ଅପର୍ତ୍ତି ସେଠୀ
(ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ)
ବସନ୍ତ ଯାଉଛି ଗ୍ରୀଷ୍ମ ପ୍ରବେଶିଛି
ପଣା ସଂକ୍ରାନ୍ତି ଆସିଛି,
ଓଡ଼ିଆଣୀ ଦାଣ୍ଡେ ନଡ଼ିଆ ଭାଙ୍ଗୁଛି
ବେଲ ପଣା ଚକଟୁଛି।
ଯଅ ଛତୁଆକୁ ଦହି ଗୁଡ଼ ସହ
କଞ୍ଚା ଆମ୍ବ କାଟୁଅଛି,
ବସନ୍ତରା ଠେକି ଆଣ ପାଣି ସିଞ୍ଚି
ସିନ୍ଦୂର ଟୋପା ମାଖୁଛି।
ଗବ ଡାଳିଆରେ କଦଳୀ ପାଟୁଆ
ସିକା ବାନ୍ଧି ସାରିଲାଣି,
ମନେମନେ ପୁଣି ଶ୍ରୀହନୁମାନଙ୍କୁ
ସୁମରଣା କରିଲାଣି।
ବୈଶାଖ ଆରମ୍ଭେ ଗ୍ରୀଷ୍ମ ଆଗମନେ
ଅସହ୍ୟ ତାତି ପ୍ରଭାବେ,
ସଂସାରର ସର୍ବ ପ୍ରାଣୀ ସୁଖେ ଥାନ୍ତୁ
ପଣା ନୈବେଦ୍ୟର ଭାବେ।
ମହା ବିଷୁବ ଏ ପଣା ସଂକ୍ରାନ୍ତିରେ
ଓଡିଆଣୀ ଶୁଭ ଚିନ୍ତେ,
ଅସହ୍ୟ ଯନ୍ତ୍ରଣା କଷ୍ଟ ଦାଉ ଯେତେ
ବାନ୍ଧି ଥାଏ ତା ' ପଣତେ।
ଓଡ଼ିଆଣୀ ମାଆ ପଣା ସମର୍ପୁଛି
ପେଟ ଆମ ଥଣ୍ଡା ପାଇଁ,
ମନ ଥଣ୍ଡା ପାଇଁ ମାଆ ମୋର ଏଠି
ଅନେକ କଥା କହଇ।
ମାଆ ବୃନ୍ଦାବତୀ ଶରଣରେ ପଶି
ଯୋଉ ପଣା ବାଣ୍ଟିଦିଏ,
ସଂସାରରୁ ଦୁଃଖ ଦୂର ହେବାପାଇଁ
ଅମୃତ ସେ ସମାନ ସିଏ।
ହିଂସା, ଦ୍ଵୈଷ, ରାଗ, କାମନା ଗରବ
ବିବେକ ପାତ୍ରରେ ଭରି,
ଜ୍ଞାନ ବୁଦ୍ଧି ବଳେ ଯତନେ ଚକଟି
ପଣାକୁ ପ୍ରସ୍ତୁତ କରି।
ସ୍ନେହ ଆଦରର ପଣତ ଘୋଡାଇ
ଓଡ଼ିଆଣୀ କହୁଥାଏ,
ଏହି ପଣା ମୋର ପିଇଲେ ସୁଜନେ
ମନ ଶୋଷ ମରିଯାଏ।
ପେଟ ଥଣ୍ଡା ଠାରୁ ମନ ଥଣ୍ଡା ଭଲ
ଜଗତ ମଙ୍ଗଳ ପାଇଁ,
ଯେଉଁଥି ପାଇଁ କି ବୀର ହନୁମାନ
ଆଜି ଥିଲେ ଜନ୍ମହୋଇ।
ଆଜି ଏ ପବିତ୍ର ଦିନ ଓଡ଼ିଆର
ନବ ବର୍ଷ ପଡ଼ିଥାଏ,
କିଏ ଠେକି ବସା ସଂକ୍ରାନ୍ତି କେ ପୁଣି
ମେଷ ସଂକ୍ରାନ୍ତି ବି କୁହେ।
ଆଜି ବି ଏ ପୁଣ୍ୟ ତିଥି ଅବସରେ
ପଡ଼ିଥାଏ ଝାମୁଯାତ୍ରା ,
ଦେବାଦେବୀ ପୀଠ ଭକ୍ତ ସମାଗମ
ଓଡ଼ିଆ ସଂସ୍କୃତି କଥା।
କେଉଁଠି କାଳିସୀ ହୁକୁମୁ ଦେଉଛି
କେଉଁଠି ନିଆଁର ଖେଳ,
କେଉଁଠି ମାରୁତି ଯଜ୍ଞ କମ୍ପୁଅଛି
ମହକୁଅଛି ସଂସାର।
ଓଡ଼ିଆ ଘରର ବଢ଼ିଆ ସଂସ୍କୃତି
ବହୁ ବାର୍ତ୍ତା ଦେଉଅଛି,
କେବଳ ଆମକୁ ସେ ସବୁକୁ ବୁଝି
ବଦଳି ଯିବାର ଅଛି।
ପ୍ରେମ ନଦୀ ଯଦି ବହିବ ଏଠାରେ
ପାପ ସବୁ ଧୋଇ ନେବ,
ଦୁଃଖ ଦୂର କରି ସୁଖ ସମର୍ପିବ
ସଂସାର ହସି ଉଠିବ।
ଏ ପଣା ସଂକ୍ରାନ୍ତି ଏ ଧର୍ମ ବହୁଛି
ଷଡ ରିପୁ ପଣା କରି,
ଅନାହତ ବ୍ରହ୍ମ ଅଗ୍ନିରେ ଆହୁତି
କର ହେ ଦିବା ସର୍ବରୀ।
ତେଣୁ ଯାଇ ଆମ ଓଡ଼ିଆଣୀ ମାଆ
କଲ୍ଯାଣ ଅଜାଡ଼ି ଦେବ,
ତା' ପିନ୍ଧା ବେଢ଼ାଣ ଶୀତଳ ଛାଇରେ
ଆମକୁ ଢାଙ୍କି ରଖିବ।
ପାଳକଣା, କୋରୋ , କେନ୍ଦ୍ରାପଡ଼ା,
ମୋ - ୭୮୯୪୩୯୮୫୦୦ଜୟ ସାହିତ୍ୟ, ଜୟ ସମାଜ