ଗରିବ ଜନତା ଏଠି ଗରିବ ହେଉଛି
ଧନୀ ଧନ ବଢୁ ଥାଏ ,
ଯୋଜନା ଉପରେ ପୁଣି ଯୋଜନା ଆସୁଛି
ଯୋଗ୍ୟ ବ୍ୟକ୍ତି ଚାହିଁ ରହେ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ନଳକୂଅରେ ଏଠି ପାଣି ଆସେ ନାହିଁ
ମଦ କିନ୍ତୁ ମିଳି ଯାଏ ,
ଚାଷ ଜମି ସବୁ ପଡିଆ ପକେଇ
ଗାଁ ପୁଅଟା ବିଦେଶ ଯାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ବଜାର ଦର ପୁଣି ଭାରି ମହରଗ
ଆମ ଚାଷୀଟା ପଖାଳ ଖାଏ ,
ଇନ୍ଦିରା ଆବାସ ରାସନ୍ କାର୍ଡ୍ ପାଇଁ
ନିଶ୍ଚେ ଲାଞ୍ଚ ଦରକାର ହୁଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ନିର୍ବାଚନ ଆସିଲେ ନେତାଟାଏ ଆସି
ଖାଲି ମିଛ ପ୍ରତିଶୃତି ଦିଏ ,
ନିରୀହ ଜନତାକୁ ଧନ ଲୋଭ ଦେଖେଇ
ଭୋଟ୍ ତା'ର କିଣି ନିଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ଯୁବ ନେତା ଆସି ମିଠା ପ୍ରତିଶୃତି
ଆମ ଗାଁ ଦାଣ୍ଡେ ଦିଏ ,
ଏଥର ଜିତିଲେ ଆମ ଏ ରାଇଜ
ରାମ ରାଜ୍ୟ ହେବ କୁହେ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ଜିତିଗଲା ପରେ ସେ ରାମ କେମିତି
ଲଙ୍କା ରାବଣ ପରିକା ହୁଏ ,
ସୀତା ମାନେ ଖାଲି ହରଣ ହୁଅନ୍ତି
ଏ ଦୁନିଆ ନୀରବ ଥାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ସରକାରୀ ଧନେ ଯିବ ସେ ବିଦେଶ
ନୂଆ ନେତାଟା ଚାହିଁକି ଥାଏ ,
ଥରଟେ ସୁଯୋଗ ପାଇଲା ମାତ୍ରେ ସେ
ସାତ ପୁରୁଷ ପାଇଁ ଥୁଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ପାଠ ପଢି ପୁଅ ବେକାର ବସିଛି
ବାପା ଠାରୁ ଖରଚ ନିଏ ,
ଶହ ଶହ ପଦବୀ ଖାଲି ପଡ଼ିଅଛି
ଏଠି ନିଯୁକ୍ତି ଦଉଛି କିଏ ?
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ...
ଉଠ ହେ ଜନତା ଗଡିଲାଣି ବେଳ
ଦେଖ ଦେଶ ଭାସି ଯାଏ ,
ରକ୍ଷକ ଆଜି ପରା ଭକ୍ଷକ ସାଜିଛି
ଏଠି ବାଡ଼ଟା ଫସଲ ଖାଏ ।
ରାଜା ଖାଏ , ମନ୍ତ୍ରୀ ଖାଏ ଦେଶ ଭାସି ଯାଏ..
ମୈତ୍ରତ୍ରିଲୋଚନପୁର , ଲେଣ୍ଡୁ , ନିରାକାରପୁର , ପୁରୀ,
ପିନ୍ - ୭୫୨୦୧୯



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।