4/30/2021

ମୁଁ ' ସତ୍ୟ ଧର୍ମା ସକ୍ରେଟିସ୍ କହୁଛି !!!



                             ଡ଼କ୍ଟର ଲକ୍ଷ୍ମଣ ସାହୁ 
ଏ' ପୃଥିବୀରୁ ଅନ୍ୟାୟ,  ଅନୀତି  ଓ  ଅତ୍ୟାଚାର  ଲୋପ କରି ସତ୍ୟ, ଧର୍ମ ଓ ନ୍ୟାୟର  ପ୍ରତିଷ୍ଠା  ପାଇଁ କାଳେ କାଳେ ବହୁ ଯୋଗଜନ୍ମା ମହାପୁରୁଷଙ୍କ ଆବିର୍ଭାବ ଘଟି ଆସିଛି । ଦେଶ, ଜାତି,  ସମାଜ,  ବିଶ୍ୱର  ମଙ୍ଗଳ  ପାଇଁ  ସେମାନେ  ନିଜ  ଜୀବନକୁ  ସଳିତା  ଭଳି  ନିଃଶେଷ  କରି  ଦିଅନ୍ତି  ।  ମଣିଷ  ସମାଜର  ମୁହଁରେ  ହସ  ଭରି  ଦେବା  ପାଇଁ  ସେମାନଙ୍କ  ଆଖିରୁ  ଝରି  ପଡେ  ଶେଷହୀନ  ଲୋତକର  ଧାରା  ।  ନିଜର  ଲହୁ  ଲୁହ  ଦେଇ  ସେମାନେ  ମଣିଷର  ମଙ୍ଗଳ  ପାଇଁ  ସାଧନା  କରନ୍ତି,  ସେଇ  ଅମଣିଷ  ତାକୁ  ଦିଏ  ଶେଷରେ  ଗୁଳିର  ଉପହାର  ଅବା  ତା'ଅଧରରେ  ଭରି  ଦିଏ  ବିଷର  ପିଆଲା,  ହେଲେ  ସେହି  ଦୁରାଚାରୁ  ମାନବ  କେବେ  ଥରେ  ବୁଝି ବି  ପାରେନାହିଁ , ବିଷ  ସେମାନଙ୍କ ପାଇଁ ଅମୃତ ହୋଇଯାଏ  ।

      ଶିଵ ବିଷ  ପାନ  କରି  ପାଲଟି  ଗଲେ  ନୀଳକଣ୍ଠ  ,  ଦେବ ଦେବ  ମହାଦେବ  ,  ସର୍ବଦେବତାଙ୍କର  ଶ୍ରେଷ୍ଠ  ପୂଜ୍ୟ  ।  ସେହି  ଭଳି  ଏକ  ଯୁଗପୁରୁଷ  ସକ୍ରେଟିସ୍,  ମଣିଷ ସମାଜର  ମଙ୍ଗଳ  ପାଇଁ   ହସି  ହସି  ଜୀବନ  ଉତ୍ସର୍ଗ  କରିଥିଲେ  ।   କପୋଳ  କଳ୍ପିତ  ନାନା  ଅପରାଧର  କାଠଗଡା  ଭିତରକୁ  ତାଙ୍କୁ  ଟାଣି  ନିଆଯାଇଥିଲା  ।  ତାଙ୍କ  ଚାରିପଟେ  ବିଛାଇ  ଦିଆଯାଇଥିଲା  ଷଢ଼ଯନ୍ତ୍ରର  ର୍ଦୁଭେଦ୍ୟ  ଜାଲ  ।  କିନ୍ତୁ  ସତ୍ୟ  ଦ୍ରଷ୍ଟା ଜୀବନ ଦେଲେ ସିନା, ସତ୍ୟ,  ଧର୍ମ,  ନ୍ୟାୟ  ପଥରୁ  କିନ୍ତୁ  ବିଚ୍ୟୁତ  ହୋଇ ନଥିଲେ । "ମୁଁ  ସତ୍ୟାଧର୍ମା  କହୁଛି,  ସେହି  ବିଶ୍ୱ  ବିସ୍ମୃତ  ବ୍ୟକ୍ତିତ୍ବ  ସତ୍ୟାଧର୍ମା ସକ୍ରେଟିସ୍ ଙ୍କ ସତ୍ୟ  ଭାଷଣ :   ଅଜ୍ଞାନ  ତିମିର  ମଧ୍ୟେ  ଭ୍ରାନ୍ତ  ଚିନ୍ତା ଧାରା , ଖୋଜୁଥାଏ ମନ ମୋର ନିତ୍ୟ ସିଦ୍ଧ ଜ୍ଞାନ  । ଚାଲି  ଯାଉ  ଏ' ଜୀବନ ସତ୍ୟ ଅନ୍ୱେଷଣେ, ମିଥ୍ୟା ଠାରୁ ଶ୍ରେୟସ୍କର ଅଟେ ବିଷପାନ ।  

     ଯାହା ମାନବ ସଭ୍ୟତାର ଇତିହାସରେ  କାଳ କାଳ ପାଇଁ ଏକ  ମ୍ରିୟମାଣ  ଦଲିଲ୍‌ରେ  ପରିଣୟ ହୋଇ ପାରିଛି  । ସକ୍ରେଟିସ୍‌ଙ୍କ ଉପରେ ନାନା  ଅଭିଯୋଗ ଆରୋପ  କରାଯାଇଥିଲା । ଅଭିଯୋଗର ସବୁ ଫର୍ଦ୍ଦ  ଯେତିକି  ଲମ୍ବା  ସେତିକି  ବିସ୍ତୃତ  ।  ବିଶେଷ କରି  ସେ  ଜଣେ  ନାସ୍ତିକ ,  ଦେଶଦ୍ରୋହୀ,  ଦମ୍ଭି,  ଅହଂକାରୀ,  ପଣ୍ଡିତମନ୍ୟ  ଉଚ୍ଛଙ୍ଖଳର  ଅପବାଦ,  ତାଙ୍କର  ଚରିତ୍ର  ସଂହାର  ପାଇଁ  ତାଙ୍କ  ନାମରେ  ଦିଆଯାଇ ଥିଲା  ଅଭିଯୋଗର  ଫର୍ଦ୍ଦ  ।  ସକ୍ରେଟିସ୍    ବିଚାରଳୟର  କାଠଗଡା  ଭିତରେ  ଶୁଣୁଥିଲେ ତାଙ୍କ ନାମରେ ଥିବା ସକଳ ଅଭିଯୋଗ, ଯାହା ସେ  ଅଭିଯୋଗ ତାଙ୍କୁ ବିଚଳିତ ନକରି ସବୁଠାରୁ ତାଙ୍କ ପାଇଁ ପାଲଟୁ ଥିଲା  ଆମୋଦାୟକ ଶ୍ରୃତି ମଧୁର ଅଭିଯୋଗ : "କୁଶିକ୍ଷା ଦେବା ତାଙ୍କର ବୃତ୍ତି" । କିନ୍ତୁ  ସକ୍ରେଟିସ୍ ଙ୍କ ତାହା କେବେ ବୃତ୍ତି ନଥିଲା । ସେଥିପାଇଁ ସେ କହୁଥିଲେ  : "ଜୀବନରେ ଚଟୁଳ  ଭାଷଣରେ,  କାହାକୁ  କେବେ  ଥରେ  ପ୍ରଭାବିତ  କରି  ନାହାନ୍ତି ,  କି  କରନ୍ତି  ନାହିଁ  ।  ତାଙ୍କୁ  ମୃତ୍ୟୁ  ଦଣ୍ଡ  ଦିଆଯାଇଥିଲେ  ମଧ୍ୟ  ସେଥିରେ  ଟିକେ  ମାତ୍ର   ବିଚଳିତ  ବା  ଭୟଭୀତ  ହୋଇନଥିଲେ  ।  ସକ୍ରେଟିସ୍  ଜାଣିଥିଲେ  ମଣିଷ  ସଭ୍ୟତାର  ଇତିହାସ ରେ  ହତ୍ଯା  କିଛି  ନୂଆ  କଥା  ନୁହେଁ,  ଅତୀତରେ  ତାଙ୍କ  ଭଳି  ବହୁ  ନିର୍ଦ୍ଦୋଷ,  ନୀରିହ  ଯୁଗପୁରୁଷ  ଏପରି  ହିଂସ୍ରତାର  ଶିକାର  ହୋଇଛନ୍ତି  ।  ବାରମ୍ବାର   ମୃତ୍ୟୁ  ଲଭିବାକୁ  ପଡିଲେ ସୁଦ୍ଧା  ସେ  କେବେବି  ସତ୍ୟ  ପଥରୁ  ଓହରି  ଯିବେ  ନାହିଁ,  ସେ  ମୃତ୍ୟୁଞ୍ଜୟ , ନୀଳକଣ୍ଠ ବନିଯିବାର ଉତ୍କଣ୍ଠାକୁ କାହିଁକି ବା ଚାପି ଦେବେ  ।

      ସକ୍ରେଟିସ୍ ଙ୍କ ସେହି ସତ୍ୟ ସ୍ୱୀକାରୋକ୍ତିରେ  ରୂପାୟନ  ଘଟିଛି  ତାଙ୍କ ମନଗହନରେ ଆନ୍ଦୋଳିତ ଯଥାଯଥ ଅଭିବ୍ୟକ୍ତି  ।  କୁଶିକ୍ଷା  ଦେବା  ତାଙ୍କର କେବେବି ବୃର୍ତ୍ତି ନୁହେଁ , ତାଙ୍କ ଚରିତ୍ର ଆକର୍ଷଣ ହୋଇ ଯେଉଁ  ମାନେ ତାଙ୍କ ନିକଟକୁ  କୌଣସି  ପରାମର୍ଶ  ପାଇଁ  ଆସିଥାନ୍ତି,  ଶିଷ୍ଟାଚାର  ଦୃଷ୍ଟିରୁ  ସେ  ସେମାନଙ୍କୁ  କେବେ  ପ୍ରତ୍ୟାଖ୍ୟାନ  କରିନାହାନ୍ତି  ।  ଏହାକୁ  ବୃର୍ତ୍ତି କରି ସେ କେବେ ଅର୍ଥ ଉର୍ପାଜନ କରି ନାହାଁନ୍ତି । ନିଷ୍ଠାର ସହିତ  ସେ  କେବଳ ଆଜୀବନ ସତ୍ୟର ସମାଧାନ କରିଛନ୍ତି, ସତ୍ୟାନୁଶ୍ରୟୀ ହୋଇଛନ୍ତି , ସତ୍ୟହିଁ ତାଙ୍କର ଏକନିଷ୍ଠ ବ୍ରତ ଓ ମହାମନ୍ତ୍ର । ସତ୍ୟ  ସନ୍ଧାନ  କେବଳ ତାଙ୍କର  ବୃତ୍ତି  ନୁହେଁ,  ତାହା  ତାଙ୍କର  ଧର୍ମ  ଓ  କର୍ମ  ।  ସତ୍ୟ  ପାଳନହିଁ  ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ସକ୍ରେଟିସ୍  କେବଳ  ସତ୍ୟବାଦୀ  ନଥିଲେ ,  ସେ  ମଧ୍ୟ  ଥିଲେ   ଜଣେ  ସ୍ୱାଧୀନଚେତା  ଉଦାର  ମାନବ  ।  ସେଥିପାଇଁ  ତାଙ୍କ  ସଂସ୍ପର୍ଶରେ  ଯେଉଁ  ମାନେ  ଆସିଛନ୍ତି  ସେମାନେ  ବିଚାରଶୀଳ,  ସଦାଚାରୀ  ଓ  ଜିଜ୍ଞାସୁ  ହୋଇ  ଯାଇଛନ୍ତି  ।  ତରୁଣ  ସଂପ୍ରଦାୟଙ୍କୁ  ମଧ୍ୟ  ସେ  କେବେ  ହେଲେ  ସତ୍ୟ  ଭ୍ରଷ୍ଟ  କରିନାହାନ୍ତି  ।  ତରୁଣ  ମାନେହିଁ  ତାଙ୍କ  ପାଇଁ  ଥିଲେ  ଅଫୁରନ୍ତ  ଆନନ୍ଦ  ଓ  ଉତ୍ସାହର  ଉତ୍ସ  ,  ପ୍ରେରଣାର  ଆଦ୍ୟ  ମନ୍ତ୍ର  । ତରୁଣ ମାନଙ୍କ ସହିତ ଆଳାପ  କଲା  ବେଳେ, ତାଙ୍କର ସମଗ୍ର ଚେତନା ସେହି ସତ୍ୟକୁ  ଆଶ୍ରୟ  କରି  ପ୍ରସାରିତ  ହୋଇଥିଲା  ।  ନିଜକୁ  ପ୍ରଶ୍ନ  କରିବାକୁ  ଯାଇ  ସକ୍ରେଟିସ୍  ତରୁଣମାନଙ୍କୁ   ପ୍ରଶ୍ନ ପଚାରିଲା  ବେଳେ  ସେମାନଙ୍କର  ଦୃଷ୍ଟିରେ  ଅର୍ନ୍ତମୁଖୀ  ହୋଇଯାଏ  ।  ସେମାନେ  ଖୋଜି  ବାକୁ  ଆରମ୍ଭ  କରନ୍ତି  ,  ସେହି  ରହସ୍ୟର  ସୂତ୍ର  ।  ଯାହାକୁ ଖୋଜିବା ପାଇଁ  ଯୁଗ ଯୁଗ  ଧରି  ମଣିଷ  ପ୍ରଭୂତ  ପ୍ରୟାସ  କରି  ଆସିଛି  ।  କେବଳ  ତରୁଣ  ନୁହେଁ,   ପ୍ରବୀଣ  ମାନଙ୍କ   ପାଖରେ ଝଡ  ସଦୃଶ୍ୟ  ମଧ୍ୟ  ସକ୍ରେଟିସ୍  ପହଞ୍ଚିଛନ୍ତି  । ବହୁ ଶାସ୍ତ୍ରଦର୍ଶୀ, ବିଜ୍ଞା,  ପଣ୍ଡିତଙ୍କ  ପାଖରୁ ସେ ସତ୍ୟର ଅନୁସନ୍ଧାନ କରିଛନ୍ତି  । ତା'ପରେ  ଯେପରି  ତାଙ୍କର  ସ୍ୱପ୍ନ ଭଗ୍ନ ହୋଇଛି । ସେ ଉପଲବ୍ଧ କରିଥିଲେ ଜ୍ଞାନୀ, ପଣ୍ଡିତ,  ମାନବୀୟ  ବ୍ୟକ୍ତି  ପ୍ରଭୃତି  ସମସ୍ତେ  ବାହାରକୁ  ଯେଭଳି  ଦେଖାଯାନ୍ତି,  ପ୍ରକୃତରେ  ସେମାନେ ସେୟା  ନୁହନ୍ତି  ,  ସକ୍ରେଟିସ୍  ସେମାନଙ୍କର  ପ୍ରକାଣ୍ଡ  ଆବରଣ  ଭିତରୁ ସେମାନଙ୍କ  ପ୍ରକୃତିଗତ  ପ୍ରକୃତ  ଖର୍ବ,  ଦୁର୍ବଳ,  ଅମାନୁଷିକ  ରୂପ  ଗୁଡିକୁ  ଉନ୍ମୋଚିତ  କରିଛନ୍ତି  ।

   ସକ୍ରେଟିସ୍ ଙ୍କ  ଉପରେ  ଆରୋପ  କରାଯାଇ  ଥିବା  ପଣ୍ଡିତମନ୍ୟ  ଅଭିଯୋଗର  ଉତ୍ତରରେ  ସେ  ସ୍ୱୀକାର  କରିଛନ୍ତି ଯେ ସେ ଅଜ୍ଞ, କିନ୍ତୁ ବୁଦ୍ଧି ହେବା ଦିନ ଠାରୁ ସେ ନିଜ ଅଜ୍ଞତା ବିଷୟରେ ବେଶ୍ ସଚେତନ  ହୋଇ  ଆସିଥିଲେ  ।  ଏକଦା  ଦୈବବାଣୀ  ହେଲା  ଯେ ,  ସେ  ଏପୃଥିବୀରେ  ବିଜ୍ଞ  ତମ  ବ୍ୟକ୍ତି,  ମନୁଷ୍ୟ  ମାତ୍ରେ  ହିଁ  ଅଜ୍ଞ  ,  କିନ୍ତୁ  ସେ  ସାମାନ୍ୟ  ଜ୍ଞାନାଲୋକର  ଅଧିକାରୀ  ହୋଇଥିବାରୁ  ନିଜକୁ   ବିଜ୍ଞ  ବୋଲି  ଭାବିବା  ଅସ୍ୱାଭାବିକ  ନଥିଲା  । ତଥାପି ସେ  ପ୍ରକାଶ  କରିଛନ୍ତି,  "ଈଶ୍ବର  କଣ  ସେ  ଜାଣନ୍ତି  ନାହିଁ  ।"  ପ୍ରଗଲଭ୍  ବକ୍ତାଙ୍କ  ପରି ସେ  ଈଶ୍ବରଙ୍କ ସଂପର୍କରେ ଅବାସ୍ତବ ଅବାନ୍ତର  କଥା  କିଛି  କହିବାକୁ  ଚାହାନ୍ତି  ନାହିଁ  ।  ବରଂ  ସେ  ସର୍ବ  ଶେଷରେ ପ୍ରକାଶ  କରିଛନ୍ତି,  ନିଜ  ଜୀବନର  ନିଗୃଢତମ ରହସ୍ୟ । ତାଙ୍କ ଭିତରେ  ଗମ୍ଭୀର  ଘଣ୍ଟା  ଧ୍ୱନି  ପରି  ଗୋଟିଏ  ଶାଣିତ ସ୍ୱର, ଯିଏକି  ଅସତ୍ୟ  ଅଶୁଭ ଓ ଅକଲ୍ୟାଣ ତାଙ୍କୁ ଦୃଢ  ଭାବରେ  ନିବୃତ୍ତ  କରିଛି  ।  ସେ  କାହାର  ଦେବତା,  ଆଲ୍ଲା,  ଈଶ୍ବର  ଓ  ମନ୍ଦିର,  ମସଜିଦ ,  ଗ୍ରୀଜା  ଚର୍ଚ୍ଚ  ଆଦିକୁ  ଅସ୍ୱୀକାର  କରି ନାହାନ୍ତି  ।  ସେଥିପାଇଁ  ସେ  ମୁକ୍ତ  କଣ୍ଠରେ  ଘୋଷଣା  କରି  ସ୍ୱୀକାର  କରିଛନ୍ତି-"ମୁଁ  ନାସ୍ତିକ  ନୁହେଁ  ।"

          ଦେଶ  ଦ୍ରୋହ  ସଂପର୍କରେ  ଆରୋପିତ  ଅଭିଯୋଗର  ଉପରେ  ଉତ୍ତର  ଦେବାକୁ  ଯାଇ  କହିଛନ୍ତି,  ସେ  କେବେ  ଦେଶ  ଦ୍ରୋହୀ  ନୁହନ୍ତି  ।  ମନ  ପ୍ରାଣରେ  ସତ୍ୟର  ଭାର  ବହନ  କଲା  ପରେ  ଆଉ  କୌଣସି  ଆବେଗ  ପାଇଁ  ଜୀବନରେ  କେବେ  କଣ  ସମୁଦ୍ରର  ସନ୍ଧାନରେ  ବୋହି    ଯାଉଥିବା  ନଦୀ  କୂଳର  ଦ୍ରୋହାଚରଣ  କରେ  ନାହିଁ  ।  ଯେଉଁମାନେ    ଦେଶ ପ୍ରେମର  କେବଳ  ଅଭିନୟ   କରିଛନ୍ତି  ବା  କରୁଛନ୍ତି,  ସେମାନେ ପ୍ରକୃତରେ ସ୍ୱାର୍ଥପର । ସକ୍ରେଟିସ୍ ଦ୍ରଷ୍ଟା, ସୂକ୍ଷ୍ମ ଦୃଷ୍ଟିକୋଣରେ  ସେ  ତାଙ୍କର ଶ୍ରେୟ  ସାଧନ  ପାଇଁ  ତତ୍ପର  ହୋଇଛନ୍ତି,  ବ୍ୟକ୍ତିଗତ  ସ୍ୱାର୍ଥରେ କେବେ ଲିପ୍ତ ହୋଇପାରି ନାହାନ୍ତି, କି କେବେ  ଥରେ  ସେଭଳି  ଚିନ୍ତା  କି  ଭାବନା  କରିନାହାନ୍ତି  ।

      ସକ୍ରେଟିସ୍ ଙ୍କ ନିର୍ଭୀକ  ସରଳ  ଉତ୍ତର  ଦାନରେ  ବିଚାରକ  ମଣ୍ଡଳୀ  ନିଜ ଅଜ୍ଞତା ଯୋଗୁ ତଥା ଈର୍ଷା ଯୋଗୁ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ  କରା ଯାଇଥିଲା ,  ସେତେବେଳେ  ସକ୍ରେଟିସ୍  ଟିକିଏ  ମାତ୍ର  ବିଚଳିତ  ହୋଇ ନଥିଲେ,ଅଟଳ ହିମାଳୟ ପର୍ବତ ଭଳି ନିଜ ସତ୍ୟ ସହ ଅଟଳ   ରହିଥିଲେ ।  କାରଣ ସେ ସ୍ପଷ୍ଟ ଭାବରେ ବୁଝିଥିଲେ ଯେ, ଅନ୍ୟାୟ  ଦ୍ବାରା  ଅନ୍ୟାୟର ପ୍ରତିକାର  ହୁଏନି,  ଗୋଟିଏ  ଭୁଲ୍  କାର୍ଯ୍ୟର  ସଂଶୋଧନ  ଆଉ ଏକ ଭୁଲ୍ କାର୍ଯ୍ୟ ଦ୍ଵାରା ସଂପାଦନା କରାଯାଏନି,  ଏହା  ଅନୁଚିତ  ।  ଯଦି  ବିଚାରକ ମଣ୍ଡଳୀ ବିଚାର କରିଛନ୍ତି, ତେବେ ଭବିଷ୍ୟତରେ ଦରବାରରେ  ସେମାନେ  ହେବେ  ଦୋଷୀ,  ମୁଁ  ( ସକ୍ରେଟିସ୍ )  ହେବି  ନିର୍ଦୋଷ  ।  କିନ୍ତୁ  ମୁଁ  ଯଦି  ଭୁଲ୍ କରିବି, ସେହି ଭବିଷ୍ୟତ ମୋତେ ଦୋଷାରୋପ  କରିବ,  ସେମାନେ  ହେବେ  ନିର୍ଦୋଷ  । ସେହି ଦୃଷ୍ଟିରୁ ନିଜର ପ୍ରକୃତ ବିଚାର  ନ୍ୟସ୍ତ  କରିଛନ୍ତି   ସକ୍ରେଟିସ୍  ଇତିହାସ  ଉପରେ  ।  ମୃତ୍ୟୁକୁ ଭୟ  କରିବେ  ବା   କାହିଁକି  (?) ।  ସତ୍ୟ,  ମିଥ୍ୟାର  ସନ୍ଧାନ  ମିଳିବ ନିଜ ଅନୁକୂଳ ଚିନ୍ତାଧାରା ମଧ୍ୟରୁ , କେବେ ଅବିଶ୍ୱାସ ,ଅନ୍ଧବିଶ୍ୱାସରୁ  ନୁହେଁ ।  ତେଣୁ ବିଚାରକ ମାନଙ୍କ ଅନ୍ଧବିଶ୍ୱାସକୁ  ସହଜରେ  ମାନିନେବାକୁ ସେ କେବେ ପ୍ରସ୍ତୁତ  ନଥିଲେ ।  ସେ କହୁଥିଲେ "ସଂଖ୍ୟାଧିକ ବା ସମସ୍ତ  ମନୁଷ୍ୟଙ୍କର  ମତ  ଯେଭଳି  ମହାର୍ଘ,  ଯେ  କୌଣସି  ଏକକ  ବ୍ୟକ୍ତିର ନିଜସ୍ଵ ମତବ୍ୟକ୍ତ  କରିବାର  ସ୍ୱାଧିନତା  ମଧ୍ୟ  ସେପରି  ମହାର୍ଘ  ।  ତେଣୁ ତାଙ୍କର ଏକକ ମତବ୍ୟକ୍ତକୁ ବିଚାରକ ମଣ୍ଡଳି ସମ୍ମାନ  ନଦେବାରୁ  ସେ କେବେ  ଅନୁଶୋଚନା କରି  ନାହାନ୍ତି  , ବରଂ  ନିଜକୁ  ମୃତ୍ୟୁ  ମୁଖକୁ  ଠେଲି  ଦେଇଛନ୍ତି,  ଜ୍ଞାନ,  ନିଷ୍ଠା  ଓ  ବିବେକ  ମଧ୍ୟରୁ  ସୃଷ୍ଟି  ହୁଏ  ସତ  ସାହସ, ସେହି  ସତ  ସାହସଟି  ମନୁଷ୍ୟର  ପ୍ରକୃତ  ପରିଚୟ  ।  ସତ୍ୟର  ଅନୁସନ୍ଧାନ ପାଇଁ ସେ ନିଜର ସତ ସାହସକୁ ପ୍ରୟୋଗ କରିଛନ୍ତି । କାରଣ  ସତ୍ୟହିଁ ଅମୋଘ ଅସ୍ତ୍ର ଓ  ସତ୍ୟର ଯୁଗ ଯୁଗ ଧରି ପରାଜୟ ନାହିଁ  ।  ଇତିହାସର ଲଂବା ସିଡ଼ିରେ ସତ୍ୟହିଁ ଦିନେ ପ୍ରକଟିତ ହେବ , ସତ୍ୟ  କେବେ ଲୁଚି ରହେନା !!!

       ଶେଷରେ ସକ୍ରେଟିସ୍ ତାଙ୍କ ବ୍ୟବହାର ସଂପର୍କରେ ଉତ୍ତର ଦେବାକୁ  ଯାଇ  କହିଛନ୍ତି,   ତାଙ୍କର  ଆଚରଣ  ହୃଏତ  ଆଶାନୁରୂପ  ହୋଇ  ପାରୁ  ନାହିଁ  । କିନ୍ତୁ ସେଲାଗି ସେ  ନାଚାର,  ଏପରିକି  ଏଥିପାଇଁ  ତାଂକୁ  ହତ୍ୟା  କରାଗଲେ  ସୁଦ୍ଧା  ସେ  ମୃତ୍ୟୁକୁ  କେବେ  ଭୟ  କରି  ନାହାନ୍ତି,  ଏପରିକି  ସେ ସହାନୁଭୂତି ଭିକ୍ଷା କରି ନାହାନ୍ତି  ।  ତାହାର  କାରଣ  ହେଉଛି ,  ସେ  ସତ୍ୟଧର୍ମରେ  ଦୀକ୍ଷିତ  ଓ  ସତ୍ୟର  ଶକ୍ତିରେ  ଶକ୍ତିଶାଳୀ,  ମୃତ୍ୟୁ  ଦଣ୍ତ  ଯେତେ  କଠୋର ଓ ଭୟଙ୍କର  ହେଲେ ମଧ୍ୟ  ସେ  କିନ୍ତୁ  ତାହାକୁ  ଗ୍ରହଣ  ହିଁ  କରିଛନ୍ତି  ।  ଜୀବନ  ବ୍ୟାପିତ  ମୃତ୍ୟୁ  ପାଖେ  ପାଖେ  ଅଛି,  ତେଣୁ  ପ୍ରକୃତ ପକ୍ଷେ  ମୃତ୍ୟୁ ଯେତେବେଳେ ଜୀବନକୁ ଗ୍ରାସ  କରିବାକୁ   ଆସେ ,  ସେଥିପାଇଁ  ସେତେବେଳେ  ଦୁଃଖ  ପ୍ରକାଶ  କରିବା  ସଂପୂର୍ଣ୍ଣ  ବାଚଳତା,  ଜନ୍ମ  ଥିଲେ  ମୃତ୍ୟୁ  ଚିରନ୍ତନ  ସତ୍ୟ,  ଏଥିରେ  ଦୁଃଖ  କରିବା  ବି  ଭାଙ୍ଗି  ପଡିବା ଅନୁଚିତ ,ଏହାରି ଭିତରେ ସେ ଦେଖିଥିଲେ ସତ୍ୟର ପ୍ରତିଫଳନ  ।

           ଜୀବନ  ଅସାର,  କିନ୍ତୁ  ସତ୍ୟହିଁ  ସାର  ।  ସତ୍ୟ  ପାଇଁ  ଜୀବନ  ଯିବ, ତାହାହିଁ  ଆନନ୍ଦ , ସେଲାଗି ବିଚାରପତି ମାନଙ୍କୁ  ସେ  କହିଥିଲେ :-  "  ବିଦାୟ  ପାଇଁ  ମୋର  ଵେଳ  ଆସିଗଲା,  ମୁଁ  ଯିବି,  ଆପଣମାନେ  ରହିବେ,  ଏ'ଦୁଇଟିରୁ  କେଉଁଟି  ମଙ୍ଗଳ  ପ୍ରଦ,  ତାହା  କେବଳ  ଈଶ୍ୱରହିଁ  ଜାଣନ୍ତି , ପ୍ରାଣ ଭିକ୍ଷା କଲାଭଳି କାପୁରୁଷତା ତାଙ୍କର  ନାହିଁ  ।  ସେଥିପାଇଁ  ସେ  ହସି  ହସି  ବିଷର  ପିଆଲା  ଗ୍ରହଣ  କରିନେଇଥିଲେ  ।  ସକ୍ରେଟିସ୍  ଏହାହିଁ    ଉପଲବ୍ଧ  କରିଥିଲେ,  ଯାହା  ଦ୍ଵାରା  ଚିର  ଅବିଚଳିତ  ସତ୍ୟ  ଅବିଚଳିତ  ରହିବ  । '" ମର  ଦୁନିଆରେ  ଏତ  ଅନିତ୍ୟ  ଜୀବନ,  ସତ୍ୟ  ଚିରନ୍ତନ ଲାଗି ସକ୍ରେଟିସ୍ କଲେ ପ୍ରାଣ ଦାନ ।" ଆଜିର ମଣିଷ ସେହି  ସତ୍ୟ  ଧର୍ମା  ସକ୍ରେଟିସ୍ ଙ୍କ  ପଦାନୁସରଣ  କରିବା  ଧ୍ୟେୟ  ହେଉ...!!!

💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮
               ● ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
        ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ,  କଟକ - ୪
                        ଦୂରଭାଷ  :  ୯୪୩୭୭  ୪୦୨୮୦
          Email : Laxmansahoo9040@gmail.com

💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮💮
                          💐 ଜୟ ସାହିତ୍ୟ, ଜୟ ସମାଜ💐

ଏଇ ମାଟିର ଇତିହାସ ବାଜିରାଉତ

ଅମରଜିତ୍‌ ସାହୁ 
ଢେଙ୍କାନାଳ ଜିଲ୍ଲା, ନୀଳକଣ୍ଠ ପୁର,
ବ୍ରାହ୍ମଣୀ ନଦୀ କୂଳେ ତାହାର ଘର ।।

ସିଂହ ମାଟିର ରକତ ସେ ତ,
ନାମ ତାହାର ବାଜିରାଉତ ।।

ବାର ବର୍ଷର ବାଳୁତ ସେ ତ,
ପାଠ,ଖେଳ ଛାଡି ଦେଖାଇଲା ବୀରତ୍ବ ।।

ପ୍ରଜା ମଣ୍ଡଳୀର ଆଦେଶ ପାଇ,
ନୌକା ଘାଟ ସିଏ ଜଗଇ ।।

ମରିଯିବି ପଛେ ଡରିବି ନାହିଁ,
ଗୋରା ସରକାରଙ୍କୁ ଘାଟପାର କରିବି ନାହିଁ ।।

ଅନ୍ଧାର ରାତିର ଝିଙ୍କାରୀ ସ୍ବର,
ମେଘ, ବରଷାକୁ ନଥିଲା ଡର ।।

ଗୋରା ସରକାରଙ୍କ ଶବଦ ଶୁଣି,
ଛିଡ଼ା ହୋଇଗଲା ଘାଟରେ ପୁଣି ।।

ଗୋରା ସରକାରର ଆଦେଶ ପାଇ,
କହିଲା ଘାଟରୁ ଡଙ୍ଗା ଖୋଲିବି ନାହିଁ ।।

ରାଗ ମୁଖେ ଥିଲେ ଗୋରା ସରକାର,
ଗୁଳି ଫୁଟାଇଲେ ମଥାରେ ତା'ର ।।

ବାଜିରାଉତର ଶବଦ ଶୁଣି,
ପ୍ରଜା ମଣ୍ଡଳ ଆସିଲେ ପୁଣି ।।

ଗୋରା ସରକାର ଗୁଳି ମାଡରେ,
ଶହୀଦ୍ ହେଲେ ବହୁ ନଦୀ କୂଳରେ ।।

ଲିପିବଦ୍ଧ ହେଲା ନାମ ତାହାର,
ଇତିହାସ ରଚିଲା  ଏହି ମାଟିର ।।

ଆସ ଭାଇ ଆମେ ଶପଥ ନେବା,
ଏଇ ଦେଶ,ମାଟି ଲାଗି ଜୀବନ ଦେବା ।।
                  -----×----
ଖନ୍ଦୋଳ - ତିରିଶ - ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

ସମ୍ମାନ (ସ୍ବଚ଼କ୍ଷୁରେ ଦେଖିଥିବା ଏକ ଘଟଣା)


ଦେବଯାନୀ ଦାସ 

    ପରିବା ମାର୍କେଟ ରେ ସାଇକେଲରୁ ଓହ୍ଲେଇଲେ ଅବସରପ୍ରାପ୍ତ ବ୍ଲକ ଗ୍ରାଣ୍ଟ ଇତିହାସ ଅଧ୍ୟାପକ । ଗୋଟେ କଡକୁ ସାଇକେଲ ଷ୍ଟାଣ୍ଡ କରି ରୁମାଲରେ ଝାଳ ପୋଛିଲେ  । ତା'ପରେ ..........

--ବାଇଗଣ କିଲୋ କେତେ ?
-- ବାର ଟଙ୍କା ।
--ବୋଇତାଳୁ ?
--ଦଶ
--କେଜିଏ ନେବି,ବାଇଗଣ ଦଶ ଟଙ୍କା କରନ୍ତୁ ।
--କମ୍‌ ନାହିଁ, ବାରରୁ କମ୍‌ ହେବନି,ଯୋଉଠି ଶସ୍ତା ପାଇବ ସେଇଠିକୁ ଯାଅ
--ହଉ ଠିକ୍ ଅଛି ଅଧା କିଲୋ ଦିଅନ୍ତୁ ।
--ଅଧା କିଲୋ ଦେଇ ହବନି , ଯଦି ନବ ଆଠ ଟଙ୍କା ପଡିବ ।
--ବାର ଟଙ୍କା କିଲୋ ତ ଅଧା କିଲୋକୁ ଛଅ ଟଙ୍କା ନିଅନ୍ତୁ ।
--ମୋତେ ପାଠ ପଢେଇବା ଦରକାର ନାହିଁ , ଇଛା ହେଲେ ନିଅ , ନ ହେଲେ ନ ନିଅ

   **           **          **          **

   ମାର୍କେଟ ଭିତରେ ଅଶୀ ସ୍ପିଡ୍‌ରେ ଗାଡି ଆଣି ବ୍ରେକ କଷିଲେ ଜଣେ ମାଟିଆ ପୋଷାକଧାରୀ ଯୁବ କର୍ମଚାରୀ । ଗାଡିରୁ ନ ଓହ୍ଲେଇ ଦୁଇ ଗୋଡକୁ ଷ୍ଟାଣ୍ଡ କରି .........
 --ବାଇଗଣ କିଲୋ କେତେ ବେ  ?
--ବାର ଟଙ୍କା ଆଜ୍ଞା
--ଆଉ ବୋଇତାଳୁ  ?
--ଦଶ ଆଜ୍ଞା , ଭାରି ମିଠା ଆଜ୍ଞା  ।
--ଦେ' ଅଧା କିଲୋ ବାଇଗଣ ପକା ମୋ' ବ୍ଯାଗରେ,ଚାରି ଟଙ୍କା ଦେବି।
 --କିଣା ନାହିଁ ଆଜ୍ଞା , ଅଧା କିଲୋ ଦେଉଛି, ଛଅ ଟଙ୍କା ଦେବେ ।
--ମୋତେ ଦର ଶିଖଉଛୁ , ଦେ' ଓଜନ କର  ।

: ବାମ ପଟେ ଅଧା କିଲୋ ବଟକରା ପକେଇ ଡାହାଣ ପଟେ ଅନେକ ତଳକୁ ରହିଥିବା  ସାଢେସାତ ଶହ ପାଖାପାଖି ବାଇଗଣ ଥିବା ପାଲି ଧରି ନିଜ ଯାଗାରୁ ଉଠି ଆସି ବ୍ଯାଗରେ ପୁରଉ ଥିଲା ପରିବା ବାଲା ଆଉ ପକେଟରୁ ରେଜା ପଇସା ଚାରି ଟଙ୍କା କାଢି ଲୋକ ଜଣକ ତା' ପାଲିକୁ ଛାଟି ଦଉଥିବା ସମୟରେ ପରିବା ବାଲା କହୁଥିଲା---- ନମସ୍କାର ଆଜ୍ଞା , ଆଉ ଯାହା ନବାର ଥିବ ଆସିବେ

      **         **         **       **
ଅଧ୍ୟାପକ ମହାଶୟ ଖାଲି ବ୍ଯାଗକୁ ଚଉତୁ ଥିବା ସମୟରେ ମୁଣ୍ଡ ଉପରେ ଆକାଶରେ ଥିଲା ଖଣ୍ଡଖଣ୍ଡିଆ ମେଘର ଭାରତ ମାନଚିତ୍ର , ଯାହା ତାଙ୍କ ଆଖିରେ ପ୍ରତିଫଳିତ ହେଇ ପରିଣତ ହେଉଥିଲା ଓଡିଶାର ଭୂଗୋଳରେ  ।
ରାଣୀପାଟଣା , ବ୍ଯାଙ୍କ୍‌ କଲୋନୀ , ବାଲେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

ପ୍ରାରମ୍ଭିକ

କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି 
         ସମ୍ପାଦକ - ଉଦୟ ଭାନୁ
ପ୍ରାରମ୍ଭେ ଲେଖୁଛି କବିତା ଦି'ଧାଡ଼ି
ନାମ ଦେଉଅଛି ପ୍ରାରମ୍ଭିକ
ପଙ୍ଗୁ ଗ୍ରାସ କଲା କବିତାକୁ ମୋର
କାବ୍ଯ ଲେଖିବା ହେଲା ମୋ' ପାଇଁ ପଙ୍କ ।୧।

କାବ୍ଯ ଲେଖି ମୋତେ ମିଳିଲା ଅ-କ
ଅକ ଲାଗଇ ସତେ କରିଛି ଅକ
ଅକଥ୍ୟ ଅକଥ ଶୁଣିଛି ଅନେକ
ଆଉ ଲେଖିବିନି ମୁଁ କବିତା ପଦ୍ଯ ।୨।

କବିତାକୁ ଦେଲି ପ୍ରାରମ୍ଭିକତା
ସେଲାଗି ଦୁଃଖରେ ନୋଇଁଲା ମଥା
କବିତ୍ୱରେ ମୋର ଲାଗିଲା କଳଙ୍କ
ହେଉନାହିଁ ଆଉ ଲେଖିବାକୁ ଇଚ୍ଛା ।୩।

ଆଶା ଅଂଶୁମାନ ଅଂଶୁକ ମଳିନ
ହୋଇଲାଣି ଏବେ ମାନସରୁ ମୋର
ଇ କଲେ ମୋତେ ଇ ମିଳିଲା ଅନେକ
ମୋ' କବିତା ହେଲା ନାହିଁ ଈଶ୍ୱର ।୪।

🙏🙏🙏🙏🙏🙏🙏🙏🙏🙏🙏🙏🙏🙏
  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
  ଯୋଗାଯୋଗ - ୮୯୧୭୪୮୦୫୩୬
🙏🙏🙏🙏🙏🙏🙏🙏🙏🙏🙏🙏🙏🙏


ଜୟ ସାହିତ୍ୟ, ଜୟ ସମାଜ

ପଙ୍ଗୁ ଲଂଘେ ଗିରି


ସ୍ମିତା ମହାନ୍ତି 

       ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ଜାନକୀ ସେଦିନ ନିଜର ସାହସ ଏକତ୍ରିତ କରିପାରୁ ନଥିଲା । କାହିଁକି କେଜାଣି ଏକ ଅଜଣା ଭୟ ତାକୁ ଭିତରୁ ଦୁର୍ବଳ କରିଦେଉଥିଲା । ଯଥାସମ୍ଭବ ଚେଷ୍ଟା କରୁଥାଏ ନିଜ ମନୋବଳ ଦୃଢ କରି ଇଂଲିଶ ଚ୍ୟାନେଲ ସନ୍ତରଣ କମିଟିର ସଭାପତି ଓ କିଛି ସଭ୍ୟଙ୍କୁ ସାକ୍ଷାତ କରିବା ପାଇଁ । ସାକ୍ଷାତକାର ଚାଲିଥିଲା ବେଳେ ସମସ୍ତ ସଭ୍ୟ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ............ ସତେ କ'ଣ ଏ ଝିଅ ଇଂଲିଶ ଚ୍ୟାନେଲ ଅତିକ୍ରମ କରିପାରିବ?

      ସେମାନେ ଆଶ୍ଚର୍ଯ୍ୟlନ୍ବିତ  ହୋଇଥିଲେ ଜାନକୀକୁ ଦେଖି ଯେ' କି ସୁଦୂର ଭାରତ ବର୍ଷରୁ ଇଂଲଣ୍ଡ ଯାଇଥିଲା ସେହି ପ୍ରତିଯୋଗିତାରେ ଭାଗ ନେବାପାଇଁ । ଯେଉଁଥିରେ ତାକୁ ସନ୍ତରଣ ମାଧ୍ୟମରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବାକୁ ହେବ । କିନ୍ତୁ  ପୋଲିଓ ରୋଗରେର ଆକ୍ରାନ୍ତ ଗୋଟିଏ ଝିଅ ପାଇଁ ଏହା କ'ଣ ସମ୍ଭବ !  ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ,  ଅୟୋଜକ ମାନଙ୍କ ମନରେ ।

     ଦୁଇବର୍ଷ ବୟସ ହୋଇଥିବା ସମୟରେ ଜାନକୀ ପୋଲିଓରେ ଆକ୍ରାନ୍ତ ହୋଇ ନିଜ ଗୋଡ ୨ଟି ଥାଇ ମଧ୍ୟ ନଥିଲା ପ୍ରାୟ ହୋଇଯାଇଥିଲା ।ସ୍ନାୟୁଗତ ଦୁର୍ବଳତା ଯୋଗୁ ଗୋଡ଼ ଦୁଇଟି ଶକ୍ତିହୀନ ହୋଇପଡିଥିଲେ ।ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ହେଉଥିବା ପ୍ରତିଯୋଗିତାରେ  ଦୁଇଟି ସର୍ତ୍ତ ପୂରଣ କରିବାର ଅଛି ବୋଲି ଅୟୋଜକ କମିଟିର ସଭ୍ୟ ମାନଙ୍କ ଭିତରୁ ଜଣେ ନିଜ ମତ ରଖିଲେ । ସର୍ତ୍ତ ଗୁଡିକ ହେଲା ପ୍ରଥମତଃ ଦୃଢ଼ ଆତ୍ମବିଶ୍ବାସ ରକ୍ଷା କରିବା ସହ ଦ୍ଵିତୀୟରେ ଦୀର୍ଘ ଦଶଘଣ୍ଟା କାଳ ଅଵିଶ୍ରାନ୍ତ ସନ୍ତରଣ କରିବାକୁ ପଡିବ , ତମେ ପାରିବ ?

     ଜାନକୀ ବିନା ଦ୍ବିଧାରେ ହଁ ଭରିବା ସହ ଦୀର୍ଘ ୪ ଚାରି ବର୍ଷର ପ୍ରଶିକ୍ଷଣ ସମୟରେ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଅର୍ଜନ କରିଥିବା ମାନପତ୍ର ଗୁଡିକ ଦେଖାଇଲା । ଜଣେ ଶାରୀରିକ ବିକଳାଙ୍ଗ  ଝିଅ ପାଇଁ ଏହା କୌଣସି ବରଦାନ ଠାରୁ କାମ ନଥିଲା । ନିଶ୍ଚିତ ରୂପେ  ଝିଅଟିର ନୂଆ କିଛି କରିଦେଖାଇବାର ମାନସିକତା ନେଇ ଆସିଛି ଓ ତା'ର ପ୍ରଚେଷ୍ଟା ସ୍ବାଗତ ଯୋଗ୍ୟ ବୋଲି ସଭ୍ୟ ମାନଙ୍କ ମଧ୍ୟରୁ ଜଣେ କହିଲେ । ଜାନକୀ ସ୍ମିତହାସ୍ୟ ସହ ନିଜର ବକ୍ତବ୍ୟ ରଖିଲା ଯେ "ଆପଣମାନେ ମାନପତ୍ର ଗୁଡିକୁ ଭଲଭାବେ ଲକ୍ଷ୍ଯ କଲେ ଦେଖି ପାରିବେ ଯେ  ମୁଁ ପ୍ରତିକୂଳ ସ୍ରୋତରେ ଅବିରତ ଦଶଘଣ୍ଟା ସନ୍ତରଣ କରିପାରେ" କହି କମିଟିର ସମସ୍ତ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ଓ ସେମାନେ ତାକୁ ପ୍ରତିଯୋଗିତାରେ ଭାଗନେବା ପାଇଁ ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଲେ । ପ୍ରତିଶ୍ରୁତି ପାଇବା ପରେ ଜନକୀର ଆଖିରେ ନୂଆ ଚମକ ଦେଖାଯିବl ସହ ଶରୀରରେ ନୂଆ ଉତ୍ସlହ ଓ ଉଦ୍ଦୀପନା।ନିଶ୍ଚିତ ରୂପେ  କରି ଦେଖାଇବା ପାଇଁ ଦୃଢ଼ ପରିକର ବଦ୍ଧ ସେ । କିନ୍ତୁ ସେ ଚାହୁଁଥିଲା ଏକାକୀ (solo) ସନ୍ତରଣ କରିବ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ କରିପାରିଲା ନାହିଁ କାରଣ ତା'ର ନିରାପତ୍ତା (life supporting boat) ପାଇଁ ଆବଶ୍ୟକ ହେଉଥିବା ନିର୍ଦ୍ଧିଷ୍ଟ ବୋଟ ନଥିଲା । ତେଣୁ ଏହା ନିଷ୍ପତ୍ତି ନିଆଗଲା ଯେ ସେ ଆମେରିକାର ରିଲେ ଟିମର ଏକ ଅଂଶ ଭାବେ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିବ ।

         ଜୁଲାଇ ମାସ ୨୨ ତାରିଖ ପହଁଚିଲା । ଏହା ସେହିଦିନ ଥିଲା ଯାହା ଜାନକୀ ଜୀବନରେ ଆଣି ପାରିବ ଏକ ନୂଆ ଚେତନା । ତା' ଜୀବନର ଲକ୍ଷ୍ୟ ପୂରଣ କରିବାର ଦିନ ଆସିଯାଇଥିଲା । ଯାହାକୁ ସେ ଏତେ ଦିନ ହେଲା ଅପେକ୍ଷା କରି ଆସିଛି । ସେ ଏତେ ଖୁସି ଥିଲା ଯେ ଠିକ୍‌ସେ ନିଃଶ୍ୱାସ ନେବା ତା' ପାଇଁ ସମ୍ଭବ ହୋଇ ପାରୁନଥିଲା । ସେଦିନ ସମୁଦ୍ର ବୋଧହୁଏ ତାକୁ ପ୍ରତିଦ୍ବନ୍ଦିତାର ଆହ୍ୱାନ ଦେବା ପାଇଁ ଜୋର୍‌ରେ   ଫୁଲି ଉଠିଥିଲା କିନ୍ତୁ ଜନକୀର ସେଥିପ୍ରତି ଖାତିର ନଥିଲା । ଜାନକୀର ଦୃଢ଼ ଇଛାଶକ୍ତିକୁ ସ୍ୱୟଂ ଭଗବାନ ଆସିଥିଲେ ବି ଦୋହଲାଇ ପରିନଥା'ନ୍ତେ ।ଅସୀମ ଆତ୍ମବିଶ୍ବାସ ମନରେ ତା'ର । ଛାତିର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେଉଥାଏ । ସେ ଦେଖି ପାରୁଥିଲା ତା' ଦଳର ପ୍ରତିଦ୍ବନ୍ଦୀ ମାନେ ତା'ର ନିକଟତର ହେବାରେ ଲାଗିଛନ୍ତି । କିଛି ମୁହୂର୍ତ୍ତରେ ସେମାନେ ଆସି ତା' ନିକଟରେ ପହଂଚି ଯିବେ । କ'ଣ ହେବ ଯଦି ତା' ଏକାଗ୍ରତା ଭାଙ୍ଗିଯାଏ ? ଜାନକୀ ସମସ୍ତ ଭାବନାକୁ ପଛରେ ପକାଇ ପ୍ରତିଯୋଗିତା ଉପରେ ଧ୍ୟାନ ଦିଏ ।
       ସେ ବିଶ୍ୱାସ କରି ପାରୁନଥାଏ ଯେ ସେ ଇଂଲିଶ ଚ୍ୟାନେଲରେ ସନ୍ତରଣ ପ୍ରତିଯୋଗିତାରେ ଓହ୍ଲାଇଲାଣି । ଆଗକୁ ତାକୁ ଦୃଢ଼ ପ୍ରତିଯୋଗିତାର ସାମ୍ନା କରିବାକୁ ପଡିବ । ତା'ର ସମସ୍ତ ଶକ୍ତି କ୍ଷୟ ହୋଇ ଯାଉଥାଏ ସମୁଦ୍ରର କରାଳ ସ୍ରୋତରେ । ଖର ସ୍ରୋତରେ ତା'ର ନିର୍ଜୀବ ଗୋଡ ଦୁଇଟି ଯେପରି କୁଟାଖିଅ ପରି ଏପାଖ ସେପାଖ ହେଉଥାଏ । ତା' ସହ ଇଂଲିଶ ଚ୍ୟାନେଲ  ପାଣିର ଭୟାବହ ଥଣ୍ଡା ତାକୁ ନିସ୍ତେଜ କରି ପକାଉଥାଏ ।

      ଥରକୁ ଥର ଖାରପାଣି ତା' ପାଟିରେ ପଶି ପେଟ ଭିତରକୁ ଯିବା କ୍ଷଣି ସେ ଅସ୍ତବ୍ୟସ୍ତ କରି ପକାଉଥାଏ । ସାମୁଦ୍ରିକ ଦଳ ଓ ମାଛମନେ ତା' ସର୍ବାଙ୍ଗକୁ ଅବିରତ ଫୁଟାଇ ଚାଲିଥିଲେ । କିନ୍ତୁ ଯେତେ ଅସୁବିଧାରେ ସମ୍ମୁଖୀନ ହେଲେ ମଧ୍ୟ ସେ ଗୁଡିକ ଭୁଲି ହୋଇଯାଏ ଯଦି ଜଣେ ତା'ର ଲକ୍ଷ୍ୟ ସ୍ଥଳରେ ଉପନୀତ ହୁଏ । ଜାନକୀର ଦୀର୍ଘ ଅଢେଇ ଘଣ୍ଟା କାଳ ଇଂଲିଶ ଚ୍ୟାନେଲରେ ସନ୍ତରଣ କରି ସେ ସାରା ବିଶ୍ୱ ପାଇଁ ସାହସ ଓ ଦୃଢ଼ ଆତ୍ମବିଶ୍ବାସର ବଳିଷ୍ଠ ଉଦାହରଣ ପାଲଟି ଗଲା । ଦୃଢ଼ ଉଦ୍ୟମ , ଆତ୍ମବିଶ୍ୱାସ ଓ ପରିଶ୍ରମ ଯେ କୌଣସି ଲୋକକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇ ପାରେ , ତାହା ଜାନକୀ ପାଖରେ ପ୍ରମାଣିତ ହୋଇପାରିଲା । ଶାରୀରିକ ବିକଳାଙ୍ଗ ହୋଇ ମଧ୍ୟ ଅନେକ ଘାତ ପ୍ରତିଘାତର ସାମ୍ନା କରି  ନିଜ ପ୍ରତିଭା ଦ୍ୱାରା ଅସମ୍ଭବକୁ ସମ୍ଭବ କରିବା ଚରିତ୍ର ଏ ପୃଥିବୀରେ ବିରଳ । ସେଇ ବିରଳ ଚରିତ୍ର ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜନ୍ମ ହୋଇଥିବା ସି .ଏସ .ଜାନକୀ ଜଣେ । ଆୟୁର୍ବେଦିକ ଡାକ୍ତର ଓ ଶିକ୍ଷକ ଶ୍ରୀରାମମୂର୍ତ୍ତି ଶୀତଲାଙ୍କର କନ୍ୟା ହୋଇଥିବା ସତ୍ତ୍ୱେ ଦୁଇବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ  ହୋଇଥିବା ଯୋଗୁଁ ନିଜ ଗୋଡ଼ର ସମସ୍ତ ଶକ୍ତି ହରାଇ ଥିଲେ ମଧ୍ୟ ଭାରତ ତାଙ୍କ ପାଇଁ ହୋଇଥିଲା ଗୌରବ ମଣ୍ଡିତା । ସେହି ମହିଳାଙ୍କୁ ଶତ ନମସ୍କାର ଯେ' କି ଅନେକ ମହିଳା ଓ ଶାରୀରିକ ବିକଳାଙ୍ଗ ମାନଙ୍କ ପାଇଁ ଭିନ୍ନ ଏକ ବlର୍ତ୍ତାବlହିକା  ।
ରାଉରକେଲା
                                       ଜୟ ସାହିତ୍ୟ, ଜୟ ସମାଜ

❤🌹❤ନିଆରା ବର୍ଷା❤🌹❤

ମହାସ୍ମିତା ଓଝା 
ଏମିତି ତୁମ ମନ ଆକାଶରୁ
ପ୍ରୀତିର ମେଘ ଟିକେ ଦିଅନ୍ତନି
ଭିଜି ଯା'ନ୍ତି ମୁଁ ମନ ଭରି, ଆଉ
ଭିଜି ଯା'ନ୍ତା ମୋ' ତନୁ ମନ ।

ଆଜି କାହିଁକି ଆକାଶକୁ ଦେଖିଲେ
ତୁମେ ମନ ପଡ , ମନ କିନ୍ତୁ କହୁଥାଏ
ଆଞୁଳାଏ ପ୍ରୀତି ବର୍ଷା ହୋଇ ଝରି ଯା'ନ୍ତ କି,
ଅତୃପ୍ତ ଇଚ୍ଛା ସବୁ ଭିଜି ଯା'ନ୍ତେ ମନଭରି ।

ତମର କ'ଣ ଜମା ଇଚ୍ଛା ହୁଏନି
ଭିଜି, ଭିଜାଇବାକୁ ମତେ
କେତେଦିନ ଆଉ,ଲଘୁଚାପ୍ ହୋଇ
ଖଣ୍ଡ ପ୍ରଳୟ କରିବ, କେବେ ତ ମନ
ଇଲାକାରେ ମଉସୁମୀ ମେଘ ହୋଇ
ଝରିଯାଅ ଆପଣା ଇଚ୍ଛାରେ ।
ଥରେ ଖାଲି ମେଘ ହୋଇ ବର୍ଷି ଯାଅନା ,
ଦେଖିବ ନିଜ ଇଛାରେ ବର୍ଷା ହୋଇ
ଝରି ଯିବାରେ କେତେ
ଆନନ୍ଦ ମିଳେ ।
କେବେ ମରୁଭୂମିରେ ନୀଳ ବର୍ଷା ହୋଇ ଦେଖିଛ ,
କେମିତି ନିଥର
ବାଲି ପିଇ ଯାଏ ପୋଷ ପୋଷ କରି
ଏମିତି ବର୍ଷାକୁ ମୁଁ ଖୋଜୁଛି
ଭିଜେଇବ ସେ ମତେ ଆପଣା ଢଙ୍ଗରେ,
ଚାହିଁ ରହିଥିବ ସେ ମୁଗ୍ଧ ନୟନରେ,
ମୁଁ କିନ୍ତୁ ମଥା ପାତି ଦେଇଥିବି ତା' ଭିଜା ହୃଦୟରେ ।।

ଜୟ ସାହିତ୍ୟ, ଜୟ ସମାଜ

କରୋନା ଭୁତାଣୁ - ଆତଙ୍କର ଅନ୍ଯ ନାମ


   ଅନାମ ଚ଼ରଣ ସାହୁ 
   ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରି ଡରାଉଛି ସତ୍ଯସନ୍ଧାନୀ ମାନବ ସମାଜକୁ । ୧୫୬ରୁ ଉର୍ଦ୍ଧ୍ବ ଦେଶରେ ଏବେ ତା'ର ରାଜୁତି। ତା ଆଖିରେ ସମସ୍ତେ ସମାନ। ସେ ନା ଦେଖୁଛି ଧନୀ ଗରିବରେ ପ୍ରଭେଦ,ନା ବିକଶିତ, ବିକାଶଶୀଳ ଦେଶ । ସେ ଏବେ ସୁଦ୍ଧା ନେଇସାରିଛି ୬୪୦୦ରୁ ଉର୍ଦ୍ଧ୍ବ ଜୀବନ। ତାହାର ବିଶାଳ କାୟା ଭିତରେ ୧,୫୦,୦୦୦ରୁ ଉର୍ଦ୍ଧ୍ବ ମାନବ ଏବେ ଅଣନିଃଶ୍ବାସୀ ହୋଇ ଜୀବନ ମରଣ ସହ ଅହରହ ସଂଘର୍ଷ କରୁଛନ୍ତି। ମନେ ପଡିଯାଉଛି ଇତିହାସ ବର୍ଣ୍ଣିତ ୧୮୬୬ ମସିହାରେ ଘଟିଥିବା ସେହି ଲୋମଟାଙ୍କୁରା ନ'ଅଙ୍କ ଦୁର୍ଭିକ୍ଷର କରୁଣ କାହାଣୀ । ସମସ୍ତଙ୍କ ମନରେ ଦ୍ବନ୍ଦ୍ବାତ୍ମକ ଭାବନା। ଯଦିଓ ମାନବ ନିଜର ସ୍ଥିତି ଜାହିର କରିବା ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଶ୍ରେଷ୍ଠତା ପ୍ରତିପାଦନ କରିଛି ତେବେବି ମନ ଆଶା ଓ ଆଶଙ୍କାରେ ଛନ୍ଦି ହୋଇଯାଇଛି। ତେବେ ଆସନ୍ତୁ ଏହି ମାରାତ୍ମକ କରୋନା ଭୂତାଣୁ ବିଷୟରେ ଅଧିକ ଜାଣିବା ।
ଭୂତାଣୁ
---------
        ଅଣୁ ଜୀବଜଗତରେ ଭୂତାଣୁ ଏକ ବିଚିତ୍ର ସତ୍ତା। ଏହାକୁ ଏକ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି। କାରଣ ଏହାର ଆକାର ଏତେ ଛୋଟ ଯେ ଅଣୁବୀକ୍ଷଣ ରେ ଏଗୁଡ଼ିକୁ ଦେଖିବା ସମ୍ଭବ ନୁହେଁ। କେବଳ ଇଲେକ୍ଟ୍ରୋନିକ ଅଣୁବୀକ୍ଷଣ ରେ ଏକ ଫଟୋଗ୍ରାଫିକ ପ୍ଲେଟରେ ଏହାର ଛବି ନିଆଯାଇଥାଏ। ଏହି ଛବି ଭୂତାଣୁର ପ୍ରକୃତ ମାପର ପ୍ରାୟ ୨୦୦୦୦ ଗୁଣ। ଏହାକୁ ମିଲି ମାଇକ୍ରନରେ ପ୍ରକାଶ କରାଯାଏ(ଏକ ମିଲି ମାଇକ୍ରନ=୧ମାଇକ୍ରନର ୧୦୦୦ ଭାଗରୁ ଏକ ଭାଗ)। ଭୂତାଣୁ କେବଳ ପୋଷକ ଜୀବର କୋଷ ଭିତରେ ରହି ନିଜର ବଂଶବୃଦ୍ଧି କରିଥାଏ। ବୀଜାଣୁ, ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କ କୋଷ ହିଁ ଭୂତାଣୁର ପୋଷକ। ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଜଡ ଜୀବନର ଲେଶମାତ୍ର ଲକ୍ଷଣ ଦେଖାଯାଇ ନଥାଏ।
       ସର୍ଦ୍ଦି,ଇନଫ୍ଲୁଏଞ୍ଜା(ଫ୍ଲୁ) ଭଳି ସାଧାରଣ ରୋଗ ଏବଂ ପୋଲିଓ,ହାଡଫୁଟି, ଏଡ଼ସ ଆଦି ମାରାତ୍ମକ ରୋଗ ଭୂତାଣୁ ଜନିତ।
କରୋନା ଭୂତାଣୁ
-------------------
        ପୃଥିବୀରେ ରହିଥିବା ବିଶାଳ ଭୂତାଣୁ ସାମ୍ରାଜ୍ୟର କରୋନା ଭୂତାଣୁ ଅଂଶବିଶେଷ। ମଣିଷକୁ ଏହି ଭୂତାଣୁ ସମ୍ବନ୍ଧରେ ପ୍ରାୟ ଛ'ଦଶନ୍ଧିରୁ ଜଣାଅଛି। ତେବେ ଏବେ ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ନୋବେଲ କରୋନା ଭାଇରସ ( କୋଭିଡ-୧୯ ) ୨୦୧୯ ମସିହା ଡିସେମ୍ବର ମାସ ୩୧ ତାରିଖରେ ଚୀନ ଦେଶର ୱହନା ସହରରେ ପ୍ରଥମେ ଆବିଷ୍କାର ହୋଇଥିଲା।
        ବିଭିନ୍ନ ପ୍ରକାରର କରୋନା ଭୂତାଣୁ ଗୁଡ଼ିକ ହେଲେ
୧.229E ଆଲଫା କରୋନା ଭୂତାଣୁ
୨.NL63 ଆଲଫା କରୋନା ଭୂତାଣୁ
୩.OC43 ବିଟା କରୋନା ଭୂତାଣୁ
୪.HKU1ବିଟା କରୋନା ଭୂତାଣୁ
୫.ନିଉ କରୋନା ଭାଇରସ-19(nCoV)
        ଉପରୋକ୍ତ କରୋନା ଭୂତାଣୁ ମାନଙ୍କ ମଧ୍ୟରେ ପ୍ରଥମ ଚାରି ପ୍ରକାରର ମନୁଷ୍ୟର କୌଣସି ଭୟଙ୍କର କ୍ଷତି କରିପାରନ୍ତି ନାହିଁ କାରଣ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏଥିପାଇଁ ଯଥେଷ୍ଟ। କିନ୍ତୁ ନିଉ କରୋନା ଭାଇରସ ତାହା ଅତ୍ୟନ୍ତ ମାରାତ୍ମକ। କାରଣ ଏହାର କୌଣସି ପ୍ରତିରୋଧକ ଔଷଧ ଏପର୍ଯ୍ୟନ୍ତ ଆବିଷ୍କାର ହୋଇପାରିନାହିଁ। ପ୍ରାଥମିକ ଆକଳନରୁ ଏହା କୌଣସି ପଶୁ ଦେହରୁ ମଣିଷ ଶରୀରକୁ ଆସିଥିବାର ସନ୍ଦେହ କରାଯାଉଛି। କାରଣ ୱହନା ବଜାରରେ ମଣିଷ ମାଂସକୁ ଛାଡ଼ିଦେଲେ ପ୍ରାୟ ୧୧୨ ପ୍ରକାରର ପଶୁପକ୍ଷୀ ମାନଙ୍କର ମାଂସ ମିଳିଥାଏ। ତେବେ କେଉଁ ନିର୍ଦ୍ଦିଷ୍ଟ ପଶୁ ଦେହରୁ ଏହା ମଣିଷ ଦେହକୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
କରୋନାର ନାମକରଣ
-------------------------
         ଏହି ଭୂତାଣୁ ଇଲେକ୍ଟ୍ରୋନିକ ଅଣୁବୀକ୍ଷଣ ଯନ୍ତ୍ରରେ ସୂର୍ଯ୍ୟଙ୍କ କରୋନା ପରି ଦେଖାଯାଉଥିବାରୁ ଏହାର ନାମକରଣ ଏପରି ହୋଇଥିବାର ବିଶ୍ବାସ କରାଯାଏ। ଏହି ଭୂତାଣୁର ଆକାର ପ୍ରାୟ ୨୦୦ରୁ୫୦୦ ମିଲି ମାଇକ୍ରନ।
ଲକ୍ଷଣ
--------
          ଏହି ରୋଗରେ ସାଧାରଣତଃ ସାଧାରଣ ସର୍ଦ୍ଦି ପରି ନିମ୍ନୋକ୍ତ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଇଥାଏ।
୧.ଜ୍ବର
୨.କାଶ
୩.ଶ୍ବାସନଳୀ ସଂକ୍ରମଣ
୪.ଶ୍ବାସପ୍ରଶ୍ବାସ ଜନିତ କଷ୍ଟ
         ଅତ୍ୟଧିକ ମାରାତ୍ମକ କ୍ଷେତ୍ରରେ
୧.ନିମୋନିଆ
୨.SARS- Severe Acute Respiratory Syndrome
୩.କିଡନି ଫେଲ୍ ଇତ୍ୟାଦି

ରୋଗ ପ୍ରସାରଣର ମାଧ୍ୟମ
----------------------------
     ଏହି ରୋଗ ସାଧାରଣତଃ ବିନ୍ଦୁ ସଂକ୍ରମଣ ମାଧ୍ୟମରେ ରୋଗୀଠାରୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିଥାଏ।
ବିନ୍ଦୁ ସଂକ୍ରମଣ ହେଲା-.କାଶ,କଫ ଓ ଛିଙ୍କ।

ରୋଗର ସୁପ୍ତ କାଳ
----------------------
   ଅନ୍ୟ ଭୂତାଣୁ ଗୁଡ଼ିକର ସୁପ୍ତ କାଳ ୦-୧୪ ଦିନ ହୋଇଥିବା ବେଳେ ଏହି ଭୂତାଣୁ କ୍ଷେତ୍ରରେ ସ୍ଥଳ ବିଶେଷରେ ୨୪ ଦିନ ବୋଲି ଜଣାପଡିଛି।
ପ୍ରତିକାର
-----------
      ଯଦିଓ ଏହାର ପ୍ରତିକାର ନିମନ୍ତେ କୌଣସି ଔଷଧ ଏପର୍ଯ୍ୟନ୍ତ ଆବିଷ୍କାର ହୋଇପାରିନାହିଁ ତେବେ ସାମୁହିକ ଉଦ୍ୟମ ଓ ସତର୍କତା ଅବଲମ୍ବନ କଲେ ଏହାର ଭୟାବହତାକୁ ଅନେକାଂଶରେ କମାଇ ଦିଆଯାଇ ପାରିବ। ସତର୍କତା ଜନିତ ପଦକ୍ଷେପ ଗୁଡିକ ହେଲା-
୧.ବାରମ୍ବାର ଜଳ ଓ ସାବୁନରେ ହାତ ଧୋଇବା
୨.କାଶ ଓ ଛିଙ୍କ ଲାଗିଲେ ମୁହଁ ଓ ନାକକୁ ରୁମାଲ ଦ୍ବାରା ଘୋଡାଇବା
୩.ମାଂସ ଓ ଅଣ୍ଡାକୁ ରୋଷେଇ କଲାବେଳେ ଠିକ୍ ଭାବରେ ସିଝାଇବା
୪.ଯେଉଁ ବ୍ୟକ୍ତି ଶରୀରରେ କାଶ,କଫ ବା ଶ୍ବାସ ଜନିତ ରୋଗର ଲକ୍ଷଣ ଦେଖାଯାଉଛି ତାଙ୍କଠାରୁ ୨ ମିଟର ଦୂରତାରେ ରହିବା।
୫.ନିଜର ପାଟି,କାନ,ନାକ, ଆଖି ଆଦିକୁ ଛୁଇଁବା ନାହିଁ।
ବର୍ତ୍ତମାନ କରୋନା ଜନିତ ଭୟାବହତା ଓ ବିଶ୍ୱ
----------------------------------------------------
        ପ୍ରଥମେ ୨୦୧୯ ମସିହା ଡିସେମ୍ବର ମାସ ୩୧ତାରିଖରେ ପ୍ରଥମ ରୋଗୀ ଚୀନ ଦେଶର ୱହନା ସହରରେ ଚିହ୍ନଟ ହେଲାପରେ ସପ୍ତାହକ ମଧ୍ୟରେ ନିଜର କାୟା ବିସ୍ତାର କରିବାକୁ ଲାଗିଲା। ଅବିଶ୍ବସନୀୟ ଭାବରେ ଏହା ଅନେକ ଜୀବନ ନେବା ସହ ଅନେକ ବ୍ୟକ୍ତି ସଂକ୍ରମିତ ହୋଇ ଡାକ୍ତରଖାନାକୁ ଆସିବାକୁ ଲାଗିଲେ। ଏହା ଚୀନରୁ ବିଶ୍ବର ଅନ୍ୟାନ୍ୟ ଦେଶକୁ ବ୍ୟାପିବାକୁ ଆରମ୍ଭ କଲା। ଜାନୁଆରୀ ମାସ ୩୦ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବିଶ୍ୱରେ ଜରୁରୀକାଳୀନ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ଏହାର ଭୟାବହତାକୁ ଲକ୍ଷ୍ୟ କରି ଶେଷରେ ମାର୍ଚ୍ଚ ମାସ ୧୧ ତାରିଖରେ ଏହାକୁ ମହାମାରୀ ଘୋଷଣା କଲେ।
ବର୍ତ୍ତମାନ ସୁଦ୍ଧା କରୋନା ଜନିତ କ୍ଷୟକ୍ଷତି
-----------------------------------------------
*ସଂକ୍ରମିତ ରାଷ୍ଟ୍ର ସଂଖ୍ୟା-୧୫୬
*ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା-୧୬୦୦୦୦+
*ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା-୮୦୦୦୦+
*ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା-୬୪୦୦+
*ମୃତ୍ଯୂହାର-ପ୍ରାୟ ୪%
*ଅଧିକ କ୍ଷତିଗ୍ରସ୍ତ ଦେଶ
       ଦେଶର ନାମ       ଆକ୍ରାନ୍ତ        ମୃତ୍ୟୁ
୧.ଚୀନ                ୮୦୦୦୦+     ୩୨୦୦+
୨.ଇଟାଲୀ            ୨୪୦୦୦+     ୧୭୦୦+
୩.ଇରାନ             ୧୨୮୦୦+       ୬୧୧+
୪.ଦକ୍ଷିଣକୋରିଆ    ୮୨୦୦+     ‌    ୭୫+
୫.ସ୍ପେନ                ୬୪୦୦+       ୨୦୦+
୬.ଜର୍ମାନୀ              ୪୬୦୦+           ୯+
୭.ଫ୍ରାନ୍ସ                 ୪୫୦୦+         ୯୧+
୮.ୟୁ.ଏସ.ଏ          ୩୪୦୦+          ୬୫+
୯.ଭାରତ               ୧୧୦+            ୩+
କରୋନା ଓ ଭାରତ
----------------------
ଏବେ ସୁଦ୍ଧା ଭାରତରେ ୧୧୪ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ତାଜା ତଥ୍ୟ ଅନୁସାରେ ମହାରାଷ୍ଟ୍ର-୩୭,କେରଳ-୨୨, ହରିୟାଣା-୧୪, ରାଜସ୍ଥାନ-୪, ତେଲେଙ୍ଗାନା-୩, ତାମିଲନାଡୁ-୧, ଉତ୍ତରପ୍ରଦେଶ-୧୨,ଲାଦାଖ-୩, କାଶ୍ମୀର-୨, ଆନ୍ଧ୍ର ପ୍ରଦେଶ-୧, ଉତ୍ତରାଖଣ୍ଡ-୧, ଗୁଜରାଟ-୩, କର୍ଣ୍ଣାଟକ-୬, ଦିଲ୍ଲୀ-୭, ପଞ୍ଜାବ-୧ ଓ ଓଡିଶା ରାଜ୍ୟରେ ୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
୧୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଭାରତ ସରକାରଙ୍କ ଦ୍ୱାରା ପ୍ରତିଷେଧକ ବ୍ୟବସ୍ଥା
----------------------------------------------------
    ୧. ଭାରତ ସରକାର ସତର୍କତା ଅବଲମ୍ବନ ପୂର୍ବକ ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଙ୍ଗ ବ୍ୟବସ୍ଥା କରିବା ସହ ବିଭିନ୍ନ ଡାକ୍ତରଖାନାରେ କ୍ବାରାଣ୍ଟାଇନର ସୁବନ୍ଦୋବସ୍ତ କରାଯାଇଛି।
    ୨.ଜନସଚେତନତା କରିବା ସହ ଅଯଥା ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
    ୩.ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କୁ IPC ଧାରା ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
    ୪.ଆମ ଦେଶର ବିଭିନ୍ନ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ, ସପିଙ୍ଗ ମଲ୍, ସିନେମା ହଲ୍,ସୁଇମିଂ ପୁଲ୍, ବିବାହ ଭୋଜି, ସେମିନାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
   ୫.ଦେଶର କେତେକ ସ୍ଥାନରେ ଅଯଥା ଗହଳି ନକରିବା ପାଇଁ ୧୪୪ ଧାରା ଜାରି କରାଯାଇଛି।
    ୬.ବିଦେଶରୁ ଆସୁଥିବା ଯାତ୍ରୀ ନିଜର ଯାତ୍ରା ବିବରଣୀ ପ୍ରଦାନ କଲେ ୧୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶିର ବନ୍ଦୋବସ୍ତ କରାଯାଇଛି।
   ୭. ବିଭିନ୍ନ ରାଜ୍ୟରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
        ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ବିଭିନ୍ନ ଡାକ୍ତରି ଦଳର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ଭୂତାଣୁ ବିଶେଷ ଭାବରେ ୫୦ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ଯକ୍ତି, ପୂର୍ବରୁ ଶ୍ବାସ, ଡାଇବେଟିସ, କିଡନୀ ଆଦି ରୋଗ ଭୋଗୁଥିବା ବ୍ଯକ୍ତି ମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଉଛି। ତେଣୁ ଆମେମାନେ ବିଶେଷ ସଚେତନତା ଅବଲମ୍ବନ କରିବା ସହିତ ବନ୍ଧୁ, ପରିବାର ବର୍ଗ, ପଡୋଶୀ ଆଦିଙ୍କୁ ସଚେତନ କରିପାରିଲେ ନିଶ୍ଚିତଭାବେ ଏହି ବିପତ୍ତିରୁ ରକ୍ଷାପାଇପାରିବା ଏଥିରେ ଦ୍ବିମତ ନାହିଁ।
       କବିଙ୍କ ଭାଷାରେ,
                 ମନରେ ସାହସ ଭରିଥିଲେ ବନ୍ଧୁ
                 ଦମନ କରିବା କରି
                 ଆମେତ ମଣିଷ ବିଜ୍ଞାନୀ ସନ୍ତାନ
                 ଜୀବନେ ଯିବାନି ହାରି
                 ଜ୍ଞାନ କଉଶଳ ଦୃଢ଼ ମନୋବଳ
                 ବିପଦୁ କରାଏ ପାରି।

--------------------------------------------
ବିଭୁତିପୁର,କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦

ସାହିତ୍ୟ, ଜୟ ସଜୟ ମାଜ

ପ୍ରୀତି ପାର୍ବଣ

ଅନୁପମା ଦାସ
ରିତା ସବୁଦିନେ ତାଙ୍କୁ କଲେଜ ଗଲା ବାଟରେ ଦେଖେ । ପରିଚୟ ତ ଜଣା ନଥିଲା ହେଲେ କାଇଁ ତାଙ୍କ ପାଖେ ଆଖି ଲାଖିଯାଏ ତା'ର । କଲେଜ ସାମ୍ନାରେ ବସ କୁ ଅପେକ୍ଷା କରନ୍ତି ତରୁଣ ଯୁବକ ଜଣକ । କେବଳ ଦେଖିଛି ମାତ୍ର । ଗୋଟେ ପଲକର ଛାପ । ଗେଟ ଭିତରକୁ ଗଲାବେଳେ ବୁଲି ବୁଲି ତାଙ୍କୁ ଚାହେଁ । ହୃଦୟ ଭେଦକରେ ଯୁବକର ହସ । ତା'ର ଚାହାଣି, କଥା କହିବାର ଠାଣି ଅଦ୍ଭୁତ ଏକ ରୋମାଞ୍ଚ ସୃଷ୍ଟି କରେ ରିତା ମନରେ । କଲେଜର ସବୁ ଟୋକାଙ୍କ ଛାତିତଳେ ଘର କରିଥିବା ରିତା କେଉଁ ଆକର୍ଷଣ ରେ ଆନମନା ହୁଏ ତାଙ୍କ ପାଇଁ ସେ ବି ବୁଝିପାରେନି । ସମୟର ମୂଲ୍ୟ ବୁଝୁନଥିବା ଝିଅଟି ଆଜି ବେଶ ଜଲଦି କାମ ସାରି ତାଙ୍କୁ ଟିକେ ଆଖି ପୁରେଇ ଦେଖିବାକୁ ଧାଇଁ ଆସେ । ଖାଲି ଟିକେ ଦେଖିଦେଲେ ଅପୂର୍ବ ଶାନ୍ତି ମିଳିଯାଏ ଯେମିତି । ନିରୋଳା ରେ ବସିଲେ ତାଙ୍କ କଥା ଭାବେ । ଅନ୍ୟମନସ୍କ ରହେ । ମୁଗ୍ଧ ହେଇଯାଏ ତାଙ୍କ ରୂପ ମନେ ପଡିଲେ । ରାତିରେ ସ୍ୱପ୍ନ ଦେଖେ । ଅନ୍ୟମନସ୍କ ହେଇଯାଏ ସବୁ କାମ ମଧ୍ୟରେ । 
       ଆଜି କାହିଁ ସେ ଆସିକି ଦେଖିପାରୁନି ତାଙ୍କୁ । ଚାତକ ପରି ଚାହିଁ ରହିଛି ରାସ୍ତା କଡ଼କୁ ।
ଗେଟ ଭିତରକୁ ଯାଇପାରୁନି । ଅପେକ୍ଷା ପରେ ବସ ଆସିଲା ଆଉ ଚାଲିଗଲା । ରିତା ଛାତି ଭିତରେ ଯେପରି ଫାଙ୍କା ଫାଙ୍କା ଅନୁଭବ । ବ୍ୟଥାତୁର ସ୍ପର୍ଶରେ ଯେପରି ହୃଦୟ ବିଗଳିତ ହେବା ପରି ପ୍ରତିତ ହେଉଛି । ମନେ ମନେ ଚିନ୍ତାଗ୍ରସ୍ତ ହେଇପଡୁଛି । କାଳେ ଦେହ ଖରାପ ହେଇଥିବ କି କୌଣସି ଅସୁବିଧା ହେଇଥିବ ଭାବି ଭାବି ଭାଙ୍ଗି ପଡୁଛି ମନେ ମନେ । କ୍ଳାସ ରେ ମଧ୍ୟ ମନ ଲାଗୁନି ତା'ର । ରାତି ଯାକ କଡ ଲେଉଟାଉ ଥାଏ ଭାବୁଥାଏ ତାଙ୍କ କଥା । ସକାଳୁ ସକାଳୁ ଜଲଦି କାମ ସାରି କଲେଜ ଆଡେ ଦୌଡ଼ିଛି । ସେମିତି ଅପଲକ ନୟନରେ ଚାହିଁ ରହିଥାଏ କାଳେ ତା' ମନର ମଣିଷ ଦେଖା ହେଇଯିବେ କି ? କିନ୍ତୁ ଏ କ'ଣ ? ଆଜି ମଧ୍ୟ୍ୟ ନିରାଶାରେ ଜର୍ଜରିତ ହୋଇ ରହିବାକୁ ହେଲା । ଦିନ ପରେ ଦିନ ଗଡି ଚାଲିଲା ହେଲେ ରିତାର ଆଖି ହଳକ ଆଉ ତାଙ୍କର ଦର୍ଶନ ପାଇପାରିନାହିଁ । ସ୍ମୃତି ପଟରେ ଧୂଆଁଳିଆ ମୁଁହ ଖଣ୍ଡକ ନିରଳା ରେ ଆସି ଅସ୍ତ ବ୍ୟସ୍ତ କରି ପଳାଏ ।
   ବେଶ କିଛିଦିନ ପରେ ଥରେ ରିତା ଆବିଷ୍କାର କଲା କେମେଷ୍ଟ୍ରି  ଡିପାର୍ଟମେଣ୍ଟ ନୂଆ ହେଡ ଙ୍କ ଭିତରେ ସେଇ ହଜିଯାଇଥିବା ମୁଁହ ଟିକୁ । ହଜିଯାଇଥିବା ଲୋକଟି ଏତେ ପାଖରେ ଉଭାହେବେ ଦିନେ ତା' କଳ୍ପନା ବାହାରେ ହିଁ ଥିଲା । ଖୁସିରେ ମନ ଉଡିବାକୁ ଉଦ୍ୟତ ହୁଅନ୍ତେ କାହାର କଡା ଆକଟରେ ସ୍ୱପ୍ନ ରାଇଜରୁ ତୁରନ୍ତ ଭୂମିରେ ପଡିଲା ରିତା । ଭଲ ପାଇଯାଇଥିବା ମୁଁହଟିର ଏଭଳି କଡା ସ୍ୱରରେ ବେଶ ଆଘାତ  ପାଇଲା ଝିଅଟି । ନୂଆକରି ଜଏନ କରିଥିବା ପ୍ରଫେସର ଅଭୟ ଦାସ ହଠାତ୍ ଗାଳି ଦେବା ଭଙ୍ଗୀରେ ଦି ପଦ ଶୁଣେଇଛନ୍ତି ରିତାକୁ । 
- ଏଠି କ'ଣ କରୁଛ ? ତୁମର କୋଉ ଇଅର୍ ? କ୍ଲାସ ନାହିଁ କି ଏବେ ?
-ସରୀ ସାର୍ ; ମୁଁ... ମୁଁ... ମୁଁ... ରିତା ମହାପାତ୍ର । +୩ ସେକେଣ୍ଡ ଇଅର୍ । କ୍ଲାସ ଅଛି । 
–ଏଇଠି କାଠ ପାଷାଣ ମୂର୍ତ୍ତିଟି ଭଳି କ'ଣ ଠିଆ ହେଇଛ ? ଜଲଦି କ୍ଲାସ କୁ ଯାଅ ମୁଁ ଆସୁଛି ।

ବିମୁଢ ହେଇ ଠିଆ ହେଇଥିବା ରିତା କିଛି ନ କହି ଦୌଡି ଦୌଡି ଯାଇ କ୍ଲାସରେ ଥମ୍ ହେଇ ବସିପଡ଼ିଲା । ଭାବୁଥାଏ ଯେଉଁ ଝଡଟି କିଛି କ୍ଷଣ ପୂର୍ବରୁ ସମ୍ମୁଖ ଦେଇ ଚାଲିଗଲା , ସେଥିଲାଗି ହସିବ କି କାନ୍ଦିବ । କିଛି ଭାବିବା ପୂର୍ବରୁ ପୁଣି ଝଡ ଭଳି ମାଡି ଆସିଲେ ଅଭୟ ସାର୍ । ଗୋଟି ଗୋଟି କରି ସବୁ ପିଲାଙ୍କୁ କିଛି ନା କିଛି ପଚାରୁଥାନ୍ତି । ରିତାକୁ ପଚାରିବାରୁ ସ୍ତମ୍ବ ଭଳି ମୁଁହ ତଳକୁ ପୋତି ଠିଆ ହେଇଥାଏ । ପୁଣି ଝାଡି ଦେଇଗଲେ । 
-ଖାଲି ଫେସନ ହେଇ କଲେଜରେ ଘୁରି ବୁଲନ୍ତିନି ରିତା । ପାଠ ପଢ଼ିବାର ଯଦି ଆଗ୍ରହ ନାହିଁ , ଘରେ ରହି ବାପା ମା' ଙ୍କୁ କୁହ ବାହାଘର କରିଦେବେ । କାଇଁ କଲେଜ ଆସିକି ନିଜର ଆମର ସମୟ ନଷ୍ଟ କରିବ ?
ସମସ୍ତଙ୍କ ଆଗରେ ଯାହା ହେଇଗଲା ଭାରି ଆଘାତ ଦେଇଛି ରିତାକୁ । ଘରେ ଆସି ବହୁତ କାନ୍ଦିଲା । ଭାବନାରେ ଆଙ୍କିଥିବା ମଣିଷଟିର ଭିନ୍ନ ରୂପଟିକୁ ସହଜରେ ହଜମ କରିପାରୁନି ସେ । କ'ଣ ଭାବିଥିଲା ଆଜି କ'ଣ ହେଇଗଲା ? ରାତିଯାକ ଯନ୍ତ୍ରଣାରେ ଛଟପଟ ହେଇଛି । ସକାଳ ହେବାରୁ ସିଧା ଗଲା ବହି ଦୋକାନ । କେମେଷ୍ଟ୍ରିର ଯେତେ ଅଲଗା ଅଲଗା ଅଥର୍ ଙ୍କ ବହି ଆଣି ଆସିଲା । ରାତି ଦିନ ଏକ କରି ପଢ଼ିଛି ସାର୍ ଙ୍କୁ ଖୁସି କରିବାକୁ । କ୍ଲାସରେ ରୁହେ ଘରକୁ ଆସି ପଢେ ଆଉ ମନର କୋଉ ଗୋଟେ କୋଣରେ ଅଭୟ ସାର୍ ଙ୍କୁ ଖୁସି କରିବାର କଥା ଭାବେ । ଅନେକ ଚେଷ୍ଟା ସତ୍ତେ ମଧ୍ୟ କୋଉଠି ନା କୋଉଠି ବିଫଳ ହେଲା ପରି ପ୍ରତିତ ହୁଏ । କାଇଁ ସାର୍ ତ କେବେ ଖୁସି ହୁଅନ୍ତି ନାହିଁ ? 

      ଦିନ ପରେ ଦିନ ଗଡି ଚାଲିଲା । ରିତା ପଢା ଭିତରେ ଏତେ ଡୁବିଗଲା ଯେ ବାହାରର କୌଣସି ଚିନ୍ତା  ରହିଲାନି । ଖାଲି କେମେଷ୍ଟ୍ରି ନୁହେଁ ପ୍ରତ୍ୟେକ ବିଷୟକୁ ମନ ଲଗେଇ ପଢ଼ିଲା । ପରୀକ୍ଷା ମଧ୍ୟ ସରିଗଲା ଚାହୁଁ ଚାହୁଁ । କଲେଜ ସରିଗଲା । ରେଜଲ୍ଟ ଅପେକ୍ଷାରେ ସମସ୍ତେ । ଘରେ ସାଙ୍ଗ ମାନେ ବେଳେବେଳେ ଆସନ୍ତି ରିତା ପାଖକୁ । ଥଟ୍ଟା ମଜା, କିଏ କ'ଣ କରୁଛି, ଏହି ସବୁ ଚାଲେ ।  ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେଇଗଲା । ତା'ର ସାଙ୍ଗ ସବୁ ବ୍ୟସ୍ତ ତାଙ୍କ ନିଜ ନିଜ ଭିତରେ । ଏହି ଭିତରେ ରିତା ମଧ୍ୟ ତା'ର ମନର ମଣିଷଙ୍କୁ ମନେ ମନେ ଝୁରିଛି ହେଲେ କାହାକୁ କହି ପାରିନି ।  ବାପା ମା' ବାହାଘର ଠିକ୍ କରିଛନ୍ତି । ସେ ରାଜି ହେଇଯାଇଛି ପୁଅ ବିଷୟରେ କିଛି ନ ଜାଣି । ସେଇ ପୁଅଟି ପାଖରୁ କେତେ କ'ଣ ଉପହାରବି ଆସୁଛି ହେଲେ ରିତାର ସେତେ ଆଗ୍ରହ ବି ନଥାଏ । ଆଜି ଭଲେଣ୍ଟାଇନ ଡେ । ରେଜଲ୍ଟବି ବାହାରିବ ନୋଟିସ ଆସିଛି । ବାପା ମା' ରିତା ସମସ୍ତେ କଲେଜ ଯାଇଥାନ୍ତି । ରିତା ଭାବିଛି କିଛି ପୋଜିସନରେ ନିଶ୍ଚିତ ଆସିଥିବ ସେ । ରେଜଲ୍ଟ ରେ ତା'ର ନାଁ ନାହିଁ । ଭାବିଛି ଅଭୟ ସାର୍ ବୋଧେ ରାଗିକି ତାକୁ ଫେଲ କରିଦେଇଛନ୍ତି । ହଟାତ୍ ଗୋଟେ ସ୍ପେସିଆଲ ଆନାଉନ୍ସମେଣ୍ଟ ହେଲା । ରିତା ମହାପାତ୍ର କଲେଜ ଟପର ଏବଂ ଷ୍ଟୁଡେଣ୍ଟ ଅଫ ଦି ଇଅର ହେଇଛନ୍ତି । କାନକୁ ବିଶ୍ୱାସ କରି ପାରୁନଥାଏ ରିତା । ତା' ଭଳି ସାଧାରଣ ପିଲାଟିଏ ଏହି ଜାଗାରେ ପହଁଚି ପାରିଛି ଭାବିବି ପାରୁନଥାଏ । ହଟାତ୍ ପଛରୁ କିଏ ଡାକିଲାରୁ ରିତା ଦେଖେ ତ ଅଭୟ ସାର୍ ହାତରେ ଗୋଟେ ଗିଫ୍ଟ ବକ୍ସ ଧରି ଠିଆ ହେଇଛନ୍ତି । ମୁଁହର ହସ ଅଲଗା କିଛି କହିଯାଉଥିଲା, ଯେପରି ତାଠୁ ବେଶି ଖୁସି ସେ ଥିଲେ । ଗିଫ୍ଟ ହାତକୁ ବଢାଉ ବଢ଼ାଉ ବାପା ମା'  ଆସିଗଲେ । ତାଙ୍କ ହାତରେ ମଧ୍ୟ ଛୋଟ ବକ୍ସଟିଏ । ସାଙ୍ଗ ମାନେ ରୁଣ୍ଡ ହେଇଗଲେଣି କ'ଣ ସବୁ ହେଉଛି ଦେଖିବାକୁ । ରିତା ମଧ୍ୟ ଆଶ୍ଚର୍ଯ୍ୟ ଚକିତ । ଗିଫ୍ଟ ଖୋଲାଯିବାରୁ ଦେଖାଗଲା ଏନଗେଜମେଣ୍ଟ ରିଙ୍ଗ ଆଉ ବାହାଘର କାର୍ଡ । ବାପା ମା' ଠିକ୍ କରିଥିବା ପୁଅ ଜଣକ ହେଉଛନ୍ତି ଅଭୟ ସାର୍ । ଭାବିଲା ବେଳକୁ ରିତା ପାଦତଳ ମାଟିବି ଖସିବା ଭଳି ଲାଗୁଥିଲା । ତା'କୁ ଭଲ ବାଟକୁ ନେବାକୁ ଏଇଟା ଅଭୟ ସାର୍ ଙ୍କ ନାଟକ ଥିଲା ବୋଧହୁଏ । କିନ୍ତୁ ରିତା ଆଖିରୁ ଝରି ପଡୁଥିବା ଝରଝର ଲୁହ ଦେଖି କେହି ବୁଝି ମଧ୍ୟ ପାରୁନଥିଲେ ରିତା ଅଭୟଙ୍କୁ ପାଇ ଖୁସିରେ କାନ୍ଦୁଛି କି ଦୁଃଖରେ !!!

ଜୟ ସାହିତ୍ୟ, ଜୟ ସମାଜ

ସ୍ଲୋ ପୟୋଜନ୍‌

ଲୀଳାବତୀ ମହାପାତ୍ର 

ଗୋଧୂଳି ସମୟ । ସୂର୍ଯ୍ୟଙ୍କର ଲାଲ୍‌-ହଳଦିଆ କିରଣରେ ପଶ୍ଚିମ ଆକାଶଟି ରଙ୍ଗାୟିତ ହୋଇ  ଅପୂର୍ବ ଶୋଭା ଧାରଣ କରିଥାଏ । ପକ୍ଷୀମାନେ  ସ୍ବ-ସ୍ବ ଧ୍ବନି କରି ନିଜ ନୀଡକୁ ବାହୁଡି ଯାଉଥା'ନ୍ତି । ମନ୍ଦିରରେ ବାଜୁଥିବା ଘଣ୍ଟ ଓ ଶଙ୍ଖ ଧ୍ୱନି ପରିବେଶର ପବିତ୍ରତାକୁ ବଢାଇ ଦେଉଥାଏ । ଘରେ ସଂଞ୍ଜବତୀ ଜଳି ଉଠିଲା । ତନୁଶ୍ରୀ ପ୍ରତିଦିନ ସଂଞ୍ଜ ଦେଇ ଠାକୁର ଘରେ ବସି ଗୀତା, ଶିବ ପୁରାଣ ଇତ୍ୟାଦି ପାଠ କରନ୍ତି । ଗତକାଲି  ରାତ୍ରିରେ ମା' ଫୋନ୍‌ ଯୋଗେ ସବାସାନ ଭାଇର ଦେହ ଖରାପ ବୋଲି  କହିଥିଲେ । ସେ ଭାଇର ମଙ୍ଗଳ  କାମନା କରି ଗୀତା ପାଠ କଲେ । ଠିକ୍  ସେହି ସମୟରେ ଫୋନ୍ ରିଙ୍ଗ୍‌ ହେଲା । କିଛି ଅଘଟଣର ଆଶଙ୍କାରେ ଶିହରି ଉଠି ହାଲୋ କହିବା ମାତ୍ରେ ଅପର ପଟୁ ବଡ ଭଉଣୀର କ୍ରନ୍ଦନ ଧ୍ବନି ଶୁଣାଗଲା । ଦୁଃଖ ମିଶା କ୍ଷୀଣ ସ୍ୱରରେ  କୁନ୍‌ମୁନ୍‌ ଚାଲିଗଲା  କହି ଫୋନ କାଟି ଦେଲେ ।

     ତନୁଶ୍ରୀ ଭୋ  ଭୋ  ହୋଇ  କାନ୍ଦି ଉଠିଲେ । ସେ ସାନଭାଇକୁ ବହୁତ ଭଲ ପାଉଥିଲେ । ଗୀତା ପାଠ ଦ୍ବାରା ସେ ଜାଣି ଥିଲେ ଆତ୍ମା ଅଜର ଏବଂ ଆମର । ତଥାପି ସେ ତ ଆଉ ତାଙ୍କ  ଭାଇକୁ ସ୍ଵ  ଶରୀରରେ ପାଇ ପାରିବେ ନାହିଁ । ଜାଣି ମଧ୍ୟ  ସେ ଠାକୁରଙ୍କୁ  ବହୁତ ଅପଶବ୍ଦ କହିଥିଲେ । 
ତାଙ୍କର  ଅନ୍ତର ମନ କାନ୍ଦି  ଉଠି ଥିଲା । ତାଙ୍କର  ଅନ୍ତର - ମନ କାନ୍ଦି ଉଠିଥିଲା । ଛଅ ଭାଇ - ଭଉଣୀ ମଧ୍ୟରେ ସବା ସାନ ସମସ୍ତଙ୍କ  ଗଳାରମାଳୀ ଥିଲା । ଗୋରା ତକ୍‌ତକ୍ ଚେହେରା - କଳା କୁଞ୍ଚି କୁଞ୍ଚି ବାଳ - ସୁସ୍ଥ  ଶରୀରରେ ସେ  ରଜା ପିଲାଟି ପରି ଦେଖା ଯାଉଥିଲା । ଭଲ ପାଠ ପଢିବା ସାଙ୍ଗକୁ ସ୍ବ ଅଭିନୟ , ବକ୍ତୃତା, ରଚନା, ଖେଳ ସବୁଥିରେ ସେ ସାଙ୍ଗକୁ ପଛରେ ପକାଇ ଦେଉଥିଲା । ବୟସର ଶିଡି ଚଢି ଚଢି  କୁନ୍‌ମୁନ୍‌ ସମସ୍ତ ଶିକ୍ଷାଦୀକ୍ଷା  ସାରି ଲୋଭନୀୟ ଚାକିରିଟିଏ କଲା । ସାମାଜିକ  ପରମ୍ପରାକୁ ସମ୍ମାନ  ଜଣାଇ ସୁନ୍ଦରୀ ସଂଗୀତାର ହାତ ଧରି ତା ସଂସାରକୁ ପ୍ରେମମୟ କରି ଗଢି ତୋଳିଲା । ଆହୁରି ମଧୁମୟ ପରୀର ଆଗମନରେ ଆନନ୍ଦ ଆଳୟ ହୋଇ ଉଠିଥିଲା ତା ସଂସାର । କୁନ୍‌ମୁନ୍‌ ମଧ୍ୟ ଗାଡି, ଘର  କିଣି ଅତି ସୁଖରେ ତା ସଂସାରକୁ ଚଳଉ ଥିଲେ ।

     ଭଲ ମିତ୍ରର ସହଯୋଗ ପାଇଲେ ମନୁଷ୍ୟ  ଖୁବ୍ ଉପରକୁ ଉଠିଥାଏ । ଖରାପ ମିତ୍ର  ଜୀବନକୁ ରସାତଳଗାମୀ କରିଥାଏ । କୁନ୍‌ମୁନ୍‌ ଖରାପ ମିତ୍ର ସଂଗତରେ ପଡି ମଦ୍ୟପାନ କରିବାକୁ  ଲାଗିଲା । ତା'ର ଏକକ ଅଭ୍ୟାସ  ପାଇଁ  ସାରା ପରିବାର ମର୍ମାହତ । ଶତଚେଷ୍ଟା  ସତ୍ତ୍ୱେ କୁନ୍‌ମୁନ୍‌ ମଦ ଛାଡି ପାରି ନ ଥିଲା । ମଦ ତା ନିକଟରୁ ଚାକିରି ଝିଅ  ସମସ୍ତ ସମ୍ପତ୍ତିକୁ ଛଡାଇ ନେଇଥିଲା । ଆନନ୍ଦ ଉଲ୍ଲାସର ସଂସାରଟିକୁ ମଦ ଛାରଖାର  କରିଦେଲା । ପ୍ରତି ରାତିରେ ସଂଗୀତା ଓ ପରୀ ଡରରେ ଥରିବାକୁ  ଲାଗିଲେ । ପ୍ରେମ ଆସ୍ବାଦନ ବଦଳରେ ସଂଗୀତା  ଶାରୀରିକ କଷ୍ଟରେ ଛଟପଟ  ହୋଇ ଉଠେ ।  ମାନ ଅଭିମାନ କରେ । ମଦ ଛାଡି ଦେବା ପାଇଁ  କହେ । କିନ୍ତୁ ସକଳ ଚେଷ୍ଟା ନିରର୍ଥକ  ହୁଏ ।

      କୁନ୍‌ମୁନ୍‌ର ମଦ୍ୟପାନ  କରିବାର ମାତ୍ରା ବଢିବାକୁ ଲାଗିଲା। ଧୀରେ ଧୀରେ ତା ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଖରାପ ହେବାକୁ ଲାଗିଲା । ମଦ୍ୟପାନ  ଶରୀର ପାଇଁ  ସ୍ଲୋ ପୟୋଜନ୍‌ର କାମ କଲା । ଡାକ୍ତରଙ୍କ  ଶତ ବାରଣକୁ ସମ୍ମାନ ଦେଇ ସେ ପ୍ରାୟ ଦୁଇ ମାସ ମଦ ଠାରୁ ଦୂରରେ ରହିଲା । ପୁଣିଥରେ  ଥିରି ଥିରି ପାଦ ପକାଇ ତା ସଂସାରକୁ  ଖୁସି  ଲେଉଟି  ଆସୁଥିଲା । କିନ୍ତୁ ତା ମଦ୍ୟପ  ସାଙ୍ଗ  ମାନେ ପ୍ରତିଦିନ ସମୟ ସୁଯୋଗ ଉଣ୍ଡି ତା ପାଖକୁ  ଆସନ୍ତି ଓ ମଦ୍ୟପାନ କରିବା ପାଇଁ ପ୍ରଲୋଭିତ  କରାନ୍ତି । ମଦ୍ୟପାନରେ ଧୁରନ୍ଧର ହୋଇଥିବା  କୁନ୍‌ମୁନ୍‌ ଏମାନଙ୍କ କଥାକୁ କେତେଦିନ ଏଡାଇ ପାରିଥା'ନ୍ତା ! ଆଶ୍ବିନ ମାସ ନବମୀ ଦିନ ସାଙ୍ଗ ମାନଙ୍କ ସାଙ୍ଗରେ ଯାଇ ପ୍ରଚୁର ମଦ୍ୟପାନ କରି ରାସ୍ତା ଉପରେ ବେହୋସ ହୋଇ ପଡିଗଲା ।  ଏକଥା ପରିବାର ଲୋକଙ୍କ ମଥାନତ କରିପକାଇ ଥିଲା ।

     ପ୍ରଚୁର ମଦ୍ୟପାନ ଫଳରେ ଲିଭରସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଲା । ସଂଗୀତା ଜୀବନ ଅନ୍ଧକାରମୟ ହୋଇଗଲା । ପିତୃହୀନ ହୋଇଗଲା ଆଠ ବର୍ଷର ଝିଅ ପରୀ । ଏ ସୋମରସ ପରିବାରକୁ ଛାରଖାର  କରିଦେଲା ।



ଜୟ ସାହିତ୍ୟ, ଜୟ ସମାଜ

ଧିକ୍ ଏ ଜୀବନ

ପୁଷ୍ପିତା ଭୋଇ
ନ କରିବ ଯଦି କାହାର ପ୍ରଶଂସା
ନିନ୍ଦା ତା କରିବ ନାହିଁ,
ନ ଦେଖିବ ଯଦି ଅପରର ଖୁସି
ଈର୍ଷାନଳେ ଜଳ ନାହିଁ ।।
ନ ହୋଇବ ପଛେ କାହାକୁ ସଦୟ
ନିର୍ଦ୍ଦୟ ହୋଇବ ନାହିଁ,
ବିନା କାରଣରେ ଭୋକିଲା ମୁହଁରୁ
ଆହାର ରୋକିବ ନାହିଁ ।।
ଦେଇ ନ ପାରିଲେ ପର ଧନ ପରେ
ମୋହ ବା ରଖିବ କାହିଁ,
ପାପ ଧନ ବଳେ ପ୍ରାୟଶ୍ଚିତେ ଯିବ
ନର୍କରେ ପଡ଼ିବୁ ଯାଇ ।।
ହସ ଟିକେ ଓଠେ ଦେଇ ନ ପାରିଲେ
ଦୁଃଖ ବା କାହିଁକି ଦେବା,
ହସି ହସାଇଲେ ପରକୁ ଆପଣା
ସଭିଙ୍କ ମନ କିଣିବା ।।
ସାମର୍ଥ୍ୟ ଯଥେଷ୍ଟ ନଥାଉ କଙ୍କାଳେ
କଥା ବଳେ ଆନ କରି
ତୁଚ୍ଛା ସ୍ୱାଭିମାନେ ଫୁଲାଇ ଛାତିଟା
ମିଛ ଵାହୋସ୍ଫୋଟ ମାରି ।
ଯେଉଁ ନର ସଦା ସ୍ବାର୍ଥ ରେ ଜଡିତ
ଦୂରରୁ ଜୁହାର ତାକୁ,
ସର୍ବସ୍ବାନ୍ତ ଏଇ ମାୟା ଶିକୁଳିରେ
ଟାଣେ ନିଶ୍ଚେ ବିପଦକୁ ।।
ସବୁ ଜାଣି ଶୁଣି ନିର୍ବୋଧ ପରାୟେ
ନ ବିଚାରେ ଭୁଲ୍ ଠିକ୍ ,
ପାଠପଢି ଯେବେ ମୁର୍ଖାମୀ କରିବା
ଧିକ୍ ଏ ଜୀବନ ଧିକ୍ ।।
*************************
*************************
ଶିକ୍ଷୟିତ୍ରୀ
ଅରିଲୋ(ବାଲିଭଉଁରୀ)
କାଦୁଅପଡା, ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

ମନେ ନାହିଁ



ଜୟ ସାହିତ୍ୟ, ଜୟ ସମାଜ

ଜାନୁ ଘଣ୍ଟି

🌹🌹🌹🔘🔱🔘🌹🌹🌹
         ଭାସ୍କର ରାଉତ 
🌷🙏🌷🙏🌷🙏🌷🙏🌷



ମାତା ତ ରେଣୁକା ପିତା ଜମଦଗ୍ନି
ତାହାଙ୍କ କୋଳ ମଣ୍ଡିଲ ,
ପିତୃ ଆଜ୍ଞା ପାଳି ମାତା ବଧ କରି
ମହିମା ବିସ୍ତାର କଲ ।୧।
ବ୍ରାହ୍ମଣ ଗର୍ଭରୁ ଜନମ ଲଭିଲ
ନାମ ତୁମ ପର୍ଶୁରାମ ,
ଏକୋଇଶ ବାର କ୍ଷତ୍ରି ସଂହାରିଲ
ଆଚରି କ୍ଷତ୍ରୀୟ କର୍ମ ।୨।
ଧରଣୀ ବକ୍ଷରେ ଘୋଷଣା କରିଲ
ଜନମରେ ନାହିଁ ଜାତି ,
କର୍ମଟି ତାହାର ନିର୍ଣ୍ଣୟ କରଇ
କେଉଁ ବର୍ଣ୍ଣେ ସେ ରହନ୍ତି ।୩।
ତ୍ରେତାର ଶେଷକୁ ଏ ଧରା ବକ୍ଷକୁ
ସପତମ ଅବତାରେ ,
ଶ୍ରୀରାମ ନାମରେ ଅଯୋଧ୍ୟା ନଗରେ
ଜନ୍ମ ଦଶରଥ ପୁରେ ।୪।
ବିଶ୍ବାମିତ୍ର ଧରି ଯଜ୍ଞ ରକ୍ଷା କରି
ଚଳିଲେ ମିଥିଳାପୁରେ ,
ଶିବଧନୁ ଭାଙ୍ଗି ଜନକ ନନ୍ଦିନୀ
ନେଇ ଫେରିବା ବେଳରେ ।୫।
ପଥ ଓଗାଳିଣ ପରୀକ୍ଷାକୁ ନେଲ
କରି ବ୍ରହ୍ମ ନିରୂପଣ ,
ଅସ୍ତ୍ର ତ୍ୟାଗ କରି ଘୋର ବନେ ଚଳି
ତପସ୍ୟାରେ ହେଲ ମଗ୍ନ ।୬।
ତୁମ ଅଂଶେ ଯେତେ ରହିଲେ ଜଗତେ
ସଂଯୋଗୀ ବୋଲାନ୍ତି ସେହି ,
ଜାନୁ ପରେ ଘଣ୍ଟି ହସ୍ତେ ପର୍ଶୁଗୋଟି
ଧରିଣ ବୁଲିଲେ ମହୀ ।୭।
ବ୍ରହ୍ମ ଗର୍ଭୁ ଜାତ କ୍ଷତ୍ରିକର୍ମେ ରତ
ତେଣୁ ସେ ସଂଯୋଗୀ ହେଲେ ,
ଗ୍ରାମେ ଗ୍ରାମେ ବୁଲି ଲୀଳାକୁ ପ୍ରସାରି
ଜୀବିକା ନିର୍ବାହ କଲେ ।୮।
ସମୟ ସୁଅରେ  ଘଣ୍ଟି ହଜିଗଲା
ଶୁଭୁନାହିଁ ସେ ଶବଦ ,
ଆଜିର ପିଢୀ ତ ବୁଝିବ ନାହିଁ ତ
ଜାନୁଘଣ୍ଟି ବଂଶବାଦ ।୯।
ଦେବମାୟା ଭବନ ,ଶେରଗଡ଼ , ଗଞ୍ଜାମ 
୯୭୭୬୪୮୬୬୨୮
ଜୟ ସାହିତ୍ୟ, ଜୟ ସମାଜ

ସେଦିନର ବରଷା

ସଂଯୁକ୍ତା ସାହୁ 
(ଉପସଭାପତି - ମାଟିଘର)
ଝିପି ଝିପି ବର୍ଷାରେ ଭିଜିବାକୁ
            ନାଚିବାକୁ ଇଛାହୁଏ
ସ୍କୁଲର ସାଙ୍ଗସାଥି ମେଳେ
         ସେଦିନର ସ୍ମୃତି ଛିଡା ହୁଏ |
ଫେରି ଆସନ୍ତାକି ସେଦିନ
        ଚା଼ଲନ୍ତୁ ପାଣି କାଦୁଅରେ,
ବିନା ଛତାରେ ଭିଜିଯାଆନ୍ତୁ
         ବୟସର ଉଦ୍ଦାମତାରେ   |
ଖାତିର ନ କରି ଵକ୍ର ବିଜୁଳି
         ପାଣିରେ ସରସର ହୋଇ
ଘରକୁ ଫେରିଯାଆନ୍ତୁ ପୁଣି
          ବର୍ଷାର ସ୍ପର୍ଶକୁ ନେଇ  |
ବୋଉ ଠାରୁ ମୃଦୁ ଗାଳି ଖାଇ
 ...      ସେସବୁ କୁ ଖାତିର ନକରି
ଭିଜା ଭିଜା ସ୍ୱପ୍ନରେ ବିଭୋର
       ସ୍କୁଲକୁ ଯାଆନ୍ତୁ ବହିପତ୍ର ଧରି |
କାହିଙ୍କି ସମୟଟା ଗଲୁ ଚାଲି
         ସ୍ମୃତି ସବୁକୁ କଲୁ ଅତୀତ,
ଖାଲି ମନେ ପକେଇବା ଛଡା
         କେବଳ ଭବିଷ୍ୟତ ବ୍ୟତୀତ |
ଏବେ ଆଉ ପିଲାମାନେ
          ଭିଜୁ ନାହନ୍ତି ବରଷାରେ
କାଦୁଅ ଲାଗିଯିବ ଦେହରେ
          ମାଆ ବାପାଙ୍କ ତାଗିଦ୍‌ରେ |
ସମୟ ଚାଲିଗଲା ବୟସ
          ବଢିଗଲା ସାୟାହ୍ନରେ,
ଏଣିକି ଖାଲି ଅପେକ୍ଷା ଅଛି
 .       ମିଶିଯିବା ଏଇ ମାଟିରେ  |

ରାହାମା - ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

ଜୀବୋଦୟା

ପ୍ରେମଶୀଲା ରାଉତ 
ପ୍ରତ୍ୟେକ ପ୍ରାଣୀ ଇଶ୍ଵରଙ୍କ ଦ୍ବାରା ସୃଷ୍ଟି । ଗଛଲତା , ବଣଜଙ୍ଗଲ , ପାହାଡପର୍ବତ , ନଦୀନାଳ, ଆକାଶ ବତାସ ସବୁକିଛି ଇଶ୍ଵର ହିଁ ଆମ ପ୍ରାଣୀ ଜଗତ ପାଇଁ ସୃଷ୍ଟି କରିଛନ୍ତି । ଆମେ ସେ ସବୁକୁ ଉପଭୋଗ କରି ଆମର ଦୈନନ୍ଦିନ ଜୀବନକୁ ସରସ ସୁନ୍ଦର କରି ଗଢିତୋଳି ସୁଖମୟ ଜୀବନ ଯାପନ କରିବାକୁ ଇଶ୍ଵର ଆମକୁ ଉପହାର ଦେଇଛନ୍ତି । ପ୍ରତ୍ୟେକ ଜିନିଷର କିଛି ନା କିଛି ଅସ୍ତିତ୍ବ , ମହତ୍ତ୍ଵ ଅଛି ବୋଲି ତାକୁ ଭଗବାନ ଏ ଧରଣୀ ବକ୍ଷରେ ସୁସଜ୍ଜିତ କରି ନାନା ରଙ୍ଗରେ ସଜେଇ ରଖିଛନ୍ତି । ପୃଥିବୀରେ ଯେମିତି ମଣିଷର ବଞ୍ଚିବାର ଅଧିକାର ଅଛି , ସେମିତି ଜୀବଜନ୍ତୁ, ପଶୁପକ୍ଷୀ ଓ କୀଟ ପତଙ୍ଗର ବି ବଞ୍ଚିବାର ଅଧିକାର ଅଛି । ଏ ପ୍ରାଣୀ ଜଗତରେ  ସେଥିରୁ ତାଙ୍କୁ ବଞ୍ଚିତ କରିବାର ଅଧିକାର ଧରାଧାମରେ କାହାର ବି ନାହିଁ । ମନୁଷ୍ୟ ଓ ପଶୁପକ୍ଷୀଙ୍କ ଭିତରେ ଖାଲି ଗୋଟେ ପାର୍ଥକ୍ୟ ଯେ ମଣିଷର ଭାବନା ଶକ୍ତି ଥାଏ ଓ ପଶୁପକ୍ଷୀ ମାନଙ୍କର ନଥାଏ । ଏ ଧରଣୀ ବକ୍ଷରେ ଉଭୟ ପ୍ରାଣୀ ଓ ପଶୁପକ୍ଷୀ ଇଶ୍ଵରଙ୍କ ମହାନ୍ ଅବଦାନ । ଇଶ୍ଵର ଯେମିତି ମଣିଷକୁ ସବୁକିଛି ଦେଇଛନ୍ତି ସେମିତି ପଶୁପକ୍ଷୀଙ୍କୁ ମଧ୍ୟ ଦେଇଛନ୍ତି । ପୃଥିବୀ ପୃଷ୍ଠରେ ଏମାନେ କେଉଁ ପ୍ରାଚୀନ କାଳରୁ ଏକାଠି ହୋଇ ମିଳିତ ଭାବେ ବାସ କରି ଆସୁଛନ୍ତି । ମଣିଷ ମଣିଷ ଭିତରେ ଯେପରି ଶତ୍ରୁତା ଓ ମିତ୍ରତାର ଭାବ ଥାଏ ସେଥିରେ ଆରମ୍ଭରୁ ହିଁ ମଣିଷ ଓ ଜୀବଜନ୍ତୁ ଭିତରେ ଶତ୍ରୁ ମିତ୍ରର ଭାବ ପ୍ରକଟିତ ହୋଇଅଛି । ସଭ୍ୟତା ଓ ସଂସ୍କୃତିର ଭାର ଯେତେବେଳେ ଧିରେ ଧିରେ ବଢି ଚାଳିଗଲା ସେତେବେଳକୁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଦୂରତା ମଧ୍ୟ ବଢ଼ିଚାଲିଛି ।ଆଜି ମଣିଷଙ୍କ ହୃଦୟରେ ଜୀବହିଂସାର ପରିମାଣ ବହୁତ ବଢିବାରେ ଲାଗିଛି । ମଣିଷ ମନ ଭିତରେ ଜୀବମାନଙ୍କ ପ୍ରତି ସ୍ନେହ ,ପ୍ରେମ , ଦୟା , ସହାନୁଶୀଳନ ଭାବ ନାହିଁ । ଜୀବୋଦୟା ଭଳି  ପବିତ୍ର ସଂସ୍କୃତ ଶବ୍ଦ ଆଉ ମଣିଷ ମାନଙ୍କ ଭିତରେ ନାହିଁ ସାତ ସପନ ହୋଇଗଲାଣି ।

   ଆଗକାଳରେ ଗ୍ରାମାଞ୍ଚଳରେ ଲୋକମାନେ ପଶୁପକ୍ଷୀ ତଥା ଗାଈଗୋରୁ , ଛେଳି ମେଣ୍ଢା , କୁକୁର , ଶୁଆ - ଶାରୀକୁ ଆଶ୍ରୟ ଦେଇ ତା'ର ଲାଳନପାଳନ କରୁଥିଲେ । ଖାଇବା, ରହିବା ,ଶୋଇବାର ଉତ୍ତମ ବ୍ୟବସ୍ଥା କରୁଥିଲେ । ନିଜର ପୁଅଝିଅଙ୍କ ପରି ମନେକରି ତାଙ୍କର ସେବା ଯତ୍ନ କରୁଥିଲେ । ହେଲେ ଏସବୁ ଧିରେ ଧିରେ ଗ୍ରାମାଞ୍ଚଳରେ ମଧ୍ୟ ଲୋଭ ପାଇବାରେ ଲାଗିଛି । ଇତିହାସ ପୃଷ୍ଠାରେ ଆମେ ପଢିଛେ ଆଦିମ କାଳରେ ପଶୁପକ୍ଷୀ ମାନଙ୍କୁ ଶିକାର କରି କଞ୍ଚା ଖାଉଥିଲେ ଓ ଯେବେ ନିଆଁର ବ୍ୟବହାର ଜାଣିଲେ ପୋଡ଼ି ଖାଇଲେ । ପ୍ରାଚୀନ ସଭ୍ୟତାର ପ୍ରଭାବରେ ଲୋକମାନେ ଧିରେ ଧିରେ ମାଂସ ପିପାସୁ ହୋଇଗଲେ । ଆଜିର ସମାଜରେ  ଯେଉଁମାନେ ଗାଈ , ଛେଳି , ମେଣ୍ଢା , କୁକୁଡ଼ା ଇତ୍ୟାଦି ଚାଷ କରୁଛନ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନଙ୍କୁ ସରକାର ତରଫରୁ ଆହୁରି କିଛି ଉଚ୍ଚକୋଟୀର ସହଯୋଗ ଦିଆଗଲେ ପଶୁପକ୍ଷୀଙ୍କ ପ୍ରତି ସୁରକ୍ଷା ପ୍ରତିପୋଷଣ ଦିଗରେ ଆହୁରି ସଫଳତା ମିଳନ୍ତା । ଆଉ ସମାଜରେ ଥିବା ପଶୁବଳି ଭଳି ଅନ୍ଧବିଶ୍ୱାସକୁ ଯଦି ସରକାର ସଭିଙ୍କ ମନ ଭିତରୁ ଦୂର କରି ସେଥିପ୍ରତି କିଛି ପଦକ୍ଷେପ  ନିଅନ୍ତେ ତେବେ ପଶୁପକ୍ଷୀଙ୍କ ଜୀବନ ଉଦ୍ଧାର ହୁଅନ୍ତା ଓ ଆମରି ପରିବେଶ ସୁନ୍ଦର ହୁଅନ୍ତା । ପ୍ରକୃତି ଶୋଭାକୁ ଆହୁରି ମନଲୋଭା କରନ୍ତା ।

     ପଶୁପକ୍ଷୀ ଆମର ବହୁ ଉପକାରୀ । ତା'ର ସର୍ବଦା ସେବା ଯତ୍ନ କରିବା ତାକୁ ସୁରକ୍ଷା ଦେଖା ମଣିଷର ପ୍ରଧାନ କର୍ତ୍ତବ୍ୟ । ପଶୁପକ୍ଷୀ ଙ୍କୁ ହତ୍ୟା ନ କରି ତାକୁ ଆମ ସମାଜ ସହିତ ସାମିଲ କରି ବଞ୍ଚିବାର ଅଧିକାର ଦେଇ ମୁକ୍ତ କରିବା ଆମର ସଦା ଲକ୍ଷ୍ୟ ହେବା ଉଚିତ । ପଶୁପକ୍ଷୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବନ୍ଦ କରି ଗୋଟିଏ ସୁନ୍ଦର ସଂସାର ଗଢ଼ିବା ଏବଂ ହତ୍ୟା ବଦଳରେ ସବୁବେଳେ ତା' ପ୍ରତି ଦୟା କରି ତା' ଜୀବନ ବଞ୍ଚେଇବା ।

ବୃନ୍ଦାବାହାଲ ,ଗୋଲାମୁଣ୍ଡା, କଳାହାଣ୍ଡି 
ଜୟ ସାହିତ୍ୟ, ଜୟ ସମାଜ

ଅବୁଝା ହୁଏଟି ମନ ସ୍ୱାମୀ ବିନା ନାହିଁ ସ୍ଥାନ

ପ୍ରଦୀପ କୁମାର ସାହୁ (ଶିକ୍ଷକ)
*******************
ସଂସାରରେ ଯେତେ ସୁଖ ରହିଅଛି
    ସ୍ୱାମୀ ସୁଖ ବଳିୟାନ,
ତା' ବିନା ଜୀବନ ଅନ୍ଧକାର ପୂର୍ଣ୍ଣ
    ଶାସ୍ତ୍ରରେ ଅଛି ପ୍ରମାଣ ll
      ଅବୁଝା ହୂଏଟି ମନ ll
ସ୍ୱାମୀ ନ ଥିଲେକି  ସ୍ତ୍ରୀ ରହି ପାରେ
      ସ୍ତ୍ରୀ ବିନା ସ୍ୱାମୀ ଗତି,
ଗୋଟିଏ ମୁଦ୍ରାର ପରିପୂରକ ତ
    ସଂସାର ଚାଲେ ଏମିତି ll
     ନୟନ ଝୁରିବ ନିତି ll

ଥିଲେ ଥାଉ ପଛେ ଧନ ଯୌବନ
     ସବୁ ଅଟେ ମୂଲ୍ୟହୀନ,
ଜଣକୁ ହାରିଲେ ଅନ୍ୟଟି ଝାଉଁଳେ
    ଏ ତ ବିଧିର ବିଧାନ ll
    ଅବୁଝା ହୁଏ ତ ମନ ll
ଯେତେ ବୁଝାଇଲେ ବୁଝିବ ନାହିଁଟି
     ସ୍ୱାମୀ ସୁଖ ଶ୍ରେଷ୍ଠ ଜାଣ,
ଥିଲେ ଥାଉ ପଛେ ଅପୂର୍ଵ ସୌନ୍ଦର୍ଯ୍ୟ
       ତୁଚ୍ଛ ହୋଇଯାଏ ମନ ll

ସରସରା-ବୌଦ୍ଧ 
ଜୟ ସାହିତ୍ୟ, ଜୟ ସମାଜ

ତମରି ଚରଣେ କୋଟି ପ୍ରଣାମ


ଅଂଶୁମାନ ସ୍ବାଇଁ  (ବବୁଲୁ)
କି ସୁନ୍ଦର ଥିଲା ତମ ମନ ପ୍ରାଣ
     ତମେ ତ ମହାନ ବ୍ୟକ୍ତି
ତମ କଥା ଯେବେ ମନେ ପଡିଯାଏ
       ମନେ ଆସିଯାଏ ଭକ୍ତି  ।

ତମ ସରଳତା ତମ ବଡ଼ ପଣ
     ଦେଇଛି ଆମ୍ଭଙ୍କୁ ଶକ୍ତି
ତମ ନିରବତା ତମ ମହାନତା
   ମନେ ଦିଏ କେତେ ଶାନ୍ତି ।

ତନୁ ମନେ ତମେ ବୋଳିଛ ରଙ୍ଗୋଲି
          ତମକୁ  କିଏ ଭୁଲିବ
ସେ ରଙ୍ଗୋଲି ନୁହଁ ଅବିର ରଙ୍ଗ ଯେ
      ଧୋଇ ଦେଲେ ଛାଡିଯିବ ।

ତମ ସ୍ନେହ ଶ୍ରଦ୍ଧା ଆଜି ବି ହସୁଛି
        ହସୁଛି ତମରି ଭାବ
ଏହି ମନ ପ୍ରାଣ ଯେତେ ଦିନ ଥିବ
      ତମେ ମନେ ପଡୁଥିବ ।

ତମ ଚରଣେ (ଅଂଶୁମାନ) କରେ କୋଟି ପ୍ରଣାମ 
           ଦିଅ  ମତେ ଟିକେ ବୁଦ୍ଧି
     ସେହି ବୁଦ୍ଧି ବଳେ ତମ ଗୁଣ  ଗାଈ
            ଆତ୍ମା ହୋଇଯିବ ସିଦ୍ଧି ।

ସରମଙ୍ଗା - ସଡ଼ଙ୍ଗ - କେନ୍ଦୁଝର 
ପିନ୍‌ ନମ୍ବର - ୭୫୬୧୨୧
ଫୋନ୍‌ ନମ୍ବର - ୮୨୪୯୩୯୧୫୬
ଜୟ ସାହିତ୍ୟ, ଜୟ ସମାଜ

ଗଜାନନ

ସୁରଥ କୁମାର ରାଉତ 
=====<<<<<<====<<<



ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ
                ନୂଆଖାଇ ପୂର୍ବଦିନ
ପୂଜା ହୋଇଥାନ୍ତି ବିଘ୍ନ ବିନାଶକ
               ପ୍ରଭୁ ପଣେ ଗଜାନନ ।
ବିଦ୍ୟାଦାତା ବୋଲି ସଭିଏଁ ଜାଣନ୍ତି
                ସେ ତ ପାର୍ବତୀ ନନ୍ଦନ
ତାଙ୍କରି ଆଶିଷ ତାଙ୍କରି କଲ୍ୟାଣ
             ବିତୁ ଖୁସିରେ ଜୀବନ ।
ସେ ତ କୃପାମୟ କରୁଣାର ଝର
                 ଅମୃତ କଲ୍ୟାଣମୟ
ତାଙ୍କରି ଆଶିଷେ ବରଷି ପଡିବ
                 ସୃଷ୍ଟିରେ ଆନନ୍ଦମୟ ।
ବିଦ୍ୟାଦାତା ନାମେ ଅଟନ୍ତି ଗଣେଶ
                 ତାଙ୍କ ପୂଜା ନିତି କଲେ
ପୂଜାରେ ସନ୍ତୁଷ୍ଟ ହୋଇ ବିଘ୍ନରାଜ
               ଆଶିଷ ବରଷି ଦେଲେ ।
ବିଦ୍ୟା ଅଟେ ଧନ ବିଦ୍ୟା ଅଟେ ଜ୍ଞାନ
                     ବିଦ୍ୟା ବିନା ତ ପ୍ରଳୟ
ପ୍ରଭୁ ଗଣେଶଙ୍କୁ ଭକ୍ତିରେ ପୂଜିଲେ
               ବିଦ୍ୟା ଦେବେ ସେ ନିଶ୍ଚୟ ।
======<<<<<<<<<<=====
ବନ୍ଧୁପୁର-ସମିତଙ୍ଗା-କଟକ 
ଜୟ ସାହିତ୍ୟ, ଜୟ ସମାଜ

🙏ଗୁରୁ ହିଁ ସାକ୍ଷାତ ଈଶ୍ଵର🙏

ଶ୍ରୀମତୀ କାଦମ୍ବିନୀ ଖୁଣ୍ଟିଆ 
          ଗୁରୁ ତ ମୋର ସଭିଏଁ ଅଟନ୍ତି...ମୋର ମାତା ପିତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଏବଂ ଛୋଟ ଶିଶୁଙ୍କ ପର୍ଯ୍ୟନ୍ତ ତାଙ୍କ ପାଖରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଛି । ତେଣୁକରି ମୋର ନିକଟେ ତ ସଭିଙ୍କ ଶିକ୍ଷାକୁ ମୋ' ଜୀବନେ ଶିକ୍ଷାର ସଂଚାର ସୃଷ୍ଟି କରିଛନ୍ତି ଏ ସଭିଏଁ ମୋ' ଗୁରୁଠୁ ବଳି କମ୍ ନୁହନ୍ତି....।  ପିତା ମାତା ଲାଳନପାଳନ ଠାରୁ ଆରମ୍ଭ କରି ଜୀବନର କୌଣସି ମୋଡ଼ରେ ହାରି ନ ଯିବା ପାଇଁ ଶିକ୍ଷା ଦିଅନ୍ତି... ଶିକ୍ଷକ ଯିଏକି ବିଦ୍ୟାର ଭଣ୍ଡାର... ଯେଉଁ ଭଣ୍ଡାରରୁ ଯେତେ ବି ଶିକ୍ଷା ଗ୍ରହଣ କରିଲେ ସରେ ନାହିଁ... । ସେ ତ ଅସରନ୍ତି ଭଣ୍ଡାର... ସେ ହିଁ ତ ଗୁରୁ ଶିଷ୍ୟ ହୋଇ ଶିକ୍ଷା ଯେତେ ଆହରଣ କଲେ ମଧ୍ୟ ସରେ ନାହିଁ... ବରଂ ସମାଜରେ ସୁ ପ୍ରତିଷ୍ଠା ଲାଭ କରିବାରେ ଖୁବ୍ ସହାୟକ ହୋଇଥାଏ...ଶିଷ୍ୟ ଗୁରୁଙ୍କ ପ୍ରତି ଗୁରୁ ଭକ୍ତି ରଖି ଶକ୍ଷା ଗ୍ରହଣ କରିଥାନ୍ତି... । ଏବେ ଏବେ ଗୁରୁ ଶିଷ୍ୟ ପରମ୍ପରା କମି କମି ଗଲାଣି... ଆମେ ପଢି ଆସିଛୁ, ଶୁଣି ଆସିଛୁ ପୁରାଣରେ ବର୍ଣ୍ଣିତ କେତେ କେତେ ଗୁରୁ ଶିଷ୍ୟ ପରମ୍ପରା ବେଶ୍ ଅନାବିଳ ଓ ଅଲୌକିକ ରହି ଆସିଛି... ବିନା ମୂଲ୍ୟରେ ଶିକ୍ଷା ଆହରଣ କରିବା... ଏବେ ଆଉ ନାହିଁ... ଏବେ ଆଉ ଗୁରୁ ଦ୍ରୋଣାଚାର୍ଯ୍ୟ ନାହାନ୍ତି କି ନାହାନ୍ତି ସେଇ ଏକଲବ୍ୟ । ଯାହାକି ଅଜ୍ଞାନ ରୂପକ ଅନ୍ଧାର ପଥରୁ ଜ୍ଞାନର ପ୍ରଦୀପ ଜାଳି ଜୀବନକୁ ଆଲୋକ କରାଇଥାନ୍ତି... ଏବେ ସେମିତି ଦେଖିବାକୁ ମିଳୁ ନାହିଁ... ଗୁରୁ ଶିଷ୍ୟ ପରମ୍ପରା... । ଗୁରୁଙ୍କ ଛାଟ ପାହାର ନ ଖାଇଲେ ଶିଷ୍ୟ ଭଲ ମଣିଷଟେ ହୋଇପାରେନି. ଗୁରୁଙ୍କ ପ୍ରତି ଭୟ ସହ ବି ପରମ ଭକ୍ତି ହ୍ରୁଦୟରେ ଜାତ ହେଉଥିଲା... ।
           ବର୍ତ୍ତମାନ ସମାଜ ଏତେ କଳୁଷିତ ହୋଇଗଲାଣି ଯେ, ଗୁରୁ ସଠିକ ରୂପେ ବିଦ୍ୟା ପ୍ରଦାନ କରିବାରେ ଅସମର୍ଥ ହେଲେଣି... ଶିଷ୍ୟଙ୍କ ପ୍ରତି ସ୍ନେହ ଭଲ ପାଇବାର ସୁସମ୍ପର୍କ ଖୁବ୍ କମ୍ ରଖିଛନ୍ତି... କିନ୍ତୁ ଖରାପ ଭାବନା ଅଧିକ ଦେଖା ଯାଉଛି...।  ବେଳେ ବେଳେ ଗୁରୁ ରୂପୀ ନର ରାକ୍ଷାସ ଦେହର ଭୋକ ମେଣ୍ଟେଇବାକୁ ଯାଇ ଶିଷ୍ୟା ମାନଙ୍କୁ ଅଶ୍ଳୀଳ ବ୍ୟବହାର କରନ୍ତି... ଯାହାକି ଗୁରୁ ଜାତି ପାଇଁ କଳଙ୍କ ପାଲଟି ଯାଆନ୍ତି... ଏମିତି କିଛି କଳଂକିତ ଗୁରୁ ରହି ବାସ୍ତବ ଗୁରୁ ଯିଏକି ସ୍ଵୟଂ ଭଗବାନଙ୍କୁ ପୂଜିବାରୁ ବଂଚିତ ହେଇ ପଡୁଛୁ... ହରେଇ ବସିଛୁ ପ୍ରକୃତ ମାର୍ଗ ଦର୍ଶକ ପଥ ପ୍ରଦର୍ଶକ ପୂଜ୍ୟ ଗୁରୁଙ୍କୁ... ।    
    
            ଏମିତି ଗୁରୁ ଅଛନ୍ତି ଯିଏକି ଅରଣ୍ୟରେ ବହୁ ତପସ୍ୟା ସାଧନା କରିବା ପରେ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରି ଗୁରୁ ହେବାରେ ସମର୍ଥ ହୋଇଥା'ନ୍ତି... ତାଙ୍କ ଦର୍ଶନ ଲଭିବା ଏବେ ବହୁ କଷ୍ଟକର ହୋଇ ପଡ଼ିଲାଣି ... । କାହିଁକି ନା ଗୁରୁଙ୍କ ନାଁରେ ଏମିତି କିଛି କଳଙ୍କ ଅଛନ୍ତି ଯାହାକି ସମାଜକୁ କଳୁଷିତ କରି ସାରିଲେଣି... ଝିଅ ବୋହୂଙ୍କ ଉପରେ ଖରାପ ବ୍ୟବହାର ଦେଖେଇବା, କିଛି ମିଛ ସତ କହି ଲୁଟି ନେବା. ମିଛ ପ୍ରବଞ୍ଚନା ଦେଖେଇବା, ମିଷ୍ଟତା ଜନ୍ମାଇ ବିଶ୍ଵାସେ ମନ ଜିତିବା. ପର ମୁହୂର୍ତ୍ତରେ ବହୁତ ଠକାମିର ଶିକାର ହୋଇ ଥାଆନ୍ତି... ଯାହାକି ଯେଉଁ ଗୁରୁ ଐଶ୍ୱରିକ ଶକ୍ତି ଲାଭ କରିଛନ୍ତି... ତାଙ୍କ ଦର୍ଶନ ଓ ଶିକ୍ଷାରୁ ବଂଚିତ ହେବାକୁ ପଡ଼େ... ତଥାପି ବି ସେଇ ଗୁରୁ ଶିଷ୍ୟ ପରମ୍ପରା କେଉଁଠି ନା କେଉଁଠି ବଂଚି ରହିଛି. ଯୋଉଥି ପାଇଁ ସମାଜ ତିଷ୍ଠି ରହିଛି... । ଜ୍ଞାନର ଦୀପାଳି ପ୍ରଜ୍ଵଳିତ ହେଉଛି... ଅଜ୍ଞାନର ଅମା ଅନ୍ଧକାରକୁ ଦୂର କରିବାରେ ସହାୟକ ହେଉଛି. କଣ୍ଟକିତ ପଥ ପୁଷ୍ପିତ କରିବାରେ ବେଶ୍ ତତ୍ପର ଗୁରୁ ଶିଷ୍ୟ ପରମ୍ପରା... ସେଥିପାଇଁ ଗୁରୁ ହିଁ ଶ୍ରେଷ୍ଠ... ସିଏ ଯିଏବି ହୁଅନ୍ତୁ ନା କାହିଁକି... ସ୍ଵୟଂ ଜୀବନରେ କିଛି କୌଣସି ମାଧ୍ୟମରେ ଶିକ୍ଷା ପାଇ ନିଜ ଜୀବନରେ ଲଗେଇ ପାରିଲେ ତାଙ୍କୁ ହିଁ ଗୁରୁ ରୂପେ ମାନିନେଉ. ସେଣିକି ସିଏ ସ୍ଵୟଂ ପିତା ମାତା ବା ଶିକ୍ଷକ କି ସାଧୁ ସନ୍ୟାସୀ କିମ୍ବା ଯାହାଙ୍କ ପାଖରୁ ଜୀବନରେ ନିକଟରୁ ଭଗବାନଙ୍କ ସାନିଧ୍ୟ ନିମନ୍ତେ ଗୁରୁ ଦୀକ୍ଷା ଗ୍ରହଣ କରିବା ହେଉ, ଛୋଟ ଶିଶୁ ବା ମନୁଷ୍ୟ ହୁଅନ୍ତୁ କି ପଶୁ, ପକ୍ଷୀ,  କୀଟ, ପତଙ୍ଗ, ଜଳ, ବାୟୁ, ପବନ. ପ୍ରତି ମୋଡ଼ରେ ଆମେ କିଛି ନା କିଛି ଶିଖିବାକୁ ପାଉ. ତେଣୁକରି ଗୁରୁ ନାମ ଧରୁ ଧରୁ ତୁଣ୍ଡରେ ଆପେ ଆପେ ଆସେ....

 " ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ,ଗୁରୁ ଦେବ ମହେଶ୍ଵର
ଗୁରୁ ସାକ୍ଷାତ ପରଂବ୍ରହ୍ମତସ୍ମୈ ଶ୍ରୀ ଗୁରବେ ନମଃ"
ଗୁରୁ ହିଁ ସାକ୍ଷାତ ଈଶ୍ଵର.....
🙏🙏🙏🙏

କରମକୂଳ ଆଶ୍ରମ (ବାଲିକୁଦା)
କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

ବିଳାପ - କବି ହୃଦୟର

ଭାରତୀ ରଥ (ଶିକ୍ଷୟିତ୍ରୀ)
*     *    *     *   *    *    

ଏ କ'ଣ କଲି ମୁଁ ?
ସମସ୍ତେ କହନ୍ତି
 ପ୍ରତ୍ୟେକ କବି ଭିତରେ କୋଉଠି ନା କୋଉଠି
ପାଗଳାମି ଲୁଚି ରହିଥାଏ.
କିନ୍ତୁ ମୋର ଏ ପାଗଳାମି ?
କଣ ପାଇଁ ??
ଏଠି ନ ଥିଲା ତ ଜୀବନ ଯନ୍ତ୍ରଣା
ନା ଥିଲା ବଞ୍ଚିବା ପାଇଁ ସଂଘର୍ଷ.
ତେବେ କ'ଣ ପାଇଁ ବିକି ଦେଲି ମୋ' ମାନସ ସନ୍ତାନକୁ ?
ରାତି ରାତି ଉଜାଗର ରହି
ଯାହାର ଅଙ୍ଗ ସୌଷ୍ଟବକୁ ସଜାଇଥିଲି ଶବ୍ଦ ଚାତୁରୀରେ
ଲହୁ, ଲୁହ ଏକାଠି କରି
ଜୀବନ୍ତ କରିଥିଲି ମୋ' ଭାବନା ରାଜ୍ୟରେ.
ସାମାନ୍ୟ କେଇଟା ମାନପତ୍ର ଆଉ ସମ୍ବର୍ଦ୍ଧନା ଆଶାରେ
କେମିତି ଟେକି ଦେଲି ମୋ' ସନ୍ତାନକୁ
ଅଜଣା ଦଲାଲ ହାତରେ ?
ଏବେ ବି ଗୁଞ୍ଜରିତ ହୁଏ ସେ ଆର୍ତ୍ତଚିତ୍କାର -
"ଏ କ'ଣ କଲୁ ମା' ? "
ବିଳପି ଉଠେ ମୋ' କବି ହୃଦୟ
ଧିକାର କରେ ମୋ' ମାତୃତ୍ୱ.
ନା, ଆଉ ନୁହେଁ
ଏଵେ ମୁଁ ଜାଗ୍ରତ
ଉଦ୍ଧାର କରିବି ଏ କବି କୁଳକୁ
ପ୍ରତ୍ୟାଶାର ଅନ୍ତର୍ଦାହରୁ.....
ରଗଡ଼ି ,ବାଙ୍କୀ (କଟକ)
ଜୟ ସାହିତ୍ୟ, ଜୟ ସମାଜ

ଆତ୍ମଛବି

ଶ୍ରୀମତୀ ଜ୍ଯୋତ୍ସ୍ନା ପୃଷ୍ଟି 
ପ୍ରତିଟି କବିତା ସାରିପୁତ୍ତ ମୋର ,
ଫେରିବା ପଥକୁ ରହିଅଛି ଚାହିଁ ।
ଜାଣିଛି ଦିନେ ଡାକିବେ ଦ୍ଵାର ଠେଇଁ ,
ଭିକ୍ଷାମ୍ ଦେହୀ ମାଆ ଭିକ୍ଷାମ୍ ଦେହୀ ।
ନୟନୁ ଜ୍ୟୋତି ହଜି ଲିଭି ଆସୁଥିବ ,
କାହା କଣ୍ଠସ୍ଵନ ଶିହରାଇ ଦେଵ ।
ଧିମାଧିମା ଆଲୋକରେ ଅଣ୍ଡାଳି ନେବି ,
ଫେରିଛ କି' ହୃଦୟ ରତ୍ନ ଧନ ଛବି..?
ସେ ଆଉ ସଂସାର ବନ୍ଧନରେ ନାହିଁ ,
ବୁଦ୍ଧ ବୌଦ୍ଧ ବୋଧିସତ୍ତ୍ଵ ପ୍ରାନ୍ତେ ଯାଇ ।
ସ୍ଵତଃରେ ସାବ୍ୟସ୍ତ ଅନ୍ତସ୍ଵର ଛୁଇଁ ,
ଜଗତ ମଙ୍ଗଳ ହେଉ ବୋଲି ବାଣୀ ,
ଝରୁଥିବ କିଛି ଅମୃତ କାହାଣୀ ।
ଯିବେଫେରି ଅଦୃଶ୍ୟପଟର ଶ୍ରେଣୀ ,
କୋହ ଚାପି ସ୍ମିତହାସ୍ୟ ଓଠେ ଜାଣି ।
ସିଦ୍ଧ ସାରିପୁତ୍ତ ସେ କାବ୍ୟ କବିତା ,
ଜୀବନରେ ସିଞ୍ଚିଦେବେ ଚେତନତା ।
ମାଆ ବୋଲି ବାନ୍ଧିବିନି ଆକୁଳତା ,
ଯେଉଁଠାରେ ଥାଉ ସାନ୍ତ୍ଵନା ପ୍ରଣେତା ।
କବିତା ମୋ' ମାନସ ସନ୍ତାନଗଣ ,
ତାଙ୍କ ପାଇଁ ବଞ୍ଚୁଛି ବଞ୍ଚିବି କ୍ଷଣ ।
ଶୁଝିବାକୁ ମାଟି ମାତୃଭାଷା ଋଣ ,
ଲେଖି ଲେଖି ଲେଖନୀ ନିର୍ବାଣ ।

ସୌଭାଗ୍ୟ ନଗର (ଭୁବନେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ

ଶ୍ରଦ୍ଧାଞ୍ଜଳି ହେ ବୀରାଙ୍ଗନା

ଶିବ ଚରଣ ମହାପାତ୍ର 
ଭାରତ ଭୂଖଣ୍ଡେ ତେଜୋଦୀପ୍ତମୟ
ସୁନୀଳ ଆକାଶ ପୁନେଇଁ ଜହ୍ନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ବିଜୟର ପଥେ ଅଦ୍ବିତୀୟ ତୁମେ
ଅପୂର୍ବ ଚିନ୍ତନ ବୁଦ୍ଧିମତ୍ତା
ଦୂରଦୃଷ୍ଟି ଲକ୍ଷ୍ୟ ରାଜନୀତି ଜ୍ଞାନ
ସମ୍ମୋହନ ମନ୍ତ୍ର ତୁମ କଥା...

ପ୍ରଚଣ୍ଡ ପ୍ରତିଭା ଅଧିକାରିଣୀ ଗୋ'
ଭାରତ ମା' ପ୍ରିୟ ସନ୍ତାନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ମଉଳି ଗଲା କି ପରାଣ କୁସୁମ
ନୀୟତି କରାଳ ହାତ ଧରି
ଅବିଶ୍ବାସ ଲାଗେ ବିଶ୍ୱାସ ମୋ' ଆଜି
ଚାଲିଗଲ ଯେବେ ପର କରି...

ହୃଦବେଦି ପରେ ନୀରବେ ଜଳୁଛି
ଅଶ୍ରୁଭିଜା ପ୍ରାଣ ଦୀପ ଶିଖା
ଅନ୍ଧକାର ପଥେ ତୁମ କର୍ମ ବାଣୀ
ଉଜ୍ଜଳିତ କରେ ଶିଳାଲେଖା...

ନାରୀନେତ୍ରୀ ତୁମେ ଜ୍ଞାନୀ ଗୁଣୀ ଦକ୍ଷ
ଛାଡି ଦେଇଗଲ ପଦ ଚିହ୍ନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ମୃତ୍ୟୁ ବି ସେଦିନ ଢ଼ାଳିଥିବ ଲୁହ
ତୁମ୍ଭ ଯଶ କିର୍ତ୍ତୀ ନଈ କୂଳେ
ପ୍ରୀତି ଆଲିଙ୍ଗନେ କମ୍ପିଥିବ ହାତ
ମରଣ ଚାଦର ଦେଲା ବେଳେ...

ତୁମ୍ଭ ବିୟୋଗରେ ତରୁ-ଲତା ଝୁରେ
ଝୁରେ ଜନ-ବନ-ଜୀବ-ପ୍ରାଣ
ଆକାଶେ ବାଦଲ କାନ୍ଦେ ଛାତି ପିଟି
କାନ୍ଦେ କୋହଭରା ସମୀରଣ...

ହାରିବା ଯା' ଭାଗ୍ୟେ ଲେଖା ନାହିଁ କେବେ
ମୃତ୍ୟୁ ପାଶେ ହାରେ ତୁଚ୍ଛ ତନ
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ଚ଼କ୍ରଧରପୁର - କେନ୍ଦୁଝର 
ଜୟ ସାହିତ୍ୟ, ଜୟ ସମା

ସୁସ୍ଥ ସମାଜ ସଚେତନକାରୀ ଦୁଇଟି ଜ୍ଯୋତି

ବୈଜୟନ୍ତୀ ସାହୁ 
   ବହୁ ସାଧନା ଓ ସତ୍‌କର୍ମ ସମ୍ପାଦନର ପୁଣ୍ଯଫଳ ହେଉଛି ମନୁଷ୍ଯଜନ୍ମ । ସମସ୍ତ ୫୬ କୋଟି ଜୀବଙ୍କ ମଧ୍ଯରେ ମନୁଷ୍ଯ ହେଉଛି ଶ୍ରେଷ୍ଠଜୀବ । ଚରିତ୍ର ହେଉଛି ମଣିଷର ଶ୍ରେଷ୍ଠ ଆଭୂଷଣ । ଆଜିକାଲି ଭୋଗସର୍ବସ୍ବ ସମାଜରେ ଚାରିତ୍ରିକ ମୂଲ୍ଯବୋଧର ଘୋର ଅବକ୍ଷୟ ଘଟୁଛି । ଏହା ସମସ୍ତେ ଅନୁଭବ କରୁଥିବେ । ଏହା ହିଁ ସତ୍ଯ ଯେ "ମନୁଷ୍ଯ ଏକ ସାମାଜିକ ପ୍ରାଣୀ" ; ଚରିତ୍ର ହେଉଛି ତା'ର ସବୁଠାରୁ ଅମୂଲ୍ଯ ସମ୍ପଦ । ଯାହା ଅତୁଳନୀୟ । ତେଣୁ ମନୁଷ୍ୟର ପ୍ରତ୍ଯେକ ସ୍ତରରେ ଚରିତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଚରିତ୍ର ଅଭାବ ଜନିତ ଗୁଣ ଅନ୍ଯାୟ , ଅତ୍ଯାଚାର , ଭୟାବହତା ହେତୁ ଜନ ଜୀବନରେ ନୈତିକ ଅଧୋପତନର ଗତି କ୍ରମେ କ୍ରମେ କ୍ଷିପ୍ରତର ହେବାକୁ ଯାଉଛି । ସମ୍ପ୍ରତି ଘଟି ଚାଲିଥିବା ଘଟଣା ସମୂହରୁ ଜାଣି ହୁଏ ଯେ ‐ ମଣିଷର ଅତି ଅମାନୁଷିକତା ପଣିଆକୁ ଏକ ନିଶାର କରାଳ ଛାୟା କବଳିତ କରି ଚାଲିଛି । ଯାହା ଫଳରେ ମଣିଷ ଠାରୁ ମଣିଷପଣିଆ ଟିକକ ଲୋପ ପାଇଯାଉଛି । ଏଣୁ ବ୍ଯକ୍ତିର ଚରିତ୍ରରେ ମାନସିକତାର କଳଙ୍କିତ ଅଧ୍ଯାୟ ସୃଷ୍ଟି ହେଉଛି । ତାହା ଅନେକ ଜଟିଳ ପରିସ୍ଥିତିରେ ପରିବାର, ପରିବେଶ,ସମାଜ ଉପରେ ପ୍ରଭାବ ପକାଉଛି । ବିବେକର ଅନୁପସ୍ଥିତିରେ ମଣିଷ ଆଜି ପଶୁ ପାଲଟି ଯାଇଛି । ଆମୋଦ ପ୍ରମୋଦ ମନୋରଜଂନ ନାମରେ ଅବାଟରେ ଗତି କରୁଛି । କୁସଙ୍ଗରେ ପଡି ନିଜର ହିତାହିତ ଜ୍ଞାନ ଭୁଲି କୁପଥକୁ ଯିବାରେ ଅଭ୍ଯସ୍ତ ହୋଇଯାଉଛି । ଏ ପ୍ରକାର ମୃଦୁଧୀର ଗତି ସମସ୍ଯା ଗୃହଜନଠାରୁ ବିଶ୍ବଜନ ପର୍ଯ୍ଯନ୍ତ ଲମ୍ବି ଯାଉଛି । ଏ ସମସ୍ୟା ଏକ ବିଷମ ସମସ୍ୟା ରୂପେ ଦେଖା ଯାଉଛି । ସମାଜ କହିଲେ ସାଧାରଣତଃ ମଣିଷ ସମାଜକୁ ବୁଝାଏ । ସମାଜର ପ୍ରଗତି ଓ ବିକାଶ ମଣିଷଙ୍କ ପ୍ରଗତି ଓବିଶ୍ବାସକୁ ବୁଝାଏ । ସମାଜ କେବେହେଲେ ବ୍ଯକ୍ତିଗତ ସୁଖ ସ୍ବାଛନ୍ଦ୍ଯ ଉପଭୋଗର କ୍ଷେତ୍ର ନୁହେଁ ।
       ସମାଜ ମଣିଷର ଏକ ସୁନିୟନ୍ତ୍ରିତ ସଂଗଠନ । ପ୍ରତ୍ଯେକ ମଣିଷ ଏହି ସଂସାରକୁ ଆସିଛି ତା'ର ପରିବାର ଓ ଅନ୍ଯ ମାନଙ୍କ ସହ ବଞ୍ଚିବାକୁ  । ସେ ସମାଜର ଏକ ସଦସ୍ଯ । ସମାଜରେ ପ୍ରତ୍ଯେକ ବ୍ଯକ୍ତି ଯଥା ମାତା, ପିତା, ଗୁରୁଜନ,ସ୍ବାମୀ,ସ୍ତ୍ରୀ,ଭାଇଭଉଣୀ,ଶାଶୁ,ଶ୍ବଶୁର  ,ପଡୋଶୀ ଓ କୁଟୁମ୍ବକୁ ନେଇ ନିଜର କର୍ତ୍ତବ୍ଯ ପାଳନ ସୁସ୍ଥ ମସ୍ତିଷ୍କରେ କରିଚାଲନ୍ତି । ଏଥି ପାଇଁ ସୁସ୍ଥ ମସ୍ତିଷ୍କର ଆବଶ୍ଯକ । ସୁସ୍ଥ ଶରୀର ଓ ସୁସ୍ଥ ମାନସିକତାକୁ ମଣିଷ ଭୁଲିଯାଇ କ୍ଷଣିକସୁଖ ଭାବନାରେ ମଜ୍ଜି ରହି ଦୁଃସ୍ଥ ମାନସିକତାର ପରିଚୟ ଦେଉଛି । ଏହାଦ୍ବାରା ଆଧୁନିକ ସମାଜର ବିଭିନ୍ନ କାରଣ ଦାୟୀ । ସେମାନଙ୍କ ମଧ୍ଯରେ ନିଶା ସେବନ ଏକ ପ୍ରଧାନ କାରଣ । ଛୋଟ ବଡ ବିଭିନ୍ନ ମାଦକଦ୍ରବ୍ୟ ଆଜିର ସାମାଜିକ ଜୀବନକୁ ରୁଗ୍‌ଣ କରିବାରେ ବ୍ଯସ୍ତ । ଏହା ଭିତରୁ ମଦ୍ୟପାନ ଅନ୍ଯତମ । ମଦ୍ୟପାନ ଆମ ସମାଜରେ ଏକ ଅଭ୍ୟାସ ବ୍ୟାଧି ରୂପେ ଦେଖା ଦେଇଛି । ସାନ ବଡ , ଧନି ଗରିବ ସବୁ ପ୍ରକାର ଲୋକ ମଦ୍ଯପାନର ଶିକାର ହୋଇ ତାହା କ୍ରମେ ଅଭ୍ଯାସର ବଶବର୍ତ୍ତୀ ହୋଇ ଏକ ବ୍ୟାଧିରେ ପରିଣତ ହେଉଛି । କୁସଙ୍ଗରେ ପଡି ଦୁଃଖ ଅବସାଦ ଦୂର କରିବାକୁ ବେଳେବେଳେ ମାନସିକ ଚାପକୁ ହ୍ରାସ କରିବାକୁ ମଦ୍ୟପାନକୁ ଆପଣେଇ ନିଅନ୍ତି ।
    ପରିଶ୍ରମ ଜନିତ କ୍ଲାନ୍ତିକୁ ଦୂରେଇବା ପାଇଁ ମଧ୍ଯ କେତେକ ମଦ ପିଅନ୍ତି ଯଥା ବସ,ଟ୍ରକ ଆଦି ପରିଚାଳକ ମାନେ ବେଳେବେଳେ ମଦ୍ଯପାନ କରିଥା'ନ୍ତି । ଆଉ ମଧ୍ଯ ମଦ କାରଖାନାରେ କାମ କରୁଥିବା ଲୋକମାନେ ବି ମଦ୍ଯପାନର ଶିକାର ହୋଇଥା'ନ୍ତି । ମଦ କାରଖାନା ଥିବା ଅଞ୍ଚଳରେ ମଦ୍ଯପଙ୍କ ସଂଖ୍ଯା ନିଶ୍ଚିତ ଅଧିକ । ବେଆଇନ ଭାବେ ପ୍ରସ୍ତୁତ ହୋଇ ପଠା ଯାଉଥିବା ମଦକୁ ଜବତ କରି ସେହି ମଦକୁ କରଗତ କରି କିଛି ଲୋକ ସେବନ କରିବାକୁ ସୁଯୋଗ ପାଆନ୍ତି । ଦିନମଜୁରିଆ,କୁଲି, ରିକ୍ସାବାଲା, ଆବର୍ଜନା ସଫା କରୁଥିବା ଲୋକ ଅତ୍ଯଧିକ ମଦ୍ଯପାନ କରୁଥିବା ସାଧାରଣ କଥା ।

        ତେଣୁ ଏହି ସଚେତନାତ୍ମକ ଦୃଶ୍ଯ"‐ମଦ ପିଇବି ନାହିଁ ମୁଁ ମଦ ପିଇବି ନାହିଁ" ଗୀତରୁ ଜଣାପଡୁଛି କି ଦୁଇ ସାଙ୍ଗ  ପରିଶ୍ରମ ଲାଘବ ନିମନ୍ତେ ମଦକୁ ଆପଣେଇ ଥିଲେ ଏବଂ କାଳକ୍ରମେ ଏହା ଅଭ୍ଯାସରେ ପରିଣତ ହୋଇ ପରିବାର,ସମାଜ ଉପରେ ନିଶ୍ଚୟ କୁପ୍ରଭାବ  ପକାଇଛି । ସେମାନେ ବିଭିନ୍ନ ଅସୁବିଧାକୁ ସାମନା କରି ପଶ୍ଚାତାପ କରି ମଦ ରୂପକ କାଳ କବଳ ଫାଶରୁ ମୁକ୍ତି ପାଇ ଅନୁତାପ  କରିଛନ୍ତି କି ମଦ୍ଯପାନ କେତେ ଭୟଙ୍କର ଓ କ୍ଷତିକାରକ । ମଦହେଉଛି ପାରିବାରିକ ଅଶାନ୍ତିର ମୂଳ କାରଣ । ଅନେକ ସମୟରେ ଦେଖାଯାଏ ପୁରୁଷମାନେ ମଦ ପିଇ ବିଳମ୍ବ ରାତିରେ ଘରକୁ ଫେରନ୍ତି । ସେମାନେ ନିଶାରେ ନିଜର ସ୍ତ୍ରୀ, ପିଲାମାନଙ୍କୁ ବିଭିନ୍ନ ଯନ୍ତ୍ରଣା ଦେଇଥା'ନ୍ତି । ଅର୍ଥାଭାବ ଦେଖାଦେଲେ ସ୍ତ୍ରୀ-ପିଲାଙ୍କର ଅଳଙ୍କାର ବିକ୍ରି କରିବାକୁ ପଛାନ୍ତି ନାହିଁ । ଜମିବାଡି,ଘରଦ୍ବାର,ଘରର ଆସବାବପତ୍ର, ଗୄହ ସାମଗ୍ରୀ ବିକ୍ରି କରି ସର୍ବସ୍ବାନ୍ତ ହୋଇଯାଆନ୍ତି । କେତେକ ସ୍ତ୍ରୀ ମଦ୍ଯପ ସ୍ବାମୀ ଦ୍ବାରା ନିର୍ଯ୍ଯାତିତ ହୋଇଥା'ନ୍ତି । ଅର୍ଥାଭାବ ଓ ଉପଯୁକ୍ତ ଯତ୍ନ ଅଭାବରୁ ପିଲାମାନେ ଠିକ୍‌ ଭାବରେ ପଢି ପାରନ୍ତି ନାହିଁ । ଉପଯୁକ୍ତ ମଣିଷ ହେବାରୁ କ୍ଷାନ୍ତ ହୁଅନ୍ତି । ସୁଚରିତ୍ର ଗଠନରେ ଅନ୍ତରାୟ ସୄଷ୍ଟି ହୁଏ ।ଆଉ ମଧ୍ଯ ମାଦକଦ୍ରବ୍ଯ ସେବନ ଦ୍ବାରା ଅନେକ ପ୍ରକାର ରୋଗ  ‐ ଯକ୍ଷ୍ମା,କର୍କଟ, ଆଦି ଭୟଙ୍କର ରୋଗ ହୁଏ । ସ୍ବାସ୍ଥହାନୀ ଘଟିବା ସହିତ ଆୟୂଷ ମଧ୍ଯ କମି ଯାଏ । ମଦ ଆସ୍ତେ ଆସ୍ତେ ଶରୀରକୁ ଖାଇଯାଏ । ଅକାଳ ବାର୍ଦ୍ଧକ୍ଯରେ ମଣିଷ ଶୀକାର ହୁଏ , ମୃତ୍ଯୁୁ ମୁଖରେ ପଡେ । ବର୍ତ୍ତମାନ ଦେଶରେ ହୁ ହୁ ହୋଇ ମଦ୍ଯପଙ୍କ ସଂଖ୍ଯା ବଢିି ଚାଲିଛି  । ଯଦି ଏବେ ଠାରୁ କିଛି ବିହିତ ପଦକ୍ଷେପ ନିଆ ନଯାଏ,ତେବେ ଭବିଷ୍ଯତରେ ଚାରିତ୍ରିକ ଦୁଷ୍ଟ ବ୍ଯକ୍ତିଙ୍କ ସଂଖ୍ଯା ବଢିଯିବ ।

         ଏସବୁରୁ ଜଣାଯାଏ , ବିଭିନ୍ନ କାରଣ ଜନିତ ମାନସିକ ଯନ୍ତ୍ରଣା, ଦୁଃଖ ଓ ଦୁଃଶ୍ଚିନ୍ତାରୁ ରକ୍ଷା ପାଇବାକୁ  ମଦ ଏକ ସାଧାରଣ ମାନବିକ ପ୍ରବୃତ୍ତି । ତେଣୁ ସୁଧାରିବାର ପଦକ୍ଷେପ ବହନ କରି ସରକାରୀୀ ସ୍ତର ଓ ବେସରକାରୀ ସ୍ତର,ସଚେତନ ମାଧ୍ଯମରେ,ପଥପ୍ରାନ୍ତ ନାଟକ ମାଧ୍ଯମରେ , ଚଳଚିତ୍ରର ମାଧ୍ଯମରେ ବିଶେଷ କରି ଦୁଇ ସାଙ୍ଗଙ୍କ ସଚେତନ ସଙ୍ଗୀତ ହିଁ (ମଦପିଇବିନାହିଁ ଆଉ ମଦ ପିଇବି ନାହିଁ) ଅନୁତାପ ମୂଳକ ବାର୍ତ୍ତା ହିଁ ନିଶ୍ଚୟ ଦିଗଦର୍ଶକ ହେବ ।
   ବର୍ତ୍ତମାନ ଦେଖା ଯାଉଛି, ମଦ ଦୋକାନ ଜାତୀୟ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲା ହେବା ପାଇଁ ସରକାରଙ୍କ ନିୟମ ରହିଛି , ଆଉ ମଧ୍ଯ ଖୋଲୁଛି । ଏହା ଫଳରେ ପ୍ରତ୍ଯକ୍ଷରେ ନିଶା ନିବାରଣ ପାଇଁ ପ୍ରେରଣା ଦିଆଯାଉଛି । ସମାଜକୁ ନରକକୁ ଠେଲି ଦେଇ ଜାତୀୟ ଆୟ ବୃଦ୍ଧି ସର୍କାରଙ୍କ ଲକ୍ଷ୍ଯ ହେବା ଉଚିତ ନୁହେଁ । ମଦ୍ଯପାନ ବିରୋଧକୁ ସଫଳ କରିବା ପାଇଁ ସରକାରୀ ଉଦ୍ଯମ ଓ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ଯକ । ପରିବେଶ ତଥା ସମାଜରେ ବ୍ଯକ୍ତି ବିଶେଷର କ୍ରମବିକାଶ ଘଟେ । ମଣିଷ ଯେତେବେଳେ ବିଧାତାର ନିର୍ଦ୍ଦୟ ନିର୍ଦ୍ଦେଶରେ ଏକ ପ୍ରତିକୂଳ ପରିବେଶର ସମ୍ମୁଖୀନ ହୁଏ, ସେତେବେଳେ ସେ ମଦପିଇବାକୁ ଆଶ୍ରୟ ଭିକ୍ଷା କରିଥାଏ । ଆଉ ପରବର୍ତ୍ତୀ ସମୟରେ ଅତ୍ଯଧିକ ମଦ୍ୟପାନର କୁପରିମାଣ ଭୋଗି ସାରିବା ପରେ ସେ ମନକୁ ମଦ୍ଯପାନ ଦିଗରୁ ହଟାଏ । ଯାହାକି ଏହି ଦୁଇ ସାଙ୍ଗଙ୍କ ଠାରେ ପରିଲକ୍ଷିତ ହୋଇଛି ଏଥିପାଇଁ  ଏହା ଏକ ସାମାଜିକ ଦାୟିତ୍ବ । ଏ ଦିଗରେ ସମାଜର ପ୍ରତ୍ଯେକ ଚିନ୍ତାଶୀଳ ବ୍ଯକ୍ତି ନିଜର ଦାୟିତ୍ବକୁ ହୃଦୟଙ୍ଗମ କରି ମଦ୍ୟପାନରୁ ଦୂରେଇ ରହିବା ଯେପରି ମଦ୍ଯପାନ ସମାଜକୁ ଧ୍ବଂସ ନକରେ । ପରିବେଶକୁ ସୁଧାରି ପାରିଲେ ମଦ୍ଯପାନ ସଂଖ୍ୟା କମିଯିବ ; ପରିଶେଷରେ ଏତିକି କହିବି ଯେ, ଏକ ସୁସ୍ଥ ସମାଜ ଗଠନ କରିବା ଆମର କାମ୍ଯ ; ଏ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ଯକ  ଓ ଉଦ୍ଯମ ଅବ୍ୟାହତ ରହିବା ବିଧେୟ ।

ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ
ଜୟ ସାହିତ୍ୟ, ଜୟ ସମାଜ