚାହେଁ ନାହିଁ ନିଜ ସୁଖ କେବେ
                  ସନ୍ତାନ ସୁଖରେ ସୁଖୀ
    ନିଜେ ଦୁଃଖ ସହି ସନ୍ତାନ ଅଧରେ
                  ନିଜ ହସ ଦିଏ ମାଖୀ
    ମାଆ ତୁମେ ମୋତେ ଦିଅଗୋ ଆଶିଷ
                 ତୁମ ପରି ମୁହିଁ ହେବି ,
     ଯେଉଁଠିଥାଅ ଗୋ ମୋ ମାଆଲୋ
                 ତୁମ ଚରଣରେ ଲୋଟୁଥିବି ।
  ମାଟିଘର ସାହିତ୍ୟ ସଂସଦ,ରାହାମା
      ଜଗତସିଂହପୁର ।
ଜୟ ସାହିତ୍ୟ, ଜୟ ସମାଜ

4/13/2023

ସ୍ୱର୍ଗାଦପି ଗରୀୟସୀ

ମନୋରମା ସାହୁ
ସରଗଠୁ ବଳି ମହୀୟାନ ଯିଏ                                       
          ସୁନ୍ଦର ଯାହାର ନାଁ
ସବୁଠୁ ନିଜର ମୋ ପାଇଁ ଯିଏ
           ସିଏତ ମୋର ମା',
     ଏତେ ବଡ଼ ଦୁନିଆରେ
   ଯେଉଁଠି ଥାଇ ମୁଁ ଯାହା କରିଲେ ବି
      ତାକୁ ଅନୁଭବ କରେ।


ବିଦ୍ୟାଳୟରୁ ପାଠପଢ଼ା ସାରି
          ଘରକୁ ଯେବେ ମୁଁ ଯାଏ
ଅତି ସରାଗରେ କୋଳେଇ ନେଇ ସେ
       ପଣତରେ ପୋଛି ଦିଏ
     ତା'ର ହାତ ପରଶରେ
ସବୁ କ୍ଲାନ୍ତି ମୋର ଭୁଲି ହୋଇଯାଏ
     ଖୁସିରେ ମୋ ପେଟ ପୂରେ।


ମୁଁ କାନ୍ଦିଲେ କାନ୍ଦେ,ମୁଁ ହସିଲେ ହସେ
         ମୁଁ ରୁଷିଲେ ସେ ବୁଝାଏ
ତ‍ାହା ପରି ଏଡ଼େ ଦରଦୀ ବନ୍ଧୁଟେ
       ହେବ ସତେ ଆଉ କିଏ
    ତ‍ା'ର ସେ ଅସୀମ ଋଣ
ସୁଝି ପାରିବିନି କେବେହେଲେ ମୁହିଁ
     ଗଲେବି ମୋର ଜୀବନ।


ଜ୍ଜର ବ୍ୟାଧି ହେଲେ ବିଛଣାରେ ଯେବେ
         ଶୋଇ ରହିଥାଏ ମୁହିଁ
ପାଦ ପାଖେ ବସି ନଖାଇ ନପିଇ
        ଚାହିଁ ରହିଥାଏ ସେହି
     ଦିଅଁ ଦେବତାଙ୍କ ପାଖେ
ମାନସିକ କରେ ପ୍ରଣତି ଢାଳି ସେ
     ନୟନର ଅଶ୍ରୁ ଅର୍ଘ୍ୟେ।
ସଂଗ୍ରାମମୟ ଜୀବନରେ ଯେବେ
       ଝଡ଼ ଝଞ୍ଜା କେବେ ଆସେ
ସାହସେ ତାହାକୁ ମୁକାବିଲା କରେ
      ଥାଏ ଯେବେ ସେ ମୋ ପାଶେ
    ଅମୃତ ଝରା ତ‍ ବାଣୀ
ସବୁ ଦୁଃଖ ମୋର ଧୋଇ ନେଇଯାଏ
   ଶୋଇପଡ଼େ ମୁହିଁ ତୁନି।


ପୃଥିବୀର ସମା ସହନଶୀଳା ସେ
      ଦୁଃଖରେ ଥାଏ ସେ ହସି
ମୋ ପାଇଁ ସେ ତ ସବୁଠାରୁ ବଡ଼
       ସ୍ୱର୍ଗାଦପି ଗରୀୟସୀ
    ତ‍ା'ର ସେ ପଣତକାନି
ଭୁଲିନି,ଭୁଲିନି,ଭୁଲିନି ତାକୁ ମୁଁ
        କେବେ ଭୁଲି ପାରିବିନି।
ସରକାରୀ ଉ.ପ୍ରା. ବିଦ୍ୟାଳୟ,ପାରିଓରଡ଼
ଖୋର୍ଦ୍ଧା.୭୭୩୫୦୭୫୦୬୫।
ଜୟ ସାହିତ୍ୟ, ଜୟ ସମାଜ

ବୋଉ

ସସ୍ମିତା ଭୋଇ 
ଯା'ର ଗାଳି ଲାଗେ ମହୁ                                                     
କଥା ତା' କୋଇଲି କୁହୁ 
ସେ କେହି ନୁହେଁ 
ମୋ' ବୋଉ  ।

ଯେତେ ଝଡ଼,ଝଞ୍ଜା
ଯେତେ କଳି କଜିଆ 
ହେଲେ ପଛେ ହେଉ ଥାଉ 
ପଣତରେ ସଦା ବାନ୍ଧି ରଖିଥାଏ 
ପଣତ ଗଲେ ପଛେ ଚିରି ଯାଉ 
ସେ କେହି ନୁହେଁ 
ମୋ' ବୋଉ  ।

ଗାଳି ତା'ର ଦାଣ୍ଡ ଧୁଳି 
ସ୍ନେହ ତା'ର ସ୍ୱର୍ଗ ସୁଖ 
ତାକୁ ହେଉ ପଛେ ଯେତେ କଷ୍ଟ 
ଆମକୁ ଦିଏନା ଦୁଃଖ  ।

ଯନ୍ତ୍ରଣାରେ ଥାଇ ମଧ୍ୟ 
ଦେଖି ହସି ଦିଏ ଆମକୁ 
ପଡ଼ିଗଲେ ଟିକେ 
ଧାଇଁ ଆସି ଯାଏ 
ଗାଳି ଦେଇ ନିଜେ ନିଜକୁ  ।

କିପରି କରିବି ତା'ର ମୁଁ ବନ୍ଦନା 
ବୋଉ ନୁହେଁ ସେ ଲଷ୍ମୀପ୍ରତିମା 
ସବୁ ଶିଶୁ ମଧ୍ୟ ଦେଖେ ତା' ଶିଶୁକୁ 
ପିଲାଟେ ପାଇଁ କେତେ ପୂଜା ପାଠ କରେ 
କେବେ ନିନ୍ଦେ ନିଜ ଭାଗ୍ୟକୁ  ।

ଝିଅ ଜନ୍ମ ହୋଇ 
କର୍ତ୍ତବ୍ୟ କରଇ
ବାପଘରେ ସେ ଦୁହିତା ବୋଲାଇ 
ବିଭା ହୋଇ ପୁଣି ପର ହୋଇ ଯାଏ 
ଶାଶୁ ଘରକୁ ସେ ସ୍ୱର୍ଗ ବୋଲାଏ  
ସର୍ବଦା ସେ ପ୍ରତିଜ୍ଞା କରଇ
ମୃତ୍ୟୁ ପଛେ ମୋତେ ଆଲିଙ୍ଗନ କରି ନେଉ 
ଦାୟିତ୍ୱରେ ଟିକିଏ ହେଳା ନ ହେଉ 
ସେ କେହି ନୁହେଁ 
ମୋ' ବୋଉ  ।

କେବେ ସେ ଭଗିନୀ ,କେଵେ ସେ ଜନନୀ , 
ପୁଣି ସାଜେ ସେ ଧର୍ମପତ୍ନୀ   
ନାହିଁ ତା ମନରେ ଛନ୍ଦ,କପଟ 
ସମସ୍ତଙ୍କ ପାଇଁ ସେ ହୁଏ ଛଟପଟ
ତାକୁ ଯେତେ ଲାଞ୍ଛନା 
ଦେଲେ ପଛେ ଯେ ଦେଉ 
ହସି ହସି ସେ ସବୁ ସହିଯାଏ 
ସେ କେହି ନୁହେଁ ମୋ' ବୋଉ  ।

ଗର୍ବ ଆସେନା ମନକୁ ତାର 
ସେ ପରା ବୋଉ ସମସ୍ତଙ୍କର  
କେବେ ଢାଳିଦିଏ ସ୍ନେହ ପୁଷ୍ପାଞ୍ଜଳୀ 
କେବେ ଶୁଆଇଦିଏ ଗୀତ ଗାଇ ଗାଇ  
ଭଗବାନଙ୍କୁ ମୋର ଟିକିଏ ଅଳି 
ନେଇଯାନ୍ତୁ ପଛେ ମୋର ଏ ଜୀବନ 
ଅଧା ଆୟୁଷରେ 
ସବୁ ଜନ୍ମେ ମୋତେ 
ଜନ୍ମ ଦିଅନ୍ତୁ ମୋ ବୋଉ କୋଳରେ  ।
ବାଘୁଆ,କଣ୍ଟାପଡ଼ା, କଟକ।