4/13/2023

ସୁହାଗିନୀ

ଡ ସସ୍ମିତା ମିଶ୍ର
ଦୁହିତା ଜନମ ଦୁଇ କୂଳକୁ ଲୋ                                
କୁଆଁରୀ ରୁ ହୁଏ ବଧୂ
ଆଖିର ଲୁହକୁ ପଣତରେ ପୋଛି
ପାରି ହୁଏ ଭବସିନ୍ଧୁ ।୧
କଳସୀ ଜଳରେ ଅଳସୀ କନିଆଁ
ବାଡୁଅ ପାଣି ଗାଧୋଇ
ମଥାର ଓଢ଼ଣୀ ଦେଇଥାଏ ଟାଣି
କୁଆଁରୀ ସୁଖ ହଜେଇ।୨
ନାଲି ହଳଦିଆ ବଉଳର ପାଟ
ପିନ୍ଧି ଅତି ଯତନରେ
ପାଦରେ ଅଳତା ସିନ୍ଥିରେ ସିନ୍ଦୁର
ଜଉଶଙ୍ଖାକୁ କରରେ ।୩
ରୂପ ଯଉବନ ପତି ପାଶେ ମନ
ସମର୍ପଣ ଭାବନେଇ
ପତ୍ନୀବ୍ରତା ଧର୍ମ ପାଳନ କରେ ସେ
ସୁଖେ ଦୁଃଖେ ସଦା ରହି।୪
ପୂଜା ସିଂହାସନ ଚଳନ୍ତି ଠାକୁର
ଶାଶୁଶଶୁର ଚରଣେ
ଦିଅର ନଣନ୍ଦ ସ୍ନେହ ଆଦରରେ
ବାନ୍ଧି ମମତା ବନ୍ଧନେ।୫
ସାଜି ପ୍ରଣୟନୀ ଚିର ସୀମନ୍ତିନୀ
ସୁହାଗ କାମନା କରି
ପତି ବିନା ନାହିଁ ଗତି ମୁକ୍ତି ଶକ୍ତି
ସାଜେ ଚିର ସହଚରୀ ।୬
କୂଳବଧୁ ସାଜି କୂଳଧର୍ମ ରଖେ
ପତି ସୁହାଗିନୀ ହୋଇ
ହସି ଉଠେ ପୁର ସୁନାର ସଂସାର
ପତି ଦେବତାଙ୍କୁ ପାଇ।୭
ପୁରୀ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।