ଚିତ୍ତରଂଜନ ଦାସ
କେତେ ଆଶ୍ୱାସନା ନେଇ ଆସିଥିଲ
ଦେଇଥିଲ ପ୍ରତିଶ୍ରୁତି ,
କୁଆଡେ ଗଲା ସେ ମଧୁର ବଚନ
ବିପରୀତ କଲ ମତି ।
ତୁମ ଆଗମନ ପହିଲି ଦେଖାରେ
କେତେ ରଙ୍ଗ ଥିଲ ବୋଳି ,
ନୟନେ ନୟନେ ମନେ ଭରିଦେଲ
ଆଶାର ପ୍ରଦୀପ ଜାଳି ।
ଋତୁ ବସନ୍ତରେ ଖେଳିଗଲା କେତେ
ମଳୟର ଶୀତଳତା ,
ଅପୂର୍ବ ପୁଲକ ଦେହେ ଛୁଇଁଗଲା
ବଉଳିଲା ବନ ଲତା ।
ପର୍ଯ୍ୟାପ୍ତ ବଉଳ ସବୁ ଆମ୍ବଡାଳେ
ବାସିଲା ଗିରିମଲ୍ଲିକା ,
ପ୍ରଭାତରେ ଆସି ପହିଲି କିରଣେ
ଦୂରେଇଲା କୁଜ୍ଝଟିକା ।
ତନ୍ଦ୍ରା ହଜିଗଲା ଅଳସୀ ଆଖିରୁ
ନୟନରେ ତାରା ବଳି ,
ମନ ସରସୀରେ ପୁନେଇଁର ଚାନ୍ଦ
ଖେଳିଲା ହୋଇ ପାଗଳୀ ।
କୁଆଡେ ଗଲା ସେ ମେଘର ସଵାରୀ
ଲୁଚିଲା କଳା ବଉଦ ,
ବରଷିଲା ନାହିଁ ଶ୍ରାବଣର ବାରି
ହଜିଲା କାହିଁ ନୀରଦ ।
ମନଗଲା ମରି ଶରତରେ ମୋର
ଆଉ ଫୁଟିଲାନି କଇଁ ,
ହେମନ୍ତ କାକର ଶୀତ କୁହୁଡ଼ିରେ
ରହିଲି ମୁଁ ଖାଲି ଚାହିଁ ।
ମହକାଇ ଦିଅ ଚମ୍ପକ ବରଣୀ
ମନେ ଭରିଦିଅ ହସ ,
ଅଲଣା ମନରେ ଛୁଙ୍କ ଟିକେ ଦେଇ
ପାଖକୁ ଟିକିଏ ଆସ ।
ଦୁରୀଭୂତ ହେଉ ମନର କଷଣ
ଶୀତ ସକାଳର ଖରା ,
ସାତ ସପନର ତମସାକୁ ଫେଡ଼ି
ଆଲୋକିତ କର କାରା ।
ପ୍ରାକ୍ତନ ଅଧ୍ୟାପକ
ବୁଗୁଡା , ଗଞ୍ଜାମ
(ବର୍ତ୍ତମାନ ଦିଲ୍ଲୀ)

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।