4/30/2021

ମନ୍ଥନ

ଜାନକୀ ବଲ୍ଲଭ ସାମନ୍ତରାୟ 
ମାନସ ମନ୍ଥନେ ଦେଖୁଅଛି ନେତ୍ର
ମଣିଷର ମାନସାଙ୍କ
ମଧୁ ଭାଣ୍ଡେ ବିଷ କଳଙ୍କ ଲଗାଏ
ମନରେ ସ୍ଵାର୍ଥାଭି ପଙ୍କ  ll
     
           ମନ୍ଦରେ-ଆଦର ମନ୍ଦାର-ବିଭତ୍ସ
           ମଦିରା-ସୁହାଗ ପ୍ରୀତି
           ମହାକାଳ-ଯେଣୁ ମଣିଷ ହୋଇଲା
           ମହୀରେ ଆସେ ବିପତ୍ତି  ll

ମାଆର ମମତା ହତାଦର ହେଲା
ମହନ୍ତ-ପଣେ ସନ୍ତାନ
ମରୀଚିକା ପଛେ କାମାନ୍ଧ ବିଚାର
ମରତେ ଶୁଭେ ରୋଦନ ll

            ମଧୁମୟ ରୂପ ଅନ୍ତରୁ ମାରିଲା
            ମନରେ ନଭଜେ ନାମ
            ମଧୁ ବାଣୀ ଯେତେ ନଶୁଣି କର୍ଣ୍ଣରେ
            ନିନ୍ଦଇ ଯେ ଭଗବାନ ll

ମହତ୍ତର ହୋଇ ହୀନ ଆଚରଣ
ମୃତ୍ୟୁ ଅଭିଷେକ ସାର
ମନ୍ଥନ କରରେ ମଣିଷ ଜନମ
ମନେ-ଆଚାର-ବିଚାର ll

          ମହିପାଳ ଏବେ ରୋଷଭରା ଚିତ୍ତେ
          ମଉନେ କରେ ସମୀକ୍ଷା
          ମେଦିନୀ ରୋଦନ ହରିବାକୁ-ସଜ
          ମଦନ ନେଇଛି ଦୀକ୍ଷା ll

ମକରନ୍ଦ ପାନେ ଅଛି ଯେବେ ଇଚ୍ଛା
ମୋହକୁ ଛାଡରେ ତୁହି
ମନ ମନ୍ଦିରରେ ମଣୋହି କରରେ
ମର୍ଯ୍ୟାଦା ପୁରୁଷ ଧ୍ୟାୟୀ ll

         ମହାମନ୍ତ୍ର ଜପ ମୋକ୍ଷ ପ୍ରାପ୍ତି ପାଇଁ
         ମହିମ-ମହିମା ଜାଣ
         ମଧୁ ଗୀତି ଅଟେ ଗୀତା ଭାଗବତ
         ମୁକ୍ତି-ଗାୟନ-ଶ୍ରବଣ ll
       
ମଧୁଚର୍ଯା ପ୍ରୀତି ଭାବ-ରେ ଗୋବିନ୍ଦ
ମହକ ଭର ସାନନ୍ଦେ
ମଧୁଚନ୍ଦ୍ରିକାରେ କୃଷ୍ଣ-କୃଷ୍ଣା ରସ
ମୂରୁଖ ଭଣେ ଆନନ୍ଦେ ll
           ଚ଼ମ୍ପାବସ୍ତ , ବାଲିପାଟଣା 
        ଦୂରଭାଷ - ୯୮୬୧୫୧୪୯୪୬     
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।