ବହି ସଂପର୍କରେ ପଦେ କଥା
ଜାନୁଆରୀ ୨୩ ତାରିଖ ୨୦୧୮ ମସିହା ଅପରାହ୍ନ ୪ଟା ବେଳେ ଲୋୟର ପି.ଏମ୍.ଜି.ରେ କୁନ୍ଦୁଲି ପିଡ଼ିତାର ଆତ୍ମା କାନ୍ଦୁଥାଏ ଆଉ ତା’ ଚାରିପ।ଖରେ ବେବିନା, ଇତିଶ୍ରୀ, କସ୍ତୁରୀ, ପୂଜା,ମାଧବ,ଲଳିତାର ଆତ୍ମାମାନେ ତାକୁ ସହଯୋଗ କରୁଥାନ୍ତି । ସମସ୍ତେ ତାକୁ ସମ୍ବର୍ଦ୍ଧନା ଜଣାଉଥା'ନ୍ତି । ସମସ୍ତଙ୍କ କଣ୍ଠରେ ଅସହାୟତା, କିନ୍ତୁ ଦୃଢ଼ତାର ସ୍ବର । ସମସ୍ତେ ପ୍ରତିଶୋଧ ଚାହୁଁଥାନ୍ତି, କାରଣ ସମସ୍ତଙ୍କର ସମଦଶା । ଚାରିପ।ଖରେ ଜମା ହୋଇଥା'ନ୍ତି ଲୋକମାନେ ; ସେମାନେ ଏହି ଦୃଶ୍ୟକୁ ଉପଭୋଗ କରୁଥା'ନ୍ତି, କିଏ ହସୁଥାଏ ତ କିଏ ବିଭିନ୍ନ ପ୍ରକାର ଇଙ୍ଗିତ କରୁଥାଏ । ଏହି ଦୃଶ୍ୟ ଦେଖିଲା ପରେ ମୋର ହଠାତ୍ ମନେପଡ଼ିଲା ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’,ସତରେ କେତେ ଅସହାୟ ଏହି ନାରୀ ଜାତି । ସେ ରାଜକୁମାରୀ ହେଉ ବା ସାମ୍ରାଜ୍ଞୀ ବା ସାଧାରଣ ନାରୀ, ସମସ୍ତେ କୌରବର ସଭା ତଳେ ଅସହାୟ, ବିଦସନା, ସେ ସତ୍ୟ ହେଉ ଅବା ଦ୍ୱାପର ବା କଳି । ହେଉ ପୁରାତନ ଯୁଗ ବା ଆଧୁନିକ । ବଦଳିବନି ପୁରୁଷମାନଙ୍କର ମାନସିକତା । ଯେହେତୁ ମୁଁ ଜଣେ ନାରୀ ମୋ ହୃଦୟ ମଧ୍ୟ ବିଦ୍ରୋହ କରିଉଠିଲା । ସତରେ କ’ଣ ନାରୀ ହୋଇ ଜନ୍ମ ହେବା ପାପ । ଏଠି ନିଜର ଅସ୍ତିତ୍ୱକୁ ଖୋଜୁଥିବା ଏହି ଆତ୍ମା ଗୁଡ଼ିକର ବିଳାପ କ’ଣ କେହି ଶୁଣିବେନି ! ରାଜନୈତିକ ଚକ୍ରବୁ୍ୟହ ଭିତରେ, ଆରଣ୍ୟର ନିବିଡ଼ତା ମଧ୍ୟରେ, ମରୁଭୂମିର ବିସ୍ତୀର୍ଣ୍ଣ ଢାଲୁକା ଶଯ୍ୟାରେ କ’ଣ ହଜିଯିବ ଏମାନଙ୍କ ବିଳାପ । (ଶ୍ରୀମତୀ ସଂଯୁକ୍ତ ପାଣିଗ୍ରାହୀ )⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬⧬
"ଡେଡ୍ ଗାର୍ଲ"ଏହି ପୁସ୍ତିକା କାହିଁକି ?
ରାଜ୍ୟରେ ବିଜୁ ଜନତା ଦଳ ସରକାରରେ ଅନେକ କୋମଳମତି ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି, ସେମାନେ ଏବଂ ସେମାନଙ୍କର ପରିବାର ନ୍ୟାୟ ପାଇଁ ଲଢେଇ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟ ପାଇନାହାଁନ୍ତି । ଅନେକ ଝିଅ ନ୍ୟାୟ ପାଇଁ ଲଢେଇ କରି ସମାଜ ଦ୍ୱାରା ଲାଂଛିତ ହୋଇ ଜନ ଜୀବନ ହାରି ଦେଇଛନ୍ତି । ଏହିସବୁ ପୀଡ଼ିତାମାନଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସାମାଜିକ ସଂଗଠନ, ମହିଳା ସଂଗଠନ, ରାଜନୈତିକ ଦଳମାନଙ୍କ ତରଫରୁ ଲଢେଇ ହୋଇଛି । କିଛିଦିନର ଲଢେଇ ପରେ ତାହା ଦବି ଯାଇଛି । ଏବେ ରାଜ୍ୟରେ ବିଭିନ୍ନ ଆବାସିକ ବିଦ୍ୟାଳୟ ଗୁଡ଼ିକରେ ଝିଅମାନଙ୍କୁ ଦୁଷ୍କର୍ମ କରଯାଇଥିବାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏ ବିଷୟରେ କିଛି ଦିନ ଧରି ଆଲୋଚନା ହେଉଛି । ବିଭିନ୍ନ ଶ୍ରେଣୀର ଲୋକମାନେ ପ୍ରତିକି୍ରୟା ପ୍ରକାଶ ମଧ୍ୟ କରୁଛନ୍ତି । ତାପରେ ଏହିସବୁ ଆଲୋଚନାକୁ ଚାପି ଦିଆଯାଉଛି । ପୀଡିତାମାନେ ନ୍ୟାୟ ପାଉନାହାଁନ୍ତି । କିନ୍ତୁ ଅପରପକ୍ଷରେ ଅପରାଧୀମାନଙ୍କୁ ସୁରକ୍ଷା ଦିଆଯାଉଛି । ଫଳରେ ରାଜ୍ୟ ତମାମ ଗଣଦୁଷ୍କର୍ମ ବଢି ବଢି ଚାଲିଛି, ଅପରାଧୀମାନେ ଖୋଲାମଖୋଲା ବୁଲୁଛନ୍ତି ।
ରାଜ୍ୟରେ ଦୁଷ୍କର୍ମ ଶିକାର ହୋଇ ଲାଂଛନା ସହି ନ ପାରି ଏବଂ ନ୍ୟାୟ ପାଇଁ ଲଢେଇ କରି ଜୀବନ ହାରିଥିବା ୫ଜଣ ପୀଡ଼ିତା ହେଉଛନ୍ତି ପୁରୀ ଜିଲ୍ଳାର ବେବିନା, ଇତିଶ୍ରୀ, ବଲାଙ୍ଗୀରର ସ୍ନେହଲତା, କୋରାପୁଟର ସୁସ୍ମିତା (କୁନ୍ଦୁଲି), କେନ୍ଦ୍ରାପଡ଼ାର କୁସ୍ତରୀର ଜୀବନ କାହାଣୀ । ସେମାନଙ୍କର ଜୀବନ ସଂଘର୍ଷ ଏବଂ ଅକୁହା କଥାକୁ ନେଇ ବିଶିଷ୍ଟ ସମାଜସେବିକା ଶ୍ରୀମତୀ ସଂଯୁକ୍ତ ପାଣିଗ୍ରାହୀ ଏହି କ୍ଷୁଦ୍ର ପୁସ୍ତିକା ‘ଡେଡ୍ ଗାର୍ଲ’ ପ୍ରସ୍ତୁତ କରିଛନ୍ତି । ଲୋକମାନଙ୍କୁ ଦୁଷ୍କର୍ମ ପୀଡ଼ିତାଙ୍କ ଜୀବନ କାହାଣୀ ଏବଂ ସଂଘର୍ଷ ସମ୍ପର୍କରେ ଲୋକଲୋଚନକୁ ସଚେତନ କରାଇବା ସହ ଏହା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଆଇନ୍ଗତ ଏହା ଏକ କ୍ଷୁଦ୍ର ପ୍ରୟାସ ।
ଆମ୍ଭେ ଆଶା କରୁଛୁ, ଏହି କ୍ଷୁଦ୍ର ପୁସ୍ତିକାଟି ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ହେବ ।
ଧନ୍ୟବାଦ ସହ
ପ୍ରଦୀପ ପ୍ରଧାନ
ମାନବାଧିକାର କର୍ମୀ
⦽⇔⦽⇔⦽⇔⦽⇔⦽ ⇔⦽⇔⦽⇔⦽⇔⦽⇔⦽⇔⦽⇔⦽⇔⦽
ଡେଡ୍ ଗାର୍ଲ ର ପରଦା ପଛରେ :ଉଦୟ ଭାନୁ
ନାରୀ ସର୍ବସଂହା । ନାରୀ କେବେ କାହାର ଜନନୀ,ଭଗିନୀ, କନ୍ୟା ଆଉ ଜାୟା ଭାବରେ ବିତାଇଦିଏ ତାର ତ୍ୟାଗପୂର୍ଣ୍ଣ ଜୀବନ । ହେଲେ ଜୀବନରେ ଏକ ନାରୀ ପାଏ କଣ ? ସମାଜ ପାଇଁ ସର୍ବସ୍ବ ବଳିଦାନ ଦେଲାପରେ, ଏକ ପୁରୁଷର କାମନା ନିଆଁରେ କଣ ପାଇଁ ଜଳି ପୋଡି ପାଉଁଶ ହୋଇଯାଏ ? ଶେଷରେ ସ୍ବାର୍ଥ ସର୍ବସ୍ବ ସମାଜ ଆଉ ଭ୍ରଷ୍ଟ ସରକାର ନିଜର ଭଦ୍ର ମୁଖା ଲୁଚାଇବା ପାଇଁ ଏହି କାମୁକ ପୁରୁଷକୁ ବି ସାତ ଖୁଣ୍ ମାଫ୍ କରି ଦିଏ । ହେଲେ ବିଚାରୀ ! ଜୀବନର ସର୍ବସ୍ବ ଭାବରେ ଇଜତ ଟିକକ ହରାଇ ଶେଷରେ ଆତ୍ମ ହତ୍ୟା କରେ । ଯେତେ ଚିକ୍ରାର କଲେ ବି, ସମାଜର ବଡ ପଣ୍ଡା ଆଉ ମନୁବାଦୀ ଶାସନ ବ୍ୟବସ୍ଥା, ନାରୀକୁ ଏକ କାଠ ପିତୁଳା ଭାବି ନ୍ୟାୟ ପାଳିକାକୁ କୋମା କରି ଦିଆ ଯାଏ । ଯାହା ଆଜି ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ ସ୍ବରଚିତ ଡେଡ୍ ଗାର୍ଲରେ ଦର୍ଶାଇଛନ୍ତି ।ଜଣେ ସମାଜସେବୀ ଭାବେ ଡେଡ୍ ଗାର୍ଲରେ ଥିବା ଚରିତ୍ର ଏବଂ ତାଙ୍କ ପରିବାର ସହିତ ମିଶିଛି । ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଚରିତ୍ରଗୁଡିକ ଅତ୍ୟନ୍ତ ଜୀବନ୍ତ ଓ ସତ୍ୟ । ଆଜି ବି ଏହି ସଂକଳନର କାମକଲା ବେଳେ ଭାବ ପ୍ରବଣ ହୋଇ,ମୋ ଆଖି ଲୁହ ବି ଝରିଛି । ତେବେ ମନ ମଧ୍ୟରେ ଶଙ୍କା ଆସେ, ଆଜିର ସମାଜରେ ଜଣେ ଦଳିତ ତଥା ଗରିବ ହୋଇ ଜନ୍ମ ନେବା ଏକ ବିରାଟ ଅଭିଶାପ । ଯେଉମାନେଁ ଜୀବନରେ କେବେ ସମ୍ମାନର ସହିତ ବଂଚି ପାରନ୍ତ ନାହିଁ । ସମାଜର ଶାସନ ବ୍ୟବସ୍ଥା ବି ଫେଲ୍ ମାରେ, ସେମାନଙ୍କୁ ସୁରକ୍ଷା ଦେବା ପାଇଁ । ଶେଷରେ କାନ୍ଦି ବୋବାଇ ,ମଥା ପିଟି ଭାଗ୍ୟକୁ ଦୋଷ ଦେଇ ଜୀବନ କାଟିବା ବ୍ୟତୀତ ଆଉ କିଛି ଚାରା ନଥାଏ । ଏଇ ତ ହିଁ ଗରିବର ଜୀବନ ଆଉ ଏକ ନାରୀର ଇଜ୍ଜତ ।
ଡେଡ୍ ଗାର୍ଲ ଉଦୟ ଭାନୁ ଇ-ପ୍ରକାଶନୀର ଷଷ୍ଠ ଗଦ୍ୟ ଇ-ସଂକଳନ । ଶ୍ରୀମତୀ ପାଣିଗ୍ରାହୀ କୁନ୍ଦୁଲିର ସସ୍ମିତା,ଟିକିରି, ରାୟଗଡାର ଇତିଶ୍ରୀ ପ୍ରଧାନ, ଡେରାବିଶ,କେନ୍ଦ୍ରାପଡାର କସ୍ତୁରୀ ସାମନ୍ତରାୟ,ପିପିଲିର ବେବିନା ବେହେରା ଏବଂ ସରଗୀପାଲ୍ଲୀ,ବଲାଙ୍ଗୀରର ସ୍ନେହଲତା ଛତ୍ରିଆମାନଙ୍କର କରୁଣ କାହାଣୀକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । ସଂକଳନର ପ୍ରକାଶନ କୌଣସି ଉଦ୍ଦେଶ୍ୟମୂଳକ ଏବଂ ରାଜନୈତିକ ଦୃଷ୍ଟି କୋଣରୁ ନୁହେଁ । ତେଣୁ ଏହା ସଂପର୍କରେ ତର୍ଜମା କରିବା ଅନାବଶ୍ୟକ । ଏହି ଇ-ସଂକଳନରେ ଚରିତ୍ରଗୁଡିକୁ ଜୀବନ୍ତ କରିବା ପାଇଁ ଅତୃପ୍ତ ଆତ୍ମାର ଆର୍ତନାଦ ଭାବରେ ଚରିତ୍ରମାନଙ୍କର ଡକୁମେଂଟାରି ଭିଡିଓ, ପେପର କ୍ଲିପିଂ ଏବଂ ଫଟୋଗୁଡିକ ଦିଆ ଯାଇଛି । ଦୟାକରି ଧୈର୍ଯ୍ୟର ସହିତ ପାଠ କରିବା ପାଇଁ ଅନୁରୋଧ । ଶେଷରେ, ଉଦୟ ଭାନୁ ପରିବାର, ଶ୍ରୀମତୀ ପାଣିଗ୍ରାହୀଙ୍କର ସାରସ୍ବତ ଜଗତରେ ଉତୋରତର ଉନ୍ନତି କାମନା କରିବା ସହିତ ଦୀର୍ଘ ଜୀବନ କାମନା କରୁଛି । (ଉଦୟ ଭାନୁ ପରିବାର)
⦽⇔⦽⇔⦽⇔⦽⇔⦽ ⇔⦽⇔⦽⇔⦽⇔⦽⇔⦽⇔⦽⇔⦽⇔⦽
ଏଇ ପାହାଡ଼, ବଣ ତା’ର ଅତି ନିଜର ତଥାପି ଆଜି କାହିଁକି ଡର ଲାଗୁଛି । ତା’ର ମନେ ପଡ଼ିଯାଉଥିଲା ନିକଟ ଅତୀତରେ ଘଟିଯାଇଥିବା ଏକ ଘଟଣା । ସେ ଓ ତାଙ୍କ ସାଙ୍ଗ ଏଇ ପାହାଡ଼ରେ ବୁଲୁଥିବା ସମୟରେ ହଠାତ୍ ରାକ୍ଷସ ଭଳି ଦେଖାଯାଉଥିବା କିଛି ଯବାନ
![]() |
| KUNDULI PIDITA (FILE PHOTO) |
ଘୋଷାରୀ ହୋଇ କିଛି ବାଟ ଅଗ୍ରସର ହେବାକୁ ଚେଷ୍ଟା କରୁଥାଏ । ଏହି ସମୟରେ ସେହି ବାଟ ଦେଇ ମୋର ଜଣେ ସମ୍ପର୍କୀୟ ଭାଇ ମତେ ଏଭଳି ଅବସ୍ଥାରେ ଦେଖି ମତେ ନେଇ କୋଟପାଡ଼ ମେଡ଼ିକାଲକୁ ଦୌଡ଼ିଯାଇଥିଲେ । ଆରମ୍ଭ ହୋଇଗଲା ଚିକିତ୍ସା । କଥାଟା ଚାରିଆଡେ଼ ପ୍ରଚାର ହୋଇଗଲା । ଜମା ହୋଇଗଲେ ମିଡ଼ିଆବାଲା, ରାଜନେତା ଏବଂ ପ୍ରଶାସନିକ ଅଧିକାରୀ । ମୋ ଚିକିତ୍ସା ଏଠି ଯେତେ ଗୁରୁତ୍ୱ ବହନ କରୁନଥିଲା ମୋ ଅବସ୍ଥାରୁ କିଏ କେତେ ଫାଇଦା ନେଇପାରିବେ ତା ଉପରେ ସମସ୍ତଙ୍କର ଅଧିକ ନଜର ଥିଲା । ମୋ ବଂଚିବାଟା ପ୍ରଶାସନିକ ଅଧିକାରୀ ପ୍ରତି ଏକ ତୀବ୍ର ଧକ୍କା ଥିଲା । ସେମାନେ କିଭଳି ଘଟଣାକୁ ଚପାଇବେ ତା ଉପରେ ଗୁରୁତ୍ୱ ଦେଲାବେଳେ ମିଡ଼ିଆ ଟି.ଆର୍.ପି. ଏବଂ ରାଜନୈତିକ କର୍ମୀ ନିଜର ଆସନ ମଜବୁତ କରିବାର ଏକ ମାଧ୍ୟମ ମତେ କରିସାରିଥିଲେ । ମତେ ନେଇ ନାନା ପ୍ରକାର ବୟାନବାଜି ଆରମ୍ଭ ହୋଇସାରିଥିଲା । ମତେ ଦେବଦୁତ ଭଳି ସାହାଯ୍ୟ କରିଥିବା ସମ୍ପର୍କୀୟ ଭାଇକୁ ହିଁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ,ମୋ ଦାଦା ତଥା ଅନ୍ୟମାନଙ୍କୁ ଅଭିଯୁକ୍ତ କରି ମୋ ସାମ୍ନାରେ ଠିଆ କରାଗଲା । ମୁଁ ଯେତେ ଚିକ୍ରାର କରିକହିଲେ ମଧ୍ୟ ମୋ କଥାକୁ ଶୁଣାଗଲା ନାହିଁ । ଯେଉଁ କଥାକୁ ମୁଁ ବାରମ୍ବାର ଭୁଲିବାକୁ ଚାହୁଁଥିଲି କାଉନସେଲିଂ ଆଳରେ ତାକୁ ବାରମ୍ବାର ମନେ ପକାଇ ଦିଆଗଲା । ସେମାନଙ୍କ କଥାରେ ହିଁ ମାରିବାପାଇଁ ମୋତେ ନାନା ପ୍ରକାର ପ୍ରଲୋଭନ ଦେଖାଗଲା । ପ୍ରଶାସନିକ ଉଦ୍ୟମ ଯେତେବେଳେ ବିଫଳ ହେଲା ସେତେବେଳେ ମତେ ନଜରବନ୍ଦୀ ରଖି ସରକାରଙ୍କ ତରଫରୁ ଘୋଷଣା କରାଗଲା ଯେ ମତେ ଧର୍ଷଣ କରାଯାଇ ନାହିଁ ।ମୁଁ ଏବେ ବୁଝିଯାଇଥିଲି ମୋ ସାଙ୍ଗର ଘଟଣାକୁ କାହିଁକି ତା’ ଘରଲୋକ ପୋତିଦେଇ ମୋତେ ଚୁପ୍ ରହିବାକୁ କହୁଥିଲେ, କାରଣ ସେମାନେ ପ୍ରକାନ୍ତରେ ମୋ ଭଲ ଚାହୁଁଥିଲେ, ମୁଁ ସିନା ସେମାନଙ୍କୁ ଘୃଣା କରିବା ଆରମ୍ଭ କରିଥିଲି । ଯବାନ ଡ୍ରେସ ପିନ୍ଧିଥିବା ଯବାନମାନଙ୍କ ଦ୍ୱାରା ଥରେ ଧର୍ଷଣର ଶିକାର ହୋଇଥିଲି । ଏଠି କିନ୍ତୁ ପ୍ରତି ମିନିଟରେ ପ୍ରଶାସନ ଦ୍ୱାରା ଧର୍ଷଣର ଶିକାର ହେଉଥିଲି । ଜଣ ଜଣ କରି ହଜାରଥର ସେହି କଥାକୁ ଦୋହରାଇ ସେମାନଙ୍କୁ କହୁଥିଲି । ସେମାନେ ଯେମିତି ଶପଥ କରିଥିଲେ ମତେ ଏ ଘଟଣାକୁ ଭୁଲିବାକୁ ଦେବେନି । ମୁଁ ସେ ଘଟଣାକୁ ମନେପକାଇ କହିଲାବେଳେ ମୋ ଆଖିର ଲୁହ, ହୃଦୟର ବେଦନାକୁ ବୋଧହୁଏ କେହି ବୁଝି ପାରୁ ନଥିଲେ । ମୁଁ ନିଜେ ଘୃଣାରେ ମୋ ଶରୀରକୁ ଚାହିଁ ପାରୁନଥିଲି ।ମୋ ପାଖରେ ମୋ ମା’, ଖୁଡ଼ି ଯିଏକି ମୋର ଅତି ନିଜର ତାଙ୍କୁ ନ ଛାଡ଼ି, ନ ଜଣାଇ ମୋତେ ପାଠ ପଢ଼ିବା ଆଳରେ ଏବେ ଆବାସିକ ବିଦ୍ୟାଳୟରେ ଛଡ଼ାଗଲା । କିନ୍ତୁ ସେଠି ନା ପାଠପଢ଼ିବାକୁ ଛଡ଼ା ଗଲା । ପାଠ ପଢ଼ିବାକୁ ଛଡ଼ା ଯିବା ତ ଦୂରର କଥା ଅନ୍ୟ ସହପାଠୀ ସହିତ ମିଶିବାକୁ ନ ଦେଇ ଗୋଟେ ଘର ଭିତରେ ବନ୍ଦ କରି ରଖାଗଲା । ମୁଁ ବୁଝିପାରୁ ନଥିଲି ମୁଁ ସେମାନଙ୍କୁଧର୍ଷଣ କରିଛି ନା ସେମାନେ ମତେ । ଯିଏ ପ୍ରକୃତ ଦୋଷୀ ସେମାନେ ବାହାରେ ବୁଲିବେ ଆଉ ମୁଁ ବନ୍ଦୀର ଜୀବନଯାପନ କରିବି । ମୋର କ’ଣ ଭୁଲ୍ ? ଏଠି କାହା ଉପରେ ତଦନ୍ତ କରିବାକୁ ସରକାର ତଦନ୍ତ ଉପରେ ତଦନ୍ତର ନିର୍ଦ୍ଦେଶ ଦେଉଛନ୍ତି । ବନ୍ଦୀ ଜୀବନ ଠାରୁ ମୁକ୍ତି ପାଇବାର ବାଟ ଖୋଜୁ ଖୋଜୁ ହାତରେ ପଡ଼ିଲା ଏକାଧିକ ଆଇରନ ବଟିକା । ଭାବିଲି ଏହି ହେଉଛି ମୁକ୍ତିର ବାଟ ।
୧୮.୧୧.୨୦୧୭ ଯେତେବେଳେ ମୋ ଚେତା ଫେରେ ମୁଁ ନିଜକୁ ଆବିଷ୍କାର କରେ ପୁଣି କୋଉ ଏକ ମେଡ଼ିକାଲ ବେଡ଼ ଉପରେ । ଚାରିଆଡ଼କୁ ଆଖି ଘୁରାଏ । ଦେଖେ ସମସ୍ତ ରୋଗୀ ଏଠି ମୁହୂର୍ଷୁ ଅବସ୍ଥାରେ। ନର୍ସ/ଦିଦିମାନଙ୍କ କଥୋପକଥନରୁ ଜାଣିଲି କଟକର ବଡ଼ମେଡ଼ିକାଲରେ ମୁଁ ଅଛି । ମୋର ଗତ ରାତିରେ ରକ୍ତବାନ୍ତି ହେବାରୁ ମୋତେ ଏଠି ଅଣା ଯାଇଛି । ଓଃ ତା’ହେଲେ ପୁଣିଥରେ ବଂଚିଗଲି । ପୁଣି ଥରେ ହୋ ହାଲ୍ଲା । ନିଜର ଘର ଲୋକଙ୍କୁ ଦେଖିବାକୁ ଇଚ୍ଛା ପ୍ରକଟ କରନ୍ତି,ଉତର ମିଳିଲା "ତୋ ଘର ଲୋକ ତତେ ଘରକୁ ନେବା ତ ଦୂରର କଥା ତତେ ଆଉ ଦେଖା କରିବାକୁ ବି ଚାହୁଁନାହାନ୍ତି" । ନିଜକୁ ବହୁତ ଅସହାୟ ମଣିଲି, ତା’ହେଲେ ମୋର ଗତି କୁଆଡେ଼ ? ଏହି ସମୟରେ ହଠାତ୍ ହୋହଲ୍ଲା ଶୁଭିଲା । ମୋ ପ୍ରତି ବ୍ୟବହାର ବଦଳିଗଲା । କର୍କଶ ସ୍ବରର କଥା ହଠାତ୍ କିପରି କୋମଳ ହୋଇଗଲା । କିଛି ଭାବି ପାରୁ ନଥାଏ । ହସ୍ପିଟାଲର ଖଟିଆରେ ନିରବରେ ପଡ଼ି ଲୁହ ଗଡ଼ାଇବା ଛଡ଼ା ମୋର ବା ଆଉ କ’ଣ ଅଛି । ପୁଣି ଏକ ସନ୍ଧ୍ୟା ,ହଠାତ୍ କବାଟ ଖୋଲିଗଲା । ମୋ ସାମ୍ନାରେ ମୋ ମା ଆଉ ଖୁଡ଼ିକୁ ଦେଖି ମୁଁ ଚମକି ଉଠିଲି । ଏମାନେ ପରା ମୋ ମୁହଁ ଦେଖିବାକୁ ଚାହୁଁ ନଥିଲେ । ପୁଣି ଆସିଲେ କିପରି ମୋ ଭାବନାକୁ ବୋଧହୁଏ ମୋ ଖୁଡ଼ି ପଢ଼ି ପାରୁଥିଲେ । ମୁଁ କିଛି କହିବା ପୂର୍ବରୁ ସେ କହିଲେ ତମେ ତ ଅଧିକ ଆଇରନ ବଟିକା ଖାଇ ରକ୍ତବାନ୍ତି କଲ, ଆମକୁ ନକହି ତମକୁ ଏଠି କି ଆଣିଲେ । ଆମେ ଟିଭି ଦେଖି ଜାଣିଲୁ ତମକୁ କଟକ ଅଣାଯାଇଛି । କୋଉଠି କୁନ୍ଦୁଲି ଆଉ କୋଉଠି କଟକର ବଡ଼ ମେଡ଼ିକାଲ ଆମେ ଏକୁଟିଆ ଆସିଥାନ୍ତୁ କିପରି ? କିନ୍ତୁ ବହୁ କଷ୍ଟରେ ପ୍ରଦୀପ ମାଝୀ (ପୂର୍ବତନ ଏମ୍.ପି.କଂଗ୍ରେସର) ସହାୟତାରେ ଏଠି ପହଂଚିଲୁ । ଆମକୁ ଭିତରକୁ ଛାଡ଼ୁ ନଥିଲେ । କିଛି ସ୍ବେଚ୍ଛାସେବୀ, ସମାଜସେବୀଙ୍କ ସହିତ ଦୁଇଦିନ ବାହାରେ ଧାରଣାରେ ବସିଲା ପରେ ବାଧ୍ୟ ହୋଇ ଆଜି ଆମକୁ ତମ ସହିତ ଦେଖା କରିବାକୁ ସୁଯୋଗ ଦେଲେ । ଆମେ କ’ଣ କରିବୁ ମା’ ଆଖିରୁ ଅବିରତ ଲୁହର ଧାର ଦେଖି ମୁଁ ଏବେ ପ୍ରକୃତ ସତ ଜାଣି ପାରୁଥିଲି । ମତେ ଧର୍ଷଣ କରାଯାଇ ନାହିଁ ବୋଲି ଯେଭଳି ପ୍ରଚାର କରାଯାଉଛି ଠିକ୍ ସେହିଭଳି ମୋ ଘରଲୋକ ମତେ ଚାହୁଁନାହାନ୍ତି ବୋଲି ମତେ ମିଛ କହିଛନ୍ତି ଏମାନେ । ଏହି ସମାଜସେବୀଙ୍କ ଚାପରେ ପଡ଼ି ଶେଷରେ ମତେ ୨୭.୧୧.୨୦୧୭ରେ ଡିସ୍ଚାର୍ଯ୍ୟ କରିବାକୁ ମେଡ଼ିକାଲ କତୃପକ୍ଷ ବାଧ୍ୟ ହୋଇଥିଲେ । କିନ୍ତୁ ମୁଁ ସେମାନଙ୍କ କବଳରୁ ମୁକ୍ତ ନ ହୋଇଥିଲେ ମଧ୍ୟ ପରିବାର ସହ ରହିବାର ପୁଣିଥରେ ସୁଯୋଗ ପାଇଗଲି ।
କିନ୍ତୁ ନିଃସ୍ବାର୍ଥପର ଭାବେ ମୋ ପରିବାରକୁ ସାହାଯ୍ୟ କରୁଥିବା ଏହି ସମାଜସେବୀମାନେ କିଏ ସେମାନଙ୍କ ବିଷୟରେ ଜାଣିବାକୁ ମନରେ କାହିଁକି କେଜାଣି ଇଚ୍ଛାଟା ପ୍ରବଳରୁ ପ୍ରବଳ ହେଉଥିଲା । ଘୋର ବନାନୀର ଅନ୍ଧାର ଭିତରେ ସତେଯେପରି ଆଲୋକର ଛୋଟ ରେଖାଟିଏ ଦୃଷ୍ଟିଗୋଚରହେଉଥିଲା । ମନରେ ପୁଣିଥରେ ବଂଚିବାର ଆଶା ଉଙ୍କି ମାରିଲା ଯେତେବେଳେ ୨୯.୧୨.୨୦୧୩ ଜନ ଶୁଣାଣୀ କରିଥିଲେ ଏହି ସମାଜସେବୀମାନେ । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଁ ଉପଲବ୍ଧ କଲି ,ଏହିଭଳି ଘଟଣାରେ ମୁଁ ଏକା ନୁହେଁ ମୋ ଭଳି ଅନେକ ଆହୁରି ଅଛନ୍ତି । ସମସ୍ତେ ନିଜ ନିଜ ଲଢେ଼ଇ ଜାରି ରଖିଛନ୍ତି । ଯଦି ଏମାନେ ଯଦି ପାରୁଛନ୍ତି ତେବେ ମୁଁ କାହିଁକି ନୁହଁ ମନରେ ପୁଣିଥରେ ସାହସ ଉଦ୍ରେକ ହେଲା । କ୍ରୋଧ ବି ଆସୁଥିଲା । ସମାଜର ସେହି ବଡ଼ ପଣ୍ଡାମାନଙ୍କ ପ୍ରତି ଯେଉଁମାନେ ନିଜକୁ ପ୍ରତିଷ୍ଠିତ ଶିକ୍ଷିତ ପ୍ରଶାସନକାରୀର ଆଖ୍ୟା ଦେଇ ପ୍ରତି କ୍ଷଣ ମତେ ଦଂଶନ କରୁଥିଲେ । ସେହି ପୋଲିସଙ୍କ ପ୍ରତି ଯେଉଁମାନେ ଆଇନର ରକ୍ଷକ ହୋଇ କେମିତି ମତେ ଭକ୍ଷଣ କରୁଥିଲେ । ମନ ଭିତରେ ଯାହା ଯାହା, ଯେଉଁ ତିକ୍ତ ଅନୁଭୂତି ଥିଲା ଷ୍ଟେଜ ଉପରକୁ ଯାଇ ସବୁ ବର୍ଣ୍ଣନା କରିଦେଇ ସାରିଲା ପରେ ନିଜକୁ ହାଲୁକା ଅନୁଭବ କଲି । ଲାଗୁଥିଲା ବୋଧହୁଏ ପୁଣିଥରେ ଏ ଲଢେ଼ଇ ଭିନ୍ନ ଏକ ଢଙ୍ଗରେ ଆରମ୍ଭ ହେଲା । ମନରେ ପୁଣିଥରେ ସ୍ବପ୍ନର ଫୁଆରା ନେଇ କୁନ୍ଦୁଲି ଫେରିଲି ।କିନ୍ତୁ ଏ କ’ଣ ଏ ସମାଜରେ ଗୋଟିଏ ଧର୍ଷିତା ଝିଅ ପାଇଁ ଯେମିତି ସ୍ଥାନ ହିଁ ନାହିଁ । ସେ ଯାହା କଲେ ବି ତାକୁ ନିନ୍ଦା ଅପବାଦ ଶୁଣିବାକୁ ହିଁ ପଡ଼ିବ । ମନେ ମନେ ବହୁତ କାନ୍ଦୁଥିଲେ ବି କାହାକୁ ଆଉ ଲୁହ ଦେଖାଇବାକୁ ଚାହୁଁ ନଥିଲି । ଖୁଡ଼ି ପ୍ରତି ମିନିଟ୍ରେ ମତେ ସାହସ ଦେଉଥିଲେ ବି ବୋଧହୁଏ ଏ ସାହସ ମୋ ପ୍ରତି ପର୍ଯ୍ୟାପ୍ତ ନଥିଲା । ଏହା ସବୁ
ସୀମା ଡେଇଁଗଲା ଯେତେବେଳେ ମୁଁ ଜୟପୁରରୁ ପୁଣିଥରେ ମୋ ଜେଜେମା’ଙ୍କୁ ଦେଖିବା ପାଇଁ କୁନ୍ଦୁଲି ଫେରିଲି । ସେଦିନ ଥାଏ ସରସ୍ବତୀ ପୂଜା । ପିଲାମାନେ ନୂଆ ଡ୍ରେସ ପିନ୍ଧି ବିଦ୍ୟାଳୟକୁ ସରସ୍ବତୀ ପୂଜା ପାଇଁ ଖୁସି ମନରେ ଯାଉଥାନ୍ତି । ମୁଁ ଦାଣ୍ଡ ଦୁଆରେ ବସିଥାଏ । ଘରେ କେହି ନଥାନ୍ତି । ମନରେ ଭାବାନ୍ତର ସୃଷ୍ଟି ହୋଇଥାଏ କ’ଣ ସବୁ ହେଇଗଲା । ମୋର କ’ଣ ଭୁଲ୍ । ମୁଁ କାହିଁକି ଲୁଚିକି ବସିଛି । ସବୁ କଟକଣା ମୋ ପାଇଁ କାହିଁକି । ଆର ବର୍ଷ ଏହିଦିନ ମୁଁ ପୂଜାରେ ମୁଖ୍ୟ ହୋଇଥିଲି । ସମସ୍ତ କାର୍ଯ୍ୟକ୍ରମ ମୋ ତଦାରଖରେ ହୋଇଥିଲା । ମୁଁ ଭୋଗ ବାଂଟିଥିଲି, ହେଲେ ଆଜି... । ନା, ମୂଲ୍ୟହୀନ ଏହି ଜୀବନ, ମୋ ପାଇଁ ପ୍ରତି ସେକେଣ୍ଡରେ ମୋ ପରିବାର ଧମକର ଶୀକାର ହେଉଛନ୍ତି । ସମାଜରେ ମୁଁ କୌଣସି କାମରେ ଆସିଲି ନାହିଁ ତେବେ ଜୀବନ ରଖି ଲାଭ କ’ଣ । ଦୂର ଆକାଶରୁ ଦେଖାଯାଉଥିଲା ସତେଯେପରି କିଏ ହାତ ଠାରି ମତେ ଡାକୁଛନ୍ତି ? ମୋ ଅଜାଣତରେ ମୋ ଦେହରେ ଥିବା ଓଢଣୀଟିକୁ ବାହାର କରି ଘରର ଫ୍ୟାନ୍ହୁକ୍ କେତେବେଳେ ବାନ୍ଧି ଫାଶଟିକୁ ବେକରେ ପକାଇଲିଣି ମୁଁ ନିଜେ ହିଁ ଜାଣି ପାରୁ ନଥାଏ । କିନ୍ତୁ ଏହା ପରେ ମୁଁ ବହୁତ ହାଲୁକା ହୋଇ ଆକାଶରେ ଉଡ଼ୁଥାଏ । ତଳେ ଶୁଭୁଥାଏ କ୍ରନ୍ଦନର ସ୍ବର । ଅଶାନ୍ତ ଆତ୍ମା କହୁଥାଏ, ‘ହେ ସରକାର ଏହା କ’ଣ ତମ ସ୍ବଚ୍ଛ ଶାସନ, ଏହା କ’ଣ ତମ ମା’କୁ ସମ୍ମାନର ନାରା । ଧିକ୍ ତମ ପ୍ରଶାସନ, ଧିକ୍ ତମ ସୁରକ୍ଷା ବ୍ୟବସ୍ଥା, ଧିକ୍ ତମ ଶାସନ ।ଗୋଟିଏ ନିରୀହ ଆଦିବାସୀ ଝିଅକୁ ନ୍ୟାୟ ଦେଇପାରିଲ ନାହିଁ, ଏଥିରେ ପୁଣି ଶ୍ରେଷ୍ଠ ପ୍ରଶାସକ । ହେ ସ୍ବାର୍ଥର ସମାଜବାସୀ, ପ୍ରଶାସକ ପୋଲିସ ବାହିନୀ ମତେ ବହୁତ କନ୍ଦାଇଲ, ବର୍ମାନ କାନ୍ଦିବାର ପାଳି ତୁମର । କିନ୍ତୁ ଅନ୍ତର ଆତ୍ମାରୁ ଆବାଜ ଆସୁଥାଏ ଏଠି ସବୁ ବଳିଦାନ ନିରର୍ଥକ ।
⇔⦽⇔⦽⇔⦽⇔⦽⇔⦽- ୨ –⇔⦽⇔⦽⇔⦽⇔⦽⇔⦽⇔⦽
ବେବିନା ଏତେବେଳ ପର୍ଯ୍ୟନ୍ତ ଘରକୁ ଫେରିନାହିଁ । ଦିନେ ଦିନେ ସେ ଏମିତି ଡେରି କରେ । କୋଉ ସାଙ୍ଗ ସାଙ୍ଗରେ ଗପୁଥିବ ନହେଲେ ନଇକୂଳରେ ବସି ଗୀତ ଗାଉଥିବ, ଗୀତ ତା’ର ଭାରି ପସନ୍ଦ । ତା କଣ୍ଠକୁ ମାନେ । ସମସ୍ତେ ଶୁଣିବାକୁ ଭଲ ପାଆନ୍ତି । ସେଥି ପାଇଁ ତ ବିଭିନ୍ନ ପ୍ରୋଗ୍ରାମରେ ସେ ଗୀତ ଗାଇ ଦି’ପଇସା ରୋଜଗାର କରେ ।କିନ୍ତୁ ଆଜି କାହିଁକି ମନ ଭିତରଟା କ’ଣ ହୋଇଯାଉଛି । ସକାଳଟା ସକାଳ ପରି ନ ଲାଗି ଖାପଛଡ଼ା ଖାପ ଛଡ଼ା ଲାଗୁଛି । ସବୁକିଛି ଶୁନ୍ଶାନ୍ ଯେମିତି ଲାଗୁଛି । ସମୟଟା ହଠାତ୍ ଅଟକିଯାଇଛି,ସମସ୍ତେ ମୁକ, ବଧିର, ପଙ୍ଗୁ ପାଲଟି ଯାଇଛନ୍ତି କି ଆଉ, ହଠାତ୍ କାହାର ପାଟି ଶୁଭିଲା, ହେ ବେବିନା ବାପା ଦୌଡ଼ି ଆସ ବେବିନାର କ’ଣ ହୋଇଯାଇଛି । କାଳ ବିଳମ୍ବ ନକରି ଏକା ନିଶ୍ୱାସରେ କିଆରୀ ମଝିକୁ ଦୌଡ଼ିଗଲା ସେ । ଏ କ’ଣ ବେବିନା ତା’ର ଉଲଗ୍ନ ହୋଇ ପଡ଼ିଛି କିଆରି ମଝିରେ ସକାଳୁ ପଦାକୁ ଆସିଥିଲା, କିନ୍ତୁ ତା’ର ଏ ଅବସ୍ଥା କିଏ କଲା । ନିଜ କାନ୍ଧର ଗାମୁଛାକୁ ବେବିନା ଉପରେ ପକାଇ ସାଇଭାଇଙ୍କ ସହାୟତାରେ ମେଡ଼ିକାଲ ନେଲା ସେ । କିଏ କହୁଥିଲା ଝିଅଟା ବୋଧହୁଏ ମରିଯାଇଛି । କିଏ କହୁଥିଲା ଜଣେ ନୁହଁ ଏକାଧିକ ଲୋକ ଝିଅଟିକୁ ଧର୍ଷଣ କରିଛନ୍ତି ତେଣୁ ବେହୋସ ହୋଇଯାଇଛି । କିଏ କହୁଥିଲା ଥାନାରେ ଏଫ୍.ଆଇ.ଆର୍ ଦିଅ ତ, କିଏ କହୁଥିଲା ବଡ଼ ଲୋକ ସ େଙ୍ଗ ଲାଗିଲେ କ’ଣ ପାରିବ । ହଁ ବଡ଼ଲୋକ ଉଚ୍ଚତାରେ ନୁହଁ, ଧନରେ ପ୍ରତାପଶାଳୀ ରାଜନୈତିକ ନେତାମାନଙ୍କର ଚାମଚା । କେତେ ବୁଝେଇଲି ତୁ ସାକ୍ଷୀ ହୁଅନା । ଜମା ମାନିଲାନି ମୋ କଥାକୁ । କହିଲା ବାପା ମୋ ସାଙ୍ଗ ଜଳିବା ମୁଁ ଆଖିରେ ଦେଖିଛି । ଏହା ଦୁର୍ଘଟଣା ନ ଥିଲା ତାକୁ ପୋଡ଼ି ମାରିଦେଇଛନ୍ତି । ମୁଁ ଛାଡ଼ିବିନି ସାକ୍ଷୀ ହେବି, ସବୁ କହିବି । ଆଉ ସେମାନଙ୍କୁ ଫାଶୀ ଦେବି । ଦଉଥା ଫାଶୀ, ନିଜ ଜିଦର ଫଳ ପାଇଲୁ । ଦୁନିଆ ଦେଖିବା ଆଗରୁ ଏ ଅବସ୍ଥା । ଡାକ୍ତରଖାନାାରେ ଘଡ଼ିଏ ହେଲାଣି ପଡ଼ିଛି ଯେ ଡାକ୍ତରବାବୁ ଦେଖୁ ହିଁ ନାହାନ୍ତି, କହୁଛନ୍ତି ଏହା ପୋଲିସ କେସ୍ ପୋଲିସ ନ ଆସିଲେ ସେ କିଛି କରିବେ ନାହିଁ । ପୋଲିସ କାହିଁକି ଆସୁନାହାନ୍ତି ଯେ ।
ଏଫ୍.ଆଇ.ଆର୍ ଦେଲଣି, ଡାକ୍ତରଙ୍କ ଗୁରୁଗମ୍ଭୀର କଥାରେ ପ୍ରକୃତିସ୍ଥ ହେଲା ସେ । ତରବରରେ ଦୌଡ଼ିଗଲା ଏଫ୍.ଆଇ.ଆର୍ କାଗଜଟି ଧରି । କିନ୍ତୁ ଏ କ’ଣ ଥାନାବାବୁ ତାକୁ ଏଫ୍.ଆଇ.ଆର୍ କ’ଣରଖିବେ ଦୁଆର ମୁହଁରୁ ଛି ଛି କହି ଫେରିଯିବାକୁ ନିର୍ଦ୍ଦେଶ ଦେଉଛି । ମୋ କାଗଜ ରଖୁନାହାନ୍ତିକାହିଁକି, ତାଙ୍କର ଅସୁବିଧା କେଉଁଠି । କାହାକୁ କହିବି
ମୋ ବେବିନା କ’ଣ ବôବନି,ଏମିତି ପଡ଼ିଥିବ ଡାକ୍ତରଖାନାରେ। ଥାନାବାବୁ ରଖନ୍ତୁ ବା ନ ରଖନ୍ତୁ ଟେବୁଲ ଉପରେ କାଗଜ ଖଣ୍ଡକୁ ଥୋଇଦେଇ ଲୁହକୁ ପୋଛି ସେ ଏକ ନିଶ୍ୱାସରେ ଦୌଡ଼ିଗଲା ଡାକ୍ତରଖାନାକୁ । ବହୁ କାକୁତିମିନତି କଲା ପରେ ଡାକ୍ତରବାବୁ ଆସି କି ଇେଞ୍ଜକସନ ଦେଲେ କେଜାଣି ମୁହଁଟା ମଳିନ ପଡ଼ିଗଲା ପରି ଦେଖାଗଲା ।ଡାକ୍ତରବାବୁ ନିଜର ଅସହାୟତା ପ୍ରକାଶ କରି ବଡ଼ ମେଡ଼ିକାଲକୁ ନେବାପାଇଁ କହିଲେ । ପାଖରେ କିଛି ବି ଟଙ୍କା ନାହିଁ । କୋଉ ମେଡ଼ିକାଲ କ’ଣ କରିବି ବୁଦ୍ଧିବାଟ ଦେଖାଯାଉ ନଥାଏ ।ଏ ମେଡ଼ିକାଲରୁ ସେ ମେଡ଼ିକାଲ ଦୁଇମାସ ବିତିଗଲାଣି । ଯାହା ଧାର ଉଧାର କରି ଆଣିଥିଲି ସବୁ ସରିଗଲାଣି । ଡାକ୍ତରବାବୁ କହିସାରିଲେଣି ଘରକୁ ନେଇଯାଅ । ଏଇଟା କୁଆଡେ଼ କୋମା, ସେ ଆଉ ଭଲ ହେବନି । କେମିତି ଘରକୁ ନେଇଯିବି ଭାବିଲି । ସଂଜ୍ଞାହୀନ ଝିଅକୁ ଏଇଠି ରହିଲେ ଡାକ୍ତରବାବୁଙ୍କ ଦୟା ହେବ, ଟିକେ ଦେଖିବେ । କିନ୍ତୁ ଆରେ ଆରେ ଆକୁ ଏଠୁ ବାହାର କର,ନହେଲେ ପୋଲିସକୁ ଡାକ । ପୋଲିସର ନାଁ’ ଶୁଣି ଡରିମରି ସେଠୁ ବାହାରିବାକୁ ସ୍ଥିର କଲେ ।
| BEBINA........... |
ସମସ୍ତେ କହୁଛନ୍ତି ମହିଳା କମିଶନ ଯାଅ । ସେଠି କୁଆଡେ଼ ମହିଳାମାନଙ୍କୁ ନ୍ୟାୟ ଦିଆଯାଏ ।ଗୋଟିଏ ଅଟୋ ଡାକି ଟେକି ଟେକି ଝିଅକୁ ନେଇ ଅଟୋରେ ଶୁଆଇଲା । ଦୁଇ ଆଖିରୁ ବହିଯାଉଥିବା ଲୁହକୁ ପୋଛି ଝିଅ ପାଖରେ ବସି ମହିଳା କମିଶନ ଅଫିସ ପାଖକୁ ନେବାକୁ ନିର୍ଦ୍ଦେଶ ଦେଲା ଅଟୋକୁ । ଆଜ୍ଞା ମୋ ଝିଅକୁ ଧର୍ଷଣ କରି ଏଭଳି ଅବସ୍ଥା କରିଛନ୍ତି । ପୋଲିସ ଏଫ୍.ଆଇ.ଆର୍ ରଖୁନି କି ଡାକ୍ତର ଠିକ୍ରେ ଚିକିତ୍ସା କରୁନାହାନ୍ତି । ଆପଣ ଟିକେ ସାହାଯ୍ୟ କରନ୍ତୁ । କଥା ସରିନି –ମାଡ଼ାମଙ୍କ ଧମକରେ ଚମକି ଡ଼ିଲା ସେ । ଶୀଘ୍ର ଏକୁ ନେଇ ଏଠୁ ଯା । କୁଆଡ଼ୁ ସବୁ ପଳେଇ ଆସୁଛନ୍ତି ଏଠିକି, ଏତିକି କଥାରେ ବୁଝି ହେଉଥିଲା କେତେ ମହିୟଶୀ ଏ ମହିଳା କମିଶନର ମାଡ଼ାମ ।ଆରେ ଦେଖ ଦେଖ ଏ ଝିଅଟାକୁ ଏମିତି ଟେକି ଟେକି କେମିତି ନେଉଛନ୍ତି ସେ । ପ୍ରକୃତରେ ଘଟଣାଟି କ’ଣ ଚାଲ
![]() |
| Demonstration At Kantapada Block |
ଆରେ ଜାଣିଛୁ ବେବିନା ପାଇଁ ପିପିଲି ଏବେ ଉଠୁଛି ପଡ଼ୁଛି । ତୋର
![]() |
| Meeting About Bebina By UDAY VANU |
ଏହି ଦେଖୁ ଦେଖୁ ୪ମାସ ହେଲାଣି । ମେଡ଼ିକାଲକୁ ଘର କରିସାରିଲିଣି । କ’ଣ ଧର୍ଷଣ ହେଇଛି କି ନାହିଁ ଏବେ ଡାକ୍ତର ମାଇନା ହେବ । କ’ଣ ୪ମାସ ପରେ କିଛି ବୁଝି ନପାରି କେବଳ ଜଳ ଜଳ କରି ଚାହୁଁଥାଏ । ପ୍ରତିଦିନ ଏହି ଆଶାରେ ବଂଚିଥାଏ ଯେ ଝିଅ ଭଲ ହେବ, ତାକୁ ଯିଏ ଖିନ୍ଭିନ୍ କରିଛି ସେ ନିଶ୍ଚୟ ତା ନା କହିବ । ସେ ହିଁ କହିଲେ ଯଦି
ଦଣ୍ଡ ମିଳିବ । ଆମେ ସମସ୍ତେ ଜାଣିଛୁ ସେ ଚାରିଜଣଙ୍କୁ । ଆଉ ଝିଅ କ’ଣ କହିବ । ଯେଉଁ ପ୍ରତାପଶାଳୀ ରାଜନୈତିକ ଜଣଙ୍କ ଅନ୍ୟ ଝିଅକୁ ନ୍ୟାୟ ଦେବାକୁ ଯାଇ ସାକ୍ଷୀ ହେଲା ବୋଲି ଏଭଳି ଅବସ୍ଥା କଲା ଯଦି ମୋ ଝିଅ ତା ନା କହିବ ତେବେ ସେ କ’ଣ ବôବାକୁ ଦେବ ତାକୁ ।ହଠାତ୍ ମନରେ ଆଶା ସଂଚାର ହେଲା । ଝିଅର ଚିକିତ୍ସା ପାଇଁ ଏ ଯେଉଁ ଚିକିତ୍ସା ଚାଲିଛି ଝିଅଭଲହେବାପାଇଁ ନା ତାକୁ ଆସ୍ତେ ଆସ୍ତେ ମାରିଦେବା ପାଇଁ । ଏହା ଆଉ ଏକ ଚକ୍ରାନ୍ତ ନୁହେଁ ତ ।ହଠାତ୍ ଜଣେ ଅଫିସର ଆସି କହିଲେ ତମ ଝିଅ ସବୁଦିନ ପାଇଁ ଚାଲିଗଲା । ତା’ ଶବ ନେବାର ବନ୍ଦୋବସ୍ତ କର । ଆଉ ହାତରେ ଧରାଇଦେଲା ୧୦ଲକ୍ଷ ଟଙ୍କା ।ତା’ହେଲେ ଗୋଟିଏ ନାରୀର ଇଜ୍ଜତ ଜୀବନର ମୂଲ୍ୟ ସରକାରୀ ଭାଷାରେ ୧୦ଲକ୍ଷ ଟଙ୍କା ଉପରେ ଥାଇ ବେବିନାର ଆତ୍ମା ଅଟ୍ଟହାସ୍ୟ କରି ନିଶ୍ଚୟ କହୁଥିବ ମୋ ଭଳି ଗୋଟେ ଦଳିତ ନାବାଳିକାର ଇଜ୍ଜତ ଓ ଜୀବନର ମୂଲ୍ୟ ଯଦି ୧୦ଲକ୍ଷ୍ୟ ଟଙ୍କା ଏହା ପ୍ରତାପଶାଳୀ ରାଜନେତା ତମ ସ୍ତ୍ରୀ, ଝିଅର ଇଜ୍ଜର ମୂଲ୍ୟ କେତେ? ହେ ଆତ୍ମଘୋଷିତ ଶ୍ରେଷ୍ଠ ପ୍ରଶାସକ , ଏହା କ’ଣ ତମ ସ୍ବଚ୍ଛ ଶାସନ,ଏହା କ’ଣ ତମ ମା’କୁ ସମ୍ମାନ । ଧିକ୍ ପ୍ରଶାସନ, ଧିକ୍ ତମ ସୁରକ୍ଷା ବ୍ୟବସ୍ଥା, ଧିକ୍ ତମ ଶାସନ ବ୍ୟବସ୍ଥା । ଗୋଟିଏ ଦଳିତ ନାବାଳିକାକୁ ନ୍ୟାୟ ଦେଇପାରିଲ ନାହିଁ, ସେଥିରେ ପୁଣି ନମ୍ବର ୧ ମୁଖ୍ୟମନ୍ତ୍ରୀ?
⇔⦽⇔⦽⇔⦽⇔⦽⇔⦽- ୩ ⇔⦽⇔⦽⇔⦽⇔⦽⇔⦽-
ବ୍ଲକ୍ ଅଫିସରୁ ଶିକ୍ଷୟତ୍ରୀର ନିଯୁକ୍ତି ପତ୍ର ଖଣ୍ଡିକ ଧରି ଘରେ ପହଂଚିଲା ବେଳକୁ ମୁହଁ ସଞ୍ଜ । ଘରେ ଘରେ ଆଲୁଅ ଜଳିଲାଣି । ମା ବି ଘରର ଆଲୁଅ ଜଳାଇସାରିଛି । ଆଜି ଯେମିତି ଇତିଶ୍ରୀ ପାଇଁ ଥିଲା ଖୁସିର ଦିନ, ଆଲୋକର ଦିନ, ବିଜୟ ଉଲ୍ଲାସର ଦିନ । ଆଜିକାଲି ଚାକିରୀ ପାଇବା କେତେ କଷ୍ଟ, କିନ୍ତୁ ୫୦୦ଜଣ ଇରଭ୍ୟୁ ଦେଲେ ପାଇବେ ୫ଜଣ, ସେଥିରେ ପୁଣି ଧରାଧରି । ତା’ର ତ କେହି ନାହିଁ । ପରିବାର କହିଲେ ବୁଢ଼ୀ ମା ହିଁ ସବୁକିଛି । ଧରାଧରି କରିବ କିଏ ? ହାତଗୁଞ୍ଜା ଦେବାକୁ ବି ସକ୍ଷମ ନାହିଁ । ମା କେତେ କଷ୍ଟରେ ପାଠ ପଢ଼ାଇଛି, ଯାହା ହେଉ ପଛେ ଛୋଟ ଚାକିରୀ ନିଜର ଯୋଗ୍ୟତା ବଳରେ ପାଇଛି । ଏଥର ଆମର ଦୁଃଖ ଯିବ । ମୋ ମା ଆଉ କାନ୍ଦିବନି । ସେ ବି ଭଲ ପିନ୍ଧିବ, ନାଇଁବ । ତା’ ଇତିଶ୍ରୀ ପରା ବଂଚିଛି ।ଏଭଳି ଅନେକ ସ୍ବପ୍ନ ନେଇ ଜଏନ୍ କରିବା ପାଇଁ ସଦର ରାୟଗଡ଼ାର ଟିକିରି ଠାରେ ପହଂଚିଥିଲା ସେ ।ଛୋଟ ଏକ ବିଦ୍ୟାଳୟ । ସେହି ବିଦ୍ୟାଳୟର ସେ ଜଣେ ଶିକ୍ଷୟିତ୍ରୀ । ବିଦ୍ୟାଳୟର ପରିସର ଆଡେ଼ ଆ ଖି ବୁଲେଇ ଆଣିଲା ସେ । ଆଜି ତା’ର ଚାକିରୀର ପ୍ରଥମ ଦିନ । ନୂଆ ଜାଗା,ନୂଆ ମୁହଁ । ଆଜି ତାକୁ ମିଳିମିଶି ଏଠି ସମସ୍ତଙ୍କୁ ନିଜର କରି ଚଳିବାକୁ ପଡ଼ିବ । ବତର୍ମାନ ପରିବାର କହିଲେ ଏଇମାନେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ଷ୍ଟାପମାନେ । କିନ୍ତୁ ଏ କ’ଣ ବିଦ୍ୟାଳୟର ସବଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନା । ଏମିତି କଟମଟ କରି ଅନେଇଛି କାହିଁକି।ତା ଚାହାଣୀରେ ଯେମିତି ହିଂସ୍ରତା ଭରି ରହିଛି । ଇତିଶ୍ରୀକୁ ଜମାରୁ ଭଲ ଲାଗୁ ନଥିଲା । ଭାରି ଅଡ଼ୁଆ ଅଡ଼ୁଆ ଲାଗୁଛି । ବୋଧହୁଏ ପ୍ରଥମ ଦିନ ତ ତେଣୁ ଏମିତି ଲାଗୁଥିବ,ଆସ୍ତେ ଆସ୍ତେ ସବୁ ଠିକ୍ ହୋଇଯିବ କହି ପିଲାଙ୍କୁ ପାଠ ପଢ଼ାଇବାରେ ମନ ଦେଲା । ତା ଚିନ୍ତାଧାରା ଠିକ୍ ନଥିଲା । ଲୋକଟାର ବ୍ୟବହାର ଆସ୍ତେ ଆସ୍ତେ ଅତିଷ୍ଠ କରୁଛି ତାକୁ । ପ୍ରଥମେ କେବଳ ଅନାଉଥିଲା । ଆସ୍ତେ ଆସ୍ତେ ତାହା ଅଶ୍ଳୀଳ ଇଙ୍ଗିତରେ ପରିଣତ ହେଲାଣି । ଘରଠାରୁ ଏତେ ଦୂରରେଏହି ଅପରିଚିତ ଜାଗାରେ କିଭଳି ରହିବ ସେ ଚିନ୍ତା କରି ପାରୁନି । ମୁହଁ ଉଠାଇ ଜବାବ ଦେବକି ।କିନ୍ତୁ ଯଦି ଫଳ ଓଲଟା ହେବ, ଓଃ କ’ଣ କରିବ ସେ କିଛି ଚିନ୍ତା କରି ପାରୁ ନ ଥିଲା । ତା ମୁଣ୍ଡ ଭିତରେ କେହି ଜଣେ ଯେମିତି ପ୍ରହାର କରୁଛି । ସବୁ ଗୋଳମାଳିଆ ଦେଖାଯାଉଛି । ତାର ଚୁପ୍ ରହିବାକୁ ଦଣ୍ଡସେନା ସମ୍ମତି ଭାବିନେଇଛି । ଆଜି ତ ସବୁ ସୀମା ସରହଦକୁ ଡେଇଁ ଯାଇଛି ସମସ୍ତଙ୍କ ସାମ୍ନାରେ ସେ ଯେଉଁଭଳି ବ୍ୟବହାର କରିଛି ଭାବି ପାରୁ ନଥିଲା ସେ । ଅବଶ୍ୟ ସବୁଦିନ ଭଳି ଆଜି ସେ ଚୁପ୍ ରହିନି । ତା’ ଗାଲରେ ଶକ୍ତ ଚଟକଣାଟେ ବଜାଇ ଦେଇଛି । କିନ୍ତୁ ହିଂସ୍ର ବାଘ କ’ଣ ନିରିହ ମୃଗର ଶିଙ୍ଗରେ ଘାଇଲା ହେଲେ ବି ତା ଶିକାର ଛାଡ଼ିଦେବ । ସେ ତ ଅଧିକ ହିଂସ୍ର ହୋଇ ନିରିହ ମୃଗ ଉପରେ ଶିକାର କରିବ ହିଁ କରିବ । କୌରବର ସଭା ମଝିରେ ବିବସନା ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିବା ଛଡ଼ା ଆଉ କ’ଣ ବା କରି ପାରିବ । ସେଠି ତ ତା ସ୍ବାମୀମାନେ ଥିଲେ ତଥାପି ସେ ଥିଲା ନିଃସହାୟ, ଇତିଶ୍ରୀ ତ ଏଠି ଏକୁଟିଆ ତା’ ଡାକ କ’ଣ ଭଗବାନଙ୍କ ପାଖରେ ପହଂଚିବ ।ଅନ୍ଧାର ରାତିରେ ଛୋଟ ଆଲୋକ ଶିଖାଟିଏ ସକାଳର ସୂଚନା ଦେଲାଭଳି ହଠାତ୍ ଇତିଶ୍ରୀର ମୁହଁରେ ସାହସର ଛିଟା ଦେଖାଗଲା । ତା’ ହାତଟି ଟାଣି ହୋଇଗଲା ଟେବୁଲ ଉପରେ ଥୁଆ ହୋଇଥିବା କାଗଜ, କଲମ ପାଖକୁ । ତରତରରେ ସେ ସବୁ କଥା ଲେଖି ନ୍ୟାୟ ପାଇବା ଆଶାରେ ଦୌଡ଼ିଗଲା ଥାନାକୁ । ସାର୍ ଜଣେ ସ୍ତ୍ରୀ’ ଲୋକ ଆପଣଙ୍କ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆପଣଙ୍କ ନାଁ’ରେ ଯୌନ ନିର୍ଯାତନା ଦାୟର୍ କରିବାକୁ ଆମ ଥାନାରେ ଜିଦି କରି ବସିଛି । କ’ଣ କରିବି ସେପଟୁ କ’ଣ ଉତର ଆସିଲା ଶୁଣି ପାରିନି
![]() |
| https://www.youtube.com/watch?v=yyBgVXngnug |
ଭଲରେ ଚିହ୍ନିନ ତା’ର ବହୁତ ଲମ୍ବା ହାତ । ସେ ଯାହା ଚାହିଁବ ତାହାକରି ପାରିବ । ତମେ କ’ଣ ତାକୁ ପାରିବ । ଭାରାକ୍ରାନ୍ତ ମନରେ ଘରକୁ ଫେରୁ ଫେରୁ ବାଟରେ ଭାବିଲା ଏତେ ବାଟ ତ ଗଲିଣି ଯେଉଁ ଯୌନ ନିର୍ଯାତନା କମିଟି କରାଯାଇଛି ଯାଏ ସେଠି ଥରେ ଅଭିଯୋଗ କରେ, ଦେଖାଯାଉ କ’ଣ ହେଉଛି । ସମସ୍ତେ ତ ମିଛ ଭାବି ମୋ କଥାକୁ ଗୁରୁତ୍ୱଦେଉନାହାନ୍ତି । ଏହି କମିଟି ତ ତଦନ୍ତ କରିବ ଯାହା ହେଉ ତ ଲେଖିବ, ଦେଖାଯାଉ କ’ଣ ହେଉଛି । ଆଜି ଯୌନ ନିର୍ଯାତନା କମିଟି ବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଛି । ପୁଙ୍ଖାନୁ ୁଙ୍ଖ ଭାବରେତଦନ୍ତ । ଗୁଡ଼ାଇ ତୁଡ଼ାଇ ବିଭିନ୍ନ ପ୍ରକାର ପ୍ରଶ୍ନ । ଉର ଦେବାକୁ ଖରାପ ଲାଗୁଥିଲେ ବି ନିର୍ବିକାର ଭାବରେ ସମସ୍ତ ପ୍ରଶ୍ନର ଉତର ଦେଉଥିଲା ସେ । ଡରିବ କାହିଁକି । ଏହି ସମୟରେ ବିଦ୍ୟାଳୟରେ ପିଲାମାନଙ୍କ ପ୍ରାର୍ଥନା ସତ କହିବାକୁ କିଅାଁ ଡରିବି ସତ କହି ପଛେ ମଲେ ମରିବି କାନରେ ଯେମିତି ପିଟି ହୋଇଯାଉଥିଲା ।ଏହି କମିଟି ରିପୋର୍ଟରେ ସମସ୍ତ ଅଭିଯୋଗ ସତ ବୋଲି ପ୍ରମାଣିତ ହେଲା । ତା’ହେଲେ ସେ ନିଶ୍ଚୟ ଦଣ୍ଡ ପାଇବ । ଓଃ ମଣିଷ ଟିକେ ଶାନ୍ତିରେ ପିଲାଙ୍କୁ ପାଠ ପଢ଼ାଇ ପାରିବ । ଶାନ୍ତିରେ ବଂଚି ପାରିବ । ଜୀବନଟା ଅସହ୍ୟ କରିଦେଇଥିଲା ଦଣ୍ଡସେନା । ୨୨.୧୦.୧୩ରେ ତ ଅଡର଼୍ର ଆସିସାରିଛି । ଦଣ୍ଡସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳଙ୍କୁ ଆଦେଶ ମିଳିଛି । ଜିଲ୍ଲାପାଳ ମହୋଦୟ ଏବେ ଚୁପ ଚାପ ରହିବେନି, ନିଶ୍ଚୟ ସେ ପାଶାଣ୍ଡ ଦଣ୍ଡ ପାଇବ । ଆଉ ତା କଷ୍ଟରୁ ମୁଁ ମୁକ୍ତି ପାଇବି । ଦୀର୍ଘ ନିଶ୍ୱାସ ନେଲା ସେ ।ଆଲୋ ଶୁଣୁଛୁ ସେଠି ବସି କ’ଣ ଭାବୁଛୁ । ଆଜିକାଲି ଧର୍ମ ବୋଲି କିଛିନାହିଁ । ଏଠି ଦୁଇଟା ଆଇନ ଗୋଟେ ଗରିବ ପାଇଁ ଆଉ ଗୋଟେ ଧନୀ ପାଇଁ । ଖାଲି ଏ ଦେଶର ଆଇନ ଉପରେ ଭରସା ରଖି ବସିଥା ସେପେଟେ କ’ଣ ଯେ ଚକ୍ରାନ୍ତ ଚାଲିଛି ସେ ଭଗବାନ ଜାଣନ୍ତି । ଖାଲି ଏତେ ଲେଖାଲେଖି କରି ଲୋକହସା ଯାହା ହେଲୁ ସହକର୍ମୀର ଏଭଳି କଥା ଶୁଣି ଜଳ ଜଳ କରି ତାକୁ ଅନାଇଥାଏ ।

ଇତିଶ୍ରୀ କିଛି ବୁଝି ପାରୁ ନଥାଏ । ଜିଲ୍ଲାପାଳକୁ ତ ନିର୍ଦ୍ଦେଶ ଆସିଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ । ଆଉ ଏ କ’ଣ ଏମିତି କହୁଛନ୍ତି । ଆଲୋ ଏମିତି ଜଳ ଜଳ କରି ଏମିତି ଚାହିଁଛୁ କ’ଣ ସେ ଦଣ୍ଡସେନାର ପଦୋନ୍ନତି ହୋଇଛି ତା କାମର ଦଣ୍ଡ ହେଉଛି ତା’ର ପଦୋନ୍ନତି ବୁଝିଲୁ । ହଠାତ୍ ଆକାଶରୁ ଯେପରି ଖସି ପଡ଼ିଲା ଇତିଶ୍ରୀ । ତାକୁ ଲାଗୁଛି ଯେପରି ତାହା ଦେହରେ ଜୀବନ ନାହିଁ । ସୀତା ମା’ଙ୍କ ଅପବାଦ ସହି ନପାରି ବସୁଧା ଦୁଇଫାଳ ହୋଇଗଲା ପରି ଏବେ ଦୁଇଭାଗ ହୋଇଯାଆନ୍ତ କି । ତା ଭିତରେ ସେ ପଶିଯାଆନ୍ତା । କ’ଣ ସେ କରିବ, କାହାକୁ ଆଉ କହିବ । ଅଡର଼୍ର ବାହାରିବାର ୫ଦିନ ଭିତରେ ଯାହାକୁ କଠୋରରୁ କଠୋର ଦଣ୍ଡ ମିଳିବା କଥା ତାକୁ ପୁରସ୍କାର ସ୍ବରୂପ ପଦୋନ୍ନତି, ଏଭଳି ଏକ ସଞ୍ଜ ବେଳେ ଚାକିରୀ ନିଯୁକ୍ତି ପତ୍ର ଧରି କେତେ ଖୁସିରେ ଘରକୁ ଫେରି ନଥିଲା । ସେଦିନର ସଞ୍ଜ ଆଉ ଆଜିର ଏହି ସଞ୍ଜ, ଯେମିତି ଲାଗୁଛି କିଛି ଗୋଟେ ଅଘଟଣ ଘଟିବାକୁ ଯାଉଛି । ବାନ୍ଧବୀ ଜଣକ ତାକୁ ଶୁଣେଇ ଦେଇ କେତେବେଳୁ ଚାଲିଗଲାଣି ।
ମନହେଉଛି ଜୋରରେ ଚିକ୍ରାର କରି ବୁକୁ ଫଟେଇ କାନ୍ଦିବାକୁ, କିନ୍ତୁ କାନ୍ଦିଲେ ଶୁଣିବ କିଏ? ମା’ ପାଖରେ ଅଛି ଯେ ଲୁହ ପୋଛିଦେବ, ସାହସ ଦେବ । ତା’ କଥା ଆଜି ଭାରି ମନେପଡ଼ୁଛି । ବାହାରେ ଦୁଇ-ତିନିଜଣଙ୍କର ପାଟି ଶୁଣି ପ୍ରକୃତିସ୍ଥ ହେଲା ଇତିଶ୍ରୀ । ଘରକୁ ଅନାଇଲା । ଆରେ ବାବା ଏତେବେଳ ହେଲାଣି । ସେ ସେମିତି ବସିଛି । ରୋଷେଇ ବି କରିନି, ଖାଇବ କ’ଣ ? ହେଉ ଦେଖିବା ପାଣି ପିଇ ଶୋଇଯିବି । ଆଗ ଦେଖେ କିଏ ଡାକୁଛି । ହଠାତ୍ ପାଣି ଭଳି କିଛି ତରଳ ପଦାର୍ଥରେ ସେ ଭିଜିଗଲା । କିଏ ପକାଇଲା, କିରୋସିନର ବାସ୍ନା । କିଛି ଭାବିବା ପୂର୍ବରୁ ଜଳିଲା ଡିଆସିଲିଟିଏ ଆସି ପଡ଼ିଲା ତା’ ଉପରେ । ହୁତ୍ ହୁତ୍ ହୋଇ ଜଳୁଥିଲା ସେ, ଆଉ ଚିକ୍ରାର କରୁଥିଲା ବଂଚାଅ ବଂଚାଅ ।
ନଭେମ୍ବର ୧ତାରିଖରେ ଟିଭିରେ ସ୍କ୍ରୋଲିଂ ଦେଖାଗଲା ଚିକିତ୍ସା ଅବସ୍ଥାରେ ଇତିଶ୍ରୀ ମୃତ । ଧର୍ମଘଟ, ହୋହାଲ୍ଲା, ରାଜନୈତିକ ବୟାନବାଜି । ସବୁ ସରିଲା ପରେ ଏବେ ସି.ବି.ଆଇ. ତଦନ୍ତ ନିର୍ଦ୍ଦେଶ ଦେଲେ କ’ଣ ଇତିଶ୍ରୀ ବଂଚିଯିବ ନା ଆଉ ନ୍ୟାୟ ମିଳିବ । ହେ ଶ୍ରେଷ୍ଠ ପ୍ରଶାସକ, ଏହା କ’ଣ ତମ ସ୍ବଚ୍ଛ ଶାସନ, ଏହା କ’ଣ ତମ ମା’କୁ ସମ୍ମାନ, ଧିକ୍ ତମ ପ୍ରଶାସନ, ଧିକ ତମ ସୁରକ୍ଷା ବ୍ୟବସ୍ଥା, ଧିକ୍ ତମ ଶାସନ ବ୍ୟବସ୍ଥା । ଗୋଟିଏ ନିରୀହ ନାରୀକୁ ନ୍ୟାୟ ଦେଇପାରିଲ ନାହିଁ, ସେଥିରେ ପୁଣି ନଂ.୧ ମୁଖ୍ୟମନ୍ତ୍ରୀ । ଗଭୀର ରାତିରେ କଳାଚାଦର ଘୋଡ଼ି ହୋଇ ପବନରେ ଯେପରି କସ୍ତୁରି ଆତ୍ମାର ଏହି ପଦକ କଥା ବିଦ୍ୟାଳୟର ପାଚେରୀ ଭିତରେ ସମସ୍ତଙ୍କୁ ଶୁଣାଯାଉଥିଲା ।
⇔⦽⇔⦽⇔⦽⇔⦽⇔⦽ ୪ ⇔⦽⇔⦽⇔⦽⇔⦽⇔⦽⇔
କାଲି ଭଳି ଲାଗୁଛି ଏହା ଭିତରେ ପନ୍ଦରବର୍ଷ ବିତିଗଲାଣି । ଏଇ ଘରେ କୁଆଁ କୁଆଁର ରାବ ଶୁଭିଥିଲା । ଚାରିଆଡେ଼ ହାଲ୍ଲା ହୋଇଯାଇଥିଲା ଝିଅ ହୋଇଛି । ଶାଶୁ ଶୁଣେଇ ଶୁଣେଇ କହିଥିଲେ - ଝିଅଟେ ହୋଇଛି, କିନ୍ତୁ ମୋ ମନ ଖୁସିରେ ନାଚି ଯାଇଥିଲା । ହେଉ ପଛେ ଝିଅ, ତାକୁ ପାଠ ପଢ଼ାଇବି, ମଣିଷ କରିବି, ସେ ନିଶ୍ଚୟ ମୋ ନା ରଖିବ । ଝିଅଟି ଆସ୍ତେ ଆସ୍ତେ ବଡ଼ ହେଉଛି । ଭାରି ନଟଖଟ । ପାଠରେ ଯେମିତି ସାଠରେ ବି ସେମିତି । ଖେଳରେ ତାର ଭାରି ମନ । ସାର୍ କହୁଥିଲେ ତାକୁ ଯଦି ଖେଳରେ ପଠାଇବ ଟ୍ରେନିଂ ଦେବ ସେ ଖାଲି ତମ ନା କାହିଁକି ସାରା ଦେଶର ନା ରଖିବ । ସତରେ କ’ଣ ଏହା ସମ୍ଭବ ହେବ ।କସ୍ତୁରୀ ତା ନାଁ’ର ମହତ୍ୱ ରଖିବ । ମୁଁ ଗର୍ବରେ ମୁଣ୍ଡ ଉଠାଇ ଚାଲି ପାରିବି । ସବୁ ସେଇ ଭଗବାନଙ୍କ ଇଚ୍ଛା । କସ୍ତୁରୀର ବାପାଙ୍କର ଭାରି ରାଗ । ସେ ମୋ ଉପରେ ବିରକ୍ତ ହୋଇ ଆଜି ଝଗଡ଼ା କରିଛନ୍ତି । ଝିଅକୁ ଝିଅ ଭଳି ରଖ, ପୁଅ ବୋଲି ଭାବନି । ଆଜିକାଲି ବେଳ କାଳ ଯାହା ହେଲାଣି? ତାକୁ ଘର କାମ ଶିଖା । ସେ ଖେଳଫେଳ ଛାଡ଼ୁ, ଏମିତି କେତେ କ’ଣ ବକିଦେଇ ରାଗ ତମ ତମ ହୋଇ ନଖାଇ ଘରୁ ଚାଲିଯାଇଛନ୍ତି । ଯୁଗ ଯାଇ କେଉଁଠି ପହଂଚିଲାଣି । ଏମାନେ ବୁଝିବେ କେଉଁଠି । ଆରେ ଝିଅ ପରା ଚନ୍ଦ୍ରରେ ପହଂଚିଲାଣି, ଦେଶକୁ ଶାସନ କଲାଣି, ଆଉ ଏ ଡେରାବିଶ ବ୍ଲକ୍ର ଆଡ଼ ଗାଁ’ ଯେଉଁ ଅନ୍ଧାରକୁ ସେଇ ଅନ୍ଧାରରେ । ଏମାନଙ୍କୁ ଆଧୁନିକତାର ଆଲୋକ ଛୁଇଁ ପାରିନି । ଯେତେ ବୁଝାଇଲେ ବୁଝୁନାହାନ୍ତି, ଏମାନଙ୍କ ମତରେ ଝିଅ ଜନ୍ମ ହେଲା, ଟିକେ ବଡ଼ ହେଲେ ଦିଅ ବାହାକରି । ତା ପରେ ସେ ବି ଏମିତି ସକାଳୁ ସଞ୍ଜ ଯାଏଁ ତା’ର କାମ କରି କରି ତା ଜୀବନଟା ସାରିଦେଉ । ନା ମୁଁ ମୋ ଝିଅକୁ ଏତେ ଶୀଘ୍ର ବାହା କରିବିନି । ବୟସ ବା କେତେ ହୋଇଛି, ଏହି ୧୫ବର୍ଷ ତ ଚାଲିଛି । ଏଇ ଆମ ଗାଁ’ ରକୁଣୀ ଦେବୀ ହାଇସ୍କୁଲରେ ୧୦ମରେ ପଢ଼ୁଛି । ଏଇ ବୟସରେ ସେ ନଖେଳି ନ ବୁଲି ଜୀବନ କ’ଣ ନ ଜାଣିବା ପୂର୍ବରୁ ତାକୁ ବାହା କରି ତା’ ଜୀବନକୁ ଦୁର୍ବିସହ ହେବାକୁ ଦେବିନି । ଝିଅ ମୋର ନିଶ୍ଚୟ ପାଠ ପଢ଼ିବ । ସେ ମୋ ନାଁ’ ରଖିବ ।
-ଏ କ’ଣ ବୋଉ ତୁ କାନ୍ଦୁଛୁ । ବାପା କ’ଣ
ତତେ କହିଲେ କି ?
- ନା ସେ କିଛି ନୁହେଁ । ତୋ ବାପା ତ ସବୁଦିନେ ସେମିତି ସକାଳୁ ରାଗିକି ଯିବେ ଫେରିଲା ବେଳକୁ ସବୁ ଶାନ୍ତ । ହେଉ ଚାଲ ତତେ ଖାଇବାକୁ ଦେବି ।
- ନା ନା ତୁ ଆଗ ମୋ କଥା ଶୁଣ । ସାର କହିଛନ୍ତି ଆମ ବ୍ଲକ୍ରେ ଏକ ଖେଳ ପ୍ରତିଯୋଗିତା ହେବ, ବୁଝିଲୁ ଆମ ବ୍ଲକ୍ର ସବୁ ଗାଁ’ ସ୍କୁଲରୁ ଯେଉଁମାନେ ଭଲ ଖେଳନ୍ତି ସେମାନେ ସେଥିରେ ଭାଗ ନେବେ । ଆଉ ସେମାନଙ୍କ ଭିତରେ ଯେଉଁମାନେ ଭଲ ଖେଳିବେ ସେମାନେ ଜିଲ୍ଲା ପ୍ରତିଯୋଗିତା ଓ ତା’ପରେ ରାଜ୍ୟ ତା’ପରେ ଦେଶ ପାଇଁ ଖେଳିବେ ବୁଝିଲୁ ? ମୁଁ ଆମ ଗାଁ’ରୁ ଚୟନ ହୋଇଛି । ତୁ ହଁ କଲେ ଯାଇ ସାରର୍ଙ୍କୁକହିଲେ ସେ ମତେ ବ୍ଲକ୍କୁ ସାଙ୍ଗରେ ନେଇଯିବେ । ତୁ ହଁ କରିବୁ ନା ?
ଏକ ନିଶ୍ୱାସରେ କସ୍ତୁରୀ କହି ପକାଇଲା ।
- ଆରେ ରହ ରହ । ଗାଁ’ରେ ଖେଳୁଛୁ ବୋଲି ତୋ ବାପାର କେତେ ରାଗ, ଆଉ ତୁ ବ୍ଲକ୍ ଯିବୁ କେମିତି ? ବାପା ରାଜି ହେବନି ତତେ ଏକୁଟିଆ ଛାଡ଼ିବା ପାଇଁ ।- ଆଲୋ ବୋଉ ମୁଁ କ’ଣ ଏକୁଟିଆ ଯାଉଛି ? ମୋ ସାଙ୍ଗରେ ପରା ଆହୁରି କେତେ ଝିଅ ଯାଉଛନ୍ତି, ତୁ ବାପାକୁ ବୁଝେଇବୁ ନା । ଗାଁ’ରେ ଯେତେ ଭଲ ଖେଳିଲେ କ’ଣ ହେବ ଯଦି ବ୍ଲକ୍କୁ ନଯିବି ତେବେ ମତେ ଚିହ୍ନିବ କିଏ ନା ଜାଣିବ କିଏ ? ତୁ କ’ଣ ଜାଣିନୁ ଗାଁ’ କନିଆ ପରା ସିଙ୍ଗାଣୀ ନାକି । ଏ ବୋଉ ତୁ ରାଜି ହେଇଯା ନହେଲେ ମୁଁ ଖାଇବିନି ।
ଝିଅର ଅଳି ଆଗରେ ହାର ମାନିଥିଲା ସେ । ମାତୃ ହୃଦୟ ତା’ର ତରଳି ଯାଇଥିଲା । କସ୍ତୁରି ବି ତ କିଛି ଖରାପକଥା କହୁନି । ଆଜିକାଲିର ପିଲାମାନେ କେତେ ପିକ୍ନିକ୍, ଭୋଜି, ଭାତ କରିବା ପାଇଁ ଅଳି କରୁଛନ୍ତି, କିନ୍ତୁ କସ୍ତୁରି ଖେଳିବାକୁ ଯିବା ପାଇଁ ଜିଦ୍ କରୁଛି । କିଏ ଜାଣେ ଏ ଖେଳ ତାକୁ ସାରା ଦେଶରେ ପରିଚୟ ଆଣି ଦେବନି । ଗୋଟେ ଦିନ କଥା ତ । ୨୨ତାରିଖରେ ଯିବ ୨୩ରେ ଫେରିକି ଆସିବ । ତା’ ବାପା କେମିତି ଜାଣିବ, ବେଳକାଳ ଦେଖି ତାଙ୍କୁ ବୁଝେଇ ଦେବିନି । ବେଶୀ ବାଟ ବି ଯାଉନି । ରାଜେନ୍ଦ୍ର ନାରାୟଣ ହାଇସ୍କୁଲ କେତେ ଲୋକ ଯିବାଆସିବା କରୁଛନ୍ତି । ତାଙ୍କଠୁ ଖବର ବୁଝିଦେବିନି । ଯଦି ମୋ କସ୍ତୁରୀ ବ୍ଲକ୍ରେ ହେଉଥିବା ଖେଳ ପ୍ରତିଯୋଗିତାରେ ଜିଲ୍ଲା ପ୍ରତିଯୋଗିତା ପାଇଁ ମନୋନୀତ ହେବ ଗାଁ’ର ବିଦ୍ୟାଳୟର ନା ରଖିବ, ସମସ୍ତେ ସାବାସ କସ୍ତୁରି କହିଲେ ତା ବାପା ଆପେ ଖୁସି ହୋଇଯିବନି । ଆଉ କ’ଣ ମୋ ଉପରେ ରାଗି ପାରିବେ । ଦାଣ୍ଡରେ ଛାତି ଫୁଲେଇ ଚାଲି କହିବେ ମୁଁ ହେଉଛି କସ୍ତୁରିର ବାପା । ସେ ସିନା ଉପରେ ରାଗନ୍ତି କିନ୍ତୁ କସ୍ତୁରିକୁ ବହୁତ ଭଲ ପାଆନ୍ତି ଯେ ।
ଆଜି ମନଟା କାହିଁକି କେଜାଣି ଭଲ ଲାଗୁନି । କୌଣସି କାମରେ ଜମା ମନ ଲାଗୁନି । ସକାଳୁ କସ୍ତୁରି ସାରର୍ଙ୍କ ସାଙ୍ଗରେ ଖେଳିବାକୁ ଯାଇଛି, ତାକୁ ପାଖରୁ କେବେ ଛାଡ଼ି ନଥିଲି । ପ୍ରଥମ ଥର ପାଇଁ ଏତେ ବାଟ ଯାଇଛି, ନହେଲେ ସ୍କୁଲ ଆଉ ଘର ସେଥି ପାଇଁ ବୋଧହୁଏ ଏମିତି ଲାଗୁଛି । ନା ମୋ ଝିଅର କିଛି ଅସୁବିଧା ହୋଇଛି । ହେ ଠାକୁର ତାକୁ ସାହା ହୋଇଥିବ । ମୋ ଝିଅ ଦେହରେ ଯେମିତି କଂଟା ନ ବାଜୁ, ତାକୁ ଘଂଟ ଘୋଡ଼ାଇ ରଖିଥିବ ପ୍ରଭୁ । ଭଲରେ ଲରେ ଫେରିଆସୁ । ତା ନା ରଖିବା ସହିତ ବିଦ୍ୟାଳୟ, ଗାଁ’, ରାଜ୍ୟ, ଦେଶର ନା ରଖୁ ।
ପୁଣିଥରେ ଛାତିରେ ଛନକା ପଶିଲା ।ଏତେବେଳ ଯାଏଁ ତା ବାପାକୁ ଏକଥା କହିନି ।
କହିଥିଲେ କ’ଣ ସେ ଛାଡ଼ିଥାନ୍ତା । କସ୍ତୁରି ଗଲା ବେଳକୁ ସେ ବିଲକୁ ଯାଇଥିଲା, କିଛି ଜାଣିନି । ହେଉ ଫେରୁ ସେତେବେଳକୁ କ’ଣ ଗୋଟେ କହିଦେବିନି । ସକାଳ ଯାଇ ସଞ୍ଜ ହେଲା, କାଲି ସକାଳକୁ ଫେରିଆସିବ । ରାତିକ କଥା ତ? ମନକୁ ଯେତେ ବୁଝେଇଲେ ବି ବୁଝେଇହେଉନି । ଠାକୁରଙ୍କ ପାଖରେ ସଞ୍ଜ ଦେଇ କସ୍ତୁରିର ଶୁଭ ମନାସୀ କେତେ କ’ଣ ଗପିଗଲା ସେ । ରୋଷେଇରେ ମନ ଲାଗୁନି । ସକାଳର ଯାହା ଅଛି ଗରମ କରି ତା ବାପାକୁ ଦେଇଦେବ । ମୋ ଝିଅ ସେଠି ଖାଇଥିବ କି ନାହିଁ । ଆଉ ମୁଁ ଏଠି ଖାଉଛି । ମୋ ପେଟକୁ ଭାତ ଯିବ କେମିତି । କେମିତି ରାତି ପାହିବ ସକାଳ ହେବ । ମୋ ଝିଅ ଫେରିଆସିବ । ସେ ଆସିଲେ ଯାଇ ମୋ ଦେହରେ ଜୀବନ ପଶିବ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ବାରି ଦୁଆରଟିକୁ ବନ୍ଦ କଲା ସେ ।
କହିଥିଲେ କ’ଣ ସେ ଛାଡ଼ିଥାନ୍ତା । କସ୍ତୁରି ଗଲା ବେଳକୁ ସେ ବିଲକୁ ଯାଇଥିଲା, କିଛି ଜାଣିନି । ହେଉ ଫେରୁ ସେତେବେଳକୁ କ’ଣ ଗୋଟେ କହିଦେବିନି । ସକାଳ ଯାଇ ସଞ୍ଜ ହେଲା, କାଲି ସକାଳକୁ ଫେରିଆସିବ । ରାତିକ କଥା ତ? ମନକୁ ଯେତେ ବୁଝେଇଲେ ବି ବୁଝେଇହେଉନି । ଠାକୁରଙ୍କ ପାଖରେ ସଞ୍ଜ ଦେଇ କସ୍ତୁରିର ଶୁଭ ମନାସୀ କେତେ କ’ଣ ଗପିଗଲା ସେ । ରୋଷେଇରେ ମନ ଲାଗୁନି । ସକାଳର ଯାହା ଅଛି ଗରମ କରି ତା ବାପାକୁ ଦେଇଦେବ । ମୋ ଝିଅ ସେଠି ଖାଇଥିବ କି ନାହିଁ । ଆଉ ମୁଁ ଏଠି ଖାଉଛି । ମୋ ପେଟକୁ ଭାତ ଯିବ କେମିତି । କେମିତି ରାତି ପାହିବ ସକାଳ ହେବ । ମୋ ଝିଅ ଫେରିଆସିବ । ସେ ଆସିଲେ ଯାଇ ମୋ ଦେହରେ ଜୀବନ ପଶିବ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ବାରି ଦୁଆରଟିକୁ ବନ୍ଦ କଲା ସେ ।
ସକାଳୁ ଉଠି ତରବରରେ ଗୋଟିଏ ପରେ ଗୋଟିଏ ବାସି କାମ ସାରିବାକୁ ଲାଗିଲା ସେ ।ଆଉ ଟିକେ ପରେ ମୋ କସ୍ତୁରୀ ଆସିଯିବ । ଜମା କାମ କରେଇ ଦବନି । ଖାଲି ଗପିବ । କାଲି ଘରୁ ଗଲାଠାରୁ ଆଜି ଘରେ ପହଂଚିଲା ପର୍ଯ୍ୟନ୍ତ ଗୋଟି ଗୋଟି କରି ସବୁ ନ କହିଲା ଯାଏଁ ତା’ ମନ ଶାନ୍ତି ହେବନି । ଭାରି ଗପୁଡ଼ି । ଯଦି ତା କଥା ଶୁଣୁ ଶୁଣୁ ଟିକେ ଅନ୍ୟମନସ୍କ ହୋଇଯିବି ବା ଅନ୍ୟ କାମରେ ମନ ଦେବି ସଂଗେ ସଂଗେ ଅଭିମାନ କରି କହିବ, ତୋ’ର ସମସ୍ତଙ୍କ ପଇଁ ସମୟ ଅଛି ମୋ ପାଇଁ ନାହିଁ । ତୋ ସହିତ କଟି ଆଉ କଥା କହିବିନି । ମୁହଁଟାକୁ ହାଣ୍ଡି ଭଳି ଫୁଲେଇ ବସିବ । ମୋତେ ଯେ ତା କଥା ଶୁଣିବାକୁ ଭଲ ଲାଗେନି ସେ କଥା ନୁହେଁ ଭାରି ଭଲଲାଗେ । ଏଇ ପରା ଗୋଟିଏ ଦିନ ତା ବକର ବକର ଶୁଣିନି ବୋଲି ମୋ ଭାତ ହଜମ ହୋଇନି । କୋଉ କାମରେ ମନ ଲାଗୁନି । ସତେ ଯେମିତି କ’ଣ ଗୋଟେ ହଜେଇ ଦେଇଛି । ହେଇ ତ ମୋ ମା ଆସିଲାଣି, କିନ୍ତୁ ମୁହଁଟା ଶୁଖିଲା ଭଳି ଦେଖା ଯାଉଛି, ହସ ନାହିଁ । ନା ବୋଧହୁଏ ଦୂରରେ ଅଛି ସେଥି ।ଇଁ ସେଭଳି ମତେ ଲାଗୁଛି, ପାଖକୁ ଆସିଲେ ଜଣା ପଡ଼ିବନି ।
| KASTURI TOPIC |
କେତେ ସ୍ବପ୍ନ ଦେଖିଥିଲି । ତା ବାପା ଛାତି ଫୁଲେଇ ତ ଚାଲିବା ଛାଡ଼ ମୁହଁ ଟେକି ବି ଚାଲି ପାରିବନି । ତାକୁ ଦେଖି ସମସ୍ତେ ତାତ୍ସଲ୍ୟ କରି କହିବେ ଏ ଦେଖ ଯେଉଁ ଝିଅଟା ଖେଳ ସାରଙ୍କ ଦ୍ୱାରା ଧର୍ଷଣର ଶିକାର ହୋଇ ନ ଥିଲା ତା ବାପା ଆଉ ଆର ଝିଅ କୁଆଡେ଼ ଦେଶର ନା ରଖିଥାନ୍ତା । ଚକୋର ହୋଇ ଚାନ୍ଦକୁ ହାତ ବଢେ଼ଇଥିଲା ଏଥର ଫଳ ପା କ’ଣ କରିବ ସେ ଗୋଟେପଟେ କସ୍ତୁରୀ କ’ଣ ଗୋଟେ
ପଟେ ଏ ସମାଜ ଯାହାର କାମ ହେଲା ଖାଲି କହିବା, ସମାଲୋଚନା କରିବା । କିନ୍ତୁ ଯଦି କାହାକୁ କିଛି ନ କହିବି ତେବେ ଦୋଷୀ ଦଣ୍ଡ ପାଇବ କେମିତି । ଆଜି ମୋ ଝିଅର ଏ ଅବସ୍ଥା ପାଇଁ ଯିଏ ଦାୟି ସେ ତ ଜଣେ ଖେଳ ଶିକ୍ଷକ, ତାକୁ ଯଦି ଦଣ୍ଡ ଦିଆ ନଯିବ ତେବେ କେତେଜଣ ଆହୁରି କେତେଜଣ ଝିଅଙ୍କ ଦେହ ସହିତ ନ ଖେଳିବେ ତା’ କିଏ କହିବ । ଆଗରୁ ଯେ ଏଭଳି ଘୃଣ୍ୟ କର୍ମ ସେ ନକରିଥିବ । ଏକଥା ବି କିଏ କହିବ । ନା, ଯାହା ହେଉ ଦୋଷୀ ଦଣ୍ଡ ପାଇବା ଦରକାର । ରାତି ସାରା ମୋ ଆଖିରେ ନିଦ ନାହିଁ । କସ୍ତୁରି ବି ଶୋଇନି ଖାଲି କାନ୍ଦୁଛି । କାଲିଠୁ ବିଚାରି ଖାଇନି ବି, ନିଜେ ତ ନିଜକୁ ସାନ୍ତ୍ୱନା ଦେଇପାରୁନି ପରିସ୍ଥିତିକୁ କିଭଳି ସାମ୍ନା କରିବି ଭାବିହେଉନି । ଥଳକୁଳ ପାଉନି । କାହାକୁ ଏକଥା କହିବି, ତା’ ବାପା ପାଖରେ ପାଟି ଖନି ବାଜିଯାଉଛି, ଯେତେ ଚେଷ୍ଟା କଲେ ବି କହି ।ରିନି । ଏହି ସମୟରେ କାହା ବାନ୍ତି ଶବ୍ଦରେ ଚମକି ଉଠିଲା, ସେ ଏହି ଶବ୍ଦ ତ କସ୍ତୁରୀ ଶୋଇଥିବା ବଖରାରୁ ଆସୁଛି । କାଳବିଳମ୍ବନ ନକରି ଦୌଡ଼ିଲା ସେ ।
ଏ କ’ଣ କସ୍ତୁରୀ ଏତେ ଜୋରରେ ବାନ୍ତି କାହିଁକି କରୁଛି । ସେ ଜୋରରେ ଚିକ୍ରାର କରିଉଠିଲା । ପିଲାଟି ବାନ୍ତି କରି କରି ସଂଜ୍ଞାହୀନ ହୋଇଗଲାଣି । ସାଇପଡ଼ିଶା, ତା ବାପା ସମସ୍ତେ ଦୌଡ଼ିଆସିଲେ । ଟେକାଟେକି କରି ମେଡ଼ିକାଲ ନେଲେ । କିନ୍ତୁ ସେତେ ବେଳକୁ ସବୁ ଶେଷ ହୋଇଯାଇଥାଏ । କସ୍ତୁରୀ ସବୁଦିନ ପାଇଁ ଶୋଇ ଯାଇଥାଏ । ଦୁଇଦିନ ହେଲା ଶୋଇ ନଥିଲା ଯେ । ମୋ ବାହୁନା ଭିତରେ ଗାଁ’ଲୋକ ଯେ ସବୁ ଜାଣିସାରିଥିଲେ । ସତ କ’ଣ ଜାଣିବା ପାଇଁ ସେମାନେ ପୋଷ୍ଟମଟମ କରିବା ପାଇଁ ଦାବୀ କଲେ । ଡାକ୍ତର ନିହାର ରଞ୍ଜନ ପ୍ରହରାଜ ପୋଷ୍ଟମଟମ କରିବା ପାଇଁ ରାଜିହୋଇ ନିଜକୁ ପ୍ରସ୍ତୁତ କରୁଥିବା ସମୟରେ ଏକ ଫୋନ ଆସେ, ଆଉ ସେ ମନା କରିଦିଅନ୍ତି । ଫଳରେ କେନ୍ଦ୍ରାପଡ଼ାରେ ଚାଲେ ଆନ୍ଦୋଳନ, ଧର୍ମଘଟ । ଦୋଷୀକୁ ଦଣ୍ଡ ଦେବାପାଇଁ ଶେଷରେ ଚାପରେ ପଡ଼ି କସ୍ତୁରୀର ଶରୀରକୁ ନିଆଯାଏ କଟକ, କିନ୍ତୁ ରିପୋର୍ଟ ଆସେ କ’ଣ କସ୍ତୁରୀର ମୃତୁ୍ୟ ସ୍ବାଭାବିକ ମୃତୁ୍ୟ ଅଟେ । ଯେଉଁଦିନ କସ୍ତୁରିକୁ ଖେଳିବାକୁ ପଠାଇଲି ସେଇଦିନୁ ମୁଁ ଆଉ ଶାନ୍ତିରେ ଶୋଇପାରୁନି, ଖାଇପାରୁନି । ଝିଅକୁ ହରାଇବାର ଦୁଃଖ ଯେତେ ମୋତେ ଦିନରେ କଷ୍ଟ ଦେଉଛି, ରାତିରେ ସ୍ବପ୍ନରେ କସ୍ତୁରୀର ଆତ୍ମାର ଆକୁଳ ନିବେଦନ ମତେ ଯେପରି ପାଗଳ କରିଦେଉଛି । ବାହୁନି ବାହୁନି ସେ ତାତ୍ସଲ୍ୟ କରି କହୁଛି, ହେ ଶ୍ରେଷ୍ଠ ପ୍ରଶାସକ, ଏହା କ’ଣ ତମ ସ୍ବଚ୍ଛ ଶାସନ, ଏହା କ’ଣ ତମ ମା’କୁ ସମ୍ମାନ, ଧିକ୍ ତମ ପ୍ରଶାସନ, ଧିକ୍ ତମ ସୁରକ୍ଷା ବ୍ୟବସ୍ଥା, ଧିକ୍ ତମ ଶାସନ ବ୍ୟବସ୍ଥା, ଗୋଟିଏ ଦଳିତ ନାବାଳିକାକୁ ନ୍ୟାୟ ଦେଇପାରିଲ ନାହିଁ, ସେଥିରେ ପୁଣି ତୁମେ ରାଜ୍ୟର ନଂ.୧ ମୁଖ୍ୟମନ୍ତ୍ରୀ । ସମସ୍ତେ ମିଶି ମତେ ନ୍ୟାୟ ଦେଇପାରିଲନି । ହାରିଗଲ ଅନ୍ୟାୟୀ ଅତ୍ୟାଚାରୀ ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତି ପାଖରେ । ଜାନୁଆରୀ ୮ତାରିଖ ୨୦୧୮ରୁ କି ତଦନ୍ତ ଚାଲିଛି ଯେ ସେ ଆଜି ପର୍ଯ୍ୟନ୍ତ ସରିବାର ନା ଧରୁନି । ଏଠି ସବୁ ପ୍ରହସନ, ସବୁ ନାଟକ ସବୁ ଏଠି ପ୍ରହେଳିକା ।
⇔⦽⇔⦽⇔⦽⇔⦽⇔⦽-- ୫ -⇔⦽⇔⦽⇔⦽⇔⦽⇔⦽-
ବଲାଙ୍ଗୀର ଗାଁ’ର ସରଗାପଲ୍ଲୀର ରାସ୍ତାରେ ଶୁଭୁଛି ମଦଦୋକାନ ଖୋଲିବା ଏଠି ଚଳିବ ନାଇଁ । ଆମ ଦାବୀ ନାର୍ଯ୍ୟ ଦାବୀ ସରକାର ତୁମେ ମାନିନିଅ । ଯଦି ନ ମାନିବ ଆଗାମୀ ଦିନରେ ଲଢେ଼ଇ ହେବ । ମହିଳାମାନେ ଆଇନ ହାତକୁ ନେବେ । ମଦ ଦୋକାନ ଭାଙ୍ଗିବେ । ଏଭଳି କେତେ କ’ଣ । ଆଉ ସ୍ଲୋଗାନରେ ସ୍ବର ମିଶେଇଥାନ୍ତି ଗାଁ’ର ମହିଳାମାନେ । ସମସ୍ତଙ୍କ ମନରେ ଭରି ରହିଥାଏ ମଦ ପ୍ରତି ଘୃଣା । ମଦ ଦୋକାନ ପ୍ରତି ଆକ୍ରୋଶ । ସମସ୍ତେ ଜଣେ ଜଣେ ସୈନିକ ସାଜିଥାନ୍ତି ଯେପରି ଆଉ ସେମାନଙ୍କ ମୁଖିଆ ହୋଇ ଝାନସୀ ରାଣୀ ଲକ୍ଷ୍ମୀବାଇର ରୂପ ଧରି ସଭା ଆଗରେ ଠିଆ ହୋଇ ନେତୃତ୍ୱ ନେଉଥାଏ ଜଣେ ଅଳ୍ପ ବୟସ୍କ ଝିଅ ସ୍ନେହଲତା, ହଁ ସ୍ନେହଲତା ଛତ୍ରିଆ । ଏହି ମଦ ହିଁ ସବୁ ଝଗଡ଼ାର ମୁଳ ମଞ୍ଜି । ଏହି ମଦ ପାଇଁ ସେମାନଙ୍କ ଜୀବନ ଛାରଖାର ହୋଇଗଲାଣି । ଯେତେ ରୋଜଗାର କଲେ ଅଂଟୁନି । ରାସ୍ତାଘାଟରେ ଝିଅ, ବୋହୂମାନେ ଏକୁଟିଆ ଚାଲି ପାରୁ ନାହାନ୍ତି । ମଦ ପାଇଁ ପ୍ରତି ରାତିରେ ମରଦଠୁ ମାଡ଼ ଖାଇବାକୁ ପଡ଼ୁଛି । ଦିନରେ ହାତଭଙ୍ଗା ପରିଶ୍ରମ କରି ଯାହା ମଜୁରି ଆଣିବୁ ଆଉ ସନ୍ଧ୍ୟା ହେଲେ ମରଦଠୁ ମାଡ଼ ଖାଇ ସେଇ ସବୁକୁ ଦେଇଦେବୁ । ପିଲାମାନେ ଉପାସ, ଆଉ େସ ମରଦ ବୋଲି ଭାଟିକୁ ଯାଇ ମଦ ପିଇ ଶୋଇବ । ଏ ମଦ ଦୋକାନ ଉଠେଇ ଦବାକୁ, ଭାଟି ବନ୍ଦ କରିବାକୁ ଥାନାକୁ ଦୌଡ଼ି ଦୌଡ଼ି ହାଲିଆ ହେଲୁଣି । ଥାନାବାବୁ ସେ ମଦବେପାରିଠୁ ବଟି ନେଇ ଚୁପ । ନା ଆଉ ସହି ହେବନି କିଛି ତ କରିବାକୁ ପଡ଼ିବ । ସବୁ ମହିଳା ଏକଥା କୁହାକୁହି ହୋଇ ଚାଲିଲେ| Remarks Of Anil Kumar Mallick About Release to ATRUPTA ATMARA ARTANADA |
ଏମାନଙ୍କୁ ଯିଏ ଶିଖେଇ ମତେଇ ଆମ ବିରୁଦ୍ଧରେ ଠିଆ କରୁଛି ତାକୁ ରାସ୍ତାରୁ ହଟାଇ ଦେଲେ କଥା ସରେ ।ଝିଅଟି ଦେଖିବାକୁ ସୁନ୍ଦର । ଗୋଟିଏ ଗୁଳିରେ ଦୁଇଟା ଶିକାର ହେବ । ନା କ’ଣ । ସମସ୍ତଙ୍କ ମୁଖମଣ୍ଡଳରେ ଫୁଟିଉଠିଲା ହସର ରେଖା ।
୨୨.୫.୧୫ରିଖ ସକାଳୁ ଉଠି ଗାଧୋଇବାକୁ ବାହାରିଲା ସ୍ନେହଲତା । ସବୁଦିନ ଭଳି
ସେଦିନ ବି ଯାଇଥିଲା ପାହାଡ଼ ପାଖକୁ । ଏହି ପାହାଡ଼ରୁ ବାହାରିଥିବା ଝରଣା ତା’ର ଅତି ପରିଚିତ । ପ୍ରତିଦିନ ଏଠି ସେ ଗାଧାଏ । ଏ ବଣରେ ଲୁଚକାଳି ଖେଳେ । ଏଇ ପ୍ରକୃତି ସହିତ ସେ ନିଜ ମନକଥା ହୁଏ । ଏମାନେ ପରା ତା’ର ସାଙ୍ଗ । ଟିକେ ଡେରି ହେଲେ ପଚାରନ୍ତି । ସ୍ନେହଲତା ଆଜି କାହିଁକି ଡେରିହେଲା ଯେ । ଝରଣାର ପାଣିକୁ ହାତରେ ହଲାଇ ଦେଇ ତାକୁ ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତେ ଶୁଭିଲା କିଛି ବ୍ୟକ୍ତିଙ୍କର ଅଟ୍ଟହାସ୍ୟ । କାହାର ଏ ଶବ୍ଦ । ପଛକୁ ଅନାଇ ଦେଖେ ଚାରି-ପାଜଣ ବଳିଷ୍ଠ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଠିଆ ହୋଇଛନ୍ତି । ଆରେ ଏମାନଙ୍କୁ ତ କେଉଁଠି ଦେଖିଲା ଭଳି ଲାଗୁଛି । ହଁ ମନେପଡ଼ିଲା । ସେ ଯେଉଁ ମଦବେପାରୀ, ଏମାନେ ତା’ର ଚାମଚା । ତା କଥାରେ ଉଠବସ୍ ହୁଅନ୍ତି । ମାରଧର କରନ୍ତି । ଏମାନଙ୍କ ଡରରେ ତ ସେମାନଙ୍କୁ କେହି କିଛି କହନ୍ତିନି । ସମସ୍ତେ ଡରନ୍ତି । ତେବେ ଏମାନେ ଏଠି କାହିଁକି ? ମନ ଭିତରେ ପାପ ଛୁଇଁଲା । ଘଟଣା କ’ଣ ବୁଝିବାକୁ ବାକି ନଥିଲା ସ୍ନେହଲତାର । ସେ ଏକ ନିଶ୍ୱାସରେ ଦୌଡ଼ିବାକୁ ଆରମ୍ଭ କଲା, ଦୌଡ଼ିଲା ବି । କିନ୍ତୁ ଶିକାର ଚାରି ଦିଗରୁ ଶିକାରକୁ ଧରିବା ପାଇଁ ଫାଶ ବସେଇବା ପରି ଏମାନେ ବି ସବୁ ପ୍ରସ୍ତୁତ କରିସାରିଥିଲେ । ଯେଉଁ ଦିଗକୁ ଦୌଡ଼ିଲେ ବି ସବୁ ଯାଗାରେ ଆବିଷ୍କାର କଲା ଶିକାରୀର ଜାଲ ଭିତରେ । ପାରିଲାନି, ଶେଷରେ ଛନ୍ଦି ହୋଇଗଲା ଏମାନଙ୍କ ଜାଲରେ । ଯେଉଁ ଜଙ୍ଗଲର କୋଣ ଅନୁକୋଣ ସହିତ ସେ ପରିଚିତ, ସେ ଜଙ୍ଗଲ ସତେ ଯେପରି ଆଜି ହାତ ଛାଡ଼ି ଦେଇଥିଲା । ତାକୁ ଲୁଚାଇବା ପାଇଁ ଜାଗାଟେ ଦେଇ ପାରିଲାନି । ଜଙ୍ଗଲ ମା’ର ପଣତ ଆଜି ଯେମିତି ତା’ପାଇଁ ପର୍ଯ୍ୟାପ୍ତ ନଥିଲା ।
| Atrupta Atma ra Artanada " SNEHALATA CHHURIYA" |
କ’ଣ କହୁଥିଲୁ ତୁ ମଦ ଦୋକାନ ହଟେଇ ଦେବୁ । ଆମକୁ ବରବାଦ କରିଦେବୁ । ଦେଖେ ଆଜି ଆମେ ତତେ କେମିତି ବରବାଦ କରୁଛୁ, କହି ଜଣଙ୍କ ପରେ ଜଣେ ଜବରଦସ୍ତ ସ୍ନେହଲତାକୁ ଉପଭୋଗ କରିଚାଲୁଥିଲେ । ଆଉ ଯନ୍ତ୍ରଣାରେ ଚିକ୍ରାର କରିଉଠୁଥିଲା ସେ । ଯେତେ ଯୋରରେ ସେ ଚିକ୍ରାର କରୁଥିଲା ସେତେ ଅଧିକ ଆତ୍ମତୃପ୍ତି ଲାଭ କରୁଥିଲେ ଏହି ମଣିଷରୂ ି ଦାନବମାନେ ।କାଲିଠୁ ଗାଁ’ରେ ଚହଳ ପଡ଼ିଯାଇଛି ସ୍ନେହ ଗାଧୋଇବାକୁ ଯାଇ ଘରକୁ ଫେରିନି । କ’ଣ ହୋଇଛି ତା’ର । ହେଇଯାଇଛି କି ବାଟବଣା । କେଉଁ ଜଙ୍ଗଲୀ ଜନ୍ତୁ ହାବୁଡ଼ରେ ପଡ଼ିଯାଇଛି କି ? ଏଭଳି ଅନେକ ଆଶା ଆଶଙ୍କା ଭିତରେ ଗାଁ’ଲୋକଙ୍କ ସହ ମିଶି ପରିବାର ଲୋକ ତା’ର ଖୋଜିବାରେ ବ୍ୟସ୍ତ ପୋଲିସରେ ବି ଏଫ୍.ଆଇ.ଆର୍. ଦେଇ ସାରିଲେଣି କିନ୍ତୁ ଫଳ ଶୂନ୍ୟ । ବା, ଉପରକୁ ଆସ, ତମ ସ୍ନେହ ପରା ଏଠି ପଡ଼ିଛି । ତାକୁ ମାରି ଏଇଠାରେ ପକାଇ ଦିଆଯାଇଛି । ତମେ ଅନ୍ୟଆଡେ଼ ଖୋଜିଲ ପାଇବ କେମିତି । ଯେମିତି ଏହି କଥା ଗୁଡ଼ା ତା କାନରେ କିଏ କହିଦେଉଥିଲା । ଗାଁ’ ଲୋକଙ୍କୁ ଧରି ଏକା ଖିଆଲରେ ମାଡ଼ି ଚାଲିଥିଲା ସେ । ଆରେ କୁଆଡେ଼ ଚାଲିଛୁ କାଲି ବା ଏହି ସବୁ ଜାଗା ଆମେ ଖୋଜିସାରିଛୁ । ଆଜି ପୁଣିଥରେ ଏଠିକି ଆସିଲେ ଲାଭ କ’ଣ । ସମୟ ବରବାଦ, ଚାଲ ଅନ୍ୟଆଡେ଼ ଖୋଜିବା । ଗାଁ’ ଭାଇମାନଙ୍କର ଏଭଳି କଥା କିନ୍ତୁ ତା କାନରେ ପଡ଼ୁ ନଥିଲା ।ହଠାତ୍ ସମସ୍ତେ ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଗଲେ । କ’ଣ ଏଠି ତ ଗୋଟେ କିଏ ମଣିଷ ପଡ଼ିଲା ଭଳି ଦିଶୁଛି । ଏକା ନିଶ୍ୱାସରେ ଦୌଡ଼ିଗଲା ତା ବାପା । ଆରେ ଏଠି ମୋ ସ୍ନେହ । ଅନେଇ ପାରିଲାନି ସେ । କି ବିଭତ୍ସ ଦୃଶ୍ୟ । ଦେହ ସାରା ଖଣ୍ଡିଆ ଖାବରା, କଟା ଦାଗ, କାମୁଡ଼ା ଚିହ୍ନ । ଆଉ ଦେଖି ପାରୁ ନ ଥିଲା ସେ । ଥାନା ବାବୁ ଆସି ପହଂଚି ସାରିଥିଲେ ରିପୋର୍ଟ ତିଆରି ହୋଇଥିଲା ଗଣ ବଳାକ୍ରାର କରି ମାରିଦିଆଯାଇଛି । ଯେଭଳି କେହି ଚିହ୍ନି ପାରିବେନି ତେଣୁ ଏମିତି ମୁହଁଟିକୁ ବିକୃତ କରିଦିଆଯାଇଛି । ମୁହଁକୁ ଯେତେ ବିକୃତ କଲେ ବାହାର ଲୋକ ସିନା ଚିହ୍ନି ପାରିବେନି ମୋ ବା କେମିତି ମତେ ଚିହ୍ନିବ ନାହିଁ ଯେ । ମୁଁ ପରା ତା’ର ଅଲିଅଳି ଝିଅ । ଗାଁ’ରେ ହାଲ୍ଲା ହୋଇଗଲା ସ୍ନେହଲତାକୁ ଧର୍ଷଣ କରି ମାରି ଦିଆଯାଇଛି । ଏହି କଥା ଶୁଣି ଗାଁ’ରେ ମହିଳାମାନେ ଆଉ ଥୟ ଧରି ରହି ପାରୁନାହାନ୍ତି । ଆମ ପାଇଁ କି ଜୀବନ ଦେଇଛି । ଆମକୁ ଜବତ କରିବା ପାଇଁ ଯାହାକୁ ମାରି ଦିଆଯାଇଛି ତାକୁ ନ୍ୟାୟ ମିଳିବା ଦରକାର । ଦୋଷୀକୁ ଦଣ୍ଡ ନମିଳିବା ଯାଏଁ ଆମେମାନେ ଶାନ୍ତିରେ ରହିବୁ ନାହିଁ ।୨୨ତାରିଖରୁ ୨୯ତାରିଖ ହେଲାଣି ସମସ୍ତେ ଜାଣିଛନ୍ତି ଦୋଷୀ କିଏ । ଆଉ ଏ ପୋଲିସ ତାକୁ ଧରୁନି କାହିଁକି । ସେ ବାହାରେ ଆରମରେ ନିଶକୁ ଫୁଲେଇ ବୁଲୁଛି । ଆଉ ପରୋକ୍ଷରେ ସମସ୍ତଙ୍କୁ ଧମକ ଦେଉଛି ଦେଖିଲ ତ ତମ ନେତାର ଅବସ୍ଥା, ଆମ ବିରୁଦ୍ଧରେ ଯିଏ ଯିବ ତା’ର ବି ଏ ଭଳି ଅବସ୍ଥା ହେବ ।
ଆସ୍ତେ ଆସ୍ତେ ଆଦିବାସୀ ମେଳି ବଡ଼ହେବାକୁ ଲାଗିଲା । ମାନବ ଅଧିକାର କର୍ମୀ, ସାମାଜିକ କର୍ମୀ ଆସି ପହଂଚିଲେଣି । ଆଗକୁ କଥାଟା ନ ବଢ଼ିବ କିଏ କହି ପାରିବ । କେତେବେଳେ ପୁଞ୍ଜିଭୁତ ଅସନ୍ତୋଷ ଜୋରରେ ଜଳି ନ ଉଠିବ କିଏ କହିବ । ବେଳ ଥାଉ ଥାଉ ଘଟଣାକୁ ଆୟତାଧିନ କର ।ସରକାରଙ୍କ ନିର୍ଦ୍ଦେଶ ପାଇ ଜିଲ୍ଲାପାଳ ମହୋଦୟ ସେଠାରେ ପହଂଚି କ୍ଷତି ପୂରଣ ବାବଦ ନିଜ ତରଫରୁ ୫୦୦୦ଟଙ୍କା ଧରାଇଦେଇ ବା କୁ କହିଲେ ପ୍ରଥମେ ଏହା ରଖ, ଶୁଦ୍ଧିଘର କାମ କର, ମୁଁ ତମର କ୍ଷତି ପୂରଣ ବ୍ୟବସ୍ଥା କରୁଛି । ତମକୁ କେନ୍ଦ୍ର ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କା ରେଡ଼କ୍ରସ ତରଫରୁ ୧୫ହଜାର ଟଙ୍କା, ଗ୍ରାମ ପଂଚାୟତ ତରଫରୁ ୨ହଜାର ଟଙ୍କା, ଏସ୍.ଟି./ଏସ୍.ସି. କମିଶନ ତରଫରୁ ୨,୮୧,୨୫୦ଟଙ୍କା ଦିଆଯିବ । କିନ୍ତୁ ଟଙ୍କା କ’ଣ ହେବ ? ଆମକୁ ନ୍ୟାୟ ଦରକାର ଦୋଷୀକୁ ଦଣ୍ଡ ମିଳିବା ଦରକାର । ଆଜ୍ଞା ଆମର ଅଛି ଯେସାକୁ ତେସା । ଦୋଷୀ ଦଣ୍ଡ ନ ପାଇଲା ଯାଏଁ ଆମେ ଚୁପ ଚାପ ବସି ପାରିବୁନି । ଚାଲକାଲି ଠୁ ଆରମ୍ଭ ହେବ ଆନ୍ଦୋଳନ । ୧୯.୬.୨୦୧୫ରେ ଆଦିବାସୀଙ୍କ ରାଲି, ଧର୍ମଘଟ,ବଲାଙ୍ଗୀରରୁ ଆରମ୍ଭ ହୋଇ ୨୫.୬.୨୦୧୫ରେ ଭୁବନେଶ୍ୱରର ବିଧାନସଭା ପାଖରେ ପହଂଚିଲା ।ଯେତେ ଟଙ୍କା ଦେଲେ ବି ଆଦିବାସୀମାନେ ଶାନ୍ତ ହେଉ ନଥିଲେ ଏବଂ ଉତେଜନା ସେମାନଙ୍କ ଭିତରେ ରହିଥିବାର ଅନୁଭବ କରି ଘଟଣାକୁ ଚପାଇବା ପାଇଁ ୩୦.୬.୨୦୧୫ରେ ଦୁଇଜଣ ଦୋଷୀକୁ ପୋଲିସ ଆରେଷ୍ଟ କରି କେସ୍ ରେଜିଷ୍ଟର କରିବାକୁ ବାଧ୍ୟ ହୋଇଥିଲା । ନିରିହ ଆଦିବାସୀମାନେ ଭାବିଲେ ପୋଲିସ ଯେତେବେଳେ ଗିରଫ କରିଛି ଦଣ୍ଡ ସେମାନେ ନିଶ୍ଚୟ ପାଇବେ । ଖୁସି ହୋଇଗଲେ ସେମାନେ । ବୁଝି ପାରିଲେନି ସରକାରଙ୍କ ଫନ୍ଦି ଫିକର । ନିରିହ ସରଳ ଆଦିବାସୀମାନେ ଏ ଚକ୍ରବୁ୍ୟହର ରଚନାକୁ ଜାଣି ପାରିଥାନ୍ତେ ବା କେମିତି । ୨.୧୧.୨୦୧୫ରେ ବେଲ ପାଇଁ ସେମାନେ ଜେଲର ଚାରିକାନ୍ଥ ଭିତରୁ ମୁକୁଳି ଆରାମରେ ବାହାରେ ବୁଲିଲେ । ଆଉ ଗାଁ’ ଲୋକମାନେ ଏହି ଆଶାରେ ଅଛନ୍ତି, ତଦନ୍ତ ଚାଲିଛି, ଦଣ୍ଡ ତ ସେମାନେ ନିଶ୍ଚୟ ପାଇବେ ।
କିନ୍ତୁ ସ୍ନେହଲତାର ଆତ୍ମା ବଣଜଙ୍ଗଲ ଭିତରେ ଚିକ୍ରାର କରି କହୁଛି, ହେ ଶ୍ରେଷ୍ଠ ପ୍ରଶାସକ ଏହା କ’ଣ ତୁମ ସ୍ବଚ୍ଛ ଶାସନ, ଏହା କ’ଣ ତୁମ ମା’କୁ ସମ୍ମାନର ନାରା । ଧିକ୍ ତମ ପ୍ରଶାସନ, ଧିକ୍ ତମ ସୁରକ୍ଷା ବ୍ୟବସ୍ଥା, ଧିକ୍ ତମ ଶାସନ, ଗୋଟିଏ ନିରୀହ ଦଳିତ ଝିଅକୁ ନ୍ୟାୟ ଦେଇପାରିଲ ନାହିଁ, ସେଥିରେ ପୁଣି ନଂ୧ ଶ୍ରେଷ୍ଠ ପ୍ରଶାସକ ।
➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤
➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤➤














Heart touching ...
ReplyDeleteThe book " Dead Girl "Is one of the best Heart touching book . ...
ReplyDelete😭😭😭😢😢😢 keep justice
ReplyDeleteMany many thanks to writer
ReplyDeleteMany many thanks to writer
ReplyDeleteYour thought is like Kalmarks. We need justice. We never Forget We Never Forgive
ReplyDelete