4/13/2023

ବୋଉ

ବୈଜୟନ୍ତୀ ସାହୁ
ସୃଷ୍ଟିଲଗ୍ନ ଠାରୁ ଜନ୍ମଲଗ୍ନ ଯାଏ                                                
ଦଶମାସ ଗର୍ଭଧରି
ଭୃଣକୁ ମଣିଷ କରି ଗଢିତୋଳେ
ଠିଆ କରେ  ହାତଧରି
ଶଦ୍ଦରେ ଓଁକାର ସ୍ମରି
ଦରୋଟି ଓଠରେ ଭାଷାକୁ ଫୁଟାଏ
ହୃଦୟେ ମାତୃତ୍ବ ଭରି  ।
ବୋଉର ପଣତ ଶ୍ରୀମନ୍ଦିର ନେତ
ବିପଦରେ ଘଣ୍ଟପରି
ସାରାପରମାୟୁ ପିଲାର ଘୋଡାଏ
ଅଭୟ ପ୍ରଦାନ କରି
ମମତାର ବାରି ଧରି
ଆଖିଟିଏ ପଢିନିଏ ମନକଥା
ସର୍ବଦା ସୁରକ୍ଷା କାରି  ।
ତା' ଅନ୍ତରୁ ଝରେ ଶ୍ରଦ୍ଧାର ଝରଣା
ସବୁଦୁଃଖ ସୁଖକରି
ଝଡ,ଝଞ୍ଜା,କଷ୍ଟ ଅଣ୍ଟୀରେ ପୂରେଇ
ଢାଳିଦିଏ ପ୍ରେମବାରି
ଯନ୍ତ୍ରଣା ଗଣ୍ଠିଲି କରି
ହୃଦୟରେ ସଦା ଥାଏ ବଡପଣ
ଦେବାରେ ଆନନ୍ଦ ଭରି  ।
ସ୍ନେହ,ଦୟା,କ୍ଷମା ତା'ର ଆଭୂଷଣ
ମଙ୍ଗଳ କାମନା କରି
ଦିନ,ରାତି,ସଞ୍ଜ,ସକାଳ ଅଣ୍ଟେନି
ତା'କୋଳ ଝୁଲଣା ପରି
ପଣତ କାନି ତାହାରି
ମାଟିରୁ ଆକାଶ ବେଦରୁ ଓଁକାର
ଜୀବନର ଉତ୍ସ ଭରି  ।
ଝୁଣ୍ଟିବା ଆଗରୁ ଆ ହା ପଦ ତା'ର
ପାଟିରୁ ଆସେ ବାହାରି
ତୋରାଣି ପିଇକି ଭୋକକୁ ଭୁଲାଇ
ପିଲା ପେଟ ପୂର୍ଣ୍ଣକରି
ଭିଜାମାଟି ବାସ୍ନାପରି
ଅତି ଅନ୍ତରଙ୍ଗ ପରଶ ମଣିଟି
ନିଜଠୁ ଅଧିକ କରି  ।
ରାତିସାରା କେତେ ଉଜାଗର ରହେ
ପିଲାକୁ ଆରୋଗ୍ୟ କରି
ଦେହର ଦରଜ ଦେହରେ ମାରଇ
ଜୀଇଁପାରେ ମରିମରି
ବୋଉ ପରା ଏହିପରି
ବାତ୍ସଲ୍ଯ ପ୍ରେମର ମୂର୍ତ୍ତିମନ୍ତଟିଏ
 ସର୍ବସଂହା ଗର୍ଭଧାରୀ ।
ପିପିଲି,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।