4/30/2021

ଆଜିକାଲିକା ସାବିତ୍ରୀ

ସୁମିତ୍ରା ଦେବୀ
"ବ୍ରାହ୍ମ ମୁହୂର୍ତ୍ତରୁ ସାଜସଜ୍ଜା ସାରି
ସାବିତ୍ରୀ ବାହାରି ପଡିଲେ
ପତି ଦେବଙ୍କୁ ଚାହା ପାନ ଦେଇ
ମାରୁତି ଚାବିଟି ମାଗିଲେ ।
ସତିଆ କହିଲେ ହଇଓ ସାବିତ୍ରୀ
କୁଆଡେ ବାହାରି ପଡିଲ
ଇଂରେଜୀ ପ୍ରୋଗ୍ରାମ କେଉଁଠି ଅଛି କି
ବୁଝେଇ ଟିକିଏ କହିଲ ।
ସାବିତ୍ରୀ କହିଲେ ଅଲାଜୁକ ହେଲ
ଜାଣି ନାହଁ ଆଜି କ'ଣ କି ?
ପାଟଶାଢୀ ଆଉ ପୂଜା ସରଞ୍ଜାମ
କାଲି ଠାରୁ ଆଣି ଥିଲ କି ?
ଆଜି ପରି ଦିନ ସାବିତ୍ରୀ ବରତ
କାଲି କ'ଣ ଫେରି ଆସିବ
କେମିତି ପାଳିବି ଏ ପୁଣ୍ୟ ବରତ
ବୁଝେଇ ଟିକିଏ କହିବ ।
ସତିଆ କହିଲେ ଯେତିକି ଜାଣିଛି
ପରମ୍ପରା ଏହି ବ୍ରତରେ
ଫଳପୁଷ୍ପେ ଯମ ସନ୍ତୁଷ୍ଟ ହୁଅନ୍ତି
ଭକ୍ତି ଥିଲେ ହୃଦୟରେ ।
ରଖ ହେ' ତୁମର ସୁହାଗିଆ କଥା
ସାବିତ୍ରୀ କହିଲେ ରାଗିକି
ଫାଇଭ୍‌ ଷ୍ଟାର୍‌ ହୋଟେଲ ଯାଉଛି
ବରତ ପାଳିବା ପାଇଁକି ।
ବିରିଆନି ସହ ଚିକେନ ପକୋଡା
ସଲଟି କାଜୁ ଓ ମଟନ
ସାବିତ୍ରୀ ବ୍ରତରେ ଆହାର ନେଇକି
ସାରିବି ମୋ ଟେନସନ ।
ଆତୁରେ କହିଲେ ପତି ଦେବ ତାଙ୍କ
ଯମ ଯଦି ମାଡି ଆସିବ
ବଡ କ୍ରୁର କାଳ ଘୋଷାରି ନେବ ସେ
ଶଙ୍ଖା ତୋର ହାତୁ ଖସିବ ।
ବିଦ୍ରୁପ ହସକୁ ଉକୁଟାଇ ଦେଇ
କହିଲେ ସାବିତ୍ରୀ ହେଇଟି 
ଲ୍ୟାଣ୍ଡ ଫୋନ ସିନା ଖରାପ ହେଇଛି
ମୋବାଇଲ ଫୋନ ନାହିଁଟି ।
ଖବର ପାଇକି ଧସେଇ ଆସିବି
ପବନ ବେଗରେ ଉଡେଇ
ହଡା ମଇଁଷିରେ କେତେ ବାଟ ଯିବ
ମାରୁତି ଦେବି ଚଢେଇ ।
   👫ଯାଜପୁର👫 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।