ହିସାବ ମାଗନା ମତେ
ମୋ' ପାପ ପଣକିଆର
କହିଦିଅ କେହି ଜଣେ ଥରୁଟିଏ ଖାଲି
କେଉଁ ମାନଦଣ୍ଡରେ ମୁଁ ପ୍ରଭେଦ ଖୋଜିବି
ସ୍ବେଚ୍ଛାକୃତ ପାପ ଓ ପୁଣ୍ୟର !
ବାଧ୍ଯ ହୋଇ କରିଥିଲି ପ୍ରସାରିତ
ମୋ' ସ୍ବପ୍ନର ବ୍ୟାକୁଳତାର ବ୍ୟାସାର୍ଦ୍ଧ
ନତମସ୍ତକ ହୋଇ ମୁଁ
ଇଚ୍ଛାର ଅରାଜକତା ଠାରେ
ଏକଥା ଜଣା ନଥିଲା କିନ୍ତୁ
ଛନ୍ଦି ହେଲି କେତେବେଳେ ଶନୈଃ ଶନୈଃ
ଶୂନ୍ଯତାର କାକୁସ୍ଥପଣରେ ।
କଳ୍ପନାର କଦମ୍ବ ମୂଳରେ
ବନ୍ଧା ପଡିଛି ପୁଣି ମୁଁ
ଇଚ୍ଛାଙ୍କର ଅଝଟପଣରେ
ତମ ସାନ୍ନିଧ୍ୟର ଅଭାବବୋଧକୁ
ପିଠିରେ ଲାଉ କରି ମୁଁ
ବାଛି ବାଛି ଅଲଗା କରିଛି ସ୍ୱଇଚ୍ଛାରେ
ମୋ' ମନ ବଇଁଶିର ବିବଶତା
ତୋଳିବାକୁ ମଧୁର ଝଙ୍କାର ଟିକେ
ତମ ସୁଖର ସାହାନାଇରେ ।
ଦବ ଯଦି ଦିଅ --
ଆଞ୍ଜୁଳା ପତେଇ ପ୍ରସ୍ତୁତ ମୁଁ
ବାଣ୍ଟିନବା ପାଇଁ ତୁମ ଆବେଗର
କିଂକର୍ତ୍ତବ୍ୟବିମୂଢତାକୁ , ଅଥବା
ଲୁହର ଗହଗହପଣକୁ
ତମ ଅଭାବବୋଧର ଅକର୍ମଣ୍ୟତାର ନାହୁଡ
ତିଳ ତିଳ କରି ଦଂଶିଲେ ବି
ନିମନ୍ତ୍ରିବି ଖୋଲା ହୃଦୟରେ ନିର୍ବିକାରେ
ଅନ୍ଧାରର ଆବେଶକୁ ,
ବିବଶ ଆବେଗର ଗୋତ୍ରହୀନତାକୁ ।
ତମକୁ ଲୋଡିବା ଯଦି ପାପ
କାହା ପାଇଁ ପୁଣ୍ୟ ଅରଜିବି !
ତମକୁ ଭୁଲିବା ଯଦି ପୁଣ୍ଯ
ସେ ପୁଣ୍ଯ ମୁଁ କା' ହାତରେ ଦେବି !
▪︎▪︎▪︎
3 ଆର୍/2 , ମ୍ୟୁଜିୟମ ଅଞ୍ଚଳ
ବିଜେବି ନଗର, ଭୁବନେଶ୍ବର ।
9437343457

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।