1/31/2023

ଗଣତାନ୍ତ୍ରିକ ଉଦାର ବଚନ ହିଁ ମାନବିକତାର ଧର୍ମ


                                                   ©ଡକ୍ଟର ଲକ୍ଷ୍ମଣ ସାହୁ   
                                                  (ଉପଦେଷ୍ଟା - ଉଦୟ ଭାନୁ)
                           
          ଯେତେବେଳେ ଭାରତର ସକଳ ଧର୍ମକୁ ଲୋକମାନେ ଗ୍ରହଣ କଲେ ଓ ଆତ୍ମସମର୍ପଣ କଲେ ସେତେବେଳେ ଦେଶକୁ ଧର୍ମନିରପେକ୍ଷ ରାଷ୍ଟ୍ର କରିବାକୁ ସ୍ଥିର କରାଗଲା । ଫଳତଃ ଧର୍ମନିରପେକ୍ଷତା ଧାର୍ମିକ ସହନଶୀଳତା ରୂପରେ ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଆଧାରରେ ସମସ୍ତ ବ୍ୟକ୍ତିଙ୍କୁ ଧାର୍ମିକ ସ୍ୱାଧୀନତାର ଅଧିକାର ସମ୍ବିଧାନରେ ସମାନ ଭାବରେ ଦିଆଯାଇଥିଲା । କୈାଣସି ରାଜ୍ୟରେ ନିଜର ଏକକ ଧର୍ମର ପ୍ରାଧାନ୍ୟ ରହିବ ନାହିଁ, ବରଂ ସମସ୍ତ ଧର୍ମର ସମାନତା ପ୍ରାଧାନ୍ୟ ବିସ୍ତାର କରିବାକୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହା ସତ୍ତ୍ୱେ ଏବେ ଧାର୍ମିକ ବଚନକୁ , ଭାବନାକୁ ଆଘାତ ଦେଇଥିବା ଭଳି କିଛି କାର୍ଯ୍ୟ ତଥା ବିବୃତ୍ତି ଦିଆଯାଉଛି । ଯାହା ଫଳରେ ଦେଶରେ ସାମ୍ପ୍ରଦାୟିକତା ଅନେକ ଥର ପ୍ରଜ୍ୱଳିତ ହେବାରେ ଲାଗିଛି ।

           ଏବେ ଅନେକଙ୍କ ମନରେ ଏକ ଗମ୍ଭୀର ପ୍ରଶ୍ନବାଚୀ ଉଠିଛି ​​ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏ  ସମାଜ ଏପର୍ଯ୍ୟନ୍ତ ଧର୍ମନିରପେକ୍ଷ ହୋଇପାରି ନାହିଁ ? ଥରେ ମାତ୍ର ବିଚାର କଲେ ଦେଖାଯିବ ଯେ ୧୮୫୧ ମସିହାରେ ଜର୍ଜ ହୋଲିଓକ୍ 'ଧର୍ମନିରପେକ୍ଷତା' ଶବ୍ଦ ବ୍ୟବହାର କରିଥିଲେ । ସେ କୈାଣସି ଧାର୍ମିକ ବିଶ୍ୱାସକୁ ସମାଲୋଚନା ନକରି ରାଜ୍ୟ ଓ ଧର୍ମକୁ ପୃଥକ କରୁଥିବା ଏକ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ସୃଷ୍ଟି କରିବା ବିଷୟରେ କହିଥିଲେ । ଫଳତଃ ପାଶ୍ଚାତ୍ୟ ଦେଶମାନଙ୍କରେ ଧର୍ମର ପୃଷ୍ଠଭୂମି ପ୍ରଭାବରେ ବଢୁଥିବା ଏହି ଧାରଣା ବିକଶିତ ହୋଇଥିଲା । ଏହାକୁ ପରେ ଆମେରିକୀୟ ସଂଗଠନ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟଡି ଅଫ୍ ସେକ୍ୟୁଲେରିଜିମ୍ ଅଫ୍ ସୋସାଇଟି ଆଣ୍ଡ କଲଚରର ମୁଖ୍ୟ ବରୀ କୋସମିନ୍ ଧର୍ମନିରପେକ୍ଷତାର ଦୁଇଟି ରୂପ ଚିହ୍ନଟ କରିଥିଲେ । ଯାହା କେବଳ ରାଜ୍ୟରେ ଧର୍ମର ସମ୍ପୂର୍ଣ୍ଣ ପୃଥକତା ଏବଂ ନରମ ଧାର୍ମିକ ସହନଶୀଳତା । ତେଣୁ ଭାରତ ନିଶ୍ଚିତ ଭାବରେ ଏକ ବହୁ-ଧର୍ମ ଓ ବହୁ-ସାଂସ୍କୃତିକ ରାଷ୍ଟ୍ର ପାଲଟିଛି । ୧୯୭୬ ରେ ୪୨ ତମ ସଂଶୋଧନ ଅଧିନିୟମ ଦ୍ୱାରା ସମ୍ବିଧାନର ପ୍ରିମ୍ବଲରେ ଧର୍ମନିରପେକ୍ଷ ଶବ୍ଦ ଯୋଡାଯିବା ପରେ ଏହି ଧାରଣା ଆହୁରି ଦୃଢ଼ ହୋଇଛି । ଭାରତର ବହୁ-ସାଂସ୍କୃତିକ ବ୍ୟବସ୍ଥାର ଆଧାର ହେଉଛି ସହନଶୀଳତା । ଏହି ପୃଷ୍ଠଭୂମି ଉପରେ ଘୃଣାର ବକ୍ତବ୍ୟ ଭଳି ବଚନ ସ୍ୱାଭାବିକ ଭାବରେ ନିନ୍ଦିତ ହେବା ଉଚିତ୍ । ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ପାଇଁ ନିକଟରେ ହରିଦ୍ୱାରରେ ପ୍ରକାଶିତ ମତକୁ ଭାରତର ଧର୍ମନିରପେକ୍ଷ ଚରିତ୍ର ପ୍ରତି ଯେ ଏକ ଭୟଙ୍କର ଟିପ୍ପଣୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏପରିକି କୈାଣସି ପରିସ୍ଥିତିରେ ଏଭଳି ନୀତି ହୀନ ବଚନ ସର୍ବସ୍ବ ଆଚରଣ ଜାତିର ଅଖଣ୍ଡତା ପାଇଁ କ୍ଷତିକାରକ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରକୁ ଦୁର୍ବଳ କରି ପକାଇବ ଏଥିରେ ସନ୍ଦେହ ନାହିଁ ।

        ଏହିସବୁ ଦୃଷ୍ଟିରୁ ଆଜିର ଦୁନିଆରେ ଯେଉଁଠାରେ ପୂର୍ବରୁ ଅସୁରକ୍ଷିତତାର ପରିବେଶ ଅଛି, ସେଠାରେ ଜାତିର ଆଭ୍ୟନ୍ତରୀଣ ଦୁର୍ବଳତା ରହିଛି । ଏହା ଦେଶରେ ହିଂସା ଓ ଅସ୍ଥିରତାକୁ ଅତି ଗମ୍ଭୀର ବିପଦରେ ପକାଇବ ଏହା କେବେ ଅସ୍ୱୀକାର କରାଯାଇପାରିବ ନାହିଁ । ୧୯୫୪ ରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଧର୍ମ ହେଉଛି ବିଶ୍ୱାସର ପ୍ରତୀକ । ଏଥିରୁ ସ୍ପଷ୍ଟ ହୁଏ ଯେ ବିଶ୍ୱାସ ଏବଂ ବିଶ୍ୱାସ ପରସ୍ପର ଠାରୁ ଭିନ୍ନ ହୋଇପାରେ ସତ, କିନ୍ତୁ ଗୋଟିଏ ଧର୍ମରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଅନ୍ୟ ଧର୍ମରେ ବିଶ୍ୱାସ କରିପାରେ । ସେଭଳି ଧର୍ମ ଏବଂ ଦର୍ଶନ ମଧ୍ୟ ପରସ୍ପର ଠାରୁ ଭିନ୍ନ, କିନ୍ତୁ ସମସ୍ତ ଧର୍ମ ଓ ଦର୍ଶନର ମୂଳ ତତ୍ତ୍ୱ ଏକ, ଯାହା କେବଳ ବିଶ୍ୱ ଶାନ୍ତି ନିମନ୍ତେ ଉଦ୍ଧିଷ୍ଟ ଅଟେ । ଅଦାଲତର ଏପରି ମତ କେବଳ ଧାର୍ମିକ ସହନଶୀଳତାକୁ ପ୍ରମାଣିତ କରେ ନାହିଁ, ବରଂ ଆଧୁନିକତାକୁ ଦାବି କରିବା ବେଳେ ଆମକୁ ଅସୌଜନ୍ୟମୂଳକ ବଚନ/ ଭାଷାରୁ ଦୂରେଇ ରହିବା ଆବଶ୍ୟକ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥାଏ । ଏଠାରେ କହିବା ଅତ୍ୟନ୍ତ ଉତ୍ତମ ହେବ ଯେ ସମସ୍ତ ଧର୍ମ ତତ୍ତ୍ଵ ପ୍ରାୟତଃ ସମାନ, କାରଣ ସମସ୍ତେ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥାରୁ ବିକଶିତ ହୋଇଛନ୍ତି । ସବୁପ୍ରକାର ଲକ୍ଷ୍ୟ ହେଉଛି ନୈତିକ ମାର୍ଗ-ଦର୍ଶନ ଓ ସ୍ଥିରତାକୁ ବଜାୟ ରଖିବା । ବଚନ ସର୍ବସ୍ବ ଆଚରଣରେ ହୁଏତ ପରସ୍ପର ଠାରୁ ଅଲଗା ହୋଇ ପାରିବା, କିନ୍ତୁ ଆମର ଅନୁଭବରେ କେହି କେବେ ଅଲଗା ନୁହଁନ୍ତି । ଅଭ୍ୟାସ ପ୍ରତି ଅତ୍ୟଧିକ ସମ୍ବେଦନଶୀଳତା ଆମକୁ ଘୃଣା ବକ୍ତବ୍ୟ କରିବାକୁ କିମ୍ବା ଧାର୍ମିକ ଭାବରେ ଅସହିଷ୍ଣୁ ହେବାକୁ ବାଧ୍ୟ କରିନଥାଏ । ତେଣୁ ଏପରି ଭାବନାକୁ ରୋକିବା ମଧ୍ୟ ଆମ ସମସ୍ତଙ୍କ କର୍ତ୍ତବ୍ୟ । ଜାତି ପ୍ରତି ଆମର ଆନ୍ତରିକତାର ଅଭିବ୍ୟକ୍ତି ରହିଛି ଓ ରହିଥିବ ମଧ୍ୟ, ତାହା ହିଁ ସମ୍ବିଧାନର ମୌଳିକ ସଂରଚନାକୁ ସଂରକ୍ଷଣ କରିବ, ଯାହା ଆମକୁ ନାଗରିକ ଭାବରେ ବିବେକବାନ କରି ରଖିବ । 

      ୧୯୯୪ ରେ ସୁପ୍ରିମକୋର୍ଟରେ ଧର୍ମନିରପେକ୍ଷତାକୁ ଜାତୀୟ ଭିତ୍ତିଭୂମିରେ ଅନ୍ତର୍ଭୁକ୍ତ କରାଯାଇଛି । ବଚନ ସଦୃଶ୍ୟ ଘୃଣାର ବକ୍ତବ୍ୟ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି । ଦେଶରେ ଘୃଣା ପ୍ରଦର୍ଶନ କିମ୍ବା ପ୍ରକାଶ ପୂର୍ବକ ଅସ୍ଥିରତାର ବାତାବରଣ ସୃଷ୍ଟି କରିବାର ପ୍ରୟାସ ଉଭୟ ଆଇନ ଏବଂ ସମ୍ବିଧାନ ସହିତ ଅସଙ୍ଗତ ହେବ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରିବ । ଆମମାନଙ୍କ ଏପରି ଆଚରଣ ଗଣତନ୍ତ୍ରକୁ ମାଓବାଦୀ ଲିଞ୍ଚିଂରେ ପରିଣତ କରିବ । ତେହେସେନ୍ ପୁନାୱାଲା ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ, ୨୦୧୮ କୋର୍ଟ କହିଛନ୍ତି ଯେ ମାଓବାଦୀ ଲିଞ୍ଚିଂର ଜଘନ୍ୟ କାର୍ଯ୍ୟକୁ ଦେଶର ନିୟମକୁ ବୁଡ଼ାଇବାକୁ ଦିଆଯାଇପାରିବ ନାହିଁ । ନାଗରିକ ତଥା ରାଜନୈତିକ ଅଧିକାର ସମ୍ମିଳନୀର ଧାରା ୨୦ (୨) ଅନ୍ତର୍ଜାତୀୟ ସ୍ତରରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଜାତି କିମ୍ବା ଧର୍ମ ଆଧାରରେ ଘୃଣାର ପ୍ରଚାରକୁ ବାରଣ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଏସିଆରେ ଅଭିବ୍ୟକ୍ତିର ସ୍ୱାଧୀନତା, ଚିନ୍ତା ଏବଂ ଧାର୍ମିକ ସ୍ୱାଧୀନତା' ଉପରେ ଜାକର୍ତ୍ତା ସୁପାରିଶ ୨୦୧୫ ଦେଶମାନଙ୍କୁ ଘୃଣା, ଶତ୍ରୁତା ଏବଂ ଭେଦଭାବ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଭାରତ ଯେତେ ଦୂର, ସମ୍ବିଧାନର ଧାରା ୧୫ (୧) ଧର୍ମ ଏବଂ ଜାତି ଆଧାରରେ ଭେଦଭାବକୁ ବାରଣ କରିଛି । ସେହିଭଳି ଧାରା ୧୯ (୨) ରେ ଜନସାଧାରଣଙ୍କ ଆଦେଶ / ନୈତିକତା ଇତ୍ୟାଦି ଉପରେ ହେଉ ଅବା ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ବ୍ୟବସ୍ଥା ରହିଛି । ଭାରତ ପରି ବହୁବଚନ ଗଣତନ୍ତ୍ରରେ ଆଦର୍ଶଗତ ପାର୍ଥକ୍ୟ ରହିବା ସ୍ୱାଭାବିକ । ଏକଥା ସତଯେ ଆମର ଅଭିବ୍ୟକ୍ତିର ସ୍ୱାଧୀନତା ସୁରକ୍ଷିତ ହେବା ଆବଶ୍ୟକ । ଏହା ଗଣତନ୍ତ୍ରକୁ ଜୀବନ୍ତ ରଖେ, କିନ୍ତୁ ଏହି ସ୍ୱାଧୀନତା ସଂପୂର୍ଣ୍ଣ କିମ୍ବା ନକାରାତ୍ମକ ହେବା ଉଚିତ ନୁହେଁ । ଯେହେତୁ ଏହି ଅଧିକାର ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ ।

      ଏପରିକି କାହାର ଅପବ୍ୟବହାର ଅନ୍ୟର ଅଧିକାରକୁ ନିଶ୍ଚିତ ବିରୋଧ କରିବ । ତେଣୁ ଜାଣି ରଖିବା ଉଚିତ ହେବ ଯେ ଯାହା ପ୍ରଶଂସକତା ବୃଦ୍ଧି କରିବ ଏବଂ ସାମାଜିକ-ସାଂସ୍କୃତିକ ସଂଗ୍ରାମକୁ ଶକ୍ତି ଦେବ ସେଭଳି ଆଚରଣ କରିବା ଆବଶ୍ୟକ । ଏହି ସବୁ କାରଣରୁ, ଭାରତରେ ଏପରି ଅନେକ ବ୍ୟବସ୍ଥା କରାଯାଇଛି । ଯାହା ଘୃଣାର ବକ୍ତବ୍ୟକୁ ବାରଣ କରିଥାଏ ଏବଂ ଏହାକୁ ରୋକିବା ପାଇଁ ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରିଥାଏ । ଘୃଣାର ବକ୍ତବ୍ୟ ଏବଂ ନିନ୍ଦା ମଧ୍ୟରେ ପାର୍ଥକ୍ୟ କହିଲେ ହୁଏତ ଦେବତା ବା ଧର୍ମର ଅଲୌକିକ ସମ୍ବନ୍ଧିତ ତଥ୍ୟ ଏବଂ ଅନୁଚିତ ଭାବନାକୁ , ନୀତିହୀନ ବଚନକୁ , ସମାଲୋଚନାକୁ ଏବଂ ଅପମାନିତ ବ୍ୟବହାରକୁ ବୁଝାଏ, ଯାହାକୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ । ଘୃଣାର ବକ୍ତବ୍ୟ ନିୟନ୍ତ୍ରିତ ହୋଇପାରେ, କାରଣ ନିୟମ ପ୍ରକୃତ ଜୀବନ୍ତ ଗୋଷ୍ଠୀ ଉପରେ ମୌଖିକ ଆକ୍ରମଣ ଇତ୍ୟାଦି ଉପରେ ପ୍ରତିବନ୍ଧକ ଲଗାଇପାରେ । ନିନ୍ଦା ସମ୍ବନ୍ଧୀୟ ଭାରତରେ କୈାଣସି ଆଇନ ନାହିଁ । ଅପରପକ୍ଷେ, ଭାରତୀୟ ଦଣ୍ଡବିଧି ସଂହିତା'ର ଧାରା ୧୫୩ଏ (153A) ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜୋରିମାନା କିମ୍ବା ଧର୍ମ, ଭାଷା, ଜାତି ଇତ୍ୟାଦି କାରଣରୁ ଲୋକଙ୍କ ମଧ୍ୟରେ ଘୃଣାଭାବ ବଢାଇବାକୁ ଚେଷ୍ଟା କରିବା ପାଇଁ ବ୍ୟବସ୍ଥା କରାଯାଇନାହିଁ । ଯଦି ଏହି ଅପରାଧ ଏକ ଧାର୍ମିକ ସ୍ଥାନରେ କରାଯାଇଥାଏ, ତେବେ ଏହାକୁ ଏକ କାରାଦଣ୍ଡ ସହିତ ଦଣ୍ଡିତ କରାଯାଇପାରେ, ଯାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ଜୋରିମାନା ମଧ୍ୟ ହୋଇପାରେ । ଘୃଣ୍ୟ ଭାଷଣକୁ ବାରଣ କରିବା ପ୍ରସଙ୍ଗରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦଣ୍ଡ ସଂହିତା ର ବିଭାଗ -୨୯୫ଏ (295A) । ଏଥିରେ କୈାଣସି ଶ୍ରେଣୀର ଧର୍ମ କିମ୍ବା ଧାର୍ମିକ ବିଶ୍ୱାସ ଅନ୍ତର୍ଭୂକ୍ତ ହୁଏ ନାହିଁ ।

       କାହାକୁ ଅପମାନିତ କରି କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟଗୁଡ଼ିକ ପାଇଁ ଦଣ୍ଡର ବ୍ୟବସ୍ଥା ଅଛି । ଉତ୍ତରପ୍ରଦେଶର ରାମଜୀ ଲାଲ ମୋଦୀ ବନାମ ୧୯୫୭ (1957)ରେ ସୁପ୍ରିମକୋର୍ଟ ଧାରା ୨୯୫ଏ (295A) କୁ ବୈଧ କରିବାକୁ କହିଛନ୍ତି । ଉପରୋକ୍ତ ତଥ୍ୟ ପରି, ଭାରତର ଦୃଢ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଆମେ ଭାରତର ଲୋକ ଦାୟୀ । ଯେତେବେଳେ ବି ଆମର ଧ୍ୟାନ ସାମାଜିକ ଆଦର୍ଶର ସୁରକ୍ଷାଠାରୁ ବଦଳିଯାଏ, ସେତେବେଳେ ଘୃଣା ରୁ ଶତ୍ରୁତା ଓ ଶତ୍ରୁତା ରୁ ଘୃଣାର ବିସ୍ତାର ଘଟିଥାଏ । ଯାହା ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ପ୍ରତିଶ୍ରୁତି ବିରୁଦ୍ଧରେ କାର୍ଯ୍ୟ କରିଥାଏ ।

        ତେଣୁ ଆଇନଗତ ଓ ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ ପୁଣ୍ୟ ବିସ୍ତାର କରୁଥିବା ଅବୈଧ ବଚନ ବିବୃତ୍ତି ନିକଟ ଅତୀତରେ ପ୍ରଚାରିତ ହେବା ସବୁଠାରୁ ଦୁର୍ଭାଗ୍ୟଜନକ । ବିଶେଷକରି ଏହି ପ୍ରସଙ୍ଗରେ ଇଣ୍ଟରନେଟ୍ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ କେହି କୈାଣସି ଦ୍ବିଅର୍ଥ ବୋଧକ ମତ ପ୍ରକାଶ କରିପାରିବ ନାହିଁ । କାରଣ ୧୯୬୫ ମସିହାରେ ବିହାରର ରାମ ମନୋହର ଲୋହିଆ ବନାମ ରାଜ୍ୟରେ ସୁପ୍ରିମକୋର୍ଟ ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସୁରକ୍ଷା ଏବଂ ନିରାପତ୍ତା ବିଷୟରେ ଉତ୍କୃଷ୍ଟ ବ୍ୟାଖ୍ୟା ଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ, ତିନୋଟି ଧାରଣା ବା ସର୍କଲ୍ ଗଠନ କରାଯାଇଛି । ଯାହା ସବୁଠୁ ବଡ଼ ସର୍କଲ ହେଉଛି ଆଇନ ଏବଂ ବ୍ୟବସ୍ଥାର ସଠିକ୍ ପ୍ରଚଳନ, ଯେଉଁଥିରେ ସାର୍ବଜନୀନ ବ୍ୟବସ୍ଥାର ବ୍ୟବହାର । ଦ୍ୱିତୀୟ ସର୍କଲ ହେଉଛି ରାଜ୍ୟର ସୁରକ୍ଷା ପାଇଁ ପ୍ରସାଶନିକ ତତ୍ପରତା ତୃତୀୟ ସର୍କଲ ଯଦି ଘୃଣା ଓ ଶତ୍ରୁତା ପ୍ରଚାରିତ ହୁଏ ତାହାକୁ ଦମନ କରିବା ବ୍ୟବସ୍ଥା । ଉପରୋକ୍ତ ଏହି ତିନୋଟି ପ୍ରକ୍ରିୟା ପ୍ରଭାବିତ ହେବ । 

        ତଥାପି , ଏକ ବିବୃତ୍ତିକୁ ଘୃଣା ବକ୍ତବ୍ୟ ବୋଲି କହିବା ପୂର୍ବରୁ ଏହାର ପରିଚୟର କିଛି କାରଣ ବୁଝିବା ଆବଶ୍ୟକ ରହିଛି । ୨୦୧୭ରେ ୨୬୭ ତମ ରିପୋର୍ଟରେ ଭାରତର ଆଇନ ଆୟୋଗ ଏପରି କିଛି କାରଣ ଉଲ୍ଲେଖ କରିଛନ୍ତି । ଆୟୋଗଙ୍କ ଅନୁଯାୟୀ, ଯଦି ଏକ ବଚନର ବିବୃତ୍ତି ଆପତ୍ତିଜନକ ଏବଂ ଅତ୍ୟଧିକ ଭାବନା ଦ୍ୱାରା ପ୍ରେରିତ ହୁଏ, ତେବେ ଏହାକୁ କେବଳ ଘୃଣା ବିବୃତ୍ତି ଭାବରେ ଶ୍ରେଣୀଭୁକ୍ତ କରାଯିବ । ସେହିଭଳି, ଯଦି କୈାଣସି ବିବୃତ୍ତି ହିଂସା ଦ୍ୱାରା ପ୍ରେରିତ ହୁଏ, ତେବେ ତାହାକୁ ଘୃଣା ଭାଷଣ ବା ବଚନ ଭିନ୍ନ ବକ୍ତବ୍ୟ ବୋଲି କୁହାଯାଇପାରିବ । ଏପରି ନୀତିହୀନ ବିବୃତ୍ତି ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ଏବଂ ପ୍ରସଙ୍ଗକୁ ବୁଝିବା ଏକାନ୍ତ ଆବଶ୍ୟକ । ଖରାପ ଶବ୍ଦ ସାମାଜିକ ଭାବକୁ ଚ୍ଛିନ୍ନ କରି ଦେଇପାରେ । ଏହାମନେ ରଖିବା ଉଚିତ୍ ଯେ ଆମ ସମାଜ ବହୁବଚନ ଅଟେ । ଏଥିରେ ସମସ୍ତଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍ । ବହୁ ସଂସ୍କୃତି ରାଷ୍ଟ୍ରରେ ସଂସ୍କୃତିର ବିବିଧତା ଅନେକ ସମୟରେ ବିବାଦ ସୃଷ୍ଟି କରେ, ଯାହା ଜାତିର ଅଖଣ୍ଡତା ପାଇଁ କ୍ଷତିକାରକ । 

         ଲୋକପ୍ରିୟ ରାଜନୀତି, ବଜାର ଅର୍ଥନୀତି, ପାଶ୍ଚାତ୍ୟ ଉପଭୋକ୍ତା, ବ୍ୟକ୍ତିଗତତା ଏବଂ ସ୍ୱାର୍ଥପରତା ହେତୁ ଆମେ ଯେଉଁ ପର୍ଯ୍ୟାୟରେ ଗତି କରୁଛେ, ଏହା ଏବେ ସାମାଜିକ, ମାନବିକ ନୈତିକ ମୂଲ୍ୟବୋଧର ଅବନତି ଯେ ଘଟାଉଛି ସ୍ୱୀକାର କରିବାକୁ ପଡ଼ିବ । ଯଦି ଆମେ ଏହାକୁ ବିକାଶ ପ୍ରସଙ୍ଗରେ ଦେଖିବା, ତେବେ ଏପରି ସମସ୍ତ ଭାବନା ସାମାଜିକ ପୁଞ୍ଜି କ୍ଷୟକୁ ନେଇଥାଏ । ଯାହା ଫଳରେ ବିବାଦର ସମ୍ଭାବନା ବଢିଯାଏ । ଫଳତଃ ସ୍ୱାଭାବିକ ଢଙ୍ଗରେ ଦେଶରେ ବିକାଶର ଗତି ମନ୍ଥର ପାଲଟି ଯିବା  ନିଃସନ୍ଦେହ... !!!
          
            ● ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ -୪
            ଦୂରଭାଷ : ୯୦୪୦  ୧୫୧୪ ୭୫
            Email: Laxmansahoo9040@gm
         ଜୟ ସାହିତ୍ୟ, ଜୟ ସମାଜ

ମଉଳା ରଜ

ମୃଣ୍ମୟୀ ବେହେରା
ମଉଳା ରଜରେ ମଉଳା ସ୍ମୃତିର ,
ମନ୍ଦ ମନ୍ଦ ବାସ ବାସେ ,
ହୃଦୟ ଭଗ୍ନାଂଶ କିଛି ସାଇତିଛି
କିଛି ସମୟର ପାଶେ ।।

ପିତା ଗୃହେ ସେ ତ ଅଲିଅଳି ଜେମା
ମା'ର ନୟନ ତାରା ,
ପାଦରେ ପାଉଁଜି ଶୁଭେ ରୁଣୁଝୁଣୁ
ସରଗ ପରୀଟି ପରା ।।

ଶୂନ୍ୟ ଆଜି ତା' ପିତାଙ୍କ ଆଳୟ
ଶୂନ୍ୟ ସେହି ରଜ ଦୋଳି ,
ମା'ର ନୟନେ ଧାର ଧାର ଲୁହ
 କରିବ କେ' ରଜେ ଅଳି ।।

ସେଥିପାଇଁ ଅବା କନ୍ୟାଦାନ ବେଳେ
ପିତାର ନୟନେ ଲୁହ ,
ଛାଡ଼ି ଚାଲିଗଲେ ଶ୍ବଶୁରାଳୟକୁ
ତୁଟିଵ ସ୍ନେହର ମୋହ ।

ମଉଳା  ରଜରେ ତାଜା ହୋଇଗଲା
ଅତୀତ ସ୍ମୃତିର ଵାସ ,
ହୃଦ ଉପଵନେ ପୁନଃ ମହକିଲା
ନବ ପୁଷ୍ପର ସୁବାସ  ।।

ଭୂଵନେଶ୍ଵର
ଜୟ ସାହିତ୍ୟ, ଜୟ ସମାଜ

ଅଧର୍ମ ଆଖିରେ ଧର୍ମ କଷଣ

ଉମାକାନ୍ତ ଦାସ
ଦୁଇ ହଜାର ବାଇଶି ମସିହା ଫେବୃଆରୀ ମାସରେ ସରି ଯାଇଛି ପଞ୍ଚାୟତ ନିର୍ବାଚନ !! ଭଦ୍ରକ ନିର୍ବାଚନ ମଣ୍ଡଳୀର  ବିଧାୟକଙ୍କ ଡାହାଣ ହାତ କହୁଥିବା ପାଟପୁର ପଞ୍ଚାୟତର ଜଣେ ପଚିଶ ତିରିଶ ବର୍ଷର ଅଭିଜ୍ଞ ରାଜବଂଶୀୟ ଲୋକ । ସେ କୌଣସି ପଦପଦବୀରେ ନଥାଇ ମଧ୍ୟ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଶାସନ କଳକୁ  ନିଜ ସଶକ୍ତ ମୁଠିରେ ଜାବୁଡି ଧରିଛି !ଭବାନୀ ମହାନ୍ତି । ବିଗତ ଦିନରେ  ସକାଳେ ଖାଇ ଉପରବେଳା କ'ଣ ଖାଇବ ଯୋଗାଡ଼ କରିବା ବହୁତ କାଠିକର କାମଥିଲା ହେଲେ ଯେବେ ଠାରୁ ରାଜନୀତିକୁ ଆସିଲା , ସେବେଠାରୁ ଏ ପର୍ଯ୍ୟନ୍ତ ସମସ୍ତ ଭାଇଙ୍କ ପାଖରେ ଗାଡ଼ି ଘୋଡ଼ା ବ୍ଯାଙ୍କ ବାଲାନ୍ସ ସହିତ କୌଣସି କଥାରେ ଅଭାବ ନ ଥାଇ ସବୁଥିରେ ପରିପୂର୍ଣ୍ଣ । ପଚିଶ ପଚାଶ ଗାଁ ଲୋକେ ଆସନ୍ତି ତାଙ୍କ ଠାରୁ କିଛି ନ୍ଯାୟ ନେବା ପାଇଁ । ତାଙ୍କ ନ୍ଯାୟରେ କିଏ ପଛପଟରୁ ଗାଳି ଦିଅନ୍ତି ତ ଆଉ କିଏ ଭୟ ପାଇ କିଛି ନ କହି ରକ୍ତ ଚାଉଳ ଚୋବାଇ ତା'ଆଗରୁ ଚାଲିଯା'ନ୍ତି । ଏଣୁ ପ୍ରିୟ ପାଠକ ! ବିଚାର ଆପଣମାନଙ୍କର । କେମିତି ? ଏତେ ପ୍ରତିଷ୍ଠିତ ହେଲା ତାହା ନିଶ୍ଚୟ ଜାଣି ପାରୁଥିବେ ।

        ଚଳିତ ପଞ୍ଚାୟତ ନିର୍ବାଚନରେ ସରକାର ଘୋଷଣା କଲେ ସାଧାରଣ ପୁରୁଷ ଆସନ , ସରପଞ୍ଚ ଓ ସମିତି ପାଇଁ । ସେଥିପାଇଁ ପ୍ରସ୍ତୁତ ହେଲେ ଜଣେ ବଣିଜ ଜାତିର ପୂର୍ବତନ ସରପଞ୍ଚ ପର୍ଶୁରାମ ସାହୁ ଏବଂ ପ୍ରତିଦ୍ବନ୍ଦିତା ପାଇଁ ଜଣେ ହରିଜନ ପାର୍ଥୀ ପୁର୍ବତନ ଜିଲ୍ଲା ପରିଷଦ ବିନୋଦ ମଲ୍ଲିକ । ସମିତି ସଭ୍ୟରେ ପର୍ଶୁରାମ ବାବୁ ତାଙ୍କ ନିକଟତମ ପାର୍ଥୀ ଜଣେ ହରିଜନ ସୁଭାଷ ଦାସଙ୍କୁ ଠିଆ କରିବାର ଆଶା ରଖୁଥିଲା ବେଳେ ଭଗବାନ ମହାନ୍ତି ତାଙ୍କ କଥାରେ ଉଠ୍‌ବସ୍‌ ହେଉଥିବା ଜଣେ ହରିଜନ ପୁରୁଷ ପାର୍ଥୀ ଶ୍ରୀଧର ମଲ୍ଲିକଙ୍କୁ ଠିଆ କରି ପଞ୍ଚାୟତର ମତାମତ ଲୋଡ଼ି ଚାଲିଲେ । ଆଠ ଦଶ ଦିନ  ତର୍ଜମା କଲା ବେଳେ ଭଗବାନ ବାବୁ ଚିନ୍ତା କଲେ ମୁଁ ମୋ' ତରଫରୁ ଯେଉଁ ଦୁଇଜଣ ପାର୍ଥୀ ଦବାକୁ ଯାଉଛି ତାଙ୍କ ଭିତରୁ ଦୁହିଁଙ୍କୁ ଦୁହେଁ ପ୍ରତିଦ୍ବନ୍ଦିଙ୍କ ପାଖରେ ରହମାନ ପଡିବେ ନାହିଁ । ଏଣୁ ସେ ତାଙ୍କ କୂଟନୀତି ବଳରେ ପଞ୍ଚାୟତରେ ଆରକ୍ଷଣ ନୀତି ଅବଲମ୍ବନ କରି ବିଧାୟକଙ୍କ ପରାମର୍ଶରେ ମହିଳା ହରିଜନ ସିଟ୍‌ ଘୋଷଣା କରିଦେଲେ । ଏଥର ଭଗବାନ ବାବୁଙ୍କ ଦୁଇ ହାତରେ ଲଡୁ ।

     ପୁନଃ ପ୍ରାର୍ଥୀ ସାବ୍ୟସ୍ତ କରାଗଲା । ମହାନ୍ତି ବାବୁ , ଯେଉଁ ପୁରୁଷ ପାର୍ଥୀ ସମିତି , ସରପଞ୍ଚରେ ଦେବାକୁ ଚାହିଁଥିଲେ ତାଙ୍କରି ସ୍ତ୍ରୀ ମାନକୁ ସରପଞ୍ଚ ଏବଂ ସମିତିରେ ଠିଆ କଲେ । ବିଲେଇ କପାଳକୁ ଶିକା ଛିଡିଲା ଏ ଦୁଇଜଣ ହରିଜନ ମହିଳା ପ୍ରାର୍ଥୀମାନଙ୍କ ପାଖରେ ପର୍ଶୁରାମ ବାବୁଙ୍କ ମହିଳା ପ୍ରାର୍ଥୀମାନେ ସମ୍ମୁଖୀନ ହୋଇ ନ ପାରି ହାରିବାର ବାଟ ଦେଖିଲେ । ବହୁତ ନୈରାଶ୍ୟ ଜନକ ବାତାବରଣ ଭିତରେ ମଧ୍ୟ ନ୍ଯାୟ ସରପଞ୍ଚ ଭୋଟ୍‌ ବେଳେ କିଛି ବିପକ୍ଷବାଦୀ ଓ୍ବାର୍ଡ ସଭ୍ଯଙ୍କୁ ନିଜର କଳବଳ କୌଶଳରେ ଆଣି ନ୍ଯାୟ ସରପଞ୍ଚ ଆସନକୁ ମଧ୍ୟ ହାତେଇ ନେଲେ । ଏଇତ ଆମ ଗଣତନ୍ତ୍ର । ଏହି ପଦ୍ଧତିରେ କିଏ ରଖୁଛି କାହାର ସ୍ବତନ୍ତ୍ରତା !!

          ଠିକ୍‌ ନ୍ଯାୟ ସରପଞ୍ଚ ଭୋଟର ଦୁଇ - ଚାରି ଦିନ ପରେ ପାଟପୁର ଗ୍ରାମରୁ ଏକ ବହୁ ମୂଲ୍ୟ ଚାରି ଚକିଆ ଗାଡ଼ି ଧରି ଭଗବାନ ବାବୁ ମହିଳା ସରପଞ୍ଚଙ୍କ ସ୍ବାମୀ , ସମିତି ସଭ୍ଯାଙ୍କ ସ୍ବାମୀ ଏବଂ ଗାଁର ଜଣେ ଅଶାଳୀନତା ଯୁବକ ଯିଏ ନିଜ ବାପକୁ ଗଣ୍ଡେ ଖାଇବାକୁ ନଦେଇ ଘରୁ ବାହାର କରି ଦେଇ ପର ସ୍ତ୍ରୀ - ଝିଅ - ବୋହୂଙ୍କ ଉପରେ ଖରାପ ଦୃଷ୍ଟି ଦିଏ , ତାଙ୍କୁ ଧରି ପିକ୍‌ନିକ୍‌ କରିବାକୁ ଆଠ ନମ୍ବର ଜାତୀୟ ରାଜପଥରେ ଅଗ୍ରସର ହେଲେ । କୁଆଖିଆ ପରେ ଗାଡ଼ିର ଡ୍ରାଇଭରକୁ ନିଦ ହୋଇ ଯାଇଛି । ସେ ନିଦ ହାଉଳିଆରେ ଗୋଟାଏ ବସ ସହିତ ଧକ୍କା କରିଦେଲା । ଡ୍ରାଇଭର ଜଣଙ୍କ ପୂର୍ବ ଏବଂ ଉପସ୍ଥିତ ସରପଞ୍ଚଙ୍କ ସ୍ବାମୀ । ତାଙ୍କର ଅଳପ ସଳପ କ୍ଷୟ କ୍ଷତି ହେଲା ବେଳେ ଭଗବାନ ବାବୁଙ୍କର ନାଁକୁ ମାତ୍ର କ୍ଷୟ କ୍ଷତି ହୋଇଛି । କିନ୍ତୁ ଅଶାଳୀନତା ଯୁବକ ଦେହରେ ଧୂଳିର ଦାଗ ଟିକେ ଲାଗି ନଥିଲା ବେଳେ କାର୍‌ଟି ସମ୍ପୂର୍ଣ୍ଣ ବିଧ୍ବଂସ ହୋଇଥିଲା ।

     ସେଥିରେ ଥିବା ପୂର୍ବ ଏବଂ ଉପସ୍ଥିତ ସମିତି ସଭ୍ଯାଙ୍କ ସ୍ବାମୀ ଶ୍ରୀଧର ମଲ୍ଲିକ ସ୍ବଭାବରେ ବହୁତ ଶିଥିଳ ; ମାଛିକୁ ମର୍‌ କହିବା ଲୋକ ନୁହନ୍ତି । ତାଙ୍କ ଦୂରାବସ୍ଥା କହିଲେ ନସରେ । ମୁଣ୍ଡଟା ମଝିରୁ ଫାଟି ଆଖି ବାଟେ ଧାର ଧାର ରକ୍ତସ୍ରାବ । ଯିଏ ବି ଦେଖିବ ନିଜେ ବେହୋସ ହୋଇଯିବ । ତା' ଛଡ଼ା ଶରୀରର ଅନ୍ୟ ଅଙ୍ଗ ଗୁଡିକ ମଧ୍ୟ ଖଣ୍ଡିଆ ଖାବରା ଯେ ନ କହିଲେ ଭଲ ।କେଉଁଠୁ ବିଚରା ଲକ୍ଷ ଲକ୍ଷ ଟଙ୍କା ଧାର୍‌ - ବାକି କରି ଭୋଟ୍‌ ଜିତିଲା । ବୋଝ ଉପରେ ଲଳିତା ବିଡା । ପୂର୍ବ ସମିତି ବେଳେ ତା' ହାତକୁ କିଛି ବି ଆସି ନଥିଲା । ଏ କ୍ଷମତା ପାଇ ଆଜି ସିଏ ଦୂରାବସ୍ଥା । ଯିଏ ହରିଜନ ପ୍ରାର୍ଥୀ ମାନଙ୍କୁ ମୋହରା ବନେଇ ନିଜେ ବଡ଼ଲୋକ ହେଉଛି , ଆଉ ଯିଏ ନିଜ ବାପ ଉପରେ ବା ଗ୍ରାମରେ ଅକଥନୀୟ ବ୍ୟାପାର କରୁଛି ତା'ର କିଛି ହେଲା ନାହିଁ । ଗାନ୍ଧାରୀ କହିଥିଲେ "ପୁଣ୍ୟର ଜୟ  ପାପର କ୍ଷୟ" ।କିନ୍ତୁ ଏଠାରେ  ସମସ୍ତେ ପ୍ରାୟତ ଛୋଟ-ବଡ ରାଜନେତା ! ତାଙ୍କ ଭିତରୁ ଧର୍ମରେ ଚାଲୁଥିବା ବ୍ୟକ୍ତି ଅଧିକ କଷ୍ଟ ପାଇଲା ହେଲେ ଅଧର୍ମୀମାନେ କମ୍ । ଅଧର୍ମୀ - ଧର୍ମୀ ଗୋଟିଏ ଗାଡ଼ିରେ ଥିଲେ ।ଧର୍ମର ଆଖିରେ ରକ୍ତର ଲୁହ ଥିଲା ବେଳେ ଅଧର୍ମୀର କିଛି ବି ହୋଇ ନଥିଲା । ତେଣୁ ଅଧର୍ମ ଆଖିରେ ଧର୍ମର କଷଣ । ଆଉ ଚଳୁ ନାହିଁ ମହାପୁରାଣ ।।

ଲାଲବାଗ ,ଖାନନଗର , 
ମଙ୍ଗଳପୁର ,ଯାଜପୁର                     
୯୮୭୩୨୩୬୪୪୧
ଜୟ ସାହିତ୍ୟ, ଜୟ ସମାଜ

ଶେଷ ଦୃଶ୍ୟ

       ସୁଜାତା ହାତୀ
ଝିଅ ଜନ୍ମ ପରେ ସବୁ ବାପା ମା' 
    ଦେଖିଥା'ନ୍ତି ସେହି ସ୍ବପ୍ନ
ଯେଉଁ ସ୍ବପ୍ନ ଦିନେ ଭାଙ୍ଗି ଦେଇଯାଏ
        ବାପା ମାଆଙ୍କର ମନ ।
ମାଆ କହୁଥାଏ ଶଣ୍ଠଣା ସବୁକୁ
  ହେଜି ଥିବୁ ତୋର ମନେ
ବାପା କିନ୍ତୁ କୁହେ ମୋ' ଜୀବନ ଧନ
       ଛାଡି ଚାଲିଯିବ ଦିନେ ।
ଜନମ ଦିନରୁ ବିଦା କଲା ଯାଏଁ 
    ଗୋଟି ଗୋଟି କରି ଚିଜ
ଗଢି ଦେଇଥା'ନ୍ତି ସବୁ ବାପା ମା'
      ଝିଅର ସଂସାର ସଜ ।
ଝିଅ ଆଖି ତଳେ ଲୋତକ ଦେଖିଲେ
      କାନ୍ଦିଥା'ନ୍ତି ବାପା ମାଆ
ହେଲେ ବିଦା ବେଳେ ସେହି ବାପା ମା'
      କୁହନ୍ତି ମାଆଲୋ ଯାଆ ।
ଲେଉଟା ଚକୁଳି ଖୁଏଇ ମାଆଟି
    କଇଁ କଇଁ ହୋଇ କାନ୍ଦେ
ହେଲେ ବାପା  କାନ୍ଦେ ଗାମୁଛା ଭିତରେ
      ଲୁହରେ ସେଇଟି ଭେଦେ ।
ଭଉଣୀ ସକେଇ ହଉଥାଏ ବସି 
     ଘରର କୋଣରେ ବସି
ହେଲେ ଭାଇ କାନ୍ଦେ ବୁକୁ ଫଟା କାନ୍ଦ
         ଭଉଣୀ ପାଖକୁ ଆସି ।
ମନର କଥାକୁ କହିବ କାହାକୁ 
     ଝିଅଟିଏ ବସି ଭାବେ
ବେଶି ଭାଳି ହେବ ପୁନେଇ ପରବ
    ପାଖେଇ ଆସିବ ଯେବେ ।
ବିଦା ସମୟରେ ଝିଅ ଭାବୁଥାଏ  
       ବିତି ଥିବା ବର୍ଷ ମାସ
ଅତି ମର୍ମାହତ ସତେ ସେହି ବେଳ
     ଝିଅ ବିଦା ଶେଷ ଦୃଶ୍ୟ ।
     ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

ଭୂତ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 
ସମ୍ପାଦକ - ଉଦୟ ଭାନୁ 

          ରାତ୍ରି ଆସିଗଲେ ନିଛାଟିଆ ପାଲଟି ଯାଏ  ସବୁଆଡେ ।  ମଣିଷ ମାନଙ୍କ ଠାରୁ ଆରମ୍ଭ କରି କୀଟ-ପତଙ୍ଗ ଯାଏଁ ସମସ୍ତେ ବିଶ୍ରାମରତ ।ଏକୁଟିଆ ବାହାରକୁ ବାହାରିବାକୁ ଭୟ ଲାଗେ । କାରଣ ଆମ ପୂର୍ବଜ ମାନଙ୍କ ଠାରୁ ଆମେ ଭୂତ- ପ୍ରେତର କଥା ଶୁଣିଛୁ । ସେମାନେ କହୁଥିଲେ ଭୂତ ମାନଙ୍କର ପ୍ରାଦୁର୍ଭାବ ଦିନ ଅପେକ୍ଷା ରାତ୍ରିରେ ବେଶି । ଶୂନ୍‌ଶାନ ସ୍ଥାନରେ, ଶ୍ମଶାନ ଓ ସମାଧି ସ୍ଥଳରେ, ନିବାଡ଼ିଆ ଗଛରେ ସେମାନଙ୍କ ବାସ ବୋଲି ବାପ-ଗୋସିବାପଙ୍କ ଠାରୁ ଶୁଣିବା ପାଇଁ ମିଳୁଥିଲା ଓ ରାତ୍ରିରେ ଭୂତ-ପ୍ରେତଙ୍କର ଶକ୍ତି ଦ୍ବି ଗୁଣିତ ହୋଇଯାଏ ବୋଲି ଶୁଣିଥିଲୁ । ଦେବତା ମାନଙ୍କ ପରି ସେମାନେ ରୂପ ପରିବର୍ତ୍ତନ କରି ପାରନ୍ତି ବୋଲି ଜାଣିଥିଲୁ ପୂର୍ବଜଙ୍କଠୁଁ । କୁହାଯାଏ ଯେ ରାତ୍ରି ୧୨ଟା ପରେ ଅଶୁଭ ବେଳାର ପ୍ରାରମ୍ଭ । ଏହି ବେଳାରେ ପ୍ରାୟ ୭୦% ଲୋକ ଭୟଭୀତ ହୋଇଥା'ନ୍ତି । ଏବେ ବି ସୁଦ୍ଧା ଛୋଟ ପିଲାମାନଙ୍କୁ ତାଙ୍କ ଗୁରୁଜନ ଭୂତ-ପ୍ରେତର ଭୟ ଦେଖାଇ ବୁଝାଉଥିବାର ଶୁଣିବାକୁ ମିଳେ । ତେବେ ଏଠି ପ୍ରଶ୍ନ ଉଠେ- "ସତରେ ଏ ସୃଷ୍ଟିରେ ଭୂତ-ପ୍ରେତ ଅଛନ୍ତି ?" ଆମ ମଣିଷ ସମାଜରେ କେଉଁଠି ନା କେଉଁଠି ମନରେ କିଛି ଦୁର୍ଭାବନା ଆନ୍ଦୋଳନ ସୃଷ୍ଟି ହୁଏ । ସମସ୍ତେ ଭୂତ-ପ୍ରେତର ବାସ୍ତବତାକୁ ଉପଲବ୍ଧି କରିବାକୁ ଚାହାନ୍ତି  । 

       ଏହି ଭୂତ-ପ୍ରେତ ଶବ୍ଦ ପୁରାତନ, ଏହି ଶବ୍ଦ କୋଉଠି ନା କୋଉଠି ନିଶ୍ଚିତ ରୂପେ ଧର୍ମ ସହ ଯୋଡ଼ି ହୋଇ ରହିଛି । ସମସ୍ତ ଧର୍ମର ଗୋଟିଏ ଲକ୍ଷ୍ୟ ହେଉଛି "ମୋକ୍ଷ ପ୍ରାପ୍ତି"। ଧର୍ମ ପ୍ରମାଣାନୁସାରେ ଇଶ୍ୱର ହେଉଛନ୍ତି ପରମାତ୍ମା  । ଭୂତ ଶବ୍ଦଟି "ଆତ୍ମତତ୍ତ୍ବ"ରୁ ଆନୀତ । କେବଳ ହିନ୍ଦୁ ନୁହେଁ ବରଂ ଅନ୍ଯ ସମସ୍ତ ଧର୍ମ ବି "ଆତ୍ମତତ୍ତ୍ବ"ର ବିଶ୍ବାସୀ । ହିନ୍ଦୁ ଶାସ୍ତ୍ରାନୁସାରେ ପରମାତ୍ମାଙ୍କ ଠାରୁ  ଆତ୍ମାର ସୃଷ୍ଟି । ଆତ୍ମା ଏକ ଅଦୃଶ୍ୟ ରଶ୍ମୀ । ଅର୍ଥାତ୍‌ ଏକ ଆଲୋକ ବିନ୍ଦୁ ଯାହାର ରୂପ,ରଙ୍ଗ,ବର୍ଣ୍ଣ,ଜାତି କିଛି ବି ନାହିଁ । ପରବର୍ତ୍ତୀ ସମୟରେ ପରମାତ୍ମା ପଞ୍ଚତତ୍ତ୍ୱର ସମିଶ୍ରଣରେ ଶରୀରର ସର୍ଜନା କଲେ ଏବଂ ଆତ୍ମା ପରମାତ୍ମାଙ୍କ ନିର୍ଦ୍ଦେଶରେ ଶରୀରରେ ପ୍ରବେଶ କଲେ । ଏପରି ଆତ୍ମା ପରିବର୍ତ୍ତିତ ହୁଏ ଏକ ପ୍ରାଣୀ ବା ଉଦ୍ଭିଦ ରୂପରେ । ହିନ୍ଦୁ ଶାସ୍ତ୍ରାନୁସାରେ ଇଶ୍ୱର ୫୬କୋଟି ଭିନ୍ନ ଭିନ୍ନ ଜୀବର ସର୍ଜନାକାରୀ । ତନ୍ମଧ୍ୟରୁ ୧୪କୋଟି ଜୀବ ଜଳରେ,୧୪କୋଟି ଜୀବ ସ୍ଥଳରେ,୧୪ କୋଟି ଜୀବ ବାୟୁରେ ଏବଂ ୧୪ କୋଟି ଜୀବ ପାତାଳପୁରବାସୀ । ଏମାନଙ୍କ ପାଇଁ ତିନୋଟି ଲୋକର ଗଠନ ଇଶ୍ୱରଙ୍କ ଦ୍ବାରା କରାଯାଇଛି । ଏହି ଲୋକ ପୃଥିବୀର ଉପରକୁ ତିନିଲୋକ ଓ ପୃଥିବୀ ତଳକୁ ତିନିଲୋକ ଅଛି । ଉପରକୁ ସୂର୍ଯ୍ୟଲୋକ,ସ୍ବର୍ଗଲୋକ,ବ୍ରହ୍ମଲୋକ ଥିବା ବେଳେ ତଳକୁ ନାଗଲୋକ,ଯକ୍ଷଲୋକ ଓ ପାତାଳଲୋକ ଅବସ୍ଥିତ  । ତେବେ ଏହା କେବଳ ହିନ୍ଦୁ ଧର୍ମର ବେଦ ପୁରାଣ ଅନ୍ତର୍ଗତ । ଅନ୍ଯ ସମସ୍ତ ଧର୍ମ ଆତ୍ମାକୁ ଭିନ୍ନ ଭିନ୍ନ ନାମ ରୂପରେ ବର୍ଣ୍ଣନା କରନ୍ତି । କିନ୍ତୁ ଆତ୍ମା ଅଦୃଶ୍ୟ ବୋଲି ସମସ୍ତଙ୍କ ସ୍ବୀକାରୋକ୍ତି । ସର୍ବଧର୍ମର ଚିନ୍ତୁକଗଣ ଆତ୍ମାର ରୂପକୁ ଭିନ୍ନ ଭିନ୍ନ ରୂପମତ ପ୍ରଦାନ କରିଛନ୍ତି । ଆତ୍ମା ହେଲା ବାୟୁ ଓ ରଶ୍ମୀର ସମିଶ୍ରଣ ରୂପ, ଯାହା କେବଳ ଇଶ୍ୱରଙ୍କ ଦ୍ବାରା ସୃଷ୍ଟି ଅଟେ । 

         ଆତ୍ମା ଶରୀର ପ୍ରାପ୍ତ କରି ଇଶ୍ୱରଙ୍କର କିଛି ଉଦ୍ଦେଶ୍ଯ ପୂରଣ ପାଇଁ ଭୂପୃଷ୍ଠକୁ ଆସିଥାଏ ; କିନ୍ତୁ ସେ ଶରୀର ଧରି ଭୂପୃଷ୍ଠରେ ଓହ୍ଲାଇବା ମାତ୍ରେ ବିସ୍ମରଣ ହୋଇଯାଏ ତା'ର ଇଶ୍ୱରଙ୍କ ନିର୍ଦ୍ଦେଶନାମା । ସେଲାଗି ଭାଗ୍ଯର ରଚନା କରିଛନ୍ତି ଇଶ୍ୱର, ଯାହା ତାଙ୍କ ଉଦ୍ଦେଶ୍ଯ ପୂରଣ ଦିଗକୁ ଭିଡ଼ି ନିଏ । ଆତ୍ମା ଭୂପୃଷ୍ଠ ଅବତରଣ କରିବା ପରେ ସଂସାରର ମୋହମାୟା ଜାଲରେ ଫସି ଦୁଃଖ-ଯନ୍ତ୍ରଣାଭୋଗୀ ପାଲଟି ଯାଏ । ବିଜ୍ଞାନ ବି ମାନି ନେଇଛି ଆତ୍ମାର ଅବସ୍ଥିତି । କିନ୍ତୁ ସେ ଆତ୍ମାକୁ ଏକ ଶକ୍ତି ବା ଉର୍ଜା ରୂପେ ବିବେଚନା କରିଛି । ବିଜ୍ଞାନ ପ୍ରମାଣ ଅନୁସାରେ ଶକ୍ତି କେବଳ ଏକ ରୂପରୁ ଅନ୍ଯ ରୂପକୁ ପରିବର୍ତ୍ତନ ହୋଇଯାଏ । ଅର୍ଥାତ ଯେବେ କୌଣସି ଜୀବର ମୃତ୍ୟୁ ଘଟେ, ତା' ଶରୀରଟାକୁ ଏକ ସ୍ଥାନରେ ପୋତି ଦିଆଯାଏ । କିଛିଦିନ ମଧ୍ଯେ ଶରୀରଟି ମାଟିରେ ମିଳେଇଯିବା ସହ ପୋଷକ ତତ୍ତ୍ବ ଯୋଗୁଁ ସେଠାରେ ଗୁଡ଼ିଏ ବୃକ୍ଷ ଦେଖିବା ପାଇଁ ମିଳେ । ଏପରି ଏକ ରୂପରୁ ଅନ୍ଯ ରୂପକୁ ଆତ୍ମାର ପରିବର୍ତ୍ତନ । ତେବେ ଆମେ ଭୂତମାନଙ୍କ ବିଷୟରେ ଜାଣିବା । ଭୂତଙ୍କ ବିଷୟରେ ବିଜ୍ଞାନର ମତ ଏକ ଭିନ୍ନ ପ୍ରକାରର । ବିଜ୍ଞାନ ଭୂତ ମାନଙ୍କ ଅସ୍ତିତ୍ୱକୁ ବିଶ୍ବାସ  କରେନି ।

              ସାଧାରଣତଃ କୁହାଯାଏ କି, କୁକୁର ଓ ବିଲେଇ ମାନଙ୍କୁ ଭୂତ ମାନଙ୍କର ଅନୁଭବ ବହୁତ ଜଲ୍‌ଦି ହୋଇଥାଏ । ମନୁଷ୍ଯମାନେ ୨୦HZରୁ ନେଇକି ୨୦,୦୦୦HZ ପର୍ଯ୍ୟନ୍ତ ଫ୍ରିକ୍ବେନ୍ସିର ଶବ୍ଦ ଶ୍ରବଣ କରିପାରନ୍ତି । ୨୦,୦୦୦HZ ଫ୍ରିକ୍ବନ୍ସିର ତଳକୁ ଶବ୍ଦ ଶୁଣିବା ଜଟିଳସାଧ୍ଯ ; ଏହାକୁ କହନ୍ତି ଇନ୍‌ଫ୍ରା ସଉଣ୍ଡ୍‌ । ଏହି କମ୍‌ ସାଉଣ୍ଡ୍‌କୁ କୁକୁର ଓ ବିଲେଇମାନେ ଶୁଣି ପାରନ୍ତି । ଡ଼କ୍ଟର ରିଚାର୍ଡ ୱାଇଯମେନଙ୍କ ମତାନୁସାରେ ଆମେ ଇନ୍‌ଫ୍ରା ସାଉଣ୍ଡ୍‌କୁ ଶୁଣି ପାରିବା ନାହିଁ କିନ୍ତୁ ଅନୁଭବ କରିପାରିବା । ଏହା ଆମ ମନରେ ନକରାତ୍ମକ ଓ ସକରାତ୍ମକ ଚିନ୍ତାଧାରା ଉତ୍ପନ୍ନ କରାଇଥାଏ ।ଆମ ଆଖିର ଚଞ୍ଚଳତା ବି ଇନ୍‌ଫ୍ରା ସାଉଣ୍ଡ୍‌କୁ ଉତ୍ପନ୍ନ କରିଥାଏ । କେବେ କେବେ ଇନ୍‌ଫ୍ରା ସାଉଣ୍ଡ୍‌ କାରଣରୁ ଆମ ମନରେ ନେଗେଟିଭ୍‌ ଭାବନା ଆସିଥାଏ । ଯଦି ହଠାତ ଆମେ ଶୂନଶାନ ଜାଗାରେ ଥିବା ତେବେ ଆମେ କହିପାରନ୍ତେ କି ସେଠି ଭୂତ ମାନଙ୍କର ସାୟା ଅଛି । ଏଭଳି ଚଞ୍ଚଳତାର ଅନୁଭବ ଜୀବଜନ୍ତୁ ମାନଙ୍କୁ ତୁରନ୍ତ ହୁଏ । କୁହାଯାଏ କି, ଭୂତ ମାନଙ୍କ ବାସସ୍ଥାନ ସ୍ଥଳୀରେ ଥଣ୍ଡା ଅନୁଭୂତ ହୁଏ ଏବଂ ସେ ଜାଗାରେ ଯଦି ଗୋଟେ ପାଦ ଆଗକୁ ଯାଇ ଗୋଟେ ପାଦ ପଛକୁ ଆସିବେ ତେବେ ତାପମାତ୍ରା ପୁନରାୟ ନର୍ମାଲ ହୁଏ । ଘୋଷ୍ଟ ହଣ୍ଟରଙ୍କ ଅନୁସାରେ ଏକ ଥଣ୍ଡା ସ୍ଥାନ ଅସାଧାରଣ ଗତିବିଧିର ସଂକେତ ହୋଇଥାଏ । ବିଜ୍ଞାନ କହେ ସବୁ ଜିନିଷର ନିଜର ତାପମାତ୍ରା ଥାଏ  ।

              ବିନା ରଙ୍ଗ ଓ ବିନା ଗନ୍ଧ ବାଲା ଗ୍ଯାସ "କାର୍ବନ ମନୋକ୍ସାଇଡ଼୍‌", ତେଣୁ ଏହାର ପତା ଲଗାଇବା ବହୁ ଜଟିଳ । ଏହି ଗ୍ଯାସ୍‌ ବିଷାକ୍ତ ; ଆମର ନାଲି ରକ୍ତର କୋଷ ଗୁଡ଼ିକ ଅକ୍ସିଜେନ ତୁଳନାରେ କାର୍ବନ ମନୋକ୍ସାଇଡ଼୍‌ ଗ୍ଯାସକୁ ଗ୍ରହଣ କରେ, ଫଳତଃ ଶରୀରରେ ଅକ୍ସିଜେନ ମାତ୍ରା କମିଯାଏ । ଅକ୍ସିଜେନ ମାତ୍ରା କମିବା ହେତୁ ବହୁ ହାଲିଆ ଲାଗେ, ଅଦ୍ଭୂତ ପ୍ରକାରର ଜିନିଷ ସବୁ ଦେଖାଯାଏ ଯାହାକୁ ସମସ୍ତେ ଭୂତ ଭାବନ୍ତି । ପରେ ସେହି ଲୋକର ମୃତ୍ୟୁ ହୋଇଯାଏ । Quantum Mechchanicsରେ କୌଣସି ବି ପଦାର୍ଥକୁ Atom ଲେବୁଲରେ Study କରାଯାଏ । ଡକ୍ଟର ହାମରୋ ଓ ତାଙ୍କ ଭୌତିକ ବିଜ୍ଞାନୀ ବନ୍ଧୁ ରୋଜର ପେନରୋଜଙ୍କ ମତାନୁସାରେ - ମନୁଷ୍ଯର ଚେତନା ଆମ ମସ୍ତିଷ୍କର କୋଷଗୁଡ଼ିକ ଭିତରେ ଥିବା ନଳମୁଣ୍ଡରୁ ଆସିଥାଏ ଓ ଏହି ନଳିକା ଦ୍ଦାରା Quantum processing  ହୋଇଥାଏ । ମଣିଷର ମୃତ୍ୟୁ କାଳ ନିକଟତର ହେଲେ ମସ୍ତିଷ୍କ ସ୍ଥିତ ସମସ୍ତ Quantum In-formations ସବୁ ବାହାରକୁ ବାହାରିବାକୁ ଲାଗେ । କିନ୍ତୁ Quantum In-formations ବାହାରିଥିବା ପରେ ବି ଅସ୍ତିତ୍ୱରେ ରହିଥାଏ ।ଏଥିଲାଗି କିଛି ଲୋକout of body experience କଥା କୁହନ୍ତି ଏବଂ ଗୋଟେ ଆଲୋକକୁ ଦେଖିଥା'ନ୍ତି ।

          ୨୦୧୩ରେ ବଙ୍ଗଳା ଦେଶରେ ଏକ ଗାର୍ମେଣ୍ଟ ଫ୍ଯାକ୍ଟ୍ରିରେ ୩୦୦୦ କର୍ମଚାରୀ ଆନ୍ଦୋଳନ କରିଥିଲେ । ଆନ୍ଦୋଳନର କାରଣ ଭିନ୍ନ ପ୍ରକାରର ଥିଲା । କାରଣ ଥିଲା ଯେ, ଲେଡ଼ିସ୍‌ ଟଏଲେଟ୍‌ରେ ଜଣେ ଅତୃପ୍ତ ଆତ୍ମା ଜଣେ ମହିଳା କର୍ମଚାରୀ ଉପରେ ଆକ୍ରମଣ କରିଥିଲା । ଯଦ୍ଦ୍ବାରା ସମସ୍ତ କର୍ମଚାରୀ ସେଠି ଆନ୍ଦୋଳନ କଲେ । ସମସ୍ତଙ୍କୁ ଆୟତରେ ଆଣିବାକୁ ପୁଲିସି ବି ଲାଠି ମାଡ଼ କରିଥିଲା । କର୍ମଚାରୀ ମାନଙ୍କ ଇଚ୍ଛା ଭୂତକୁ ସେଠୁ ବାହାର କରାଯାଉ । ଏମିତି ଏକ ଘଟଣା ପଟାଙ୍ଗର ଏକ ବିଦ୍ଯାଳୟରେ ବି ହୋଇଥିଲା । ଯେବେ ଜଣେ ବୃଦ୍ଧା ଭୂତକୁ ଦେଖିଲେ ତେବେ ବିଦ୍ଯାଳୟର ୨୨ଜଣ ଛାତ୍ର - ଛାତ୍ରୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲା । ଏ ଦୁଇଟି ଘଟଣାରେ କର୍ମଚାରୀ ଓ ଛାତ୍ର-ଛାତ୍ରୀ ମାନେ ସାଇକୋଲୋଜିକାଲ ଘଟଣାର ଅନୁଭବୀ ଥିଲେ । ଯାହାକୁ Mass Hysteria କୁହାଯାଏ । କେବେ କେବେ ଫଟୋ ଉତ୍ତୋଳନ ବେଳେ ଆଲୋକର କିଛି ଅଂଶ କ୍ଯାପ୍‌ଚର ହୋଇଯାଏ, ଏ ଦୃଶ୍ଯ ଲୋକ ମାନଙ୍କ ମନରେ ଭୂତର ଭ୍ରମ ସୃଷ୍ଟି କରେ । ଯଦି କିଛି ପୋକ କ୍ଯାମେରା ଆଗକୁ ଚାଲିଆସେ ତେବେ ଉଠିଥିବା ଫଟୋରେ ବ୍ଲୁ ର ଆସେ ଓ ଏହା circle ଆକୃତିର ଦିଶେ, କ୍ଯାମେରା ପ୍ଲାସ୍‌ ଯୋଗୁଁ ଏହା ଚମକୁଥାଏ । ଏହାକୁ  ଲୋକେ ଭୂତ ଆଖ୍ୟା ଦିଅନ୍ତି  ।

      ଦୁନିଆରେ କିଛି ଲୋକ ଭୂତକୁ ଦେଖିଥିବାର କହନ୍ତି । ତାଙ୍କ ମତାନୁସାରେ ତାଙ୍କ ଆଡ଼କୁ କିଛି ଛାଇ ପରି ଅଣେଇ ହୋଇ ରହିଥାଏ । ଏହାକୁ ତାଙ୍କ ଭାଷାରେ ଭୂତ ଭାବନ୍ତି ଲୋକେ । ବୈଜ୍ଞାନିକଗଣ ଯେବେ ଏକ ବ୍ଯକ୍ତିର ମସ୍ତିଷ୍କ ପରୀକ୍ଷା କଲେ ଏକ ଭୟଂକର ଜିନିଷ ପାଇଲେ । ରୋଗୀଟି କହିଲା ତା' ପଛରେ ତା'ରି ଆକୃତିର କେହି ଜଣେ ଦଣ୍ଡାୟମାନ । ବାସ୍ତବ କଥା ହେଲା କି, ବୈଜ୍ଞାନିକମାନେ ରୋଗୀ ମସ୍ତିଷ୍କର ବାମପଟର ଏକ ଅଂଶକୁ ଉତ୍ତେଜିତ କରିଥିଲେ । ଏହା ଏମିତି ଏକ ଅଂଶ ଯାହା ନିଜ ବିଚାରକୁ ପରିଭାଷିତ କରେ । କେବେ କେବେ ଆମେ ଅଜଣା ଛାଇକୁ ଅନୁଭବ କରୁ ; ସେ ସବୁ ଭ୍ରମ ଧାରଣା ହୋଇଥାଏ ।

      ଶ୍ରୀମଦ ଭଗବତ ଗୀତାରେ ଆତ୍ମା ବିଷୟରେ ବହୁ ତଥ୍ଯ ଉପସ୍ଥାପନ ହୋଇଛି । କୁହାଯାଏ ଯେ ଆତ୍ମା ଅବିନାଶୀ, ଏହାର ପ୍ରଭାବ କାହା ଉପରେ ପଡ଼େନି । ସ୍ବାଭାବିକ ଭାବେ ଇଶ୍ୱରଙ୍କ ଠାରେ ବିଲୀନ ହେବା ଆତ୍ମାର ଗୁଣ । ଯେ ପର୍ଯ୍ୟନ୍ତ ସେ ଇଶ୍ୱରଙ୍କ କତିରେ ବିଲୀନ ନ ହୋଇଛି, ସେ ପର୍ଯ୍ୟନ୍ତ ଆତ୍ମା ଏକ ଘଟରୁ ଅନ୍ଯ ଘଟକୁ ଘୂରି ବୁଲେ । ଇଶ୍ୱରଙ୍କ ବିନା କୃପାରେ ଆତ୍ମାକୁ ଦେଖି ହୁଏନା । ଆତ୍ମା ନିରାକାର, ବାୟୁ ପରି ଗତିଶୀଳ । ଏହାର କୌଣସି ପଞ୍ଚତତ୍ତ୍ୱ ନଥାଏ । ଅନୁଭବ କରିହୁଏ ସିନା ଦେଖି ହୁଏନି ଆତ୍ମାକୁ । ସର୍ବଦା ଶରୀର ବଦଳକାରୀ ଏଇ ଆତ୍ମା । ଶେଷ ସମୟ ଆସିଲେ ଆତ୍ମା ଭଗବାନଙ୍କ ଠାରେ ଲୀନ ହୋଇଯାଏ ।ଆତ୍ମା ଖରାପ କି ଭଲ ହୋଇନଥାଏ । ଏହା ସହ ଯୋଡ଼ି ହୋଇ ରହିଥିବା ଶରୀରର ମନ ବା ସଂସ୍କାର ଖରାପ ହୋଇଥାଏ । ଯେଉଁ ଆତ୍ମାର ଖରାପ ସଂସ୍କାର ଥାଏ ସେ ଆତ୍ମାର ମନ ଏବଂ ବିଚାର ଖରାପ ହୋଇଥାଏ । ତାନ୍ତ୍ରିକମାନେ ଏହି ଆତ୍ମାର ଖରାପ ପ୍ରୟୋଗ କରିଥା'ନ୍ତି । 

      ହିନ୍ଦୁ ପୁରାଣ ଅନୁସାରେ ମନୁଷ୍ଯ ମଲା ପରେ ଶବ ସଂସ୍କାର ହୋଇସାରିବା ପରେ ତା'ର ଆତ୍ମା ଅତିବାହିତ ବା ଲିଙ୍ଗ - ଶରୀର ଧାରଣ କରେ, ତତ୍ପରେ ତା' ଔର୍ଦ୍ଧଦୈହିକ କ୍ରିୟା (ପିଣ୍ଡଦାନ, ଶ୍ରାଦ୍ଧାଦି) ସମ୍ପାଦିତ ହେବା ବେଳେ ସେ ପ୍ରେତ -ଶରୀର ବା ଭୋଗ ଶରୀର ଧାରଣ କରେ । ସପିଣ୍ଡିକରଣ ଯାଏଁ ଏ ଶରୀର ରହେ, ସପିଣ୍ଡିକରଣାନ୍ତେ ମନୁଷ୍ଯ ପ୍ରତତତ୍ତ୍ବରୁ ମୁକ୍ତ ହୋଇ ନିଜ କର୍ମାନୁସାରେ ସ୍ବର୍ଗ ବା ନର୍କକୁ ଯାଏ । ଯେଉଁ  ବ୍ୟକ୍ତିର ଶ୍ରାଦ୍ଧାଦି ଔର୍ଦ୍ଧଦୈହିକ କ୍ରିୟା ହୋଇ ନଥାଏ ସେ ପ୍ରେତ ହୋଇ ରହେ । ପୁରାଣ କହେ ପାପୀ,ଅଦାତା,ପରସ୍ତ୍ରୀଗାମୀ,ମିଥ୍ୟାବାଦୀ,ନିଷ୍ଠୁର, ମାଦକସେବୀ ଓ କୁକର୍ମକାରୀ ବ୍ଯକ୍ତିମାନେ ମୃତ୍ୟୁ ଅନ୍ତେ ପ୍ରେତ ହୋଇ ରହନ୍ତି ।ପ୍ରେତ ମାନଙ୍କ ନିବାସ ମଳମୂତ୍ରାଦି ଅପରିଷ୍କୃତ ସ୍ଥାନ ଓ ସେମାନଙ୍କର ଖାଦ୍ଯ ଅପବିତ୍ର ବସ୍ତୁ । 

    ଆଜିର ବିଜ୍ଞାନ ଯୁଗରେ ଭୂତ-ପ୍ରେତଙ୍କୁ ବିଶ୍ବାସ ନକରୁଥିଲେ ବି,ବାସ୍ତବ କଥା ଭୂତ-ପ୍ରେତ ବୋଲି କିଛି ଅଛି । ଏମିତି କିଛି ଜାଗା ଅଛି ଯୋଉଠି ରାସ୍ତାରେ ବିଚରଣ କରନ୍ତି ଭୂତ-ପ୍ରେତ । ଜାତୀୟ ରାଜପଥରେ ଭୂତ-ପ୍ରେତଙ୍କ ବିଚରଣ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ରାଞ୍ଚିର ଜାମସେଦପୁର ୩୩ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ  ମନ୍ଦିର ରହିଛି । କୁହାଯାଏ କି ଏ ବାଟ ଦେଇ ଯେଉଁ ବ୍ୟକ୍ତି ଯାତାୟତ କରନ୍ତି, ସେ ଯଦି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ନ କରି ଚାଲିଯା'ନ୍ତି ତେବେ ସେ ଏକ ଅଦୃଶ୍ୟ ଶକ୍ତିର ଆକ୍ରମଣର ଶିକାର ହୁଅନ୍ତି । ଯାହାଦ୍ୱାରା ଦୁର୍ଘଟଣାରେ ପ୍ରାଣ ଯାଏ ।

           ଦିଲ୍ଲୀର କ୍ଯାଣ୍ଟନମେଣ୍ଟ ରୋଡ଼କୁ ଭୂତଙ୍କ ଆବାସସ୍ଥଳୀ କୁହାଯାଏ । ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଜଣେ ମହିଳା ଏ ରାସ୍ତାରେ ଯିବା ଆସିବା କରିବାର ଦେଖାଯାଏ।ସେ ପ୍ରଥମେ ଲିଫ୍ଟ ମାଗିଥାଏ। କୁହାଯାଏ ଯେଉଁମାନେ ତାକୁ ଲିଫ୍ଟ ଦେଇଛନ୍ତି ସେମାନେ ପୁନର୍ବାର ଆଉ ଫେରି ନାହାନ୍ତି । ଯେଉଁମାନେ ଲିଫ୍ଟ ଦେବାକୁ ମନା କରିଦିଅନ୍ତି, ତାଙ୍କ ଗାଡ଼ି ସହ ଭୂତଟି ସମାନ ଗତିରେ ଦୌଡିଥାଏ । ନଚେତ ଗାଡ଼ି ଉପରେ ବସିପଡ଼େ । ଏ ପ୍ରେତାତ୍ମା ବହୁବର୍ଷ ହେବ ସେଠି ବୁଲୁଛି ବୋଲି ସ୍ଥାନୀୟ ଲୋକେ କହନ୍ତି । ଆଉ ଗୋଟିଏ ରୋଡ଼ ହେଲା - ରାଜ୍ଯ ରାଜପଥ-୪୯, ପୂର୍ବତଟ ରୋଡ଼ । ଏ ରାଜପଥ ତାମିଲ୍‌ନାଡୁକୁ ପଶ୍ଚିମବଙ୍ଗ ସହ ଯୋଡ଼ିଥାଏ  । ଏ ରାଜପଥର ଚେନ୍ନାଇ ଓ ପଣ୍ଡିଚେରୀ ମଧ୍ଯରେ ଏକ ଭୟାନକ ଜାଗା ଅଛି  । ଅନେକ ଗାଡ଼ି ଚାଳକଙ୍କ ମତ - ସେଠାରେ ପହଞ୍ଚିବା ମାତ୍ରେ ହଠାତ ଦେହ ଖରାପ ହୋଇଯାଏ । କିଛି ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ଏ ରାସ୍ତାରେ ରାତ୍ରି କାଳରେ ହଠାତ୍ କେହି ଜଣେ ମହିଳା ଧଳା ଲୁଗା ପିନ୍ଧି ଗାଡ଼ି ସାମ୍ନାକୁ ଚାଲିଆସେ । ଏହାପରେ ଗାଡ଼ିଟି ଦୁର୍ଘଟଣାର ଶିକାର ହୁଏ ।ଆଉ ଗୋଟିଏ ହେଉଛି ଦିଲ୍ଲୀ-ଜୟପୁର ଏନ୍‌.ଏଚ୍‌ । ରାଜସ୍ତାନରେ ଥିବା ଭାନଗଡ଼ କିଲା ଦେଶର ସବୁଠାରୁ ଭୟଙ୍କର ସ୍ଥାନ ଭାବେ ଜଣାଯାଏ । କହନ୍ତି ଏହା ଅନେକ ଆତ୍ମାଙ୍କର ଆଶ୍ରୟସ୍ଥଳୀ । ଏହା ଦିଲ୍ଲୀ-ଜୟପୁର ହାଇୱେ ମଧ୍ଯବର୍ତ୍ତୀ ଅଞ୍ଚଳ । ଏଠାକାର ଲୋକ ମାନଙ୍କର କହିବାନୁସାରେ କିଛି ଅଦୃଶ୍ୟ ଶକ୍ତି ତାଙ୍କୁ ପଛପଟୁ ଧକ୍କା ଦେଇଥାଏ । ଆଧୁନିକ ସମାଜରେ ଅନେକ ଅନ୍ଧବିଶ୍ୱାସ ବା କୁସଂସ୍କାର ଭାବି ଏଡାଇ ଦେଇପାରନ୍ତି ; ତେବେ ଘଟଣାର୍ଶିକାର ହୋଇଥିବା ଲୋକମାନେ ଏହାକୁ ଭୁଲି ପାରୁନାହାନ୍ତି । 

       ପୁଣେର ଶନିବାର ୱାଡା କିଲା ଭୂତଙ୍କ ସ୍ଥାନ କହନ୍ତି । ଏ କିଲାକୁ ନେଇ କିଛି ରୋଚକ ତଥ୍ଯ ଶୁଣିବାକୁ ମିଳେ । ଏଠି ପେଶୱାର ରାଜକୁମାର ଛୁଆଙ୍କର ଆତ୍ମା ବାସ କରେ ବୋଲି କୁହାଯାଏ । ଶୁଣିବାକୁ ମିଳେ ଯେ, କ୍ଷମତାର ଲାଳସାରେ ଅଠର ବର୍ଷୀୟ ରାଜକୁମାର ନାରାୟଣ ରାଓଙ୍କୁ ଏ ମହଲରେ ହତ୍ୟା କରାଯାଇଥିଲା । ଏ ସମୟରେ କ୍ଷମତାରେ ପେଶୱା ଥିଲା ଓ ନାରାୟଣ ରାଓଙ୍କୁ ପେଶୱାଙ୍କର ରାଜକୁମାର କରାଯାଇଥିଲା । ଏଥିରେ ତାଙ୍କ ଖୁଡ଼ି ଆନନ୍ଦୀବାଈ ଖୁସି ନଥିଲେ ।ଷଡ଼ଯନ୍ତ୍ର ପୂର୍ବକ ସେ ତାଙ୍କୁ ହତ୍ୟା କରିଥିବାର ସୂଚନା ମିଳେ । ନିଜ ପ୍ରାଣରକ୍ଷା ପାଇଁ ନାରାୟଣ ରାଓ ପୂରା ମହଲରେ ଲୁଚିବାକୁ ଚେଷ୍ଟା କରିଥିଲା । ମାତ୍ର ହତ୍ୟାକାରୀ କବଳରୁ ବର୍ତ୍ତି ପାରିନଥିଲା । ସେ ନିଜକୁ ରକ୍ଷା କରିବାକୁ ଚିତ୍କାର କରି ନିଜର ଦାଦାଙ୍କୁ ଡ଼ାକିଥିଲା, ମାତ୍ର କେହି ବି ସହାୟତାର ହାତ ବଢ଼ାଇ ନଥିଲେ । ଏ ମହଲ ନିକଟରେ ବାସ କରୁଥିବା ଲୋକଙ୍କୁ ଆଜି ବି ଚିତ୍କାର ଶୁଣିବାକୁ ମିଳେ ଏ ମହଲରୁ । "ବଚାଓ, ବଚାଓ" ଆୱାଜ କରି କେହି ଡ଼ାକୁଥିବାର ଶବ୍ଦ ଅମାବସ୍ୟା ରାତ୍ରିରେ ଶୁଭିଥାଏ। ପୂର୍ଣ୍ଣିମା ରାତ୍ରିରେ ଏ ଶବ୍ଦ ଆହୁରି ଭୟାନକ ଶୁଭେ ।

      ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଆମେରିକାର ହ୍ବାଇଟ ହାଉସରେ ବି ଆତ୍ମାଙ୍କର ନିବାସ, ବିଶ୍ବାସ ନ ହେଲେ ବି କଥାଟି ସତ୍ଯ । ଏଠି ଅନେକ ଲୋକ ଆତ୍ମାକୁ ଅନୁଭବ କରିସାରିଛନ୍ତି । ହ୍ବାଇଟ ହାଉସ ଆମେରିକା ରାଷ୍ଟ୍ରପତିଙ୍କର ନିବାସ ସ୍ଥାନ । ଏଠି ଏତେ କଡ଼ା ସୁରକ୍ଷା ଯେ ସେଠାରେ ବିନା ଅନୁମତିରେ ପକ୍ଷୀ ବି ପର ଉଡ଼ାଇ ପାରେନା । କିନ୍ତୁ ଏହାର ଅଗଣାରେ ଏମିତି ଏକ ରହସ୍ୟ ଅଛି ଯାହାକୁ ଜାଣିଲା ପରେ ଯେ କେହି ବି ହୋଇଥାଉ, ତା'ର ଲୋମ ଟାଙ୍କୁରି ଉଠିବ । କୁହାଯାଏ ହ୍ବାଇଟ ହାଉସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କର ଆତ୍ମା ଆଜି ବି ଘୂରି ବୁଲେ । ଆବ୍ରାହମ ଲିଙ୍କନ ଆମେରିକାର ୧୬ତମ ରାଷ୍ଟ୍ରପତି ଥିଲେ । ୧୮୬୫ରେ ହ୍ବାଇଟ ହାଉସ ଭିତରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛିଦିନ ପରେ ହିଁ ଲୋକମାଙ୍କୁ ଆବ୍ରାହମ ଲିଙ୍କନଙ୍କର ଆତ୍ମା ଦେଖିବାକୁ ମିଳିଥିଲା । ସର୍ବପ୍ରଥମେ ଆମେରିକାର ୩୦ତମ ରାଷ୍ଟ୍ରପତି କେଲ୍ବିନ କୁଲିଜଙ୍କ ସ୍ତ୍ରୀ ଗ୍ରେସ କୁଲିଜ ହ୍ବାଇଟ ହାଉସରେ ଆବ୍ରାହମ ଲିଙ୍କନଙ୍କ ଆତ୍ମାକୁ ଅନୁଭବ କରିଥିଲେ । ସେ କହିଥିଲେ ହ୍ବାଇଟ ହାଉସର ଏକ କୋଠରୀର ଝରକା ପାଖରେ ଆବ୍ରାହମ ଲିଙ୍କନ ଛିଡ଼ା ହୋଇଥିବାର ଅନୁଭବ କରିଥିଲେ । ତାଙ୍କୁ ବହୁତ ଥର ଏମିତି ଲାଗୁଥିଲା ଯେ ତାଙ୍କ ଆଖପାଖରେ ଲିଙ୍କନ ବସିଛନ୍ତି । କୁହାଯାଏ ଯେ ନେଦରଲାଣ୍ଡର ମହାରାଣୀ ୱିଲନିଆ ବି ହ୍ବାଇଟ ହାଉସରେ ଆବ୍ରାହମଙ୍କର ଆତ୍ମାକୁ ଦେଖିଥିଲେ । ଆମେରିକା ଯାତ୍ରା ବେଳେ ସେ ଗୋଟିଏ ଥର ହ୍ବାଇଟ ହାଉସରେ ରହିଥିଲେ । ମଧ୍ୟରାତ୍ରିରେ କେହି ଜଣେ କବାଟ ବାଡ଼େଇବାର ଶୁଭାଗଲା । ସେ କବାଟ ଖୋଲନ୍ତେ ତ, ସାମ୍ନାରେ ଆବ୍ରାହମ ଲିଙ୍କନ । ସେ ଭୟଭୀତ ହୋଇଯାଇଥିଲେ । ବ୍ରିଟେନର ଜଣେ ପୂର୍ବ ରାଷ୍ଟ୍ରପତି ବି ହ୍ବାଇଟ ହାଉସରେ ଆବ୍ରାହମଙ୍କର ଆତ୍ମା ଦେଖିଛନ୍ତି । ସେ ଥରେ ମାତ୍ର ଆମେରିକା ଆସିଥିବା ବେଳେ ହ୍ବାଇଟ ହାଉସରେ ରହିଥିଲେ । ବାଥ୍‌ରୁମରୁ ଗାଧୋଇ ସାରି ଫେରିଲା ବେଳକୁ ସେ ଦେଖିଲେ ସିଗାରେଟ୍‌ ଜଳୁଥିଲା ଓ ତା' ପାଖରେ ଆବ୍ରାହମ ଲିଙ୍କନ ବସିଥିଲେ । ଏ ଘଟଣା ଆଜି ବି ଲୋକଙ୍କ ମନରେ ଭୟ ଜାଗ୍ରତ କରୁଛି ।

     ତେବେ ମଣିଷ ବିଜ୍ଞାନ ଯୁଗରେ ପାଦ ଦେଲେ ବି ନକରାତ୍ମକ ଶକ୍ତିକୁ ବି ବିଶ୍ବାସ କରିବା ଉଚିତ । କେତେଜଣ କହନ୍ତି  ଆମେ ଆତ୍ମାକୁ ଦେଖିନୁ।କିନ୍ତୁ ଭଗବାନଙ୍କୁ ମାନନ୍ତି । ଯଦି ଭଗବାନ ଅଛନ୍ତି ତେବେ ଆତ୍ମା କାହିଁକି ନାହାନ୍ତି ? ଭଗବାନଙ୍କୁ ସ୍ବଚକ୍ଷୁରେ କେହି ଦେଖିଛନ୍ତି କି ? ଯଦି ନା, ତେବେ ମାନୁଛନ୍ତି କେମିତି ଯେ ଭଗବାନ ଅଛନ୍ତି ବୋଲି ? ସେତିକି ନିଷ୍ଠା, ଉଚିତ୍‌ ଭକ୍ତି ତଥା ଧର୍ମ କାର୍ଯ୍ଯରେ ବ୍ରତୀ ବ୍ଯକ୍ତି ଭଗବାନଙ୍କୁ ଦେଖିପାରେ । ପୁରାଣ ବର୍ଣ୍ଣିତ ଧର୍ମପଦ, ସୁଦାମା, ପ୍ରହ୍ଲାଦଙ୍କ ଅଗାଧ ଭକ୍ତି ପରି ନିଜର ଆଚରଣ ଓ ମନକୁ ସେ ଭଳି ରୂପାନ୍ତରିତ କରିପାରିଲେ ଦେଖି ହେବ । ସେମିତି ଖରାପ ସମୟ ନ ପଡ଼ିଲେ କି ଉପଯୁକ୍ତ ସମୟ ନ ଆସିଲେ ଆତ୍ମା ସହ ସମ୍ମୁଖୀନ ହେବା ସମ୍ଭବ ନୁହେଁ । ତେଣୁ ଆତ୍ମାର ବି ସ୍ଥିତି ଅଛି, ଅଲଗା ଏକ ଇଲାକା ଅଛି ବୋଲି ମିଥ୍ୟା ପ୍ରମାଣିତ ହୋଇପାରିବ ନାହିଁ । 

             ମୁଁ ବି ଅନେକଙ୍କ ଠାରୁ ଭୂତର ଅନୁଭବ ଶୁଣିଛି । ମତେ ପୁଅ ବୋଲି ସ୍ବୀକାରୋକ୍ତି ଦେଇଥିବା ଜଣେ ମହିୟସୀ ମହିଳା ଗାୟତ୍ରୀ ମିଶ୍ରଙ୍କ ଠାରୁ ମୁଁ ଦିନେ ଶୁଣିବାକୁ ପାଇଲି ତାଙ୍କର ଅନୁଭବ, ଯାହା ଥିଲା ଭୂତଙ୍କ ଉପରେ । ତାଙ୍କୁ ଯେତେବେଳେ ବାରବର୍ଷ ବୟସ ହୋଇଥିଲା, ଆଉ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲେ ପରିବାର ସହିତ। ଏକ ଭଡ଼ା ଘରେ ରହୁଥିଲେ । ଆସ୍କା ସହରର ସ୍ବାଇଁ କଲୋନୀରେ ବଜାର ସାହିରେ ଭଡ଼ା ଘରେ ସେ ଆଉ ତାଙ୍କର ପୂରା ପରିବାରଙ୍କର ରହଣି ଥିଲା । ଘରକୁ ଘର। ଲାଗି ଅନେକ ଘର ସମଷ୍ଟିରେ କଲୋନୀତି ମୁଣ୍ଡ ଟେକି ଛିଡ଼ୀ ହୋଇଥିଲା । ତାଙ୍କ ଭଡ଼ା ଘର ପାଖରେ ଗୋଟିଏ ପରିବାର ଥିଲେ ; ସେଇ ପରିବାରରେ ଜଣେ ସ୍ତ୍ରୀଲୋକ ଥିଲେ ଯିଏକି ସାତ-ଆଠ ମାସର ଅନ୍ତସତ୍ତ୍ବା ଥିଲେ । ଥରେ ସେ କୌଣସି କୀରଣ ପାଇଁ ରୋଷେଇ ଘରେ ଥିବା ଲଙ୍କା ଡ଼ବାରୁ ଲଙ୍କା କାଢ଼ିବା ପାଇଁ ହାତ ପୃରାଇଲା ପରେ ଏକ ଧଳା ବିଛୀଟିଏ ତାଙ୍କୁ କାମୁଡ଼ି ଦେଲା । ଦେଶୀ ଚିକିତ୍ସା କରି ସୁଦ୍ଧା ସୁଫଳ ମିଳିଲା ନାହିଁ । ସନ୍ଧ୍ୟା ୫ଟାରେ ଇହଧାମ ତ୍ଯାଗ କଲେ । କିଛି ଦିନ ଗତ ହେବା ପରେ ଅନେକ ଲୋକ ତାଙ୍କ ଆତ୍ମାକୁ ଦେଖିଥିବାର ମୁଁ ଗାୟତ୍ରୀ ମିଶ୍ରଙ୍କ ଠାରୁ ଶୁଣିବାକୁ ପାଇଲି । ସେ ନିଜେ ମଧ୍ୟ ତାଙ୍କ ଆତ୍ମାକୁ ତାଙ୍କ ଘର ଭିତରେ ଛିଡ଼ା ହୋଇଥିବାର ଦେଖିଛନ୍ତି ବୋଲି ମତେ କହିଲେ । ଆଉ ଜଣେ କରଣ ସ୍ତ୍ରୀଲୋକ ଆଗରୁ ମରିଥିଲେ । ତାଙ୍କ ଆତ୍ମାକୁ ବି ସେ କରଣ। ଘର ବଗିଚାରେ ଠିଆ ହୋଇଥିବାର ଦେଖିଛନ୍ତି ବୋଲି ମୋ ଆଗରେ ସ୍ବୀକାର କରିଛନ୍ତି ।

    ଗାୟତ୍ରୀ ମିଶ୍ରଙ୍କର ଆଉ ଏକ ସ୍ବ-ଅନୁଭୂତି ମୋ ଆଗରେ ବର୍ଣ୍ଣନା କରି କହିଛନ୍ତି । ତାଙ୍କ ସ୍ବାମୀଙ୍କ ମୃତ୍ୟୁ ୨୦୧୧ ମସିହା ମାର୍ଚ୍ଚ ମାସ ୨୧ ତାରିଖ ସୋମବାର ଦିନ ହୋଇଥିଲା । ସେ ଜଣେ ପ୍ରଧାନଶିକ୍ଷକ ଥିଲେ ଓ କଟକରେ ଶିକ୍ଷକତା କରୁଥିଲେ । ଦିନେ ଶନିବାର ଅର୍ଥାତ୍ ୨୦୧୧ ମସିହା ମାର୍ଚ୍ଚ ମାସ ୧୯ ତାରିଖ ଦିନ ଗାୟତ୍ରୀ ମିଶ୍ର ଏକ ସ୍ବପ୍ନ ଦେଖିଲେ ଯେ ତାଙ୍କ ଝିଅ ଧଳାଶାଢ଼ୀ ପିନ୍ଧି ତାଙ୍କ ସାମ୍ନାରେ ଠିଆ ହୋଇଥିଲେ । କିନ୍ତୁ ବାସ୍ତବ କଥା ତାଙ୍କ ଝିଅ ବିବାହ କରିସାରିଥିଲେ ଓ ସଧବା ଥିଲେ । ଏଭଳି ଦୁଃସ୍ବପ୍ନ ଦେଖି ଡ଼ରରେ ନିଦ ଭାଙ୍ଗି ଯାଇଥିଲା ଗାୟତ୍ରୀ ଦେବୀଙ୍କର । ଗାୟତ୍ରୀ ଦେବୀଙ୍କ ସ୍ବାମୀ ସବୁଦିନ ପରି ସେଦିନ ବି ବଡ଼ି ଭୋର୍‌ରୁ ଉଠି ତାଙ୍କ ନିତ୍ଯକର୍ମ ସମାପନ କରିସାରିଲେଣି ।ତାଙ୍କ ସ୍ବାମୀଙ୍କୁ କିଛି ନ କହି ଗାୟତ୍ରୀ ଦେବୀ ଚାଲିଲେ ଉପର ମହଲାକୁ । ସେଠାରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଏ ସ୍ବପ୍ନ ବିଷୟରେ କହିଲେ । ଦିନଯାକ ମନସ୍ତାପରେ କଟିଲା। ତାଙ୍କର । ପରଦିନ ଅର୍ଥାତ ରବିବାର ଦିନ ସକାଳ ୧୧ଟା କି ୧୨ଟା ସମୟ ହେବ,ଗାୟତ୍ରୀ ଦେବୀଙ୍କ ସ୍ବାମୀଙ୍କର ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା । ଅସହ୍ୟ ଯନ୍ତ୍ରଣା,ଏତେ ଯନ୍ତ୍ରଣା ଯେ ସେ ବେଡ୍‌ରେ ବି ଶୋଇ ପାରିଲେନି । ରାତିରେ ଚେୟାର ପକାଇ ଗାୟତ୍ରୀ ଦେବୀଙ୍କ ପାଖରେ ବସିଲେ । ରାତି ପାହି ସକାଳ ହେଲା । ସକାଳୁ ସକାଳୁ କର୍ତ୍ତବ୍ୟ ପରାୟଣ ହୋଇ ନିଜ କର୍ମସ୍ଥଳୀ "ବିଦ୍ଯାଳୟ"କୁ ବାହାରି ଗଲେ ଗାୟତ୍ରୀ ଦେବୀଙ୍କ ସ୍ବାମୀ । ପାଠ ପଢାଇବା ବେଳେ ସକାଳ ଆଠଟାରେ ସ୍କୁଲ୍‌ ରୁମ୍‌ ଭିତରେ ହିଁ ଟଳି ପଡ଼ିଲେ ସେ । ଚାହୁଁ ଚାହୁଁ ଚାଲିଗଲା ପ୍ରାଣବାୟୁ । ଖବର ଆସିଲା ଗାୟତ୍ରୀ ଦେବୀଙ୍କ ପାଖକୁ -"ସାର୍‌ ହସ୍ପିଟାଲରେ, ଆପଣ ଯଥାଶୀଘ୍ର ଆସନ୍ତୁ"।ସମୟ ସେତେବେଳକୁ ସକାଳ ନଅଟା । ଗାୟତ୍ରୀ ଦେବୀ ବାହାରି ଗଲେ,ସେଠାରେ ପହଞ୍ଚି ଦେଖିଲେ ତାଙ୍କ ସ୍ବାମୀ ଆଉ ନାହାନ୍ତି । ସଂସ୍କାର ସରିଲା । ଆଠ-ନଅ ଦିନ ପରେ ସେ ଘର ଛାଡ଼ି ସେ ଅନ୍ୟତ୍ର ଚାଲି ଆସିଲେ । ଔର୍ଦ୍ଧଦୈହିକ କ୍ରିୟା ଯଥାବିଧି ସରିଲା । ବିତିଗଲା ପୁଣି ଆଠ-ନଅ ମାସ । ଅସ୍ଥି ବିସର୍ଜନ ହୋଇ ନ ଥାଏ । ହଠାତ ଦିନେ ସ୍ବପ୍ନ ଦେଖିଲେ -ତାଙ୍କ ସ୍ବାମୀ ଯୋଉ ଘରେ ମରିଥିଲେ, ସେଇ ଘରେ ସେ ବସିଛନ୍ତି । ଉଠି ଚାଲବୁଲ କରନ୍ତି ଓ ପୁଣି ଚେୟାର୍‌ରେ ବସି ପଡ଼ୁଛନ୍ତି ।ତାଙ୍କ ପୁଅକୁ ଡ଼ାକି କହୁଛନ୍ତି "ଆସ୍‌, ବଜାରକୁ ଯିବା, ଜଳଖିଆ ଖାଇ ଆସିବା ।" ବାପାଙ୍କ କଥାକୁ ଅମାନ୍ୟ ନ କରି ପୁଅ ବାପାଙ୍କ ସହ ଚାଲି ଯାଏ ବଜାରକୁ ।ଜଳଖିଆ ଖାଇ ଘରକୁ ଫେରିଆସେ । ଘରକୁ ଆସିଲା ପରେ ଦ୍ବାର ମୁହଁରେ ମୁହଁ ମାଡ଼ି ପଡ଼ିଯାଏ ଓ ସଙ୍ଗେ ସଙ୍ଗେ ସାରା ଶରୀର ପାଉଁଶିଆ ରଙ୍ଗରେ ପରିବର୍ତ୍ତନ ହୋଇଯାଏ । ଏଠାରେ ପାଠକ ଦୃଷ୍ଟି ଦେବେ ଯେ ଏସବୁ ସ୍ବପ୍ନ ହିଁ ଥିଲା । ପୁଅର ଏସନେକ ଅବସ୍ଥା ଦେଖି ମାଆ ଗାୟତ୍ରୀ ଦେବୀ ଚକିତ ହୋଇପଡନ୍ତି । ଭୁବନେଶ୍ବର ରକ୍ଷା କର କହି ପାଦୁକ ପାଣି ସିଞ୍ଚନ କରନ୍ତି । ସେହି ପାଦୁକ ପାଣି ସିଞ୍ଚନ ପରେ ପୁଅ ଉଠି ବସେ  ୟ ତହିଁ ଆରଦିନ ପୁଅ ନିଜେ ସ୍ବପ୍ନ ଦେଖେ ଯେ - ବାପା ତାକୁ ଧଳା ଫୁଲ ମାଗୁଛନ୍ତି । ଏପରି ଦୁଇ-ତିନି ଥର ଦେଖିବା ପରେ ପୁଅଟି ମାଆ ଆଗରେ କହିବାରୁ ମାଆ ସ୍ବଳ୍ପ ଭୀତ ପାଇ ପୁଅକୁ ମନ୍ଦିରରେ ଯାଇ ପୂଜା-ଧ୍ବଜା କରି ଆସିବାକୁ କହିବାରୁ ପୁଅ ସେପରି କଲା । କିଛିଦିନ ପରେ ବର୍ଷିକିଆ ଶ୍ରାଦ୍ଧ ହେଲା ଓ ଅସ୍ଥି ବିସର୍ଜନ ପରେ ଆଉ ସେଭଳି ସ୍ବପ୍ନ ଦୃଶ୍ୟମାନ ହେଲା ନାହିଁ । ଏଥିରୁ ବି ଜଣା ପଡ଼ୁଛି ଆତ୍ମା ବୋଲି କିଛି ଅଛି ନିଶ୍ଚିତ  । କେହି ଏଡ଼ାଇ ଦେଇ ପାରନ୍ତି ; କିନ୍ତୁ ଭୂକ୍ତଭୋଗୀ ମନରୁ ଲିଭି ପାରିବନି ଏସବୁ  ।

       ଜଣେ ସମ୍ବାଦ ରିପୋର୍ଟ ପ୍ରଦାନକାରୀ ଫଟୋଗ୍ରାଫର୍‌ ଜଣେ ସାମ୍ବାଦିକ ବନ୍ଧୁଙ୍କୁ ଭେଟିବା ପାଇଁ ଗଲେ । ସେଠାରେ ପହଞ୍ଚି ଏକ ଦୁଃଖଦ ଖବର ଶୁଣି ମର୍ମାହତ ହୋଇଗଲେ । ଖବରଟି ଥିଲା ସେଠାର ଜଣେ ଭଗବତ୍‌ ପ୍ରେମୀ ଯିଏକି ପ୍ରଖ୍ୟାତ ଭଗବତ ସାଧକ ଥିଲେ, ସେ ଆଉ ନାହାନ୍ତି । ତାଙ୍କୁ କାଳେ ଭଗବାନ ଦେଖା ଦିଅନ୍ତି । ସାମ୍ବାଦିକ ବନ୍ଧୁ ଠାରୁ ସେ ମରିବା ଖବର ଶୁଣି ମଉଳି ଯାଇଥିଲା ସମ୍ବାଦ ରିପୋର୍ଟ ପ୍ରଦାନକାରୀ ଫଟୋଗ୍ରାଫରଙ୍କ ମାନସ । ସେଠାକୁ ବୁଲିବାକୁ ଯିବାକୁ ମନ ବଳାଇବାରୁ ସାମ୍ବାଦିକ ବନ୍ଧୁ ତାଙ୍କୁ ସେଠାକୁ ସାଥିରେ ନେଇଗଲେ । ସେଠାକାର ଫଟୋ ଉତ୍ତୋଳନ କରି ଆଣିଲେ । ସାମ୍ବାଦିକ ବନ୍ଧୁଙ୍କ ଘରେ ତିନିଦିନ ରହିବା ପରେ ଆସିବାକୁ କହିବାରୁ ଆଉ ଗୋଟେ ଦିନ ରହିବାକୁ ବାଧ୍ଯ କଲେ ସାମ୍ବାଦିକ । ତେଣୁ ବାଧ୍ଯ ହୋଇ ଆଉ ଗୋଟେ ଦିନ ରହିଲେ । ଏକ ନିହାତି କାମରେ ସାମ୍ବାଦିକ ବନ୍ଧୁ ଘରୁ ବାହାରି ଗଲାବେଳେ ବନ୍ଧୁଙ୍କୁ କହିଗଲେ ମୁଁ ଆସିବି ରାତିକୁ । ସେ ଚାଲିଗଲା ପରେ ଏକୁଟିଆ ଘରେ ବସି ବିରକ୍ତ ହେବାକୁ ପସନ୍ଦ ନ କରି ଗାଁ ଆଡ଼େ ବୁଲିବାକୁ ବାହାରିଲେ । ବୁଲି ବୁଲି ଠିକ୍‌ ସେଇ ଜାଗାରେ ପହଞ୍ଚିଲେ, ଯୋଉଠି ସାଧୁ ମହାତ୍ମାଙ୍କ ନିବାସସ୍ଥଳୀ ଥିଲା । ସେ ଏତେ ବାଟ ଚାଲି ଆସିଛନ୍ତି ବୋଲି ନିଜକୁ ବିଶ୍ବାସ କରିପାରି ନଥିଲେ । 

    ସେଠାରେ ପହଞ୍ଚି ଚତୁର୍ଦ୍ଦିଶ ନିରୀକ୍ଷଣ କଲେ । ହଠାତ୍‌ ନଜରପରିସର ଭିତରକୁ ଏକ ଅଲୌକିକ ଦୃଶ୍ଯ ଆସିଲା । ପରିତ୍ୟକ୍ତାବସ୍ଥାରେ ସେଠାରେ ପଡ଼ି ରହିଥିବା ଏକ ଘର ଭିତରୁ ଆଲୁଅଟେ ଜଳୁଥିଲା । ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ପରିତ୍ଯକ୍ତ ଘରେ ଏହି ଆଲୁଅ କେଉଁଠୁ ଆସିଲା ବୋଲି ଭାବି ବସିଲେ । ଆଲୁଅ ଆଡ଼କୁ ଗତି କଲେ । ଆଲୁଅଟି ଆଗେ ଆଗେ ଚାଲିବାକୁ ଲାଗିଲା । ଆଲୁଅକୁ ଅନୁସରଣ କରି ତାଙ୍କ ପଛେ ପଛେ ସମ୍ବାଦ ରିପୋର୍ଟର ଫଟୋଗ୍ରାଫର ଜଣକ ଚାଲିଲେ । ଆଲୁଅଟି ବାଟ କଢ଼ାଇ ତାଙ୍କୁ ଏକ ପାହାଡ଼ ଗୁମ୍ଫା ଭିତରକୁ ନେଇଗଲା, ସେଇ ଗୁମ୍ଫା ପାଖରେ ଅଟକି ରହିଲା ସେ ଆଲୋକଟି । ଗୁମ୍ଫା ପାଖରେ ଛିଡ଼ା ହୋଇଥିଲେ ସମ୍ବାଦ ରିପୋର୍ଟର ଫଟୋଗ୍ରାଫର । ଭିତରୁ ଆୱାଜ ଆସିଲା - "ଭିତରକୁ ଆସନ୍ତୁ ।" ସମ୍ବାଦ ରିପୋର୍ଟର ଫଟୋଗ୍ରାଫର ଜଣକ ହତବାକ ହୋଇଗଲେ । ଭିତରେ କିଏ ?- ଏ ପ୍ରଶ୍ନ ଆନ୍ଦୋଳିତ କଲା ତାଙ୍କ ମନକୁ । ପ୍ରଶ୍ନର ଉତ୍ତର ପାଇବାକୁ ଭିତରକୁ ପ୍ରବେଶ କଲେ ସମ୍ବାଦ ରିପୋର୍ଟର ଫଟୋଗ୍ରାଫର । ପୁଣି ଶବ୍ଦ ଆସିଲା -"ସିଧା ଆସନ୍ତୁ, ଆଲୋକକୁ ଅନୁସରଣ କରି ଆସିବା ହୁଅନ୍ତୁ ।" କେହି ନାହିଁ, ଅଥଚ କି ଡ଼ାକୁଛି ମତେ ? ଭୟ ଲାଗୁଥିଲେ ବି ସାହସର ସହିତ ଭିତରକୁ ପ୍ରବେଶ କରୁଥା'ନ୍ତି ସମ୍ବାଦ ରିପୋର୍ଟର ଫଟୋଗ୍ରାଫର ଜଣକ ।

        ଭିତରେ ପ୍ରବେଶି ଜଣେ ସାଧୁ ଆତ୍ମାଙ୍କ ସହ ଭେଟିଲେ ।ଏତେ ବଡ ଗୁମ୍ଫାର ଗମ୍ଭୀରା ଭିତରେ ସାଧୁ ଆତ୍ମାଙ୍କ ଉପସ୍ଥିତି ଚକିତ କରି ପକାଇଲା ତାଙ୍କୁ । ସାଧୁ ଆତ୍ମା କହିଲେ -"ଆପଣ କାଲି ମତେ କେତେ ଖୋଜୁଥିଲେ, ମୁଁ ପ୍ରତୀକ୍ଷାରତ ଆପଣଙ୍କୁ । ଆସନ୍ତୁ, ବସନ୍ତୁ ମୋ ପାଖରେ ।" ସମ୍ବାଦ ରିପୋର୍ଟର ଫଟୋଗ୍ରାଫର ଜଣକ ପ୍ରଶ୍ନ କଲେ ତାଙ୍କୁ - " ଆପଣ କେମିତି ଜାଣିଲେ ଯେ ମୁଁ ଆପଣଙ୍କୁ ଖୋଜୁଥିଲି ବୋଲି ?" ସାଧୁ ଆତ୍ମା କହିଲେ - "କାଲି ଆପଣ ଏଠାକୁ ଆସିଥିଲେ ଓ ମତେ ଏଠି ଖୋଜୁଥିଲେ । ଆପଣଙ୍କ ସାଙ୍ଗଙ୍କୁ ମୋ ବିଷୟରେ ପଚାରୁଥିବାର ମୁଁ ଶୁଣିଲି ।" ସେ ଜାଣି ପାରିଲେ ଯେ ଏ ଜଣେ ମହାନ ସାଧୁ ; ସବୁ ଆଗତ-ଭବିଷ୍ଯ ଜାଣି ପାରନ୍ତି । ତାଙ୍କଠୁ ଅନୁମତି ନେଇ ବିଭିନ୍ନ ବିଷୟରେ ଅବଗତ ହେଲେ।ଆତ୍ମା, ପରମାତ୍ମା, ସଂସାର ନିୟମ ଆଦି ଅନେକ ଗୁଢ଼ତତ୍ତ୍ବ ତାଙ୍କ ଠାରୁ ଶିକ୍ଷା ଲାଭ କଲେ । ପରିଶେଷରେ ତାଙ୍କର ଏକ ଫଟୋ ଉତ୍ତୋଳନ କରିବାକୁ ଅନୁମତି ଭିକ୍ଷା କରନ୍ତେ, ସାଧୁ ମହାତ୍ମା ସାଦରେ ଅନୁମତି ପ୍ରଦାନ କଲେ । ତାଙ୍କର ଫଟୋ ଉଠାଇବା ସହ, ତାଙ୍କ ସହିତ ଯୋଡି ହୋଇ ନିଜର ସେଲ୍ଫି ନେଇନେଲେ । 

              ସାଙ୍ଗକୁ ଖୋଜି ଖୋଜି କିଛି  ଲୋକଙ୍କୁ ସାଥିରେ ନେଇ ସାମ୍ବାଦିକ ଜଣକ ସେଠାକୁ ଆସିବା ବାଟରେ ସମ୍ବାଦ ରିପୋର୍ଟର ଫଟୋଗ୍ରାଫରଙ୍କୁ ଫେରୁଥିବାର ଦେଖିଲେ । ବହୁ ବିରକ୍ତ ହେଲେ ସମ୍ବାଦ ରିପୋର୍ଟର ଫଟୋଗ୍ରାଫରଙ୍କ ଉପରେ ସାମ୍ବାଦିକ ବନ୍ଧୁ ଜଣକ । ତାଙ୍କ ସାଙ୍ଗ ଆସିବା ଖବର ବି ସାଧୁ ମହାତ୍ମା ତାଙ୍କୁ ଜଣାଇ କହିଥିଲେ -"ଆପଣଙ୍କୁ ଆପଣଙ୍କ ସାଙ୍ଗ ଖୋଜିବା ପାଇଁ ଆସୁଛନ୍ତି । ଯାଆନ୍ତୁ ଆଲୋକଟି ବାଟ କଢ଼ାଇ ନେଇଯିବ ।" ସତକୁ ସତ ଆଲୋକଟି ବାଟ କଢ଼ାଇ ବାହାରକୁ ନେଇ ଆସିଥିଲା ତାଙ୍କୁ । ସାଙ୍ଗଙ୍କୁ ଭେଟି ଫଟୋଚିତ୍ର ସହ ସବୁ ପ୍ରମାଣପତ୍ର ଦେଖାଇ ସବୁ କଥା କହିବା ପରେ ସାମ୍ବାଦିକ ସାଙ୍ଗ ଜଣକ ଚକିତ ହୋଇଗଲେ । ସାଙ୍ଗ ହୋଇ ଫେରିଲେ ନିଜ ବସାକୁ । ସକାଳୁ ଫଟୋ ଧୋଇ ଫଟୋ କାଢ଼ିଲା ବେଳକୁ ଫଟୋ ଦେଖି ଆଚମ୍ବିତ ହୋଇଗଲେ ଦୁଇ ବନ୍ଧୁ । ଫଟୋରେ କେବଳ ତାଙ୍କ ନିଜ ଫଟୋ, ସାଧୁ ମହାତ୍ମା ଗାଏବ୍‌ । ତେବେ କୁହନ୍ତୁ ତ ଏପରି ଅସମ୍ଭବ କେମିତି ହୋଇପାରିବ ? ଆତ୍ମା ନାହାନ୍ତି ବୋଲି କହି ପାରିବା କେମିତି  ? 

             ଆଉ ଗୋଟିଏ ଦିନ ଜଣେ ଭଉଣୀଙ୍କଠୁଁ ଶୁଣିବାକୁ ପାଇଥିଲି କଥାଟିଏ । କଥାଟି ହେଲା - ସନ୍ଦୀପା ମହାପାତ୍ରଙ୍କର ଜଣେ ମାଇଁଙ୍କର ବଡ଼ ଭଉଣୀଙ୍କର ମୃତ୍ୟୁ ହୋଇ ସାରିଥାଏ । ମାଇଁଙ୍କର ବାହାଘର ସରି ଯାଇଥାଏ । ଦିନକର ଘଟଣା, ରାତ୍ରି ପ୍ରାୟ ୧୨ଟା ପରେ ହୋଇଥିବ ବୋଧହୁଏ । ପରିସ୍ରା କରିବାକୁ ଉଠିଲେ ମାମୁଁ - ମାଇଁ । ଦାଣ୍ଡ ଦୁଆର ଖୋଲି ଦେଖିଲେ ଦାଣ୍ଡ ଦ୍ବାର ପିଣ୍ଡା ତଳେ ଠିଆ ହୋଇଥିଲେ ସନ୍ଦୀପା ମହାପାତ୍ରଙ୍କ ମାଇଁଙ୍କର ବଡ଼ ଭଉଣୀ । ଉଭୟଙ୍କୁ ଦେଖି ଘର ସାମ୍ନାରେ ଖଣ୍ଡେ ଦୂରରେ ଥିବା ଧଳାଙ୍ଗ ଗଛକୁ ଚାଲିଗଲା ଆତ୍ମାଟି । ଧଳାଙ୍ଗ ଗଛରେ ଯାଇ ରହିଲା ପ୍ରେତାତ୍ମାଟି । ମାଇଁ ପରିସ୍ରା ପାଇଁ ଚାଲିଗଲେ ଓ ମାମୁଁ ସେଇ ଧଳାଙ୍ଗ ଗଛ ମୂଳେ ପରିସ୍ରା କଲେ । ପ୍ରେତଟି ଗଛରୁ ଖସଖସ ଶବ୍ଦ କରି ଅନ୍ୟତ୍ର ଚାଲିଗଲା । ଶବ୍ଦ ଶୁଣି ଦିହେଁ ଭୟରେ ଚାଲି ଆସିଲେ । କେତେ ଦିନ ବିଗତ ପରେ ଆତ୍ମାଟି ଜଣଙ୍କ ଶରୀରରେ ପ୍ରବେଶ କରି କହିଲା - ମୁଁ ଧଳାଙ୍ଗ ଗଛ ପାଖରେ ଛିଡ଼ା ହୋଇଥିଲି, ଜୋଇଁ ମୋ ଉପରେ ପରିସ୍ରା କରିଦେଲେ । ଆତ୍ମା ଓ ଆତ୍ମା କହିଥିବା କଥାରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ ଆତ୍ମା ବୋଲି କିଛି ଅଛି ।

       ଆଉ ଜଣେ ବଡ଼ ଭଉଣୀ ମହାସ୍ମିତା ଓଝାଙ୍କ ଠାରୁ ଶୁଣିବାକୁ ମୁଁ ପାଇଥିଲି ତାଙ୍କ ଭୂତ-ଅନୁଭୂତି । ତାଙ୍କୁ ଯେତେବେଳେ ନଅ କି ଦଶବର୍ଷ ବୟସ, ସେତେବେଳେ ସେ ପଞ୍ଚମ ଚି ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । ତାଙ୍କ ବାଡ଼ିରେ ଏକ କୂଅ ଥିଲା । ସେ କୂଅରୁ କେବଳ ଫସଲକୁ ପାଣି ମଡ଼ାଇବା କାର୍ଯ୍ଯ ବ୍ଯତିତ ଆଉ କିଛି ହୁଏନା । ସବୁଦିନ ରାତିରେ ସେଠି ଲୋଟା ବାଡେଇବାର ଶବ୍ଦ ଶୁଣାଯାଏ । ସେଠାକାର ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳେ, ସେଠି ଜଣେ ଧୋବା ଘର ବାସ କରୁଥିଲେ । ଛୋଟ କୁଡ଼ିଆଟିଏଥିଲା ତାଙ୍କର । ସେ ଘରେ ପାଞ୍ଚବର୍ଷର ପୁଅଟିଏ ବି ତାଙ୍କର ଥିଲା । ସେ ପୁଅର ମୃତ୍ୟୁ ହୋଇ ସାରିଥିଲା । ସେଇ ପୁଅର ଆତ୍ମା ସେଠି ଘୂରି ବୁଲୁଛି । ସେଠି ଗୋଟିଏ ଫୁଲ ବାଗନା ଥିଲା । ମହାସ୍ମିତାଙ୍କର କହିବା କଥା, ଦିନେ ସେ ଫୁଲ ତୋଳିବାକୁ ଭୋର୍‌ରୁ ଗଲେ । ରାତି ସମ୍ପୂର୍ଣ୍ଣ ପାହି ନଥାଏ ; ସମୟ ବୋଧହୁଏ ରାତି ରାଢ଼େ ତିନି କି ଚାରିଟା ହେବ । ଫୁଲ ତୋଳିବା ନିଶାରେ ସେଇ ପୁଅ ମରିଥିବା ସ୍ଥାନକୁ ଚାଲିଗଲେ ମହାସ୍ମିତା ମାମ୍‌ । ଫୁଲ ନେଇ ଆସିବା ବେଳେ ଏକ ଅଲୌକିକ ଘଟଣାର ସମ୍ମୁଖୀନ ହେଲେ । କେହି ଛୋଟ ପିଲାଟିଏ ତାଙ୍କ ଦେହରେ ବାଡେଇ ହେଲା ପରି ଅନୁଭବ କଲେ ସେ । ଭୟରେ ଘରକୁ ଚାଲିଆସିଲେ ଏକ ନିଃଶ୍ବାସକେ । ସବୁତକ ଫୁଲ ବିଞ୍ଛି ହୋଇ ଘର ପର୍ଯ୍ଯନ୍ତ ପଡ଼ିଛି । ସେ ଭାବିଥିଲେ ଚାରିଟା କି ପାଞ୍ଚଟା ସମୟ ହୋଇଥିବ, ସେଲାଗି ଫୁଲ ତୋଳିବାକୁ ବାହାରି ଯାଇଥିଲେ । ଘରକୁ ଆସି ଜ୍ଜ୍ବରରେ ପୀଡ଼ିତ ହେଲେ । 
     ଆଉ ଏକ ଅନୁଭବ ତାଙ୍କ ଠାରୁ ଶୁଣିବା ପାଇଁ ପାଇଲି । ଦୋଳ ଦଶମୀ ଦିନ ରାତ୍ରି ସାଢ଼େ ଦଶଟା ସମୟ, ନାନୀଙ୍କ ସହ ମିଶି ବିଲକୁ ଗଲେ ଝାଡ଼ା । ଅଧାକଟା ତିନ୍ତୁଳି ଗଛ ଗଣ୍ଡିଟେ ଥିଲା, ସେଇ ଗଣ୍ଡିଠୁ ପାଞ୍ଚ/ସାତ ହାତ ଦୂରରେ ନାନୀ ଓ ତା'ଠୁ କିଛି ଦୂରରେ ମହାସ୍ମିତା ମାମ୍‌ ବସିଥିଲେ । ଗଣ୍ଡି ଉପରେ ଜଣେ ସ୍ତ୍ରୀଲୋକ ଗୋଡ଼ ହାତ ଲମ୍ବେଇ ବସିଥିବାର ମହାସ୍ମିତା ମାମ୍‌ କହିଲେ, ନାନୀଙ୍କୁ ଭୟ ଲାଗିବ ଜାଣି କିଛି ଜଣେଇଲେ ନାହିଁ ତାଙ୍କୁ । ଶୌଚ ହୋଇ ତାକୁ ଲକ୍ଷ୍ଯ କରି କରି ଚାଲି ଆସିଲେ । ପୋଖରୀ କୂଳେ କୂଳେ ସେ ଚାଲିଗଲା । ଆଉ ଏକ ଅନୁଭବ ବି ସେ ମୋତେ ଜଣେଇଥିଲେ । ୧୯୯୯ ମହାବାତ୍ୟାର ପନ୍ଦର ଦିନ ଗତ ହୋଇ ସାରିଥାଏ । ସନ୍ଧ୍ୟା ଘନେଇ ଆସୁଥାଏ ; ଝାପ୍ସା ଆଲୋକିତ ଧରା । ଧୋଇଧାଇ ହୋଇ ସାଙ୍ଗ ଘରକୁ ଗଲେ ମହାସ୍ମିତା ମାମ୍‌ ।ସେ ଦେଖିଲେ ଅଧା ତିଆରି ଘର ପାଖରେ କେହି ଜଣେ ପୁରୁଷ ଲୋକ ଧଳା ଧୋତି ପିନ୍ଧି ସେହି ଘର ଭିତରକୁ ପଶିଗଲେ । ମହାସ୍ମିତାଙ୍କ ପାଟିରୁ ବାହାରି ଆସିଲା -"କୁଆଡ଼େ ଯାଉଛ ସିଆଡ଼େ ?" ଉତ୍ତର ନାହିଁ ତାଙ୍କର । ସାଙ୍ଗକୁ ଯାଇ ପଚାରିଲେ ସେ -" ଖୋକନ ଭାଇଙ୍କ ବଡ଼ବାପା କ'ଣ କରୁଥିଲେ ? ସେ କ'ଣ ସେହି ଘର ଭିତରକୁ ଯିବାର ମୁଁ ଦେଖିଲି ।" ମହାସ୍ମିତା ମାମ୍‌ଙ୍କ ସାଙ୍ଗ ତାଙ୍କୁ କହିଲେ -"ଖୋକନ ଭାଇଙ୍କ ବଡ଼ବାପା ! (ଆଶ୍ଚର୍ଯ୍ୟର ସହ) ସେ ତ କେବେଠୁ ମରି ଯାଇଛନ୍ତି । ସେ କୁଆଡ଼ୁ ଆସିବେ ?" ତା'ପରେ ମହାସ୍ମିତା ମାମ୍‌ଙ୍କର ମନେ ପଡ଼ିଗଲା ଯେ, ସେ ସତରେ ମରି ଯାଇଛନ୍ତି । ତାଙ୍କର ମନେ ନଥିଲା ଏକଥା । "ତେବେ ସେ କିଏ ?" ବିସ୍ମୟାଭିଭୂତ ମହାସ୍ମିତା ମାମ୍‌ । ତେବେ ଏବେ କୁହନ୍ତୁ ତ ଆତ୍ମାର ସ୍ଥିତି ଅଛି କି ନା ?
        ମୋର ଜଣେ ଭଉଣୀ କାଦମ୍ବିନୀ ଖୁଣ୍ଟିଆଙ୍କ ମାଆ ବିଜୟ କେତନ ଖୁଣ୍ଟିଆଙ୍କ ଠାରୁ ଏକ ଭୂତ କଥା ଶୁଣିବାକୁ ପାଇଲି । ସେ କହିଲେ - ଝାଡ଼ା ଯାଇଥିଲେ, ସାଙ୍ଗରେ ଥିଲେ ଦୁଇ ନଣନ୍ଦ  । ସମୟ ସେତେବେଳକୁ ରାତି ଆଠଟା କି ନଅଟା ହେବ ; ଶୁକ୍ଳପକ୍ଷ ସମୟ । ତୋଫାଜହ୍ନ ବିଛୁରିତ କରୁଛି ଶୀତଳ ଜ୍ଯୋତ୍ସ୍ନା । ଝାଡ଼ା ଫେରି ଗଲେ ନଦୀକୁ ଶୌଚ ହେବାକୁ ; ଆଗରେ ଗଲେ ଦୁଇ ନଣନ୍ଦ ଓ ପଛରେ ବିଜୟ କେତନ ଖୁଣ୍ଟିଆ । ବାହାଘର ବେଶିଦିନ ହୋଇନଥାଏ । ଜଣେ ଧଳା ଲୁଗା ପିନ୍ଧି ନଇ ପଠାରେ ଛିଡ଼ା ହୋଇଥିବାର ଦୁଇ ନଣନ୍ଦ ଆଗରେ ଦେଖି ଦୌଡ଼ି ଚାଲି ଆସିଲେ । ବିଜୟ କେତନ ଖୁଣ୍ଟିଆ ମାମ୍‌ ଶୌଚ ହୋଇ ତାଙ୍କ ପଛରେ ଦୌଡ଼ିଲେ ପଡ଼ିଉଠି ; ମରିଗଲି,ମରିଗଲି ଚିତ୍କାର କରି ଦୌଡ଼ିଲେ । ଘରୁ ଆଉ ଦୁଇଜଣଙ୍କୁ ଧରି ଆସିଲେ ଓ ଦେଖିଲେ ଟୋକେଇ ମୁଣ୍ଡେଇ ସେମିତି ଛିଡ଼ା ହୋଇଛି ସେ । ସମସ୍ତଙ୍କୁ ଦେଖି ସେ ନଇ ପଠାରେ ଚାଲି ଚାଲି ଧୋବା ଗଣ୍ଡି ପାଖରେ ଯାଇ ଲୁଗା ବାଡେଇବାର ଶୁଭାଗଲା । ସେଠାରୁ ଯାଇ ସାହାଡ଼ା ଗଛ ପାଖରେ ଛିଡ଼ା ହେଲା । ଏମାନେ ଘରକୁ ଚାଲିଆସିଲେ । 
       ଆଉ ଏକ ଅନୁଭୂତି ତାଙ୍କର - ସେ ଅନ୍ତସତ୍ତ୍ବା ଥିଲେ । ପଦାକୁ ଝାଡ଼ା ଯାଇଥିଲେ । ୧୯୮୨ ମସିହା ଅଗଷ୍ଟ ମାସ ସମୟ । କେନ୍ଦ୍ରାପଡାର ଅରିମୂଳ ଗ୍ରାମର ବାଘୁଣୀ ନଦୀ ସେପାରିକୁ ସ୍ବଳ୍ପ ପାଣିରେ ପଶି ଯାଇଥିଲେ । ସମୟ ବୋଧହୁଏ ରାତ୍ରି ଗୋଟାଏ । ସାଥିରେ ଯାଇଥିଲେ ଖୁଡ଼ିଶାଶୁ ଓ ଶ୍ବଶୁର । ସେମାନେ ନଇପଠା ଉପରେ ଛିଡ଼ା ହୋଇଛନ୍ତି  । ଗୋଟିଏ କଅଁଳା ବାଛୁରୀ କେଉଁଆଡୁ କେଜାଣି ବାହାରିଲା । ବିଜୟ କେତନ ଖୁଣ୍ଟିଆ କହିଲେ କି, "ଏ ବାଛୁରୀ କ'ଣ ? କୁଆଡୁ ଆସିଲା ?" ଖୁଡ଼ିଶାଶୁ ଓ ଶ୍ବଶୁର କହିଲେ "ମଞ୍ଜୁ ଘର ଗୁହାଳ ଖୋଲା ଅଛି ତ, ସେଲାଗି ସେ ଗୁହାଳରୁ ଚାଲି ଆସିଛି ।" ଶୌଚକର୍ମ ସମାପନ କରି ଛିଡ଼ା ହେଲେ ସମସ୍ତେ । ନଇପଠାର ଧାରେ ଧାରେ ସେ ବାଛୁରୀଟି ଚାଲୁଛି । ବିଜୟ କେତନଙ୍କୁ ଯେତେ ଡ଼ାକିଲେ ସେ ଜମା ଗଲେନି । କହିଲେ - "ବାଛୁରୀଟି ନଗଲା ଯାଏଁ ମୁଁ  ଯିବିନି । ସେ ଯାଇ ସାରୁ ମୁଁ ଯାଇ ଯିବି ।" ନଦୀପଠାରେ ଥିବା ଏକ ବରକୋଳି ଗଛ ପାଖରେ ବାଛୁରୀଟି ଛିଡ଼ା ହେଲା । ଯେତେ ଡ଼ାକିଲେ ବି ବିଜୟ କେତନ ଗଲେନି । ଏକଲୟରେ ବାଛୁରୀକୁ ଚାହିଁ ରହିଥିବା ବେଳେ ଅଚାନକ ଅଦୃଶ୍ୟ ହୋଇଯାଇଥିଲା ବାଛୁରୀଟି । ତେବେ ଏସବୁରୁ ଜଣାପଡେ ଯେ ଆତ୍ମା ବୋଲି କିଛି ଅଛି  । ଏହା ଅବିଶ୍ବାସନୀୟ ନୁହେଁ ।

       ଏମିତି ଦିନେ ଭୂତଙ୍କ ଉପରେ କାହାର କ'ଣ ଅନୁଭୂତି ସାଉଁଟି ସାଉଁଟି ପହଞ୍ଚିଲି ଯାଇ ସନ୍ଦୀପା ମହାପାତ୍ରଙ୍କ ପାଖରେ । ସେ ମତେ ଛୋଟ ଏକ ଘଟଣା କହିଲେ । ଘଟଣାଟି ଏ ପ୍ରକାରର - ଗୋଟିଏ ଝିଅ ଗୋଟିଏ ପୁଅକୁ ଭଲ ପାଉଥିଲା । ଉଭୟଙ୍କର ଭଲପାଇବା କଥା ଝିଅ ଘରେ ଜାଣିବା ପରେ ତରେ ଶାବଳ ପକାଇ ଝିଅଟିକୁ ମାରିଦେଲେ  । କିଛିଦିନ ଗତ ହେଲା ପରେ ଝିଅର ଆତ୍ମାଟି ସେ ଗାଁକୁ ଉଠେଇଲା ଓ ପକେଇଲା ; ଘରେ ଘରେ ସମସ୍ତଙ୍କଠିଁ ପ୍ରବେଶ କଲା । ତା' ଆତ୍ମାକୁ ଦେଖି ସମସ୍ତେ ଭୟଭୀତ । ତାଙ୍କ ଘରର ବାଉଁଶ ଗଛରେ ରହିଲା । ଦିନ ଦ୍ବି ପ୍ରହରେ ଭଙ୍ଗା ଚୂନା କାଚ ଝଡ଼ିବା, ବିନା ପବନରେ ଡ଼ାଳ ଭାଙ୍ଗିବା ଲୋକଙ୍କୁ ଭୟଭୀତ କରାଇ ରଖିଲା । ତାଙ୍କ ଘରେ ସଫେଇ ଦେଇଥିଲେ କି, ସେ ବିଷ ପିଇ ଆତ୍ମହତ୍ୟା କରିଛି  । ସେ ଯାହା ଦେହରେ ଲାଗେ, ମୃତ୍ଯୁର ବାସ୍ତବ ଘଟଣାକୁ କହେ ବୋଲି ସନ୍ଦୀପା ମହାପାତ୍ରଙ୍କ ଠାରୁ ଶୁଣିଲି  । ଏସବୁ ଭୂତର ବାସ୍ତବତାକୁ ପ୍ରମାଣ ଦେଉଛି  । 
    ଆଉ ଏକ ଘଟଣା ବି ମୋ କାନକୁ ଆସିଅଛି । ଧନେଶ୍ବର ମହାପାତ୍ରଙ୍କ କଥା ଜଣକ ଠାରୁ ଶୁଣିଲି । ରାତ୍ରି ଗୋଟାଏ ବେଳେ ନ୍ଯାସ୍‌ନାଲ୍‌ ହାଇୱେକୁ ଗଲା ବେଳେ ଜଣେ ସ୍ତ୍ରୀଲୋକ ବିଲ ଭିତରେ ଧଳା ଲୁଗା ପିନ୍ଧି ଛିଡ଼ା ହୋଇଥିବାର ସେ ଦେଖିଲେ । କିଛି ସମୟ ପରେ ଦେଖିଲେ କି, ସେ ସ୍ତ୍ରୀଲୋକଟି ୟା'ଙ୍କ ଆଡ଼କୁ ମାଡ଼ି ଆସୁଛି । ଅଧାବାଟରେ ରୂପ ପରିବର୍ତ୍ତନ କରି ଘୁଷୁରୀଟେ ବନି ଗଲା । ରାସ୍ତାଟି ତିନି ଫୁଟରୁ ଉର୍ଦ୍ଧ୍ବ ଉଚ୍ଚା ହେବ । ବିଲ ଭିତରୁ ଆରପଟ ବିଲକୁ ହଠାତ ଡେଇଁ ପଡ଼ିଲା । ଘଡ଼ଘଡ଼ ଶବ୍ଦ କରି କୁଆଡ଼େ ଉଭାନ ହୋଇଗଲା । ଘରକୁ ଆସି ଝଡ଼ାଫୁଙ୍କା ହେଲେ । ତେବେ ସେ ଅନୁଭବ କରିଥିବା ଏ ଘଟଣାଟି ଭୂତର ଅବସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରୁଛି  ।  ମୋର ଜଣେ ଭାଉଜ ସସ୍ମିତା ମହାପାତ୍ରଙ୍କ ଠାରୁ ତାଙ୍କ ବାପା-ବୋଉଙ୍କ ଭୂତ ଅନୁଭୂତି ବି ଶୁଣିଲି । ତାଙ୍କ ବାପା-ବୋଉଙ୍କର ବାହାଘର ବେଳର କଥା । ବାହାଘର ସାରି ସବାରି ଓ ପାଲିଙ୍କିରେ ଯାଉଥା'ନ୍ତି । ନଦୀ ପାର ବେଳେ ଦଶ ଜଣ ଖଣ୍ଡେ ଭୂତ ଆଗରେ ଯାଉଥିଲେ । ଏମାନଙ୍କ ସନ୍ଦେହ ହେବାରୁ ଏମାନେ ପଚାରିଲେ -"ଆଗରେ କିଏ ଯାଉଛ ?"ସେମାନେ ଖାଲି ହୁଁ' ହୁଁ' ମାରି ଚାଲିଲେ । ସବାରି ବାଲା ଭିତରୁ ଜଣଙ୍କୁ କେମିତି ଟାଣି ନେଇ ପାଣିରେ ପକାଇ ଦେଇଛନ୍ତି ଭୂତମାନେ । ଏମାନେ ଖୋଜାଖୋଜି କରି ବାହାର କଲେ ଓ ଲାଗିପଡ଼ି ହୋସ୍‌କୁ ଆଣିଲେ । ନଦୀ ଭିତରେ ନଦୀ ପାର ହେବାକୁ ଡଙ୍ଗାଟିଏ ଅଛି  । ଡ଼ଙ୍ଗା ପାଖରେ ଥାଇ ବି ବାଟ ଭୁଲିଗଲେ ଏମାନେ । ଭୁତମାନେ ତାଙ୍କୁ ଅଲଗା ବାଟରେ ନେବାକୁ ଚେଷ୍ଟିତ ଥିଲେ । ଏମାନେ ଆଉ ଆଗକୁ ନଯାଇ ଗୋଟିଏ ଜାଗାରେ ବସି ପଡ଼ିଲେ । କିଛି ସମୟ ପରେ ସେମାନେ କାହିଁ କୁଆଡ଼େ ଅଦୃଶ୍ୟ ହୋଇଗଲେ । 

       କେନ୍ଦ୍ରାପଡାର ଆଉ ଏକ ଘଟଣା ରୋମାଞ୍ଚ ସୃଷ୍ଟି କରିଥିଲା ମୋ ମନରେ । ବୃନ୍ଦାବନ ଖୁଣ୍ଟିଆ ତାଙ୍କ ପୁଅ ଇଶ୍ବର ଚନ୍ଦ୍ର ଖୁଣ୍ଟିଆଙ୍କୁ କହିଲେ ରାତିରୁ ପାଣି ମଡ଼େଇବାକୁ ଯିବାକୁ । ରାତିରୁ ଆସି ତାଙ୍କ ପରି କେହି ଜଣେ ଆସି ଡ଼ାକିଲା ତାଙ୍କୁ ; ସେ ବାପା ଡ଼ାକୁଛନ୍ତି ଭାବି ଚାଲିଗଲେ । ସେ ଗଲେ ଆଗେ ଆଗେ, ଆଉ ଇଶ୍ବର ଚନ୍ଦ୍ର ଖୁଣ୍ଟିଆ ଗଲେ ପଛେ ପଛେ । ବିଲମୁଣ୍ଡାରେ ଯନ୍ତରେ ପାଣି ବୁହାଇଲା ଡାକିଥିବା ପ୍ରେତଟି । ପାଣି ବୁଡ଼ି ଆଣ୍ଠୁଆଣି ହେଲାଣି, ରାତି ପାହୁନି କି ପାଣି ମଡ଼ିଆ ସରୁନି । ଭୟରେ ଚାଲି ଆସିଲେ ଇଶ୍ବର ଚନ୍ଦ୍ର । ଘରେ ଘୋଡ଼ିଘାଡ଼ି ହୋଇ ଶୋଇଲେ, ପ୍ରବଳ ଜ୍ଜ୍ବର । ସକାଳୁ ବାପା ବୃନ୍ଦାବନ ଖୁଣ୍ଟିଆ ପୁଅକୁ ଦେଖି ଜାଣି ପାରିଲେ ସବୁ । ଝଡ଼ା - ଫୁଙ୍କାର ବେପାର ଚାଲିଲା । ତେବେ ଏସବୁ ଜଣାଇ ଦେଉଛି  ଭୂତଙ୍କ ଅବସ୍ଥିତି ବିଷୟରେ  । ଅନୁଭବୀମାନେ ହିଁ ଜାଣନ୍ତି ଭୂତ-ପ୍ରେତର ଅବସ୍ଥିତି  । ବିଜ୍ଞାନ ଯୁଗରେ ବିଶ୍ବାସ ଯୋଗ୍ଯ ନହେଲେ ବି ଭୁତ-ପ୍ରେତ ମାନଙ୍କ ଅବସ୍ଥିତିକୁ ନ ମାନିବା ଅନୁଚିତ ।
        ମୋ ନିଜ ଅନୁଭୂତିରୁ ଏକ ଘଟଣା କହୁଛି । ଶୀତଳଷଷ୍ଠୀ ରଜନୀ । ଭୁଷଣ୍ଡପୁରରୁ ବାଣମରା ଦେଖି ରାତି ବାରଟାରେ ସେଠୁ ବାହାରିଲୁ ।ଆମେ ଦୁଇଜଣ ଥାଉ ; ମୁଁ ଆଉ ଆମ ଗାଆଁର ଜଣେ ବୃଦ୍ଧ ବ୍ଯକ୍ତି ଅଲେଖ ପ୍ରଧାନ । ମାଳିସାହି ମେଲଣ ପଡ଼ିଆ ଭିତରେ ପଶି ଆସିଲୁ । ଏକ ବିରାଟ ଝଙ୍କାଳିଆ ଆମ୍ବଗଛ ମୂଳେ ଜଣେ ସ୍ତ୍ରୀଲୋକ ଗୋଡ଼ - ହାତ ଲମ୍ବେଇ କୋଳରେ ଗୋଟିଏ ଶିଶୁକୁ ଧରି ବସିଛି ।ଆଗରେ ଯାଉଥିବା ଅଲେଖ ପ୍ରଧାନର ନଜର ପଡ଼ିଗଲା ତା' ଉପରେ । ହଠାତ୍‌ ଅଟକି ଗଲା ସେ ; ମୁଁ ବି ତାକୁ ଦେଖି ଅଟକି ଗଲି । ପଚାରିଲି- "କିହୋ, ଅଲେଖ ଭାଇ ! କ'ଣ ହେଲା ? ଅଟକିଲ କାହିଁକି ?ଚାଲୁନ ଯିବା ।" ସେ କହୁଛି  -"ଭାଇନ ! ଦେଖିଲଣି ?" ମୁଁ  କହିଲି -"କ'ଣ ? କ'ଣ କୋଉଠି ଦେଖିଲ କି ?" ସେ ମତେ ସେହି ସ୍ତ୍ରୀଲୋକ ଆଡ଼କୁ ଇସାରା ଦେଇ ଦେଖାଇ କହିଲା - " ଏତେ ରାତିରେ ସେଠି କିଏ ବସିଛି ଦେଖିଲ ।" ମୁଁ ସେ ସ୍ତ୍ରୀଲୋକକୁ ନଜର କଲି । ଟିକେ ଟିକେ ଭୟ ଲାଗୁଥିଲେ ବି ଛାତି ଦମ୍ଭ କଲି । ତଥାପି ନିର୍ଭୟ ସହ ତାକୁ କହିଲି - "ମତେ ଆଗକୁ ଛାଡ଼, ତମେ ପଛରେ ରୁହ ।" ମୁଁ ଆଗେ ଆଗେ ଦୁଇପାଦ ଆସି ଛିଡ଼ା ହେଲି । ପଚାରିଲି - "କିଏ ବସିଛ ସେଠି ? ଏତେ ରାତିରେ କାମ କ'ଣ ?" କିଛି ଉତ୍ତର ନ ପାଇ ନିରାଶ ହେଲି । ମନକୁ ଏକ ଉପାୟ ଆସିଲା । ତଳୁ ବାଲି ମୁଠାଏ ଉଠାଇଲି । ତାକୁ ଗାୟତ୍ରୀ ମନ୍ତ୍ରରେ ୨୧ଥର ଅଭିମନ୍ତ୍ରିତ କରି ତା' ଉପରକୁ ଫିଙ୍ଗିବାକୁ ଯାଆନ୍ତେ ତ ସେ ହଠାତ ଉଭାନ ହୋଇଗଲା । ସେଠାରୁ ଆମେ ଦୁଇଜଣ ଆସିଲୁ । ମେଲଣ ପଡ଼ିଆ ଆରପଟେ କୁମୁଦେଶ୍ବରଙ୍କ ମନ୍ଦିର, ସେଇଠି ବସିଲୁ । କିଛି ସମୟ ପରେ ମନ୍ଦିର ପୂଜକ ଆସିଲେ ; ସେ ମତେ ଭଲ ଭାବରେ ଜାଣନ୍ତି । ଆମ ପରିବାର ସହ ତାଙ୍କର ବେଶ୍‌ ଭଲ ପରିଚୟ । ମତେ ଦେଖି କହିଲେ - "କେତେବେଳୁ ବସିଛ ଗୋସେଇଁ ?" ମୁଁ ସବୁକଥା କହିଲି, ସେ ଶୁଣି ସାରି କହିଲେ  -" ବେଳା ଭଲ, ଖସିକି ଆସିଛ । ତା' ହାବୁଡ଼ରୁ କେହି ଏ ଯାଏଁ ଖସି ନାହାନ୍ତି ।"

      ଆଉ ଗୋଟେ ରୋମାଞ୍ଚକର ଅନୁଭୂତି ଅଛି । ଦିନେ ଜଣେ କୁଣିଆଙ୍କ ଘରକୁ ଯାଇଥାଏ । ତିନି ଦିନ ରହିଲି ସେଠାରେ  ।ଦ୍ବତୀୟ ଦିନ ତାଙ୍କ ଘରୁ ଜଣେ ବୃଦ୍ଧା ପରିସ୍ରା ଉଠିଲେ ; ରାତି ପ୍ରାୟ ସାଢ଼େ ଗୋଟାଏ । ଦାଣ୍ଡ ଦୁଆର ଖୋଲି ସେ ଯାହା ଦେଖିଲେ ; ପୂରା ଛାନିଆ ।ମତେ ଆସି ଡ଼ାକିଲେ, ମୁଁ ଉଠି ଗଲି ତାଙ୍କ ସହିତ । ଦେଖିଲି ଶଗଡ଼ ଚକ ଠାରୁ ଆହୁରି ବଡ଼ ହେବ ଏକ ଚକ୍ରି ବାଣ ତାଙ୍କ ଦାଣ୍ଡ ପିଣ୍ଡା ଠାରୁ ଚାରି ହାତ ଦୂରରେ ଶୂନ୍ଯରେ ଘୂରୁଛି । ମୁଁ ବି ଟିକେ ଭୟ ପାଇଗଲି । ଦୀପାବଳି ତ ନୁହଁ, ତେବେ ବାଣ ମାରିଲା କିଏ ? ପୁଣି ଏତେ ବଡ ଚକ୍ରି ବାଣ ମୁଁ କେବେ ଦେଖିନି । କେହି କୁଆଡ଼େ ନାହାନ୍ତି, ଏ ବାଣ କିଏ ମାରିଛି ? ତଥାପି ଛିଡ଼ା ହୋଇ ଭଲ ଭାବେ ନିରୀକ୍ଷଣ କଲା ପରେ ଜାଣିଲି ଇଏ ଡ଼ାହାଣୀ ଆଲୁଅ । ମତେ ଡ଼ାହାଣୀ ବିତାଡ଼ିବା ମନ୍ତ୍ରଟି ଜଣାଥାଏ । ତେଣୁ ମୁଁ ସେ ମନ୍ତ୍ରଟି ପ୍ରୟୋଗ କଲି । ହଠାତ୍‌ ସେ ଚକ୍ରି ବାଣଟି ଉପରକୁ ଉଠିବାକୁ ଲାଗିଲା । ଧିରେ ଧିରେ ପଛୁଆ ପଛୁଆ ଯାଇ କାହିଁ ଦୂରରେ ଅନ୍ତରୀକ୍ଷରେ ଲୀନ ହୋଇଗଲା । ତା'ପରେ ସେ ପରିସ୍ରା ଗଲେ ଓ ଦୁଆର ଦେଇ ଘରକୁ ଆସିଲେ । ତେବେ ସେ ଆଲୁଅଟି କ'ଣ ଏ ବିଜ୍ଞାନ ଯୁଗରେ କେହି କହିପାରିବେ କି ? ଯଦି ଆତ୍ମା ନାହିଁ ତେବେ ଏସବୁ ଲକ୍ଷଣ କ'ଣ ପାଇଁ ? ମୋ ମତରେ ଆତ୍ମା ଅଛି, ସ୍ଥାନ, କାଳ-ପାତ୍ର ନେଇ ଦୃଶ୍ଯ ହୁଏ । ଏହାକୁ ଏଡ଼ାଇ ଦିଆଯାଇପାରିବନି । ସତରେ ଭୂତ-ପ୍ରେତ ଅଛନ୍ତି କି ନା - ଏ ପ୍ରଶ୍ନର ଉତ୍ତର ବୈଜ୍ଞାନିକ ନୁହେଁ, କେବଳ ଭୁକ୍ତଭୋଗୀ ହିଁ ଦେଇ ପାରିବ । 
       ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଭୂତ-ପ୍ରେତଙ୍କ ଝଲକ ଦେଖିବାକୁ ମିଳେ । ଏମିତି ଏକ ସ୍ଥାନ ହେଲା ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ି  ; ଯେଉଁଠି ରହିଛି ନଷ୍ଟ ହୋଇଯାଇଥିବା ଏକ ପୁରୁଣା କାଳିଆ ଗଛ । ସୂର୍ଯାସ୍ତ ପରେ ଏ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଏ । ସ୍ଥାନୀୟ ବାସିନ୍ଦା ମତ ଦିଅନ୍ତି ସେ ଗଛଟି ଏକ ଭୂତ ଗଛ ବୋଲି । ରାତ୍ରିରେ ଏ ଗଛ ପାଖ ଦେଇ ଗଲେ ବିକଟାଳ ଗର୍ଜନ ଶୁଣାଯାଏ ବୋଲି ଗ୍ରାମବାସୀଏ କହନ୍ତି । ଅନେକ ଥର ଦେଖିଛନ୍ତି  - ଏ ଗଛ ମୂଳେ କେହି ଜଣେ ମହିଳା ଗୁରୁଣ୍ଡୁଥିବାର । ଲୋକଙ୍କ କହିବାନୁଯାୟୀ ଭୂଲ୍‌ବଶତଃ ଯେ କେହି ଗଛକୁ ଛୁଏଁ ସେ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଏ । ସ୍ଥାନୀୟ ବାସିନ୍ଦାଙ୍କ ମତ ଅନୁସାରେ ଏ ଗଛଟି ପ୍ରାୟ ୨୧ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି ।
          ସହରରେ ଭୂତ ଅଛି କହିଲେ ପରିହାସର ପାତ୍ର ହେବା ଛଡ଼ା ଅନ୍ୟ କିଛି ନୁହେଁ । କିନ୍ତୁ କଟକର ଏମିତି ଏକ ହଷ୍ଟେଲ ଅଛି ଯେଉଁଠି ଅତୃପ୍ତ ଆତ୍ମାର ପ୍ରଦୁର୍ଭାବ ଦେଖିବାକୁ ମିଳେ ବୋଲି ଶୁଣାଯାଏ । କଟକର ପୁରୁଣା ହଷ୍ଟେଲରେ ଜଣେ ବୃଦ୍ଧ ଲୋକର ଆତ୍ମା ଘୂରି ବୁଲେ ବୋଲି କେତେକଙ୍କ ଠାରୁ ଶୁଣିବାକୁ ମିଳେ । ଏ ହଷ୍ଟେଲ ବାସିନ୍ଦା ଅନେକ ଥର ବୃଦ୍ଧ ଆତ୍ମାକୁ ଦେଖିଥିବାର କହିଛନ୍ତି । ଆଉ ଏକ ସ୍ଥାନ କଟକ ସହରର ରିଂ ରୋଡ଼ ; ଦିନ ଥିଲା କଟକ ସହରର ଏକ ଭୟଭୀତ ସ୍ଥାନ ଥିଲା ଈଏ । ଏବେ ସୁଦ୍ଧା ବିଳମ୍ବିତ ରାତ୍ରିରେ ଏଠାରେ ଭୂତ-ପ୍ରେତଙ୍କ ଉତ୍ପାତ ବଢ଼େ ବୋଲି କିଛି ଲୋକ ମତବ୍ୟକ୍ତ କରନ୍ତି  । ବାସ୍ତବରେ ଏ ଘଟଣାର ସତ୍ଯାସତ୍ଯ ଥାଉ କି ନଥାଉ ; କିଛି ଲୋକ କହନ୍ତି "ଆମେ ଅନୁଭବ କରିଛୁ" । ଏ ରାସ୍ତାକୁ ଲାଗି ଶ୍ମଶାନ । ଅନେକ ବେଳେ ଏଠି ଅଲୌକିକ ଘଟଣା ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକଙ୍କ ମତ । ସ୍ଥାନୀୟ ଲୋକଙ୍କର ମତ ଅନୁସାରେ ରାତିର ଅନ୍ଧାରରେ ଏ ରାସ୍ତାରେ ଅର୍ଦ୍ଧଦଗ୍ଧାବସ୍ଥାରେ ଜଳୁଥିବା ବ୍ଯକ୍ତି ଚାଲୁଥାଏ ; ଯାହାକୁ ସ୍ଥାନୀୟ ବାସିନ୍ଦା ଦେଖିଛନ୍ତି । ଏ ଘଟଣାର ସତ୍ଯାତା ନେଇ ଏବେ ବି ଅନେକ ଅବିଶ୍ବାସ କରନ୍ତି  ।
         ରାସ୍ତାରେ ଗଲାବେଳେ କେବେ ନା କେବେ କେହି ଲିଫ୍ଟ୍‌ ମାଗିବାର ଦୃଶ୍ଯ ଦେଖିଥିବେ । ଭୁବନେଶ୍ବର ଠାରୁ ୫୦କି.ମି ଦୂରରେ ଥିବା ଏକ ରାଜ୍ଯ ରାଜପଥରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ଅଛି, ଯେଉଁଠି ରାତିରେ ଯିବା ବେଳେ ଯଦି କେହି ମଡ଼ର୍ଣ୍ଣ ପୋଷାକ ସହ ମୁଣ୍ଡ ବାଳ ଖୋଲା କରିଥିବା ଯୁବତୀ ଲିଫ୍ଟ୍‌ ମାଗେ ତେବେ ସତର୍କ ହୋଇଯିବାଟା ଉତ୍ତମ । କାରଣ ଲିଫ୍ଟ୍‌ ମାଗିଥିବା ଯୁବତୀ ଜଣକ ଅଶରୀରି ହୋଇପାରେ । ସ୍ଥାନୀୟ ଲୋକଙ୍କ କହିବା କଥା ଅନୁସାରେ, କିଛିଦିନ ପୂର୍ବେ ଏକ ରାସ୍ତା ଦୁର୍ଘଟଣା ହୋଇ ଜଣେ ଯୁବତୀ ମରିଥିଲେ । ସେବେଠୁ ସେ ସ୍ଥାନ ଦେଇ ଯାଉଥିବା ଗାଡ଼ିଚାଳକଙ୍କୁ ଯୁବତୀଟି ଲିଫ୍ଟ୍‌ ମାଗୁଛି ବୋଲି କିଛି ଅଙ୍ଗେ ନିଭେଇ ଥିବା ଲୋକଙ୍କର ମତ । ଯଦି ତାକୁ ଦେଖି କେହି ଗାଡ଼ି ଅଟକାଇଥାଏ, ତେବେ ସେ ହଠାତ ଅଦୃଶ୍ୟ ହୋଇଯାଏ । ଆଉ ଯଦି କେହି ଗାଡ଼ି ନ ଅଟକାଇ ଆଗକୁ ପଳାଇ ଯାଆନ୍ତି ତେବେ ଗାଡ଼ି ଭିତରେ ଏ ଯୁବତୀଙ୍କୁ ଦେଖିବାକୁ ମିଳେ  । 
          ଦିନ ପରେ ରାତି ଆସେ, କିନ୍ତୁ କେହି କହି ପାରିବେ କି ଦିନ ଆଗ ନା ରାତି ଆଗ ?ଜୀବନକୁ ଯଦି ବିଶ୍ବାସ କରୁଛ, ତେବେ ମୃତ୍ୟୁକୁ ବି ବିଶ୍ବାସ କରିବାକୁ ପଡ଼ିବ । ପ୍ରସ୍ତର ପ୍ରତିମୂର୍ତ୍ତିକୁ ଭଗବାନ ଭାବି ପୂଜାର୍ଚ୍ଚନା କରୁଛେ, ତେବେ ଭୂତ ପ୍ରେତଙ୍କ ଅସ୍ତିତ୍ୱକୁ ବି ସ୍ବୀକାର କରିବାକୁ ହେବ । ଅଧୁନା ଯୁଗରେ ଅନ୍ଧବିଶ୍ୱାସ ଭାବି ଏଡ଼ାଇ ଦେଲେ ବାସ୍ତବତା ଛପି ଯିବନି । ଭାରତରେ ଏମିତି ସ୍ଥାନ ଅଛି, ଯାହା ଭୂତ କୋଠୀ ଭାବରେ ଜଣାଶୁଣା । କେବେ ଯାଇଛନ୍ତି କି ଫିରୋଜ ଶାହା କୋଟଲା ? ଶୂନଶାନ ସ୍ଥାନ ;ଷ୍ଟାଡ଼ିୟମ ନାହିଁ,କିନ୍ତୁ ଶାନ୍ତିର ସହ ବସି ଭୂତଙ୍କ ଖେଳ ଦେଖିପାରିବେ । ବିଶ୍ବାସ କରାଯାଏ କି ଫିରୋଜ ଶାହା କୋଟଲା ଭୂତ କୋଠୀ ପାଇଁ ପ୍ରସିଦ୍ଧ । ଏଠାରେ ଲୋକମାନେ ଆତ୍ମା ସହ କଥା ହେବାକୁ ଆସିଥା'ନ୍ତି । ବିଶ୍ବାସ ଯେ, ଗୋଟିଏ ଖାଲି କାଗଜରେ ନିଜର ଇଚ୍ଛାକୁ ଲେଖିବା ସହ ପ୍ରାର୍ଥନା କଲା ପରେ ଆତ୍ମା ଆଗତ ହୁଏ । ଏହା ବେଶି ବଡ଼ ଦୁର୍ଗ ନୁହେଁ ; ଯେତେବେଳେ ଦୁର୍ଗ ଭିତରକୁ ପ୍ରବେଶ କରିବେ, ସେ ସମୟରେ କିଛି ଅଲୌକିକ ଶକ୍ତିର ଅନୁଭବ କରିବେ । କିନ୍ତୁ ସେ ସମୟରେ ଆଶ୍ଚର୍ଯ୍ୟଚକିତ ହେବେ ନାହିଁ । ଫିରୋଜଶାହା ତୁଗଲଙ୍କ ଦ୍ବାରା ନିର୍ମିତ ଦୁର୍ଗ "ଭୂଲି ଭଟିଆରୀ କା ମହଲ", ସବୁଠୁ ଭୟାନକ ଦୁର୍ଗର ଆଖ୍ୟା ପ୍ରାପ୍ତ । ଏ ଦୁର୍ଗକୁ ରାତିରେ ଯିବା ଦୂରର କଥା, ଦିନରେ ଯିବାକୁ ବି ଭୟ ମାଡ଼େ । ଏଠି ବିଭିନ୍ନ ପ୍ରକାରର ଭୟାନକ ଶବ୍ଦ ଶୁଣିବାକୁ ମିଳେ ଓ ଏଠି ଲୋକମାନେ ଭୂତକୁ ଦେଖନ୍ତି  । ଦିଲ୍ଲୀର ସବୁଠୁ ଭୟଙ୍କର ସ୍ଥାନ "ନର୍ଦେନ ରିଜ", ଯାହା ଦିଲ୍ଲୀ ୟୁନିଭରସିଟି ସମୀପରେ ଅବସ୍ଥିତ । ଏହା ଜଙ୍ଗଲୀ ରାସ୍ତା ଓ ଫଟୋ ଉତ୍ତୋଳନ ପାଇଁ ପ୍ରସିଦ୍ଧ ସ୍ଥାନ ; ଏଠାର ଜଙ୍ଗଲୀ ରାସ୍ତା ହଣ୍ଟେଡ଼ ଏରିଆ ଭାବେ ପରିଚିତ  । ଇତିହାସ ଫର୍ଦ୍ଦରେ ଲିପିବଦ୍ଧ ଅଛି କି ଜଣେ ବ୍ରିଟିଶ ବ୍ଯକ୍ତିର ଆତ୍ମା ଏହି ସ୍ଥାନରେ ଚଳପ୍ରଚଳ କରୁଛି । ଆଉ ଏକ ସ୍ଥାନ ଆଗ୍ରାସେନକି ବାଓଲି, ଯାହା ୧୪ଶହ ଶତାଦ୍ଦୀରେ ଆଗ୍ରାସେନ ମହାରାଜଙ୍କ ଦ୍ବାରା ନିର୍ମିତ । ଏ ଦୁର୍ଗ ବାଓଲି ନାମରେ ଜଣା ; ଏ ଦୁର୍ଗରେ ଅନେକ ଲୋକ ଡେଇଁକି ଆତ୍ମହତ୍ୟା କରନ୍ତି । ଏ ଦୁର୍ଗ ଭିତରକୁ ପ୍ରବେଶ କଲେ, କେବଳ ନିଜର ପାଦ ଶବ୍ଦ ହିଁ ଶୁଣିବେ । ଏପଟେ ଚିଁ ଚିଁ କରୁଥବା ବାଦୁଡ଼ି ସେପଟେ ଲୋମଟାଙ୍କୁରା ପବନରେ ଛାତି ଥରି ଉଠିବ । 
         ଭାରତର କୋଟା ସ୍ଥିତ ବ୍ରିଜ ରାଜ ଭବନ ଏକ ଭୂତ କୋଠୀ ।କିନ୍ତୁ ଏଠି ଭୂତମାନେ କାହାର କ୍ଷତି କରନ୍ତିନି, କିନ୍ତୁ ଏ କୋଠୀରେ ନିଜର ଅସ୍ତିତ୍ୱ ଜାହିର କରନ୍ତି । ରାଜସ୍ଥାନର ଏକ ଗାଁ, ଯାହାର ନାମ କୁଲଧାରା । ଏ ଗାଁରେ ଭୂତ ପ୍ରେତ ମାନଙ୍କ ଆତଙ୍କ ପାଇଁ ୧୯ ଶତାଦ୍ଦୀରୁ ସମସ୍ତେ ଗାଁ ଛାଡ଼ି ଚାଲିଗଲେଣି । ଏବେ ଏ ଗାଁରେ ଖଣ୍ଡିଆ ଘର ସବୁ ଦୃଶ୍ଯମାନ ; ଏକବିଂଶ ଶତାଦ୍ଦୀରେ ବି ଏ ଗାଁକୁ ଯିବାକୁ ଲୋକେ ଡ଼ରନ୍ତି । ଆଉ ଏକ ସ୍ଥାନ - ସୁରତର ଡ଼ୁମସ ବ୍ଲାକ ସ୍ଯାଣ୍ଡ ବିଚ, ଯେଉଁଠାକୁ କି ଯିଏ ଯାଏ ସେ ଜୀବିତ ଫେରେନା । ଏ ସ୍ଥାନରେ ଭୂତ ପ୍ରେତଙ୍କ କ୍ରନ୍ଦନ ଅନେକ ଦୂରକୁ ଶୁବିଲେ ବି ଆଜି ପର୍ଯ୍ୟନ୍ତ ଏ ଜାଗାକୁ କେହି ଯିବାକୁ ସାହସ କରିପାରନ୍ତି ନାହିଁ  । ମେରଠର ଜିପି ବ୍ଲକ ଅନେକ ଭୂତଙ୍କ ଆବାସସ୍ଥଳୀ । ସ୍ଥାନୀୟ ଲୋକେ ଏକ ଲାଲ୍‌ ଫ୍ରକ୍‌ ପିନ୍ଧା ଝିଅକୁ ଦେଖନ୍ତି, କିଛି ଦୂର ଯାଇ ସେ ଉଭାନ ହୋଇଯାଏ । ଏହି କୋଠରୀଟି ଅନେକ ବର୍ଷରୁ ଶୂନ୍ଯ । ଦାଗସାଇର କବରସ୍ଥଳୀରେ ଥିବା ଭୂତମାନେ ବହୁତ ଭଲ । ସ୍ଥାନୀୟ ଲୋକଙ୍କ ବଚନାନୁସାରେ ଏଠାରେ ଆଠ ମାସର ଅନ୍ତସତ୍ତ୍ବା ଜଣେ ସ୍ତ୍ରୀଙ୍କ ମୃତ ଦେହକୁ କବର ଦିଆ ହୋଇଥିଲା । ତାଙ୍କ ବଚନ ଅନୁସାରେ ଗର୍ଭବତୀ ସ୍ତ୍ରୀମାନେ ଏ କବରସ୍ଥଳୀକୁ ଗଲେ ତାଙ୍କର ପୁତ୍ର ସନ୍ତାନ ଲାଭ ହୋଇତାଏ । ଶିମଲାର ସବୁଠୁ ଭୟଙ୍କର ଭୁତିଆ ଜାଗା କୁହା ଯାଉଥିବା ଜାଗା ହେଉଛି ସିମଲା - କଲକାଟ୍ରେନ ରୁଟ୍‌, ଟନେଲ ନମ୍ବର ୩୩ । ସ୍ଥାନାୟ ଲୋକଙ୍କ ମତାନୁସାରେଣ - ଏଠାରେ ଜଣେ ବ୍ରିଟିଶ ବୈଜ୍ଞାନିକ କ୍ଯାପଟେନ ବୋରଗଙ୍କ ଆତ୍ମା ରୁହେ । ଆଉ ଏକ ସ୍ଥାନ ସିମଲାର ସାର୍ଲେଭିଲେ ମ୍ଯାନସନ ; ଯାହାକୁ ସିମଲାର ଆଇ ବୋଲି କହନ୍ତି  । ଏହା ବ୍ରିଟିଶ ଅମଳର, କିନ୍ତୁ ଏଠି ରହିବା ନିମନ୍ତେ ଆସୁଥିବା ଅନେକ ଜନଙ୍କର ରହସ୍ୟ ଜନକ ମୃତ୍ୟୁ ପରେ ଘରଟି ଏବେ ପରିତ୍ଯକ୍ତାବସ୍ଥାରେ ପଡ଼ି ରହିଛି । ମଶୁରୀର ସାଭୋଏ ହୋଟେଲରେ ବାସ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ଔଷଧ ବୋତଲରେ ବିଷ ମିଶାଇ ହତ୍ଯା କରାଯାଇଥବାର କୁହାଯାଏ । ସେବେଠୁ ଏ ହୋଟେଲରେ ଉକ୍ତ ମହିଳାଙ୍କ ଆତ୍ମା ଘୂରି ବୁଲୁଛି ବୋଲି କହନ୍ତି  । 

       ଭାରତରେ ଇଂରେଜ ସାସନ ବେଳେ ବହୁତ ଆଲିଶାନ ହୋଟେଲ ନିର୍ମିତ ହୋଇଥିଲା । ସେ ସବୁ ଭିତରୁ ଅନେକ ଭବନକୁ ହେରିଟେଜ ଘୋଷଣା କରାଯାଇଛି । ଭୂତ-ପ୍ରେତଙ୍କ ସାୟା ଥିବାର ବିଶ୍ବାସ କରି ଏହି ଭବନ ମାନଙ୍କୁ ହେରିଟେଜ ଘୋଷଣାନାମା ହୋଇଛି । ମାର୍ଗନ ହାଉସ ପଶ୍ଚିମ ବାଙ୍ଗାଲରେ କାଲିମପୋଙ୍ଗ ନାମକ ହିଲ ଷ୍ଟେସନ ଉପରେ ଅଛି  । ଏ ହୋଟେଲର ସଂରଚନା କିଛି ଓସ୍କାର ୱାଇଲ୍‌ଡ୍‌ର ପ୍ରସିଦ୍ଧ ପୁସ୍ତକ "ଦି ଫ୍ଯାଣ୍ଟରୱେଲ ଘୋଷ୍ଟ" ମହଲ ସହ ପାଖାପାଖି ମେଳ ଖାଉଛି  । ଏଠାରେ ଆଗରୁ ଜର୍ଜ ମୋରଗାନ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ । ତାଙ୍କ ପତ୍ନୀଙ୍କ ଦେହାନ୍ତାନ୍ତେ ସେ ସେହି ଘର ଛାଡ଼ି ଚାଲି ଆସିଲେ । ଏହାପରେ ସେ ଘରଟି ଏକ ଲଜ ବନିଗଲା । ସେଠି ରହୁଥିବା ଜନଗଣ ଅଭିଯୋଗ କରନ୍ତି ସେଠାରେ ଭୂତ ରହୁଛି ; ଜଣେ ମହିଳାଙ୍କ ପାଦ ଶବ୍ଦ ଶୁଣାଯାଉଛି । ନିଜାମ ସୁଲତାନଙ୍କ ଯୁଦ୍ଧକ୍ଷେତ୍ର ଠାରେ ନିର୍ମିତ "ରାମୋଜୀ ଫିଲ୍ମ ସିଟି"ରେ ଅନେକଙ୍କର ମୃତ୍ଯୁ ହୋଇଛି । ତେବେ ଏହି ପାଖାପାଖି ହୋଟେଲରେ ରହସ୍ୟମୟ ଘଟଣାର ଅଭିଯୋଗ ଆସେ । ଅତ୍ର କେତେବେଳେ କୌଣସି ଲାଇଟ୍‌ ଏବଂ ଲାଇଟରମ୍ଯାନ୍‌ଙ୍କ ଅଧିକ ଉଚ୍ଚାରୁ ପଡ଼ିଯିବା, ବାଥରୁମ ମିରର୍‌ରେ ଉର୍ଦ୍ଧୁ ଭାଷାରେ ଲେଖା ହୋଇଥିବାର କିଛି ଧାଡ଼ି ଦୃଶ୍ଯ ହୁଏ ବୋଲି ଅଭିଯୋଗ ହୁଏ ।
       ଏକ ଗବେଷଣାନୁସାରେ ଦୁନିଆର ସବୁ କୋଣରେ ଭୂତଙ୍କ ଅବସ୍ଥିତି । ଜାଣି ରଖନ୍ତୁ ଯେ, କୌଣସି ଆତ୍ମା କାହାର କ୍ଷତି କରିବା ପୂର୍ବରୁ ସର୍ବପ୍ରଥମେ ତା'ର ଧ୍ଯାନ ଆକର୍ଷଣ କରିଥାଏ । ଆତ୍ମା ପାଖରେ ସମୟର କୌଣସି ଅର୍ଥ ନଥାଏ । କିଛି ଆତ୍ମା ଲୋକମାନଙ୍କୁ ସାହାଯ୍ୟ କରିଥିବାର ଶୁଣିବାକୁ ମିଳେ ।ଜାଣିବାକୁ ମିଳେ, ଅଷ୍ଟ୍ରେଲିଆର  ପ୍ରିନ୍‌ସେସ୍‌ ଥିଏଟର୍‌ରେ ସଙ୍ଗୀତକାର ଫେଡ଼େରିକ୍‌ଙ୍କର ଗୀତ ଗାଇବା ବେଳେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । ଶୁଣାଯାଏ କି, ଆଜି ମଧ୍ୟ ସେଠି ତାଙ୍କ ଆତ୍ମା ଅଛି । ଏଥିପାଇଁ ଥିଏଟର୍‌ର ପ୍ରତି ଶୋ'ରେ ମଞ୍ଚ ସାମ୍ନା ସିଟ୍‌ଟି ଫେଡ଼େରିକ୍‌ଙ୍କ ପାଇଁ ଶୂନ୍ଯସ୍ଥାନ ସୃଷ୍ଟି କରିଥାଏ । ଫେଡ଼େରିକ୍‌ ଏ ଆସନରେ ବସନ୍ତି ବୋଲି କୁହାଯାଏ । ମ୍ଯାକ୍‌ବେଥ୍‌ ଠାରୁ ଆରମ୍ଭ କରି ବାଇବେଲ୍‌ ଯାଏଁ ଭୂତଙ୍କ ସ୍ଥିତି ଅଛି ବୋଲି ଦାବି କରାଯାଏ । ଆଲବର୍ଟ ଆଇନଷ୍ଟାଇନ ଏକ ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ, ଆତ୍ମା ବା ଶକ୍ତି କୁଆଡ଼େ ଯାଆନ୍ତିନି । କେବଳ ତାଙ୍କ ସ୍ବରୂପର ପରିବର୍ତ୍ତନ ହୁଏ । ସେମାନେ ଅନ୍ଯ ଏକ ଶରୀରରେ ଶକ୍ତି ରୂପେ ପ୍ରବେଶ କରନ୍ତି ।

             ବିଶ୍ବର ତିନୋଟି ବିପଜ୍ଜନକ ସ୍ଥାନ ଅଛି, ଯେଉଁଠିକି ଯିବାର ଅନୁମତି ମିଳେନି । ଜାପାନର ମାଉଣ୍ଟ୍‌ଫୁଜେର ତଳ ଘାଟିରେ ଥିବା ଅକିଘରା, ଯାହାକୁ ସୁଇସାଇଡ଼୍‌ ଫରେଷ୍ଟ ବା ସି ଅଫ୍‌ ଫରେଷ୍ଟ କହନ୍ତି । ୨୦୦୫ରେ ଏହି ସ୍ଥାନରୁ ୧୦୫ ଡେଡ୍‌ ବଡି ବାହାର କରାଯାଇଥିଲା । ସେଲାଗି ଏହାର ନାମ ଭୂତ ଜଙ୍ଗଲ । ଏ ସ୍ଥାନର ଏକ ରହସ୍ୟ ହେଲା, ଏଠାରେ କୌଣସି ପ୍ରକାର ଆଧୁନିକ ଉପକରଣ ଯେପରି ମୋବାଇଲ, ଜିପିଏସ ଆଦି ଅକାମୀ ହୋଇଯାଏ  । ବ୍ରାଜିଲ୍‌ର ସ୍ନେକ୍‌ ଆଇଲ୍ଯାଣ୍ଡ ଏମିତି ଏକ ଦ୍ବୀପ ଯେଉଁଠି ସାଧାରଣ ଲୋକ ବଞ୍ଚିବା କଷ୍ଟ, କାରଣ ଏ ଜାଗାରେ ଦୁନିଆର ସବୁଠୁ ବିଷଧର ସାପ ଅଛନ୍ତି । ୧୧୦ ଏକର ଜାଗାରେ ପାଖାପାଖି ୪୦୦୦ ବିଷଧର ସାପଙ୍କ ନିବାସ । ସବୁଠୁ ଅଧିକ ବିଷଧର ସର୍ପ ଗୋଲ୍‌ଡେନ ଲାୟୋନ ସ୍ନେକ୍‌ ଏଠାରେ ଅଛି, ଯିଏକି ଦଂଶନ କରିଲେ ମଣିଷର ମାଂସ ସିଝିଯାଏ ।ଏ ସର୍ପର ମାତ୍ର ଏକ ଗ୍ରାମ ବିଷ  ୫୦ ଜଣଙ୍କ ଜୀବନ ନେଇପାରିବ । ଜାହାଜ ଗୁଡ଼ିକ ଏ ଦ୍ବୀପରୁ ଦୂରେଇ ରଖିବାକୁ ୧୯୦୯ ମସିହାରେ ଏ ଦ୍ବୀପରେ ଏକ ଲାଇଟ୍‌ ହାଉସ ନିର୍ମିତ ହୋଇଥିଲା ଓ ଏହାକୁ ପରିବାର ଚଲଉଥିଲା । ୧୯୨୦ରେ ଏ ପରିବାରର ସମସ୍ତ ସଦସ୍ୟଙ୍କର ଦେହାନ୍ତ ହୋଇଗଲା । ସେଥିଲାଗି ଏ ଲାଇଟ୍‌ ହାଉସକୁ ସଦାଦିନ ପାଇଁ ଅଟୋମେଟିକ୍‌ କରି ଦିଆଗଲା ।ଏ ଦ୍ବୀପକୁ କେହି ନଯିବାକୁ ବ୍ରାଜିଲ୍‌ର ନ୍ଯାଭିକୁ ଏ ଦ୍ବୀପ ସମୀପେ ମୁତୟନ କରାଯାଇଛି । ୧୩୪୮ରେ ଇଟାଲୀରେ ପ୍ଲେଗ୍‌ ରୋଗ ଚ଼ାରିଆଡ଼େ ବ୍ଯାପିଥିଲା । ସେହି ସମୟରେ ଏ ରୋଗରେ ମୃତ ଲୋକଙ୍କୁ ଇଟାଲୀର ପୋବେଗ୍ଲିଆ ଆଇଲ୍ଯାଣ୍ଡରେ ଦାହ କରାଯାଉଥିଲା । ଏ ଦ୍ବୀପରେ ଏକ ଲକ୍ଷ ଷାଠିଏ ହଜାର ଲୋକଙ୍କୁ ଦାହ କରାହୋଇଥିଲା । ୧୯୨୨ରେ ଏ ଜାଗାରେ ମେଣ୍ଟାଲ୍‌ ହସ୍ପିଟାଲ୍‌ ନିର୍ମାଣ ହେଲା । କିଛିଦିନ ପରେ ସେଠି ମୃତ ଲୋକର ଆତ୍ମା ଥିବା କଥା ଜଣା ପଡିବାରୁ ହସ୍ପିଟାଲକୁ ସବୁଦିନ ପାଇଁ ବନ୍ଦ କରିଦିଆଗଲା ।

       ଜାଣି ଆଶ୍ଚର୍ଯ୍ୟ ଲାଗେ, ଭୂତ ମଦ ପିଏ ଓ ସିଗାରେଟ୍‌ ଟାଣେ । ବିଶ୍ବାସ ନହେଲେ ବି କଥାଟି ସତ ; ଭୂତକୁ ଶାନ୍ତ କରିବାକୁ ଲୋକେ ଦେଉଛନ୍ତି ମଦ,ସିଗାରେଟ ଓ ପାଣି ବୋତଲ । ହିମାଚଳ ପ୍ରଦେଶର ମନାଲି-ଲେହ ରାସ୍ତାରେ ଗାଟା ଲୁପ୍ସ ନାମକ ଏକ ଅଜବ ଭୂତ ରହୁଛି । ଏଠି ଭୂତର ଏକ ଛୋଟିଆ ଘର ମଧ୍ୟ ଅଛି । ଏଠାକୁ ଆସିବାକୁ ସମସ୍ତେ ଭୟ କରନ୍ତି । ଯିଏ ସେ ବାଟେ ଯାଏ ସେଠାରେ ସେ ଭୂତକୁ ମାଦକ ଦ୍ରବ୍ଯ ସହ ପାଣି ପୂର୍ଣ୍ଣ ବୋତଲ ଭେଟି ଦେଇ ଯାଇଥା'ନ୍ତି । ସ୍ଥାନୀୟ ଲୋକଙ୍କ ବିଶ୍ବାସନୁସାରେ ଦେଢ଼ ଦଶକ ପୂର୍ବେ ଏ ସ୍ଥାନରେ ଏକ ଟ୍ରକ୍‌ ଖରାପ ହୋଇଯାଇଥିଲା । ହେଲପର୍‌କୁ ଛାଡ଼ି ଡ୍ରାଇଭର ମେକାନିକ୍‌ ଡ଼ାକିବାକୁ ୪୦କି.ମି ଦୂର ଏକ ସ୍ଥାନକୁ ଯାଇଥିଲେ । ସେ ସମୟରେ ପାଣିପାଗ ଖରାପ ହେତୁ ବରପ ତୋଫାନ ଫଳରେ ରାସ୍ତା ବନ୍ଦ ହୋଇଯାଇଥିଲା । ସପ୍ତାହ ପରେ ଝଡ଼ତୋଫାନ କମିବାରୁ ଡ୍ରାଇଭର ମେକାନିକ ଧରି ସେଠାକୁ ଫେରିଲେ ; ସେତେବେଳକୁ ଭୋକ ଉପାସରେ ହେଲପର ମରିଯାଇଥିଲା ଓ ତା' ଶବ ଟ୍ରକ ଭିତରେ ମିଳିଲା । ଡ୍ରାଇଭର ସେଇଠାରେ ଶବ ସତ୍କାର କରିଥିଲେ । ଏ ଘଟଣାର କିଛିଦିନ ପରେ ସେଠାରେ ଅଜବ ଘଟଣାମାନ ଘଟିଲା । ଜଣେ ଯୁବକ ହଠାତ୍‌ ଦେଖା ଦେଇ ଲୋକଙ୍କୁ ସିଗାରେଟ୍‌, ମଦ ଓ ପାଣି ମାଗିଲା । ଯିଏ ନ ଦେଲା ସେ ଦୁର୍ଘଟଣାରେ ମଲା । ଏହା ପ୍ରଚାରିତ ହେଲା ପରେ ସେଠାରେ ଲୋକେ ଭୂତ ପାଇଁ ଘର କରିଲେ ଏବଂ ପଥଯାତ୍ରୀ ସେଠାରେ ସେ ସବୁ ଜିନିଷ ଦେଇ ରାସ୍ତା ଅତିକ୍ରମ କରି ଯାଉଥିଲେ  । ଏହାପରେ ସେଠି ଆଉ ଦୁର୍ଘଟଣା ଘଟୁନି । 

      ଏମିତି ଏକ ଜେଲ୍‌, ଯେଉଁଠି ଭୂତଙ୍କ ନିବାସ । ଭୂତ ରହିଥିବାର ଜାଣିବା ପରେ ଜେଲ୍‌ଟିକୁ ବନ୍ଦ କରିଦିଆଯାଇଛି ।ଏହି ଜେଲ୍‌ଟି ବ୍ରିଟେନରେ ଅବସ୍ଥିତ । ବ୍ରିଟେନର ସବୁଠୁ ଭୟଙ୍କର ସ୍ଥାନ ଭିତରେ ଇଏ ଗୋଟିଏ  । ଏକ ଦମ୍ପତି ଏଠାରେ ଭୂତକୁ ଦେଖିଛନ୍ତି ବୋଲି କହନ୍ତି ; ପ୍ରମାଣ ସ୍ବରୂପ ଏକ ଭିଡ଼ିଓ ମଧ୍ୟ ଦେଖାଇଛନ୍ତି । ୧୭୩୫ରେ ନିର୍ମିତ ବୋଡ଼ମିୟା ଜେଲ୍‌ ଯାହା ବ୍ରିଟେନରେ ଅଛି ; ୧୯୦୯ ମସିହା ପର୍ଯ୍ଯନ୍ତ ୬୦ ଜଣଙ୍କୁ ଫାଶି ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଥିଲେ । ଭୂତ ଅବସ୍ଥିତି ଜାଣିଲା ପରେ ୧୯୨୯ରେ ଏ ଜେଲ୍‌କୁ ବନ୍ଦ କରିଦିଆଗଲା । ଟୋନୀ ଫେରଗୁସନ୍‌ ନାମକ ବ୍ଯକ୍ତିଙ୍କ ଦାବି ଅନୁସାରେ, ଏହି ଜେଲ୍‌ରେ ଶେଷ ଫାଶି ପ୍ରାପ୍ତ ବ୍ଯକ୍ତିର ଆତ୍ମାକୁ ସେ ଦେଖିଛନ୍ତି । ଏଠି ବହୁ ବଡ଼ ବଡ଼ ଅପରାଧୀ ଫାଶି ଖୁଣ୍ଟରେ ଝୁଲିଥିଲେ । ଲୋକଙ୍କ ବିଶ୍ବାସ, ଫାଶି ପ୍ରାପ୍ତ ବ୍ଯକ୍ତିଙ୍କ ଆତ୍ମା ଏ ଜେଲ୍‌ରେ ବୁଲନ୍ତି । ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଟୋନି ଦିନେ ରାତିରେ ସ୍ବପତ୍ନୀଙ୍କ ସହ ଏ ଜେଲ୍‌ ମଧ୍ୟକୁ ପ୍ରବେଶ କରିଥିଲେ । ତାଙ୍କ ଆଖି ଆଗରେ ଘଟିଥିଲା ଗୋଟିଏ ପରେ ଗୋଟିଏ ଅଲୌକିକ ଘଟଣା ।ସେ ଜେଲ୍‌ରେ କିଛି ଭିତରକୁ ଯିବା ପରେ ତାଙ୍କ ଆଗରେ ଅଲୌକିକ ଘଟଣାମାନ ଘଟିଥିଲା ।  ଅଧିକ ଭିତରକୁ ଗଲା ପରେ ଅଜବ ଧରଣର ଶବ୍ଦ ଶୁଣିଲେ । ପ୍ରଥମେ ଧପ୍‌ଧପ୍‌ ହେଉଥିବା ଏକ ଆଲୋକକୁ ଦେଖିଲେ, ଦେଖୁ ଦେଖୁ ଆଲୋକଟି ବେସି ଉଜ୍ଜ୍ୱଳ ହୋଇ ଯାଇଥିଲା  । ପରେ ଏହା ଦୃତ ଗତିରେ ଉଡ଼ି ଉଡ଼ି ସେମାନଙ୍କ ଆଖି ସାମ୍ନାକୁ ଚାଲି ଆସିଥିଲା । ଜେଲ୍‌ର ଏକ କରିଡୋର ପାଖରେ ଆହୁରି ଉଜ୍ଜ୍ୱଳ  ହୋଇଗଲା ଆଲୋକଟି ଓ ସେ ସେଠାରେ ଏକ ଆତ୍ମାର ଦର୍ଶନ ପାଇଲେ । ତାକୁ କ୍ଯାମେରାରେ ରେକର୍ଡ୍‌ କରିନେଲେ, ତାହା ତାଙ୍କୁ ୱିଲିୟମ ହୋମ୍ପଟମଙ୍କ ଭୂତ ଭଳି ଲାଗିଲା । ସେ ଶେଷ ଫାଶି ପାଇଥିବା ବ୍ଯକ୍ତି ଥିଲେ । ସେ ତାଙ୍କୁ ଦେଖିବା ପୂର୍ବରୁ ତାଙ୍କ ନାଁ ନେଇଥିଲେ । ଏ ବିଷୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କହିବାରୁ ସେ ଏହାକୁ ସତ ବୋଲି ଧରି ନେଇଥିଲେ ; କାରଣ ସେ ଆଗରୁ ଜେଲ୍‌ରେ ଭୂତ ଦେଖିଛନ୍ତି ବୋଲି ଦାବି କରିଛନ୍ତି । ଜେଲ୍‌ ରେକର୍ଡ୍‌ ଅନୁସାରେ, ୱିଲିୟମ ହୋମ୍ପଟମଙ୍କୁ ୧୯୦୯ ଜୁନ ୨୪ ତାରିଖରେ। ସେହି ଜେଲ୍‌ରେ ଫାଶି ଦିଆ ଯାଇଥିଲା । ସେତେବେଳେ ତାଙ୍କ ବୟସ ଥିଲା ୨୪ ବର୍ଷ । ନିଜ ୧୬ ବର୍ଷର ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିବା ଅଭିଯୋଗ କ୍ରମେ କଚେରୀର ନିର୍ଦ୍ଦେଶରେ ତାଙ୍କୁ ଫାଶି ଦିଆଯାଇଥିଲା  ।

        ଶାସ୍ତ୍ରରେ ଲେଖା ଅଛି ଆତ୍ମାଟି ଶରୀର ଛାଡ଼ିବା ପରେ ଅଦୃଶ୍ୟ ହୋଇଯାଏ । ସେ ଶରୀର ଛାଡ଼ିବାର ଅନେକ ବର୍ଷ ଯାଏଁ ପୁନର୍ଜନ୍ମ ନିଏ ନାହିଁ  । ସେ ସ୍ବଜନ ବା ନିଜ ସମ୍ପର୍କୀୟଙ୍କ ଚତୁଃପାର୍ଶ୍ୱରେ ପରିଭ୍ରମଣ କରେ । କେହି ପ୍ରିୟଜନଙ୍କ ମୃତ୍ୟୁ ହେଲେ, ଜୀବିତ ପ୍ରିୟଜନମାନେ ଏକାକୀ ଥିବା ବେଳେ ଆତ୍ମାଟି ତାଙ୍କ ନିକଟକୁ ଆସେ ; ଆତ୍ମାଟି ଅଦୃଶ୍ୟ ହୋଇଥବାରୁ ଜୀବିତ ବ୍ଯକ୍ତି ଦେଖି ପାରନ୍ତିନି । କିନ୍ତୁ ଅନୁଭବ କରିପାରନ୍ତି କିଛି ମାତ୍ରାରେ ଆତ୍ମାକୁ । ସ୍ବଜନଙ୍କୁ ଅଚାନକ ପରିତ୍ଯାଗ କରି ଚାଲି ଯାଇଥିବା ଆତ୍ମାଟି ଅନେକ ସମୟେ ପ୍ରିୟ ପରିଜନଙ୍କ ସ୍ବପ୍ନରେ ଆଗତ ହୁଏ ଓ ପ୍ରିୟଜନଙ୍କ ସଙ୍ଗେ ବାର୍ତ୍ତାଳାପ କରେ ; କ୍ଷଣିକ ପାଇଁ ଜୀବିତ ବ୍ଯକ୍ତିଟି ଆତ୍ମା ଆଗତର ଅନୁଭବ କରିପାରେ । ଆମେ ଶୋକ ସନ୍ତାପରେ ବୁଡ଼ି ରହିଲେ ଆତ୍ମାଟି ସହ୍ଯ କରିପାରେନି । ସେ ଆମ ଚାରି ପାଖରେ ଘୂରି ବୁଲେ ସିନା,କିନ୍ତୁ କିଛି କରି ପାରେନା । ଯଦି ବି କୌଣସି ପାରିବାରିକ ଉତ୍ସବ ପାଳିତ ହୁଏ, ଅନେକ ବନ୍ଧୁ ବାନ୍ଧବ ଏକତ୍ରିତ ହୋଇଥା'ନ୍ତି ତେବେ ସେ ସମୟେ ଆତ୍ମାଟି ସ୍ବଜନଙ୍କ ଚତୁର୍ପାର୍ଶ୍ବରେ ରହି ଖୁସିକୁ ଅନୁଭବ କରେ ।

           ମଝିରେ ଏକ ରୋଚକ କାହାଣୀ ସାମ୍ନାକୁ ଆସିଥିଲା, ଯାହା ସାରା ବିଶ୍ୱରେ ପାଲଟିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏ ଘଟଣାଟି ଆମେରିକାର ଆଲ୍‌ଟ୍ରିଞ୍ଚାମ୍‌ ସହରର । ରାତି ଅଧରେ ନ୍ଯାୟ ମାଗୁଛି ପ୍ରେତାତ୍ମା ସେଠାକାର ଏକ କଚେରୀ କୋଠରୀରେ ବନ୍ଦୀ ହୋଇ । ଶୁଭୁଛି ଚିତ୍କାର - "ଆଇ ନେଭର, ଆଇ ନେଭର " ; ଯାହାର ଅର୍ଥ ହେଉଛି - "ମୋର କୌଣସି ଭୂଲ୍‌ ନାହିଁ, ମୋର କୌଣସି ଭୂଲ୍‌ ନାହିଁ ।" ଏହି କରୁଣ ଚିତ୍କାରକୁ ବି ରେକର୍ଡ କରାଯାଇଛି । ଏ ପ୍ରେତାତ୍ମାଟି ଜଣେ ମହିଳା । ସ୍ଥାନୀୟ ବାସିନ୍ଦାଙ୍କ ମତାନୁସାରେ, ପ୍ରେତାତ୍ମା ବାସ କରୁଥିବା ଘରଟି ଗୋଟିଏ କୋର୍ଟ ଅଟେ । ୯୦ ଦଶକର ଏହି ଘଟଣା, ମହିଳାଙ୍କୁ ଥିଲା ଫାଶୀ ନିର୍ଦ୍ଦେଶ । ସେତେବେଳେ ଏହି ମହିଳା ଜଣକ ନିଜକୁ ବାରମ୍ବାର ନିର୍ଦ୍ଦୋଷୀ ବୋଲି କହୁଥିଲେ । କିନ୍ତୁ କୋର୍ଟ୍‌ ତାଙ୍କୁ ଦୋଷୀ ବିଚାର କରି ଫାଶୀ ଦଣ୍ଡର ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଏହି କୋଠରୀ ମଧ୍ୟରେ ଉକ୍ତ ମହିଳାଙ୍କର ପ୍ରେତାତ୍ମା ନିବାସ କରେ । ଭୂତ-ପ୍ରେତ ଉପରେ ଗବେଷଣାରତ ଜଣେ ବ୍ଯକ୍ତି ପ୍ରସ୍ତୁତ କରିଥିବା ଭିଡ଼ିଓରୁ ଜଣାଯାଏ ଯେ ଘରଟିର ପରିତ୍ଯକ୍ତ ଅବସ୍ଥା । ଘରଟି ପରିତ୍ଯକ୍ତ ହେବା ପରେ ପ୍ରେତାତ୍ମାଟି ସେଠି ରହୁଛି ନା ପ୍ରେତାତ୍ମା ରହିବା ପରେ ଭୟ ପାଇ ସେଠି କେହି ରହୁନାହାନ୍ତି କି ସେ ଘରକୁ ବ୍ଯବହାର କରୁନାହାନ୍ତି ତାହା ସଠିକ ଭାବେ ଜାଣି ହେଉନାହିଁ  । ମଧ୍ୟରାତ୍ରିରେ କିନ୍ତୁ ପ୍ରେତାତ୍ମାର ଏକ କରୁଣ ସ୍ବର ଶୁଭାଯାଏ । ଆମେରିକାର ଜଣେ ଭୂତ ଗବେଷକ ସିନ୍‌ ରୋନାଲ୍‌ଡ୍‌ସ୍‌ କ୍ଯାମେରାରେ ପ୍ରେତାତ୍ମାର ଦେହ ଓ ଏହାର ସ୍ବରକୁ ରେକର୍ଡ କରିଛନ୍ତି । ଭୂତ-ପ୍ରେତଙ୍କ ଅବିଶ୍ବାସୀ ମାନଙ୍କ ମତାମତନୁସାରେ ଏହା ମିଥ୍ୟା  ; ତାଙ୍କ ମତରେ ବାସ୍ତବ ଦୁନିଆରେ ଭୂତ-ପ୍ରେତଙ୍କର ଅବସ୍ଥିତି ଏକ କୁହେଳିକା । ତେଣୁ ତାଙ୍କ ଭିଡ଼ିଓ ଓ ଅଡ଼ିଓ ରେକର୍ଡ୍‌ ଅସମ୍ଭବ । ଅବିଶ୍ବାସୀଙ୍କ ମତରେ ଆମେରିକାର ଭୂତ ଗବେଷକ ମିଥ୍ୟାବାଦୀ  । କେତେ ସତ କେତେ ମିଛ ତାହା ପ୍ରମାଣ ହୋଇନି, ଏ ଘଟଣା କିନ୍ତୁ ବିଶ୍ବ ଚର୍ଚ୍ଚିତ  ।

    ମଣିଷ କାହିଁକି ଭୂତ ପାଲଟେ, ଏହାର ଅନେକ କାରଣ ପୁରାଣ କହେ । ପ୍ରମୁଖ କାରଣ ଗୁଡ଼ିକ ହେଲା - ସଂସାରରେ ପ୍ରାଣୀ ବା ପଦାର୍ଥ ପ୍ରତି ଦ୍ବେଷ ବା ଶତ୍ରୁତା ଆଚରଣ କରିବା କିମ୍ବା ଅତ୍ଯନ୍ତ ଆଶକ୍ତି ଓ ମମତା ରହିଲେ ପ୍ରେତ ଯୋନି ପ୍ରାପ୍ତ ହୁଏ । କାହା ପ୍ରତି ଦ୍ବେଷ ରଖି ମୃତ୍ୟୁବରଣ କଲେ ପୀଡ଼ା ଦାୟକ  ପ୍ରେତ ଯୋନି ମିଳେ । ଶାସ୍ତ୍ର କହେ ଭୂତ-ପ୍ରେତଙ୍କୁ ପୂଜା କରୁଥିବା ବ୍ୟକ୍ତି ପ୍ରେତ ଜନ୍ମ ପାଆନ୍ତି  । ଯେଉଁମାନେ ତାମସିକ ସାଧନା କରନ୍ତି, ତାମସିକ ଖାଦ୍ଯ ପାନୀୟ ଗ୍ରହଣ କରିଥା'ନ୍ତି ସେମାନେ ପ୍ରାୟତଃ ପ୍ରେତ ହୋଇଥା'ନ୍ତି । ମଦ୍ୟପାନ, ଚୋରୀ ଡ଼କାୟତି, ହତ୍ଯା ଓ ବ୍ଯଭିଚାରରେ ଲିପ୍ତ ବ୍ଯକ୍ତିମାନେ ଭୂତ ବନନ୍ତି ଏବଂ ଶାସ୍ତ୍ର ବିରୋଧୀ ବ୍ଯକ୍ତି ତଥା ଅଧର୍ମ ମାର୍ଗୀ ବ୍ଯକ୍ତି ପ୍ରେତ ରୂପ ନିଅନ୍ତି  । ଅତ୍ମହତ୍ଯା କରୁଥିବା ବ୍ୟକ୍ତି ଭୂତ ହୁଅନ୍ତି  । ହତ୍ଯାର ଶିକାର ହେଉଥିବା ବ୍ଯକ୍ତି ଯଦି ଶେଷ ମୁହୂର୍ତ୍ତରେ ହତ୍ଯାକାରୀର ପ୍ରତିଶୋଧ ନେବା କଥା ଚିନ୍ତନ କରେ ସେ ପ୍ରେତ ଯୋନି ପ୍ରାପ୍ତ କରେ ।

     ଓଡ଼ିଶାର ସର୍ବଜନ ଚର୍ଚ୍ଚିତ ତିନୋଟି ଭୂତାବାସ ଅଛି ; ଯେଉଁଠି ଭୂତ-ପ୍ରେତ ଦେଖିଥିବାର କହନ୍ତି ଲୋକମାନେ । ଭୁବନେଶ୍ବରର ଏକ ଜଣାଶୁଣା ପାର୍କ ପାଖରେ ଥିବା ଇନ୍‌ଷ୍ଟିଚ୍ଯୁଟ୍‌କୁ ଲୋକେ ଭୂତ କଲେଜ କହନ୍ତି  । ଏହି ଶିକ୍ଷାନୁଷ୍ଠାନର ଛାତ ଉପରେ ଭୂତ-ପ୍ରେତ ଚଲାବୁଲା କରନ୍ତି ବୋଲି ଅଞ୍ଚଳବାସୀଙ୍କ ମତ । କହନ୍ତି ଏ ଭୂତ-ପ୍ରେତ ହେଉଛନ୍ତି କଲେଜରେ ଆତ୍ମହତ୍ୟା କରିଥିବା କିଛି ଛାତ୍ରଛାତ୍ରୀଙ୍କର ଆତ୍ମା । ଏହା ବେଶ ଚର୍ଚ୍ଚିତ  ହେଲେ ବି ଠୋସ୍‌ ପ୍ରମାଣ ମିଳିନି । କୁହାଯାଏ ଏହି ଶିକ୍ଷାନୁଷ୍ଠାନକୁ ବଦନାମ କରିବାକୁ ଏ ଅପପ୍ରଚାର କରାଯାଉଛି । 

   ଢ଼େଙ୍କାନାଳ ଜିଲ୍ଲା ସିମିଳିଆ ରୋଡ୍‌ ସଙ୍କଡ଼ପାଳ ସନ୍ନିକଟେ ସ୍ଥିତ ଜତନ ନଗର ଏକ ଭୟାନକ ସ୍ଥାନ ବୋଲି ଶୁଣାଯାଏ । ଏହାର ନିର୍ମାତା ଥିଲେ ଢ଼େଙ୍କାନାଳର ରାଜା , ଏହା ଶହେ କୋଠରୀ ବିଶିଷ୍ଟ ଓ ଏହାକୁ ଲୋକେ ଭୂତକୋଠରୀ କହନ୍ତି । ଶୁଣାଯାଏକି ଢ଼େଙ୍କାନାଳ ରାଜା ଏଠାରେ ଲୋକଙ୍କୁ ଦାସ କରି ରଖୁଥିଲେ , ପଶୁ ମାନଙ୍କୁ ପୋଷା ମନେଇବାକୁ ତାଙ୍କ ଉପରେ ଅକଥନୀୟ ଅତ୍ଯାଚାର କରୁଥିଲେ । ଥରେ ରାଜାଙ୍କ ପରିବାର ଏଠାରେ ରହିବାକୁ ଆସିଥିଲେ ଓ ପରେ ସେମାନେ କେଉଁଆଡ଼େ ଗାଏବ ହୋଇ ଯିବାର ଶୁଣିବାକୁ ମିଳେ । ସେଦିନୁ ଏଠାରେ ରାତ୍ରିରେ କିଛି ଆତ୍ମାଙ୍କ କ୍ରନ୍ଦନ ଚିତ୍କାର ଶୁଭେ, ଏକଥା ଆଖପାଖ ଲୋକମାନେ କହନ୍ତି  । ଏହାର ସତ୍ଯତା ଏଯାବତ ମିଳି ପାରିନି । ପୁରୀରେ ବି ଏକ ଭୂତକୋଠରୀ ଥିବାର ଶୁଣିବା ପାଇଁ ମିଳେ  । ଅଞ୍ଚଳବାସୀଙ୍କ କହିବାନୁଯାୟୀ, ସେ ଘରର ମାଲିକଟି ସେହିଠାରେ ହିଁ ଆତ୍ମହତ୍ୟା କରିଥିଲେ, ପରେ ତାଙ୍କ ଆତ୍ମା କୋଠରୀରେ ଯିବା-ଆସିବା କରେ ବୋଲି କିଛି ଜନ ବିଶ୍ୱାସ । ଏ ଭୂତକୋଠୀ କ୍ରୟ କରିବା ପାଇଁ ଜନୈକ ବ୍ଯକ୍ତି ଆସି କାଳେ ଘର ମାଲିକଙ୍କ ଆତ୍ମା ଦେଖିଥିଲେ । ଏହା ଯେ ବାସ୍ତବ, ଏ ପର୍ଯ୍ଯନ୍ତ ପ୍ରମାଣ ମିଳିନି ।

       ଅନୁଭବୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଥିବା ଭୂତ ଉପରେ ରୋଚକ ତଥ୍ୟ ସମୂହର ବାସ୍ତବତା କେତେ, ଏ ପର୍ଯ୍ଯନ୍ତ ବି ପ୍ରମାଣ ହୋଇନାହିଁ । ତେବେ ଏଠି ଭୂତପ୍ରେତଙ୍କ ଅବସ୍ଥିତି ନାହିଁ ବୋଲି ଏଡ଼ାଇ ଦେଇ ହେବନି କିମ୍ବା ଅଛି ବୋଲି ବି ଦାବି କରି କହିହେବନି । ଏ ଭୂତ-ପ୍ରେତ ଉପରେ ଏବେ ବି ସୁଦ୍ଧା ଚାଲିଛି ଗବେଷଣା । ଖୋଜା ଚାଲିଛି ଏମାନଙ୍କ ଦୁନିଆ ବିଷୟରେ ବାସ୍ତବତାର ପ୍ରମାଣ । କେବେ ହେବ ଏ ତଥ୍ୟର ସଫଳ ରୂପାୟନ, କେବେ ମିଳିବ ଠୋସ୍‌ ପ୍ରମାଣ  ଓ କେବେ ତୁଟିବ ଅନ୍ଧବିଶ୍ୱାସ  କି ଲୋକଙ୍କ ବିଶ୍ୱାସର ପ୍ରମାଣତା - ସେହି ସମୟର ଅପେକ୍ଷାରେ ବୈଜ୍ଞାନିକ , ମନସ୍ତତ୍ତ୍ୱବିଦ୍‌ ଏବଂ ପ୍ରମାଣ ଉତ୍ସୁକ ସମାଜର କିଛି ଜନତା ।
ଭାଟପଡ଼ା, ନିରାକାରପୁର,କଣାସ (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

ବାସିଲା ଗିରି ମଲ୍ଲିକା

                        ଚିତ୍ତରଂଜନ ଦାସ
କେତେ ଆଶ୍ୱାସନା ନେଇ ଆସିଥିଲ
ଦେଇଥିଲ ପ୍ରତିଶ୍ରୁତି ,
କୁଆଡେ ଗଲା ସେ ମଧୁର ବଚନ
ବିପରୀତ କଲ ମତି ।

ତୁମ ଆଗମନ ପହିଲି ଦେଖାରେ
କେତେ ରଙ୍ଗ ଥିଲ ବୋଳି ,
ନୟନେ ନୟନେ ମନେ ଭରିଦେଲ
ଆଶାର ପ୍ରଦୀପ ଜାଳି ।

ଋତୁ ବସନ୍ତରେ ଖେଳିଗଲା କେତେ
ମଳୟର ଶୀତଳତା ,
ଅପୂର୍ବ ପୁଲକ ଦେହେ ଛୁଇଁଗଲା
ବଉଳିଲା ବନ ଲତା ।

ପର୍ଯ୍ୟାପ୍ତ ବଉଳ ସବୁ ଆମ୍ବଡାଳେ
ବାସିଲା ଗିରିମଲ୍ଲିକା ,
ପ୍ରଭାତରେ ଆସି ପହିଲି କିରଣେ    
ଦୂରେଇଲା କୁଜ୍‌ଝଟିକା ।

ତନ୍ଦ୍ରା ହଜିଗଲା ଅଳସୀ ଆଖିରୁ
ନୟନରେ ତାରା ବଳି ,
ମନ ସରସୀରେ ପୁନେଇଁର ଚାନ୍ଦ
ଖେଳିଲା ହୋଇ ପାଗଳୀ ।

କୁଆଡେ ଗଲା ସେ ମେଘର ସଵାରୀ
ଲୁଚିଲା କଳା ବଉଦ ,
ବରଷିଲା ନାହିଁ ଶ୍ରାବଣର ବାରି
ହଜିଲା କାହିଁ ନୀରଦ ।

ମନଗଲା ମରି ଶରତରେ ମୋର
ଆଉ ଫୁଟିଲାନି କଇଁ ,
ହେମନ୍ତ କାକର ଶୀତ କୁହୁଡ଼ିରେ
ରହିଲି ମୁଁ ଖାଲି ଚାହିଁ ।

ମହକାଇ ଦିଅ ଚମ୍ପକ ବରଣୀ
ମନେ ଭରିଦିଅ ହସ ,
ଅଲଣା ମନରେ ଛୁଙ୍କ ଟିକେ ଦେଇ
ପାଖକୁ ଟିକିଏ ଆସ ।

ଦୁରୀଭୂତ ହେଉ ମନର କଷଣ
ଶୀତ ସକାଳର ଖରା ,
ସାତ ସପନର ତମସାକୁ ଫେଡ଼ି
ଆଲୋକିତ କର କାରା  ।
ପ୍ରାକ୍ତନ  ଅଧ୍ୟାପକ
ବୁଗୁଡା , ଗଞ୍ଜାମ 
(ବର୍ତ୍ତମାନ ଦିଲ୍ଲୀ)
ଜୟ ସାହିତ୍ୟ, ଜୟ ସମାଜ

ରାଜା ଖାଏ , ମନ୍ତ୍ରୀ ଖାଏ , ଦେଶ ଭାସିଯାଏ

ଉଷାରାଣୀ ପଣ୍ଡା (ଶିକ୍ଷୟିତ୍ରୀ)
ଏ କି ଗଣତନ୍ତ୍ର ହେଲା....... ବଉଳ ଲୋ,,,,,,,,,
ପଦ ପଦବୀର ଲାଳସାରେ ଲୋକେ
 ଧଳାକୁ କରିଲେ କଳା ... ବଉଳ ଲୋ,,,,,,,,।

ଆସିଗଲେ ନିର୍ବାଚନ
ନେତାଗଣଙ୍କର ମନ ଉଚ୍ଛନ୍ନ ଲୋ...
ଚଲାଇବେ ଠିଆପାଲା ......ବଉଳ ଲୋ,,,,।

 ଗାଆଁରୁ ସହର ଯାଏଁ
 ମେଳ ହୋଇ ଏକଠାଏଁ
କଥାରେ କରନ୍ତି ପାଲା..... ବଉଳ ଲୋ ,,,,,

ଧନୀ ଭିକାରୀ ଫକୀର
ଭୋଟ ପାଇଁ କରି ପ୍ରଚାର
ଦେଖନ୍ତି ଅମୃତ ବେଳା ...ବଉଳ ଲୋ,,,,,,
 
      ପ୍ରତିଶ୍ରୁତିର ଗଣ୍ଠିଲି
      ବାଗ୍‌ଦାନ ତା'ଠାରୁ ବଳି
  ଚତୁର୍ଦ୍ଦିଗ ହୋ' ହାଲ୍ଲା ..... ବଉଳ ଲୋ ,,,,,

 ରାଜା ଖାଏ ପ୍ରଜା ଧନ
 ପ୍ରଜା ହୁଏ ହଇରାଣ
ନେତାଙ୍କର କି' ଗଲା ... ବଉଳ ଲୋ,,,,,


ଏ ତ ଗଣତନ୍ତ୍ର ରାଷ୍ଟ୍ର
 ବିଶ୍ବରେ ସେ ଶ୍ରେଷ୍ଠ
ତା' ମର୍ମ ବୁଝିଲେ ହେଲା ... ବଉଳ ଲୋ ,,,

ସୋମପେଣ୍ଠ , ଆନ୍ଧ୍ରପ୍ରଦେଶ 
ଜୟ ସାହିତ୍ୟ, ଜୟ ସମାଜ

ପାପ ପୁଣ୍ୟ

ଯଶୋବନ୍ତ ସେଠୀ
          ହିସାବ ମାଗନା ମତେ 
         ମୋ' ପାପ ପଣକିଆର 
  କହିଦିଅ କେହି ଜଣେ ଥରୁଟିଏ ଖାଲି
କେଉଁ ମାନଦଣ୍ଡରେ ମୁଁ ପ୍ରଭେଦ ଖୋଜିବି
       ସ୍ବେଚ୍ଛାକୃତ ପାପ ଓ ପୁଣ୍ୟର !

       ବାଧ୍ଯ ହୋଇ କରିଥିଲି ପ୍ରସାରିତ 
    ମୋ' ସ୍ବପ୍ନର ବ୍ୟାକୁଳତାର ବ୍ୟାସାର୍ଦ୍ଧ 
           ନତମସ୍ତକ ହୋଇ ମୁଁ
         ଇଚ୍ଛାର ଅରାଜକତା ଠାରେ 
          ଏକଥା ଜଣା ନଥିଲା କିନ୍ତୁ 
 ଛନ୍ଦି ହେଲି କେତେବେଳେ ଶନୈଃ ଶନୈଃ
         ଶୂନ୍ଯତାର କାକୁସ୍ଥପଣରେ ।

           କଳ୍ପନାର କଦମ୍ବ ମୂଳରେ
              ବନ୍ଧା ପଡିଛି ପୁଣି ମୁଁ
           ଇଚ୍ଛାଙ୍କର ଅଝଟପଣରେ
        ତମ ସାନ୍ନିଧ୍ୟର ଅଭାବବୋଧକୁ
             ପିଠିରେ ଲାଉ କରି ମୁଁ
    ବାଛି ବାଛି ଅଲଗା କରିଛି ସ୍ୱଇଚ୍ଛାରେ 
         ମୋ' ମନ ବଇଁଶିର ବିବଶତା 
       ତୋଳିବାକୁ ମଧୁର ଝଙ୍କାର ଟିକେ
         ତମ ସୁଖର ସାହାନାଇରେ  ।

                  ଦବ ଯଦି ଦିଅ --
          ଆଞ୍ଜୁଳା ପତେଇ ପ୍ରସ୍ତୁତ ମୁଁ
        ବାଣ୍ଟିନବା ପାଇଁ ତୁମ ଆବେଗର 
        କିଂକର୍ତ୍ତବ୍ୟବିମୂଢତାକୁ , ଅଥବା
             ଲୁହର ଗହଗହପଣକୁ 
ତମ ଅଭାବବୋଧର ଅକର୍ମଣ୍ୟତାର ନାହୁଡ 
          ତିଳ ତିଳ କରି ଦଂଶିଲେ ବି
  ନିମନ୍ତ୍ରିବି ଖୋଲା ହୃଦୟରେ ନିର୍ବିକାରେ 
             ଅନ୍ଧାରର ଆବେଶକୁ ,
      ବିବଶ ଆବେଗର ଗୋତ୍ରହୀନତାକୁ ।

           ତମକୁ ଲୋଡିବା ଯଦି ପାପ
           କାହା ପାଇଁ ପୁଣ୍ୟ ଅରଜିବି !
            ତମକୁ ଭୁଲିବା ଯଦି ପୁଣ୍ଯ 
       ସେ ପୁଣ୍ଯ ମୁଁ କା' ହାତରେ ଦେବି !
                      ▪︎▪︎▪︎ 
           3 ଆର୍/2 , ମ୍ୟୁଜିୟମ ଅଞ୍ଚଳ 
          ବିଜେବି ନଗର,  ଭୁବନେଶ୍ବର ।
                  9437343457

              ଜୟ ସାହିତ୍ୟ, ଜୟ ସମାଜ

ମୁଁ 'ମୋ 'ପରିଧି ଭିତରେ

ରଶ୍ମିରେଖା ମିଶ୍ର (ଶିକ୍ଷୟିତ୍ରୀ)

ମୁଁ ଘୁରୁଛି ଘୁରୁଥିବି
ମୋର ଏଇ କବିତା ସାଥିରେ ।
କେତେ ପଥ ଲଙ୍ଘୁଥିବି
ତା' ସାଥିରେ ଚାଲି ଏଇ 
ଜୀବନ ବିଥିରେ ।

ମୁଁ ଛୁଇଁବି ତା' ଦେହକୁ
କଳ୍ପନାର ରଂଗ ତୋଳି ତୋଳି ।
ମୁଁ ଭେଟିବି ମୋ' ନିଜକୁ
ଯେ ପର୍ଯ୍ୟନ୍ତ ପାରୁଥିବି ଚାଲି ।

ଆଙ୍କୁଥିବି ଛବି କେତେ
ରହି ରହି ନିରେଖି ନିରେଖି ।

ବସିଥିବି ଚୁପ୍ ହୋଇ
ମିଠା-କଷା ଚାଖୁଥିବି ହସି ।

ସୁଖେ କେବେ ଦୋଳିବିନି
ଦୁଃଖେ କେବେ ଭାଙ୍ଗିବିନି
ଏ ଦୁନିଆ ଯେଣୁରେ ଅଳିକ !

ଆପଣାର କରି ସର୍ବ
ମୋ' ଅନ୍ତର ଭିତର ବାହାର ,
ଯାଚୁଥିବି ପ୍ରେମ ମୈତ୍ରୀ ଦାନ ।

ମୋ' ପାଇଁ ରହିବ ନାହିଁ
କେ' ବା ଉଚ୍ଚ କେ' ବା ନୀଚ୍ଚ
ମାନ ଅପମାନ ।

ବାନ୍ଧି ଯିବି ସାମ୍ୟ ମୈତ୍ରୀ ଡୋର 
ଗାଇ ଯିବି ଗୀତ ଆପଣାର ।

କେ' ବା ପର କେ' ଅବା ନିଜର !!
ଏକାକାର କରି ସର୍ବ
ମୋ' ଏକାନ୍ତ ନିଜସ୍ବ ମାନରେ
ଲେଖି ଦେବି ସେ କବିତାଢ଼
ଯାହା ଥିବ ସମୟ ପୃଷ୍ଠାରେ ।

ରୋଟରୀ ପବ୍ଲିକ୍ ସ୍କୁଲ୍‌ (ଅନୁଗୋଳ)
ଜୟ ସାହିତ୍ୟ, ଜୟ ସମାଜ

ଆହେ ମହାମାନ୍ୟା

କୈଳାସ ଚନ୍ଦ୍ର ପାଢ଼ୀ 
               
ଆରମ୍ଭରୁ ସହିଅଛ
               ଦୁଃଖ-ଦାବାନଳ ,
ଅମର ଆତ୍ମା ତୁମ୍ଭର
              ସଦା ଚ଼ଳ ଚଳ ।।

ମୃତ୍ୟୁ ତବ ନାହିଁଁ ଏଇ
             ମର୍ତ୍ତ୍ୟ ମଣ୍ଡଳରେ ,
ନଶ୍ବର-ଶରୀର ନୁହେଁ
             ପରିଚୟ କା'ରେ ।।

ଜନ୍ମ-ଜାତକର କିବା
             ଅଛି ପ୍ରୟୋଜନ ,
ପ୍ରାରବ୍ଧର ପୂଣ୍ୟଫଳ
             ନିଭାଏ ନିର୍ବାଣ ।।

ଐଶ୍ବରୀୟ ଆଶୀର୍ବାଦ
             ନେଇ ଆସିଥିଲ ,
ଈଶ୍ବର ସତ୍ତାରେ ପୁଣି
             ଯାଇ ମିଶିଗଲ ।।

ମାନବୀ ରୂପରେ ତୁମ୍ଭେ
             ସରସ୍ବତୀ ଅଂଶ ,
ସେ ପାଇଁ ରଖିଲ ମର୍ତ୍ତ୍ୟେ
             ଅନିନ୍ଦିତ ଯଶ ।।

ଯାବତ ଚ଼ନ୍ଦ୍ରାର୍କେ ତୁମ୍ଭ
             କିର୍ତ୍ତୀ ଅମଳିନ ,
କୋଟି କୋଟି କଣ୍ଠୁ୍ ଶୁ୍ଭୁ୍-
             ଥିବ ଯଶଗାନ ।।

ଇହକାଳ ପରକାଳ
             ମଣିଲ ସମାନ ,
ଇଚ୍ଛିଲ ନାହିଁ ଯେହେତୁ
            ଆଉ ଏ ଜୀବନ ।।

ହେଲେ ଏ ସମାଜ ଖୋଜେ
            ତୁମ୍ଭ ଉପସ୍ଥିତି ,
ସଦୟ କରୁଣା କର
           ଧରା ଲଭୁ ଶାନ୍ତି ।।
           **************
କୁମାରପୁର , ଅନନ୍ତପୁର ,
ବାସୁଦେବପୁର (ଭଦ୍ରକ)
ଜୟ ସାହିତ୍ୟ, ଜୟ ସମାଜ

ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ

ଦୁର୍ଗାପଦ ସାହୁ 
ଗରିବ ଜନତା ଏଠି ଗରିବ ହେଉଛି
ଧନୀ ଧନ ବଢୁ ଥାଏ ,
ଯୋଜନା ଉପରେ ପୁଣି ଯୋଜନା ଆସୁଛି
ଯୋଗ୍ୟ ବ୍ୟକ୍ତି ଚାହିଁ ରହେ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ନଳକୂଅରେ ଏଠି ପାଣି ଆସେ ନାହିଁ
ମଦ କିନ୍ତୁ ମିଳି ଯାଏ ,
ଚାଷ  ଜମି  ସବୁ  ପଡିଆ  ପକେଇ
ଗାଁ ପୁଅଟା ବିଦେଶ ଯାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ବଜାର ଦର ପୁଣି ଭାରି ମହରଗ
ଆମ ଚାଷୀଟା ପଖାଳ ଖାଏ ,
ଇନ୍ଦିରା ଆବାସ ରାସନ୍ କାର୍ଡ୍‌ ପାଇଁ
ନିଶ୍ଚେ ଲାଞ୍ଚ ଦରକାର ହୁଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ନିର୍ବାଚନ ଆସିଲେ ନେତାଟାଏ ଆସି
ଖାଲି ମିଛ ପ୍ରତିଶୃତି ଦିଏ ,
ନିରୀହ ଜନତାକୁ ଧନ ଲୋଭ ଦେଖେଇ
ଭୋଟ୍‌ ତା'ର କିଣି ନିଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ଯୁବ ନେତା ଆସି ମିଠା ପ୍ରତିଶୃତି
ଆମ ଗାଁ ଦାଣ୍ଡେ ଦିଏ ,
ଏଥର ଜିତିଲେ ଆମ ଏ ରାଇଜ
ରାମ ରାଜ୍ୟ ହେବ କୁହେ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ଜିତିଗଲା ପରେ ସେ ରାମ କେମିତି
ଲଙ୍କା ରାବଣ ପରିକା ହୁଏ ,
ସୀତା ମାନେ ଖାଲି ହରଣ ହୁଅନ୍ତି
ଏ ଦୁନିଆ ନୀରବ ଥାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ସରକାରୀ ଧନେ ଯିବ ସେ ବିଦେଶ
ନୂଆ ନେତାଟା ଚାହିଁକି ଥାଏ ,
ଥରଟେ ସୁଯୋଗ ପାଇଲା ମାତ୍ରେ ସେ
ସାତ ପୁରୁଷ ପାଇଁ ଥୁଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ପାଠ ପଢି ପୁଅ ବେକାର ବସିଛି
ବାପା ଠାରୁ ଖରଚ ନିଏ ,
ଶହ ଶହ ପଦବୀ ଖାଲି ପଡ଼ିଅଛି
ଏଠି ନିଯୁକ୍ତି ଦଉଛି କିଏ ?
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...

ଉଠ ହେ ଜନତା ଗଡିଲାଣି ବେଳ
ଦେଖ ଦେଶ ଭାସି ଯାଏ ,
ରକ୍ଷକ ଆଜି ପରା ଭକ୍ଷକ ସାଜିଛି
ଏଠି ବାଡ଼ଟା ଫସଲ ଖାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ..
 
    ମୈତ୍ରତ୍ରିଲୋଚନପୁର , ଲେଣ୍ଡୁ , ନିରାକାରପୁର , ପୁରୀ,
                         ପିନ୍ - ୭୫୨୦୧୯

ଜୟ ସାହିତ୍ୟ, ଜୟ ସମାଜ