ଶୁଭାଙ୍ଗୀ ରଥ
ଶାଶ୍ବତଙ୍କୁ ବୟସ ବତିଶ ହେବ । ସେ ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ । ବହୁତ ଖୋଜାଖୋଜି ପରେ ଶାଶ୍ବତଙ୍କର ବାହାଘର ଠିକ୍ ହେଲା ପ୍ରୀତିରେଖାଙ୍କ ସହିତ । ବାହାଘର ପରେ ଶାଶ୍ବତଙ୍କ ଇଚ୍ଛା ଥିଲା ତାଙ୍କର ପୁତ୍ରଟିଏ ହେଉ । କିଛି ଦିନ ପରେ ତାଙ୍କର ପୁଅଟିଏ ମଧ୍ୟ ହେଲା । ସମସ୍ତେ ବେଶ୍ ଖୁସି ହେଲେ । ପୁଅର ନାମ ଦିଆଗଲା ସୁମିତ । କିଛି ବର୍ଷ ପରେ ତାଙ୍କର ଆଉ ଗୋଟିଏ ପୁଅ ମଧ୍ୟ ହେଲା , ଯାହାର ନାମ ରଖାଗଲା ସମୀର । ପରିବାରର ସମସ୍ତେ ସ୍ନେହ ଆଦରରେ ଚଳୁଥିଲେ ଓ ଦୁଇ ଭାଇ ମଧ୍ଯ ପରସ୍ପରକୁ ଭାରି ଭଲ ପାଉଥିଲେ ।
ସୁମିତକୁ ଦଶ କି ଏଗାର ବର୍ଷ ହେଲା ବେଳକୁ ତା'ର ଢଙ୍ଗରଙ୍ଗ ଅନ୍ଯ ମାନଙ୍କୁ କିଛି ଭଲ ଲାଗିଲା ନାହିଁ । କାରଣ ,ସେ ମା'ଙ୍କ ଥାକରୁ ଚୁଡି କାଢି ପିନ୍ଧି ଦର୍ପଣ ପାଖରେ ବାରମ୍ବାର ଦେଖି ହୁଏ । କେବେ ଲିପ୍ଷ୍ଟିକ, ଟିକିଲି ମଧ୍ୟ ଲଗାଇ ଗୀତ ଗାଇ ନାଚେ । ଦୋକାନକୁ ଗଲେ ଝିଅ ପିଲାଙ୍କ ପୋଷାକ ତାକୁ ବେଶି ପସନ୍ଦ ହୁଏ । ଶାଶ୍ବତ ଓ ପ୍ରୀତିଙ୍କୁ ଏସବୁ କିଛି ଠିକ୍ ଲାଗିଲା ନାହିଁ । ପୁଅର ଏପରି ଅଭ୍ଯାସ ଦିନକୁ ଦିନ ବଢ଼ିବାରେ ଲାଗିଲା । ପିତା ମାତା ତାକୁ ବାରମ୍ବାର ତାଗିଦ କଲେ ମଧ୍ୟ ସେ ନିଜକୁ ଅଟକାଇ ପାରୁନଥିଲା । ଧୀରେଧୀରେ ସାହିପଡିଶା , ସାଙ୍ଗସାଥୀ ଏକଥା ଜାଣିଲେ ଏବଂ ତାକୁ ମାଇଚିଆ କହି ଚିଡେଇଲେ । ସୁମିତ ବହୁତ କାନ୍ଦେ କିନ୍ତୁ ତାର ଅଭ୍ଯାସ ସେ ବଦଳାଇ ପାରେ ନାହିଁ । ଲୋକମାନେ କୁହାକୁହି ହେଲେ ଶାଶ୍ବତ ବାବୁଙ୍କ ପୁଅଟା କିନ୍ନର । ଶାଶ୍ବତ ଏହି କାରଣରୁ ସୁମିତକୁ ବହୁତ ମାଡ ମାରୁଥିଲେ । ଧୀରେଧୀରେ ସୁମିତ ପ୍ରତି ବାପା ମାଙ୍କ ସ୍ନେହ କମିବାରେ ଲାଗିଲା ।ସମୀରକୁ ଅଧିକ ଭଲପାଇଲେ ସେମାନେ । ସମୀର କିନ୍ତୁ ସେଭଳି ନଥିଲା । ନିଜ ବଡଭାଇକୁ ଭାରି ଭଲପାଏ ସେ ।
ଥରେ ଗୋଟିଏ ଭୋଜିରେ ଶାଶ୍ବତ ବାବୁ ପିଲାମାନଙ୍କ ସହ ଯୋଗ ଦେଇଥିଲେ । ସେଠାରେ କିଛି ଲୋକ ତାଙ୍କୁ କହିଲେ , ଏମିତି ପିଲାଟେ ଜନ୍ମ କଲ, ବିଚରା ଜୀବନରେ କଣ ବା କରି ପାରିବ ! ଅନ୍ଯ ଆଗରେ ହାତ ପାତି ଚଳିବ ସିନା ! ଶାଶ୍ବତ ମନରେ କ୍ରୋଧ ବଢିଲା । ସେ ଘକୁ ଫେରି ରାଗରେ ସୁମିତକୁ ପିଟି ପିଟି ଘରୁ ବାହାର କରିଦେଲେ । ୟା ପାଇଁ ମୁଁ ଆଉ ଅପମାନ ସହି ପାରିବିନି ବୋଲି କହୁଥିଲେ । ପ୍ରୀତି ମଧ୍ୟ ତାଙ୍କୁ ଅଟକାଇ ପାରିଲେନି । ସମୀର ମଧ୍ୟ ବାପାଙ୍କୁ ବୁଝାଇଲା ସେ କିଛି ଶୁଣିଲେନି । ଶେଷରେ ସୁମିତ କାନ୍ଦି କାନ୍ଦି ସେଠାରୁ ପଳାଇଲା ।
ସମୟ କ୍ରମେ ସମୀର ବଡ ହେଲା । ପାଠ ପଢି ଚାକିରି କରିଲା । ସେ ବାପା ମା'ଙ୍କୁ ଭାରି ଭଲ ପାଉଥିଲା , ସେବା , ଯତ୍ନ କରୁଥିଲା । ବାପା, ମା' ମଧ୍ଯ ତା' ପାଇଁ ମନଲାଖି ଝିଅ ଖୋଜି ତାକୁ ବାହା କରାଇ ଦେଲେ । ପୁଅ ବୋହୂଙ୍କ ସହ ଶାଶ୍ବତ ଓ ପ୍ରୀତି ଖୁସିରେ ଥିଲେ । ହଠାତ୍ ଦିନେ ସମୀରର ସ୍ତ୍ରୀ ବିନା କାରଣରେ ଝଗଡା କରିଲା ଶାଶୁଙ୍କ ସହ । ସମୀର ବି ସ୍ତ୍ରୀ କଥାକୁ ସମର୍ଥନ କରିଲା । ଏଥିରେ ଶାଶ୍ବତ ଓ ପ୍ରୀତି ଖୁବ୍ ଦୁଃଖିତ ହେଲେ । ମାତ୍ର ଯୁକ୍ତି ତର୍କ ବଢିବାରେ ସମୀର କହିଲା , ତୁମେ ବୁଢା ବୁଢ଼ୀ ଦୁଇଜଣ ମୋତେ ଭାରି ହଇରାଣ କଲଣି । ତୁମେ ଆଉ ଏଠାରେ ରହି ପାରିବନି । ଶୀଘ୍ର ଚାଲିଯାଅ ଏଠାରୁ । ସେତେବେଳେ ପ୍ରୀତିରେଖାଙ୍କ ଦେହ ଭାରି ଅସୁସ୍ଥ ଥାଏ । ରୋଗିଣା ସ୍ତ୍ରୀକୁ ନେଇ ଶାଶ୍ବତ କେଉଁଆଡେ ଯିବେ ? ଚାଲୁଥା'ନ୍ତି ଓ ମନ ଦୁଃଖରେ ଭଗବାନଙ୍କୁ ଡାକୁଥା'ନ୍ତି ।
ଶାଶ୍ବତଙ୍କ ପାଖରେ ସେତିକି ବେଳକୁ ଗୋଟିଏ କାର୍ ଆସି ପହଞ୍ଚିଲା । ସ୍କାର୍ଫ ବାନ୍ଧିଥିବା ମହିଳାଟିଏ ବାହାରି କହିଲା , ମା' ଜଣକ ଅସୁସ୍ଥ ଲାଗୁଛନ୍ତି । ଆସନ୍ତୁ ମୁଁ ଆପଣଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇ ଦେବି । ସେମାନେ ରାଜି ହେଲେ। ହସ୍ପିଟାଲରେ ଚିକିତ୍ସା ସରିଲା ; ଔଷଧ କିଣିବା ପାଇଁ ସେମାନଙ୍କ ପାଖରେ ପାଇସା ନଥିଲା । ମହିଳା ନିଜ ପର୍ସରୁ ୧୦୦୦ ଟଙ୍କା କାଢ଼ି chemistକୁ ଧରାଇଦେଲା । ଏହାପରେ ସେ କହିଲା , ଆପଣ ଯଦି ଖରାପ ନ ଭାବନ୍ତି ତେବେ ଆପଣ ଆମ ଘରେ ଆଶ୍ରୟ ନେଇ ପାରନ୍ତି। ସେମାନେ ରାଜି ହୋଇଗଲେ ଓ କାର୍ରେ ବସି ତାଙ୍କ ଘରେ ପହଞ୍ଚିଲେ । ଘର ତା'ର ବେଶ୍ ଚକାଚକ୍ , ସୁନ୍ଦର ଓ ମନୋହର ।
ଶାଶ୍ବତ ଘର ଭିତରକୁ ଯିବା ଭିତରେ ପଚାରିଲେ , ମା' ! ତୁମ ନାମ କ'ଣ ? ଏତେ ସାହାଯ୍ୟ କରି ଆମକୁ ତମେ ଋଣୀ କରିଦେଲ । ସେ କହିଲା, ମୁଁ ସୁମିତ୍ରା । ମୁଁ ଜଣେ ଡାନସର୍ ଓ ଡାନ୍ସ କଲେଜରେ ପ୍ରଫେସର ମଧ୍ୟ । ଆପଣଙ୍କୁ ସାହାଯ୍ୟ କରିବା ତ ମୋର କର୍ତ୍ତବ୍ୟ । ପ୍ରୀତି ସୁମିତ୍ରାର ଘର ବୁଲି ଦେଖିବା ବେଳେ ତାଙ୍କର ଓ ଶାଶ୍ବତଙ୍କର ଫଟୋ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ପଚାରିଲେ , ସତ କୁହ ତୁମର ପରିଚୟ କ'ଣ ? ଏହା ପରେ ସେ କହିଲା, ମୁଁ ତୁମର ସେହି ଅଯୋଗ୍ୟ ପୁଅ ସୁମିତ ଯାହାକୁ ଚବିଶ ବର୍ଷ ତଳେ ତୁମେ ଘରୁ ବାହାର କରି ଦେଇଥିଲ । ଏବେ ମୁଁ ସୁମିତ୍ରା ନାମରେ ପରିଚିତ । ସେଦିନ ଘରୁ ବାହାରି ଯିବା ପରେ ମୁଁ ଅସହାୟ ହୋଇ ବହୁତ କାନ୍ଦିଲି । କିଛି ବାଟ ଚାଲିବା ପରେ ମୁଁ ଗୋଟିଏ ଶିବ ମନ୍ଦିରରେ ଆଶ୍ରୟ ନେଲି । ଭୋକରେ ଡହଳବିକଳ ହେଉଥିଲେ ବି କାହାକୁ ହାତ ପତେଇ ମାଗିବା ମୁଁ ପସନ୍ଦ କରୁନଥିଲି । ମୁଁ ଜାଣି ପାରୁନଥିଲି ମୋ' ଭଳି ମଣିଷ ମାନଙ୍କୁ ସମସ୍ତଙ୍କର ଏତେ ଘୄଣା କାହିଁକି ? ଆମର ବି ବଞ୍ଚିବାର ଅଧିକାର ଅଛି । ଏମିତି ଭାବି ଭାବି ସେହିଠାରେ ଶୋଇ ପଡିଲି ମୁଁ । ଜଣେ ବୁଢ଼ୀ ମା' ମୋତେ ଡାକି ପଚାରିବାରୁ ମୁଁ ସବୁ ସତ କଥା କହିଲି । ବୁଢ଼ୀ ଜଣଙ୍କୁ ଦେଖାଇ ସୁମିତ୍ରା କହିଲା , ଇଏ ସେହି ବୁଢ଼ୀ ମା' , ଯିଏ ତାଙ୍କ ଘରେ ମୋତେ ଆଶ୍ରୟ ଦେଇଥିଲେ । ତାଙ୍କର ନିଜର କେହି ନଥିଲେ । ସେ ମୋତେ ମା' ପରି ସ୍ନେହ ଦେଇ ପାଳିଲେ । ମୋର ସ୍କୁଲରେ ନାମ ଲେଖାଇଲେ । ମୋର ନାଚରେ ଆଗ୍ରହ ଜାଣି ନାଚ ମଧ୍ୟ ଶିଖାଇଲେ । ତାଙ୍କର ଛୋଟିଆ ଢାବାରୁ ଯାହା ରୋଜଗାର ହୁଏ ସେଥିରେ ଚଳିଯାଉ ଆମେ ।
ଥରେଏକ ରାଜ୍ଯ ସ୍ତରୀୟ ନୄତ୍ଯ ପ୍ରଦର୍ଶନୀରେରେ ମୋତେ ନାଚିବାର ସୁଯୋଗ ମିଳିଲା । ଅନେକ ବଡ ବଡ ଲୋକମାନେ ସେଠାରେ ଉପସ୍ଥିତ ଥିଲେ । ମୋତେ ବହୁତ ପ୍ରଶଂସା କରିଲେ ଓ ପୁରସ୍କାର ମଧ୍ୟ ଦେଲେ ।ହେଲେ ପୁଣି ଆଗକୁ କେହି ପଚାରିଲେ ନାହିଁ । ସେଥିରେ ହାର ନମାନି ମୁଁ ପାଠ ସହିତ ନୄତ୍ଯ ଅଭ୍ଯାସ ଜାରି ରଖିଥାଏ । ଯାହା ହେଲେ ବି ମୋତେ ସ୍ବାବଲମ୍ବୀ ହେବାକୁ ପଡିବ । ଥରେ ଡାନ୍ସର ନଂ.1 ନାମକ ଏକ ପ୍ରତିଯୋଗିତାରେ ଭାଗ ନେଇ ମୁଁ ପ୍ରଥମ ହେଲି , ଯେଉଁଥିରେ କି ମୋତେ ଏକଲକ୍ଷ ଟଙ୍କା ପୁରସ୍କାର ମିଳିଲା । ଧୀରେ ଧୀରେ ମୁଁ ମୋ' ସ୍ବପ୍ନକୁ ସାକାର କରି ପାରିଲି । ଶାଶ୍ବତ ଓ ପ୍ରୀତି ଏସବୁ ଶୁଣି ଖୁସି ହେବା ସହ ବହୁତ କାନ୍ଦିଲେ ମଧ୍ଯ । ସୁମିତ୍ରାକୁ କ୍ଷମା ମାଗିବା ସହ ସମୀରର ବ୍ଯବହାର ବିଷୟରେ ମଧ୍ୟ କହିଲେ । ସୁମିତ୍ରା ସବୁ ଜାଣିବା ପରି ଜୋରରେ ହସିଲା । ଠିକ୍ ସେତିକି ବେଳକୁ ସମୀର ଓ ତା'ର ସ୍ତ୍ରୀ ତାଙ୍କ ଘରେ ପହଞ୍ଚି ଗଲେ ।ତାଙ୍କ ବାପା, ମା' କିଛି ବୁଝି ପାରୁନଥା'ନ୍ତି । ସମୀର ଏଠାରେ କେମିତି ? ସମୀର କହିଲା, ମୋତେ କ୍ଷମା କର ବାପା । କିନ୍ନର ମାନେ ଯେ ଜୀବନରେ ସଫଳତା ପ୍ରାପ୍ତ କରିପାରିବେ, ଏହା ଆପଣଙ୍କୁ realise କରାଇବା ପାଇଁ ଏହା ଏକ ଅଭିନୟ ଥିଲା ।
-- ମାନେ ?
ସମୀର କହିଲା , ଦିନେ ପରିବା କିଣି ଫେରିବା ବେଳକୁ କାର୍ରୁ ଓହ୍ଲାଇ ସୁମିତ ଭାଇ (ସୁମିତ୍ରା) ମୋତେ ଅଟକାଇଲେ । ମୁଁ ତାଙ୍କୁ ଚିହ୍ନି ପାରିନଥିଲେ ବି ସେ ଲକ୍ଷ୍ୟ କରି ମୋତେ ଜାଣି ପାରିଥିଲେ । ମୁଁ ବହୁତ ଖୁସି ଲି ଓ ଆପଣଙ୍କୁ ସତ୍ୟତାକୁ ଅନୁଭବ କରାଇବା ପାଇଁ ଆମେ ମିଶି ଏକ ଅଭିନୟ କଲୁ । ମୋ' ସ୍ତ୍ରୀ ଜାଣି ଜାଣି ମା ଙ୍କ ସହ ଝଗଡା କରିଥିଲା । ଏସବୁ ଆମ ଅଭିନୟର ଅଂଶ ଥିଲା । ଆମକୁ କ୍ଷମା କରିବେ । ଶାଶ୍ବତ ଓ ପ୍ରୀତି ବହୁତ ଖୁସି ହେଲେ ସେମାନେ ବୁଝି ପାରିଲେ ଯେ କିନ୍ନର ମଧ୍ୟ ସବୁ କାର୍ଯ୍ୟ ପାଇଁ ସମର୍ଥ ଅଟନ୍ତି । ଏଥର ସମସ୍ତେ ଖୁସିରେ ମିଳିମିଶି ରହିଲେ ।
ଅଷ୍ଟମ ଶ୍ରେଣୀ
ଡି.ଏ.ଭି ପବ୍ଲିକ ସ୍କୁଲ୍
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।