4/13/2023

ସ୍ନେହମୟୀ ମା

   ସୁରଭି ଦ୍ବିବେଦୀ
ଏ ମାୟା ସଂସାରେ କେହି ନୁହେଁ କା'ର ,                                    
ମାଆ କିନ୍ତୁ ଅଟେ ସଭିଙ୍କ ନିଜର ।
ସେ ପରା ଅଟନ୍ତି ଜୀବନ୍ତ ଠାକୁର ,
ନ ଭାବିବ କେବେ ମା'ଙ୍କୁ ଅସାର ।
ଭାବର ସାଗର ଅତ୍ୟନ୍ତ ଗଭୀର ,
ଆଲୋକ ଗତିରୁ ଅତି କ୍ଷୀପ୍ରତର ।
ଧରି ଦଶମାସ ଗର୍ଭରେ ତାଙ୍କର ,
କେ ପାରିବ ଜାଣି ଦୁଃଖ ବେଦନାର ।
କେଉଁ ଉପାଦାନେ ଗଢ଼ା ତା ଶରୀର ,
ସେ ଭଣ୍ଡାର ଅଟେ ସ୍ନେହ ବାତ୍ସଲ୍ୟର ।
ସୁଖ ନୁହେଁ ଦୁଃଖ ଅଟେ ସହଚର ,
ପ୍ରତିବାଦ ନାହିଁ କେବେ ବି ତାଙ୍କର ।
ମା' ଜାଣେ ସନ୍ତାନ ଭୋକିଲା ପେଟର ,
କି ଗୁଣ ବର୍ଣ୍ଣିବି ଶକ୍ତି ନାହିଁ ମୋ କଲମର ।
ଯେତେ କଷ୍ଟ ମିଳେ କରେନା ପ୍ରଚାର ,
ସହିଯାଏ ସିଏ ସବୁ ଅନ୍ୟାୟର ।
ଅଟନ୍ତି ଆମର ଚଳନ୍ତି ଠାକୁର ,
ଚାଲ ହେ ପୂଜିବା ପୟର ତାଙ୍କର ।
ଆଦ୍ୟଗୁରୁ ସାଜେ ସେ ତ ସଭିଙ୍କର ,
ପିଲା ପ୍ରଥମେ ଉଚ୍ଚାରେ ନାମ ତାଙ୍କର ।
ହାତ ଧରି ଚାଲି ଶିଖାନ୍ତି ଆମର ,
ସେଥିପାଇଁ ଆମେ ଚାଲୁଛେ ସୁନ୍ଦର ।
ତାଙ୍କ ଋଣ କେ ସୁଝିବ କହ ବାରବାର ,
ଭୁଲିଯାନ୍ତି ତାଙ୍କ ତ୍ୟାଗ ଉତ୍ସର୍ଗର ।
ଅସୁସ୍ଥ ସମୟେ ସେବନ୍ତି ଆମର ,
ଭୁଲି ହୁଏନା ତାଙ୍କ କୋମଳ ସ୍ପର୍ଶର ।
ଅଟନ୍ତି ଆମର ଆଶା ଭରସାର ,
ଭୁଲି ହୁଏନା ତାଙ୍କ ଆସ୍ଥା ଆଶ୍ୱାସନାର ।

ଆଜି ଛିନ୍ନଭିନ୍ନ ସୁନାର ସଂସାର ,
ଆସିଗଲେ ତାଙ୍କ ପ୍ରିୟା ଯୌବନର ।
ଚିହ୍ନି ନ ପାରଇ ଏ ପୁଅ ଇତର ,
ମା'ଠୁ ଛାଡ଼ିରହେ ଅଲଗା ସହର ।
ମା' ହୋଇଯାନ୍ତି ସତେ ସାତପର ,
ଭୁଲିଯାଏ ସବୁ ସ୍ନେହ ଓ ଆଦର ।
ଯେଉଁ ମା' ଦିନେ ଜାଳଇ ଜାଗର ,
ତା ପାଇଁ ଉପାସ ରାତ୍ର ଉଜାଗର ।
ଦେଖ ଏ ସଂସାରେ ମାଡ଼ୁଛି ଅନ୍ଧାର ,
ପଥ ଦିଶୁନାହିଁ ସ୍ନେହ ମମତାର ।
ବେଦନା ଜ୍ୱାଳାରେ ଆଜି ଥରଥର ,
ବେସାହାରା ମା' ପଡ଼େ ଘର କୋଣର ।
ଦେଶ ଦୁନିଆର ଏ ବିକଳ ଚିତ୍କାର ,
ଆଜି ମାତା ପୁତ୍ର ସମ୍ପର୍କ ଦୂରର ।
ଜଣେ ମାଆ ବଡ଼ କରିଥିଲା ପାଞ୍ଚ ପୁତ୍ରର ,
ହେଲେ ପାଞ୍ଚ ପୁତ୍ର ଦାୟିତ୍ଵ ନେଇପାରନ୍ତିନି ମାଆର ।
ବୁଝିବେ ସେଦିନ ନିଜ ପୁଅଠାରୁ ପାଇ ହତାଦର ,
ନେଡ଼ିଗୁଡ଼ କହୁଣୀକୁ ବୋହିଯିବ ସମସ୍ତଙ୍କର ।

ଦେଖ ଆମ ପ୍ରଭୁ କାଳିଆ ଠାକୁର ,
ମା'ଙ୍କୁ ନ ଭୁଲି ଗୁଣ୍ଡିଚା ଯାତ କରନ୍ତି ତାଙ୍କର ।
ସମ୍ପର୍କର ସେତୁ ଲଙ୍ଗେ ପାରାବାର ,
ମା ଠାରୁ ପୁଅ କେବେ ନୁହେଁ ଦୂର ।
ଏହାହିଁ ଉଦ୍ଦେଶ୍ୟ ବିଶ୍ୱ ବିଖ୍ୟାତ ରଥଯାତ୍ରାର ,
ଯେତେ ଦୂରେ ଥାଉ ମାତା ପୁତ୍ରର ।
କେବେ ହିନୀମାନ କରନି ମାଆର ,
ସେ ପରା ଅଟଇ ପ୍ରତୀକ ମମତ୍ୱର ।
ଛୁଇଁଲେ ସେବିଲେ ମାତାଙ୍କ ପୟର ,
ହୋଇଯିବା ଆମେ ଅଜର ଅମର ।
ତାଙ୍କ ପାଦପଦ୍ମେ ସେବି ନିରନ୍ତର ,
ଆଶିଷ ଦେବେ ସେ ଆମ ଉପର ।
ତାଙ୍କ ଆଶିଷ ହେବ ପୀୟୁଷ ଆମର ,
କଟିଯିବ ସବୁ ବିଘ୍ନ ଆମର ।
ନାମକୁ ତାଙ୍କର ସ୍ମରଣ କର ,
ମାତା କେବେ କୁମାତା ନୁହେଁ ପୁତ୍ରର ।

ପ୍ରଭୁ କରନ୍ତୁ ଆଶୀର୍ବାଦ ସର୍ବ ଉପର ,
ଏଇ ତ କାହାଣୀ ସ୍ନେହମୟୀ ମା'ର ।
ସିଡିଏ, କଟକ
୯୩୪୮୭୮୫୬୯୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।