ବୀରକିଶୋର ଶତପଥୀ (ଶିକ୍ଷକ)
ରାଗ - ସାବେରୀ
ଶ୍ଯାମଘନ, ନ ଶୁଣାଅ ତବ ବଂଶୀ ସ୍ଵନ,
ତୋରି ପାଇଁ ଏ ଜୀବନ ହୁଅଇ ତ ଅକାରଣ
ନ ଘଟାଅ ଘଟେ ଅଘଟନ ।ପଦ।
ନିଶୀଥେ ନିରତେ ଆସୁ, ନୀରବେ ନିଶ୍ଚଳେ ପଶୁ,
ମନ ଗଗନରେ ଅପଘନ,
ଚୁପି ଚୁପି ବର୍ଷି ଆସୁ, ଚିତ୍ତେ ଚଞ୍ଚଳ ପରଷୁ,
ତପ୍ତ ତନୁ ନ ସହେ ଚୁମ୍ବନ।୧।
ଏ ଯେ ମୋ' ମନ କଟକ, ସହି ନ ପାରେ ଛଟକ,
ମନ , ବିବେକର ଚାଲେ ରଣ,
ବଂଶୀର ସ୍ବର ଆକଟ କରେ ମୋ' ମତି କବାଟ,
ହୋସ୍ ହରୁଅଛି ପୁଣ ପୁଣ ।୨।
କେଳି କଦମ୍ବ ମୂଳେଣ, ପାର୍ଶ୍ବେ ଯମୁନା ପୁଳିନ,
କଳ୍ପେ ଶ୍ୟାମ ମୂର୍ତ୍ତି ଦରଶନ,
ସେ ଯେ ମଦନ ମୋହନ, ମୋହିଲା ମୋହ ପରାଣ,
ବାୟାଣୀ ପରାୟେ ଚିତ୍ତ ମନ।୩।
ବାଂଶୁରୀ ସ୍ବରେ ଦହନ, ଯେହ୍ନେ ବନ ହୁତାଶନ,
ବହ୍ନିସ୍ନାତ ହୁଏ ମୋ' ସ୍ପନ୍ଦନ,
ସତେ କି ହେବ ମିଳନ ଆତ୍ମା ସହ ପଞ୍ଚପ୍ରାଣ,
ହୃଦେ ଚନ୍ଦନର ପ୍ରଲେପନ।୪।
ଅଷ୍ଟ ଅଙ୍ଗରେ କମ୍ପନ, ବିଜୁଳି ଯେସନେ ଘନ,
ସେ ବଂଶୀ ସ୍ବରେ ସମ୍ମୋହନ,
ହେ ମାୟା, ମାୟାବନ୍ଧନ ଛିନ୍ନେ,ନିପ ଉପବନ,
ଅସହ୍ୟ ଏ ବଦନ କଦନ।୫।
ନୀଳୋତ୍ପଳ ଯେ ନୟନ ଚିତ୍ତ କରେ ବି-ହରଣ,
କରିଦେ' ବଂଶୀ ତୋର ମୋହନ,
ମୋର ସପତ ନେତ୍ରେଣ ଦର୍ଶନ ରୂପ କରିଣ,
କରିବି ଜୀବନ କରୀ ଅର୍ପଣ ।୬।
ତୋ' ହାତରେ ଜଡିଥିବି, ଜଡେଇ ଅଙ୍ଗୁଷ୍ଠ ପବି,
ତୋ' ଓଷ୍ଠ , ମୁଖେ ଦେବ ଚୁମ୍ବନ,
ସପ୍ତ ସ୍ବରେ ଗାଉଥିବି, ରୂପ ମାଧୁର୍ଯ୍ୟକୁ ଭାବି,
ଧନ୍ୟ ହେବ ଏ ମୋର ଜୀବନ।୭।
ଆଞ୍ଚଳିକ ଉଚ୍ଚ ବିଦ୍ଯାଳୟ , ବବଜା - ବଲାଙ୍ଗୀର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।