ସ୍ୱର୍ଣ୍ଣକାନ୍ତି ପତି
ବିନି ଅତି ଅତି ଯତ୍ନର ସହ ବାସନ ଗୁଡାକ ଧୋଉଥିଲା ।ଟିକେ ଅସତର୍କ ହେଲେ ଭାଙ୍ଗିଯିବ ଯେ । ଗ୍ଲାସ ଗୁଡିକ କୁଆଡେ ମିଲଟନ କମ୍ପାନୀର ଟ୍ରିଓର୍ ; ବାରଶହ ଟଙ୍କାରେ ବାବା । ଆଉ ବ୍ୟବହୃତ କପ ପ୍ଲେଟ ବରୋସିଲ୍ର । ୟା'ର ଦାମ୍ ନ କହିବା କଥା , କାରଣ ମିନାବଜାରରେ ମିଳୁଥିବା ସାଧାରଣ କପ ସତୁରୀ ଟଙ୍କାରେ ମିଳୁଥିବା ବେଳେ ୟା'ର ଦାମ ପନ୍ଦର ଶହ ଟଙ୍କା । ଝିଅ କହିଲା - "ବୋଉ ଲୋ ! ଏ ଗୁଡ଼ିକ ଚାକରାଣୀକୁ ମାଜିବାଜୁ ଦେବୁନି । ଏ ପରା ଆଭିଜାତ୍ୟର ବାସନ ।"
- ସତେ ତ ! ଝିଅ ଠିକ କହୁଥିଲା । ବଡ଼ଲୋକ ପାଇଁ ଏମିତି ବାସନ କୁସନରେ ଖାଇବାକୁ ଦିଆଯାଏ । ସ୍ୱାମୀ ଆଣିଥିଲେ ବଡ଼ବଡ଼ିଆ ଆସିଲେ ଏମିତି ଖାଇବାକୁ ଦେବୁ ବୋଲି । ହଁ , ସେଦିନ ଝିଆରୀ ଓ ଝିଆରୀ ଜ୍ୱାଇଁ ଆସିଥିଲେ ପ୍ରଥମ କରି କୁଣିଆ ହୋଇ ବିବାହ ପରେ । ଝିଆରୀ ଡାକ୍ତରାଣୀ ଅଛନ୍ତି । ଜ୍ୱାଇଁ ବି ସରକାରୀ ବିଭାଗରେ ପଦସ୍ଥ କର୍ମଚାରୀ । ସେମାନେ ଆଉ କମ୍ ଲୋକ କି । ସାଧାରଣ ବାସନରେ ଦେଲେ ସ୍ୱାମୀଙ୍କଠୁ କେବଳ ଗାଳି କ'ଣ ମାଡ଼ ବି ଖାଇବାର ସମ୍ଭାବନା ଅଛି ।
ବିନି ନିଜ ମନକୁ ମନ କହୁଥିଲା ବାସନ ଗୁଡିକ ପୋଛୁ ପୋଛୁ - "ହଁ ବା ଆଜିକାଲି କ୍ଷମତା , ପ୍ରତିପତ୍ତି , ଲମ୍ବା ଲମ୍ବା ଗାଡି ଆଉ ଟଙ୍କା-ସୁନା ଆଭିଜାତ୍ୟର ଚିହ୍ନ । ବନ୍ଧୁତା ହେଉ କି ବନ୍ଧୁଚର୍ଚ୍ଚା , ଏଗୁଡିକ ଦେଖି କରାଯାଏ ; କିନ୍ତୁ ଗରିବ ପାଇଁ ତା' ଦୁଆରକୁ ଯିଏ ଆସିଲା ଭଗବାନ ନିଜ ଘରେ ନ ଥିଲେ ବି ପଡ଼ୋଶୀ ଘରୁ ଉଧାର କରି ଆଣି ଖୋଇ-ପି' ଛାଡିବ ।"
ଝିଆରୀ ଆସିବା ଅଧ ଘଂଟାଏ ପୂର୍ବରୁ ଫୋନ କରିଥିଲେ ଜେଠାଣି । ଭଲକରି ବନ୍ଧୁ ଚର୍ଚ୍ଚା କରିବ ବୋଲି ସତର୍କ ବାଣୀଟେ ଶୁଣାଇ ଦେଇଥିଲେ । ବିନି ରାମାୟଣ ବହିଟା ଧରିଥିଲା । ଖବର ଶୁଣି ଅତ୍ରଛା ଦୌଡ଼ିଲା ଘରକୁ ଠିକ୍ ଭାବେ ଟିକେ ସଜଡ଼ାସଜାଡ଼ି କରିବା ପାଇଁ । ସ୍ୱାମୀ ସହରର ସବୁଠୁ ଦାମୀ ହୋଟେଲରୁ ଜଳଖିଆ ଆଣିଥିଲେ ଗୋଟିକୁ କୋଡ଼ିଏ ଟଙ୍କା ସମସା , ଚଟଣି , ରାବିଡ଼ି, ମିଠା ଓ କୋଲଡ୍ରିଂକ୍ସ । ଖାଇ ସାରିଲେ ହାତ ପୋଛିବା ପାଇଁ ଏ ବର୍ଷ ତା' କାକା ଝିଅ ବିଭାଘରରୁ ପାଇଥିବା ଟର୍କିସ୍ଟା ଥୋଇ ଦେଇଥିଲା । କଥାରେ - ଠାଣିରେ ଓ ବେଶ ପରିପାଟିରେ ଉଭୟଙ୍କର ଆଭିଜାତ୍ୟର ଚିହ୍ନ ଓ ଦେଖାଇ ହେବାର ଭାଵ । ବିନିକୁ ଖୁବ୍ ଭୟ । ଯଦି ଏପଟସେପଟ ପାଟିରୁ ବାହାରିଗଲା ତେବେ ରକ୍ଷା ନାହିଁ ତା'ର । ସେଥିପାଇଁ ଖୁବ୍ ମାପିଚୁପି କଥାବାର୍ତ୍ତା । "ହେ ପ୍ରଭୁ ଜଗନ୍ନାଥ ରକ୍ଷା କର ହେ ।" - ମନେ ମନେ ପ୍ରାର୍ଥନା କରୁଥିଲା । ସ୍ୱାମୀ ଓ ଝିଅ ସେଇ ଅଧ ଘଣ୍ଟା ତାଙ୍କ ସଂଗେ ବସି କଥାବାର୍ତ୍ତା ।
- ମାଲୋ କି ଘର ୟେ' ! ଏଠି ନିଜ ଜନ୍ମ କଲା ଭଳି ଝିଆରୀକୁ ବି ଡର ବା ।
ବାସନ ମାଜିବା - ଧୋଇବା - ପୋଛିବା ଭିତରେ ଅଧ ଘଂଟାରୁ ବେଶି ସମୟ ଲାଗିଲା । ସେଇ ଭିତରେ ଅତୀତର ସ୍ମୃତିରେ ସ୍ମୃତିରେ ଭିଜୁଥିଲା ବିନି । ଯେତେବେଳେ ନୂଆ ବିଭା ହୋଇ ଘରକୁ ଆସିଥିଲା ଏଇ ଜେଠାଣି ଘରକୁ ବୁଲି ଯାଇଥିଲା ପ୍ରଥମ କରି । ସେମାନେ ପରିବାରଠୁ ଅନ୍ୟତ୍ର ରହୁଥିଲେ । ଦେଢ଼ସୁର ରଙ୍କର ବଡ଼ ସରକାରୀ ଚାକିରୀ ଓ ମୋଟା ଦରମା । ଯେତେ ମୋଟା ଦରମା ମନ ମଧ୍ୟ ଦୁଇ ଜଣଙ୍କର ସେତେ ମୋଟା । ଶାଶୁ ପଠେଇଥିଲେ ପ୍ରଥମ ଥର ବୁଲିବା ପାଇଁ ତାଙ୍କ ଘରକୁ । ଏବେ ବି ମନେ ଅଛି ତା'ର ଖୁବ୍ ଭଲ କରି । ଶାଶୁଘର ହାକରା ଭାରରେ ଆସିଥିବା ପାଟ ଓ ଶାଶୁଘରେ ପିନ୍ଧେଇଥିବା ନୂଆ ହାର , ନିଜ ଘରୁ ଆଣିଥିବା ମଙ୍ଗଳସୂତ୍ର ମୁଣ୍ଡ ରେ ହାତେ ଓଢଣା ଦେଇ ଅଳ୍ପ ଲାଜେଇ ଯାଇଥିଲା ତାଙ୍କ ଘରକୁ । ଢୁ କରି ଜେଠାଣିକୁ ମୁଣ୍ଡିଆ ମାରିଥିଲା । ଭଲମନ୍ଦ କ'ଣ ପଚାରିବେ ଓଲଟି କହିଲେ - "ହଇ ଲୋ ବିନି ! ତୋ ଶାଶୁ କେମିତି ଅଛନ୍ତି ?" ଏଇ କଥାରେ ଏକାବାରକେ ସଡକଦମ । "କି କଥା ! ମୋ' ଶାଶୁ ତମ ଶାଶୁ ନୁହଁନ୍ତି କି !" - ଏମିତି କିଛି ପଚରିବାକୁ ଯାଉଥିଲା ପାଟିଟି । ଫେର୍ ନୂଆ ହୋଇ ଆସିଛି ଭାବି ଚୁପ ରହିଲା । ଡ୍ରଇଂ ରୁମ୍ରେ ବସେଇ ଦେଇ ଚାଲିଗଲେ ଜେଠାଣି । ତା' ପ୍ରତି ବେଖାତିର୍ ଭାଵ ତାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ବାରି ହେଉଥିଲା । କିଛି ସମୟ ପରେ ଧାର ଖଣ୍ଡିଆ ହୋଇ ଥିବା ଏକ ପ୍ଲେଟ୍ରେ ଥଣ୍ଡା ହୋଇ ଥିବା ସମସା ଆଉ କିଛି ଚଟଣି । ସମସା ବି ବାସି ବୋଧେ । ତା' ଭିତରେ ପଡିଥିବା ଆଳୁ ପୁରା ଖଟା ବାସ୍ନା ହେଉଥିଲା । କହିଲେ - "ଜାଣିଲୁ ବିନି , ଏଇ ହୋଟେଲ ସମସା ଭାରି ଫେମସ୍ । ତୁ କେବେ ଜୀବନରେ ଖାଇ ନ ଥିବୁ । ଏଠି ଏତେ ଭଲ ବନାଏ ।" ମନେ ମନେ ଭାବିଲା ବିନି - ହଁ ସତ କଥା ତ । ଏମିତି ଘଟିଆ ଜିନିଷ ସେ କେବେ ଖାଇନି । ତା'ପରେ ଏକ ରଂଗଛଡ଼ା କପରେ ଚା' କପେ ଧରେଇ ଦେଲେ ଜେଠାଣି । ପୁରା ପାଣିଚିଆ । ବହୁତ କଷ୍ଟରେ ଆଖିକାନ ବୁଜି ଖାଇଲା ସବୁକୁ । ଫିଙ୍ଗି ଦେଲେ ଅଭଦ୍ରାମି ହେବ । ଗର୍ବ କରୁଛି କହିବେ । "କ'ଣ ତାଙ୍କ ଘରକୁ ଅତିଥି ଅଭ୍ୟାଗତ ଆସିଲେ ଏମିତି ଟ୍ରିଟମେଣ୍ଟ ଦିଆଯାଏ ?" ଭାରି କଷ୍ଟ ଅନୁଭବ କରୁଥିଲା ସେଦିନ । "ନୂଆବୋହୂକୁ କ'ଣ କିଏ ଏମିତି ବ୍ୟବହାର ଦେଖାଏ । ପୁଣି ପ୍ରଥମ କରି ବିବାହ ପରେ ପାଦ ଦେଇଥିବା ବୋହୂକୁ । ବୋହୂ ନୁହଁ ତ ଭିକାରୀ ପରି ବ୍ୟବହାର । ଫଟା ବାସନରେ କିଏ ଖାଇବାକୁ ଦିଏ ।....." ଆଖିରୁ ଦୁଇଟୋପା ଲୁହ ଝରି ପଡୁଥିଲା ଟପ୍ଟପ୍ ହୋଇ । ପୋଛୁଥିଲା ପଣତ କାନିରେ ଅତି ସନ୍ତର୍ପଣରେ କାଳେ ଝିଅ ଦେଖିନବ ବୋଲି ।
ହଠାତ ଝିଅ ପଛରୁ ଧରି ମା'କୁ ଗେଲ କରି କହୁଥିଲା
- "ଫେର ମନେ ପକେଇଲା ସେ ପୁରୁଣା ଦିନ ଗୁଡିକୁ ।
କେତେ ଥର ତମକୁ କହିବି ସେ ଗୁଡାକ ଆଉ ମନେ ପକେଇବ ନାହିଁ ବୋଲି ?" ଝିଅର ପିଠି ଥାପୁଡ଼େଇ ଭାବୁଥିଲା ବସ୍ତୁବାଦୀ ଦୁନିଆଁରେ ଖାଲି ବସ୍ତୁର ମୂଲ୍ୟାୟନ ହେଉଛି । ଆଭିଜାତ୍ୟ ଦେଖି ସନମାନ । କାହିଁକି ତା' ଆଭିଜାତ୍ୟ ଭରା ମନକୁ କେହି ପଢ଼ି ପାରିଲେନି ? ସମସ୍ତଙ୍କ ପାଇଁ ଉଦାର ଭରା ଭାବଟିଏ କ'ଣ ଆଭିଜତ୍ୟର ଚିହ୍ନ ନୁହଁ ? କ'ଣ ତା' ସ୍ବାମୀ ପିଅନ ବୋଲି ନା ସେ ଗରିବ ଘରର ଝିଅ ବୋଲି ?
ପଦ୍ମପୁର , ବରଗଡ଼

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।