ଦେବଯାନୀ ଦାସ
--ବାଇଗଣ କିଲୋ କେତେ ?
-- ବାର ଟଙ୍କା ।
--ବୋଇତାଳୁ ?
--ଦଶ
--କେଜିଏ ନେବି,ବାଇଗଣ ଦଶ ଟଙ୍କା କରନ୍ତୁ ।
--କମ୍ ନାହିଁ, ବାରରୁ କମ୍ ହେବନି,ଯୋଉଠି ଶସ୍ତା ପାଇବ ସେଇଠିକୁ ଯାଅ
--ହଉ ଠିକ୍ ଅଛି ଅଧା କିଲୋ ଦିଅନ୍ତୁ ।
--ଅଧା କିଲୋ ଦେଇ ହବନି , ଯଦି ନବ ଆଠ ଟଙ୍କା ପଡିବ ।
--ବାର ଟଙ୍କା କିଲୋ ତ ଅଧା କିଲୋକୁ ଛଅ ଟଙ୍କା ନିଅନ୍ତୁ ।
--ମୋତେ ପାଠ ପଢେଇବା ଦରକାର ନାହିଁ , ଇଛା ହେଲେ ନିଅ , ନ ହେଲେ ନ ନିଅ
** ** ** **
ମାର୍କେଟ ଭିତରେ ଅଶୀ ସ୍ପିଡ୍ରେ ଗାଡି ଆଣି ବ୍ରେକ କଷିଲେ ଜଣେ ମାଟିଆ ପୋଷାକଧାରୀ ଯୁବ କର୍ମଚାରୀ । ଗାଡିରୁ ନ ଓହ୍ଲେଇ ଦୁଇ ଗୋଡକୁ ଷ୍ଟାଣ୍ଡ କରି .........
--ବାଇଗଣ କିଲୋ କେତେ ବେ ?
--ବାର ଟଙ୍କା ଆଜ୍ଞା
--ଆଉ ବୋଇତାଳୁ ?
--ଦଶ ଆଜ୍ଞା , ଭାରି ମିଠା ଆଜ୍ଞା ।
--ଦେ' ଅଧା କିଲୋ ବାଇଗଣ ପକା ମୋ' ବ୍ଯାଗରେ,ଚାରି ଟଙ୍କା ଦେବି।
--କିଣା ନାହିଁ ଆଜ୍ଞା , ଅଧା କିଲୋ ଦେଉଛି, ଛଅ ଟଙ୍କା ଦେବେ ।
--ମୋତେ ଦର ଶିଖଉଛୁ , ଦେ' ଓଜନ କର ।

** ** ** **
ଅଧ୍ୟାପକ ମହାଶୟ ଖାଲି ବ୍ଯାଗକୁ ଚଉତୁ ଥିବା ସମୟରେ ମୁଣ୍ଡ ଉପରେ ଆକାଶରେ ଥିଲା ଖଣ୍ଡଖଣ୍ଡିଆ ମେଘର ଭାରତ ମାନଚିତ୍ର , ଯାହା ତାଙ୍କ ଆଖିରେ ପ୍ରତିଫଳିତ ହେଇ ପରିଣତ ହେଉଥିଲା ଓଡିଶାର ଭୂଗୋଳରେ ।
ରାଣୀପାଟଣା , ବ୍ଯାଙ୍କ୍ କଲୋନୀ , ବାଲେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।