4/13/2023

ମୋ ମାଆ କାଳିଆଘୋଡା

ପ୍ରଭାତ ନଳିନୀ ସାହୁ
ଗାଆଁର ମୁଣ୍ଡରେ କଇଁଆ ମୂଳରେ                                    ଛୋଟିଆ ଏକ ମନ୍ଦିରେ,
ନାଲିଆ ସିନ୍ଦୂର ମଥାରେ ଲଗାଇ
ବସିଛି କଳା ଘୋଡାରେ।
ଗାଁଆଟା ଯାକର ଦୁଃଖ ସେ ନାଶୁଛି
ଶୁଣୁଛି ସବୁରି କଥା,
ଉଚ୍ଚାରିଲେ ଥରେ ତା ନାଁଆ ତୁଣ୍ଡରେ
ହରାଯାଏ ସବୁ ବ୍ୟଥା।
ଭୋଗରାଗ ଦେଇ ମନ୍ଦାର ପିନ୍ଧାଇ
ଦେହୁରି ପୂଜନ୍ତି ନିତି,
ତା ଆଶିଷେ ରୋଗ,ଦୁଃଖ,ଶୋକ କିଛି
ଆସେନା ଗାଁଆର କତି।
ଫି ସନ ପଣାସଂକରାନ୍ତି ଦିନ
ହୁଏ ଏକ ବଡ ପୂଜା,
ଘୋଡା ବସା,ନୂଆ ଶାଢୀ,ଶଂଖା ଦେଇ
ଚଢାଯାଏ ନୂଆ ଧ୍ବଜା।
ହୋମଯଜ୍ଞ ପୁଣି ପଣାପାଣି କରି
ପୂଜା ହୁଏ ମାଆଙ୍କର,
ଖଣ୍ଡିଏ ସିନ୍ଦୂର ଯାଚିଦେଲେ ମାଆ
କରିଦିଏ ଦୁଃଖ ଦୂର।
ଜେଜୀ କହୁଥିଲେ ରାତି ଅଧ ହେଲେ
ଶୁଭେ ଘୋଡା ଟାପୁ ଶବ୍ଦ,
ରୁଣୁଝୁଣୁ ପାଦ ପାହୁଡ ଶୁଭଇ
ରାତି ହେଲେ ନିଶବଦ।
କଳା ଘୋଡା ଚଢି ମାଆ ଆସେ ବୁଲି
ଦୂରରୁ ହାଲ୍ଲୋଳ ଦିଶେ,
ସନ୍ତାନଗଣଙ୍କୁ ସୁରକ୍ଷା ଦେଇ ସେ
ଫେରେ ଦେଉଳ ଉଆସେ।
ଏଇ ମୋର ମାଆ କାଳିଆ ଘୋଡା ସେ
ପ୍ରତ୍ୟକ୍ଷ ଦେବୀ ଗାଁଆର,
ଛତ୍ରଛାୟା ତଳେ ରଖିଛି ସଭିଙ୍କୁ
ପ୍ରସିଦ୍ଧି ଅଛି ନାଁଆର।
ତା ଆଶିଷେ  ପିଲା ଦିନ ମୋ ବିତିଛି
ଆଜି ଅଛି କେତେ ଦୂରେ,
କେବେ ବି ଭୁଲିନି ମୋ ମାଆର ରୂପ
ମନ ତାକୁ ନିତି ଝୁରେ।
ଯେଉଁଠି ଥିଲେ ବି କରପତ୍ର ଯୋଡି
ମାଗୁଛି ମା ତୋ ଆଶିଷ,
ଜୀବ ଥିବାଯାକେ ତୋ ପାଦପଙ୍କଜେ
ଥାଉ ମନ ଅହର୍ନିଶ।
 
 ଏମ୍,ଆଇ,ଆଇ,ସି,ଆର୍,,,,୬୪
  ଛେଣ୍ଡ କଲୋନୀ
 ରାଉରକେଲା ,,,,,୧୫
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।