ଶାନ୍ତିଲତା ପଲାଇ
ଆଜି ପବିତ୍ର ଅଁଳା ନବମୀ
ଚତୁର୍ଦିଗ ଉଠୁଛି ପଡୁଛି
ସବୁଆଡେ ଭଜନ କୀର୍ତ୍ତନ
ଘଣ୍ଟ ଘଣ୍ଟା ମୃଦଙ୍ଗର ତାନ
ପରିବେଶ ରେ ମଧୁର କମ୍ପନ !
ଆଜି ବହୁତ ମନେ ପଡୁଛି ତୋ କଥା...
କହିଥିଲୁ ତୁ, ଆସିବୁ ଛୁଟିହେଲେ ପିଲାମାନଙ୍କର
ପୁରୀ ଯିବୁ ଅଁଳା ନବମୀରେ !
କିନ୍ତୁ ସତରେ ଲୋବୋଉ !
ତୁ କେମିତି ଏତେ ଦୂରଦ୍ରଷ୍ଟା ଥିଲୁ?
ଏତେ ଦୃଢ ଆତ୍ମବିଶ୍ୱାସ ଥିଲା ତୋ ମନରେ?
କି ସୁନ୍ଦର ସଜବାଜ ହୋଇ ପୁରୀ ଗଲୁ ତୁ,
ଫୁଲର ସବାରୀରେ
ଅଁଳା ନବମୀରେ !
ଯାଇଛୁ ଯେ ଯାଇଛୁ
ଆଉ ଚାହିଁନୁ ଫେରି ପଛକୁ!
ଛାତିକୁ ପଥର କରି
ଦୁଃଖ ଜଂଜାଳ ସହି
ଆଶା ଭରସା ବିଶ୍ୱାସ ଜନ୍ମାଇ
ସୁଖର ସ୍ବପ୍ନ ଦେଖାଇ
ଚନ୍ଦ୍ରମା କୁ ହାତ ପାହାନ୍ତାରେ
ତୋଳି ଧରିବାକୁ ପ୍ରେରଣା ଦେଇଥିଲୁତୁ,
ଖରାବର୍ଷା ସହି ଛତା ବଢ଼ାଇଥିଲୁ ତୁ !
ଝୁଣ୍ଟିପଡିଲେ କିଭାଙ୍ଗିପଡିଲେ
ଲୁହ ଢାଳୁଥିଲୁ ତୁ !
ତୋର ସତ୍ୟ ଶାନ୍ତି, ମୈତ୍ରୀ ପ୍ରୀତି ଭରା ହୃଦୟରେ
ସ୍ନେହ ମମତା ପ୍ରେମର ପସରା ମେଲାଇ
ସମ୍ପର୍କ ସଂସ୍କାରର
ସବୁ ପରମ୍ପରାକୁ ଜାବୁଡି ଧରିଥିଲୁ ତୁ !
ଆଉ ସେ ପଥ ଅନୁସରଣ କରିବାରପନ୍ଥା
ବତେଇଥିଲୁ ତୁ !
କିନ୍ତୁ ସବୁ ଆଜି ଶୂନା ଶୂନା
ଅଧାଁବାଟେ ହାତଛାଡି ଠକି ଦେଲୁ ତୁ !
ବୋଉଲୋ !!ସବୁ ଅଛି ଆଜି
ତୋ ଘର, ତୋ ବାଡ଼ିବଗିଚା, ତୋ ଠାକୁର ଘର
ତୋ ହାତର ପରଶ ଛାପିଛି ସବୁଠି,
ହେଲେ ତୁ ନାହୁଁ
ଲୁଚକାଳି ଖେଳୁଛୁ ତୁ
ମିଛର ଇସାରା ଦେଇ
ଆକାଶରେ ତାରାଟିଏ ହୋଇ !
ସବୁତ ସରିଯାଇଛି ଲୋ ବୋଉ
ଖସିଯାଇଛି ତୋ ପଣତକାନି
ପୋଛିବାକୁ ଆଖିଲୁହ
ପୋଷ ପୋଷ ଝାଳ,
ନାହିଁ ତୋ କୋମଳ ପରଶ ଆଜି
ଶୁଖିଲା ମୁହଁ ଦେଖି, ଆହା ପଦେ କରିବାକୁ,
ହଜାରେ ପ୍ରଶ୍ନବାଚୀ ରେ ପୋତିଦେବାକୁ,
କୋଳରେ ଶୋଇଦେଇ
ମୁଣ୍ଡ ଆଉଁସି ଦେଇ
ମନରେ ଶାନ୍ତି ଆଉ ତୃପ୍ତି ବିଞ୍ଚି ଦେବାକୁ !
ବୋଉ ଲୋ
ସକାଳ ପରି ଶୀତଳ ତୁ
ସଞ୍ଜ ପରି ପୂଣ୍ୟ
ତୋ ପାଦ ତଳେ ମୋର କୋଟୀ କୋଟୀ ପ୍ରଣାମ !
ବିନା ପ୍ରତିବାଦରେ
ବିନା ପ୍ରତିଦାନରେ
ତୁ ତ୍ୟାଗର ମୂର୍ତ୍ତିମନ୍ତ ବିଗ୍ରହଟିଏ !
ତୁ ମୋର ଅନୁଭୂତି
ତୁ ମୋର ଅନୁଭବ
ଏନ୍ତୁଡ଼ିଶାଳ ଠୁ ମଶାଣି ଯାଏ !
ସବୁ ହଜିଯାଇଛି ସିନା ତୋ ଜୁଇ ରେ
ସ୍ମୃତି ପାଲଟିଛି ଆଜି,
କେବଳ ରହିଯାଇଛି ତୋ ରଙ୍ଗୀନ ଛବିଟି
ଶୋଭା ପାଉଛି ଖାଲି ଘର କାନ୍ଥରେ.......
ବାଙ୍ଗାଲୋର 9853511503

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।