4/13/2023

ସିଏ ମୋ ମାଆ

ଶୁଭେନ୍ଦୁ କୁମାର ମହାପାତ୍ର
ଆଦ୍ୟ ପାଠଶାଳାର ପହିଲି ଗୁରୁ ମାଆ                            
ସିଏ ବ୍ରହ୍ମବୈବର୍ତ୍ତ ପୁରାଣଟିଏ
ଶିଖାଇଦିଏ ଜୀବନ ସଂଗ୍ରାମର କୌଶଳ
ଅନୁଶାସନଟିଏ
ଗଢ଼ିଦିଏ ଶୃଙ୍ଖଳିତ ଜୀବନ
ସ୍ନେହ ପ୍ରେମ ପ୍ରେରଣାର ପାରାବାରଟିଏ
ଶିଖାଏ ମଣିଷପଣିଆର କଳା
ତା ପାଦର ଧୂଳି ମୋ ପାଇଁ ବିଭୂତି
ତା ହାତର ପରଶ ମୋ ପାଇଁ ଚନ୍ଦନ
ଅଙ୍ଗେ ଅଙ୍ଗେ ଶୀତଳତା ଭରେ।।
ତ୍ୟାଗ ଓ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ
ପରିବ୍ୟାପ୍ତ ତା' ର ସୀମା ସରହଦ
ଯିଏ ସଅଁପି ଦେଇପାରେ ତମାମ୍ ଆୟୁଷ
ପେଟରେ ଓଦାକନା ଦେଇ ଭୋକ ଲୁଚାଏ
ସାତସିଆଁ ଲୁଗାରେ ଲାଜ ଢାଙ୍କିପାରେ
ଆଖିଲୁହରେ ଶୋଷ ମେଣ୍ଟାଏ
ଅନାୟାସରେ ହସି ହସି ଆପଣାଏ
ଯେତେ ଦୁଃଖ ଯନ୍ତ୍ରଣାର ବୋଝ
କଳ୍ପ କଳ୍ପାନ୍ତର ପାଇଁ ବନ୍ଦନୀୟ ସିଏ।।
ମୁଁ ହସିଲେ ସେ ହସେ, ମୁଁ କାନ୍ଦିଲେ କାନ୍ଦେ
ମୁଁ ଝୁଣ୍ଟିଲେ ଯନ୍ତ୍ରଣା ତାକୁ ହିଁ ତ ହୁଏ
ହଜାରେ ଭୁଲ କଲେ ବି କ୍ଷମା କରେ
ରାତ୍ରୀ ଉଜାଗର ରହି ଲୋରୀ ଶୁଣାଏ
ମୁହଁ ଦେଖି ଭୋକ ଜାଣିପାରେ ସିଏ
ଯାହା ବାଢ଼ିଦିଏ ମୋ ପାଇଁ ଅମୃତମଣୋହି
ମୋ ଆଖିରେ ଥାଏ, ଭାବନାରେ ଥାଏ
ମୋ ଅନ୍ତଃକରଣରେ ଥାଏ ସିଏ ମାଆ।।
ସର୍ବସଂହା ଧରିତ୍ରୀର ପ୍ରତିରୂପ
ସବୁ ଅଳି ଅଝଟକୁ ମୃଦୁ ଉଶ୍ୱାସରେ ନିଏ
ସିଏ ତ ମୋ ପୁଣ୍ୟର ପସରା
ବାରମାସେ ତେର ବ୍ରତକରି
ମାଗିଆଣେ ଦୀର୍ଘାୟୁର ବରଦାନ
ମୋ ଓଠର ଚେନାଏ ମୁରୁକି ହସ
ମାତୃତ୍ଵକୁ ସାର୍ଥକ କରେ ତାର
ଯୁଗ ଯୁଗ ତପସ୍ୟାର ଫଳ, ସିଏ ମାଆ।।
-------------------------------------
ମଙ୍ଗଳପୁର , ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।