1/31/2023

ଅଧର୍ମ ଆଖିରେ ଧର୍ମ କଷଣ

ଉମାକାନ୍ତ ଦାସ
ଦୁଇ ହଜାର ବାଇଶି ମସିହା ଫେବୃଆରୀ ମାସରେ ସରି ଯାଇଛି ପଞ୍ଚାୟତ ନିର୍ବାଚନ !! ଭଦ୍ରକ ନିର୍ବାଚନ ମଣ୍ଡଳୀର  ବିଧାୟକଙ୍କ ଡାହାଣ ହାତ କହୁଥିବା ପାଟପୁର ପଞ୍ଚାୟତର ଜଣେ ପଚିଶ ତିରିଶ ବର୍ଷର ଅଭିଜ୍ଞ ରାଜବଂଶୀୟ ଲୋକ । ସେ କୌଣସି ପଦପଦବୀରେ ନଥାଇ ମଧ୍ୟ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଶାସନ କଳକୁ  ନିଜ ସଶକ୍ତ ମୁଠିରେ ଜାବୁଡି ଧରିଛି !ଭବାନୀ ମହାନ୍ତି । ବିଗତ ଦିନରେ  ସକାଳେ ଖାଇ ଉପରବେଳା କ'ଣ ଖାଇବ ଯୋଗାଡ଼ କରିବା ବହୁତ କାଠିକର କାମଥିଲା ହେଲେ ଯେବେ ଠାରୁ ରାଜନୀତିକୁ ଆସିଲା , ସେବେଠାରୁ ଏ ପର୍ଯ୍ୟନ୍ତ ସମସ୍ତ ଭାଇଙ୍କ ପାଖରେ ଗାଡ଼ି ଘୋଡ଼ା ବ୍ଯାଙ୍କ ବାଲାନ୍ସ ସହିତ କୌଣସି କଥାରେ ଅଭାବ ନ ଥାଇ ସବୁଥିରେ ପରିପୂର୍ଣ୍ଣ । ପଚିଶ ପଚାଶ ଗାଁ ଲୋକେ ଆସନ୍ତି ତାଙ୍କ ଠାରୁ କିଛି ନ୍ଯାୟ ନେବା ପାଇଁ । ତାଙ୍କ ନ୍ଯାୟରେ କିଏ ପଛପଟରୁ ଗାଳି ଦିଅନ୍ତି ତ ଆଉ କିଏ ଭୟ ପାଇ କିଛି ନ କହି ରକ୍ତ ଚାଉଳ ଚୋବାଇ ତା'ଆଗରୁ ଚାଲିଯା'ନ୍ତି । ଏଣୁ ପ୍ରିୟ ପାଠକ ! ବିଚାର ଆପଣମାନଙ୍କର । କେମିତି ? ଏତେ ପ୍ରତିଷ୍ଠିତ ହେଲା ତାହା ନିଶ୍ଚୟ ଜାଣି ପାରୁଥିବେ ।

        ଚଳିତ ପଞ୍ଚାୟତ ନିର୍ବାଚନରେ ସରକାର ଘୋଷଣା କଲେ ସାଧାରଣ ପୁରୁଷ ଆସନ , ସରପଞ୍ଚ ଓ ସମିତି ପାଇଁ । ସେଥିପାଇଁ ପ୍ରସ୍ତୁତ ହେଲେ ଜଣେ ବଣିଜ ଜାତିର ପୂର୍ବତନ ସରପଞ୍ଚ ପର୍ଶୁରାମ ସାହୁ ଏବଂ ପ୍ରତିଦ୍ବନ୍ଦିତା ପାଇଁ ଜଣେ ହରିଜନ ପାର୍ଥୀ ପୁର୍ବତନ ଜିଲ୍ଲା ପରିଷଦ ବିନୋଦ ମଲ୍ଲିକ । ସମିତି ସଭ୍ୟରେ ପର୍ଶୁରାମ ବାବୁ ତାଙ୍କ ନିକଟତମ ପାର୍ଥୀ ଜଣେ ହରିଜନ ସୁଭାଷ ଦାସଙ୍କୁ ଠିଆ କରିବାର ଆଶା ରଖୁଥିଲା ବେଳେ ଭଗବାନ ମହାନ୍ତି ତାଙ୍କ କଥାରେ ଉଠ୍‌ବସ୍‌ ହେଉଥିବା ଜଣେ ହରିଜନ ପୁରୁଷ ପାର୍ଥୀ ଶ୍ରୀଧର ମଲ୍ଲିକଙ୍କୁ ଠିଆ କରି ପଞ୍ଚାୟତର ମତାମତ ଲୋଡ଼ି ଚାଲିଲେ । ଆଠ ଦଶ ଦିନ  ତର୍ଜମା କଲା ବେଳେ ଭଗବାନ ବାବୁ ଚିନ୍ତା କଲେ ମୁଁ ମୋ' ତରଫରୁ ଯେଉଁ ଦୁଇଜଣ ପାର୍ଥୀ ଦବାକୁ ଯାଉଛି ତାଙ୍କ ଭିତରୁ ଦୁହିଁଙ୍କୁ ଦୁହେଁ ପ୍ରତିଦ୍ବନ୍ଦିଙ୍କ ପାଖରେ ରହମାନ ପଡିବେ ନାହିଁ । ଏଣୁ ସେ ତାଙ୍କ କୂଟନୀତି ବଳରେ ପଞ୍ଚାୟତରେ ଆରକ୍ଷଣ ନୀତି ଅବଲମ୍ବନ କରି ବିଧାୟକଙ୍କ ପରାମର୍ଶରେ ମହିଳା ହରିଜନ ସିଟ୍‌ ଘୋଷଣା କରିଦେଲେ । ଏଥର ଭଗବାନ ବାବୁଙ୍କ ଦୁଇ ହାତରେ ଲଡୁ ।

     ପୁନଃ ପ୍ରାର୍ଥୀ ସାବ୍ୟସ୍ତ କରାଗଲା । ମହାନ୍ତି ବାବୁ , ଯେଉଁ ପୁରୁଷ ପାର୍ଥୀ ସମିତି , ସରପଞ୍ଚରେ ଦେବାକୁ ଚାହିଁଥିଲେ ତାଙ୍କରି ସ୍ତ୍ରୀ ମାନକୁ ସରପଞ୍ଚ ଏବଂ ସମିତିରେ ଠିଆ କଲେ । ବିଲେଇ କପାଳକୁ ଶିକା ଛିଡିଲା ଏ ଦୁଇଜଣ ହରିଜନ ମହିଳା ପ୍ରାର୍ଥୀମାନଙ୍କ ପାଖରେ ପର୍ଶୁରାମ ବାବୁଙ୍କ ମହିଳା ପ୍ରାର୍ଥୀମାନେ ସମ୍ମୁଖୀନ ହୋଇ ନ ପାରି ହାରିବାର ବାଟ ଦେଖିଲେ । ବହୁତ ନୈରାଶ୍ୟ ଜନକ ବାତାବରଣ ଭିତରେ ମଧ୍ୟ ନ୍ଯାୟ ସରପଞ୍ଚ ଭୋଟ୍‌ ବେଳେ କିଛି ବିପକ୍ଷବାଦୀ ଓ୍ବାର୍ଡ ସଭ୍ଯଙ୍କୁ ନିଜର କଳବଳ କୌଶଳରେ ଆଣି ନ୍ଯାୟ ସରପଞ୍ଚ ଆସନକୁ ମଧ୍ୟ ହାତେଇ ନେଲେ । ଏଇତ ଆମ ଗଣତନ୍ତ୍ର । ଏହି ପଦ୍ଧତିରେ କିଏ ରଖୁଛି କାହାର ସ୍ବତନ୍ତ୍ରତା !!

          ଠିକ୍‌ ନ୍ଯାୟ ସରପଞ୍ଚ ଭୋଟର ଦୁଇ - ଚାରି ଦିନ ପରେ ପାଟପୁର ଗ୍ରାମରୁ ଏକ ବହୁ ମୂଲ୍ୟ ଚାରି ଚକିଆ ଗାଡ଼ି ଧରି ଭଗବାନ ବାବୁ ମହିଳା ସରପଞ୍ଚଙ୍କ ସ୍ବାମୀ , ସମିତି ସଭ୍ଯାଙ୍କ ସ୍ବାମୀ ଏବଂ ଗାଁର ଜଣେ ଅଶାଳୀନତା ଯୁବକ ଯିଏ ନିଜ ବାପକୁ ଗଣ୍ଡେ ଖାଇବାକୁ ନଦେଇ ଘରୁ ବାହାର କରି ଦେଇ ପର ସ୍ତ୍ରୀ - ଝିଅ - ବୋହୂଙ୍କ ଉପରେ ଖରାପ ଦୃଷ୍ଟି ଦିଏ , ତାଙ୍କୁ ଧରି ପିକ୍‌ନିକ୍‌ କରିବାକୁ ଆଠ ନମ୍ବର ଜାତୀୟ ରାଜପଥରେ ଅଗ୍ରସର ହେଲେ । କୁଆଖିଆ ପରେ ଗାଡ଼ିର ଡ୍ରାଇଭରକୁ ନିଦ ହୋଇ ଯାଇଛି । ସେ ନିଦ ହାଉଳିଆରେ ଗୋଟାଏ ବସ ସହିତ ଧକ୍କା କରିଦେଲା । ଡ୍ରାଇଭର ଜଣଙ୍କ ପୂର୍ବ ଏବଂ ଉପସ୍ଥିତ ସରପଞ୍ଚଙ୍କ ସ୍ବାମୀ । ତାଙ୍କର ଅଳପ ସଳପ କ୍ଷୟ କ୍ଷତି ହେଲା ବେଳେ ଭଗବାନ ବାବୁଙ୍କର ନାଁକୁ ମାତ୍ର କ୍ଷୟ କ୍ଷତି ହୋଇଛି । କିନ୍ତୁ ଅଶାଳୀନତା ଯୁବକ ଦେହରେ ଧୂଳିର ଦାଗ ଟିକେ ଲାଗି ନଥିଲା ବେଳେ କାର୍‌ଟି ସମ୍ପୂର୍ଣ୍ଣ ବିଧ୍ବଂସ ହୋଇଥିଲା ।

     ସେଥିରେ ଥିବା ପୂର୍ବ ଏବଂ ଉପସ୍ଥିତ ସମିତି ସଭ୍ଯାଙ୍କ ସ୍ବାମୀ ଶ୍ରୀଧର ମଲ୍ଲିକ ସ୍ବଭାବରେ ବହୁତ ଶିଥିଳ ; ମାଛିକୁ ମର୍‌ କହିବା ଲୋକ ନୁହନ୍ତି । ତାଙ୍କ ଦୂରାବସ୍ଥା କହିଲେ ନସରେ । ମୁଣ୍ଡଟା ମଝିରୁ ଫାଟି ଆଖି ବାଟେ ଧାର ଧାର ରକ୍ତସ୍ରାବ । ଯିଏ ବି ଦେଖିବ ନିଜେ ବେହୋସ ହୋଇଯିବ । ତା' ଛଡ଼ା ଶରୀରର ଅନ୍ୟ ଅଙ୍ଗ ଗୁଡିକ ମଧ୍ୟ ଖଣ୍ଡିଆ ଖାବରା ଯେ ନ କହିଲେ ଭଲ ।କେଉଁଠୁ ବିଚରା ଲକ୍ଷ ଲକ୍ଷ ଟଙ୍କା ଧାର୍‌ - ବାକି କରି ଭୋଟ୍‌ ଜିତିଲା । ବୋଝ ଉପରେ ଲଳିତା ବିଡା । ପୂର୍ବ ସମିତି ବେଳେ ତା' ହାତକୁ କିଛି ବି ଆସି ନଥିଲା । ଏ କ୍ଷମତା ପାଇ ଆଜି ସିଏ ଦୂରାବସ୍ଥା । ଯିଏ ହରିଜନ ପ୍ରାର୍ଥୀ ମାନଙ୍କୁ ମୋହରା ବନେଇ ନିଜେ ବଡ଼ଲୋକ ହେଉଛି , ଆଉ ଯିଏ ନିଜ ବାପ ଉପରେ ବା ଗ୍ରାମରେ ଅକଥନୀୟ ବ୍ୟାପାର କରୁଛି ତା'ର କିଛି ହେଲା ନାହିଁ । ଗାନ୍ଧାରୀ କହିଥିଲେ "ପୁଣ୍ୟର ଜୟ  ପାପର କ୍ଷୟ" ।କିନ୍ତୁ ଏଠାରେ  ସମସ୍ତେ ପ୍ରାୟତ ଛୋଟ-ବଡ ରାଜନେତା ! ତାଙ୍କ ଭିତରୁ ଧର୍ମରେ ଚାଲୁଥିବା ବ୍ୟକ୍ତି ଅଧିକ କଷ୍ଟ ପାଇଲା ହେଲେ ଅଧର୍ମୀମାନେ କମ୍ । ଅଧର୍ମୀ - ଧର୍ମୀ ଗୋଟିଏ ଗାଡ଼ିରେ ଥିଲେ ।ଧର୍ମର ଆଖିରେ ରକ୍ତର ଲୁହ ଥିଲା ବେଳେ ଅଧର୍ମୀର କିଛି ବି ହୋଇ ନଥିଲା । ତେଣୁ ଅଧର୍ମ ଆଖିରେ ଧର୍ମର କଷଣ । ଆଉ ଚଳୁ ନାହିଁ ମହାପୁରାଣ ।।

ଲାଲବାଗ ,ଖାନନଗର , 
ମଙ୍ଗଳପୁର ,ଯାଜପୁର                     
୯୮୭୩୨୩୬୪୪୧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।