4/30/2021

ଫୁଲ ଫୁଟାଋତୁ

ମୈତ୍ରେୟୀ କମିଳା 

         ଏମିତି ଖାଲି ସମୟରେ ଅଫିସରେ ସମୟ ମିଳିଲେ ଶ୍ରାବଣୀ ସାଙ୍ଗ ସାଥି ମାନଙ୍କ ସହ ଚା' ପିଇବାକୁ ଭଲପାଏ , ସମସ୍ତେ ନିଜ ନିଜ ପରିସ୍ଥିତିକୁ ନେଇ କିଏ ଭାବପ୍ରବଣ ଥାଏ ତ ଆଉ କିଏ ତା' ଦୁଃଖ କାହାଣୀ କହୁଥାଏ । ହେଲେ କାହିଁକି କେଜାଣି ସେ କିଛି କଥା ଅନ୍ୟ ମାନଙ୍କ ସହ ଗପି ପାରେନି । ସେ ଜାଣିଛି ତା' କାହାଣୀର ସେ ହିଁ ଆରମ୍ଭ ସେ ହିଁ ଶେଷ  । ଆଜି ସିଏ ଯୋଉଠି ପହଂଚିଛି କେବଳ ତା' ଶାଶୂ ଆଉ ଦେବତା ତୁଲ୍ୟ ଶଶୁରଙ୍କ ତା' ପ୍ରତି ଥିବା  ଆନ୍ତରିକତା ପାଇଁ ସମ୍ଭବ । ଦୁଇ ବର୍ଷର ପୁଅ ଓମ୍‌ ମାଆକୁ ଜାବୁଡି ଧରି କହେ ନା ଆଜି ଯାଆନା , ତା' ବୋଉ (ଜେଜେମା ) ହିଁ ଆସି ଗେହ୍ଲା କରି ଚୁପ କରନ୍ତି , ସେମିତି ଜିଦି କରନା  , ମମାକୁ ଯିବାକୁ ଦେ' । ଅଫିସ ଗଲେ ସେ ତୋ' ପାଇଁ ଗାଡି ଆଣିବ ପରା , ଧୀରେ ଧୀରେ ସବୁ ବୁଝିଯାଏ ; ସେ ଆଉ ଅଝଟ ହୁଏନି । ଭୁଲେଇ ଭୁଲେଇ ଗପ କହି ବାହାରେ ଗାଈ- କୁକୁର ସବୁ ଦେଖେଇ ଖୁଆଇ ଥା'ନ୍ତି ।ଖାଲି ସେତିକି ନୁହେଁ ତା'ର ସବୁ ଅଳି ଅର୍ଦ୍ଦଳିକୁ ଦିହସୁହା କରିନିଅନ୍ତି ବାପା - ବୋଉ। ତା' ଦୁନିଆର ସୂର୍ଯ୍ୟ ସେଇମାନଙ୍କ ପାଖରୁ ଉଇଁ ପୁଣି ସେଇଠି ଅସ୍ତ ହେଉଥାଏ । ପ୍ରକାଶର ରୋଷଣୀ ନେବାକୁ କେବେ କେବେ ଆଶୁତୋଷ ଛୁଟିରେ ରୁହନ୍ତି , ସେଦିନ ସାରା ଓମ୍‌ ବାପାକୁ ଛାଡେନି କି ବୋଉ କଥା ମାନେନି । ବେଳେ ବେଳେ ବାଧ୍ୟ କରନ୍ତି ଶ୍ରାବଣୀକୁ ଛୁଟି ନେବା ପାଇଁ । ଗୋଟେ ବର୍ଷ ଛୁଟି ପରେ ସେ ଜଏନ୍‌ କରିଛି , କିଛି କହି ପାରେନି କି ସେମାନଙ୍କ ସହ ଖୁସିରେ ସାମିଲ ହୋଇ ପାରେନି ।

      ଏତେ ବଡ଼ ସହର ଦିଲ୍ଲୀ ଦେଶର ରାଜଧାନୀ , ସେଠି ସମୟ ଆଉ ରହି ରହି କଡ଼ ଲେଉଟାଏନି ଅଣନିଃଶ୍ୱାସୀ ହୋଇ ଦୌଡୁଥାଏ । ଶ୍ରାବଣୀ କିନ୍ତୁ ତା' ଭିତରେ ଶାନ୍ତିରେ ନିଃଶ୍ୱାସ ମାରେ ତା' ପରିବାର ସହ , ଦଶ ବାଇ ଦଶର ହଲଟା ରୋଷେଇ ଘର ଆଉ ଗାଧୁଆ ଘର , ପାଇଖାନା ଘର , ଏତିକି ତା' ରହିବା ଜାଗା । ଋତୁ ସବୁ ଆସୁଥାଏ ଯାଉଥାଏ ,ଫୁଲ ଫୁଟି ମୌଳି ଯାଏ ବାସ ଚହଟାଇ , ଭଅଁର  କିନ୍ତୁ ଫୁଲକୁ ନଛୁଇଁ ଫେରି ଯାଏ ତା' ବାଟରେ । ଆର ଫଗୁଣକୁ ଅପେକ୍ଷା । ସତରେ ଫୁଲ କଣ ମୌଳି ଯାଇଛି ଖାସ ସେଇଥି ପାଇଁ ଆର ଫଗୁଣକୁ ଝୁରି ନା ତା' ସାଥିକୁ ଠିକ୍‌ ବୁଝି ପାରେ ବୋଲି କିଛି କହି ପାରୁନି ।

     ଦୁଇଟି ବିଛଣା ହୁଏ ରାତି ଆସିଲେ । ଅନ୍ଧକାର ଗାଢ଼ ହୁଏ , ବାପା ମାଆ ଗୋଟେ  ବିଛଣା ଆଉ ଟିକେ ଛାଡି ଶ୍ରାବଣୀ ତା' ସଂସାର ମେଲାଇ ଥାଏ । ଦିନେ ହେଲେ ମୁହଁ ଶୁଖେଇନି କି ଅଭିମାନ କରିନି ଆଶୁ ଉପରେ , ସେ  ଜାଣେ ଫଗୁଣ ଫେରିବ ଫୁଲ ଫୁଟା ଋତୁ ସବୁ ବେଳେ ଆସୁଥିବ , ଯେତେବେଳ ଯାଏଁ ତା' ପରିବାର ଜାକିଜୁକି ହୋଇ ରହିଥିବ ପଛେ ଖୋଲା ଆକାଶ ତଳେ ଦୀର୍ଘଶ୍ଵାସ ନେବନି ।
ନେରୂଲ ନାଭି ମୁମ୍ବାଇ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।