ଜ୍ଯୋତ୍ସ୍ନା ସିଂହ
ଭୋଅଟ ପାଲାଟା ଚାଲିଅଛି ଏବେ
ହେଲା ବେଳେ ଧରାପରା ,
ପାରି କରିବାକୁ ଆମେ ଭବ ନଦୀ
ଧରିଛୁ ଭୋଟ ପସରା ।
ଆମେ ବଳବାନ ତୁମେ ଦୁରୁବଳ
ଆମେ ଦାଦା , ବଡ଼ ଭାଇ ,
ତମ ପାଇଁ ଆମେ ଜୀବନଟା ଦେବୁ
ସେବା କରୁ ତୁମ ପାଇଁ ।
ପ୍ରଗତି ଆମର ମନ୍ତ୍ର ବି ଆମର
ଡରିବାନି କେବେ କାହାରେ ,
ଜାଳିଦେବୁ ଆମେ , ଲିଭାଇବୁ ଆମେ
ଦମକଳ ଅଛି ପାଖରେ ।
ଏତେ ବଡ଼ ଦେଶ କରିବୁ ଶାସନ
ତମେ କି ଛାର ମଣିଷ ?
ଆଳୁ କାଟିବାକୁ ଲୋଡ଼ା ତରବାରୀ
କେ' ଅଛି ଏଠି ପୌରୁଷ ?
ବୀର ଯେତେ ଅଛ କର ନାହିଁ ଭୟ
ଖାଅ,ପିଅ , ଶୁଅ ପ୍ରେମେ ,
ତୁମର ଭୋଟ ଆମର ସାହାସ
ଯେତେ ଅଛ ପ୍ରଜା ତୁମେ ।
ବଂଶାନୁକ୍ରମିକ ରାଜନୀତି ଏଠି
ତୁମେ କିଆଁ ଏଠି ପଶ ,
ବିନା ଅନୁମତିରେ ଅସ୍ତ୍ର ଧରନା
ଉଡ଼ା ଉଡ଼ା ଯାଅ ଆସ ।
ଭଲରେ ଭଲରେ ସରିଅଛି ଏବେ
ପଞ୍ଚାୟତ ନିର୍ବାଚନ ,
ଆସିଅଛି ପୁଣି ପୌର ନିର୍ବାଚନ
ଦିଏ କେତେ ଟେନସନ୍ ।
ଭିତରେ ବାହାରେ ପଡ଼ା ପଡ଼ୋଶୀରେ
ଯେତେ ଅଛ ସବୁ ପ୍ରଜା ,
ବେଳ ଥାଉଁ ଥାଉଁ ହୁଅ ସାବଧାନ
କାଚ ଘରୁ କହେ ରଜା ।
ନିଆଳି,କଟକ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।