4/30/2021

କରୋନା ଭୁତାଣୁ - ଆତଙ୍କର ଅନ୍ଯ ନାମ


   ଅନାମ ଚ଼ରଣ ସାହୁ 
   ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରି ଡରାଉଛି ସତ୍ଯସନ୍ଧାନୀ ମାନବ ସମାଜକୁ । ୧୫୬ରୁ ଉର୍ଦ୍ଧ୍ବ ଦେଶରେ ଏବେ ତା'ର ରାଜୁତି। ତା ଆଖିରେ ସମସ୍ତେ ସମାନ। ସେ ନା ଦେଖୁଛି ଧନୀ ଗରିବରେ ପ୍ରଭେଦ,ନା ବିକଶିତ, ବିକାଶଶୀଳ ଦେଶ । ସେ ଏବେ ସୁଦ୍ଧା ନେଇସାରିଛି ୬୪୦୦ରୁ ଉର୍ଦ୍ଧ୍ବ ଜୀବନ। ତାହାର ବିଶାଳ କାୟା ଭିତରେ ୧,୫୦,୦୦୦ରୁ ଉର୍ଦ୍ଧ୍ବ ମାନବ ଏବେ ଅଣନିଃଶ୍ବାସୀ ହୋଇ ଜୀବନ ମରଣ ସହ ଅହରହ ସଂଘର୍ଷ କରୁଛନ୍ତି। ମନେ ପଡିଯାଉଛି ଇତିହାସ ବର୍ଣ୍ଣିତ ୧୮୬୬ ମସିହାରେ ଘଟିଥିବା ସେହି ଲୋମଟାଙ୍କୁରା ନ'ଅଙ୍କ ଦୁର୍ଭିକ୍ଷର କରୁଣ କାହାଣୀ । ସମସ୍ତଙ୍କ ମନରେ ଦ୍ବନ୍ଦ୍ବାତ୍ମକ ଭାବନା। ଯଦିଓ ମାନବ ନିଜର ସ୍ଥିତି ଜାହିର କରିବା ପାଇଁ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଶ୍ରେଷ୍ଠତା ପ୍ରତିପାଦନ କରିଛି ତେବେବି ମନ ଆଶା ଓ ଆଶଙ୍କାରେ ଛନ୍ଦି ହୋଇଯାଇଛି। ତେବେ ଆସନ୍ତୁ ଏହି ମାରାତ୍ମକ କରୋନା ଭୂତାଣୁ ବିଷୟରେ ଅଧିକ ଜାଣିବା ।
ଭୂତାଣୁ
---------
        ଅଣୁ ଜୀବଜଗତରେ ଭୂତାଣୁ ଏକ ବିଚିତ୍ର ସତ୍ତା। ଏହାକୁ ଏକ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି। କାରଣ ଏହାର ଆକାର ଏତେ ଛୋଟ ଯେ ଅଣୁବୀକ୍ଷଣ ରେ ଏଗୁଡ଼ିକୁ ଦେଖିବା ସମ୍ଭବ ନୁହେଁ। କେବଳ ଇଲେକ୍ଟ୍ରୋନିକ ଅଣୁବୀକ୍ଷଣ ରେ ଏକ ଫଟୋଗ୍ରାଫିକ ପ୍ଲେଟରେ ଏହାର ଛବି ନିଆଯାଇଥାଏ। ଏହି ଛବି ଭୂତାଣୁର ପ୍ରକୃତ ମାପର ପ୍ରାୟ ୨୦୦୦୦ ଗୁଣ। ଏହାକୁ ମିଲି ମାଇକ୍ରନରେ ପ୍ରକାଶ କରାଯାଏ(ଏକ ମିଲି ମାଇକ୍ରନ=୧ମାଇକ୍ରନର ୧୦୦୦ ଭାଗରୁ ଏକ ଭାଗ)। ଭୂତାଣୁ କେବଳ ପୋଷକ ଜୀବର କୋଷ ଭିତରେ ରହି ନିଜର ବଂଶବୃଦ୍ଧି କରିଥାଏ। ବୀଜାଣୁ, ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କ କୋଷ ହିଁ ଭୂତାଣୁର ପୋଷକ। ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଜଡ ଜୀବନର ଲେଶମାତ୍ର ଲକ୍ଷଣ ଦେଖାଯାଇ ନଥାଏ।
       ସର୍ଦ୍ଦି,ଇନଫ୍ଲୁଏଞ୍ଜା(ଫ୍ଲୁ) ଭଳି ସାଧାରଣ ରୋଗ ଏବଂ ପୋଲିଓ,ହାଡଫୁଟି, ଏଡ଼ସ ଆଦି ମାରାତ୍ମକ ରୋଗ ଭୂତାଣୁ ଜନିତ।
କରୋନା ଭୂତାଣୁ
-------------------
        ପୃଥିବୀରେ ରହିଥିବା ବିଶାଳ ଭୂତାଣୁ ସାମ୍ରାଜ୍ୟର କରୋନା ଭୂତାଣୁ ଅଂଶବିଶେଷ। ମଣିଷକୁ ଏହି ଭୂତାଣୁ ସମ୍ବନ୍ଧରେ ପ୍ରାୟ ଛ'ଦଶନ୍ଧିରୁ ଜଣାଅଛି। ତେବେ ଏବେ ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ନୋବେଲ କରୋନା ଭାଇରସ ( କୋଭିଡ-୧୯ ) ୨୦୧୯ ମସିହା ଡିସେମ୍ବର ମାସ ୩୧ ତାରିଖରେ ଚୀନ ଦେଶର ୱହନା ସହରରେ ପ୍ରଥମେ ଆବିଷ୍କାର ହୋଇଥିଲା।
        ବିଭିନ୍ନ ପ୍ରକାରର କରୋନା ଭୂତାଣୁ ଗୁଡ଼ିକ ହେଲେ
୧.229E ଆଲଫା କରୋନା ଭୂତାଣୁ
୨.NL63 ଆଲଫା କରୋନା ଭୂତାଣୁ
୩.OC43 ବିଟା କରୋନା ଭୂତାଣୁ
୪.HKU1ବିଟା କରୋନା ଭୂତାଣୁ
୫.ନିଉ କରୋନା ଭାଇରସ-19(nCoV)
        ଉପରୋକ୍ତ କରୋନା ଭୂତାଣୁ ମାନଙ୍କ ମଧ୍ୟରେ ପ୍ରଥମ ଚାରି ପ୍ରକାରର ମନୁଷ୍ୟର କୌଣସି ଭୟଙ୍କର କ୍ଷତି କରିପାରନ୍ତି ନାହିଁ କାରଣ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏଥିପାଇଁ ଯଥେଷ୍ଟ। କିନ୍ତୁ ନିଉ କରୋନା ଭାଇରସ ତାହା ଅତ୍ୟନ୍ତ ମାରାତ୍ମକ। କାରଣ ଏହାର କୌଣସି ପ୍ରତିରୋଧକ ଔଷଧ ଏପର୍ଯ୍ୟନ୍ତ ଆବିଷ୍କାର ହୋଇପାରିନାହିଁ। ପ୍ରାଥମିକ ଆକଳନରୁ ଏହା କୌଣସି ପଶୁ ଦେହରୁ ମଣିଷ ଶରୀରକୁ ଆସିଥିବାର ସନ୍ଦେହ କରାଯାଉଛି। କାରଣ ୱହନା ବଜାରରେ ମଣିଷ ମାଂସକୁ ଛାଡ଼ିଦେଲେ ପ୍ରାୟ ୧୧୨ ପ୍ରକାରର ପଶୁପକ୍ଷୀ ମାନଙ୍କର ମାଂସ ମିଳିଥାଏ। ତେବେ କେଉଁ ନିର୍ଦ୍ଦିଷ୍ଟ ପଶୁ ଦେହରୁ ଏହା ମଣିଷ ଦେହକୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
କରୋନାର ନାମକରଣ
-------------------------
         ଏହି ଭୂତାଣୁ ଇଲେକ୍ଟ୍ରୋନିକ ଅଣୁବୀକ୍ଷଣ ଯନ୍ତ୍ରରେ ସୂର୍ଯ୍ୟଙ୍କ କରୋନା ପରି ଦେଖାଯାଉଥିବାରୁ ଏହାର ନାମକରଣ ଏପରି ହୋଇଥିବାର ବିଶ୍ବାସ କରାଯାଏ। ଏହି ଭୂତାଣୁର ଆକାର ପ୍ରାୟ ୨୦୦ରୁ୫୦୦ ମିଲି ମାଇକ୍ରନ।
ଲକ୍ଷଣ
--------
          ଏହି ରୋଗରେ ସାଧାରଣତଃ ସାଧାରଣ ସର୍ଦ୍ଦି ପରି ନିମ୍ନୋକ୍ତ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଇଥାଏ।
୧.ଜ୍ବର
୨.କାଶ
୩.ଶ୍ବାସନଳୀ ସଂକ୍ରମଣ
୪.ଶ୍ବାସପ୍ରଶ୍ବାସ ଜନିତ କଷ୍ଟ
         ଅତ୍ୟଧିକ ମାରାତ୍ମକ କ୍ଷେତ୍ରରେ
୧.ନିମୋନିଆ
୨.SARS- Severe Acute Respiratory Syndrome
୩.କିଡନି ଫେଲ୍ ଇତ୍ୟାଦି

ରୋଗ ପ୍ରସାରଣର ମାଧ୍ୟମ
----------------------------
     ଏହି ରୋଗ ସାଧାରଣତଃ ବିନ୍ଦୁ ସଂକ୍ରମଣ ମାଧ୍ୟମରେ ରୋଗୀଠାରୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିଥାଏ।
ବିନ୍ଦୁ ସଂକ୍ରମଣ ହେଲା-.କାଶ,କଫ ଓ ଛିଙ୍କ।

ରୋଗର ସୁପ୍ତ କାଳ
----------------------
   ଅନ୍ୟ ଭୂତାଣୁ ଗୁଡ଼ିକର ସୁପ୍ତ କାଳ ୦-୧୪ ଦିନ ହୋଇଥିବା ବେଳେ ଏହି ଭୂତାଣୁ କ୍ଷେତ୍ରରେ ସ୍ଥଳ ବିଶେଷରେ ୨୪ ଦିନ ବୋଲି ଜଣାପଡିଛି।
ପ୍ରତିକାର
-----------
      ଯଦିଓ ଏହାର ପ୍ରତିକାର ନିମନ୍ତେ କୌଣସି ଔଷଧ ଏପର୍ଯ୍ୟନ୍ତ ଆବିଷ୍କାର ହୋଇପାରିନାହିଁ ତେବେ ସାମୁହିକ ଉଦ୍ୟମ ଓ ସତର୍କତା ଅବଲମ୍ବନ କଲେ ଏହାର ଭୟାବହତାକୁ ଅନେକାଂଶରେ କମାଇ ଦିଆଯାଇ ପାରିବ। ସତର୍କତା ଜନିତ ପଦକ୍ଷେପ ଗୁଡିକ ହେଲା-
୧.ବାରମ୍ବାର ଜଳ ଓ ସାବୁନରେ ହାତ ଧୋଇବା
୨.କାଶ ଓ ଛିଙ୍କ ଲାଗିଲେ ମୁହଁ ଓ ନାକକୁ ରୁମାଲ ଦ୍ବାରା ଘୋଡାଇବା
୩.ମାଂସ ଓ ଅଣ୍ଡାକୁ ରୋଷେଇ କଲାବେଳେ ଠିକ୍ ଭାବରେ ସିଝାଇବା
୪.ଯେଉଁ ବ୍ୟକ୍ତି ଶରୀରରେ କାଶ,କଫ ବା ଶ୍ବାସ ଜନିତ ରୋଗର ଲକ୍ଷଣ ଦେଖାଯାଉଛି ତାଙ୍କଠାରୁ ୨ ମିଟର ଦୂରତାରେ ରହିବା।
୫.ନିଜର ପାଟି,କାନ,ନାକ, ଆଖି ଆଦିକୁ ଛୁଇଁବା ନାହିଁ।
ବର୍ତ୍ତମାନ କରୋନା ଜନିତ ଭୟାବହତା ଓ ବିଶ୍ୱ
----------------------------------------------------
        ପ୍ରଥମେ ୨୦୧୯ ମସିହା ଡିସେମ୍ବର ମାସ ୩୧ତାରିଖରେ ପ୍ରଥମ ରୋଗୀ ଚୀନ ଦେଶର ୱହନା ସହରରେ ଚିହ୍ନଟ ହେଲାପରେ ସପ୍ତାହକ ମଧ୍ୟରେ ନିଜର କାୟା ବିସ୍ତାର କରିବାକୁ ଲାଗିଲା। ଅବିଶ୍ବସନୀୟ ଭାବରେ ଏହା ଅନେକ ଜୀବନ ନେବା ସହ ଅନେକ ବ୍ୟକ୍ତି ସଂକ୍ରମିତ ହୋଇ ଡାକ୍ତରଖାନାକୁ ଆସିବାକୁ ଲାଗିଲେ। ଏହା ଚୀନରୁ ବିଶ୍ବର ଅନ୍ୟାନ୍ୟ ଦେଶକୁ ବ୍ୟାପିବାକୁ ଆରମ୍ଭ କଲା। ଜାନୁଆରୀ ମାସ ୩୦ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବିଶ୍ୱରେ ଜରୁରୀକାଳୀନ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ଏହାର ଭୟାବହତାକୁ ଲକ୍ଷ୍ୟ କରି ଶେଷରେ ମାର୍ଚ୍ଚ ମାସ ୧୧ ତାରିଖରେ ଏହାକୁ ମହାମାରୀ ଘୋଷଣା କଲେ।
ବର୍ତ୍ତମାନ ସୁଦ୍ଧା କରୋନା ଜନିତ କ୍ଷୟକ୍ଷତି
-----------------------------------------------
*ସଂକ୍ରମିତ ରାଷ୍ଟ୍ର ସଂଖ୍ୟା-୧୫୬
*ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା-୧୬୦୦୦୦+
*ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା-୮୦୦୦୦+
*ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା-୬୪୦୦+
*ମୃତ୍ଯୂହାର-ପ୍ରାୟ ୪%
*ଅଧିକ କ୍ଷତିଗ୍ରସ୍ତ ଦେଶ
       ଦେଶର ନାମ       ଆକ୍ରାନ୍ତ        ମୃତ୍ୟୁ
୧.ଚୀନ                ୮୦୦୦୦+     ୩୨୦୦+
୨.ଇଟାଲୀ            ୨୪୦୦୦+     ୧୭୦୦+
୩.ଇରାନ             ୧୨୮୦୦+       ୬୧୧+
୪.ଦକ୍ଷିଣକୋରିଆ    ୮୨୦୦+     ‌    ୭୫+
୫.ସ୍ପେନ                ୬୪୦୦+       ୨୦୦+
୬.ଜର୍ମାନୀ              ୪୬୦୦+           ୯+
୭.ଫ୍ରାନ୍ସ                 ୪୫୦୦+         ୯୧+
୮.ୟୁ.ଏସ.ଏ          ୩୪୦୦+          ୬୫+
୯.ଭାରତ               ୧୧୦+            ୩+
କରୋନା ଓ ଭାରତ
----------------------
ଏବେ ସୁଦ୍ଧା ଭାରତରେ ୧୧୪ଜଣ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ତାଜା ତଥ୍ୟ ଅନୁସାରେ ମହାରାଷ୍ଟ୍ର-୩୭,କେରଳ-୨୨, ହରିୟାଣା-୧୪, ରାଜସ୍ଥାନ-୪, ତେଲେଙ୍ଗାନା-୩, ତାମିଲନାଡୁ-୧, ଉତ୍ତରପ୍ରଦେଶ-୧୨,ଲାଦାଖ-୩, କାଶ୍ମୀର-୨, ଆନ୍ଧ୍ର ପ୍ରଦେଶ-୧, ଉତ୍ତରାଖଣ୍ଡ-୧, ଗୁଜରାଟ-୩, କର୍ଣ୍ଣାଟକ-୬, ଦିଲ୍ଲୀ-୭, ପଞ୍ଜାବ-୧ ଓ ଓଡିଶା ରାଜ୍ୟରେ ୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
୧୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଭାରତ ସରକାରଙ୍କ ଦ୍ୱାରା ପ୍ରତିଷେଧକ ବ୍ୟବସ୍ଥା
----------------------------------------------------
    ୧. ଭାରତ ସରକାର ସତର୍କତା ଅବଲମ୍ବନ ପୂର୍ବକ ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଙ୍ଗ ବ୍ୟବସ୍ଥା କରିବା ସହ ବିଭିନ୍ନ ଡାକ୍ତରଖାନାରେ କ୍ବାରାଣ୍ଟାଇନର ସୁବନ୍ଦୋବସ୍ତ କରାଯାଇଛି।
    ୨.ଜନସଚେତନତା କରିବା ସହ ଅଯଥା ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
    ୩.ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କୁ IPC ଧାରା ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
    ୪.ଆମ ଦେଶର ବିଭିନ୍ନ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ, ସପିଙ୍ଗ ମଲ୍, ସିନେମା ହଲ୍,ସୁଇମିଂ ପୁଲ୍, ବିବାହ ଭୋଜି, ସେମିନାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
   ୫.ଦେଶର କେତେକ ସ୍ଥାନରେ ଅଯଥା ଗହଳି ନକରିବା ପାଇଁ ୧୪୪ ଧାରା ଜାରି କରାଯାଇଛି।
    ୬.ବିଦେଶରୁ ଆସୁଥିବା ଯାତ୍ରୀ ନିଜର ଯାତ୍ରା ବିବରଣୀ ପ୍ରଦାନ କଲେ ୧୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶିର ବନ୍ଦୋବସ୍ତ କରାଯାଇଛି।
   ୭. ବିଭିନ୍ନ ରାଜ୍ୟରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
        ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ବିଭିନ୍ନ ଡାକ୍ତରି ଦଳର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ଭୂତାଣୁ ବିଶେଷ ଭାବରେ ୫୦ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ଯକ୍ତି, ପୂର୍ବରୁ ଶ୍ବାସ, ଡାଇବେଟିସ, କିଡନୀ ଆଦି ରୋଗ ଭୋଗୁଥିବା ବ୍ଯକ୍ତି ମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଉଛି। ତେଣୁ ଆମେମାନେ ବିଶେଷ ସଚେତନତା ଅବଲମ୍ବନ କରିବା ସହିତ ବନ୍ଧୁ, ପରିବାର ବର୍ଗ, ପଡୋଶୀ ଆଦିଙ୍କୁ ସଚେତନ କରିପାରିଲେ ନିଶ୍ଚିତଭାବେ ଏହି ବିପତ୍ତିରୁ ରକ୍ଷାପାଇପାରିବା ଏଥିରେ ଦ୍ବିମତ ନାହିଁ।
       କବିଙ୍କ ଭାଷାରେ,
                 ମନରେ ସାହସ ଭରିଥିଲେ ବନ୍ଧୁ
                 ଦମନ କରିବା କରି
                 ଆମେତ ମଣିଷ ବିଜ୍ଞାନୀ ସନ୍ତାନ
                 ଜୀବନେ ଯିବାନି ହାରି
                 ଜ୍ଞାନ କଉଶଳ ଦୃଢ଼ ମନୋବଳ
                 ବିପଦୁ କରାଏ ପାରି।

--------------------------------------------
ବିଭୁତିପୁର,କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦

ସାହିତ୍ୟ, ଜୟ ସଜୟ ମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।