୧. ଆପଣ କେବେ ଠାରୁ ଲେଖା ଲେଖି ଆରମ୍ଭ କଲେ ? ସାହିତ୍ୟ କ୍ଷେତ୍ରକୁ ଆସିବା ପାଇଁ ଆପଣଙ୍କୁ କିଏ ପ୍ରେରଣା ଯୋଗାଇଥିଲେ?
ଉ. ମୁଁ ପ୍ରଥମେ ବାଲ୍ୟାବସ୍ଥାର ବାର ବର୍ଷ ବୟସରୁ ଲେଖା ଲେଖି ଆରମ୍ଭ କଲି,ଯାହା ଆସେ ମନକୁ ଗାରେଇ ଦିଏ ଏବଂ ଆମର ପାଠ୍ୟ ପୁସ୍ତକରେ ଯେଉଁ ଗଳ୍ପ ଲେଖା ହୋଇଥାଏ,ପ୍ରତିବଦଳରେ ଉକ୍ତ ଲେଖାକୁ ଅନ୍ୟ ଭାବରେ ରୁପାନ୍ତରିତ କରି ଅନ୍ୟ ଏକ ଗଳ୍ପ ଲେଖି ଦେଇଥାଏ । ଜୀବନରେ ଏପରି ଏକ ଘଟଣା ଘଟି ନାହିଁ, ଯେଉଁଥିରୁ ମୁଁ ଅନୁ ପ୍ରେରିତ ହୋଇ ହୋଇ ଲେଖା ଲେଖି ଆରମ୍ଭ କରିବି । ଜୀବନରେ ଲେଖା ଲେଖି କରିବା ମୋର ବହୁତ ଇଛା ଥିଲା। ତେବେ ପ୍ରଥମେ ପ୍ରେରଣାଦାତ୍ରୀ ଭାବରେ ଝଙ୍କଡ ଅଧିଷ୍ଟାତ୍ରୀ ମାଆ ଶାରଳା ଏବଂ ଦ୍ୱିତୀୟତଃ ପିଲାବେଳେ ଏକ ଅପେରାରେ ଏକ କ୍ଷୁଦ୍ର ଚରିତ୍ର ଭାବେ ଅଭିନୟ କରୁଥିବା ସମୟରେ ବାଳକୃଷ୍ଣ ସ୍ବାଇଁଙ୍କୁ ଏହାର ଶ୍ରେୟ ପ୍ରଦାନ କରିବି ।
୨. ଆପଣଙ୍କ ସମୟର ସାହିତ୍ୟ ଓ ଆଜିର ବିଂଶ ଶତାଦ୍ଦୀର ସାହିତ୍ୟ ମଧ୍ୟରେ ଆପଣ କଣ ତାରତମ୍ୟ ଅନୁଭବ କରୁଛନ୍ତି ?
ଉ. ଦେଖନ୍ତୁ ମୋର କୈଶୋର ଅବସ୍ଥା ଏବଂ ଯୁବ ଅବସ୍ଥାରେ ଯେଉଁ ସାହିତ୍ୟ ଥିଲା, ସେହି ସମୟରେ ମୋର ସମସାମୟିକ ତଥା କାଳଜୟୀ ସ୍ରଷ୍ଟା ଔପନାସିକ ଗୋପୀନାଥ ମହାନ୍ତି ଏବଂ କାହ୍ନୁ ଚରଣ ମହାନ୍ତିଙ୍କର ଉପନ୍ୟାସରେ ମାନବ ଜୀବନର ଟିକି ନିଖି ଘଟଣା ପ୍ରତିଫଳିତ ହୋଇଥିଲା । ଯାହା ଦ୍ୱାରା ମାନବ ସମାଜର ବିଭିନ୍ନ ସମସ୍ୟାକୁ ନେଇ ଜନ ସମାଜରେ ସଚେତନତାର ବାର୍ତା ବହନ କରୁଥିଲା ଏବଂ ମନରେ ପଢିବା ପାଇଁ ବିରକ୍ତି ଭାବ ଆସୁ ନ ଥିଲା। ତାଙ୍କର ଉପନ୍ୟାସ ଗୁଡିକ ପ୍ରାୟ ୪୦୦ ରୁ ୫୦୦ ପୃଷ୍ଠା ରହିଲେ ମଧ୍ୟ ତାହା ପଢିବା ପାଇଁ ବହୁତ ମଜା ଲାଗୁଥିଲା । ସେହିପରି ଭାବରେ ବିଭୁତି ପଟ୍ଟନାୟକ ଏବଂ ପ୍ରତିଭା ରାୟଙ୍କ ଲେଖା ମୋତେ ପଢିବା ପାଇଁ ବହୁତ ଭଲ ଲାଗେ । କିନ୍ତୁ ଅଧୁନା ସମୟରେ ଲେଖୁଥିବା ସ୍ରଷ୍ଟାମାନଙ୍କର ଗଳ୍ପ ହେଉ କି ଉପନ୍ୟାସ ହେଉ, ସବୁ ଗୁଡିକ ମଧ୍ୟରେ କିଛି ନୂତନତ୍ୱ ନାହିଁ । ସବୁଗୁଡିକ ଲେଖା ଏକ ପ୍ରକାର ଲାଗୁଅଛି ଏବଂ ଏହାର ଲକ୍ଷ ମଧ୍ୟ ଏକ ଅଟେ ।ଏଥିରେ ପ୍ରେମ, ପ୍ରତାରଣା, ହିଂସା ପ୍ରତିହିଂସା ଏବଂ ପରଶ୍ରୀକାତରତା ଭରି ରହିଅଛି ।
୩. ଆପଣ ପ୍ରାୟ ପାଂଚ ଶହରୁ ଅଧିକ ଉପନ୍ୟାସ ରଚନା କରିଛନ୍ତି, ଆପଣଙ୍କ ଉପନ୍ୟାସ ପାଠିକା/ପାଠକମାନଙ୍କ ମନକୁ ଗଭୀର ଭାବରେ ମୋହିତ କରିଅଛି । ଆପଣ ଉପନ୍ୟାସ ଲେଖିବା ପାଇଁ କେବେ ଠାରୁ ଓ କାହିଁକି ମନୋନିବେଶ କଲେ ?
ଉ. ହଁ, ମୁଁ ପ୍ରାୟ ୫୦୦ରୁ ଅଧିକ ଉପନ୍ୟାସ ରଚନା କରିଛି । ଅନେକ ଉପନ୍ୟାସ ବାରମ୍ବାର ପ୍ରକାଶିତ ହୋଇଛି । ମୋର ଉପନ୍ୟାସଗୁଡିକ ପ୍ରାୟତଃ ଘରେ ଘରେ ପହଂଚିବା ସହିତ ମାଆଙ୍କର ଆଶୀର୍ବାଦ ମୋତେ ଲେଖିବା ପାଇଁ ଖୋରାକ୍ ଯୋଗାଇଛି । ଏତଦ୍ ବ୍ୟତୀତ ବହୁଳ ଭାବରେ ପ୍ରିୟ ପାଠିକା/ପାଠକମାନଙ୍କର ପ୍ରେରିତ ପ୍ରେରଣାପଦ ଚିଠି ଲେଖିବା ପାଇଁ ଅନେକ ଆଶା ଭରି ଦେଇଛି । ବିଶେଷ କରି ମୋର ପ୍ରଥମ ଉପନ୍ୟାସ ୧୯୬୨ ମସିହାରେ ପ୍ରକାଶିତ “ଦାରୁଣ ଦଇବ” ବହିଟି ବହୁଳ ଭାବରେ ଲୋକାଦୃତ ହୋଇଥିଲା । ଯାହାକି ମୋତେ ସମାଜରେ ପ୍ରତିଷ୍ଠା କରିଥିଲା ।
୪. ଆପଣଙ୍କର ଓଡିଆ ଚଳଚିତ୍ର ମାନ୍ୟତା ପାଇଥିବା ଉପନ୍ୟାସ “ପର ଝିଅ ଘର ଭା େଙ୍ଗନା” ବିଷୟରେ ଉଦୟ ଭାନୁ ପରିବାରକୁ କିଛି କହିବା ପାଇଁ ଅନୁରୋଧ ?
ଉ. “ପର ଝିଅ ଘର ଭା େଙ୍ଗନା” ଏକ ପ୍ରଚଳିତ ଢଗ ଅଟେ ଏବଂ ଲୋକ କଥା ଅଟେ । ଏହାକୁ ଅଧିକାଂଶ ଲୋକ ଘର ଭାଙ୍ଗିବା କ୍ଷେତ୍ରରେ ଉଦାହରଣ ଦେଇଥାନ୍ତି । ଅର୍ଥାତ ପର ଝିଅ ଆସିଲା ବୋଲି ଘର ଭାଙ୍ଗି ଗଲା । ଆଜି ପର୍ୟ୍ୟନ୍ତ ଏ କଥାକୁ ଲୋକମାନେ ବିଶ୍ୱାସ କରି ଆସୁଛନ୍ତି ଏବଂ କଥା ପ୍ରସଙ୍ଗରେ କହୁଛନ୍ତି ଯେ, ତୁ ଆସିଲୁ ବୋଲି ମୋ ଘର ଭାଙ୍ଗିଗଲା । ତେଣୁ ମୋ ପୁଅ ମାନେ ଠିକ୍ । ତେବେ ଏ କଥା ମୁଁ ବିଶ୍ୱାସ କରେ ନାହିଁ ଏବଂ ମୋତେ ଭଲ ଲାଗେ ନାହିଁ । କାରଣ ଏସବୁ ମନ ଗଢା କଥା ଏବଂ ବିକୃତ ଚିନ୍ତାଧାରା ଅଟେ ।ପ୍ରକୃତ କଥା କହିବାକୁ ଗଲେ, ପର ଝିଅ ଘର ଭାଙ୍ଗି ନାହିଁ, ସେ ଘର ତିଆରି କରିବା ପାଇଁ ଆସିଥାଏ । ଭାଇର ଭାଇ ଘର ଭାଙ୍ଗିଥାନ୍ତି । କିନ୍ତୁ ଦୋଷ ପର ଝିଅ ମୁଣ୍ଡରେ ବୋଳା ହୋଇଥାଏ । ଉଦାହରଣତଃ ଆପଣ ହେଉଛନ୍ତି ମୋର ବଡ ଭାଇ କିମ୍ବା ସାନ ଭାଇ । ମୁଁ ମୋର ଭାଇକୁ ଦୀର୍ଘ ୨୫/୩୦ ବର୍ଷ ହେଲା ଜାଣି ଆସିଛି । ତାର ପ୍ରକୃତି, ବ୍ୟକ୍ତିତ୍ୱ ଓ ବିଚାରଧାରା ସଂପର୍କରେ ଅବଗତ ଅଛି । କାଲି ସକାଳେ ଯଦି ମୋ ସ୍ତ୍ରୀ କଥା ବିଶ୍ୱାସ କରିଗଲି. ତେବେ ଘର ଭାଙ୍ଗି ଗଲା । ତେଣୁ ଏଠି ଘର ଭାଙ୍ଗିଲା କିଏ ? ଭାଇ ଭାଙ୍ଗିଲା ନା ପର ଝିଅ ଭାଙ୍ଗି ଦେଲା । ଯେତେବେଳେ ପର ଝିଅ ଘରକୁ ଆସେ, ତାକୁ ଝିଅ ଭାବରେ ଗ୍ରହଣ କରିବା କଥା, ନିଜର ବୋଲି ଭାବିବା କଥା । ଆଜିର ସମାଜ ଯୌତୁକ ପ୍ରାଧାନ୍ୟ ହୋଇଯାଇଛି।ତେଣୁ ପର ଝିଅ ଆସି ଆମ ଘର ଭାଙ୍ଗି ଦଉଛି ବୋଲି ଲୋକ ଭାବୁଛନ୍ତି । କିିନ୍ତୁ ପ୍ରକୃତରେ ଭାଇ ଘର ଭାଙ୍ଗି ଦିଏ । ଲୋକମାନେ ପର ଝିଅ ମୁଣ୍ଡରେ ଅଠା ବୋଳି ଦିଅନ୍ତି ।ଏହି ପରିପ୍ରେକ୍ଷୀରେ ମୁଁ ଏ ବହିଟି ଋଚନା କରିଥିଲି, ଯାହା କେତୋଟି ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ପ୍ରଥମେ ହେଉଛି ଯୌତୁକ ପ୍ରଥାର କୁପରିଣାମ ଦ୍ୱାରା ଝିଅର ଜୀବନ କିପରି ଛାରଖାର ହୋଇଥାଏ । ଦ୍ୱିତୀୟତଃ ବୃଦ୍ଧାବସ୍ଥାରେ ବିବାହ କଲେ, ଘରର ପରିସ୍ଥିତି ନଷ୍ଟ ଭ୍ରଷ୍ଟ ହୋଇଯାଇଥାଏ । କିନ୍ତୁ ପର ମୂହୁର୍ତରେ ଅନ୍ୟ ଏକ ଝିଅ ଆସି ଘରଟିକୁ ଆସି ଘରଟିକୁ ଯୋଡି ଦିଏ, ସେହି ବିଷୟରେ ଏ ବହିଟି ଲେଖିଥିଲି । ତେବେ ବହିଟି ୨୫ରୁ ଅଧିକ ଥର ପ୍ରକାଶିତ ହୋଇଥିଲା ଏବଂ ବହୁଳ ଭାବରେ ଜନ ଆଦୃତ ହୋଇଥିଲା । ମୋର ଅନେକ ମାନସ କନ୍ୟା ମଧ୍ୟରେ ଏହି ବହିଟି ଗେହ୍ଲା ଝିଅ ଏବଂ ତାକୁ ନେଇ ମୁଁ ଗର୍ବିତ ।
୫. ଆପଣଙ୍କର ଏହି ଉପନ୍ୟାସ “ପର ଝିଅ ଘର ଭା େଙ୍ଗନା” ପ୍ରଥମେ ନାଟକ ଭାବରେ ଅଭିନୀତ ହୋଇ ଶେଷରେ ଚଳଚିତ୍ର ଭାବରେ ମୁକ୍ତିଲାଭ କରିଥିଲା । ଏହି ସଫଳତାର ରହସ୍ୟ କଣ ?
ଉ.ଏହି ସଫଳତାର ପ୍ରଚ୍ଛଦପଟ୍ଟରେ ମୋର ପ୍ରିୟ ପାଠିକା/ପାଠକମାନଙ୍କର ହାତ ରହିଛି ।“ପର ଝିଅ ଘର ଭା େଙ୍ଗନା ଉପନ୍ୟାସ” ପାଠ କଲା ପରେ, ଏହାକୁ ନାଟକ ଭାବରେ ଲେଖିବା ପାଇଁ ଅନେକ ଚିଠି ଆସିଥିଲା । ଯାହା ସମାଜରେ ଏକ ସଂସ୍କାର ଆଣିବା ସହିତ ପରିବର୍ତନର ବାର୍ତାବହ ସାଜିବା ପାଇଁ ଲକ୍ଷ ଥିଲା । ତେଣୁ ମୁଁ ଏହାକୁ ନାଟକ ଭାବରେ ରଚନା କରିବା ପରେ ବିଭିନ୍ନ ମଂଚରେ ମଂଚସ୍ଥ ହୋଇଥିଲା । ବିଶେଷ କରି ରାଢଙ୍ଗ, ତାରପୁର ପରି ଯାତ୍ରା ପାର୍ଟିରେ ବହୁ ଦିନ ଧରି ମଂଚସ୍ଥ ହେବା ସହିତ ବହିଟି “ମୋ ସଂସାର ଭାସିଗଲା”ଏବଂ “ପର ଝିଅ ଘର ଭା େଙ୍ଗନା” ଭାବରେ ଦୁଇଟି ନାମରେ ରୂପାନ୍ତରିତ କରା ଯାଇଥିଲା ।ଶେଷରେ ୧୯୮୫ ମସିହା ମଇ ମାସ ୧୫ ତାରିଖରେ ଚଳଚିତ୍ର ଭାବରେ ମୁକ୍ତିଲାଭ କରି ସୁପରହିଟ୍ ହୋଇଥିଲା । ଏଥିପାଇଁ ମୋର ଅଗଣିତ ପ୍ରିୟ ପାଠିକା/ପାଠକ ଏବଂ ଶ୍ରେୟ ପ୍ରଦାନ କରୁଅଛି ।
୬. ଆପଣଙ୍କର ଉପନ୍ୟାସଗୁଡିକରେ ପ୍ରାୟତଃ ଗ୍ରାମାଂଚଳର ଚଳଣି ଏବଂ ଗରିବୀ ଜୀବନର କାନଭାସ୍ ଦେଖିବାକୁ ମିଳେ, ଏହା କଣ ପାଇଁ?
ଉ.ଦେଖନ୍ତୁ,ମୋର ଉପନ୍ୟାସ ଗୁଡିକ ବହୁତ ଦୁଃଖ ପୂର୍ଣ୍ଣ ହୋଇଥାଏ । ଲୋକମାନେ କୁହନ୍ତି, ଭାଗିରଥୀର ଉପନ୍ୟାସକୁ ଚିପୁଡି ଦେଲେ ଲୁହ ବାହାରି ପଡିବ । ମୁଁ ବହୁତ ଗରିବ ପରିବାରର ସନ୍ତାନ,ଅତ୍ୟନ୍ତ ଅଭାବ ଅନାଟନରେ ବଂଚିଛି ଏବଂ ଏହାକୁ ଅତି ନିକଟରୁ ଦେଖିଛି । ଭୋକର ଜ୍ୱାଳା କେତେ ଭୟଙ୍କର, ତାହା ମୁଁ ମର୍ମେ ମର୍ମେ ଅନୁଭବ କରିଛି ଓ ଅଭାବ ଅନାଟନ ମୋର ଶିକ୍ଷା ଦୀକ୍ଷାରେ ବହୁତ ବାଧା ସୃଷ୍ଟି କରିଛି । ସେଥିପାଇଁ ଏହା ମୋର ରଚନାର ଅନେକ ସ୍ଥାନରେ ପ୍ରତିଫଳିତ ହୋଇଛି ।
୭. ଉପନ୍ୟାସର ପ୍ରକୃତ ସଂଜ୍ଞା କଣ ?
ଉ. ଉପନ୍ୟାସ ଏକ ମାନସିକ ଚିନ୍ତାଧାରା ଏବଂ କାଳ୍ପନିକ ଅଟେ । ଆମେ ଯାହା ଲେଖୁ,ତାହାକୁ ଏକ ଚମକ୍ରାର କାହାଣୀ ଭାବରେ ପରିବେଷଣ କରିଥାଉ ।
୮. ଆପଣ କେତେ ଖଣ୍ଡ ସଂକଳନ ରଚନା କରିଛନ୍ତି? ନିଜସ୍ବ ସୃଜନକୁ ନେଇ ଆମର ଉଦୟ ଭାନୁ ପରିବାରକୁ ସମ୍ୟକ ସୂଚନା ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ. ୧୯୬୨ ମସିହା ଠାରୁ ଅଦ୍ୟାବଧି ୫୦୦ରୁ ଅଧିକ ଉପନ୍ୟାସ ରଚନା କରିଅଛି । ୪୦ ଖଣ୍ଡ ଯାତ୍ରା ନାଟକ ମଧ୍ୟରୁ ୨୫ ଖଣ୍ଡ ପ୍ରକାଶିତ ହୋଇଛି । ଏତଦ୍ ବ୍ୟତୀତ ୨୫ ଖଣ୍ଡ ଗଳ୍ପ ସଙ୍କଳନ ରଚନା କରିଅଛି ।
୯. ପ୍ରକୃତ ସାହିତ୍ୟ ସାଧକ କହିଲେ ଆମେ କଣ ବୁଝିଥାଉ ?
ଉ. ଦେଖନ୍ତୁ, ସାହିତ୍ୟ ସାଧନା ହେଉଛି ଗୋଟିଏ ତପସ୍ୟା ଏବଂ ଏହା ବହୁତ କଷ୍ଟସାଧ୍ୟ ଅଟେ । ଯେମିତି କୌଣସି ମୁନି/ଋଷିମାନଙ୍କୁ ସିଦ୍ଧି କରିବା ପାଇଁ ବର୍ଷ ବର୍ଷ ପର୍ୟ୍ୟନ୍ତ ତପସ୍ୟା କରିବା ପାଇଁ ପଡିଥାଏ । ସାହିତ୍ୟ ମଧ୍ୟ ସେହିପରି । ଏଥିରେ ଧୈର୍ୟ୍ୟ,ନିଷ୍ଠା, ଏକାଗ୍ରତା ନିତାନ୍ତ ଆବଶ୍ୟକ । ତେବେ ସାହିତ୍ୟ ଯାହା ସୃଷ୍ଟି ହୋଇଥାଏ, ସେଥିରେ ସମାଜର ହିତ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ ।
୧୦. ଆପଣଙ୍କ ସମଗ୍ର ସୃଷ୍ଟି ମଧ୍ୟରେ କେଉଁ ସୃଷ୍ଟି ବହୁତ ଭଲ ଲାଗେ ?
ଉ. ଏକ ସ୍ରଷ୍ଟା ପାଇଁ ସମଗ୍ର ସୃଷ୍ଟି ସମାନ,ଯେପରି ଆମେ ଚାରୋଟି ସନ୍ତାନର ଜନକ ହେଲେ ମଧ୍ୟ ସମସ୍ତଙ୍କୁ ସମାନ ଭାବରେ ଶ୍ରଦ୍ଧା ବାଂଟିବା ପାଇଁ ହୋଇଥାଏ । ସେମିତି ମୋ ଆଖିରେ ସମସ୍ତ ସୃଷ୍ଟି ସମାନ ଏବଂ ପ୍ରିୟ ଅଟେ ।
୧୧.ଆଜିକାଲି ସାହିତ୍ୟକୁ କିଛି ଲୋକ ରୋଜଗାରର ପନ୍ଥା କରି ସାରିଛନ୍ତି । ଏହା ପ୍ରତି ଆପଣଙ୍କର ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ. ମୁଁ ଏହା ସହିତ ଏକମତ ନୁହେଁ । ସାହିତ୍ୟ ରୋଜଗାରର ପନ୍ଥା ନୁହେଁ । ଏହା ଏକ ସେବା ଅଟେ । ବିଶେଷ କରି ଓଡିଆ ଭାଷାର ଉନ୍ନତି ପାଇଁ ଆମକୁ ସଂଗ୍ରାମ କରିବା ପାଇଁ ପଡୁଛି ଏବଂ ଭବିଷ୍ୟତରେ କରିବାକୁ ପଡିବ ମଧ୍ୟ । ଓଡିଆ ଭାଷା ଆଜି ବଂଚିଛି ଏବଂ ଆଗକୁ ମଧ୍ୟ ବଂଚି ରହିବ ମଧ୍ୟ । ସାହିତ୍ୟରେ ଅର୍ଥ ମିଳେ, ମୁଁ ଏହାକୁ ବିଶ୍ୱାସ କରେ ନାହିଁ । ମୁଁ ଯେତିକି ବହି ଲେଖିଛି, ମୋ କ୍ଷେତ୍ରରେ ପ୍ରାୟ ପ୍ରକାଶକଙ୍କ ଠାରୁ ପୁସ୍ତକ ପ୍ରକାଶ ପରେ ପଇସା ମିଳେ ନାହିଁ । ଆଜିକାଲି କହି ଦଉଡାଇ ଥାନ୍ତି । ଲେଖା ପାଇବା ପୂର୍ବରୁ ଖୋସାମତ କରନ୍ତି ଓ ମିଠା ଖାଇବା ପାଇଁ ଦିଅନ୍ତି । କିନ୍ତୁ କାମ ସରିଗଲା ପରେ “ନମସ୍କାର” ମଧ୍ୟ କରିବା ପାଇଁ ଭୁଲି ଯାଆନ୍ତି । ତେବେ ସବୁ ଠାରୁ ଦରିଦ୍ର ହେଉଛି ଲେଖକ । ଖାଲି ଫୁଲ ମାଳି ଓ କରତାଳିକୁ ଛାଡିଦେଲେ କିଛି ମିଳି ନ ଥାଏ । ତାହାର ପ୍ରାପ୍ୟ କେହି ଦେଇ ପାରିବେ ନାହିଁ । ପେଟରେ ନିଆଁ ଜଳେ । ଭୋକରେ ସେ ରଡି ମରେ । ସରକାର ବୁଝିବା ବେଳକୁ ତାର ଶୋକ ସଭା ସରିଯାଇଥାଏ । ଅଧୁନା ସାହିତ୍ୟ କ୍ଷେତ୍ରରେ ସରକାରଙ୍କ କୌଣସି ଅବଦାନ ନାହିଁ । ଯାହା ମୋ କ୍ଷେତ୍ରରେ ହୋଇଅଛି । କିନ୍ତୁ ସାହିତ୍ୟର ପ୍ରକାଶନ କିମ୍ବା ପୁରସ୍କାର କ୍ଷେତ୍ରରେ ଅର୍ଥ କାରବାର ସତ୍ୟ ବୋଲି ମୁଁ ଏହାକୁ ଗ୍ରହଣ କରୁଅଛି । କାରଣ ଅଧୁନା ସମୟରେ ପତ୍ରିକାରେ ଲେଖା ପ୍ରକାଶନ କିମ୍ବା ପୁରସ୍କାର ପାଇଁ ଚିହ୍ନାମୁହଁ କିମ୍ବା ପଇସାପତ୍ର କଥା ଅଛି, ମୁଁ ଅନୁଭବ କରେ। କିନ୍ତୁ ଏବେ ମୋର ଶରୀର ଅସୁସ୍ଥତା ହେତୁ କୌଣସି ସଂପାଦକ ଲେଖା ମାଗିଲେ, ମୁଁ ଦେଇ ପାରୁ ନାହିଁ ।
୧୨.ସାହିତି୍ୟକ ବି ଜଣେ ସମାଜସେବୀ ହୋଇପାରେ, ଏହି ଉକ୍ତି ପ୍ରତି ଆପଣଙ୍କର ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ. ସାହିତି୍ୟକ ହିଁ ଜଣେ ସମାଜସେବୀ ଅଟେ । ଦେଶ ସ୍ବାଧୀନତା ବେଳେ ସାହିତ୍ୟର ବହୁତ ଅବଦାନ ଥିଲା । ଯେମିତି ଜଗତସିଂହପୁର ମାଟିର ଜାତୀୟ କବି ବୀର କିଶୋର ଦାସଙ୍କ କବିତା ଦେହକୁ ଗରମ କରିଦିଏ । କଲମର ତାକତ୍ ଛୋଟିଆ ନୁହେଁ । ଲେଖାର ଦମ୍ ବହୁତ ବେଶୀ ଏବଂ ଲେଖାରେ ଦମ୍ ରହିବା ଆବଶ୍ୟକ ।
୧୩.ଆଜିର ସମାଜକୁ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଏବଂ ତାର ସମ୍ମାନ ରକ୍ଷା କରିବାକୁ ଆପଣ କିଛି ଉପଦେଶ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ. ଯୁବପିଢୀମାନେ ଯେଉଁ ଲେଖା ଲେଖୁଛନ୍ତି, ବହୁ ଚମକ୍ରାର ଢଙ୍ଗରେ ଲେଖୁଛନ୍ତି, ଯାହାକୁ ଆମେ ଅତୀତରେ ଲେଖି ପାରି ନ ଥିଲୁ । ତେବେ ସାହିତ୍ୟ ରଚନା କରିବା ସମୟରେ କୌଣସି ପତ୍ର/ପତ୍ରିକାରେ ଲେଖା ପ୍ରକାଶ ପାଇବା ନ ପାଇବା କିମ୍ବା ପୁରସ୍କୃତ ହେବା ନ ହେବା ମନୋଭାବ ରଖି କଲମ ଚାଳନା କରିବା ଆବଶ୍ୟକ । ସାହିତ୍ୟ ସାଧନା ଜାରି ରଖନ୍ତୁ । ଇଶ୍ୱର ଏପରି ଏକ ଶକ୍ତି, ଯାହା ଶ୍ରମର ମୂଲ୍ୟ ସେ କେବେ ବୁଡେଇ ଦିଅନ୍ତି ନାହିଁ । ପରିଶ୍ରମ କଲେ, ତାହାର ଫଳ ନିଶ୍ଚିନ୍ତ ଭାବରେ ପ୍ରଦାନ କରିବେ । ଭଗବାନ କାହାର ଧାରୁଆ ହୁଅନ୍ତି ନାହିଁ । ଭବିଷ୍ୟତରେ ସଫଳତା ନିଶ୍ଚିତ ଭାବରେ ମିଳିବ । ପରିଶ୍ରମର ମୂଲ୍ୟ କେବେ ବୁଡିବ ନାହିଁ । ନୂଆ ସୃଷ୍ଟି କରନ୍ତୁ,କିନ୍ତୁ ପୁରୁଣା ଭାବରେ ପ୍ରେମ,ପ୍ରତାରଣା,ହିଂସା ଓ ପ୍ରତିହିଂସା କଥା ଲେଖନ୍ତୁ ନାହିଁ । ଯାହା ସମାଜ ଚାହୁଁଛି, ସେ ବିଷୟରେ ଳେଖନ୍ତୁ । ବିଶୃଙ୍ଖଳିତ ସମାଜକୁ ସଜାଡିବା ପାଇଁ ଯୁବ ପିଢୀଙ୍କ ଲେଖାରେ ନୁତନତ୍ୱ ରହୁ ଏତିକି କାମନା ।












No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।