4/13/2023

ମୁଁ ଏମିତି ମାଆର ଝିଅଟିଏ

ମହାସ୍ମୀତା ଓଝା
ମୁଁ ଯେ ଏମିତି ମାଆର ଝିଅଟିଏ                                   ସହି ପାରୁନାହିଁ ମାଆର ଯନ୍ତ୍ରଣା
ଭୁଲି ପାରୁନାହିଁ  ଅସହ୍ୟ ମନ୍ତ୍ରଣା
ମୋ ମାଆ ଓଠରେ ହସ ଭରିବାକୁ
ନିଜେ ବି ଶପଥ କରିଥାଏ।

ମୁଁ ଯେ ଏମିତି ଋତୁର ଫୁଲଟିଏ
ଆଦର ଯତ୍ନ ଓ ସ୍ନେହ ପରଶରେ
ଆପଣା ସୁରଭି ବାଣ୍ଟିପାରେ
ମାଆ ଦେଇଥିବା ଅଭୟ ବରରେ
ଶିଳା ରୁ ଶିଳା ପଦ୍ମ ହେଉଥାଏ
ମୁଁ ଏମିତି ମାଆର ଝିଅଟିଏ ।

ମୁଁ ଯେ ଅନିର୍ବାଣ ଦୀପ ଶିଖା ଟିଏ
ମୋ ଉଜ୍ଜ୍ୱଳ ଆଲୋକେ ଅନ୍ଧାରର ପଥ
କର୍ମ, ଧର୍ମ ବଳେ ଆପଣାର ରଥ
ମୋ ମାଆ ଆଶୀଷେ ବାହୁଥାଏ
ମୁଁ ଏମିତି ମାଆର ଝିଅଟିଏ।

ମୁଁ ଅଲେଖା କାଗଜ ଫର୍ଦ୍ଦ ଟିଏ
ଗଳ୍ପ, କବିତାରେ ଶବ୍ଦର ସମ୍ଭାର
ହୃଦୟର ଭାବ ଭାରି ଚମତ୍କାର
ଇଚ୍ଛା ର ଇଶ୍ୱରୀ ସାଜୁଥାଏ
ମୁଁ ଏମିତି ମାଆର ଝିଅଟିଏ।

ମୁଁ ଯେ ଆଜ୍ଞାଧୀନ ଏକ ଶିଷ୍ୟା ଟିଏ
ଦାନ, ଦୟା ଗୁଣ ଯେତେକ ଭୂଷଣ
ବୁଝି ବୁଝେଇବା ସବୁର କାରଣ
ଶ୍ରେଷ୍ଠ ଗୁରୁ ତାକୁ ମାନୁଥାଏ
ମୁଁ ଏମିତି ମାଆର ଝିଅଟିଏ।

ମୁଁ ତୋ ତଥାସ୍ତୁ ର ପୂଣ୍ୟ ଫଳ ଟିଏ
ମମତାମୟୀ ତୋ' ଅଙ୍ଗେଲିଭା କଥା
ହରିବାକୁ ଚାହେଁ ସକଳ ତୋ' ବ୍ୟଥା
କିଛି ଉତ୍ତରଣ ସିଢି ଚଢୁଥାଏ
ମୁଁ ଏମିତି ମାଆର ଝିଅଟିଏ।।

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା।।🌹🌹

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।